sushama Parija

Inspirational

3  

sushama Parija

Inspirational

ମୋ' ଉଡାଣର କଥା

ମୋ' ଉଡାଣର କଥା

4 mins
233



 ପିଲାଟି ଦିନରୁ ବୋଉକୁ ଦେଖେ , ସେ ଘରେ କାମ ଧନ୍ଦା କରୁଥିଲା ବେଳେ ସେ ସବୁବେଳେ କିଛି ଗୋଟେ ଗୁଣୁଗୁଣୋଉଥିବ ।ସକାଳୁ ତୁଳସୀ ଚଉଁରା ମୂଳେ ପାଣି ଦେଲାବେଳେ ପ୍ରାର୍ଥନା କରିବ। ସନ୍ଧ୍ୟା ବେଳେ ସନ୍ଧ୍ୟା ଦେଇ ସାରି ଭାଗବତ ପଢିବ । ମୋ’ର ଜନ୍ମ ପରେ ପରେ କଟକରେ ଆମେ ସବୁ ମାଉସୀ ଘରେରହୁଥିଲୁ ମଙ୍ଗଳାବାଗରେ। ମୋ ମାଉସୀ ଘର ଠାକୁରବାଡି। ମଠରେରେରାଧା କୃଷ୍ଣଙ୍କ ମନ୍ଦିର । ସେଠାରେ ପୂଜା ପାଆନ୍ତିରାଧେକୃଷ୍ଣ ମୁଗୁନି ପଥରର ମୂର୍ତ୍ତି,ରାଧାମୋହନଙ୍କର ପିତ୍ତଳ ବିଜେ ପ୍ରତିମା ଏବଂ ଜୀବନ୍ତ ଶାଳଗ୍ରାମ କେତୋଟି । ସେଇଠି ସନ୍ଧ୍ୟା ଆରତୀ ପରେ ସବୁଦିନେ ପୁରାଣ ପଢା ହୁଏ । ମୋ’ ବୋଉ ସବୁଦିନେ ସେଇଠି ପୁରାଣ ପଢେ। ମାଉସୀର ଶଶୁର ଖୁବ୍ ସ୍ନେହ କରନ୍ତି ମୋ’ ବୋଉକୁ । ତା’ର ପୁରାଣ ପଢାକୁ ଖୁବ୍ ପସନ୍ଦ କରନ୍ତି । 

ମୋ’ ବୋଉ ଖୋରଧା ଜଟଣୀର ପାଇକ ସର୍ଦ୍ଦାର ମଙ୍ଗରାଜ ଘର ଝିଅ । ପରାଧୀନ ଭାରତରେ ଜନ୍ମ ନେଇ ଥିବା ହେତୁ ସେ ସମୟର ଚଳଣି ଅନୁସାରେ ପନ୍ଚମ ଶ୍ରେଣୀ ଯାଏଁ ପଢିବା ପରେ ଆଉ ସ୍କୁଲକୁ ଯାଇ ପାରିନଥିଲା କିନ୍ତୁ ତା’ର ପାଠପଢ଼ାରେ ଖୁବ୍ ଆଗ୍ରହ ଥିଲା।ମୋ ଅଜା ବାସୁଦେବ ମଙ୍ଗରାଜ ଜଣେ ପକ୍କା କିର୍ତ୍ତନୀୟା ଥିଲେ। ମର୍ଦ୍ଦଳ ବାଦନରେ ତାଙ୍କ ନାଆଁ ଡାକଥିଲା ସେ ଖଣ୍ଡମଣ୍ଡଳରେ । ବୋଉ କହେ ଅଜାଙ୍କ କିର୍ତ୍ତନ ଶୁଣି ଶୁଣି ସେ ଭଜନ, ଜଣାଣ, ଛାନ୍ଦ ,ଚମ୍ପୂ ସବୁ ଶିଖି ଯାଇଥିଲା ସେ ସମୟରେ। ଏଗାର ବର୍ଷରେ ତା’ର ବାହାଘର ହୋଇଥିଲା, ସେ ତେରବର୍ଷରେ ଶାଶୁଘରକୁ ଆସିଲା । ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପ୍ରତିକୂଳ ପରିବେଶ ହେତୁ ଆଉ ପଢି ପାରିଲାନି । ମୋ’ ବାବା କଟକରେ ଚାକିରୀ କରୁଥିଲେ ଆଉ ମୋ’ ବୋଉର ଆଗ୍ରହ ଦେଖି, ତା’ର ଅନୁରୋଧରଖି ତା’କୁ କଟକରୁ ବହିପତ୍ର କିଣିନେଇ ପଢିବାକୁ ଦେଉଥିଲେ। ସେଇ ମଧ୍ୟରେ ଅନେକ ଗୁଡିଏ ପୁରୁଣା କାବ୍ୟ, ପୁରାଣ, ଗ୍ରନ୍ଥାବଳୀ ପଢି ସାରିଥିଲା ମୋ’ବୋଉ। ଉତ୍ତରାଧିକାରୀ ସୂତ୍ରରେ ଅଜାଙ୍କ ପାଖରୁ ତା’କୁ ମିଳିଥିଲା ସୁନ୍ଦର କଣ୍ଠସ୍ବର । ସେ ପୁରାଣ ବୋଲିଲେ ଅନେକ ଲୋକରୁଣ୍ଡ ହୋଇ ଶୁଣୁଥିଲେ। ମୋ’ ବୋଉ ସେସବୁ ପୁରାଣର ବ୍ୟାଖ୍ୟା କରି ଶୁଣାଉଥିଲା ସେମାନଙ୍କୁ। ଗୋଟିଏ ପୁରାଣର ସେଟ୍ ପଢା ସରିଗଲେ ଆଉ ଗୋଟିଏ ପୁରାଣର ଆରମ୍ଭ ହେଉଥିଲା। ମୋର ମନେ ପଡୁଛି ଦାଣ୍ଡିରାମାୟଣ, ଶାରଳାଦାସଙ୍କ ମହାଭାରତ, ପଦ୍ମପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ମାର୍କଣ୍ଡେୟ ପୁରାଣ ଇତ୍ୟାଦି ଇତ୍ୟାଦି ଅନେକ ପୁରାଣରହିଥିଲା ସେ ମଠରେ। ସବୁ ପଢୁଥିଲା ମୋ’ ବୋଉ। ସମସ୍ତେ ଭୁରି ଭୁରି ପ୍ରଶଂସା କରୁଥିଲେ ମୋ’ବୋଉକୁ। ସେଇଠିରହିବା ସମୟରେ ସେ ଥିଲା ସମସ୍ତଙ୍କ ଆଦତରେ ପାତ୍ରୀ , ସାନ ମାନଙ୍କର ପ୍ରିୟ “ରେଖା ଦେଈ” , ବଡ ମାନଙ୍କର ଝିଅ ଏବଂ ପିଲାମାନଙ୍କ ଆଦତରେ “ରେଖା ମାଉସୀ”। 

ଟିକିଏ ବଡ ହେଲା ପରେ ଧୀରେ ଧୀରେ ମୁଁ ଜାଣିଲି ଯେ ସିଏ ମଠରେ ସନ୍ଧ୍ୟାବେଳେ ଯାହା ପ୍ରାର୍ଥନା କରୁଥିଲା, ବାସ୍ତବରେ ସେ ଥିଲା ଜୟଦେବଙ୍କ ଗୀତଗୋବିନ୍ଦ । ମାଉସୀର ଶାଶୁ ଶଶୁର ତା’କୁ ନିଜ ଝିଅଠାରୁ ମଧ୍ୟ ଅଧିକ ସ୍ନେହ କରୁଥିଲେ ଯଦିଓ ସେତିକି ସ୍ନେହ ମୋ’ ମାଉସୀକୁ ମିଳୁନଥିଲା ତା’ ଅପାଠୁଆପଣ ହେତୁ। ବୋଉ କହେ ମୋ’ ମାଉସୀ ଥିଲା ତାଙ୍କ ଦୁଇ ଭାଇ ଆଉ ଦୁଇ ଭଉଣୀଙ୍କ ଭିତରେ ସବୁଠାରୁ ସାନ। ଆଈର ଗେଲବସରିଆ କୋଳପୋଛା ଝିଅ,ଗୋଲମଟୋଲ୍ କଣ୍ଢେଇଟିଏ ଭଳି,କିନ୍ତୁ ଭାରି ନାକ କାନ୍ଦୁରୀ। ତାଙ୍କ ଗାଆଁର ଚାହାଳୀକୁ ଯିବାକୁ ହେଲେ ବିଧବା ଦେଇ ଯିବାକୁ ପଡେ । ମାଉସୀ କାଳେ ବଡ ମାନଙ୍କ ସହିତ ଚାହାଳିକୁ ଗଲା ବେଳେ ସେ ବିଲରେ ଥିବା ହିଡକୁ ମୋଟେ ଡେଇଁ ପାରିଲା ନାହିଁ, ସବୁଦିନେ ସେଇଠି ଅଧାବାଟରେ କାନ୍ଦି କାନ୍ଦି ନୟାନ୍ତ ହେଲା , ସେଇଠୁ ଆଈ ତା’କୁ କାଖରେ ଧରି ଘରକୁ ଆଣିଲା ଆଉ ତା’ର ପାଠପଢାରେ ସେଇଠୁ ଡୋରି ବନ୍ଧା ହେଲା । ସିଏ କିନ୍ତୁ ଥିଲା ଖୁବ୍ ସୁନ୍ଦରୀ ଆଉ ଗୃହକର୍ମ ନିପୁଣା । ତେର ବର୍ଷର ହେଲା ବେଳକୁ ମୋ’ ବାପା ତା’ର ବାହାଘର ପ୍ରସ୍ତାବ ପକାଇଥିଲେ ମଉସାଙ୍କ ସାଥିରେ ।ତା’ର ଶଶୁର ତା’ରୂପ ଗୁଣ ଦେଖି ତା’କୁ ଆନନ୍ଦରେ ବୋହୁ କରି ଆଣିଥିଲେ। ମୋ’ ବାପାଙ୍କୁ ମାଉସୀ ଶାଶୁ ଶଶୁର ନିଜର ବଡପୁଅ ଭଳି ଦେଖୁଥିଲେ ।ତେଣୁ ମୋ’ର ଜନ୍ମ ପରେ ପରେ ବାପାଙ୍କୁ ବାଧ୍ୟ କରି ଆମକୁ ଆଣି ତାଙ୍କ ଘରେରଖିଥିଲେ ନିଜର ପରିବାର ଭଳି । ମୋ ବାପାଙ୍କୁ କାମରେ ଦିନସାରା ବାହାରେରହିବାକୁ ପଡୁଥିଲା ତେଣୁ ମଉସା ଓ ତାଙ୍କର ପରିବାର ଆମର ଦେଖାଶୁଣା କରୁଥିଲେ । ପ୍ରକାରାନ୍ତରେ କହିବାକୁ ଗଲେ ଆମେ ଠାକୁରବାଡିର ସଦସ୍ୟ ଭାବରେ ଦିନ କାଟୁଥିଲୁ ସେଠାରେ । 

ଗୀତ, ସଂଗୀତ ,କବିତା ପ୍ରତି ଆଗ୍ରହ ମୋ’ର ପ୍ରତି ମୁହୂର୍ତ୍ତରେ ସେଇଠି ବୋଉର କଣ୍ଠସ୍ବରରୁ ଗୀତ ଶୁଣି ଶୁଣି ସୃଷ୍ଟି ହୋଇଥିଲା। ମୋ’ର ଟିକିଏ ହେତୁ ହେବା ବେଳକୁ ସେ ମୋତେ ଶିବ ପଞ୍ଚାକ୍ଷରୀ ସ୍ତୋତ୍ର, ଭବାନୀ ଅଷ୍ଟକ ଶିଖାଇଥିଲା, ମୁଁ ସେସବୁ ବୋଲୁଥିଲି ସେଇ ମଠରେ । କଳା ପ୍ରତି ଧୀରେ ଧୀରେ ମୋର ଆଗ୍ରହ ବଢିଲା ଏବଂ ଧୀରେ ଧୀରେ ମୁଁ ମଧ୍ୟ ବିଧିବଦ୍ଧ ଭାବେ ସଂଗୀତ ଶିଖିଲି । ମୋର ମନେ ଅଛି ଆମ ସାହିରେ ଥରେ “ ମାନଭଞ୍ଜନ “ ଗୀତିନାଟ୍ଯ ହେବ ବୋଲି ସ୍ଥିର ହେଲା, ମଉସା ସେଥିରେ ମୁଖ୍ୟ କାରପଟଦାର ଥାଆନ୍ତି, ମୋତେ ଲଳିତା ଭୂମିକା ଟି ମିଳିଲା । ପ୍ରଥମ ଦିନରରିହରସାଲ୍ ସାରି ଘରକୁ ଫେରିଲି, ସେଦିନରାତିରେ ବୋଉ ମୋ’ ଆଗରେ “ ମାନଭଞ୍ଜନ “ ବହିର ଆମୂଳଚୂଳ ଗାଇଗଲା । ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁରହିଥିଲେ ତା’ମୁହଁକୁ। କେଡେ ପ୍ରଖର ସ୍ମୃତିଶକ୍ତି ଥିଲା ମୋ’ ବୋଉର , କୋଉ ପିଲାବେଳେ ଶୁଣିଥିବା ଗୀତ ସବୁ ଏତେଦିନ ପରେ ମଧ୍ୟ ପ୍ରାଞ୍ଜଳ ଭାବରେ ମନେରଖିଥିଲେ ସିଏ। ମୋ’ର ପ୍ରେରଣାର ଆଦ୍ୟ ସ୍ରୋତ ମୋ’ ବୋଉ। ତା’ରି ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ଗୀତ ନାଚ ଶିଖିଲି, ସ୍କୁଲ୍ରେ ଡ୍ରାମା କଲି, ଗୀତିନାଟ୍ଯ କଲି , ବହୁତ ବହି ପଢା ପଢି କଲି , ଛୋଟ ବେଳୁ ଗଳ୍ପ ,କବିତା ଲେଖିଲି। କାଜି ବଜାର ସ୍ଥିତ ମହିଳା ଟ୍ରେନିଂ ସ୍କୁଲ୍ରୁ ପଞ୍ଚମ ଶ୍ରେଣୀ ପାଶ୍ କଲା ପରେ ମୁଁ ପଢିଲି ଥୋରିଆସାହିର ମୁନିସିପାଲିଟି ଗାର୍ଲ୍ସ ହାଇସ୍କୁଲରେ । ଆମ ସ୍କୁଲରେ ମଧ୍ୟ ଶିକ୍ଷୟତ୍ରୀ ମାନେ ଖୁବ୍ ପ୍ରୋତ୍ସାହିତ କରୁଥିଲେ ନୃତ୍ୟ, ସଙ୍ଗୀତ ଆଉ ସୃଜନକୁ। ସେହି ମାନଙ୍କ ପ୍ରେରଣାରେ ମୋର ପ୍ରତିଭା ଯେତିକି ଉନ୍ମୋଚିତ ହେଲା ସେତିକି ସଂସ୍କାରିତ ହେଲା ମଧ୍ୟ । ସ୍କୁଲ୍ ଶିକ୍ଷା ପରେ ମୁଁ ଆଇ ଏସ୍ ସି ପଢିଲି ଶୈଳବାଳା ମହିଳା କଲେଜ୍ରେ। 

ପାରିପାର୍ଶ୍ବିକ ପରିସ୍ଥିତିର ପରିବର୍ତ୍ତନରେରେ ମୋର ପାଠପଢାର ଦିଗ ବଦଳିଗଲା। ମୁଁ ରେଭେନ୍ସା ମହାବିଦ୍ୟାଳୟରେ କଳାରେ ସ୍ନାତକ ଡିଗ୍ରି ହାସଲ କରି ଆଉ ଆଗକୁ ପଢିବା ପାଇଁ ସୁଯୋଗ ପାଇଲିନି। ଖୁବ୍ କମ୍ ବୟସରେ ବାହାଘର ହୋଇଥିଲା ମୋ’ର। ଘରସଂସାର ଆଉ ଚାକିରିର ଜଞାଳ, ତା’ ସହିତ ଶାରିରୀକ ଅସୁସ୍ଥତା ଭିତରେ ପେଷି ହୋଇ ଗଲା ଜୀବନ ଆଉ ତା’ ସହିତ ମୋ’ର ସୃଜନ । କିଛି କିଛି ଶୁଭାକାଂକ୍ଷୀ ବନ୍ଧୁ ମାନଙ୍କ ବାଧ୍ୟବାଧକତାରେ କେତେବେଳେ କେମିତି କାଁ ଭାଁ ଲେଖାଟିଏ ଲେଖି ଦେଉଥିଲି । କିଏ ଛାପିଲା ତ କିଏ ଫୋପାଡି ଦେଲା ଅଳିଆଗଦାରେ । ସେଥିପାଇଁ ବ୍ରୁକ୍ଷଟି ନଥିଲା ମୋର। ମୁଖ୍ୟ ଥିଲା ମୋ ସଂସାର, ମୋ’ ଜୀବନ ଆଉ ଜୀବିକା । 

ହେଲେ ମୋର ସୃଜନଶୀଳତାର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲା ମୋର ଅବସର ପରେ। ମୋ’ର ପିଲାମାନଙ୍କ ପ୍ରେରଣା ମୋ’ ଭିତରର ସୃଜନଶୀଳ ମଣିଷକୁ ଉଚ୍ଛନ୍ନ କଲା ପୁଣିଥରେ ଅଣ୍ଟା ସଳଖି ଠିଆ ହେବା ପାଇଁ । ମୁଁ ସାହସ କରି ପାଦ ବଢାଇଲି ଆଗକୁ ଆଗକୁ ... । ମୋର ସୃଷ୍ଟି ମାନେରାଜ୍ୟର ଅନେକ ପ୍ରତିଷ୍ଠିତ ସମ୍ବାଦପତ୍ର, ଅନେକ ପତ୍ରିକା ମାନଙ୍କରେ ପ୍ରକାଶିତ ହୋଇଛି, ପାଠକ ମାନଙ୍କ ସ୍ନେହ ଶ୍ରଦ୍ଧା ମୋତେ ଆହୁରି ଅଧିକ ଲେଖିବା ପାଇଁ ପ୍ରୋତ୍ସାହିତ କରିଛି। କିଛି କିଛି ସାହିତ୍ୟ ଅନୁଷ୍ଠାନ ମାନେ ସମ୍ମାନିତ କରିଛନ୍ତି ମୋ’ର ପ୍ରତିଭାକୁ। ଏ ଯାବତ୍ ମୋର ଦୁଇଟି ଗଳ୍ପ ସଙ୍କଳନ ପ୍ରକାଶିତ ହୋଇ ଖୁବ୍ ପାଠକୀୟ ଆଦୃତି ଲାଭ କରିଛି । ମୋର ମନେ ହୁଏ ଏଇ ମାତ୍ର ଆରମ୍ଭ ହୋଇଛି ମୋର ସାହିତ୍ୟ ଜୀବନ। ଆହୁରି ଅନେକ ବାଟ ଯିବାକୁ ଅଛି, ଆହୁରି ଅନେକ କିଛି ଶିଖିବାର ଅଛି , ଏବେ ଏବେ ତ ଉଡାଣ ଆରମ୍ଭ କରିଛି , ଅନନ୍ତ ଆକାଶ ବୁକୁରେ .... ।


Rate this content
Log in

Similar oriya story from Inspirational