STORYMIRROR

Gobinda Chandra Sethi

Inspirational

4  

Gobinda Chandra Sethi

Inspirational

ମୋ ଆଦର୍ଶ ଗୁରୁ

ମୋ ଆଦର୍ଶ ଗୁରୁ

3 mins
344

ପୂଜ୍ୟ ପାଦ, ସ୍ବର୍ଗତଃ ଶ୍ରୀ ଗଦାଧର ପଣ୍ଡା ମୋ ଆଦର୍ଶ ଶିକ୍ଷକ l ମୋ ପଥ ପଦର୍ଶକ l ସେ ଥିଲେ ପ୍ରିୟମ୍ବଦ l ଆମ ସମସ୍ତଙ୍କ ପ୍ରିୟପାତ୍ର ଓ ଆଦର୍ଶ ଶିକ୍ଷକ l ମୋ ଶିକ୍ଷକଙ୍କ ଗଦାର ପ୍ରହାର ଯାହା ଉପରେ ପଡିଛି ତାଙ୍କ ଜୀବନର ଗତିପଥ ବଦଳି ଯାଇଛି l ସତୁରି ଦଶକରୁ ସେ ଥିଲେ ଆମ ଭାଇମାନଙ୍କର ଗୁରୁ ଓ ତତ୍ ସହିତ ଆମ୍ଭମାନଙ୍କର ଗୁରୁଶ୍ରେଷ୍ଠ ଦ୍ରୋଣାଚାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ l ସେ ଥିଲେ ଆମ କଠଉ ବିହୀନ ଧୋତି ପାଇଜାମା ପିନ୍ଧା ଗୁରୁ ସମ୍ରାଟ l ଆମେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଲୋକର ଉତ୍ସକୁ ଅନୁଭବ କରିଥିଲୁ l ଗଣିତ, ସାହିତ୍ୟ ଓ ବିଜ୍ଞାନକୁ ଅତି ସରଳ ଭାବରେ ବୁଝାଇ ସେ ପଢ଼ାଉଥିଲେ l

    ମାଘ ମାସର ବାଘ ପରି ଶୀତ l ଆଜିକାଲି ପରି ଆମ ଦେହରେ ଶୀତ ବସ୍ତ୍ର ନ ଥାଏ l ହାଫ ପାଣ୍ଟକୁ ହାଫ ସାର୍ଟ l ସକାଳୁ ସକାଳୁ ଟ୍ୟୁସନ ପାଇଁ ସ୍କୁଲ ବାରଣ୍ଡାରେ ବସ୍ତାନି ଧରି ସମସ୍ତେ ବସି ପଡ଼ୁଥିଲୁ l ପାଠପଢା ଆରମ୍ଭ ହେଲେ ଶୀତ ପାଖରୁ ଚାଲିଯାଏ l ସପ୍ତମ ଶ୍ରେଣୀ ବୃତ୍ତି ପରୀକ୍ଷା l ବିଜୟ, ପବିତ୍ର, ନିରଞ୍ଜନ, ପ୍ରଭାତୀ ସହିତ ଆମେ ଆଗ ଧାଡ଼ିର ନାୟକ l ସ୍କୁଲ ପାଇଁ ସୁନାମ ଆଣିବୁ l ସେଥିପାଇଁ ଆମ ସମସ୍ତଙ୍କ ପ୍ରଚେଷ୍ଟା l ପ୍ରଶ୍ନର ଉତ୍ତର ନ ଦେଇ ପାରିଲେ ବେତ ପ୍ରହାର ଓ ଜଙ୍ଘ ଚିମୁଟା ଏବେ ଯାଏ ଭୁଲି ନାହିଁ l ସେ ପ୍ରହାର ଗୁରୁ ଶିଷ୍ୟ ମଧ୍ୟରେ ସୀମିତ ଥିଲା l ଘରେ କେହି ଜାଣନ୍ତି ନାହିଁ କି ଆମ ଉପରେ ପ୍ରହାର ହୋଇଛି l କିଛି ସମୟ ପରେ ସବୁ ଭୁଲି ଯାଉଥିଲୁ l ପରୀକ୍ଷା ପାଖେଇ ଆସିଲେ ମୋ ଗୁରୁଙ୍କ ପାଖରେ ରହି ପଢ଼ୁଥିଲୁ ଓ ଗୁରୁଙ୍କ ସେବାରେ ମଧ୍ୟ କାହାର ହେଳା ନ ଥିଲା l

   ଆମ ପ୍ରଧାନ ଶିକ୍ଷକ ରତ୍ନାକର ସ୍ୱାଇଁ ଆଜ୍ଞା କଟକ ବୋର୍ଡ ସ୍କୁଲରୁ ବୃତ୍ତି ପରୀକ୍ଷାର ଫଳ ନେଇ ଆସିଲେ l ସମସ୍ତଙ୍କ ମନରେ ଛନକା ଥାଏ l ଆମ ବିଦ୍ୟଳୟରୁ ଦୁଇ ଜଣ ବୃତ୍ତି ପାଇଛନ୍ତି l ପ୍ରଥମେ ସାର ନିରଞ୍ଜନ ନାଁ କହିଲେ l ସେ ଖୁସିରେ ଅଧୀର ହୋଇଗଲା l ତାପରେ ଗଦାଧର ସାର ମୋ ପେଟକୁ ଚିମୁଟି ଧରି କହିଲେ ଗୋବିନ୍ଦ ତୁ ବି ପାଇଛୁ l ଖୁସି ହୋଇବି ହସି ପାରୁ ନଥିଲି l ଆମ ତିନି ଜଣ ଶିକ୍ଷକ ଛିଡା ହୋଇଥାନ୍ତି l ସମସ୍ତଙ୍କୁ ଜୁହାର ହେଲି l ଶିକ୍ଷକ କହିଲେ ପରିଶ୍ରମ କେବେ ବୃଥା ଯାଏ ନାହିଁ l ତୋ ବଡ ଭାଇ ହରି ବୃତ୍ତି ପାଇଥିଲା ତୁ ବି ପାଇଲୁ l ଆମ ବିଦ୍ୟାଳୟର ନାଁ ରଖିଥିବାରୁ ତୁମ ଦୁହିଁଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l

   ନିରଞ୍ଜନ କୋଡିଏ ଟଙ୍କା ବୃତ୍ତି ପାଇଁ ଆମ ଗାଁର ନୂଆ ବେସରକାରୀ ବିଦ୍ୟାଳୟ ଛାଡି କଟକ ବୋର୍ଡ ସ୍କୁଲ ପଳାଇ ସେଠାରେ ପଢିଲା l କିନ୍ତୁ ଆମେ ନୂତନ ବିଦ୍ୟାଳୟକୁ ନିଜ ହାତରେ ଗଢି କେତେବେଳେ ନିଜ ଭାଇମାନଙ୍କୁ ଗୁରୁ କରିତ ଆଉ କେତେବେଳେ ନୂଆ ଶିକ୍ଷକଙ୍କ ପ୍ରେରଣାରେ ଆଗେଇ ବାକୁ ଚେଷ୍ଟା କଲୁ l ମୋ ପଛରେ ସର୍ବଦା ବିଦ୍ୟମାନ ଥାନ୍ତି ମୋ ଭବିଷ୍ୟର ଉତ୍ସ ଗୁରୁ ଗଦାଧର l

       ଦିନେ ମୋ ଗୁରୁ ଶ୍ରେଷ୍ଠଙ୍କ ସହିତ ଆମ ବିଦ୍ୟାଳୟ ସମ୍ମୁଖରେ ଭେଟ ହୋଇଗଲା l ମୋ ଗୁରୁଙ୍କୁ ପ୍ରଣାମ କଲି ତାଙ୍କର ଶିଷ୍ୟ ବୋଲି ଜାଣିଲେ, କିନ୍ତୁ ଜୀବନର ଅପରାହ୍ନରେ ମୋ ନାମକୁ ମନେ ପକାଇ ପାରିଲେ ନାହିଁ l ଯେତେବେଳେ ମୋ ନାଁ କହିଲି ମୋତେ କୁଣ୍ଢାଇ ଧରିଲେ l କହିଲେ ତୁ ଗୋବିନ୍ଦ, ତୁ ତ ମୋର ପଟଶିଷ୍ୟ ଥିଲୁ l ମୋର ମନେ ପଡିଗଲା ମୋ ଅଧୁରା ଗୁରୁ ଦକ୍ଷିଣା କଥା l ଦୋକାନୀକୁ କହି ମୋ ଗୁରୁଙ୍କ ପସନ୍ଦ ମୁତାବକ ସବୁକିଛି ପେଟିରେ ବାନ୍ଧି ପକାଇଲି l ଯେତେବେଳେ କହିଲେ ଏ କଣ କରୁଛୁ l ଆଜ୍ଞା, ଏ କିଛି ନୁହେଁ ଆପଣଙ୍କ ଦାନର ଏ କାଣିଚାଏ ବି ନୁହେଁ l ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି ମୁଁ ବିନା ଦକ୍ଷିଣରେ ପଢ଼ିଛି ବୋଲି l ଆପଣଙ୍କ ଦୁଇବର୍ଷ ଷଷ୍ଠ ଓ ସପ୍ତମ ଶିକ୍ଷାଦାନ ମୋ ଜୀବନର ଗତିପଥ ବଦଳାଇ ମୁଁ ଆଜି ଜଣେ ଇଞ୍ଜିନିୟର ହୋଇ ପାରିଛି l ଆପଣଙ୍କ ପାଇଁ ଆଜି ମୋ ବିଦ୍ୟାଳୟ ଓ ଗାଁରେ ମୋ ସୁନାମ ଅଛି l ସେ ସବୁର ପ୍ରଚ୍ଛଦ ପଟର ନାୟକ ମୋ ପରମ ପୂଜ୍ୟ ଗଦାଧର ସାର l ସେ ଆଜି ସଂସାରେ ନାହାଁନ୍ତି ସତ କିନ୍ତୁ ସେ ମୋର ଚିର ନମସ୍ୟ l ଆଜି କୃତଜ୍ଞତା ସହ ଭକ୍ତି ନୈବେଦ୍ୟ ଅର୍ପଣ କରି ସ୍ଵ ରଚିତ କ୍ଷୁଦ୍ର କାହାଣୀଟିକୁ ତାଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରୁଛି l



Rate this content
Log in

Similar oriya story from Inspirational