STORYMIRROR

sushama Parija

Inspirational

3  

sushama Parija

Inspirational

ମଣିଷ ପଣିଆ

ମଣିଷ ପଣିଆ

3 mins
192

ରାଜଧାନୀ ଭୁବନେଶ୍ଵରର ଗୋଟିଏ ଅଦ୍ଭୁତ ଆକର୍ଷଣ ଅଛି । ସେଠାକୁ ଥରେ ଆସିଥିବା ଲୋକଟି ପୁନର୍ବାର ତା'ର ନିଜର ଗାଆଁକୁ ଆଉ ଫେରି ଯିବାକୁ ମୋଟେ ଇଚ୍ଛା କରନ୍ତି ନାହିଁ । ସେ ଭି.ଆଇ.ପି ଏରିଆରେ ରୁହନ୍ତୁ ବା ବସ୍ତିରେ, କିଛି ଫରକ୍ ନାହିଁ, ରାଜଧାନୀର ବାସ୍ନା ଗୋଟାଏ ଭିନ୍ନ ପ୍ରକାରର, ଜୀବନ ଧାରଣର ଶୈଳୀ ବି ନିଆରା । ଏଠି ବସ୍ତିବାସିନ୍ଦାଙ୍କ ବିନା ସାହାଯ୍ୟରେ ଭି.ଆଇ.ପି ଏରିଆର ବାସିନ୍ଦା ଘଡିଏ ହେଲେ ଚଳି ପାରିବେନି କି ଭି.ଆଇ.ପି ଏରିଆ ବାସିନ୍ଦାଙ୍କ ବିନା ସାହାଯ୍ୟରେ ବସ୍ତି ବାସିନ୍ଦା, ତଥାପି ସେମାନଙ୍କ ମଧ୍ୟରେ ଆପଣାପଣଟିଏ ଖେଳି ପାଇବା ଏକାନ୍ତ ଅସମ୍ଭବ । ଉଭୟେ ଉଭୟଙ୍କର ପରିପୂରକ ହେଲେ ବି କାୟ ମନୋବାକ୍ୟରେ ଯୋଜନ ଯୋଜନ ଦୂରତ୍ୱ ସେମାନଙ୍କ ମଧ୍ୟରେ । ସେମିତି ଗୋଟିଏ ଘଟଣା । 

ଭୂବନେଶ୍ୱର ନୟାପଲ୍ଲୀର ଏକ ଭି.ଆଇ.ପି କଲୋନୀରେ ଅଛି ଆରାଧନା ଆପାର୍ଟମେଣ୍ଟ । ଆପାର୍ଟମେଣ୍ଟର ସମସ୍ତ ବାସିନ୍ଦା ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର । ସମସ୍ତେ ସୁଶିକ୍ଷିତ, ମର୍ଯ୍ୟାଦାବନ୍ତ, ସମ୍ଭ୍ରାନ୍ତ ପରିବାରର । ଆପାର୍ଟମେଣ୍ଟରେ କମ୍ୟୁନିଟି ହଲରେ ସବୁଦିନେ ଗୋଟାଏ ଖରାବେଳିଆ ଆସର ବସେ ମହିଳାମାନଙ୍କର। କାମ କରୁଥିବା ପୁରୁଷ ଆଉ ମହିଳାମାନେ ଯିଏ ଯାହା କାମରେ ବାହାରକୁ ବାହାରି ଗଲା ପରେ ଏଇ ନିତିଦିନିଆ ଆସରରେ ବସି ଯାଆନ୍ତି ତଥାକଥିତ ହାଉସ୍ ୱାଇଫ୍ ବା ଗୃହିଣୀମାନେ । ବୟସର କୌଣସି ତାରତମ୍ୟ ନଥାଏ, ସିଏ ତିରିଶି ହେଉ ବା ଅଶୀ, ସମସ୍ତେ ଯୋଗ ଦିଅନ୍ତି ସେଇ ଆସରରେ । ଗାଁରେ ମାଇପି ମେଳରେ ଢିଙ୍କିଶାଳ ଠାରୁ ଢେଙ୍କାନାଳ ଯାଏଁ ଆଲୋଚନା ହେଲା ଭଳି ସେଠାରେ ଆଲୋଚନା ଚାଲେ କିଏ କେତେ ଦାମୀ ଶାଢୀ କି ଡ୍ରେସ୍ କିଣିଛି, କିଏ କେତେ ଦାମୀ କାର୍ କିଣିଲା, କିଏ କେତେ ଡିଜାଇନର ଜୁଏଲାରୀ କିଣିଲା ଇତ୍ୟାଦି ଇତ୍ୟାଦି । ଷ୍ଟାଟସ୍ରେ ପରସ୍ପରକୁ ପଛରେ ପକେଇ ଦେବାର ଗୋଟାଏ ପ୍ରତିଯୋଗୀତା ଯେମିତି ଚାଲିଥାଏ ସେମାନଙ୍କ ମଧ୍ୟରେ । ସେଦିନ ଥିଲା ମିସେସ୍ ରାୟଙ୍କ ନାତିର ଜନ୍ମଦିନ । ଅନ୍ୟମାନେ ଆଗରୁ ଆସି ବସି ସାରିଥିଲେ, ନିଜ ନିଜର କଥା ବଖାଣିବାରେ ଲାଗିଥିଲେ । କାହାର ବୋହୂ ତା' ସ୍ୱାମୀକୁ ଆଙ୍ଗୁଠି ଅଗରେ ନଚାଉଛି, କାହାର ଶାଶୁ ନିଜର ପୁଅକୁ ହାତ ମୁଠାରେ ରଖିବା ଲାଗି ବୋହୂ ବିରୁଦ୍ଧରେ ପୁଅର କାନ ଫୁଙ୍କୁଛି ଏମିତି ଆଲୋଚନା ସବୁ ସରଗରମ ଥିବା ବେଳେ ଭିତରକୁ ପଶିଲେ ମିସେସ୍ ରାୟ ।

 ମିଷ୍ଟର ନିରାକାର ରାୟ ଜଣେ ରିଟାୟାର୍ଡ କ୍ଲାସ୍ ୱାନ୍ ଅଫିସର୍ । ପୁଅ ଶୁଭେନ୍ଦୁ ରାୟ ସଫ୍ଟୱେର ଇଞ୍ଜିନିୟର ବାଙ୍ଗାଲୋରରେ କେଉଁ ମଲ୍ଟି ନ୍ୟାସନାଲ୍ କମ୍ପାନୀରେ, ବୋହୂ ସ୍ଥାନୀୟ ଗୋଟିଏ କଲେଜରେ ଅଧ୍ୟାପିକା । ସ୍ୱାମୀଙ୍କ ଚାକିରୀକାଳରେ ଗଣ୍ଡା ଗଣ୍ଡା ଅର୍ଦ୍ଦଳି ଆଉ ପିଅନମାନଙ୍କ ସେବାରେ ଅଭ୍ୟସ୍ତ ମିସେସ୍ ରାୟ କୁଟା ଖଣ୍ଡକୁ ଦି ଖଣ୍ଡ କରି ପାରନ୍ତି ନାଇଁ । ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରି ନିଜର ବୟସକୁ ତିରିଶିରୁ ଆଗକୁ ଯିବାକୁ ଦେଇ ନାହାଁନ୍ତି ସିଏ। ସୁନ୍ଦର ମେକଅପ୍ ଆଉ ଆଇରନ୍ କରା ଶାଢୀରେ ସବୁବେଳେ ଟିପ୍ ଟପ୍ ରହିବାକୁ ପସନ୍ଦ କରିଥାନ୍ତି । ଶାଢୀର ପ୍ଲିଟକୁ ସଜାଡ଼ୁ ସଜାଡୁ ଚେୟାର ଖଣ୍ଡିକ ଉପରେ ବସି ପଡି ଲକ୍ଷେ ଟଙ୍କିଆ ହସ ଖଣ୍ଡିକ ମୁହଁରେ ଖେଳେଇ କହିଲେ '' ସରି, ଆଜି ମୁଁ ଆସିବାକୁ ଟିକେ ଡେରି ହେଇଗଲାଣି, ସେଇ ବଦମାସ୍ କାମବାଲୀ କମଳାଟା ଯୋଗୁ ପରା, ତା'କୁ ଜଗୁ ଜଗୁ ଏତେ ବେଳ । ଏତେ ପ୍ରକାର ମିଠା ଜିନିଷ ଥୁଆ ହୋଇଛି ବାହାରେ, କାଳେ କିଛି ନେଇ ଯିବ ତା' ପିଲାଙ୍କ ପାଇଁ '' । କଥା ଛଡେଇ ନେଇ ମିସେସ୍ ଶତପଥୀ କହିଲେ ''ହଁ ମ ମାଡାମ୍, ସେମାନେ ସମସ୍ତେ ସେମିତି, ଯେତେ ଦେଲେ ବି ତାଙ୍କର ପେଟ ପୁରେ ନାହିଁ, ସବୁଠିକି ଲୋଭ, ଟିକିଏ ଆଖି ଆଢୁଆଳ ହେଲେ ପରା ଘରେ କଳା କନା ବୁଲେଇ ଦେବେ ''। ମିସେସ୍ ରାୟ କହି ଉଠିଲେ '' ସେଇଥିଲାଗି ମୁଁ ତାକୁ ରାତିରେ ଆସିବାକୁ ଡାକିଲିନି, ଆପଣମାନେ ତ ସମସ୍ତେ ଆସିବେ ପାର୍ଟିକୁ, କେତେ କେତେ ଦାମୀ ଗିଫ୍ଟ ସବୁ ମିଳିବ, ଦେଖିଲେ ସେ ଲୋଭରେ ଗୋଟାଏ ଦୁଇଟା ଗିଫ୍ଟ ପ୍ୟାକେଟ୍ ଲୁଚେଇ ନେଇ ପଳେଇ ଯିବ କାଳେ । କାଲି ସକାଳେ ବାସନକୁସନ ମାଜିଲା ବେଳକୁ ପଛେ ଯାହା ବଳକା ଖାଦ୍ୟ ଥିବ, ତା'କୁ ଦେବି'' । ମିସେସ୍ ପଟ୍ଟନାୟକ କହିଲେ ''ଖୁବ୍ ଭଲ କରିଛନ୍ତି ମାଡାମ୍, ସେ ଛୋଟ ଲୋକଗୁଡାଙ୍କୁ ଜମା ଉପ୍ରୋଧ ନାହିଁ, କେତେ ବେଳେ କ'ଣ କରିବେ ତା'ର ଠିକଣା ନାହିଁ ''। 

ଏଇ ସମୟରେ ସଫାସୁତୁରା ସୂତା ଲୁଗା ଖଣ୍ଡେ ପିନ୍ଧି ସେଠାରେ ପହଞ୍ଚିଲା କମଳା । ବିନମ୍ରତାର ସହ ସମସ୍ତଙ୍କୁ ନମସ୍କାର ଜଣାଇ କହିଲା ମିସେସ୍ ରାୟ ଙ୍କୁ '' ମାଆ, ଏଇ ରଖ ବାବା ଈଶାନେଶ୍ୱରଙ୍କ ଧଣ୍ଡା ପାଦୁକ, ଗଲା ମାସରେ ସାନବାବୁଙ୍କ ଦେହ ଯେତେବେଳେ ବହୁତ ଖରାପ ଥିଲା, ସେତେବେଳକୁ ମୁଁ ଠାକୁରଙ୍କ ପାଖରେ ମାନସିକ କରିଥିଲି ପରା, ବାବୁଙ୍କ ଦେହ ଭଲ ହୋଇଗଲେ ତାଙ୍କ ପାଖରେ ନଡିଆ ଭାଙ୍ଗିବି ବୋଲି । ସେଥିଲାଗି ଆଜି ତାଙ୍କ ଜନ୍ମଦିନରେ ଭୋଗ ଲଗାଇ ଆଣିଛି । ଆଉ ଏଇ ପ୍ୟାକେଟଟା ନିଅ, ସାନ ବାବୁଙ୍କ ପ୍ରିୟ କେଶର ପେଡା । ଗାଙ୍ଗୁରାମ ଦୋକାନର କେଶର ପେଡା ସାନବାବୁ ଖୁବ୍ ଭଲ ପାଆନ୍ତି । ତାଙ୍କର ଜନ୍ମଦିନରେ ଏଇଟା ଆମ ପରିବାର ତରଫରୁ ତାଙ୍କୁ ଉପହାର । ଆଜି ରାତିରେ ଆମର ଜଣେ ବନ୍ଧୁ ଘରକୁ ଯିବାର ଅଛି ତ, ଆଉ ଆସି ପାରିବିନି, ସେଥିଲାଗି ଏବେଠାରୁ ଦେଇଗଲି । ହଉ, ଆସୁଛି ମାଆ, ସାନବାବୁଙ୍କୁ ଠାକୁରେ ଭଲରେ ରଖନ୍ତୁ'' । ପୁଣି ଥରେ ମୁଣ୍ଡ ନୁଆଁଇ ନମସ୍କାର ପକାଇ ଧୀରେ ଧୀରେ ବାହାରି ଗଲା କମଳା । ଆସରରେ ଥିବା ସମସ୍ତ ମହିଳାମାନେ ପରସ୍ପରକୁ ଚାହିଁ ରହିଥିଲେ । କାହାରି ମୁହଁରେ ଭାଷା ନଥିଲା । ବୋଧହୁଏ ନିଜ ନିଜର ଅନ୍ତର ଭିତରେ ଅଣ୍ଡାଳି ଅଣ୍ଡାଳି ସମସ୍ତେ ମଣିଷପଣିଆ ଖୋଜୁଥିଲେ, ଯାହା ଆଧୁନିକତା ନାଆଁରେ ଆଜି ମରିଯାଇଛି ଏଇ ତଥାକଥିତ ଭଦ୍ର ଆଉ ଶିକ୍ଷିତ ସମାଜରେ ।



Rate this content
Log in

Similar oriya story from Inspirational