Seetaram Dash

Tragedy Inspirational

3  

Seetaram Dash

Tragedy Inspirational

ମନ୍ଦିରା ରୁ ମନ୍ଦାକିନୀ

ମନ୍ଦିରା ରୁ ମନ୍ଦାକିନୀ

6 mins
334


ମନ୍ଦାକିନୀ, ଓଡ଼ିଶାର ଜଣେ ଲୋକ ପ୍ରିୟ ଏବଂ ଜଣାଶୁଣା କଣ୍ଠ ଶିଳ୍ପୀ। ସାଥି' ଫିଲ୍ମରୁ ସେ ପ୍ଲେ ବ୍ୟାକ ସିଙ୍ଗରର କ୍ୟାରିଅର ଆରମ୍ଭ କରିଥିଲେ। ଅନେକ ଫିଲ୍ମ ଗୀତ ସହିତ ଅନେକ ଆଲବମ ରେ ସେ କଣ୍ଠ ଦାନ କରିଛନ୍ତି। ଏ ବର୍ଷ ତାଙ୍କୁ ବାଣୀ କଣ୍ଠ ସମ୍ମାନରେ ସମ୍ମାନିତ କରାଗଲା। ମନ୍ଦାକିନୀ ଭଳି ଜଣେ ଲୋକପ୍ରିୟ କଣ୍ଠ ଶିଳ୍ପୀ, ମୋ ଭଳି ଜଣେ ସାଧାରଣ ମଣିଷକୁ କିପରି ବିବାହ କରିଛି? ଏହା ଥିଲା ସବୁଠୁ ଚର୍ଚ୍ଚାର ବିଷୟ। ମନ୍ଦାକିନୀ ପଛରେ ଅନେକ ଷ୍ଟାର, ସ୍ପୋର୍ଟ୍ସମ୍ୟାନ୍ ଏବଂ ଥିଲାବାଲା ଘରର ଅନେକ ଯୁବକ ପାଗଳ ହେଉ ଥିଲେ। ତାର କଣ୍ଠ ଅପେକ୍ଷା ତାର ରୂପ ଗୁଣ ଅଧିକ ସୁନ୍ଦର ଥିଲା। ତାର ନମ୍ରତା ପାଇଁ ସେ ସବୁଠି ପ୍ରଶଂସିତ ହେଉ ଥିଲା। ମୋ ଭଳି ଅଳ୍ପ ଶିକ୍ଷିତ ଏବଂ ସାଧାରଣ ମଣିଷକୁ କିପରି ଜୀବନ ସାଥି ରୂପରେ ପସନ୍ଦ କଲା, ଏ ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା....।


   ଅନେକ ଚ୍ୟନେଲ, ଖବରକାଗଜ ଏବଂ ଇଣ୍ଟରଭିୟୁରେ ଏ ପ୍ରଶ୍ନ ପଚରା ଗଲେ....ମନ୍ଦାକିନୀ ସ୍ମିତ ହାସ୍ୟ ସହ ଜବାବ ଦିଏ..."ବାସ, ଆଇ ଲଭ ହିମ..! ପ୍ରେମ ପାଇଁ କିଛି କାରଣ ହେବା କଣ ଜରୁରୀ? ଆଜି ମୁଁ ଯାହା କିଛି ହୋଇ ପାରିଛି, କେବଳ ତାଙ୍କ ପାଇଁ। ସେ ହେଉଛନ୍ତି ମୋ ପ୍ରେମ, ମୋ ପ୍ରେରଣା, ଆଉ ମୋର ପ୍ରିୟତମ....।"


  ଏବେ ଚାରିଆଡେ ମନ୍ଦାକିନୀର ପ୍ରଶଂସା। ଯେଉଁଠିକି ବି ଗଲେ ସବୁଠି ଭିଡ଼ ଜମିଯାଏ ପ୍ରଶଂସକ ମାନଙ୍କର। ଆଉ ମୁଁ ସେଇ ଭିଡ଼ ଭିତରେ ସତେ ଯେମିତି ଅନାଗତ ଅତିଥି। ଏବେ ମୋର ନିଜସ୍ୱ ପରିଚୟ ବୋଲି କିଛି ନାହିଁ। ସବୁଠି ଶୁଭେ, "ମନ୍ଦାକିନୀର ସ୍ୱାମୀ"। ବଡ଼ ଅସହ୍ୟ ଲାଗେ। କିଛି ନ କହି ପାରିଲେ ବି ମୁଁ, ରାଗ, ଅପମାନ ଏବଂ ଇର୍ଷାରେ ଜଳେ। ବେଳେବେଳେ ମୁଁ, ମୋ ମନକୁ ନିଜେ ପଚାରେ, "ତା ପାଇଁ ମୁଁ କଣ ଯୋଗ୍ୟ?"


  ସହିବାର ଗୋଟେ ସୀମା ଥାଏ। କିନ୍ତୁ ମୋ କଥା ସୀମା ପାର ହୋଇଗଲା। ଦିନେ ଆବେଗରେ, ଅଭିମାନରେ ମନ୍ଦାକିନୀକୁ କୋଳରେ ଧରି ଅଶ୍ରୁଳ ନୟନରେ କହିଲି, ତମେ ଆଉ କାହାକୁ ବାହା ହୋଇଥିଲେ ଭଲ ହୋଇ ଥାନ୍ତା। ମୋ ଭଳି ଜଣେ ଅଯୋଗ୍ୟ....।" ମୋ କଥା ସରିବା ପୂର୍ବରୁ ସେ ତା ପାପୁଲିରେ ମୋ ପାଟିକୁ ବନ୍ଦ କରି ଧରିଲା। ଆଖିରେ ତାର ଆଖିଏ ଲୁହ। ତାର ଆଲିଙ୍ଗନକୁ ଆହୁରି ଦୃଢ଼ କରି କହିଲା, "ଏମିତି କଥା ତୁମେ ତୁଣ୍ଡରେ ଧରି ପାରୁଛ? ତମ ବିନା ମୋ ଜୀବନର ଅର୍ଥ କଣ? ଈଶ୍ୱରଙ୍କ ପାଖରେ ମୋର ସର୍ବଦା ଏତିକି ପାର୍ଥନା, ସବୁ ଜନ୍ମରେ ମୁଁ ଛାଇ ଟିଏ ହୋଇ ତୁମ ପାଖେ ପାଖେ ରହିଥାଏ। ସେ ଦିନ, ତମେ ମୋ ପାଇଁ ଭଗବାନ ସାଜି ଆସିଥିଲ। ଯେତେବେଳେ ପାପ ତାପ ବଢିଯାଏ, ଯେତେବେଳେ ଜୀବନର ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ ଭଗବାନ କୌଣସି ନା କୌଣସି ରୂପ ନେଇ ଆସନ୍ତି। ଆଉ ସେ ଦିନ, ତମେ ତ ମୋର ପାଇଁ ଭଗବାନଙ୍କ ଚଳନ୍ତି ପ୍ରତିମା ହୋଇ ଆସିଥିଲ।"


 ଏ କଥା ଶୁଣି ମୁଁ ଲଜ୍ଜିତ ହେଲି। ମୋ ମନର ସବୁ ରାଗ ଅଭିମାନ କ୍ଷଣକ ମଧ୍ୟରେ କୁଆଡେ ଉଭେଇ ଗଲା। ମୁଁ ମନେ ପକାଉ ଥିଲି, ସେ ଦିନର ସେହି କାଳ ରାତ୍ରିକୁ....

 ଆମ ଗାଁର ସବୁଠୁ ସୁନ୍ଦର ଝିଅ ଥିଲା ମନ୍ଦିରା। ତାର ରୂପ, ମନ୍ଦିରର ମୂର୍ତ୍ତି ଭଳି ମନଲୋଭା। ମତେ ସେ ବହୁତ ଭଲ ଲାଗେ। କେଵଳ ସେ ନୁହେଁ, ତାର ଆଖି, ନାକ ଆଉ କାନ ବି! ତା ସାଥିରେ, ତା ର ଚାଲି, ତାର ହସ ଆଉ ତାର କଥା କୁହା ଭଙ୍ଗୀ ବି। ତାର ସବୁ କିଛି, ମୋର ମନ କିଣା ଆଉ ମନ ଜିଣା। ମୁଁ ତାକୁ ଲୁଚି ଲୁଚି ଦେଖେ। କେବେ ଛାତ ଉପରରୁ ତ, କେବେ ଘର ଭିତରର କବାଟ କି ଝରକା ଫାଙ୍କରୁ। କେବେ କେବେ ଆମ ବାରିର ମଧୁମାଳତୀ ଲତାର ଆଢୁଆଳରେ ଲୁଚି ରହି ମନ ଭରି ଦେଖେ ତାର ଲୋଭନୀୟ ରୂପକୁ।


ମନ୍ଦିରା ଆମ ପଡୋଶୀ। ଦୁଇଟା ଘର ଛାଡ଼ି ତାଙ୍କ ଘର। ସେ ଅତି ଗରିବ। ସଂସାର କହିଲେ ବୁଢ଼ୀ ମା ଛଡା କେହି ନାହାଁନ୍ତି ଏ ଦୁନିଆରେ। ବାପା ମା ଉଭୟ ଛୋଟ ବେଳୁ ଚାଲି ଯାଇଛନ୍ତି ଆର ପାରିକୁ। ମନ୍ଦିରା ଭଲ ଗୀତ ଗାଏ। ଭବିଷ୍ୟତ ରେ କଣ୍ଠ ଶିଳ୍ପୀ ହେବା ତା ଜୀବନର ଲକ୍ଷ୍ୟ। ବାହାଘର କିମ୍ବା ଛୋଟ ମୋଟ ମେଲୋଡିରେ ଗୀତ ଗାଇବାକୁ ଯାଏ। ତାର କଣ୍ଠ ଖୁ ମିଠା। ସତେ ଯେମିତି କୋଇଲି ର କୁହୁ ତାନ। ବିବାହ ଉତ୍ସବରେ ତାକୁ ଆଗ ଖୋଜା ହୁଏ। ଗୀତ ଗାଇ ଯାହା କିଛି ଟଙ୍କା ମିଳେ ଦୁଃଖେ କଷ୍ଟେ ଚଳି ଯାଆନ୍ତି ଦୁଇ ପ୍ରାଣୀ।


ଏଇ ଗୀତ ଗାଇବାକୁ ନେଇ ତାକୁ ଅନେକ ଲୋକ ଅନେକ କଥା କୁହନ୍ତି। କେତେ ନିନ୍ଦା କେତେ ଅପମାନ! ଗରିବ ମାଇପ ସମସ୍ତଙ୍କ ଶାଳୀ... । ସବୁ ଶୁଣି ମନ୍ଦିରା ଚୁପ ରହେ। ସୁଯୋଗର ଅଭାବରୁ ମନ୍ଦିରା ଭଳି ଅନେକ ବଣ ମଲ୍ଲୀ ଅକାରଣରେ ଝରି ପଡନ୍ତି, ସମସ୍ତଙ୍କ ଅଜାଣତରେ।

ମନ୍ଦିରା ମତେ ଦେଖିଲେ ଟିକେ ହସି ଦିଏ। ଆଖିରେ ଆଖି ମିଶିଲେ ମୁହଁ ତଳକୁ କରେ, ନ ହେଲେ ସେ ଜାଗା ଛାଡି ଚାଲିଯାଏ। ତାର ଏ ଲାଜୁଆ ପଣ ମୋର ଭଲ ପାଇବାର ନିଶା ଆହୁରି ଅନେକ ଗୁଣ ବଢ଼ାଇ ଦିଏ। ତାକୁ ନେଇ ମୋ ମନରେ ଅନେକ ସ୍ୱପ୍ନ....।

ମନ୍ଦିରା ଯେଉଁଦିନ ଗୀତ ଗାଇବାକୁ ଯାଏ, ମତେ କିଛି ଭଲ ଲାଗେ ନାହିଁ। ମନ ଏକ ଅଜଣା ଯନ୍ତ୍ରଣା ରେ ଛଟପଟ ହୁଏ। କେତେ କିଏ ଲୋଲୁପ ଦୃଷ୍ଟି ପକାଉଥିବେ ବିଚାରି ଉପରେ? ବିଚାରୀ କେତେ ଶବ୍ଦ ବାଣର ଶିକାର ହେଉଥିବ? ମୁଁ ତା ଆସିବା ବାଟକୁ ଚାହିଁ ରହିଥାଏ। ସେ ଆସେ ପ୍ରାୟ ସନ୍ଧ୍ୟା ସମୟରେ। ଅଟୋ ରିକ୍ସା ଟିଏ ରହେ ତାଙ୍କ ଘର ଆଗରେ। ମୁଁ ଅନେକ ସମୟରୁ ଅପେକ୍ଷା କରିଥାଏ। ସେ ରିକ୍ସା ଭଡା ଦେବା ଭିତରେ ମୁଁ ଲୁଚି ଲୁଚି ଦେଖି ନିଏ। ସେ ରିକ୍ସା ଭଡା ଦେଇ ଚାଲିଯାଏ ଘରକୁ। ସେଇ କ୍ଷଣିକ ଦେଖାରେ ମୁଁ ଆନନ୍ଦରେ ଅଧିର ହୋଇ ପଡେ। ଗୋଟିଏ ରାତି ଖୁସିରେ ବଞ୍ଚିବାର ଖୋରାକ ମିଳିଯାଏ।


ନିର୍ବାଚନ ଆଉ କିଛିଦିନ ବାକି ଥାଏ। ପ୍ରଚାର ପ୍ରସାର ଖୁବ ଜୋରସୋରରେ ଚାଲିଥାଏ। ଏକ ବିରାଟ ସଭାର ଆୟୋଜନ ଆମ ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମ ପୁରର ଅଚିହ୍ନା ପଡିଆରେ ହେଉଥାଏ। ଅନେକ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ବି ହୋଇଥାଏ। ମନ୍ଦିରା ବି ଯାଇଥାଏ ଗୀତ ଗାଇବା ପାଇଁ। କିନ୍ତୁ ଏଠି ମନ୍ତ୍ରୀଙ୍କ ସଭାରେ ଲୋକମାନେ ଯୋଗ ଦିଅନ୍ତି, ପକେଟରେ ଗାନ୍ଧି ମୁଣ୍ଡ ପୁରାଇ। ଜନ ମଙ୍ଗଳ କାର୍ଯ୍ୟ ହୁଏ କଥାରେ ଏବଂ କାଗଜରେ। 

ମନ୍ଦିରାର ଗୀତ ଅପେକ୍ଷା ତାର ସୁନ୍ଦର ଦେହ ଅଧିକ ଭଲ ଲାଗୁଥିଲା ରାଜ ନେତା ମାନଙ୍କୁ। ସିନେମାରେ ଗୀତ ଗାଇବାର ସୁଯୋଗ ଦେବା ନାଁରେ ମନ୍ଦିରା କୁ ସେମାନେ ଅପେକ୍ଷା କରାଇ ଥିଲେ। ତାକୁ ଜଣେ ସଙ୍ଗୀତ ନିର୍ଦେଶକ ସହିତ ଦେଖା କରାଇବାକୁ କହି, ଏକ ଅଜଣା ଜାଗାକୁ ନେଇ ଯାଇଥିଲେ। ଆଉ ତା ପରେ...କେତେ ହୃଦୟରେ ବିଦାରକ ଦୃଶ୍ୟ ଥିଲା ସେ ସବୁ। କେତେ କାକୁତି ମିନତି ହୋଇଥିଲା ସେ। କେତେ ହାତ ଯୋଡି ନେହୁରା ହୋଇଥିଲା ଛାଡି ଦେବା ପାଇଁ। କିନ୍ତୁ ସବୁ ବ୍ୟର୍ଥ। ଯେଉଁମାନେ ଅମଣିଷ ରାକ୍ଷସ, ସେମାନଙ୍କ ର କଣ ଦୟା ଧର୍ମ ଥାଏ? ପରଦା ପଛରେ ଲୁଚି ଯାଇଥିଲା ବିଚାରିର କରୁଣ ଚିତ୍କାର। ତାର ସୁକୋମଳ ତନୁକୁ ନର ରାକ୍ଷସ ମାନେ ଖିନ ଭିନ କରି ଫିଙ୍ଗି ଦେଇଥିଲେ ରାଜ ରାସ୍ତାର ଗଟର ନଳାକୁ। ଆଉ ତା ଚାରିପାଖରେ ପଡିଥିଲା ଅନେକ ନିର୍ବାଚନ ପୋଷ୍ଟର। ତା ବେହୋଶ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେ଼ଇ ଅଟୋରିକ୍ସା ବାଲାଟେ ତାକୁ ଗଟର କଡ଼ରୁ ଉଠାଇ ଆଣିଥିଲା। ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁଥିଲି। ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି । ଅଟୋରିକ୍ସା ତାଠୁଁ ପଇସା ମାଗି ନ ଥିଲା ।


ଗାଁରେ ଏ ଖବର ବିଜୁଳି ବେଗରେ ଖେଳିଗଲା। ଗାଁ ଦୋକାନ ଠାରୁ ଆରମ୍ଭ କରି ନଈ କୂଳ ପର୍ଯ୍ୟନ୍ତ ସବୁଠି ଏଇ ଗୋଟିଏ କଥା। ସମବେଦନା ଜଣାଇବା ବଦଳରେ ସମସ୍ତେ ଛି ଛା କରୁଥାନ୍ତି। ରାମ ସାହୁର ପାନ ଦୋକାନ ପାଖରେ କିଛି ମାଇପେ କଥାବାର୍ତ୍ତା ହେଉଥିଲେ, "ଅସତୀ ଦୋଚାରୁଣୀ, ବାର ବୁଲି ଛତରୀ। ବାର ଆଡେ ବୁଲି ଗୀତ ଗାଇବ। ୟା ସାଥିରେ ଖାଲି ଏମିତି ହେଉଛି। ଆମ ଘରେ କଣ ଝିଅ ବୋହୂ ନାହାଁନ୍ତି? ଘରେ ମୁରବି ନ ଥିଲେ କଣ ଆଉ ହେବ? ନିଆଁ ନ ଥିଲେ କଣ ଧୂଆଁ ହୁଏ?" 


ରାତି ଦଶଟା ସୁଦ୍ଧା ସୁନ୍ଦର ଏବଂ ଦାମୀ ଗାଡିଟିଏ ଆସି ପହଞ୍ଚିଲା ଗାଁ ମୁଣ୍ଡରେ। ସେଥିରେ ଚାରିଜଣ ଭୟଙ୍କର ଲୋକ ଆସିଥିଲେ। ସେମାନେ ଆସି ଗାଁର ମୁଖିଆ ମାନଙ୍କୁ ଡକାଇ, କଣ ସବୁ ଚୁପ ଚୁପ କଥା ହେଉଥାନ୍ତି। ମୁଁ ବେହେରା ଘର ଗୁହାଳ ଭିତରେ ଥାଇ ସବୁ ଦେଖୁ ଥାଏ। ଶେଷରେ ସେ ଲୋକମାନେ ଆମ ଗାଁ ମୁରବି ଯଥା ସୁର ନାୟକ, ବଗ ତେଲି, ଭଜି ସାହୁ ଏବଂ ରତନି ପାତ୍ରଙ୍କୁ ଚାରି ବିଡ଼ା ନୋଟ ଦେଇ କଣ ସବୁ କହୁଥିଲେ। ମୁଁ ଜାଣିଗଲି ମନ୍ଦିରା ସହ କିଛି ଅଘଟଣ ନିଶ୍ଚୟ ଘଟିବ।


  ମୁଁ ସମସ୍ତଙ୍କ ଅଜଣାତରେ ବାରିପଟ ଦେଇ ମନ୍ଦିରା ଘର ଭିତରକୁ ଲୁଚି ଲୁଚି ପ୍ରବେଶ କଲି। ମନ୍ଦିରା ତୁଠ ପଥର ଭଳି ଘରର ଗୋଟେ କଣରେ ନିରବ ନିଶ୍ଚଳ ହୋଇ ଲୁହ ଝରାଉ ଥାଏ। ଆଉ ତା ପାଖରେ ତା ବୁଢ଼ୀ ମା ବାହୁନା ପକାଇ କାନ୍ଦୁଥାଏ। ମୁଁ ଅତି ସତର୍କତା ସହ ସବୁ ଘଟଣା ସଂକ୍ଷେପରେ ଜଣାଇଲି। ମୋର ଭୟ ଥିଲା ସେମାନେ ପୁଣି ଥରେ ମାରଣାତ୍ମକ ଆକ୍ରମଣ କରିପାରନ୍ତି। କେଉଁ ଏକ ଅଜଣା ରାଇଜକୁ ଚାଲିଯିବା ପାଇଁ ମୁଁ ପରାମର୍ଶ ଦେଲି। ମନ୍ଦିରା କାନ୍ଦି କାନ୍ଦି ଜବାବ ଦେଲା, "ମୁଁ ମରିବାକୁ ଚାହେଁ, ଦୟା କରି ତମେ ସମସ୍ତେ ଚାଲି ଯାଅ।" ମୁଁ ହାତରେ ତା ପାଟିକୁ ବନ୍ଦ କରି ଜୋରରେ ଧରିଲି। ବାହାରେ ଯେମିତି ଆମ କଥା କେହି ନ ଶୁଣନ୍ତି। ତା ପରେ ମନ୍ଦିରାକୁ ଦୁଇ ବାହୁରେ ଭିଡ଼ି ଧରି କହିଲି, "ତମକୁ ଏ ପରିସ୍ଥିତି ରେ ଛାଡି ମୁଁ କୁଆଡେ ଯାଇ ପାରିବିନି। ଆଜି ଠାରୁ ଆମେ ଏକାଠି ବଞ୍ଚିବା ନ ହେଲେ ଏକାଠି ମରିବା। ଏବେ ଆଉ ସମୟ ନାହିଁ। ଚାଲ ମୋ ସାଥିରେ। ଏବେ ଶ୍ରୀହରି ବିଷ୍ଣୁ ହିଁ, ଆମର ସାହା ଭରସା। ଘରର ସବୁ କବାଟ ଝରକା ବନ୍ଦ କରି ଆମେ ବାରି ପଟେ ବାହାରକୁ ବାହାରି ଆସିଲୁ। ସେଇ ଘନ ଅନ୍ଧାର ରାତିରେ ଜନଶୂନ୍ୟ ବିଲ ମାଳ ମଧ୍ୟରେ ଆମେ ତିନିଜଣ କିଛି ସମୟରେ ଅଦୃଶ୍ୟ ହୋଇ ଗଲୁ। ସେଦିନ ଅଧ ରାତିରେ କିଛି ଲୋକ ପ୍ରେଟୋଲ ଢାଳି ମନ୍ଦିରା ଘରେ ନିଆଁ ଲଗାଇ ଦେଇଥିଲେ।


ଏବେ ଆମେ ଏକ ସମ୍ପୂର୍ଣ୍ଣ ନୂଆ ଜାଗାରେ ପହଞ୍ଚି ଯାଇଥିଲୁ। ଆମ ପାଇଁ ସମସ୍ତେ ଏଠି ନୂଆ। ଅନେକ ଦୁଃଖ କଷ୍ଟ ଏବଂ ଯନ୍ତ୍ରଣା ପରେ ବି ପେଟ ପୁରା ମୁଠେ ଖାଇବାକୁ ମିଳେନି। ଦିନ ସାରା ହାଡ଼ଭଙ୍ଗା ପରିଶ୍ରମ। ସବୁ ଅଭାବ ଅସୁବିଧାରେ ମନ୍ଦିରା ମୋ ସହିତ ପାଦରେ ପାଦ ମିଶାଇ ଚାଲୁଥିଲା। ତାର କଣ୍ଠରୁ ଗୀତ ଶୁଣି ମୁଁ ସବୁ ଦୁଃଖକୁ ଭୁଲି ଯାଇଥିଲି। ବେଳେବେଳେ ମନ୍ଦିରା ର ଗୀତ ସବୁ ମୁଁ, ୟୁଟ୍ୟୁବ ରେ ଛାଡେ। ଜଣେ ସଙ୍ଗୀତ ନିର୍ଦେଶକ ସେ ଗୀତ ଶୁଣି ଆମ ସହ ଯୋଗାଯୋଗ ସ୍ଥାପନ କଲେ। କିଛି ଦିନପରେ ଆମ ସହ ଭେଟିବାକୁ ମଧ୍ୟ ଆସିଲେ। ବିନା ତାଲିମରେ ଏତେ ସୁନ୍ଦର ଗୀତ ଗାଇ ପାରୁ ଥିବାରୁ ସେ ଯେତିକି ଖୁସି ହେଲେ, ସେତିକି ଆଶ୍ଚର୍ଯ୍ୟ ବି। ତା ପରେ ତାଙ୍କ ସାହାଯ୍ୟ ସହଯୋଗ ରେ ମନ୍ଦିରାର ନୂଆ ଜୀବନ ଆରମ୍ଭ ହେଲା। ଅଦମ୍ୟ ନିଷ୍ଠା ଦୃଢ଼ ସଂକଳ୍ପ ଏବଂ କଠୋର ପରିଶ୍ରମ ମନ୍ଦିରା କୁ ଆଣିଦେଲା ଅପୂର୍ବ ସଫଳତା।



Rate this content
Log in

Similar oriya story from Tragedy