Click Here. Romance Combo up for Grabs to Read while it Rains!
Click Here. Romance Combo up for Grabs to Read while it Rains!

sushama Parija

Inspirational


4  

sushama Parija

Inspirational


ମୋ' ଉଡାଣ ର କଥା

ମୋ' ଉଡାଣ ର କଥା

5 mins 326 5 mins 326


 ପିଲାଟି ଦିନରୁ ବୋଉ କୁ ଦେଖେ , ସେ ଘରେ କାମ ଧନ୍ଦା କରୁଥିଲା ବେଳେ ସେ ସବୁବେଳେ କିଛି ଗୋଟେ ଗୁଣୁଗୁଣୋଉଥିବ ।ସକାଳୁ ତୁଳସୀ ଚଉଁରା ମୂଳେ ପାଣି ଦେଲାବେଳେ ପ୍ରାର୍ଥନା କରିବ। ସନ୍ଧ୍ୟା ବେଳେ ସନ୍ଧ୍ୟା ଦେଇ ସାରି ଭାଗବତ ପଢିବ । ମୋ’ର ଜନ୍ମ ପରେ ପରେ କଟକରେ ଆମେ ସବୁ ମାଉସୀ ଘରେ ରହୁଥିଲୁ ମଙ୍ଗଳାବାଗ ରେ। ମୋ ମାଉସୀ ଘର ଠାକୁରବାଡି। ମଠରେ ରେ ରାଧା କୃଷ୍ଣ ଙ୍କ ମନ୍ଦିର । ସେଠାରେ ପୂଜା ପାଆନ୍ତି ରାଧେକୃଷ୍ଣ ମୁଗୁନି ପଥର ର ମୂର୍ତ୍ତି,ରାଧାମୋହନଙ୍କର ପିତ୍ତଳ ବିଜେ ପ୍ରତିମା ଏବଂ ଜୀବନ୍ତ ଶାଳଗ୍ରାମ କେତୋଟି । ସେଇଠି ସନ୍ଧ୍ୟା ଆରତୀ ପରେ ସବୁଦିନେ ପୁରାଣ ପଢା ହୁଏ । ମୋ’ ବୋଉ ସବୁଦିନେ ସେଇଠି ପୁରାଣ ପଢେ। 

ମାଉସୀ ର ଶଶୁର ଖୁବ୍ ସ୍ନେହ କରନ୍ତି ମୋ’ ବୋଉ କୁ । ତା’ର ପୁରାଣ ପଢାକୁ ଖୁବ୍ ପସନ୍ଦ କରନ୍ତି । ମୋ’ ବୋଉ ଖୋରଧା ଜଟଣୀ ର ପାଇକ ସର୍ଦ୍ଦାର ମଙ୍ଗରାଜ ଘର ଝିଅ । ପରାଧୀନ ଭାରତ ରେ ଜନ୍ମ ନେଇ ଥିବା ହେତୁ ସେ ସମୟର ଚଳଣି ଅନୁସାରେ ପଞ୍ଚମ ଶ୍ରେଣୀ ଯାଏଁ ପଢିବା ପରେ ଆଉ ସ୍କୁଲ୍ କୁ ଯାଇ ପାରିନଥିଲା କିନ୍ତୁ ତା’ର ପାଠପଢ଼ା ରେ ଖୁବ୍ ଆଗ୍ରହ ଥିଲା।ମୋ ଅଜା ବାସୁଦେବ ମଙ୍ଗରାଜ ଜଣେ ପକ୍କା କିର୍ତ୍ତନୀୟା ଥିଲେ। ମର୍ଦ୍ଦଳ ବାଦନରେ ତାଙ୍କ ନାଆଁ ଡାକଥିଲା ସେ ଖଣ୍ଡମଣ୍ଡଳରେ । ବୋଉ କହେ ଅଜାଙ୍କ କିର୍ତ୍ତନ ଶୁଣି ଶୁଣି ସେ ଭଜନ, ଜଣାଣ, ଛାନ୍ଦ ,ଚମ୍ପୂ ସବୁ ଶିଖି ଯାଇଥିଲା ସେ ସମୟରେ। ଏଗାର ବର୍ଷ ରେ ତା’ର ବାହାଘର ହୋଇଥିଲା, ସେ ତେରବର୍ଷ ରେ ଶାଶୁଘରକୁ ଆସିଲା । ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପ୍ରତିକୂଳ ପରିବେଶ ହେତୁ ଆଉ ପଢି ପାରିଲାନି । ମୋ’ ବାବା କଟକରେ ଚାକିରୀ କରୁଥିଲେ ଆଉ ମୋ’ ବୋଉର ଆଗ୍ରହ ଦେଖି, ତା’ର ଅନୁରୋଧ ରଖି ତା’କୁ କଟକରୁ ବହିପତ୍ର କିଣିନେଇ ପଢିବାକୁ ଦେଉଥିଲେ। ସେଇ ମଧ୍ୟରେ ଅନେକ ଗୁଡିଏ ପୁରୁଣା କାବ୍ୟ, ପୁରାଣ, ଗ୍ରନ୍ଥାବଳୀ ପଢି ସାରିଥିଲା ମୋ’ବୋଉ। ଉତ୍ତରାଧିକାରୀ ସୂତ୍ରରେ ଅଜାଙ୍କ ପାଖରୁ ତା’କୁ ମିଳିଥିଲା ସୁନ୍ଦର କଣ୍ଠସ୍ବର । ସେ ପୁରାଣ ବୋଲିଲେ ଅନେକ ଲୋକ ରୁଣ୍ଡ ହୋଇ ଶୁଣୁଥିଲେ। ମୋ’ ବୋଉ ସେସବୁ ପୁରାଣର ବ୍ୟାଖ୍ୟା କରି ଶୁଣାଉଥିଲା ସେମାନଙ୍କୁ। ଗୋଟିଏ ପୁରାଣ ର ସେଟ୍ ପଢା ସରିଗଲେ ଆଉ ଗୋଟିଏ ପୁରାଣ ର ଆରମ୍ଭ ହେଉଥିଲା। ମୋର ମନେ ପଡୁଛି ଦାଣ୍ଡି ରାମାୟଣ, ଶାରଳାଦାସ ଙ୍କ ମହାଭାରତ, ପଦ୍ମପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ମାର୍କଣ୍ଡେୟ ପୁରାଣ ଇତ୍ୟାଦି ଇତ୍ୟାଦି ଅନେକ ପୁରାଣ ରହିଥିଲା ସେ ମଠରେ। ସବୁ ପଢୁଥିଲା ମୋ’ ବୋଉ। ସମସ୍ତେ ଭୁରି ଭୁରି ପ୍ରଶଂସା କରୁଥିଲେ ମୋ’ବୋଉ କୁ। 

ସେଇଠି ରହିବା ସମୟରେ ସେ ଥିଲା ସମସ୍ତଙ୍କ ଆଦରର ପାତ୍ରୀ , ସାନ ମାନଙ୍କ ର ପ୍ରିୟ “ରେଖା ଦେଈ” , ବଡ ମାନଙ୍କର ଝିଅ ଏବଂ ପିଲାମାନଙ୍କ ଆଦତରେ “ ରେଖା ମାଉସୀ”। ଟିକିଏ ବଡ ହେଲା ପରେ ଧୀରେ ଧୀରେ ମୁଁ ଜାଣିଲି ଯେ ସିଏ ମଠରେ ସନ୍ଧ୍ୟାବେଳେ ଯାହା ପ୍ରାର୍ଥନା କରୁଥିଲା, ବାସ୍ତବରେ ସେ ଥିଲା ଜୟଦେବଙ୍କ ଗୀତଗୋବିନ୍ଦ । ମାଉସୀର ଶାଶୁ ଶଶୁର ତା’କୁ ନିଜ ଝିଅଠାରୁ ମଧ୍ୟ ଅଧିକ ସ୍ନେହ କରୁଥିଲେ ଯଦିଓ ସେତିକି ସ୍ନେହ ମୋ’ ମାଉସୀକୁ ମିଳୁନଥିଲା ତା’ ଅପାଠୁଆପଣ ହେତୁ। ବୋଉ କହେ ମୋ’ ମାଉସୀ ଥିଲା ତାଙ୍କ ଦୁଇ ଭାଇ ଆଉ ଦୁଇ ଭଉଣୀ ଙ୍କ ଭିତରେ ସବୁଠାରୁ ସାନ। ଆଈ ର ଗେଲବସରିଆ କୋଳପୋଛା ଝିଅ,ଗୋଲମଟୋଲ୍ କଣ୍ଢେଇଟିଏ ଭଳି, କିନ୍ତୁ ଭାରି ନାକ କାନ୍ଦୁରୀ। ତାଙ୍କ ଗାଆଁ ର ଚାହାଳୀ କୁ ଯିବାକୁ ହେଲେ ବିଲବାଟ ଦେଇ ଯିବାକୁ ପଡେ । ମାଉସୀ କାଳେ ବଡ ମାନଙ୍କ ସହିତ ଚାହାଳିକୁ ଗଲା ବେଳେ ସେ ବିଲ ରେ ଥିବା ହିଡ କୁ ମୋଟେ ଡେଇଁ ପାରିଲା ନାହିଁ, ସବୁଦିନେ ସେଇଠି ଅଧା ବାଟରେ କାନ୍ଦି କାନ୍ଦି ନୟାନ୍ତ ହେଲା , ସେଇଠୁ ଆଈ ତା’କୁ କାଖରେ ଧରି ଘରକୁ ଆଣିଲା ଆଉ ତା’ର ପାଠପଢାରେ ସେଇଠୁ ଡୋରି ବନ୍ଧା ହେଲା । ସିଏ କିନ୍ତୁ ଥିଲା ଖୁବ୍ ସୁନ୍ଦରୀ ଆଉ ଗୃହକର୍ମ ନିପୁଣା । ପନ୍ଦର ବର୍ଷ ର ହେଲା ବେଳକୁ ମୋ’ ବାପା ତା’ର ବାହାଘର ପ୍ରସ୍ତାବ ପକାଇଥିଲେ ମଉସା ଙ୍କ ସାଥିରେ ।ତା’ର ଶଶୁର ତା’ ରୂପ ଗୁଣ ଦେଖି ତା’କୁ ଆନନ୍ଦ ରେ ବୋହୁ କରି ଆଣିଥିଲେ। ମୋ’ ବାପାଙ୍କୁ ମାଉସୀ ଶାଶୁ ଶଶୁର ନିଜର ବଡପୁଅ ଭଳି ଦେଖୁଥିଲେ ।ତେଣୁ ମୋ’ର ଜନ୍ମ ପରେ ପରେ ବାପାଙ୍କୁ ବାଧ୍ୟ କରି ଆମକୁ ଆଣି ତାଙ୍କ ଘରେ ରଖିଥିଲେ ନିଜର ପରିବାର ଭଳି । ମୋ ବାପାଙ୍କୁ କାମରେ ଦିନସାରା ବାହାରେ ରହିବାକୁ ପଡୁଥିଲା ତେଣୁ ମଉସା ଓ ତାଙ୍କର ପରିବାର ଆମର ସବୁ ଦେଖାଶୁଣା କରୁଥିଲେ । ପ୍ରକାରାନ୍ତରେ କହିବାକୁ ଗଲେ ଆମେ ଠାକୁରବାଡି ର ସଦସ୍ୟ ଭାବରେ ଦିନ କାଟୁଥିଲୁ ସେଠାରେ । ଗୀତ, ସଂଗୀତ ,କବିତା ପ୍ରତି ଆଗ୍ରହ ମୋ’ର ପ୍ରତି ମୁହୂର୍ତ୍ତରେ ସେଇଠି ବୋଉ ର କଣ୍ଠସ୍ବରରୁ ଗୀତ ଶୁଣି ଶୁଣି ସୃଷ୍ଟି ହୋଇଥିଲା। ମୋ’ର ଟିକିଏ ହେତୁ ହେବା ବେଳକୁ ସେ ମୋତେ ଶିବ ପଞ୍ଚାକ୍ଷର ସ୍ତୋତ୍ର, ଭବାନୀ ଅଷ୍ଟକ, ଦଶାବତାର ସ୍ତୋତ୍ର, ସବୁ ଶିଖାଇଥିଲା, ମୁଁ ସେସବୁ ବୋଲୁଥିଲି ସେଇ ମଠରେ । କଳା ପ୍ରତି ଧୀରେ ଧୀରେ ମୋର ଆଗ୍ରହ ବଢିଲା ଏବଂ ଧୀରେ ଧୀରେ ମୁଁ ମଧ୍ୟ ବିଧିବଦ୍ଧ ଭାବେ ସଂଗୀତ ଶିଖିଲି । ମୋର ମନେ ଅଛି ସେଠାରେ ଥିବାବେଳେ ଆମ ସାହିରେ ଥରେ  “ ମାନଭଞ୍ଜନ “ ଗୀତିନାଟ୍ଯ ହେବ ବୋଲି ସ୍ଥିର ହେଲା, ମଉସା ସେଥିରେ ମୁଖ୍ୟ କାରପଟଦାର ଥାଆନ୍ତି, ମୋତେ ଲଳିତା ଭୂମିକା ଟି ମିଳିଲା । ପ୍ରଥମ ଦିନ ର ରିହରସାଲ୍ ସାରି ଘରକୁ ଫେରିଲି, ସେଦିନ ରାତିରେ ବୋଉ ମୋ’ ଆଗରେ “ ମାନଭଞ୍ଜନ “ ବହିର ଆମୂଳଚୂଳ ଗାଇଗଲା । ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥିଲି ତା’ମୁହଁ କୁ। କେଡେ ପ୍ରଖର ସ୍ମୃତିଶକ୍ତି ଥିଲା ମୋ’ ବୋଉର , କୋଉ ପିଲାବେଳେ ଶୁଣିଥିବା ଗୀତ ସବୁ ଏତେଦିନ ପରେ ମଧ୍ୟ ପ୍ରାଞ୍ଜଳ ଭାବରେ ମନେ ରଖିଥିଲେ ସିଏ। 

ମୋ’ର ପ୍ରେରଣା ର ଆଦ୍ୟ ସ୍ରୋତ ମୋ’ ବୋଉ। ତା’ରି ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ଗୀତ ନାଚ ଶିଖିଲି, ସ୍କୁଲ୍ ରେ ଡ୍ରାମା କଲି, ଗୀତିନାଟ୍ଯ କଲି , ବହୁତ ବହି ପଢାପଢି କଲି , ଛୋଟ ବେଳୁ ଗଳ୍ପ ,କବିତା ଲେଖିଲି। କାଜି ବଜାର ସ୍ଥିତ ମହିଳା ଟ୍ରେନିଂ ସ୍କୁଲ୍ ରୁ ପଞ୍ଚମ ଶ୍ରେଣୀ ପାଶ୍ କଲା ପରେ ମୁଁ ପଢିଲି ଥୋରିଆସାହି ର ମୁନିସିପାଲିଟି ଗାର୍ଲ୍ସ ହାଇସ୍କୁଲରେ । ସେଇ ଦୁଇଟି ଯାକ ସ୍କୁଲ ରେ ମଧ୍ୟ ଶିକ୍ଷୟତ୍ରୀ ମାନେ ଖୁବ୍ ପ୍ରୋତ୍ସାହିତ କରୁଥିଲେ ନୃତ୍ୟ, ସଙ୍ଗୀତ ଆଉ ସୃଜନ କୁ। ପ୍ରତ୍ୟେକ ବର୍ଷ ସ୍କୁଲ୍ ର ବାର୍ଷିକ ଉତ୍ସବ ରେ ମୁଁ ନୃତ୍ୟ, ସଙ୍ଗୀତ, ଗୀତାଭିନୟରେ ଭାଗ ନେଇ ଗୁରୁମା’ ମାନଙ୍କର ପ୍ରିୟଭାଜନ ହୋଇଥିଲି। ପାଠ ମଧ୍ୟ ଖୁବ୍ ଭଲ ପଢୁଥିଲି । ଗୁରୁମା’ ମାନଙ୍କର ପ୍ରେରଣା ରେ ମୋର ପ୍ରତିଭା ଯେତିକି ଉନ୍ମୋଚିତ ହେଲା ସେତିକି ସଂସ୍କାରିତ ହେଲା ମଧ୍ୟ । ସ୍କୁଲ୍ ଶିକ୍ଷା ପରେ ମୁଁ ଆଇ ଏସ୍ ସି ପଢିଲି ଶୈଳବାଳା ମହିଳା କଲେଜ୍ ରେ। ପାରିପାର୍ଶ୍ବିକ ପରିସ୍ଥିତିର ପରିବର୍ତ୍ତନ ରେ ମୋର ପାଠପଢାର ଦିଗ ବଦଳିଗଲା। ମୁଁ ରେଭେନ୍ସା ମହାବିଦ୍ୟାଳୟ ରେ କଳାରେ ସ୍ନାତକ ଡିଗ୍ରୀ କଲି, ହେଲେ ଅର୍ଥାଭାବରୁ ଆଉ ଆଗକୁ ପଢିବା ପାଇଁ ସୁଯୋଗ ପାଇଲିନି।ଖୁବ୍ କମ୍ ବୟସରେ ବାହାଘର ହୋଇଥିଲା ମୋ’ର । ଘର ସଂସାର, ଯୌଥ ପରିବାର ଆଉ ଚାକିରି ର ଜଞାଳ, ତା’ ସହିତ ଶାରିରୀକ ଅସୁସ୍ଥତା ଭିତରେ ପେଷି ହୋଇ ଗଲା ଜୀବନ ଆଉ ତା’ ସହିତ ମୋ’ର ସୃଜନ । କିଛି କିଛି ଶୁଭାକାଂକ୍ଷୀ ବନ୍ଧୁ ମାନଙ୍କ ବାଧ୍ୟବାଧକତା ରେ କେତେବେଳେ କେମିତି କାଁ ଭାଁ ଲେଖାଟିଏ ଲେଖି ଦେଉଥିଲି । କେତେବେଳେ କିଏ ଛାପିଲା ତ, ଆଉ କିଏ ଫୋପାଡି ଦେଲା ଅଳିଆ ଗଦା ରେ । ସେଥିପାଇଁ ଭୃକ୍ଷେପ ନଥିଲା ମୋର। ମୁଖ୍ୟ ଥିଲା ମୋ ଘର ସଂସାର, ମୋ’ର ସନ୍ତାନ ମାନଙ୍କର ଭବିଷ୍ୟତ , ମୋ’ ଜୀବନ ଆଉ ଜୀବିକା । 

ପ୍ରକୃତ ରେ ମୋର ସୃଜନଶୀଳତା ର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଲା ମୋର ଅବସର ପରେ। ମୋ’ର ପିଲାମାନଙ୍କ ପ୍ରେରଣା ମୋ’ ଭିତର ର ସୃଜନଶୀଳ ମଣିଷ କୁ ଉଚ୍ଛନ୍ନ କଲା ପୁଣିଥରେ ଅଣ୍ଟା ସଳଖି ଠିଆ ହେବା ପାଇଁ । ମୁଁ ସାହସ କରି ପାଦ ବଢାଇଲି ଆଗକୁ ଆଗକୁ ... । ମୋର ସୃଷ୍ଟି ମାନେ ରାଜ୍ୟ ର ଅନେକ ପ୍ରତିଷ୍ଠିତ ସମ୍ବାଦପତ୍ର, ଅନେକ ପତ୍ରିକା ମାନଙ୍କରେ ପ୍ରକାଶିତ ହୋଇଛି, ପାଠକ ମାନଙ୍କ ସ୍ନେହ ଶ୍ରଦ୍ଧା ମୋତେ ଆହୁରି ଅଧିକ ଲେଖିବା ପାଇଁ ପ୍ରୋତ୍ସାହିତ କରିଛି । ମୋ’ର ଲେଖା କୁ ଅଧିକ ମାର୍ଜିତ କରିଛି। ଏହା ମୋ’ ପ୍ରତି ମୋ’ର ବାବା, ବୋଉ ଏବଂ ପରମେଶ୍ଵରଙ୍କ ଆଶୀର୍ବାଦ ବୋଲି ମନେକରେ। କିଛି କିଛି ସାହିତ୍ୟ ଅନୁଷ୍ଠାନ ମାନେ ମଧ୍ୟ ସମ୍ମାନିତ କରିଛନ୍ତି ମୋ’ର ପ୍ରତିଭା କୁ, ସେମାନଙ୍କ ପାଖରେ ମୁଁ ଋଣୀ । ଏ ଯାବତ୍ “ ପ୍ରତିବଦ୍ଧ” ଆଉ “ପରିପୂର୍ଣ୍ଣା” ନାମରେ ମୋ’ର ଦୁଇଟି ଗଳ୍ପ ସଙ୍କଳନ ପ୍ରକାଶିତ ହୋଇ ଖୁବ୍ ପାଠକୀୟ ଆଦୃତି ଲାଭ କରିଛି, ଆହୁରି କେତୋଟି ପ୍ରକାଶ ଅପେକ୍ଷାରେ ଅଛି । ମୋର ମନେ ହୁଏ ଏଇ ମାତ୍ର ଆରମ୍ଭ ହୋଇଛି ମୋର ସାହିତ୍ୟ ଜୀବନ। ଆହୁରି ଅନେକ ବାଟ ଯିବାକୁ ଅଛି, ଆହୁରି ଅନେକ କିଛି ଶିଖିବାର ଅଛି , ଏବେ ଏବେ ତ ଉଡାଣ ଆରମ୍ଭ କରିଛି , ଅନନ୍ତ ଆକାଶ ବୁକୁରେ .... ।


Rate this content
Log in

More oriya story from sushama Parija

Similar oriya story from Inspirational