ମଡ଼ର୍ଣ୍ଣ ପ୍ଲେଟ
ମଡ଼ର୍ଣ୍ଣ ପ୍ଲେଟ
ଆଜି ମୁଁ ବହୁତ ଖୁସି । ଓଃ ହୋ ବହୁତ ଦିନ ପରେ ପୁଣି ଭୋଜିଭାତ । ବାପା ଅଫିସ ଯିବାବେଳେ କହି ଯାଇଛନ୍ତି ଯେ ଆଜି ରାତିରେ ଅଫିସରୁ ଫେରିଲେ ପାର୍ଟିକୁ ଯିବା । ମାନେ ଆଗ ମାର୍କେଟର ମହାନ୍ତି ବାବୁଙ୍କ ପୁଅର ରିସିପ୍ସନ ପାର୍ଟି ।
ଏଇ ବଡ ସହରକୁ ଆସିବାର ବହୁତ ଦିନ ହେଲାଣି ହେଲେ ଗୋଟେ ବି ଭୋଜିଭାତ ହେଇନି । ଗାଁରେ କେତେ ଭୋଜିଭାତ ହେଉଥିଲା । ଆମ ନିଜ ଘରେ ତ ଦାଦା ଆଉ ପିଉସୀ ମାଆଙ୍କର ବାହାଘରର ଭୋଜିଭାତ କି ସୁନ୍ଦର ଥିଲା । କେତେ ଖାଇବା ପିଇବା, କେତେ ମଜ଼ା ମସ୍ତି,ୱାଓ.....ମୁଁ ଆମ ଭୋଜି ଦିନ ବୁଲି ବୁଲି ମୋର ସବୁ ସାଙ୍ଗ ମାନଙ୍କୁ ନିମନ୍ତ୍ରଣ କରିଆସୁଥିଲି । କଣ ବୁଝିପାରିଲନି ମୋର ସାଙ୍ଗମାନେ କିଏ ? କଣ ରିଙ୍କୁ, ପୁଚୁ, ମଧୁ, ବିନି ଆଉ ରେଣୁ ଭାବିଲ କି ? ସେମାନଙ୍କୁ ତ ମୋ ବାପା ନିମନ୍ତ୍ରଣ କରିସାରିଥିଲେ । ମୁଁ ଯେଉଁ ସାଙ୍ଗ ମାନଙ୍କ କଥା କହୁଛି ସେମାନେ ଆଉ କେହି ନୁହେଁ, ସେମାନେ ଆମ ପଡିଶା ଘରମାନଙ୍କର ଗାଈଗୋରୁ,ଛେଳିମେଣ୍ଢା ଇତ୍ୟାଦି । ମୁଁ ସେ ସମସ୍ତଙ୍କୁ କହୁଥିଲି ଆଜି ଆମର ଭୋଜି ଅଛି । ଭୋଜି ସରିଲେ ତୁମେମାନେ ଆସି କଦଳୀ ପତ୍ର ସବୁ ଖାଇବ ଆଉ ଭୋଜି ପାଳନ କରିବ । ସେମାନେ ଠିକ ଭୋଜି ସରିଲା ବେଳକୁ ଆସି ଭୋଜି ପାଇଁ ବ୍ୟବହୃତ ହେଇଥିବା ଅଇଁଠା କଦଳୀ ପତ୍ର ସବୁ ଖାଇ ସଫା କରିଦେଉଥିଲେ । କୁଢ଼ କୁଢ଼ ଅଇଁଠା କଦଳୀ ପତ୍ର ଭୋଜି ପରଦିନ ସକାଳୁ ସବୁ ଶେଷ । ପଡିଶା ଘରର ଗାଈଗୋରୁ ଆଉ ଛେଳିମାନେ ଆସି ମହା ଆନନ୍ଦରେ ସେ ପତ୍ର ଖାଇ ନିଜ ପେଟ ପୁରାଉଥିଲେ ଆଉ କାହାକୁ ସେଇ ଅଇଁଠା ପତ୍ର ସଫା କରିବାକୁ ପଡୁନଥିଲା । କି ମଜ଼ା । ମୁଁ ତ ପୁରା ମସ୍ତି କରୁଥିଲି । ସେମାନଙ୍କର ଖାଇବାର ଢଙ୍ଗ ଦେଖି ମୁଁ ଖୁବ ମଜ଼ା ନେଉଥିଲି ।
ଆଜି ବହୁତ ଦିନ ପରେ ପୁଣି ସେଇ ମସ୍ତି ହେବ । ନାନାପ୍ରକାର ଖାଇବା ପିଇବା ହେବ ୱାଓ । ମୁଁ ପୁରା ରେଡ୍ଡି । ଖାଲି ବାପା ଆସିଲେ ପାର୍ଟିକୁ ଯିବୁ । ଆରେ ହେଇତ ବାପା ଆସିଗଲେ । ବାପା ...ବାପା ...ଆମେ ପରା ଭୋଜିକୁ ଯିବା ।
ବାପା କହିଲେ - ହଁ ଚାଲ ଶୀଘ୍ର ଯିବା । ଡେରି ହେଲାଣି ।
ମୁଁ ଯାଇ ବାପାଙ୍କ ଗାଡି ପଛପଟେ ବସିଗଲି । ମାତ୍ର ୧୦ ମିନିଟରେ ଆମେ ଭୋଜି ପାଖେ ପହଞ୍ଚିଗଲୁ ।
ୱାଓ କି ସାଜସଜ୍ଜା ! ଗାଁରେ କିନ୍ତୁ ଏତେ ରୋମାଞ୍ଚକର ସାଜସଜ୍ଜା ନଥିଲା । ଆରେ ବାଃ କି ଲାଇଟ ? ୱାଓ ହେଲିକପ୍ଟର ! ମୁଁ ତାଳି ମାରି ଉଠିଲି ।
ବାପା କହିଲେ - ଆରେ ଏଇଟା ହେଲିକପ୍ଟର ନୁହେଁ । ଏଇଟା ଡ୍ରୋନ ।
ମୁଁ ପଚାରିଲି - ମାନେ ? ଡ୍ରୋନ କଣ ?
ବାପା କହିଲେ - ଏହା ଏକ ରିମୋଟ ଦ୍ୱାରା ପରିଚାଳିତ ଚାଳକବିହୀନ ବିମାନ ସମ୍ବନ୍ଧୀୟ ଯାନ ଯାହାକି କୌଣସି ବସ୍ତୁ ବା ବ୍ୟକ୍ତିର ବାହ୍ୟକୃତିର ଅନୁକରଣ କରି ଫୋଟୋ ଉଠାଇବାରେ ସାହାଯ୍ୟ କରେ । ଏଇଟା ଭୋଜିର ଭିଡିଓ ଆଉ ଫୋଟୋ ଉଠାଇବା ପାଇଁ ବ୍ୟବହାର କରାଯାଉଛି ।
ମୁଁ କହିଲି - ଆଛା ତାହେଲେ ଏଇଟା କ୍ୟାମେରାର କାମ କରୁଛି । ମୁଁ ପୁଣି ଦେଖିଲି ଆରେ ଏଠିକାର ଭୋଜିଭାତ ତ ପୁରାପୁରି ନୂଆ ପ୍ରକାରର ! ଏଠି ନାଁ ଧାଡି ଅଛି,ନାଁ କେହି ପତ୍ର ପକେଇ ବସିଛନ୍ତି,ନାଁ କେହି ପରସୁଛନ୍ତି । ଯାହାକୁ ଦେଖ ସମସ୍ତେ ଖଣ୍ଡେ ଖଣ୍ଡେ ପ୍ଲେଟ ଧରି ବୁଲିବୁଲି ନିଜ ହାତରେ ଖାଦ୍ୟ ଦରବ ବାଢ଼ି ଖାଉଛନ୍ତି ।
ତାପରେ ବାପାଙ୍କ ସାଙ୍ଗରେ ଯାଇ ମଝିରେ ଥିବା ଟେବୁଲ ଉପରେ ସୁସଜ୍ଜିତ ପ୍ଲେଟ ରୁ ଖଣ୍ଡେ ଉଠାଇଲି । ଆରେ ଏ କି ପ୍ରକାର ପ୍ଲେଟ ? ନାଁ ଏହା ଷ୍ଟିଲରେ ତିଆରି, ନାଁ ଶଙ୍ଖରେ , ନାଁ କାଗଜ ନାଁ ପତ୍ର ! ହାତକୁ ଏତେ ହାଲକା ଲାଗୁଛି ପୁଣି ମଜଭୂତ ବି । ମୁଁ ଏମିତି ପ୍ଲେଟ କେବେ ଆଗରୁ ଦେଖିନଥିଲି । ବାପାଙ୍କୁ ଯାଇ ପଚାରିଲି - ବାପା ଏଇ ପ୍ଲେଟ ତା କେଉଁଥିରେ ତିଆରି ?
ବାପା କହିଲେ - ଏଇଟା ସିଂଥେଟିକ ପ୍ଲେଟ ।
ଏମିତି ଏକ ନୂଆ ପ୍ରକାର ପ୍ଲେଟ ରେ ଖାଇବାର ଅନୁଭୂତି ପାଇଁ ମୁଁ ଖୁବ ଆନନ୍ଦିତ ହେଲି । ତାପରେ ପୁଣି ବିଭିନ୍ନ ପ୍ରକାରର ଖାଇବା ଦରବ । ଆରେ ବାଃ ! ସହରରେ ତ ବହୁତ ଭେରାଇଟି ଖାଦ୍ୟ । ମୁଁ ଖୁସିରେ ଖାଇପକାଇଲି । ଶେଷରେ ଆଇସକ୍ରୀମ । ୱାଓ ମଜ଼ା ଆସିଗଲା । ଆମେ ଖାଇସାରି ଘରକୁ ଫେରିଲୁ ।
ରାତି ପାହି ସକାଳ ହେଲା । ମୁଁ ବାପାଙ୍କ ସହିତ ସ୍କୁଲ ବାହାରିଲି । ସେଇ ମହାନ୍ତି ବାବୁଙ୍କ ଘର ଦେଇ ଗଲେ ମୋ ସ୍କୁଲ ପଡିବ । ମୁଁ ବାପାଙ୍କ ଗାଡି ପଛେ ବସିଥାଏ । ମହାନ୍ତି ବାବୁଙ୍କ ଘରପାଖେ ଦେଖିଲି ବହୁତ ସାରା ସେଇ ସିଂଥେଟିକ ପ୍ଲେଟ, ପ୍ଲାଷ୍ଟିକ ଗ୍ଲାସ ସବୁ ଅଇଁଠା ହେଇ କୁଢ଼ ହେଇ ପଡିଛି ।
ମୁଁ ବାପାଙ୍କୁ ପଚାରିଲି - ବାପା , ଏସବୁ କଣ ? କାଲି ତ ଏସବୁ ଏଠି ପଡିନଥିଲା ? ଏସବୁ କେଉଁଠୁ ଆସିଲା ?
ବାପା କହିଲେ - ଆଧୁନିକରଣ ।
ମୁଁ କିଛି ବୁଝିନପାରି ପଚାରିଲି - ହେଁ ଆଧୁନିକରଣ କଣ ?
ବାପା କହିଲେ - କାଲି ତତେ ଯେଉଁ ସିଂଥେଟିକ ପ୍ଲେଟ ବିଷୟରେ କହୁଥିଲି ଏସବୁ ସେଇ ପ୍ଲେଟ । ଏସବୁକୁ ଇଉଜ ଆଣ୍ଡ ଥ୍ରୋ ପ୍ଲେଟ ମଧ୍ୟ କୁହାଯାଏ । ଏସବୁ ମଡ଼ର୍ଣ୍ଣ ପ୍ଲେଟ କାଲି ମହାନ୍ତି ବାବୁଙ୍କ ଭୋଜିରେ ବ୍ୟବହାର ହେଇଥିଲା । ଏସବୁ ଖାଇବାପାଇଁ ବ୍ୟବହୃତ ହେଲାପରେ ଫିଙ୍ଗାଯାଏ ।
ମୁଁ ପଚାରିଲି - ବାପା ମହାନ୍ତି ବାବୁ କଣ ମୋ ପରି ତାଙ୍କ ପଡିଶା ଘର ଗାଈଗୋରୁ ଆଉ ଛେଳିମାନଙ୍କୁ ନିମନ୍ତ୍ରଣ କରିନଥିଲେ କି ?
ସେମାନେ ଯଦି ଆସିଥାନ୍ତେ ତେବେ ସେମାନେ ବି ଭୋଜି ପାଳନ କରିଥାନ୍ତେ ଆଉ ଏସବୁ ବି ସଫା ହେଇଯାଇଥାନ୍ତା ।
ବାପା କହିଲେ - ଏସବୁ ଗାଈଗୋରୁ ମାନେ ଖାଇପାରିବେନି ।
ମୁଁ ପୁଣି ପଚାରିଲି - କାହିଁକି ? କାହିଁକି ଖାଇପାରିବେନି ? ଖାଇଲେ କଣ ହେବ ?
ବାପା କହିଲେ - ଏସବୁ ଖାଇଲେ ଗାଈଗୋରୁ ମାନେ ରୋଗରେ ପଡିବେ । ସେମାନେ କଦଳିପତ୍ର ପରି ଏଇ ମଡ଼ର୍ଣ୍ଣ ପ୍ଲେଟକୁ ଖାଇ ହଜମ କରିପାରିବେନାହିଁ । ଏସବୁ ଆମପାଇଁ ଯେମିତି କ୍ଷତିକାରକ ,ଗାଈଗୋରୁଙ୍କ ପାଇଁ ବି ସେମିତି କ୍ଷତିକାରକ ।
ମୁଁ ପଚାରିଲି - ଆମ ପାଇଁ କ୍ଷତିକାରକ କେମିତି ?
ବାପା କହିଲେ - କଦଳୀପତ୍ର ଯଦି କେଉଁଠି ପଡିଥାଏ ତେବେ ତାହା କିଛି ଦିନ ପରେ ମାଟିରେ ମିଶିଯାଏ । କାରଣ ତାହା ଜୀବାଣୁ ବା ଅନ୍ୟ ଜୈବ ପଦାର୍ଥ ଦ୍ୱାରା ପଚିସଢ଼ି ଅବକର୍ଷିତ ହେଇ ମାଟିରେ ମିଶିଯାଏ ଅର୍ଥାତ ବିଜ୍ଞାନ ଭାଷାରେ ଯାହାକୁ ବାୟୋଡିଗ୍ରେଡେବୁଲ (biodegradable) କୁହାଯାଏ । କିନ୍ତୁ ଏଇ ମଡ଼ର୍ଣ୍ଣ ପ୍ଲେଟ ଯେଉଁଠି ପଡେ ତାହା ଏତେ ଶୀଘ୍ର ମାଟିରେ ମିଶେନାହିଁ । ଯାହାକୁ ବିଜ୍ଞାନ ଭାଷାରେ ନନ-ବାୟୋଡିଗ୍ରେଡେବୁଲ (non-biodegradable) କୁହାଯାଏ । ପଡିଥିବା ପ୍ଲେଟ ମାଟିରେ ନମିଶିବା ଫଳରେ ସେଥିରେ ପାଣି ଜମି ମଶା ମାଛି ଜନ୍ମ ନିଅନ୍ତି । ଯାହା ମ୍ୟାଲେରିଆ ଭଳି ଭୟଙ୍କର ରୋଗର କାରଣ । ପୁଣି ବର୍ଷା ହେଲେ ଏସବୁ ଭାସିଯାଇ ନଦୀନାଳରେ ମିଶିବା ଦ୍ୱାରା ପାଣି ମଧ୍ୟ ଦୂଷିତ ହେଇଥାଏ ।
ବାପାଙ୍କ କଥା ଶୁଣି ମୁଁ ପଚାରିଲି - ବାପା,ମହାନ୍ତି ବାବୁ କଣ ଏସବୁ ଜାଣିନାହାନ୍ତି ଯେ ଏଇ ମଡ଼ର୍ଣ୍ଣ ପ୍ଲେଟ ଏତେ କ୍ଷତିକାରକ ବୋଲି ? ତେବେ ଏସବୁ କାହିଁକି ବ୍ୟବହାର କରୁଥିଲେ ?
ବାପା ଉତ୍ତର ଦେଲେ - ଆରେ ବେଟା ଏ କଣ ଆମ ଗାଁ ହେଇଛି । ଏ ପରା ସହର । ଏଠି କଣ ଗାଁ ପରି କଦଳୀ ପତ୍ର ମିଳିବ ? ନାଁ ଏଠି ସାହିପଡିଶା ପରି ଏକଜୁଟ ହେଇ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରିବ । ଏଇ ପ୍ଲେଟ ଖୁବ ସହଜରେ ବଜ଼ରରେ ମିଳେ ଏବଂ ଏହାକୁ ଲୋକ ଲଗାଇ ଧୋଇବାକୁ ବି ପଡେନାହିଁ । ତେଣୁ ସହରିଆ ଭୋଜିଭାତ ମାନଙ୍କରେ ଏଇ ମଡ଼ର୍ଣ୍ଣ ପ୍ଲେଟର ଚାହିଦା ଖୁବ ଅଧିକା । ମାତ୍ର ଲୋକମାନେ ନିଜର ଛୋଟିଆ ସ୍ୱାର୍ଥ ପାଇଁ ପରିବେଶର କେତେ ଯେ କ୍ଷତି କରୁଛନ୍ତି ତାହାର ଜୀବନ୍ତ ଉଦାହରଣ ହେଉଛି ଏଇ ଅଇଁଠା ପ୍ଲେଟର କୁଢ଼। କେତେ ଯେ ନିରୀହ ପଶୁ ଅଇଁଠା ଖାଦ୍ୟ ଲୋଭରେ ଏଇ ମଡ଼ର୍ଣ୍ଣ ପ୍ଲେଟ ସବୁ ଖାଇ ରୋଗରେ ଛଟ ପଟ ହୁଅନ୍ତି ତାହାର କୌଣସି ହିସାବ ନାହିଁ ।
ମୁଁ ଏସବୁ ଶୁଣି କହିଲି - ବାପା ମୁଁ ବଡ ହେଲେ ମୋ ବାହାଘରରେ ଏଇ ମଡ଼ର୍ଣ୍ଣ ପ୍ଲେଟ ଜମା ବି ବ୍ୟବହାର କରିବାନାହିଁ ।
