The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

BIBHUTI BHUSAN SWAIN

Inspirational Drama

3  

BIBHUTI BHUSAN SWAIN

Inspirational Drama

ଅଳ୍ପ ଗଳ୍ପ- ଭାଇରାଲ ଭିଡିଓ

ଅଳ୍ପ ଗଳ୍ପ- ଭାଇରାଲ ଭିଡିଓ

4 mins
473


ଦିନକୁ ଦିନ ପ୍ରବୀଣାର ବ୍ୟବହାର ଅସହ୍ୟ ହୋଇ ଉଠୁଛି ଆକାଶ ପାଇଁ । ଯେଉଁ ପତ୍ନୀଙ୍କ କୋକିଳ କଣ୍ଠରେ ତାର ଘର ସ୍ୱର୍ଗପୁର ପରି ମନେ ହେଉଥିଲା, ସେଇ ଅବଗୁଣ୍ଠନବତୀ ଲଜ୍ଜାଶୀଳ ନାରୀଟି ଆଜି ଏତେ ମୁଖର ହୋଇ ପାରିଲା କିପରି? ନିଜକୁ ନିଜେ ପ୍ରଶ୍ନ କରୁଥିଲା ଆକାଶ । ନିଜ ଜନ୍ମ ଭୂମି ଠାରୁ ପ୍ରାୟ ଦୁଇ ଶହ କି.ମି. ଦୂରରେ ତାର କର୍ମସ୍ଥଳୀ । ପୁଅର ଖାଇବା ପିଇବାରେ ଅସୁବିଧା ହେବ ଜାଣି ଆକାଶର ମାଆ ସ୍ୱପ୍ନା ଦେବୀ ବୋହୂକୁ ଜୋର ଜବରଦସ୍ତ ବିବାହର ଦୁଇ ମାସ ପରେ ପୁଅ ପାଖକୁ ପଠାଇ ଦେଲେ । ମାତ୍ର ପ୍ରବୀଣା ଶାଶୁକୁ ଛାଡି କେଊଁ ଆଡେ ଯିବ ନାହିଁ ବୋଲି ରୋକଠୋକ ଆକାଶକୁ ଶୁଣାଇ ଦେଇଥିଲା । କାରଣ ଜଣେ କର୍ତ୍ତବ୍ୟନିଷ୍ଠ ବୋହୂ ହିସାବରେ ଶାଶୁଙ୍କ ପ୍ରତି ଯତ୍ନ ନେବାରେ ପ୍ରବୀଣା କେବେ ହେଲେ ଅବହେଳା କରି ନ ଥିଲା । ବୋଉ ମଧ୍ୟ ପ୍ରବୀଣାକୁ ନିଜ ଝିଅ ଠାରୁ ଅଧିକ ସ୍ନେହ କରୁଥିଲେ । ପରନ୍ତୁ ସ୍ୱପ୍ନା ଦେବୀ ବହୁ ବୁଝାସୁଝା କରି ବୋହୂକୁ ବାଧ୍ୟ କରି ପୁଅ ସହ ସହରକୁ ପଠାଇ ଦେଇଥିଲେ ।


ସବୁ କିଛି ଠିକଠାକ ଚାଲିଥିବା ବେଳେ ଅଚାନକ ଦିନେ ରାତିରେ ବାପା ହୃଦଘାତରେ ଆର ପାରିକୁ ଚାଲିଗଲେ । ବାପାଙ୍କ ମୃତ୍ୟୁ ପରେ ବୋଉ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲା । ସେ ପୂର୍ବ ଭଳି ଆଉ କାହା ସହ ବିଶେଷ କଥାବାର୍ତ୍ତା କରୁ ନ ଥିଲା । ବୋଉଙ୍କର ଏଭଳି ଆକସ୍ମିକ ପରିବର୍ତ୍ତନ ଆକାଶ ପାଇଁ ଚିନ୍ତାର କାରଣ ହୋଇଥିଲା । ବୋଉକୁ ଘରେ ଏକଲା ଛାଡି ଚାଲି ଯିବା ପାଇଁ ତାର ମନ ହେଉ ନ ଥାଏ । ବୋହୂ ପ୍ରବୀଣା ମଧ୍ୟ ଶାଶୁଙ୍କୁ ତାଙ୍କ ସହ ରହିବାକୁ ବାଧ୍ୟ କରୁଥାଏ । ବହୁ ସମୟ ଧରି ପୁଅ ବୋହୂ ସ୍ୱପ୍ନା ଦେବୀଙ୍କୁ ମନାଇବା ପରେ ଅଗତ୍ୟା ସେ ଗାଁ ଛାଡି ସହରରେ ରହିବାକୁ ରାଜି ହୋଇ ଗଲେ ।

ବୋଉ ଆସିବା ପରେ ଆକାଶର ଛୋଟ କ୍ୱାଟରଟି କୋଳାହଳରେ ପୂରିଗଲା । ଦିନସାରା ଆକାଶ ବିନା ଏକଲା ରହୁଥିବା ପ୍ରବୀଣା ବୋଉକୁ ପାଇ କୋଟିନିଧି ପାଇଲା ପରି ମନେ ହେଉ ଥାଏ । ଶାଶୁ ବୋହୂ ହସ,ଖୁସିରେ ଏମିତି ମଜ୍ଜି ଯାଉଥିଲେ ଯେ ସମୟ କେମିତି ବିତି ଯାଉଥିଲା କିଛି ଜଣା ପଡୁ ନ ଥାଏ । ସେମାନଙ୍କୁ ଦେଖି ଲାଗେ,ସତେ ଯେମିତି ଦୁହେଁ ଶାଶୁ ବୋହୂ ନ ହୋଇ ଦୁଇ ଅନ୍ତରଙ୍ଗ ବାନ୍ଧବୀ ।


ବୋଉ ଆସିବାର ଦୁଇ ମାସ ହୋଇ ସାରିଥାଏ । ଦିନେ ସଂଧ୍ୟାରେ ଆକାଶ ନିଜ କର୍ମସ୍ଥଳୀରୁ ଘରକୁ ଫେରୁଥାଏ । ହଠାତ୍ ଘର ଭିତରୁ ଶାଶୁ ବୋହୂଙ୍କର ମଧ୍ୟରେ ଚାଲିଥିବା କଳିଗୋଳ ସେ ଶୁଣି ପାରୁଥିଲା । ଘଟଣା କଣ ଜାଣିବା ପାଇଁ ସେ ଘର ଭିତରକୁ ପ୍ରବେଶ କଲା-ଦେଖିଲା ପତ୍ନୀ ପ୍ରବୀଣା ହାତରେ ଏକ ବେଲଣା କାଠି ଧରି ସ୍ୱପ୍ନା ଦେବୀକୁ ଉଚ୍ଚ ସ୍ୱରରେ କହୁଥାଏ- "ବୁଝିଲ, ତୁମର ସେ ଶାଶୁ ପଣିଆ ମୋ ଆଗରେ ଦେଖାଅ ନା । ତମର ଯଦି ତୁମ ଝିଅ ପାଇଁ ଏତେ ଦରଦ୍,ତେବେ ତୁମେ ଏଠାକୁ କାହିଁକି ଆସିଲ୍? ଗଲ ନାହିଁ ତମର ସେହି ଅଲୀଅଳି ଗେହ୍ଲି ଝିଅ ପାଖକୁ ।"


- "ଆଲୋ ତୁ ମୋତେ ଏତେ କଥା କହିବାକୁ କିଏ ବା! ମୋ ପୁଅ ପାଖରେ ମୁଁ ରହିଲି, ତୋର କଣ ଗଲା । ଆରେ...କିଛି ନ କହିଲାରୁ ୟାର ମୁହଁ ବଢି ବଢି ଯାଉଛି ।"-ହାତରେ ଏକ ଝାଡୁ ଧରି ବୋଉ ପ୍ରବୀଣାର ଚଉଦ ପୁରୁଷ ଉଝାଳୁଥାଏ ।


ଶାନ୍ତ,ଶୀତଳ ସମୀର ବହୁଥିବା ଧରା ପୃଷ୍ଠରେ ଅକସ୍ମାତ ପ୍ରଚଣ୍ଡ ବତାସର ଆଗମନ ସମଗ୍ର ଧରଣୀକୁ ମୂର୍ଚ୍ଛିତ କରି ଦେଲା ପରି ଆକାଶର ହସଖୁସିର ଛୋଟ ସଂସାରଟି କେଉଁ ଏକ ଦୁଷ୍ଟ ଗ୍ରହର ପ୍ରଭାବରେ ଛାରଖାର ହୋଇ ଯାଉଛି,ସେ କଥା ସେ ବୁଝି ପାରୁ ନ ଥାଏ । ହଠାତ୍ ବୋଉ ଆକାଶକୁ ଚାହିଁ କହିଲେ- "ଦେଖ ପୁଅ, ମୁଁ ତୋର ଏହି କଳୀହୁଡି ସ୍ତ୍ରୀ ପାଖରେ ରହି ପାରିବି ନାହିଁ । ତାର ମୁହଁ ମୁଁ କ୍ଷଣେ ଚାହିଁବି ନାହିଁ । ମୋତେ ଏଠାରୁ ନେଇ ଗାଁରେ ଛାଡି ଦେଇ ଆ, ନହେଲେ ଏଇ କ୍ୱାଟରରେ ମୋ ଲାଗି ଅଲଗା ରୋଷେଇ କରିବାର ବ୍ୟବସ୍ଥା କର । ମୁଁ ତା ହାତରୁ ପାଣି ସୁଦ୍ଧା ସ୍ପର୍ଶ କରିବି ନାହିଁ ।" ପ୍ରବୀଣା ମଧ୍ୟ ଉହଁକି ଆସି ରୋକଠୋକ ଶୁଣାଇ ଦେଲା-"ମୋର କଉ ଗରଜ ପଡିଛି ଯେ ତୁମ ପାଇଁ ରୋଷେଇ କରିବି । ମୁଁ ମଧ୍ୟ ତୁମ ମାଆ ପାଖରେ ଚଳିପାରିବି ନାହିଁ । ତାଙ୍କୁ ଯଦି ତୁମ ପାଖରେ ରଖିବାକୁ ଚାହୁଁଛ,ତେବେ ମୋତେ ମୋ ବାପ ଘରେ ଛାଡି ଦେଇ ଆସ ।" ସ୍ୱାମୀଙ୍କ ମୁହଁକୁ ଅନାଇ ପ୍ରବୀଣା ରୋକଠୋକ ଶୁଣାଇ ଦେଲା ।


କିଂକର୍ତ୍ତବ୍ୟବିମୂଢ ଆକାଶ ଘଟଣା କଣ ଜାଣିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶାଶୁ ବୋହୂ ପାଖରୁ କିଛି ଖବର ପାଇଲା ନାହିଁ । ଘଟଣାଟି ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଘରେ ଶାଶୁ ବୋହୂଙ୍କର ଝଗଡା ଶେଷ ହେବାର ନାଁ ନେଉ ନ ଥାଏ । ନିଜ ଧର୍ମପତ୍ନୀ ପ୍ରବୀଣାକୁ ବହୁ ସମୟ ବୁଝାଇ ଥିଲେ ମଧ୍ୟ ପ୍ରବୀଣା ନିଜ ଜିଦରେ ଅଟଳ ଥାଏ । ସେ ଅଲଗା ରୋଷେଇ କରି ଖାଇବ ପଛେ ଶାଶୁଙ୍କ ସହ ଚଳିବ ନାହିଁ । ବ୍ୟସ୍ତ,ବିବ୍ରତ ଆକାଶ ବୋଉର ପକ୍ଷ ନେଇ ପ୍ରବୀଣାକୁ କିଛି କହୁଥାଏ ନା ପ୍ରବୀଣା ସହ ଅଲିଖିତ ସନ୍ଧିଟିଏ କରି ଘଟଣାକୁ ଆଗକୁ ନ ନେବା ପାଇଁ ବୋଉକୁ କହି ପାରୁ ଥାଏ ।


ସେଦିନର ଘଟଣା ପରେ ସଦାସର୍ବଦା ନିଜ କର୍ମକୁ ଅଗ୍ରାଧିକାର ଦେଉଥିବା ଆକାଶ ଅନ୍ୟମନସ୍କ ରହୁଥାଏ । ତାର ସଦା ହସ ହସ ମୁହଁରେ ଘୋଟି ଆସିଥାଏ ବିଷର୍ଣ୍ଣତାର କଳା ବାଦଲ । ସେଦିନ ଅଫିସରେ ସେ ପ୍ରବୀଣାର ପରିବର୍ତ୍ତିତ ରୂପ କଥା ଚିନ୍ତା କରୁଥିବା ସମୟରେ ଅଫିସର ବଡ ବାବୁ ଡାକ ପକାଇଲେ- "ଆକାଶ ବାବୁ,ଆକାଶ ବାବୁ...ଟିକେ ମୋ ପାଖକୁ ଆସିଲେ । ଆରେ ଟିକେ ଜଲଦି ଆସନ୍ତୁ ନା ...."

ସଦା ସର୍ବଦା ନିଜ ଆଣ୍ଡ୍ରୁଏଡ ମୋବାଇଲରେ ବ୍ୟସ୍ତ ରହୁଥିବା ଦାସ ବାବୁଙ୍କ କଥା ଶୁଣି ଆକାଶ ବଡବାବୁଙ୍କ ଟେବୁଲ ଆଡକୁ ଆଗଇଲା । ବଡବାବୁ ଆକାଶକୁ ଦେଖି ନିଜ ମୋବାଲଲରେ ଭାଇରାଲ ହୋଇ ଥିବା ଟିକଟକ ଭିଡିଓଟିଏ ଦେଖାଇଲେ । ଭିଡିଓ ଦେଖୁ ଦେଖୁ ଆକାଶର ହୋସ ଉଡିଗଲା ପରି ଲାଗିଲା । ଦେଖିଲା ତାର ମାଆ ଓ ପତ୍ନୀ ପ୍ରବୀଣା ପରସ୍ପର ମଧ୍ୟରେ ଝଗଡା ଲାଗୁଛନ୍ତି । ହେ ଭଗବାନ୍, ଏମିତି ଭିଡିଓ କିଏ ଭାଇରାଲ କଲା ? ନିଶ୍କୟ ଏହା ପ୍ରବୀଣାର କାମ । କଣ କହିବେ ତାର ସାଙ୍ଗ ସାଥୀ, ବନ୍ଧୁବାନ୍ଧବ । ଲଜ୍ଜାରେ ମୁଣ୍ଡ ତାର ତଳକୁ ହୋଇ ଆସୁଥାଏ । ତାକୁ ଚାରିଆଡେ ଅନ୍ଧାର ଦେଖା ଯାଉଥାଏ ।ହଠାତ୍ ମୋବାଇଲ ଭିତରୁ ବୋଉର ମଧୁର କଣ୍ଠ ସ୍ୱର ଶୁଭୁଥାଏ । ସେ ପୁଣି ମୋବାଇଲରେ ଭିଡିଓଟିକୁ ଦେଖିବାକୁ ଲାଗିଲା । ଭିଡିଓରେ ବୋଉ ବସିଥାଏ ଚେୟାର ଉପରେ ଆଉ କହୁଥାଏ- "ଆପଣମାନେ ହୁଏତ ଶାଶୁ ବୋହୂ ମଧ୍ୟରେ ଅନେକ କଳି ଝଗଡା ଦେଖିଥାଇ ପାରନ୍ତି । କିନ୍ତୁ କେବେ ନିଜ ବୋହୂକୁ ନିଜ ଝିଅ ପରି ଭାବିଛନ୍ତି କି? ନିଜର ଶାଶୁ ପଣିଆକୁ ଜାହିର ନ କରି ତାକୁ ମାଆଟିଏ ଭଳି ସ୍ନେହ ଶ୍ରଦ୍ଧା ଅଜାଡି ଦେଇଛନ୍ତି କି ?" ପ୍ରବୀଣା ମୁଣ୍ଡରେ ଓଢଣୀ ଦେଇ ଶାଶୁକୁ ମୁଣ୍ଡିଆ ମାରି ହସି ହସି କହୁଥାଏ- "ଶାଶୁକୁ ନିଜ ମାଆ ଭଳି ଭଲ ପାଇଲେ, ଶାଶୁ ବୋହୂର ସମ୍ପର୍କ ମାଆ ଝିଅର ସମ୍ପର୍କରେ ରୂପାନ୍ତରିତ ହୋଇଯାଏ । ଆଉ ସେ ଘର ପାଲଟି ଯାଏ ସରଗପୁର । ତେଣୁ ଆପଣମାନେ ମଧ୍ୟ ପରସ୍ପର ଭିତରେ କଳିକଜିଆ ନ କରି ମାଆ ଝିଅର ସମ୍ପର୍କ ନେଇ ଚଳନ୍ତୁ ।" ଏହା କହି ଶାଶୁ ବୋହୂ ଦୁହେଁ ପରସ୍ପରକୁ କୋଳାଗ୍ରତ କରୁଥିବାବେଳେ ସ୍ୱପ୍ନା ଦେବୀ କହୁଥାନ୍ତି- "ଭିଡିଓଟି ଯଦି ଭଲ ଲାଗିଲା ତେବେ ଲାଇକ କରନ୍ତୁ,ସେୟାର କରନ୍ତୁ ଆଉ ନିଶ୍କୟ କମେଣ୍ଟ ଦିଅନ୍ତୁ ।"



Rate this content
Log in

More oriya story from BIBHUTI BHUSAN SWAIN

Similar oriya story from Inspirational