ମିନି ଗଳ୍ପ-ପରିବର୍ତ୍ତନ
ମିନି ଗଳ୍ପ-ପରିବର୍ତ୍ତନ
ସଂପ୍ରତି ଦେଶରେ ଅହେତୁକ ଭାବରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ,ହତ୍ୟା ଆଦିର ପ୍ରତିବାଦରେ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ମୋର ବାଲ୍ୟବନ୍ଧୁ ରାଜେଶ ଏକ ପ୍ରତିବାଦ ଶୋଭାଯାତ୍ରାର ଆଯୋଜନ କରୁଥିଲା । ଜଣେ ବିଚକ୍ଷଣ ଯୁବ ନେତା ଭାବରେ ଖୁବ ଅଳ୍ପ ସମୟ ମଧ୍ୟରେ ସର୍ବସାଧାରଣଙ୍କ ନିକଟରେ ବେଶ ପରିଚିତ ହୋଇ ସାରିଥିବା ରାଜେଶ ସରକାରଙ୍କ ଅପାରଗତାକୁ ଖୋଲାଖୋଲି ଭାବରେ ବିରୋଧ କରୁଥିଲା । ଯୋଜନା ଅନୁଯାଯୀ ଏକ ବିଶାଳ ଶୋଭାଯାତ୍ରା ସମଗ୍ର ସହରକୁ ପରିକ୍ରମା କରି ସରକାରଙ୍କ ବିରୋଧରେ ନାନା ସ୍ଲୋଗାନ ଦିଆଯିବ । ଏହାପରେ ସହରର ମୁଖ୍ୟ ଛକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ । ପରିଶେଷରେ ଦୋଷୀକୁ କୋଠର ଦଣ୍ଡ ଦେବା,ହତ୍ୟାକାରୀକୁ ସର୍ବସାଧାରଣଙ୍କ ସମ୍ମୁଖରେ ଫାଶୀ ଦେବା ଆଦି ବିଭିନ୍ନ ଦାବି ନେଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ସ୍ଥିର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦୁଇଟି ନାରୀ ସୁରକ୍ଷା ସଂଘ ଓ ମାନବାଧିକାର ପାଇଁ ଲଢେଇ କରୁଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ,ସଦସ୍ୟାମାନେ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ବନ୍ଧୁ ରାଜେଶ ମୋ ସହ ଚା ପିଇବା ଅବସରରେ କହୁଥିଲା । ଜଣେ ସାମ୍ବାଦିକ ଭାବରେ ସେଦିନ ସେହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ବିଭିନ୍ନ ଗଣମାଧ୍ୟମରେ ସିଧା ସଳଖ ପ୍ରସାରଣ କରାଇବା ସହ ବିଭିନ୍ନ ଖବରକାଗଜରେ ପ୍ରକାଶ କରିବାକୁ ରାଜେଶ ମୋତେ ଅନୁରୋଧ କରିଥିଲା । ଅବଶ୍ୟ ଏହି କାର୍ଯ୍ୟକ୍ରମଟି ଆୟୋଜନ କରିବା ପଛରେ ରାଜେଶର ଉଚ୍ଚାକ୍ଷାଂକା ଥିବା କଥା ମୋତେ ସ୍ପଷ୍ଟ ଜଣା ପଡୁଥିଲା । ପ୍ରଥମତଃ ଏହି କାର୍ଯ୍ୟକ୍ରମ ହିଁ ତାକୁ ଜଣେ ଟାଣୁଆ ନେତାର ମାନ୍ୟତା ଦେବ ଏବଂ ଦ୍ୱିତୀୟ କଥା ହେଲା ଆଗାମୀ ନିର୍ବାଚନରେ ଜଣେ ବିଧାୟକ ଭାବରେ ନିର୍ବାଚନ ଲଢିବା ପାଇଁ ପଥ ତାର ସୁଗମ ହୋଇ ଯିବ । ମୁଁ ମଧ୍ୟ ବନ୍ଧୁଙ୍କ କଥା ଟାଳି ନ ପାରି କାର୍ଯ୍ୟକ୍ରମକୁ କିପରି ଅଧିକ ପ୍ରଚାର କରାଯାଇ ପାରିବ ତାର ବ୍ୟବସ୍ଥା ମଧ୍ୟ କରିଥିଲି ।
ସେଦିନ ବଡି ଭୋରରୁ ରାଜେଶ ଗାଡି ଧରି ମୋ ଘର ସମ୍ମୁଖରେ ଅପେକ୍ଷା କଲା । ମୁଁ ମଧ୍ୟ କାଳବିଳମ୍ବ ନ କରି ନିଜର କ୍ୟାମେରା ଆଉ ବୁମ୍ ଧରି ତା ଗାଡିରେ ବସିପଡିଲି । ସେ ନିଜେ ଗାଡି ଡ୍ରାଇଭିଂ କରୁଥାଏ । ରାସ୍ତାରେ ଯାଉ ଯାଉ କାର୍ଯ୍ୟକ୍ରମକୁ କିପରି ବ୍ୟବସ୍ଥିତ ଢଙ୍ଗରେ କରାଯାଇ ପାରିବ, ତାର ଏକ ବିସ୍ତୁତ ବିବରଣୀ ମୋତେ ପ୍ରଦାନ କରୁଥିଲା । ଆମ ଗାଁ ଠାରୁ ଜିଲ୍ଲା ସଦର ମହକୁମା ପ୍ରାୟ ପଚାଶ କିଲୋମିଟର । ତେଣୁ ଆମେ ଦୁହେଁ ସକାଳ ଆଠଟା ସୁଦ୍ଧା ସହରରେ ପଂହଚି ସାରିଥିଲୁ । ରାଲି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥାଏ । କେତେକ ମହିଳା ଓ ପୁରୁଷ ରାଲିରେ ଯୋଗ ଦେବା ପାଇଁ ବହୁ ପୂର୍ବରୁ ପଂହଚି ସାରିଥାନ୍ତି । ଧିରେ ଧିରେ ଭିଡ ବଢିବାକୁ ଲାଗିଲା । ପୋଷ୍ଟର୍,ବ୍ୟାନର୍,ପ୍ଲାକାର୍ଡ ସବୁ ଧରି ଆରମ୍ଭ
ହୋଇଗଲା ରାଜେଶର ସେହି ବହୁ ପ୍ରତିକ୍ଷିତ ବିକ୍ଷୋଭ ଶୋଭାଯାତ୍ରା । ରାଜେଶକୁ ସହ ଯୋଗ କରୁଥାନ୍ତି ବର୍ତ୍ତମାନ ଦଳରୁ ବାଦ ପଡିଥିବା ଭୂତପୂର୍ବ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଦଧିବାମନ ସିଂହ । ଏହାପରେ ଆରମ୍ଭ ହୋଇଗଲା ଭାଷଣ ପର୍ବ । ରାଜେଶ ନିଜ ଭାଷଣରେ ସରକାରଙ୍କ ଅପାରଗତାକୁ ଦର୍ଶାଇବାକୁ ଯାଇ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କଲା । ଦିନକୁ ଦିନ ବଢୁଥିବା ନାରୀ ନିର୍ଯ୍ୟାତନା,ଅତ୍ୟାଚାର,ଦୁଷ୍କର୍ମକୁ ରୋକିବାରେ ଏ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗର୍ଜୁଥିଲା ରାଜେଶ । ତେଣୁ ଏଭଳି ଏକ ନିକମ୍ମା ସରକାରଙ୍କୁ ଜନତା ଆଗାମୀ ନିର୍ବାଚନରେ ଉପଯୁକ୍ତ ଜବାବ ଦେବେ ବୋଲି ରାଜେଶ ନିଜ ଭାଷଣରେ ଜନତାଙ୍କୁ ଉଦବୋଧନ ଦେଉଥାଏ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜେଶର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପରେ ସମାପନ ହୋଇଥିବାରୁ ସେ ନିଜର ସନ୍ତୋଷ ପ୍ରକାଶ କରୁଥିଲା । ଶେଷରେ ରାଜେଶ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ସରକାରଙ୍କ ବିରୁଦ୍ଧରେ ବିଭି ନ୍ନ ଅଭିଯୋଗ ଆଣିବା ସହ ସରକାର ନାରୀଜାତିର ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହୁଥିଲା ।
ଅପରାହ୍ନ ତିନିଟା ବେଳେ ଆମେ ଦୁଇ ବନ୍ଧୁ ନିଜର ଗୃହ ଅଭିମୁଖେ ଯାତ୍ରା କଲୁ । ବିକ୍ଷୋଭ ଶୋଭାଯାତ୍ରାକୁ ଜନସାଧାରଣ ଯେଭଳି ଭାବରେ ସ୍ୱାଗତ କଲେ ତାହା ତାକୁ ବିହ୍ୱଳ କରି ଦେଇଛି ବୋଲି ରାଜେଶର କଥାରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଅବଶ୍ୟ ସେ କଥା ପ୍ରସଙ୍ଗରେ କାର୍ଯ୍ୟକ୍ରମ ସଫଳତାରେ ମୋର ହାତ ଥିବାରୁ କେତେଥର ଧନ୍ୟବାଦ ମଧ୍ୟ ଜଣାଇ ସାରିଥାଏ । ରାସ୍ତାରେ ଆସୁଥିବା ବେଳେ ଘଟିଗଲା ଏକ ଅଭାବନୀୟ ଘଟଣା । ହଠାତ୍ ଆମ ଗାଡି ସାମ୍ନାକୁ ଚାଲି ଆସିଲା ଜଣେ ସ୍ୱଳ୍ପ ବସ୍ତ୍ର ପରିହିତା ତନ୍ୱୀ ତରୁଣୀ । ଅତ୍ୟାଧୁନିକ କେଶ ସଜ୍ଜା ସହ ହାଇହିଲ୍ ପରିହିତା ତରୁଣୀଜଣକ ଟ୍ରାଫିକ ସଙ୍କେତକୁ ନ ମାନି ଅକ୍ଳେଶରେ ରାସ୍ତା ପାର ହୋଇ ଗଲା । ରାଜେଶ ଗାଡିର ବ୍ରେକ କଷୁ କଷୁ ସେଇ ତରୁଣୀଟିକୁ ଚାହିଁ ସ୍ୱତଃ କହି ଉଠିଲା- ଓଃ...କ୍ୟା ଚିଜ୍ ହୈ? ରାଜେଶର ଏଭଳି ଆଚରଣରେ ମୁଁ ସ୍ତବ୍ଧ ହୋଇ ତାର ମୁହଁକୁ ଅନାଇଥିଲି । ମନେ ମନେ ଚିନ୍ତା କରୁଥିଲି- ନାରୀ ସୁରକ୍ଷା ପାଇଁ ସରକାରଙ୍କୁ ଗାଳି ଦେଉଥିବା ତଥା ନାରୀମାନଙ୍କୁ ସମ୍ମାନ ନ ଦେଇ ଏକ ପଣ୍ୟ ସାମଗ୍ରୀ ଭାବରେ ଗଣନା କରୁଥିବା ମୋର ଏହି କରିତ୍ କର୍ମା ବନ୍ଧୁଜଣକ ପାଖରୁ ସମାଜ କଣ ଆଶା କରିବ? କେବଳ ବିକ୍ଷୋଭ,ଶୋଭାଯାତ୍ରା,କୁଶ ପୁତ୍ତଳିକା ଦାହ କରି ନାରୀ ସୁରକ୍ଷା ପାଇଁ କୁମ୍ଭୀର କାନ୍ଦଣା କରିଲେ କଣ ନାରୀମାନେ ସୁରକ୍ଷିତ ରହିପାରିବେ? ନା, ଏଥିପାଇଁ ଲୋଡା ପରିବର୍ତ୍ତନ । ନାରୀ ଜାତି ପାଇଁ ଆମରି ଏଇ ପୁରୁଷପ୍ରଧାନ ସମାଜର ମାନସିକତାରେ ପରିବର୍ତ୍ତନ ଲୋଡା । ନାରୀଟିଏ ପଣ୍ୟ ସାମଗ୍ରୀ ନୁହେଁ...ସେ ହେଉଛି ପରା ଆମମାନଙ୍କର ମାଆ,ଜାୟା,ଜନନୀ,ଭଗିନୀ । ତେଣୁ ସମଗ୍ର ନାରୀଜାତିକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ଆମ ସମସ୍ତଙ୍କର ଧ୍ୟେୟ ହେଉ ।