STORYMIRROR

Krushnapriya Mohapatra

Tragedy Inspirational Others

3  

Krushnapriya Mohapatra

Tragedy Inspirational Others

ମଣିଷ ପଣିଆଁ

ମଣିଷ ପଣିଆଁ

7 mins
223

   

ଏ ମାଇକିନାକୁ ଛାଡ଼, ମୁଁ ତତେ ୟା ଠାରୁ ସୁନ୍ଦରୀ ଝିଅକୁ ବାହା କରିଦେବି। ଇଏ ତ ଖାଲି ଝିଅ ଗୁଡା ଜନମ କଲା, ଆରେ ....ମୋ ବଅଁଶ ବୁଡ଼େଇ ଦେବ ଏ ଅଲକ୍ଷଣୀ...କାନରେ ତୀର ପରି ବିନ୍ଧି ହେଇ ଯାଉଥିଲା କଥାଗୁଡା କନକର। କପାଳ ତାର ମନ୍ଦ, ଶଶୁର ତାର ଵଂଶ ରକ୍ଷା କରିବାପାଇଁ ପୁଅଚାହୁଁ ଥିଲା ହେଲେ ତାର ଲାଗ ଲାଗ ଦୁଇଟି ଝିଅହେଲେ ଏଇଟା କଣ ହାତର କଥା। କେତେ ଦିଅଁ ଦେବତାଙ୍କୁ ଡାକିଲା ହେଲେ କେହି ଶୁଣିଲେନି।ମୋ କପାଳ ଯାହା ଫାଟିଲାନି।

--ଝିଅ ହୋଇଛି ବୋଲି ସେତିକି ବେଳରୁ ବାପର ଦେଖା ନାହିଁ। ସତେ କି ଝିଅ ଜନ୍ମ କରିବା କେବଳ ସ୍ତ୍ରୀର ଏକା ଦୋଷ।

--କେମିତି ମୁଁ ଆସେ ସେଇଠୁ.......

--ସେଇ ଦିଦି ଜଣେ ରିକ୍ସା ରେ ବସେଇଦେଇ କହିଲେ ଯା ଘରକୁ ପଳା। ରିକ୍ସା ବାଲାକୁ ପଇସା ଦେବାକୁ ମୋ ପାଖରେ ନାହିଁ ଶୁଣି ସେଇ ଦିଦି ଆଗୁଆ ପଇସା ଦେଇଦେଲେ।

ପ୍ରଥମ ଝିଅ ବେଳକୁ ଘରକୁ ପଠେଇ ଦେଲେ ବାପ ପୁଅ କହିଲେ ଆଉ ଆସିବୁନି ,ଝିଅକୁ ଧରି ସେଇଠି ରହିବୁ। କେତେ ନେହୁରା ହେଲି ହେଲେ କେହି ଶୁଣିଲେନି। ବସ୍ତିର କେତେଜଣ ତାଙ୍କ ଘରକୁ ଯାଇ କଥା ପଡ଼ିଲା ତା ପରେ ପୁଅ ଆସି ଘରକୁ ନେଇ ଗଲା।ଏଇ ପୁଅ ବି କୋଉ କମ କି, ବାପା କଥାରେ ଖଣ୍ଡିଆ ଘୋଡ଼ା ପରି ମାତିଯିବ ବାପ ଯାହା କହିବ ପୁଅର ତାହା ବେଦର ଗାର।

 --ଓଃ ଭୀଷଣ କଷ୍ଟ ହେଉଛି, ଡାକ୍ତରଖାନାରୁ ଆସିବା ବେଳଠୁ ଏଇ ଦାଣ୍ଡ ଘର ଟାରେ ବସିଛି ପିଲାକୁ ଧରି ବଡ଼ ଝିଅଟି ଭୋକରେ ଆଉଟୁ ପାଉଟୁ ହେଲାଣି। ବାପ ପୁଅ ଘର ଭିତରେ ବସି ଆଉ ଗୋଟେ ଝିଅ ଜନ୍ମ କରିଥିବାରୁ ତାକୁ ସଅଁପି ଚାଲିଛନ୍ତି । କି ଦୁଃଖୀ ଜନମ କେଜାଣି ନିଜେ ତ କେବେ ଟିକେ ମିଛ ଭଲ ପାଇବାବି ଭାଗ୍ୟରେ ଲେଖେଇ ଆଣି ନଥିଲା। ଇଏ ଦିଟା ପୁଣି ମୋ ଭାଗ୍ୟକୁ ଦରପୋଡା କରି ଦେଲେ। ତାକୁ ଜନମ କରି ମା ତାର ତିନିଟା ପିଲାଙ୍କୁ ପୋଷି ପାରିବନି ବୋଲି ଅଗଣାରେ କନା ଖଣ୍ଡକରେ ପକେଇ ଦେଇଥାଏ।ମଝିରେ ଆସି ଟିକେ ଚିନି ପାଣି ପିଏଇଦିଏ । ସେଇ ଚିନିପାଣି ପିଇ ଅଗଣାରେ ଫୋପଡ଼ା ହେଇ ନ ମରି ବଞ୍ଚିଥିଲା ବୋଲି କି କଣ ନିଜେ ଝିଅ ଜନମ କରି ଅଧା ମରା ହେଲାଣି।

  କାଲି ଯାହା ଡାକ୍ତରଖାନା ରେ ଖାଇଥିଲା, ଆଜି ସକାଳ ଯାଇ ଦି ପହର ହବାକୁ ବସିଲାଣି ପେଟକୁ ଗଣ୍ଡେ ଦାନା ଯାଇନି।

 କାହାକୁ ମୁଠେ ଖାଇବାକୁ ମାଗିବାକୁ ଏ ଘରେ ତାର ବଳ ନହିଁ।ଯିଏ ମନବୁଝିବା କଥା ସିଏ ତ ବାପ ପାଖରେ ବସି ଝିଅ ଜନ୍ମ କରିବା ଅଭିଶାପ ବୋଲି କୋଉ ଶାସ୍ତ୍ରରେ ଲେଖାଅଛି ଖୋଜୁଛି ସିଏ କଣ ତା ଦୁଃଖ ବୁଝିବ। ଯାହା ପେଟରୁ ଜନମ ହେଲ, ଯାହାକୁ ଆଣି ପାଖରେ ଶୁଆଇ ପେଟରେ କରିଲ ,ସେମାନେ ଝିଅ ଥିଲେ ନା ପୁଅ ଟିକେ ତୋ ସେଇ ଶାସ୍ତ୍ର ପଢଉ ଥିବା ବାପ କୁ ପଚାର। ଏଇଲେ ବାପ କଥାରେ ମାତି ଯାଉଛି, ଯେତେବେଳେ ରାତି ସାରା ମନଖୁସି କରୁଥିଲୁ ସେତେବେଳେ ଜାଣି ପାରୁ ନଥିଲୁ ପୁଣି ବାପ ହେବାକୁ ହବ ବୋଲି।

   

  ସେମାନଙ୍କ କଥା ଆଉ ଶୁଣା ଯାଉ ନଥାଏ କନକ କାନକୁ। କିଛି ତ ନିଶ୍ଚୟ କରିବେ ଏ ବାପପୁଅ। ଏମାନଙ୍କ ଠାରୁ ମାଡ଼ଗାଳି ଖାଇବା ଅପେକ୍ଷା ଘର ଛାଡ଼ି ଚାଲିଯିବା ଭଲ।ଏମିତି ଚିନ୍ତାକରି ଦୁଇ ଝିଅଙ୍କୁ ଧରି ଘରୁ ବାହାରି ଆସିଲା କନକ ସିଧା ରାସ୍ତାକୁ--ଚାଲିଲା ଚାଲିଲା,..

    ଉତିଆଣି ପିଲାଟି ଜୋରରେ କାନ୍ଦିଲାରୁ ତାର ହୋସ ଆସିଲା।

ପିଲା ମୁହଁରେ ଥନକୁ ମାଡ଼ି ବସି ପଡ଼ିଲା ଗୋଟିଏ ଦୋକାନର ବାରଣ୍ଡାରେ ।ପିଲାଟି କାନ୍ଦ ବନ୍ଦ କରି ଶୋଷି ଚାଲିଲା ତା ଶୁଖିଲା ଥନକୁ ଟିକେ ପରେ ପୁଣି କାନ୍ଦିବା ଆରମ୍ଭ କରିଦେଲା ସେଥିରୁ ତ ବୁନ୍ଦାଏ ମଧ୍ୟ ଦୁଧ ବାହାରୁନି ତାର ଭୋକ କୁଆଡେ ମେଣ୍ଟିବ।

  କନକ ବିକଳ ହୋଇ ଚାହୁଁଥାଏ ।କଣ କରିବ ?

-ପିଲା ଦୁଇଟି ପାଟିରେ ଢ଼ୋକେ କଣ ଦେବ ଏଇ ଚିନ୍ତା କରୁଛି ସେଇ ବାରଣ୍ଡା କୁ ଲାଗି ଦୋକାନ କରିଥିବା ଲୋକଟି ତାକୁ ପଚାରିଲା କେଉଁଠୁ ଆସିଲୁ??ଘର କେଉଁଠି।

-କନକ ଦେଖିବାକୁ ଭଲ।କିନ୍ତୁ ଖାଇବା ଅଭାବରୁ ଦୁର୍ବଳ ଶରୀର ଏବଂ ଦୁଇଦୁଇ ଥର ମା ହୋଇ ଅବସ୍ଥା ଗଲାଣି, ତା ପରେ ଝିଅ ଜନ୍ମ କରି ଗୁଡ଼ାଏ ମାଡ଼ ଗାଳି ହନ୍ତସନ୍ତ ହବାର ଚିନ୍ତାରେ ଅବଶ।

ଦୋକାନୀକୁ ଚାହିଁ କହିଲା, ମୁଁ ବହୁତ ଦୂର ରୁ ଆସିଛି ମୋତେ ଖାଲି ଗୋଟେ କିଛି କାମ ଦରକାର ଭାଇ।

ଦୋକାନୀ କହିଲା ଆଲୋ ତୁ କି କାମ କରିବୁ ,ତୋର ତ ହାତ ଗୋଡ଼ ଥରୁଛି ॥

କନକ କହିଲା ଏଇ ପିଲା ଦୁଇଟି ବଞ୍ଚିବେ କେମିତି?

ଦୋକାନୀର ଦୟା ହେଲା ପାଉଁରୁଟି ପ୍ୟାକେଟଟିଏ ତା ପାଖକୁ ପକେଇ ଦେଲା। ବଡ଼ଝିଅଟି ଦଉଡି ଯାଇ ପାଉଁରୁଟିକୁ ଚଟକରି ଧରି ପକେଇ ଖୋଲି ଖାଇବାକୁ ଲାଗିଲା। ମା ତାର ଚାହିଁ ରହିଛି, ଆଲୋ ମାକୁ ଦେ ଦୋକାନୀଟି କହିଲା। ନାଇଁ ଭାଇ ଖାଉ ସିଏ କାଲି ଠାରୁ କିଛି ଖାଇନି ପିଲାଟା ଦୋକାନୀ କହିଲା ହଉ ତୁ ଏଇଠି ଥା ମୁଁ ଆସୁଛି !

 ଦୋକାନ ଖୋଲା ଦେଖି କନକ ସେଇ ଠାରେ ବସି ରହିଲା । କେତେବେଳକୁ ଦୋକାନୀ ଗୋଟିଏ ହାତରେ କ୍ଷୀର ବୋତଲେ ଆଉ ଗୋଟିଏ ପତ୍ରରେ ଭାତଡାଲି ଗଣ୍ଡେ ଆଣି ଆସି ପହଞ୍ଚିଲା।

କନକକୁ କହିଲା ନେ "ଏତେକ ଖାଇଦେ, ଆଉ କ୍ଷୀର ତକ ଦେ ସେ ସାନଟାକୁ । ଆଉ ଚାଲ ଯିବା ଏଠି ଜଣେ ବାବୁ ଲୋକ ଖୋଜୁଥିଲେ ତାଙ୍କ ଘରେ କାମ କରିବା ପାଇଁ।"

"ଯଦି ସିଏ ରାଜି ହୋଇଗଲେ ତାହେଲେ ତୁ ସେଇଠି ରହିଯିବୁ।"

କନକ ଆଖିରୁ ଲୁହ ପୋଛି ଦୋକାନୀ ପାଦ ତଳେ ପଡ଼ିଗଲା, ଦୋକାନୀ କହିଲା ହଉ ଉଠ ଉଠ ଚଞ୍ଚଳ ଖାଇଦେ ଯିବା।

 ଦୋକାନୀ ଆଗେ ଆଗେ ଚାଲୁଥାଏ ପଛରେ କନକ । ସନ୍ଧ୍ୟା ହୋଇ ଆସିଲାଣି ବଡ଼ ଝିଅଟି ଆଉ ଚାଲିପାରୁ ନ ଥାଏ । ତାକୁ ଗୋଟେ ହାତରେ ଘୋଷାରି ଧରି କନକ ଦୋକାନୀର ପଛେ ପଛେ ଚାଲିଛି। ଭାବୁଛି କଣ କରିବ ଯଦି କାମ କିଛି ନ ମିଳିଲା କୋଉଠି ରହିବ ପିଲା ଦିଟାଙ୍କୁ ଧରି। ଏଇ ସମୟରେ ଦୋକାନୀ ସାଇକଲ ରଖି କହିଲା, "-ଏଇଠି ଠିଆ ହୋଇଥା ମୁଁ ଭିତରୁ ଆସୁଛି।"

-ସିଏ ଭିତରକୁ ଗଲା ପରେ କନକ ଖାଲି ଦିଅଁ ଦେବତାଙ୍କୁ ମୁଣ୍ଡିଆ ମାରି ପକେଇଲା।

-କେତେ ସମୟ ପରେ ଦୋକାନୀ ଆସି କହିଲା, ନାଇଁ "ବାବୁ ମନାକଲେ ଦି ଦିଟା ପିଲା ଆଉ ମାଆକୁ ମୁଁ ପୋଷି ପାରିବି ନାହିଁ । ହଁ ଗୋଟେ ହୋଇଥାନ୍ତା ମୁଁ ରଖିଥାଆନ୍ତି" ।

କନକ କହିଲା ବାବୁ ,'"ଜଣକ ଖାଇବାରେ ଆମେ ତିନି ଜଣ ଚଳିଯିବୁ ପଛେ ମତେ ମନା କରନି।"

ଦୋକାନୀ କହିଲା," ମୁଁ କଣ କରିବି ସେ ବାବୁ ତ ରାଜି ହେଉନାହାଁନ୍ତି।'

ଏଇ ସମୟରେ କିଏ ଜଣେ ଡାକିଲା ଆସ ଭିତର କୁ ଆସ। ଦୋକାନୀ ଚାହିଁଲା ମା କଣ କହୁଛନ୍ତି। ଦେଖିଲା ଗେଟ ପାଖରେ ମା ଠିଆ ହୋଇ ଭିତରକୁ ଡ଼ାକୁଛନ୍ତି। ଦୁଇଜଣ ଭିତରକୁ ଗଲେ

-ମା ବାବୁଙ୍କୁ କହିଲେ, ଦେଖ ଝିଅ ପିଲାଟା ଯୋଡ଼େ ଛୁଆ ଧରି କୁଆଡେ ବୁଲିବ ଆଜି ରହୁ କାଲିକି ଅନ୍ୟ କେଉଁଠି କାମ ବୁଝି ଚାଲିଯିବ।

-ବାବୁ କନକ ଆଡେ ଚାହିଁ ଚିନ୍ତିତ ହୋଇ କହିଲେ ହଉ ଆଜି ରହ କାଲି ଦେଖିବା।

-କନକ ମାଆଙ୍କ ଗୋଡ ତଳେ ପଡ଼ି ଗଲା।

ଦୋକାନୀ ବି ଖୁସି ହୋଇ ମୁଣ୍ଡିଆଟିଏ ମାରି ବାହାରିଲା ଯିବା ପାଇଁ । ରାତିରେ କନକକୁ ମା କହିଲେ ଆମେ ତ ରାତିରେ ରୁଟି ଖାଉ ତୁ ସେଇ ରୁଟି ଖାଇବାକୁ ପଡ଼ିବ। କନକ ଖୁସି ହୋଇ କହିଲା ମା ମୋତେ ଯାହାଦେଲେ ଖାଇବି । ମୋତେ ଜଣେ ଖାଇଲା ଭଳି ଦିଅ ଆମେ ତାକୁଇ ବାଣ୍ଟି ଖାଇଦବୁ..।

-- ହଉ ହଉ, ଯା ବାହାରେ ସେ ଯେଉଁ କଳ ଅଛି ସେଠି ଧୁଆ ଧୋଇ ହୋଇଯା ମୁଁ ରୋଷେଇ କରୁଛି। କନକ ପିଲାକୁ ସେଇ ବାରଣ୍ଡାରେ ଶୁଆଇ ଦେଇ ଗଲା ଧୁଆ ଧୋଇ ହବାକୁ।

ଆସିଲା ବେଳକୁ ଦୁଇଟି ଯାକ ଝିଅ ନିଦରେ ଶୋଇ ପଡିଲେଣି। ମା କନକକୁ ଗୋଟିଏ ଚାଦର ଦେଲେ ଯା ପିଲାଙ୍କୁ ସେଇ ବାରଣ୍ଡାରେ ଶୁଆଇ ଦେ। କନକ ପିଲାଙ୍କୁ ଶୁଆଇ ଆସି ଦେଖିଲା ମା ରୋଷେଇ ଘରେ କାମ କରୁଛନ୍ତି।

--ମା ମତେ କଣ କହୁନ କରିଦେବି?

--ନାଇଁ ତୁ ଆଉ ଆଜି କଣ କରିବୁ! ମୁଁ କାଲିକି କହିବି।

ହଉ ତୁ କହିଲୁ ଏ ଚିଆଁ ପିଲା ଗୁଡାଙ୍କୁ ଧରି ତୁ କାହିଁକି ଘରୁ ଚାଲି ଆସିଲୁ?

ଟିକେ ସମୟ ନିରବ ରହି କନକ କହିଲା, ମା କଣ କରିବି କହୁନ!! ଦି ଦି ଟା ଝିଅ ଜନମ କଲି ବୋଲି ବାପ କଥାରେ ସ୍ୱାମୀ ମୋର ମୁହଁ ବି ଚାହିଁଲାନି ।

ଆଉ ତୋ ବାପ ଘରକୁ ଗଲୁନି? ମା କହିଲେ।

ମା କୋଉ ବାପଘର ,..!ମୋ ବାପ ମା ମୋତେ ଝିଅ ଟିଏ ବୋଲି ଡାକ୍ତରଖାନାରେ ଛାଡ଼ିଦେଇ ଆସୁ ଥିଲେ ହେଲେ ଲୋକେ ପାଟି ତୁଣ୍ଡ କଲାରୁ ସେଠାରୁ ନେଇ ଆସିଲେ ସିନା ମୋତେ ଅଗଣାରେ ଗଡେଇ ଦେଇ ଚିନି ପାଣି ଟିକେ ପିଇବାକୁ ଦିଏ। କହେ ମରିଯାଉ ସିଏ ମୁଁ ୟାକୁ ପୋଷି ପାରିବିନି।ମୋର ତ ଆୟୁଷ ଥିଲା ବଞ୍ଚି ରହିଲି, ସେଥିରେ ପୁଣି ମୁଁ ଝିଅ ଜନ୍ମ କଲି ବୋଲି ଏତେ ହୀନସ୍ତା ହବାକୁ ଥିଲା।ବଡ଼ ଝିଅ ବେଳକୁ ମୋତେ ମୋ ସ୍ୱାମୀ ଡାକ୍ତରଖାନାରୁ ନେଇ ସିଧା ବାପଘରେ ଛାଡ଼ି ଆସିଲା,କହିଲା ବାପା ମନା କଲେ ତୋତେ ଘରକୁ ନେବାକୁ ତାଙ୍କୁ ପୁଅ ଦରକାର ଯିଏ ଆମ ବଂଶକୁ ଆଗକୁ ନେବ।ତେଣୁ ତୁ ଆଉ ମତେ ଅପେକ୍ଷା କରିବୁନି।ବହୁତ ଦିନ ଘରେ ରହିଲି । ବାପା ମଦୁଆ ଦିନ ରାତି ପିଇ ଗଡୁଥାଏ ।ମା ଅନ୍ୟ ଘରେ ବାସନ ମାଜି ଭାଇ ମାନଙ୍କୁ ପୋଷେ।ଭାଇ ଗୁଡା ଖାଲି ଖାଇ ପିଇ ବୁଲନ୍ତି।

କିଛି କାମ କରନ୍ତିନି।ମୋ ଉପରେ ମା ଗରଗର ହୁଏ ମୁଁ ପିଲାକୁ ଧରି ଗୋଟେ ଦୁଇଟା ଘରେ କାମ କରି ପେଟ ପୋଷେ।ଏମିତି କେତେ ଦିନ ପରେ ସେଇ ବସ୍ତି ର କେତେ ଜଣ ଯାଇ ବୁଝା ସୁଝା କରିବା ପରେ ସ୍ୱାମୀ ଆସି ମୋତେ ଘରକୁ ନେଲା।ଆଉ ଏଥର ଝିଅ ହେଲା ବୋଲି କାଲିଠାରୁ ଆଉ ମୋତେ ଦେଖା ବି ଦଉନି। ମୁଁ ମନକୁ ଘରକୁ ଆସିଲି ବୋଲି ବାପା ତାର ଗାଳି କରି କହୁଛି ତାକୁ ଛାଡ଼ ମୁଁ ତତେ ଆଉ ଗୋଟେ ଜାଗାରେ ବାହା କରିଦେବି। ମୋତେ ବାଡିଆପିଟା କରିବ ବୋଲି ମୁଁ ଡରରେ ଘର ଛାଡ଼ି ଚାଲି ଆସିଲି।ମୁଁ କାମ କରି ଖାଇବି ପଛେ ତା ହାତରୁ ମାଡ଼ ଖାଇବିନି।

--ଆଲୋ ତୋ ,ମା ତୋତେ ବାହା କରି ଥିଲା ଟି ? କନକ କୁ ମା ପଚାରିଲେ ??

--ନାଇଁ, ମା' ମୋତେ କିଏ ବାହା କରିବ।ମା ତ ପ୍ରଥମରୁ ମୋତେ ଭଲପାଏନି ।

ଆଉ ତା ହେଲେ ତୁ କେମିତି ଏ ପୁଅକୁ ବାହା ହେଲୁ? ସେ ପୁଅ ତୋତେ ତା ବାପା କଥା କିଛି କହି ନ ଥିଲା। ନାଇଁ ମା ମୁଁ ତା ବାପା ଏମିତି ବୋଲି ଜାଣି ନ ଥିଲି।

ମୁଁ ବାହାଘର ପୁର୍ବରୁ କେତେ ଜଣଙ୍କ ଘରେ କାମ କରୁଥିଲି।ସେଇଠି ଜଣଙ୍କ ଘରକୁ ମୋ ସ୍ୱାମୀ କଣକାମରେ ଆସିଥିଲା।ସେଇଠି ମୋତେ ଦେଖି ମୋ ସାଙ୍ଗେ କଥା ହେଲା ଧୀରେ ଧୀରେ ମୋ ସହିତ ମିଶି ମୋତେ ବାହା ହବା ପାଇଁ କହିଲା।ମୋ ମା ଯେତେବେଳେ ଜାଣିଲା ମୋତେ କହିଲା ମୋର ବଳ ନାହିଁ ତୋ ବାହାଘର କରିବାକୁ, ତେଣିକି ତୁ ଯାହା କରୁଛୁ କର।

ତା ପରେ ଆମେ ମନ୍ଦିରକୁ ଯାଇ ବାହା ହୋଇଗଲୁ।

ମୋତେ ନେଇ ସେ ଘରକୁ ଗଲା।ଶଶୁର ମୋର ରାଗରେ ଘରେ ପଶିବାକୁ ଦେଲେନି।କେତେ ନେହୁରା ହୋଇ ଆମେ ଘରେ ରହିଲୁ।ସେତେ ବେଳେ ମୋ ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ ହେଲେ ବାପା ବେଳେ ବେଳେ ମିଛ ସତ କହି କଳି ଲଗାଇ ଦିଏ ଇଏ ରାଗି ମୋତେ ବାଡ଼ିଆ ପିଟା କରେ।ଆଜି ମୁଁ ସେଇ ଡର ରେ ଘରୁ ପଳେଇ ଆସିଲି।ଆଜି ବାପା କଥାରେ ମୋତେ ନିଶ୍ଚୟ ବାଡେଇଥାଆନ୍ତା କାରଣ ମୁଁ ମନ କୁ ମନ ଡାକ୍ତର ଖାନାରୁ ପଳେଇ ଆସିଲି।ଏତେ ଦୁଃଖ ମୋ ଜୀବନ ରେ ଅଛି ବୋଲି ଜାଣି ଥିଲେ ମୁଁ କେବେଠାରୁ ମରିସାରନ୍ତିଣି।

ଏବେ ଆଉ ମରିବାକୁ ଚାହିଁ ମଧ୍ୟ ମରି ପାରିବିନି, ଏ ଦି ଟା ମୋ ବେକରେ ବନ୍ଧା।ସିଏ ସିନା ବାପବୋଲି ଭୁଲି ଗଲା, ମୁଁ ତ ଏମାନଙ୍କୁ ଛାଡ଼ି ପାରିବିନି ।କହି କନକ ଆଖିରୁ ଲୁହ ପୋଛିଲା ।

ହଉ ହଉ କାନ୍ଦେନା ମା ବୁଝାଇଲେ ।ତୁ ଆଗ ଏଠି ରହ କୋଉଁଠି ଭଲ ଯାଗାରେ ତୋତେ ରଖି ଦେବି। ଏହା କହି ମା ତାକୁ ରୁଟି ତରକାରି ଖାଇବାକୁ ଦେଲେ। ଯା ଖାଇ ଶୋଇପଡ଼ ,ସକାଳୁ ଉଠିଲେ ଯାହା କରିବା।

କନକ ରୁଟି ତରକାରୀ ଅଳ୍ପ ଖାଇ ଆଉ ଟିକେ ସକାଳ ପାଇଁ ସାଇତି ରଖିଲା ଝିଅଟା କିଛି ନ ଖାଇ ଶୋଇ ପଡ଼ିଛି। ସକାଳୁ ଝିଅ ଉଠିଲା ଯେମିତି କନକ ତାକୁ ସେତକ ଦେଲା ଖାଇବାକୁ।

ମା ଉଠିବା ପୁର୍ବରୁ କନକ ବାହାର ତକ ସବୁ ଆଡ ଓଳାଓଳି କରିଦେଇଛି। ମା ଉଠିବା ପରେ ରୋଷେଇ ଘରୁ ବାସନ ତକ ଆଣି ମାଜି ଧୋଇ ରଖିଦେଲା । ଏତେ ଠିକଣା କାମ କରୁଥିବା ଦେଖି ବାବୁ ଓ ମା ମନେ ମନେ କନକକୁ ପ୍ରଶଂସା କରିଥିଲେ। ମା ରୋଷେଇ କରିବା ବେଳେ କନକ ତାଙ୍କୁ ସାହାଯ୍ୟ କରିଦିଏ।

ପିଲା ଦୁଇଟି ଘରେ ଗହଳ କରୁଥାନ୍ତି।ସେଇଠି ରହିବାର ଅନେକ ଦିନ ହେଲାଣି, କେବେ ମା କି ବାବୁ ତାକୁ ଯିବାକୁ କହି ନାହାଁନ୍ତି।ଓଲଟା ଦୂରରେ ଥିବା ତାଙ୍କ ପିଲା ମାନଙ୍କ ସହିତ କଥା ହେଲା ବେଳେ କନକ ଏଠି ସବୁବେଳେ ରହିବ ବୋଲି ସେମାନଙ୍କୁ ବୁଝେଇ ଦିଅନ୍ତି। ଆଉ ତାକୁ ସମସ୍ତେ ଯେମିତି ନିଜ ଘରର ଜଣେ ସଦସ୍ୟ ଭାବିବାକୁ କହନ୍ତି। ବାବୁ ମା ଙ୍କ ମଣିଷପଣିଆ ଆଗେ ମୁଣ୍ଡ ନଇଁ ଯାଏ।ପିଲାବେଳୁ ଦୁଃଖ ପାଇ ବଢ଼ିଥିଲା ହେଲେ ଆଜି ସତେ କି ନିଜ ବାପା ମାଙ୍କୁ ପାଇଛି। ଆଖିରୁ ତାର ଖୁସିର ଲୁହ ଝରି ପଡ଼ିଲା।ଏତିକି ବେଳକୁ ମା ଡାକିଲେ କନକ ତୋ ଝିଅକୁ ଡାକେ ପାଠପଢିବ ।

ହଁ ମା ଯାଉଛି କହି, କନକ ମାଆଙ୍କ ରୁମ ଆଡକୁ ଯାଉ ଯାଉ ଠାକୁରଙ୍କୁ ମୁଣ୍ଡିଆ ଟିଏ ମାରି ବାବୁ ମାଆଙ୍କ ମଙ୍ଗଳ ମନାସିଲା ।



Rate this content
Log in

Similar oriya story from Tragedy