Satyabati Swain

Inspirational

2  

Satyabati Swain

Inspirational

ମୋ ଦ୍ରୋଣାଚାର୍ଯ୍ୟ

ମୋ ଦ୍ରୋଣାଚାର୍ଯ୍ୟ

4 mins
191


ଦ୍ଵନ୍ଦର ଭଉଁରୀ ଭିତରେ ମୁଁ ଚକର ଖାଉଥିଲି । ପହଞ୍ଚି ପାରୁ ନଥିଲି କୌଣସି ସିଦ୍ଧାନ୍ତରେ । ଅସ୍ତବ୍ୟସ୍ତ ଲାଗୁଥିଲା । ସୂର୍ଯ୍ୟ ମନ୍ଦିର ତୋଳା ସରିଛି,ମୁଣ୍ଡି ମରି ପାରୁନି । ଦଧି ନଉତି ବସି ପାରୁନି । ମୁଁ କିନ୍ତୁ ବିଶୁ ମହାରଣା ଶିଳ୍ପୀ କୁଳମଉଡ଼ ମଣି ନୁହେଁ; କି ମୋର କେହି ଆଶ୍ଚର୍ଯ୍ୟ ବାଳକ ଧରମା ପରି ପୁଅ ନାହାନ୍ତି ଯେ ଦଧିନଉତି ବସାଇ ସୂର୍ଯ୍ୟ ମନ୍ଦିର ମୁଣ୍ଡି ମାରିଦେଵ । କଣ କରିବି ଏଇ ତୀବ୍ର କିନ୍ତୁ ବିକଳ ଭାବନା ମୋତେ ଏଇ କେତେ ଦିନ ହେବ ଦଂଶୁଥିଲା । ଗପ ଲେଖା ସରିଛି,ବହି ଏନ୍ତୁଡ଼ିଶାଳ କିଏ ହେବ,ତାହା ବି ସ୍ଥିର ହୋଇ ଯାଇଛି ।  ସବୁ ସରିଛି  । ମାତ୍ର କଣ ହେବ ବହିର ନାମ, କେମିତି ହେଲେ ଭଲ ହେବ ଏଇ ଚିନ୍ତାରେ ବ୍ୟସ୍ତ ମୁଁ । ଜଣେ ଗୁରୁଜନ ବୁଦ୍ଧିଜୀବୀ ମୋ ପାଖକୁ ଆସିଥିଲେ ଯିଏ ଜଣେ ଲବ୍ଧ ପ୍ରତିଷ୍ଠ ବ୍ୟକ୍ତି,ସରଳ ,ଅମାୟିକ ବି । ମୁଁ କହିଲି ସାର୍ ଗୋଟେ ଗପ ବହି ବାହାର କରିବି । ଗପ ବହିର ନାମଟି ବି ତାଙ୍କୁ କହିଲି । ସେ କିନ୍ତୁ ଯେଉଁ କଥା କହିଲେ ମୋ ମୁଣ୍ଡ କିଛି କାମ କଲାନି । ବିଚଳିତ ହୋଇ ପଡିଲି । ଏତେ ବାଟ ଆଗେଇ ଆସିଲିନି,କଣ ପଛକୁ ଫେରିଯିବି ! ନା ପାରିବି ନାହିଁ । ହୃଦୟ ଫାଟିଯିବ । ଏତେ ଦିନର ଶ୍ରମ,ତେତିଶିଟି ଗପ ସୃଷ୍ଟି କରିବାର ଯେଉଁ ପ୍ରସୂତି ବେଦନା,ଅସହ୍ୟ କଷ୍ଟ ସହି ସାରିଛି, କେଇଟି ରାତି ମୋ ଆଖିରୁ ନିଦ ନେଇ ଯାଇଛି; ସବୁ କ’ଣ ଵ୍ୟର୍ଥ ଯିବ । କାନ୍ଦ ମାଡ଼ିଲା । ପିଲା ଜନ୍ମ ହୋଇ ସାରିଲାଣି କେବଳ ନାଁଟି ଦେବାର ଯାହା ବାକି ଅଛି । କିନ୍ତୁ କଣ ହୋଇ ପାରେ ମୋ ମାନସ ସନ୍ତାନ ବହିଟି ନାଁ !

ବିମର୍ଷ ,ବିଚଳିତ, ବିଗଳିତ ମନ ପ୍ରାଣ । କାହାକୁ ପଚାରିବି; ଯେ ମୋତେ ଠିକ୍ ବାଟ ଦେଖାଇ ପାରିବେ ବସି ଚିନ୍ତା କଲି । ଯିଏ ମୋର ପଥ ପ୍ରଦଶର୍କ, ଯାହାଙ୍କ ଲେଖା ପଢି ପଢି ପିଲାଦିନୁ ମୁଁ ଲେଖିବାକୁ ମନ ବଳାଇଲି, ଭାବିଲି ତାଙ୍କୁ ପଚାରିବି କି ! ବହୁତ ବଡ଼ ହସ୍ତୀ ସେ । ବିଶ୍ୱ ଯାହାଙ୍କ ନାମକୁ ଜପାମାଳି କରେ । ବହୁତ ଡରିକି ତାଙ୍କୁ ଫୋନ୍ ଲଗାଇଲି । କାରଣ ତାଙ୍କ ପାଖେ ସମୟ ଥିବ ତ ମୋ ପରି ଜଣେ ଅନାମଧେୟ କେବଳ ନିଜ ଖୁସି ପାଇଁ ଲେଖୁଥିବା ପିଲାଟିକୁ କିଛି ସମୟ ଦେବାକୁ! । ବହୁତ ନିଜ ସହ ଟଣା ଓଟରା ହେଲା ପରେ ଭାବିଲି ଫୋନ୍ ଲଗାଇବି, ତେଣିକି ଯାହା ହେବ ଦେଖା ଯିବ । ମୁଁ ନିହାତି ଜାଣିବା ଦରକାର ବହିଟି ନାଁ କେମିତି ଦିଆ ଯାଏ?

ଜାଣନ୍ତି ! ମୁଁ ଫୋନ୍ ଲଗାଉ ଲଗାଉ ସେ ପଟୁ ମୋ ଚିର ପୂଜ୍ୟା, ନମସ୍ୟା, ଯାହାଙ୍କୁ ମୁଁ ହୃଦୟ ଦେଇ ଭଲପାଏ ଓ ଆତ୍ମାରୁ ସମ୍ମାନ ଦିଏ । କେବଳ ମୁଁ କାହିଁକି ସମଗ୍ର ବିଶ୍ୱର ମୁଣ୍ଡ ନଇଁଯାଏ ଯାହାଙ୍କ ଆଗେ ସେ କହିଲେ "ହଁ କଣ କୁହ ସତ୍ୟବତୀ" । ବିଶ୍ୱାସ କରନ୍ତୁ ତାଙ୍କ ସହ ଅନେକ ଥର ଯେଉଁଠି ଦ୍ଵନ୍ଦ ମୋତେ ଉଠ ବସ୍ କରାଏ କଥା ହୋଇଛି । କିନ୍ତୁ ଆଜି ମୋତେ ଲାଗିଲା ସତେ କି ଖୁସିର କଳସୀଟିଏ ମୋ ହାତରେ ଖସି ପଢ଼ିଛି । ମୁଁ ମାମ୍ ପ୍ରଣାମ କହିବା ପୂର୍ବରୁ ଯେହେତୁ ସେ ମୋତେ ମୋ ନାମ ସମ୍ବୋଧନ କରି କହିଲେ । ମାମ୍ ମୋତେ ମନେ ରଖିଛନ୍ତି, ଏତେ ବଡ଼ ବିଶ୍ୱ ପ୍ରସିଦ୍ଧି ଲାଭ କରିଥିବା ଲେଖିକା ମହାଶୟା ! ଯିଏ ଜଣେ ଅନୁଷ୍ଠାନ କହିଲେ ଭୁଲ ହେବ ନାହିଁ । ଯାହାଙ୍କ ଲେଖା 'ଯାଜ୍ଞସେନୀ' ଗୋଟିଏ ଅଦ୍ଭୁତ ପୂର୍ବ ସୁଅ ଛୁଟାଇ ଥିଲା ବିଶ୍ଵବ୍ୟାପି । ଅବିଶ୍ୱାସ ହେଲେ ବି ସତ । ଆଜି ସନ୍ଧ୍ୟାରେ ମୁଁ ତାଙ୍କ ସହ କଥା ହେଲି । ଗୋଟିଏ ମିନିଟ ମାଗିଲି । ସେ ମୋତେ ଦେଲେ ପାଖାପାଖି ଦଶ ମିନିଟ । ସେଇ ତକ ସମୟରେ ସେ ମୋତେ ସତେକି ଶିଖାଇ ଦେଲେ ମୁଁ ଯାହା ଚାହୁଁ ଥିଲି ।

ସତ ସତିକା ଜ୍ଞାନୀ ଗୁଣୀ ବ୍ୟକ୍ତି କେମିତି ହୋଇଥାନ୍ତି,କେତେ ସୁନ୍ଦର ଭାବେ ଦୁରେଇ ପାରନ୍ତି ଅନ୍ୟ ଭିତରେ ସୃଷ୍ଟି ହେଉଥିବା ଦ୍ଵନ୍ଦ, ସଂଶୟ ତାଙ୍କ ସହ କଥା ହେଲା ପରେ ମୁଁ ଅନୁଭବ କଲି । ମନ, ପ୍ରାଣ, ହୃଦୟ ଓ ଆତ୍ମା କୃତ୍ୟ କୃତ୍ୟ ହୋଇଗଲା ତାଙ୍କ ପାଖେ ।

ହେ ଚିର ବନ୍ଦନୀୟା ! ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜ୍ଞାପନ କରୁଛି ମୋ ହୃଦୟ ତଳର ସଭକ୍ତି ପ୍ରଣାମ ଓ ଶ୍ରଦ୍ଧା ସୁମନ । ଆପଣ ମୋ ହୃଦୟରେ ମୋ ଆଦର୍ଶର ଦେବୀ ହୋଇ ସେମିତି ପୂଜା ପାଉଥିବେ ଅନନ୍ତ କାଳ ପର୍ଯ୍ୟନ୍ତ । ଅନ୍ତତଃ ଆପଣଙ୍କର 'ସତ୍ୟବତୀ'ର ପରି ଚୟ ହଜି ଶବ ନାଁରେ ନାମିତ ହେବା ପର୍ଯ୍ୟନ୍ତ । ଆପଣଙ୍କ ପାଇଁ ମୁଁ ଅକିଂଚନ ଯେତେ ଲେଖିଲେ ବି କମ୍ ହେବ । ଗଭୀର ସମୁଦ୍ର ଆପଣ । ମୁଁ ବେଳାଭୂମି ପରେ ଠିଆ ଜଣେ ବିମୁଗ୍ଧ ପାଠକଟିଏ ମାତ୍ର । କେମିତି ଜଣାଇଁ ବି କୃତଜ୍ଞତା, କେଉଁଠୁ ଆଣିବି ଆପଣଙ୍କୁ ଲେଖିବା ପାଇଁ ଶବ୍ଦ! । ଆପଣ ଯେ ନିଜେ ଜଣେ ଶବ୍ଦର,ଭାବର,ନୂତନ ସୃଷ୍ଟିରେ ସଦା ମଗ୍ନ ବିଶ୍ୱ ବିଜୟିନୀ ଲେଖିକା । ନାମକୁ ସତ୍ୟ ପ୍ରତିପାଦନ କରୁଥିବା ବଳିଷ୍ଠ ବିଶିଷ୍ଟ ବ୍ୟକ୍ତିତ୍ୱ ଆପଣ । ଯିଏ ମେଡିକାଲ ପରି ପାଠ ପଢାକୁ ଗୋଡ଼ରେ ଆଡେଇ ରେଭେନ୍ସା ମହାବିଦ୍ୟାଳୟରେ କଳାକୁ ଆପଣାର କରି ନେଇଥିଲେ । ସାହିତ୍ୟ, ସମାଜ ଯାହାକୁ ହାତଠାରି ଡାକୁଥିଲା ସେ କଣ କେବେ ବନ୍ଧା ପଡି ଯାଇଥାନ୍ତେ ଡାକ୍ତରୀ ପଢା ପାଖେ!!ଏମିତି ନିହାତି ନିରୋଳା ବିରଳ ମଣିଷ ଜଣେ ଆପଣ । ଜାଣନ୍ତି ମାମ୍ ସେଦିନ ମୋ ୟୁନିଭରସିଟି ପରୀକ୍ଷା ପୂର୍ବ ରାତିରେ, ପରୀକ୍ଷା ବହି ନ ପଢି ପଢ଼ିଥିଲି ଆପଣଙ୍କ 'ପୂଣ୍ୟତୋୟା' ବହିଟି । ଏମିତି ପାଗଳ ମୁଁ ଆପଣଙ୍କ ବହି ପଢିବାକୁ । ଆପଣ ମୋ ଆଦର୍ଶ ମୋ ଦ୍ରୋଣାଚାର୍ଯ୍ୟ ।

ଆରେ ଜାଣି ପାରିଲେନି କି ମୋ ଆରାଧ୍ୟା ମାମ୍ଙ୍କ ନାମ !ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କ ଚିରପରିଚିତା ପ୍ରିୟ ଗାଳ୍ପିକା "ଡକ୍ଟର ପ୍ରତିଭା ରାୟ" । ଯିଏ ମୋ କଲମର ଗୁରୁ, ସେ ମୋ ଦ୍ରୋଣାଚାର୍ଯ୍ୟ । ଅବଶ୍ୟ ମୁଁ ତାଙ୍କ ଏକଲବ୍ୟ ହେବାର ଯୋଗତା କି ଧୃଷ୍ଟତା କରି ପାରିବି ନାହିଁ । କିନ୍ତୁ ପୂଜା କରି ପାରିବି ମୋ ହୃଦକନ୍ଦରରେ  । ମାମ୍ ! ମୁଁ ବହୁତ ଭଲ ପାଏ ଆପାଣଙ୍କ ସମସ୍ତ ସୃଷ୍ଟିକୁ ଏବଂ ଆପଣଙ୍କୁ । ଆପଣଙ୍କୁ କେତେ ସାନ ବେଳୁ ପଢା ଆରମ୍ଭ କରିଥିଲି ଆପଣଙ୍କ ବର୍ଷା, ବୈଶାଖ, ବସନ୍ତରୁ 'ଶେଷ ଈଶ୍ୱର' ପର୍ଯ୍ୟନ୍ତ । ଢେର ଭଲ ପାଇବା ସହିତ ଭୂମିଷ୍ଠ ପ୍ରଣାମ ଘେନିବେ ଆଜ୍ଞା ।


Rate this content
Log in

Similar oriya story from Inspirational