STORYMIRROR

Arabinda Rath

Inspirational

4  

Arabinda Rath

Inspirational

ମମତାମୟୀ ମାଆ

ମମତାମୟୀ ମାଆ

7 mins
187




ଆରେ ଜଲଦି ବାଡି ଟା ଆଣ। ନହେଲେ ତାକୁ ଖୋଜି ପାଇବା କଷ୍ଟ ହୋଇଯିବ। ସେତେବେଳୁ ଆଖି ସାମନାରେ ଏପଟ ସେପଟ ଦୌଡି ଚାଲିଛି। ଗୋଟେ ପାହାରରେ କାମ ତମାମ ହୋଇଯିବ। ନିହାତି କେତେ କଣ ନଷ୍ଟ କରି ଦେଇଥିବ। ବାରମ୍ବାର କହୁଛି ଘରେ ଅଳିଆ ଜିନିଷ ରଖନି, ମୋ କଥା କେହି ଶୁଣିଲେ ତ ହବ। ଗଗନ ପାଟିକରି ମିତାଙ୍କ ଉଦ୍ଦେଶ୍ଯରେ କହି ଚାଲିଥାଆନ୍ତି।

ସେପଟରୁ ମିତା କହୁଥାନ୍ତି- କାହିଁକି ସକାଳୁ ସେ ବେକାର କାମରେ ଲାଗିଛ କହିଲ। ତୁମ ପାଟି ଯିଏ ଶୁଣିବ ଭାବିବ ଘରେ କିଛି ଦୁର୍ଘଟଣା ଘଟିଗଲା। ଖୋଜିଲା ବେଳକୁ କିଛି ଗୋଟେ ପାଇବା ଏ ଘରେ ସ୍ବପ୍ନ ବାହାରେ। ତୁମ ଗୁଣବନ୍ତ ପୁଅ ଠିକ ଜାଗାରେ କଉ ଜିନିଷ ରଖୁଛି ଯେ ମିଳିବ।

ସକାଳୁ ବୈଠକଖାନାରେ ଦୌଡୁଥିବା ମୂଷାକୁ ଦେଖି ରାମଙ୍କର ରକ୍ତଚାପ ବଢି ଯାଇଥିଲା। ମୂଷାର ଆକାର ବେଶ୍ ବଡ ଥିଲା। ଅଚାନକ ଧରା ପଡିଯାଇଥିବାରୁ ସେ ଜୀବନ ବଞ୍ଚାଇବାକୁ ରକେଟ ବେଗରେ ଖାଲି ଏପଟ ସେପଟ ଦୌଡି ଚାଲିଥିଲା। ବାପାମାଆଙ୍କ ପାଟିତୁଣ୍ଡ ଶୁଣି ବାହାରେ ଖେଳୁଥିବା ମୁନା ଘରକୁ ଚାଲି ଆସିଲା। ବାଡି ଖୋଜା ଚାଲିଛି ଜାଣି ସେ ମନେମନେ ପ୍ରମାଦ ଗଣିଲା। କାରଣ ସେ ବାଡିକୁ ନେଇ ଆମ୍ବ ପାରିବାକୁ ଯାଇଥିଲା। ଆମ୍ବ ତ ମିଳିଲାନି,ବାଡି ଟା ଗଛରେ ଠକିଗଲା। ଖୋଜାଖୋଜି କରି ଗୋଟେ ଭଲ ବାଡି ଆଣି ବାପାଙ୍କ ହାତରେ ଧରେଇଦେଇ ସେ କବାଟ ପାଖରେ ଜଗି ରହିଲା।

- - ବାପା ତୁମେ ସେ ଟେବୁଲ ତଳେ ଟିକେ ଖସଖସ କରି ଦେଲେ ମୂଷା ବାହାରକୁ ଚାଲି ଆସିବ। ଗୋଟେ ପାହାରରେ ତା ମୁଣ୍ଡ କୁ ଛତୁ କରିଦେବା।

- -- ତୁ ବେଶି ପାଟି ନ କରି ଚୁପ୍ ହୋଇ ଛିଡା ହୋଇଥା। ଏତିକି ଅପରିଷ୍କାର କରୁଛୁ ବୋଲି ଘରେ ମୂଷାଙ୍କ ଉତ୍ପାତ ବଢି ଯାଇଛି।

ରାମଙ୍କ ରୂପ ଦେଖି ମୁନା ଚୁପଚାପ ଛିଡା ହୋଇ ରହିଲା। ଟିକେ ଅନୁଲୋମ ବିଲୋମ ହେଲେ ମୂଷା ଉପରେ ପାହାର ପଡୁ କି ନ ପଡୁ ତା ପିଠି ଟା ଛତୁ ହୋଇ ଯିବାର ଆଶଙ୍କା ରହିଛି ବୋଲି ସେ ନିଶ୍ଚିତ ଥିଲା। ରାମ ମନପ୍ରାଣ ଦେଇ ମୂଷା ମାରଣ କାର୍ଯ୍ଯକ୍ରମରେ ମାତିଗଲେ। ମଝିରେ ମଝିରେ ଖାଲି- - ହେଇ ଗଲା ଗଲା, ଧର ତାକୁ, ସୋଫା ତଳେ ପଶିଗଲା,ତାର ଉପରେ ଚଢିଗଲା ଆଦି ଖଣ୍ଡବାକ୍ଯ ମାନ ରାମଙ୍କ ପାଟିରୁ ଝରି ଆସୁଥାଏ। କିଛି ସମୟ ପରେ " ଧଡାସ୍” କରି ଶବ୍ଦ ଶୁଭିଲା। ମିତା ଦୌଡି ଆସି ପଚାରିଲେ- - ମାରିଦେଲ ତାକୁ?

- - ନାଁ ମାରିବି କେମିତି। ତୁମ ପରି ଦୟାଶୀଳା ମହିଳା ଥିଲେ ମୂଷା କଣ ସହଜରେ ମରି ପାରିବ ? ପୁଣି ଥରେ ମୂଷାଟା ଖସି ପଳାଇବାରୁ ରାମ ବିରକ୍ତିର ଚରମସୀମା ରେ ପହଞ୍ଚି ସାରିଥିଲେ।

ତିନି ଚାରି ଥର ମରୁ ମରୁ ମୂଷାଟା ବଞ୍ଚି ଯାଇଥିଲା। ବାଡି ପାହାର ଟା ଠିକ ପଡିବା ପୂର୍ବରୁ ସେ ଖସି ପାର୍। ରାମ କଟମଟ କରି ମୁନା ମୁହଁକୁ ଚାହିଁଲେ। କାଳେ ମୁନା ତାଙ୍କର ବିଫଳତାକୁ ଦେଖି ମନେମନେ ହସୁଥିବ ସେହି ଆଶଙ୍କାରେ। ଚାଲାକ ମୁନା ବାପାଙ୍କର ଏ ପ୍ରକୃତ୍ତି ସହ ଭଲରେ ଅଭ୍ଯସ୍ତ ଥିଲା। ସେ ମୁହଁରେ ଯଥା ସମ୍ଭବ ଗାମ୍ଭୀର୍ଯ୍ଯତା ଫୁଟାଇ କବାଟ ପାଖରେ ଏକ ଛାଞ୍ଚୁଣି ଧରି ଜଗି ରହିଥିଲା। ଶିକାରଟା ବାପାଙ୍କ ପାଖରୁ ଖସି ଗଲେ ଛାଞ୍ଚୁଣିରେ ତା ମୁଣ୍ଡକୁ ଛିନଛତ୍ର କରିଦେବାକୁ ବଦ୍ଧପରିକର ଥିବା ପରି ଅଭିନୟ କରିବାରେ ସେ ହେଳା କରୁ ନଥିଲା।

ମୂଷାଟା ପ୍ରକୃତରେ ମହା ଧୂର୍ତ୍ତ ଶ୍ରେଣୀର ଥିଲା। ଯେତେ ଚେଷ୍ଟାକଲେ ମଧ୍ଯ ତାକୁ ଧରିବା ବା ମାରିବା କାଠିକର ପାଠ ହୋଇ ସାରିଥିଲା। କେତେବେଳେ ସେ ତାର ଉପରେ ଚଢି ଯାଉଥିଲା ତ କେତେବେଳେ ପରଦା ପଛରେ ଲୁଚି ଯାଉଥିଲା। ପୁଣି କେତେବେଳେ ବହି ଆଲମାରି ପଛରେ ଯାଇ ଲୁଚି ପଡୁଥିଲା। ରାମଙ୍କ ମୁଣ୍ଡ ସେତେବେଳକୁ ଗୋଳମାଳ ହୋଇ ଯାଉଥାଏ। ଜୀବନରେ ସେ ଅନେକ ମୂଷା ଶିକାର କରିଛନ୍ତି। ଗୋଟିଏ ପାହାରରେ ମୂଷା ମାନଙ୍କ ଅସ୍ତିତ୍ବ ନିଶ୍ଚିହ୍ନ କରି ପକାଇଛନ୍ତି। ସେ ଏତେ ବଡ ମୂଷା ଶିକାରି ଥିଲେ ଯେ ଖାଲି ଚପଲ ମାରି ମୂଷା ନିପାତ କରିବାର ଅନେକ ନଜିର ଅଛି। କାହିଁକି କେଜାଣି, ଆଜି ତାଙ୍କର ସମସ୍ତ ଉପାୟ ବିଫଳ ହୋଇ ଚାଲିଥିଲା। କିଛି ନହେଲେ ମୂଷାଟା ଘର ଛାଡି ପଳାନ୍ତା ଭଲା। ଆସନ୍ନ ମୃତ୍ଯୁମୁଖରୁ ତ ବଞ୍ଚି ଯାଆନ୍ତା। କିନ୍ତୁ ସେ ନା ମରୁଛି ନା ଯାଉଛି। କି ନିଶା ଲାଗିଛି ତାର ଭଗବାନଙ୍କୁ ଜଣା। ଘର ଛାଡି ଯିବାର ନାମଗନ୍ଧ ନେଉନି। ଇତି ମଧ୍ଯରେ ରାମଙ୍କ ଦେହ ଝାଳରେ ଭିଜି ସାରିଲାଣି। ବୈଠକଖାନାର କିଛି ଜିନିଷ ତଳେ ପଡି ଭାଙ୍ଗି ସାରିଲାଣି। ସୋଫାକୁ ସେ ଅତି କମରେ ଦଶଥର ଏପଟ ସେପଟ କରି ସାରିଲେଣି। ସେତେବେଳକୁ ବିଚରା ମୁନା ଅସମୟରେ ବାପାଙ୍କ ରୌଦ୍ରରୂପ ସାମନା ରେ ପଡି ବଡ ଅସହାୟ ବୋଧ କରୁଥିଲା। ମୂଷାମରା କାମକୁ ମିତା ସମର୍ଥନ କରୁ ନଥିଲେ,ତେଣୁ ସେ ରୋଷେଇଘରେ କାମରେ ଲାଗି ରହିଥିଲେ।

- - ଏଥର ମଲା....ଜୋରଦାର ପାହାର ଟା ବାଜିଛି, ରକ୍ତ ଥୋଡାଏ ବି ବୋହିଛି। ଦେଖିବା ଏଥର କୁଆଡେ ଯିବ। ଉଲ୍ଲସିତ ହୋଇ କହିଲେ ରାମ।

- - ବାପା, ମୂଷା ପୁଣି ସେ ବହି ଆଲମାରି ପଛରେ ଯାଇ ଲୁଚିଲା। ତାକୁ କାଢିବା କେମିତି।

ଏଥର ରାମଙ୍କର ବାଡି ପାହାରଟା ମୂଷା ଉପରେ ପଡିଥିଲା ଓ ବିଚରା କ୍ଷତାକ୍ତ ମଧ୍ଯ ହୋଇଥିଲା। ଚଟାଣରେ ପଡିଥିବା କେଇ ବୁନ୍ଦା ରକ୍ତ ରାମଙ୍କର ଆସନ୍ନ ବିଜୟକୁ ସୂଚୀତ କରୁଥିଲା। ସେ ଆତ୍ମବିଶ୍ବାସ ସହିତ କହିଲେ- - ଆରେ ମୁନା, ମାଡଟା ଜୋରରେ ବାଜିଛି। ସେଇ ଆଲମାରୀ ପଛରେ ହିଁ ତା ଜୀବନ ଯିବ।ରାମଙ୍କ ପାଟିରୁ କଥା ସରିଛି କି ନାହିଁ ମୂଷାଟା ପୁଣି ଦୌଡିବା ଆରମ୍ଭ କଲା। ଏଥର କିନ୍ତୁ ସେ ଦୌଡୁ ନଥିଲା, ବରଂ ବଡ କଷ୍ଟରେ ଘୁଷୁରୁଥିଲା। ଘଟଣାଟା ଏଥର ରାମଙ୍କ ପାଇଁ ଗୁରୁତର ପାଲଟି ସାରିଥିଲା। କବଳରୁ ମୂଷାଟା ବାରମ୍ବାର ବଞ୍ଚି ଚାଲିଯିବା ଦ୍ବାରା ରାମଙ୍କର ଅହଙ୍କାର ଭୀଷଣ ଭାବରେ ଆଘାତପ୍ରାପ୍ତ ହୋଇ ଚାଲିଥିଲା। ତାଙ୍କୁ ଲାଗୁଥିଲା ଆଜି ଯଦି ମୂଷାକୁ ସେ ମାରି ନ ପାରିବେ ତେବେ ସେ ହାରିଯିବେ ଓ ପରମ ବୁଦ୍ଧିମାନ ମନୁଷ୍ଯର ବଳ ଓ କଳା କୌଶଳ କୁଟାକାଠି ପରି ଉଡିଯିବ ଏକ ଛାର ମୂଷା ଆଗରେ।

ସେ ପୁଣି ଥରେ ମୂଷା ଉପରେ ପ୍ରହାର ଆରମ୍ଭ କରିବାରେ ଲାଗିଗଲେ। କୌଣସି ମତେ ପ୍ରାଣ ବଞ୍ଚାଇ ମୂଷାଟି ପୁଣି ଆଲମାରି ପଛକୁ ଚାଲିଗଲା।

ରାମ ବଡପାଟିରେ ମିତାଙ୍କୁ ଡାକ ଛାଡିଲେ। ଆଲମାରିର ଓଜନ ଅଧିକ ଥିଲା। ତାକୁ ଘୁଞ୍ଚାଇବାଟା କାଠିକର ପାଠ। ମିତାଙ୍କୁ ବୁଝାଇ ରାମ କହିଲେ- - ମୂଷାଟା ଆଲମାରି ପଛରେ ମରି ପଡିଥିବ। ତାକୁ ନ କାଢିଲେ ପଚି ଭୀଷଣ ଗନ୍ଧହେବ। ଅନିଚ୍ଛା ସତ୍ତ୍ବେ ମିତା ଆଲମାରି ଘୁଞ୍ଚା କାମରେ ରାମଙ୍କୁ ସହଯୋଗ କଲେ। କିନ୍ତୁ

ବଡ ଉଦାସ ମନରେ କହିଲେ ଆଜି ଗୁରୁବାରଟାରେ ବିଚରା ମୂଷାଟାକୁ ମାରି ଦେଲ? ଘଉଡାଇ ଦେଇଥାନ୍ତ ହେଲେ। ରାମ ମୁହଁକୁ ବିକୃତ କରି କହିଲେ- ରଖ ହୋ ତୁମ ଦୟା। ଏମିତି ଦୟା ପାଇଁ ତ ଆଜି ଘରେ ମୂଷା ମାନେ ଉତ୍ପାତ ଚଲେଇଛନ୍ତି। ନିଜର ସମସ୍ତ ବଳ ଖଟାଇ ରାମ ଆଲମାରିକୁ ଗୋଟିଏ ପଟକୁ ଟାଣିବାରେ ସଫଳ ହେଲେ। ଆଲମାରି ଘୁଞ୍ଚି ସାରିବା ପରେ ମିତା ସେ ସ୍ଥାନ ଛାଡି ଚାଲିଗଲେ। ତାଙ୍କ ମନରେ ଆଶଙ୍କା ଥିଲା ରାମ ନିହାତି ସେ ମୂଷାଟି ଉପରେ ନିଜର ସମସ୍ତ ବର୍ବରତା ପ୍ରୟୋଗ କରିବେ। ଉତ୍କଣ୍ଠାର ଚରମସୀମାରେ ସେତେବେଳକୁ ପହଞ୍ଚି ସାରିଥିଲା ମୁନା। କାରଣ ପ୍ରାଣ ବଞ୍ଚାଇବାକୁ ମୂଷାଟି ଲୁଚି ରହିଥିବା ସ୍ଥାନର ସୁରକ୍ଷା ବଳୟ ଭାଙ୍ଗି ସାରିଥିଲା। ବାପାଙ୍କର ଶେଷ ପ୍ରହାରରେ ମୂଷାଟିର ଦେହ ଖିନଭିନ ହୋଇଯିବା ସମୟ ଆଗତପ୍ରାୟ। ତା ପରେ ସେ ମୂଷାର ମୃତଦେହକୁ ନେଇ ସାଙ୍ଗ ମାନଙ୍କୁ ପାଖକୁ ଯିବ ଓ ସମସ୍ତଙ୍କୁ କହିବ ଯେ ସେ ନିଜେ ଏ ଶିକାର କରିଛି।

ରାମଙ୍କ ହାତମୁଠା ବାଡି ଉପରେ ଶକ୍ତ ହୋଇଗଲା। ସନ୍ତର୍ପଣ ସହ ସେ ଆଲମାରି ପଛରେ ପଡିଥିବା ପୁରୁଣା ଲୁଗାକୁ ଧିରେ ଉଠାଇବାରେ ଲାଗିଲେ। ସେ ନିଶ୍ଚିତ ଥିଲେ, ସେହି ଲୁଗା ତଳେ ତାଙ୍କର ଶିକାର ସ୍ଥାଣୁପ୍ରାୟ ପଡିଥିବ। ସକାଳୁ ତାଙ୍କ ଦେହରୁ ଯେତିକି ଝାଳ ବାହାରିଛି ଶିକାର ଦେହରୁ ସେତିକି ରକ୍ତ ବାହାର ନ କରି ପାରିଲେ ସେ କି ଶିକାରି ? ସତକୁ ସତ ମୂଷାଟି ଜାକିଜୁକି ହୋଇ ପଡିଥିଲା ସେହି ସ୍ଥାନରେ। ସମ୍ମୁଖରେ ମୃତ୍ଯୁ କୁ ଦେଖି ସେ ପଳାଇବାର ଚେଷ୍ଟା କଲାନାହିଁ ବରଂ ସେହି ସ୍ଥାନରେ କୁଣ୍ଡଳୀ ମାରି ପଡି ରହି ଚିଁ ଚିଁ ଶବ୍ଦ କଲା। ରାମ କଣ ଦେଖିଲେ କେଜାଣି ତାଙ୍କ ହାତ ବରଫପ୍ରାୟ ଥଣ୍ଡା ପଡିଗଲା। ମୁନା ବାପାଙ୍କୁ ବଲବଲ କରି ଚାହିଁ ରହିଥାଏ।

ରାମଙ୍କ ଆଖି ସାମ୍ନାରେ ନାଚି ଉଠିଲା ପାଖାପାଖି ତିରିଶ ବର୍ଷ ତଳର ଘଟଣା। ସେ ବାପାମାଆଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରାରେ ନାହିଁ ନ ଥିବା ଗହଳି, ସୋରିଷ ପକାଇବାକୁ ମଧ୍ଯ ଜାଗା ନଥିଲା। କୌଣସି ଘଟଣାକୁ ନେଇ ଦୁଇ ଗାଁଆର ଲୋକଙ୍କ ଭିତରେ ଝଗଡା ଆରମ୍ଭ ହୋଇଗଲା। ଚାହୁଁଚାହୁଁ ଯାତ୍ରାସ୍ଥାନଟି ରଣକ୍ଷେତ୍ର ପାଲଟିଗଲା। ବେଲୁନ୍, ପେଁକାଳି,ବେଙ୍ଗବାଜାର ସ୍ଥାନ ନେଲା ଛୁରୀ,ଖଣ୍ଡା ଓ ଲାଠି। ଯିଏ ଯାହାକୁ ପାରିଲା ମାରିଲା ହାଣିଲା। କେତେ ଯେ ରକ୍ତ ବୋହିଲା ତା ହିସାବ ନାହିଁ। ରାମଙ୍କ ବାପା ଭୀଷଣ ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥାନ୍ତି। ମାଆଙ୍କ ପଣତକାନି ତଳେ ଲୁଚି ରହି ଭୟରେ ଥରୁଥାନ୍ତି ରାମ। ତାଙ୍କ ଆଖି ସାମନା କଣ ସବୁ ଘଟି ଚାଲିଥିଲା ସେ ବିଷୟ ବୁଝିବାର ବୟସ ରାମଙ୍କର ହୋଇ ନ ଥିଲା। ହଠାତ୍ କିଛି ଲୋକ ହାତରେ ଠେଙ୍ଗା ଧରି ରାମଙ୍କ ମାଆଙ୍କ ଆଡକୁ ଝପଟି ଆସିଲେ। ବିଚାରି ସେମାନଙ୍କ କବଳରୁ ନିଜକୁ ଓ ବାଳୁତ ରାମଙ୍କୁ ବଞ୍ଚାଇବାର ପ୍ରୟାସ କରି ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ। ରାମଙ୍କୁ କାଖରେ ଧରି ସେ କେତେ ବାଟ ବା ଦୌଡି ପାରିଥାନ୍ତେ। ବିଚାରି ପଥରରେ ଝୁଣ୍ଟି ତଳେ ପଡିଗଲେ ଓ ରାମ କିଛି ଦୂରକୁ ଛିଟିକି ପଡିଲେ। ସେ ନୃଶଂସ ଦୁର୍ବୁତ୍ତ ମାନଙ୍କ ମନରେ ଦୟାମାୟା କିଛି ନ ଥିଲା। ସେମାନେ ରାମଙ୍କ ମାଆଙ୍କୁ ମାରି ଲହୁଲୁହାଣ କରିଦେଲେ ଓ ବାଡି ଧରି ରାମଙ୍କ ଆଡକୁ ଅଗ୍ରସର ହେଲେ। ସେ ସମୟରେ ରାମ କେବଳ ବିକଳ ହୋଇ ତାଙ୍କ ମାଆଙ୍କୁ ଡାକି ଚାଲିଥିଲେ। ରାମଙ୍କ ମାଆ ରକ୍ତସ୍ନାତ ଶରୀରକୁ ବଡ କଷ୍ଟରେ ଘୋାଷାଡି ରାମଙ୍କ ପାଖରେ ପହଞ୍ଚିଲେ। ପ୍ରତି ଆକ୍ରମଣ କରିବାର ଶକ୍ତି ତାଙ୍କ ପାଖରେ କିଞ୍ଚିତ ମାତ୍ରାରେ ନଥିଲା। ସୁତରାଂ ସେ ରାମଙ୍କ ଉପରେ ନିଜକୁ ଘୋଡାଇ ରଖିଲେ। କେତେ ଯେ ପ୍ରହାର ତାଙ୍କ ଉପରେ ପଡିଲା ତାହାର ହିସାବ ନାହିଁ। ନିଜ ସନ୍ତାନକୁ ସୁରକ୍ଷା ଦେବାପାଇଁ ସେ ରକ୍ତନଦୀରେ ଗାଧୋଇ ଚାଲିଥିଲେ। ଭଗବାନଙ୍କ କୃପାରୁ କିଛି ଲୋକ ଦୌଡି ଆସି ସେମାନଙ୍କୁ ଦୁର୍ବୁତ୍ତଙ୍କ କବଳରୁ ରକ୍ଷା କଲେ,ନଚେତ୍ ସେଦିନ ମୃତ୍ଯୁ ନିଶ୍ଚିତଥିଲା।

ବିଚରା ମୂଷାଟି ଆଖି ଫିଟି ନ ଥିବା ଶାବକ ମାନଙ୍କ ଉପରେ ନିଜକୁ ଘୋଡାଇ ରଖି ଶତୃ କବଳରୁ ସେମାନଙ୍କୁ ବଞ୍ଚାଇବାର ପ୍ରୟାସରେ ଲାଗି ରହିଥିଲା। ମୃତ୍ଯୁ କୁ ଅତି ନିକଟରୁ ଦେଖି ମଧ୍ଯ ସେ ବିଚଳିତ ନଥିଲା, କାରଣ ସନ୍ତାନ ମାନଙ୍କର ସୁରକ୍ଷା ହିଁ ତା ପାଇଁ ପରମ ଧର୍ମ ଥିଲା। ରାମଙ୍କୁ ଦିଶୁଥିଲା ତାଙ୍କ ମାଆ ପଣତକାନି ତଳେ ତାଙ୍କୁ ଘୋଡାଇ ରଖିଛନ୍ତି। ମାଆଙ୍କ ଦେହରେ ଅଜସ୍ର କ୍ଷତ ଓ ଦେହରୁ ରକ୍ତଧାର ବୋହି ଚାଲିଛି। ରାମ ନିଜର ସମସ୍ତ ଶକ୍ତି ଖଟାଇ ଚିତ୍କାର କଲେ-- ମାଆ..... ଓ କାନ୍ଦି ଚାଲିଲେ।

ମୁନା କିଛି ବୁଝି ନପାରି ମିତାଙ୍କ ପାଖକୁ ଦୌଡି ଯାଇ ଜଣାଇଲା- - ମାଆ- - ତୁ ଜଲଦି ଆସେ। ବାପା ମୂଷାଟାକୁ ମାରି ପାରୁ ନାହାଁନ୍ତି ବୋଲି କାନ୍ଦୁଛନ୍ତି। ମିତା ଘଟଣା କଣ ବୋଲି ପହଞ୍ଚିବା ବେଳକୁ ଦେଖିଲେ ରାମ ଆଲମାରିକୁ ପୂର୍ବ ସ୍ଥାନରେ ରଖି ଦେଇଛନ୍ତି। କିଛି ଦୂରରେ ବାଡିଟି ପଡିଛି ଓ ସେ ଗୁମ୍ ହୋଇ ସୋଫା ଉପରେ ହାତଯୋଡି ବସିଛନ୍ତି। ସତ କୁ ସତ ତାଙ୍କ ଆଖିରେ ଲୁହଥିଲା ଓ ସେ ଭୀଷଣ ବିବ୍ରତ ଜଣା ପଡୁଥିଲେ।

- - କଣ ହେଲା ? ମୂଷା ମାରି ପାରିଲନି କି ? ମୁନା କହୁଥିଲା ତୁମେ କାଳେ କାନ୍ଦୁଥିଲ।

ଏକ ନିରିହ ଶିଶୁ ପରି ମିତାଙ୍କ ହାତକୁ ଜାବୁଡି ଧରି କଇଁକଇଁ କାନ୍ଦି ଉଠିଲେ ରାମ । ଥରଥର କଣ୍ଠରେ କହିଲେ - - ମୁଁ ଇଶ୍ବରଙ୍କ ଦରବାରରେ ଦୋଷୀ ମିତା । ଆଜି ମୁଁ ଜଣେ ମାଆକୁ ମାରି ଦେଇଥାନ୍ତି। ମୋତେ କ୍ଷମା କରିବ ହେ ଇଶ୍ବର, ମୋ ଦ୍ବାରା ବହୁତ ବଡ ପାପ ହୋଇଗଲା।

ବାହାଘର ଦିନ ପରଠାରୁ ରାମଙ୍କର ଏପରି ରୂପ ମିତା କେବେ ଦେଖି ନଥିଲେ। ତେଣୁ ସେ କଣ ପ୍ରତିକ୍ରିୟା ଦେଖାଇବେ ଜାଣି ପାରୁ ନ ଥିଲେ।ରାମଙ୍କ କଥାର ଗୁଢ ରହସ୍ଯ ମିତା ବୁଝି ପାରିଲେ କି ନାହିଁ ସେକଥା ଜଣାନାହିଁ, ମାତ୍ର ଆଲମାରୀ ପଛପଟରୁ ଶୁଭୁଥିବା ଚିଁ ଚିଁ ଶବ୍ଦ ପ୍ରମାଣିତ କରୁଥିଲା ଯେ ମାଆର ମମତା ଆଗରେ ଦୁନିଆଁର କୃରତମ ବ୍ଯକ୍ତି ମଧ୍ଯ ନତମସ୍ତକ ହୋଇଯାଏ।। ବ୍ରହ୍ମାଣ୍ଡରେ ଥିବା ଜୀବନ୍ତପ୍ରାଣୀ ମାନଙ୍କର ଅନେକ ପ୍ରକାରଭେଦ ଥାଇପାରେ ଯେପରିକି ମନୁଷ୍ଯ,ପଶୁ,ପକ୍ଷୀ,କୀଟପତଙ୍ଗ ଆଦି ; କିନ୍ତୁ ମାଆର ମମତାର କୌଣସି ପ୍ରକାରଭେଦ ନ ଥାଏ। ମନୁଷ୍ଯ ଯେପରି ନିଜ ସନ୍ତାନର ସୁରକ୍ଷା ପାଇଁ ନିଜ ପ୍ରାଣକୁ ବାଜି ଲଗାଇ ଦେଇପାରେ, ସେପରି ଅନ୍ଯ ପଶୁପକ୍ଷୀ ମାନେ ମଧ୍ଯ ସନ୍ତାନ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ସେଥିପାଇଁ ତ ମାଆର ମମତା ସର୍ବବ୍ୟାପୀ ଓ ସର୍ବଶକ୍ତିଶାଳୀ। ଅନ୍ତତଃ ରାମଙ୍କ ସହ ଘଟିଥିବା ଘଟଣା ଏହାର ଜ୍ବଳନ୍ତ ପ୍ରମାଣ।



Rate this content
Log in

Similar oriya story from Inspirational