ମଣିଷ
ମଣିଷ
କୁନିଗପ-୫
*******
ପ୍ରେମହୀନତାରେ ଜଳୁଥିବା ମଣିଷ ସମାଜକୁ ଚିରଯୌବନର ରହସ୍ୟ ପ୍ରାପ୍ତ ହେଲା ।
ଦେହମାନଙ୍କୁ ନେଇ ବେପାରକରୁଥିବା ମଣିଷମାନେ ଖୁସି ହେଲେ ।
ହୃଦୟର ରହସ୍ୟକୁ ଛାତିତଳେ ଲୁଚେଇ ରଖି ଗୋପନରେ ତପସ୍ୟାରତ ମଣିଷମାନେ ପୁନଶ୍ଚ ଧ୍ୟାନମଗ୍ନ ହେଲେ ।
ସାଧାରଣ ମଣିଷମାନେ ଅଭ୍ୟାସଗତ ଦୃଷ୍ଟିରୁ ବିଜ୍ଞାନର ଜୟକାର କଲେ ।
ଏବେ ଯୋଉଠି ମୋ ଭିଟାମାଟି ସେଇଠି ସେତେବେଳକୁ ଗୋଟେ ଲାବୋରାଟୋରୀ ହେଇଥିଲା ।
ସେଇଠି ଜନ୍ମ ନେଇଥିଲା ଏଇ ଯୌବନ ଅକ୍ଷୁଣ୍ଣ ରଖିବାର ରହସ୍ୟ ।
ଘରଡିହ ତଳେ ଥିବା ମୋ ୧୨୦୦ ବର୍ଷ ପୁରୁଣା ଜୀବାଶ୍ମରୁ ଏ ରହସ୍ୟ ଜନ୍ମ ନେଇଥିଲା ।
ସରକାର, ସାଧାରଣ ଜନତା, ଇଣ୍ଟେଲିଜେନ୍ସ ବ୍ୟୁରୋ ସମସ୍ତେ ନିଜ ନିଜ ବାଗରେ ଚିନ୍ତା କରୁଥିଲେ ।
ଯୌବନ ଅକ୍ଷୁଣ୍ଣ ରଖିବାର ଉପାୟକୁ ଉପଯୋଗ କରିବାର ଚିନ୍ତା ଓ ନିୟମ ତିଆରିରେ ସରକାର ଓ ଜନତାଙ୍କର ଉଭୟଙ୍କର ସମୟ ବିତୁଥିଲା, ହେଲେ ବୟସ ବଢ଼ୁନଥିଲା କାହାରି ।
ଗଛପ୍ରେମୀମାନେ କହୁଥିଲେ ଏ ଶକ୍ତି ଗଛମାନଙ୍କୁ ଦିଆଯାଉ
ପଶୁ ପ୍ରେମୀମାନେ କହୁଥିଲେ ଏହା ପଶୁମାନଙ୍କୁ ଦିଆଯାଉ
ପରିବେଶପ୍ରେମୀମାନେ କହୁଥିଲେ ଏ ଶକ୍ତି ପୃଥିବୀକୁ ଦିଆଯାଉ
ଏହିପରି କୁମ୍ଭୀର କାନ୍ଦଣା କାନ୍ଦୁଥିବା ସାରା ମଣିଷଜାତି ମନେମନେ କିନ୍ତୁ ନିଜପାଇଁ ଓ ନିଜ ନିଜ ନାତି, ନାତିର ନାତି ଓ ତା ନାତି ପାଇଁ ଯୌବନ ସରକ୍ଷଣ କରିବାକୁ ଚକ୍ରାନ୍ତ କରୁଥିଲା ।
ଶେଷରେ ପୁଣି ମଣିଷ ହିଁ ଜିତିଲା ।
ପୃଥିବୀ ଶେଷ ହବ, ଶେଷ ହବ ବୋଲି ବାରମ୍ବାର ଯୋଉ ମିଛ ଖବର ମିଳୁଥିଲା; ଦିନେ ସେଇଭଳି ଦିନଟିଏ ସତରେ ଆସିଲା ।
ସମସ୍ତେ ଗୋଟେ ବୃକ୍ଷହୀନ ପୃଥିବୀ ଛାତିରେ ନିଜ ନିଜ ପର ପାଞ୍ଚପୁରୁଷମାନଙ୍କ ସହ ଅମରତ୍ୱର ସଂଘର୍ଷରେ ମାତିଥିଲେ ।
#ମଣିଷ
#ରଶ୍ମିରଞ୍ଜନସାହୁ