BIBHUTI BHUSAN SWAIN

Inspirational

3  

BIBHUTI BHUSAN SWAIN

Inspirational

ଈଶ୍ୱର ଆଲ୍ଲା ତେରା ନାମ୍

ଈଶ୍ୱର ଆଲ୍ଲା ତେରା ନାମ୍

9 mins
455


  ଗାଁ ମୁଣ୍ଡର ଝଙ୍କା ବରଗଛ ନିକଟସ୍ଥ ଆମ କ୍ଲବଘରେ ସେଦିନ ବିରଜମାନ କରୁଥିଲା ଅସମ୍ଭବ ନୀରବତା । ଆଷାଢ ଆକାଶର ମେଘମେଦୁର ଛାତିରେ ସହସା ଦପ୍ କରି ଆଖି ଝଲସେଇ କେଉଁଆଡେ ଅଦୃଶ୍ୟ ହୋଇଯାଉଥିବା ବିଜୁଳି ପରି ବେଳେ ବେଳେ ଶୁଭୁଥାଏ ଶୁଭ୍ରାଂଶୁ ଭାଇର ଗୁରୁଗମ୍ଭୀର ସ୍ୱର ।

- "ଏ ଶୋଭାଯାତ୍ରା ହେବ ମାନେ ହିଁ ହେବ । ମୋତେ କେହି ଆଜି ରୋକି ପାରିବେ ନାହିଁ ।"

- "ଭାଇ! ଆପଣ କଥାଟାର ଗୁରୁତ୍ୱ ଟିକିଏ ବୁଝିବାକୁ ଚେଷ୍ଟା କରନ୍ତୁ ।" ଆମେ ସବୁ ଶୁଭ୍ରାଂଶୁ ଭାଇଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲୁ । ସେ କିନ୍ତୁ ନିଜ ଜିଦ୍ ରେ ଅଟଳ ଥିଲେ ।

 ପ୍ରତ୍ୟେକ କଥାରେ ନିଜର ସଯତ୍ନ ବର୍ଦ୍ଧିତ ରଙ୍ଗକରା ନିଶକୁ ବାମ ହାତରେ ସାଉଁଳୁଥିବା ଶୁଭ୍ରାଂଶୁ ଭାଇ ନିଜର ନିଶ ମୋଡୁ ମୋଡୁ କହିଲେ- "ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଅଯୋଧ୍ୟାରେ ରାମ ମନ୍ଦିର ହେବ । ଏଥିରେ ଆମମାନଙ୍କର ବିଜୟ ଲାଭ ହୋଇଛି । ଆମେ ବାଜା ବଜାଉ କି ରୋଷଣୀ କରି ଶୋଭାଯାତ୍ରା କରୁ,କାହାର କଣ କହିବାର ଅଛି? ଆମ କ୍ଲବର ସଭାପତି ପଦ ଅଳଙ୍କୃତ କରିଥିବା ତଥା ବିଭିନ୍ନ କାର୍ଯ୍ୟକ୍ରମରେ ଅକୁଣ୍ଠ ଚିତ୍ତରେ ପଇସା ଖର୍ଚ୍ଚ କରିବାରେ ଆଦୌ କାପଣ୍ୟ କରୁନଥିବା ଶୁଭ୍ରାଂଶୁ ଭାଇଙ୍କ କଥାକୁ ଟାଳିବାରେ ଆମମାନଙ୍କର ତିଳେମାତ୍ର ସାହାସ ନ ଥିଲା । ଆମେ ପରସ୍ପର ମୁହଁକୁ ଚାହିଁ କେବଳ ନୀରବ ପ୍ରତିବାଦଟିଏ ଛଡା ଆଉ କିଛି କରିବାର ଚାରା ନଥିଲା । ମାତ୍ର ସମସ୍ତ ସଦସ୍ୟମାନଙ୍କ ଠାରୁ ମୋତେ ଯେ ଶୁଭ୍ରାଂଶୁ ଭାଇ ଟିକେ ଅଧିକ ସମ୍ମାନ ଦିଏ,ସେକଥା ଆମ କ୍ଲବ ମେମ୍ବରମାନଙ୍କ ଠାରୁ ସମଗ୍ର ଗ୍ରାମବାସୀକୁ ବେଶ୍ ଭଲ ଭାବରେ ଜଣାଥିଲା । ତେଣୁ ସମସ୍ତ ସଦସ୍ୟ ମୋତେ ଚାହିଁ ରହିଲେ ଯେମିତି ମୁଁ କିଛି କହି ଶୁଭ୍ରାଂଶୁ ଭାଇଙ୍କ ପ୍ରସ୍ତାବିତ ଶୋଭାଯାତ୍ରାକୁ ବନ୍ଦ କରିଦିଏ ।

- "ଦେଖ ଭାଇ, ସୁପ୍ରିମ କୋର୍ଟ ଦେଇଥିବା ରାୟ ଯାହା ହେଉନା କାହିଁକି,ସମସ୍ତ ପକ୍ଷ ସଂଜମ ଆଚରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତାହାଛଡା କେହି କୌଣସି ଶୋଭାଯାତ୍ରା ,ପଟୁଆର କି ବାଣ ରୋଷଣୀ ନେଇ ବିଜୟ ଉତ୍ସବ ପାଳନ ନ କରିବାକୁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆମେ ଏ ଶୋଭାଯାତ୍ରା ନ କଲେ କଣ ଚଳନ୍ତା ନାହିଁ?" ଯଥେଷ୍ଟ ସଂଯମତା ଅବଲମ୍ବନ କରି ମୁଁ ବୁଝାଇବାକୁ ଚେଷ୍ଟା କରୁଥିଲି ଶୁଭ୍ରାଂଶୁ ଭାଇକୁ ଅ ସେ ମୋ କଥାକୁ ଧ୍ୟାନପୂର୍ବକ ଶୁଣୁଶୁଣୁ ନିଜର ବାମ ହାତର କଟା ବୃଦ୍ଧାଙ୍ଗୁଠି ଉପରେ ହାତ ବୁଲାଇ ଆଣିଲେ । ହଠାତ୍ ତାଙ୍କର ଆଖି ଦୁଇଟା ଏକ କ୍ଷୁଧାତୁର ବାଘ ପରି ଦପ୍ ଦପ୍ କରି ଜଳି ଉଠିଲା ।ସେ କଣ ଚିନ୍ତା କରି କହିଲେ-"ଶୁଣ୍,ଯଦି ତୁମେ ମାନେ ଶୋଭାଯାତ୍ରା ପାଇଁ ମନା କରୁଛ୍,ତେବେ ଗାଁ ସାରା ନ ହେଲେ ନାହିଁ,କରିମ୍ ମିଆଁ ଘର ପର୍ଯ୍ୟନ୍ତ ହେବା ଆବଶ୍ୟକ । ମୋର ପ୍ରତିଶୋଧ ଦରକାର । ସେଦିନ କରିମ୍ ମିଆଁ ମୋ ପ୍ରତି କରିଥିବା ଅତ୍ୟାଚାରର ପ୍ରତିଶୋଧ ମୁଁ ଆଜି ନିଶ୍ଚୟ ନେବି ।" କହୁ କହୁ ତାଙ୍କର ମୁଖମଣ୍ଡଳରେ ଘୋଟି ଆସୁଥିଲା ବହୁ ଦିନରୁ ସଂଚିତ କ୍ରୋଧ । କରିମ୍ ମିଆଁ କଥା ଶୁଣୁ ଶୁଣୁ ମୋର ଶୁଭ୍ରାଂଶୁ ଭାଇର ସେଦିନର ଦୁର୍ଘଟଣା କଥା ମନେ ପଡୁଥିଲା ।

  ସେତେବେଳେ ଶୁଭ୍ରାଂଶୁ ଭାଇ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରି ଚାକିରୀ ନ ପାଇ ଗାଁରେ ରହୁଥାନ୍ତି । ସେ କେଉଁ ଗୋଟେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଥାନ୍ତି ବୋଲି ଆମେମାନେ ଶୁଣିଥିଲୁ । ସେଥିପାଇଁ ତାଙ୍କୁ ବେଳେବେଳେ ବାହାରକୁ ଯାଇ କଣ ସବୁ ସଭା ସମିତିରେ ଭାଷଣ ଦେଇ ଦୁଇ ତିନି ଦିନ ପରେ ଗାଁକୁ ଫେରି ଆସନ୍ତି । ଆମ ଗାଁର ପ୍ରଥମ କଲେଜ ପଢୁଆ ତଥା ୟୁନିଭରସିଟି ଟପର ଭାବରେ ଇତିହାସରେ ସ୍ୱର୍ଣ୍ଣପଦକ ପ୍ରାପ୍ତ ହୋଇ ଥିବା ଏହି ସୁଦର୍ଶନ ଯୁବକଟିର ଭବିଷ୍ୟତ ଯେ ଉଜ୍ଜଳ ସେକଥା ଗାଁର ଅବସରପ୍ରାପ୍ତ ନୀତିନିଷ୍ଠ ପ୍ରଧାନଶିକ୍ଷକ ଦାମ ସାର୍ ସଗର୍ବେ କହୁଥିବାର ଆମେ ବହୁଥର ଶୁଣିଥିଲୁ । ହଠାତ୍ ବାବ୍ରୀ ମସଜିଦ୍ ଭାଙ୍ଗିବା ପାଇଁ କରସେବକମାନଙ୍କ ସହ ଆଯୋଧ୍ୟାରେ ଆବିର୍ଭାବ ହୁଏ ଶୁଭ୍ରାଂଶୁ ଭାଇଙ୍କର । ସେଠାରେ ଘଟୁଥିବା କାହାଣୀ ସବୁ ଆମେ ରେଡିଓ ଆଉ ଟେଲିଭିଜନରୁ କିଛି କିଛି ଖବର ପାଉଥାଉ । ତେବେ ବାବ୍ରୀ ମସଜିଦ୍ ଭାଙ୍ଗିବାର ସାତ ଆଠ ମାସ ପରେ ଶୁଭ୍ରାଂଶୁ ଭାଇ ଗାଁକୁ ଫେରି ଆସନ୍ତି । ମାତ୍ର ସେହି ସମୟରେ ସେ କେଉଁଆଡେ ଥିଲେ,କଣ କରୁଥିଲେ ତାହା ଅଦ୍ୟବଧି ଆମ ସମସ୍ତଙ୍କ ପାଇଁ ରହସ୍ୟାବୃତ୍ତ ହୋଇ ରହିଛି । ତେବେ ସେଦିନ ଶୁଭ୍ରାଂଶୁ ଭାଇଙ୍କ ଜୀବନରେ ସେହି ଲୋମହର୍ଷଣକାରୀ ଘଟଣାଟି ଯଦି ଘଟି ନଥାନ୍ତା,ତେବେ ଏ କାହାଣୀ ଆଜି ଜନ୍ମ ନେଇ ନଥାନ୍ତା । ବାପା,ମାଆଙ୍କର ଏକମାତ୍ର କୂଳନନ୍ଦନ ଶୁଭ୍ରାଂଶୁ ଓରଫ୍ ଶୁଭ ଘରକୁ ଫେରିଆସିବା ଖୁସିରେ ପରିବାର ପକ୍ଷରୁ ଏକ ଭବ୍ୟ ଭୋଜିର ଆୟୋଜନ କରାଯାଇଥାଏ । ଏହି ଭୋଜିରେ ସାମିଲ ହେବାକୁ ନିଜର ପାରିବାରିକ ବନ୍ଧୁବାନ୍ଧବଙ୍କ ସହ ସମସ୍ତ ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରିଥାନ୍ତି ଶୁଭ୍ରାଂଶୁ ଭାଇଙ୍କ ବାପା ଅଭୟ ସାମନ୍ତରାୟ । ତେବେ ଅତିଥିମାନଙ୍କ ପାଇଁ ଅଭୟ ବାବୁ ଖାସିମାଂସର ବରାଦ ଦେଇଥାନ୍ତି ଗ୍ରାମର ଏକମାତ୍ର ମାଂସକଟାଳୀ କରିମ୍ ମିଆଁକୁ । ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ମାଂସ ପଂହଚି ନ ପାରିବାରୁ ବ୍ୟସ୍ତ ହୋଇ ଅଭୟ ବାବୁ ଶୁଭ୍ରାଂଶୁକୁ କରିମ୍ ମିଆଁର ଦୋକାନକୁ ପଠାଇଲେ ।

  ଶୁଭ୍ରାଂଶୁ ଭାଇ ଯେତେବେଳେ କରିମ୍ ମିଆଁର ଦୋକାନରେ ପଂହଚି ନିଜର ଚିରାଚରିତ ଢଙ୍ଗରେ "ଜୟ ଶ୍ରୀରାମ ଚାଚା" ବୋଲି କହିଲେ,ସେତିକିବେଳେ କରିମ୍ ମିଆଁର ରାଗ ଆଉ ଦେଖେ କିଏ? ସେ ଗୋଟେ ମଲା ଛେଳିର ଶରୀରରୁ ଚମଡା ଉତ୍ତାରୁ ଉତ୍ତାରୁ ଶୁଭ୍ରାଂଶୁ ଆଡକୁ ଗୋଟେ ତୀର୍ଯ୍ୟକ୍ ଚାହାଣୀ ହାଣି କହି ଉଠିଲା- "ସେଦିନ ଯଦି ମୁଁ ସେଠାରେ ଥାନ୍ତି, ତେବେ ଏଇ କାଫେର୍ ଗୁଡାକୁ ଏକାଥରକେ କତଲ୍ କରି ଦେଇଥାନ୍ତି ।" ଏକଥା ଶୁଣି ଶୁଭ୍ରାଂଶୁ ଭାଇ ରାଗ ଗରଗର ହୋଇ କହି ଉଠିଲେ-"ଆରେ ପାପିଷ୍ଠ,ତୋର ଯଦି ଏତେ ବହପ,ତେବେ ଏଇ ଗାଁରେ ତୋତେ କିଏ ରହିବାପାଇଁ ଜାଗା ଦେଇଥିଲା? କାହର ବଳ ପାଇ ତୁ ଆଜି ଆମମାନଙ୍କୁ କାଫେର୍ କହୁଛୁ?"ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଭୟଙ୍କର ଝଗଡା । କେହି କିଛି ବୁଝିବା ଆଗରୁ କରିମ୍ ମିଆଁ ତାର ତୀକ୍ଷ୍ଣ ମାଂସକଟା କଟୁରୀରେ ଆକ୍ରମଣ କଲା ଶୁଭ୍ରାଂଶୁଙ୍କୁ । ସେଇ କଟୁରୀ ଆକ୍ରମଣକୁ ପ୍ରତିରୋଧ କରିବା ବେଳେ ଶୁଭ୍ରାଂଶୁ ଭାଇଙ୍କର ବାମ ହସ୍ତର ବୃଦ୍ଧାଙ୍ଗୁଷ୍ଠି ହେଲା ଭୂପତିତ । ସଦ୍ୟ ମୃତ ଛେଳିର ରକ୍ତ ସହ ଶୁଭ୍ରାଂଶୁ ଭାଇଙ୍କର ରକ୍ତ ମିଶି ସେଠାରେ ସୃଷ୍ଟି ହୋଇଥିଲା ଏକ ଭୟଙ୍କର ପରିବେଶ । କରିମ୍ ମିଆଁର ଆକ୍ରମଣରେ ଶୁଭ୍ରାଂଶୁ ଗୁରୁତର ଆହତ ହୋଇଥିବା ଖବର ବିଜୁଳି ବେଗରେ ସବୁଆଡେ ବ୍ୟାପିଗଲ । ଗ୍ରାମର ପ୍ରତିପତ୍ତିଶାଳୀ ଅଭୟ ବାବୁଙ୍କ ଏକମାତ୍ର କୂଳନ ନ୍ଦନ ଶୁଭ୍ରାଂଶୁଙ୍କୁ ଆକ୍ରମଣ କରାଯିବା ଖବର ପୋଲିସ ପାଖରେ ମଧ୍ୟ ପଂହଚି ଯାଇଥିଲା । ଗ୍ରାମରେ କାଳେ ଦଙ୍ଗା ସୃଷ୍ଟି ହେବ, ଏଇ ଆଶଙ୍କାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା ଅନିଦ୍ଦିଷ୍ଟ କାଳ ପାଇଁ । ଏକ ଅବିଶ୍ୱାସ ବାତାବରଣର ଆସ୍ତରଣରେ ପୋଲିସ ଛାଉଣୀରେ ଭର୍ତ୍ତି ଆମ ଗ୍ରାମର ନିରୀହ ଗ୍ରାମବାସୀମାନେ ଏକ ଅନାଗତ ଆଶଙ୍କା ମଧ୍ୟରେ ଭୀତତ୍ରସ୍ତ ଅବସ୍ଥାରେ କାଳ କାଟୁଥାନ୍ତି । ଦଙ୍ଗା ସୃଷ୍ଟି କରାଇବା ତଥା ହତ୍ୟା ଅଭିଯୋଗରେ କରିମ୍ ମିଆଁକୁ ହୋଇଗଲା ପାଂଚବର୍ଷ ଜେଲ ଦଣ୍ଡ । ଆଉ ଦଙ୍ଗା ସୃଷ୍ଟି କଲା ଭଳି କୌଣସି ସନ୍ଦେହଜନକ କାର୍ଯ୍ୟକଳାପରେ ଲିପ୍ତ ନ ରହିବାକୁ ଶୁଭ୍ରାଂଶୁ ଭାଇକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆ ଯିବା ସହ ଏକ ଲିଖିତ ପ୍ରତିଶୃତି ମଧ୍ୟ ନିଆଯାଇଥିଲା । ସେହିଦିନ ଠାରୁ ଶୁଭ୍ରାଂଶୁ ଭାଇ କରିମ୍ ମିଆଁ ଉପରେ ରାଗ ଶୁଝାଇବାକୁ ସୁଯୋଗ ଉଣ୍ଡୁ ଥାଆନ୍ତି ।

    ଶୁଭ୍ରାଂଶୁ ଭାଇଙ୍କ ଜିଦ୍ ଆଗରେ ଆମେ ସମସ୍ତେ ହାର ମାନି ନେଇ ଶୋଭାଯାତ୍ରା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାଉ । ଯଦିଓ ଅଧିକାଂଶ ସଦସ୍ୟ ଏଭଳି ଏକ ଅନାବଶ୍ୟକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନିଚ୍ଛୁକ ଥିଲେ ତାହା ସେମାନଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ପ୍ରତୀତମାନ ହେଉଥିଲା । ଆମ କ୍ଲବର ରାଜେନ୍ଦ୍ର ଆଉ ବୀରେନ୍ କୁ ଦାୟିତ୍ୱ ଦିଆଯାଇଥିଲା ସେମାନେ ବ୍ୟାଣ୍ଡ ପାର୍ଟି ଆଉ ସାଉଣ୍ଡ ଗାଡି ଧରି ଆସିବାକୁ । ଏହାପରେ ଆମମାନଙ୍କ ମଧ୍ୟରେ ଆଲୋଚନା ହେଲା କେମିତି ଶୋଭାଯାତ୍ରାକୁ ସଫଳତାର ସହ ସମ୍ପନ୍ନ କରିବୁ । ଶୁଭ୍ରାଂଶୁ ଭାଇ ନିଜେ ଶୋଭାଯାତ୍ରାର ଆମୂଳଚୂଳ ପ୍ରସ୍ତୁତି ସମ୍ପର୍କରେ ଆମମାନଙ୍କୁ ଅବଗତ କରାଉଥିଲେ । ହଠାତ୍ ପୂର୍ବଦିଗରୁ ଖୁବ୍ ଜୋର୍ ରେ ପବନ ବହିବାକୁ ଲାଗିଲା । ଆକାଶରେ ଜମାଟ ବାନ୍ଧିଥିବା ମେଘସବୁ ହଠାତ୍ ଯେମିତି ପରିବର୍ତ୍ତିତ ହୋଇଯାଉଥିଲେ ଗୋଟେ ଗୋଟେ ଭୟଙ୍କର ଦାନବ ଯାହାଙ୍କ ମୁଖରୁ ଅବିରତ ଧାରାରେ ବର୍ଷୁଥିଲା ଅଜସ୍ର ବାରିଧାରା । ପ୍ରକୃତିର ଏହି ପରିବର୍ତ୍ତିତ ଭୟାବହ ବାତ୍ୟା ଯେ ବହୁ ଚର୍ଚ୍ଚିତ ବୁଲ୍ ବୁଲ୍ ସେକଥା ଆମେମାନେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରୁ ଜାଣିଥିଲୁ ।ମାତ୍ର ଏହା ଏତେ ଭୟଙ୍କର ହୋଇପାରେ ସେକଥା ଆମେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥିଲୁ ସେଇ ନିଚ୍ଛାଟିଆ  କ୍ଲବ ଘରେ ବସି । ମାତ୍ର ଶୁଭ୍ରାଂଶୁ ଭାଇଙ୍କର ପରିକଳ୍ପିତ ବିଜୟ ଶୋଭାଯାତ୍ରାକୁ ପ୍ରକୃତି ଏଭଳି ଭାବରେ ମାତ୍ ଦେବ ସେକଥା ସେ କଳ୍ପନା ସୁଦ୍ଧା କରି ନଥିଲେ ।

   ହଠାତ୍ ଏକ ପ୍ରଚଣ୍ଡ ବିସ୍ପୋରଣର ଶବ୍ଦ ଶୁଣି ଆମେ ସମସ୍ତଙ୍କ ଦୃଷ୍ଟି ଗାଁ ଆଡକୁ ପଡିଲା । ଦେଖିଲୁ- ପ୍ରଚଣ୍ଡ ବଜ୍ରାଘାତ ଆଉ ପ୍ରବଳ ବେଗରେ ବହୁଥିବା ପବନରେ କରିମ୍ ମିଆଁର ଘର ନିକଟରେ ଥିବା ଏକ ବୁଢା ଜାମୁ ଗଛ ଭୂପତିତ ହୋଇଛି । ସେହି ବୃହତ୍ ଜାମୁ ଗଛ ଯାହାର ଏକ ଶାଖାରେ କରିମ୍ ମିଆଁ କେତେ ଯେ ମଲାଛେଳି ଓହଳାଇ ତାର ଛାଲ ଉତ୍ତରିଥିବ ତାର କୌଣସି ହିସାବ ନ ଥିବ, ତାର ଏକ ପ୍ରକାଣ୍ଡ ଶାଖା କରିମ୍ ମିଆଁର ଦୁଇ ବଖରା ଚାଳ ଛପର ଘର ଉପରେ ମାଡି ବସିଛି । କିଏ ଜଣେ ଚିହ୍ଲାଉ ଥାଏ- "ଆରେ କିଏ କେଉଁଠି ଅଛି,ଜଲଦି ଆସ ! କରିମ୍ ମିଆଁକୁ ରକ୍ଷା କର ।" ଏଭଳି ସ୍ଥିତିରେ ଆମେ ମାନେ କଣ କରିବୁ,କିଛି ସ୍ଥିର କରି ପାରୁ ନଥିଲୁ । ଅଚାନକ ଶୁଭ୍ରାଂଶୁ ଭାଇ କାହାକୁ କିଛି ନ କହି ଝଡ ପରି ଦ୍ରୁତ ଗତିରେ ଚାଲିଗଲେ କରିମ୍ ମିଆଁର ଘର ଆଡକୁ । ଆମେ ମଧ୍ୟ ଶୁଭ୍ରାଂଶୁ ଭାଇଙ୍କ ପଦାକୁ ଅନୁକରଣ କଲୁ ଜଣେ ଜଣେ ବିଶ୍ୱସ୍ତ ପରିଚାରକ ପରି ।

  ସେଦିନ ଶୁଭ୍ରାଂଶୁ ଭାଇଙ୍କ କାର୍ଯ୍ୟକଳାପକୁ ଆମେମାନେ ଅତି ନିକଟରୁ ନିରୀକ୍ଷଣ କରୁଥିଲୁ । କି ଅଦମ୍ୟ ସାହସ ତାଙ୍କର ! କାହାକୁ କିଛି ନ କହି ସେ ଏକେଲା ସେହି ଜାମୁଗଛର ବୃହତ୍ ଶାଖାକୁ ହଟାଇବାକୁ ଚେଷ୍ଟା କରୁଥାନ୍ତି ଆକ ଅସ୍ପଷ୍ଟ ଭାବରେ ବିଳିବିଳେଇ କହୁଥାନ୍ତି- "ତୋତେ ବଂଚିବାକୁ ହେବେ କରିମ୍ ଚାଚା । ତୁ ଚାଲିଗଲେ ମୋର ବହୁ ଦିନରୁ ଥିବା ଆଶା ଅପୂରଣୀୟ ହୋଇ ରହିବ ।" ଆମେ ଶୁଭ୍ରାଂଶୁ ଭାଇଙ୍କର କଥାର ମର୍ମକୁ କିଛି ବୁଝି ନ ପାରିଲେ ବି ତାଙ୍କୁ ସହଯୋଗ କରୁଥିଲୁ । ଆମମାନଙ୍କର ମିଳିତ ପ୍ରଚେଷ୍ଟାରେ ବହୁ କଷ୍ଟରେ କରିମ୍ ମିଆଁକୁ ଉଦ୍ଧାର କଲୁ ସେହି ଭଗ୍ନ ଘର ମଧ୍ୟରୁ । କରିମ୍ ଚାଚାର ଅଣ୍ଟା ଉପରେ ଘରର ଚାଳ ମାଡି ବସିଥିବାରୁ ବିଚରାର କୌଣସି ହୋସ ନ ଥାଏ । ତାର ଅଣ୍ଟା ହାଡ ଭାଙ୍ଗି ଯାଇ ପ୍ରବଳ ରକ୍ତସ୍ରାବ ହେଉଥାଏ । ଏଭଳି ସ୍ଥିତିରେ ନିଜର ଗାଡି ଆଣିବାକୁ ବିନୟକୁ ନିର୍ଦ୍ଦେଶ ଦେଲେ ଶୁଭ୍ରାଂଶୁ ଭାଇ । ସେହି ସମୟ ମଧ୍ୟରେ ଆମେମାନେ ରକ୍ତସ୍ରାବ ବନ୍ଦ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲୁ । ପ୍ରବଳ ବର୍ଷା ଯୋଗୁଁ ଆମେମାନେ ସେତିକିବେଳେ ଓଦା ସରସର ହୋଇସାରିଥିଲୁ । ଏଣେ ଶୁଭ୍ରାଂଶୁ ଭାଇ କାଳବିଳମ୍ବ ନ କରି ନିଜ ଗାଡିରେ କରିମ୍ ଚାଚାକୁ ନେଇ ହସପିଟାଲ୍ ଅଭିମୁଖେ ଯାତ୍ରା କଲେ । ସାଥୀରେ ଥାଉ ମୁଁ ଆଉ ଆମ କ୍ଲବର ଦୁଇ ଜଣ ବଂଧୁ ବିନୟ ଆଉ ରାଜୀବ । ଆମ ଗାଁ ଠାରୁ ହସପିଟଲ୍ ପ୍ରାୟ କୋଡିଏ କିଲୋମିଟର ରାସ୍ତା । ସେଠାରେ ଡାକ୍ତର କରିମ୍ ଚାଚାର ପ୍ରାଥମିକ ଉପଚାର କରି ତାର ଚେତା ଫେରାଇବାକୁ ଚେଷ୍ଟା କଲେ । ପ୍ରାୟ ଦୁଇ ଘଣ୍ଟା ପରେ କରିମ୍ ଚାଚାର ହୋସ୍ ଫେରି ଆସିଲା । କରିମ୍ ଚାଚା ପାଇଁ ଏକ ଜରୁରୀ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି ଡାକ୍ତର ଶୁଭ୍ରାଂଶୁ ଭାଇଙ୍କୁ କହିଲେ । ମାତ୍ର ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ସୁବିଧା ସେଠାରେ ନ ଥିବାରୁ ଆମେମାନେ ବହୁ କଷ୍ଟରେ ଏକ ଆମ୍ବୁଲାନସ୍ ଯୋଗାଡ କରି କରିମ୍ ଚାଚାକୁ ଭୂବନେଶ୍ୱର ନେଇ ଆସିଲୁ । ସେଠାରେ ଶୁଭ୍ରାଂଶୁ ଭାଇଙ୍କର ଅକ୍ଲାନ୍ତ ଉଦ୍ୟମ ଫଳରେ ଜରୁରୀକାଳୀନ ଭିତ୍ତିରେ ଅସ୍ତ୍ରୋପଚାର କରାଗଲା । ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ କରିମ୍ ଚାଚାଙ୍କ ପାଇଁ ଆବଶ୍ୟକ ହେଉଥାଏ ଦୁଇ ୟୁନିଟ୍ ରକ୍ତ । କରିମ୍ ଚାଚାର ବ୍ଲଡ ଗ୍ରୁପ୍ ଓ- ନେଗେଟିଭ୍ ହୋଇ ଥିବାରୁ ଏଭଳି ରକ୍ତ ତୁରନ୍ତ ମିଳିବା ବଡ ଦୂରୁହ ବ୍ୟାପର ଥିଲା । ପରନ୍ତୁ ସଂଯୋଗବଶତଃ ଶୁଭ୍ରାଂଶୁ ଭାଇଙ୍କର ବ୍ଲଡ ଗ୍ରୁପ୍ ଓ ନେଗେଟିଭ୍ ଥିବାରୁ କରିମ୍ ଚାଚାକୁ ସେ ଗୋଟିଏ ୟୁନିଟ ରକ୍ତ ଦେଲେ । ନିଜର ଚିରଶତ୍ରୁକୁ ବଂଚାଇବାକୁ ଶୁଭ୍ରାଂଶୁ ଭାଇଙ୍କର କି ଅଦମ୍ୟ ନିଷ୍ଠା । କିଛି ସମୟ ପରେ ଶୁଭ୍ରାଂଶୁ ଭାଇଙ୍କର କିଛି ପୁରୁଣା ବନ୍ଧୁ ରକ୍ତ ଦେବାକୁ ପଂହଚିଲେ ସେଇ ହସପିଟାଲ୍ ରେ । ଏହାପରେ ଆରମ୍ଭ ହୋଇ ଥିଲା କରିମ୍ ଚାଚାର ଅସ୍ତ୍ରୋପଚାର । ପ୍ରାୟ ଚାରି ଘଣ୍ଟାର ଅପେକ୍ଷା ପରେ ଡାକ୍ତର ଘୋଷଣା କଲେ କରିମ୍ ଚାଚାର ଅସ୍ତ୍ରୋପଚାର ସଫଳ ହୋଇଛି । ସକାଳୁ କିଛି ନ ଖାଇ ନ ପିଇ କରିମ୍ ଚାଚାକୁ ବଂଚାଇବାକୁ ପଣ କରିଥିବା ଶୁଭ୍ରାଂଶୁ ଭାଇ ଡାକ୍ତରଙ୍କ କଥା ଶୁଣି ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଉଥିଲେ । 

  ତା ପରଦିନ ସକାଳୁ ସକାଳୁ ଆମ ଗାଁର ପ୍ରାୟ କୋଡିଏ ଜଣ ଲୋକ ଆସିଥିଲେ କରିମ୍ ଚାଚାର ହାଲଚାଲ୍ ବୁଝିବାକୁ । ସେଥିରେ ଥାଆନ୍ତି ଶୁଭ୍ରାଂଶୁ ଭାଇଙ୍କର ବାପା ଅଭୟ ବାବୁ, ଗାଁ ସରପଂଚ ମନୋହର ବାବୁ ଆଉ କରିମ୍ ଚାଚାର ଏକମାତ୍ର ବେଟୀ ରେଶମା । ଆମେ ସମସ୍ତେ ଡାକ୍ତରଙ୍କ ଅନୁମତି ନେଇ କରିମ୍ ଚାଚାକୁ ଦେଖା କରିବାକୁ ଗଲୁ । ଦେଖିଲୁ- କରିମ୍ ଚାଚା ବେଡରେ ଲମ୍ବ ହୋଇ ଶୋଇଥାନ୍ତି । ଦେହରେ ଗୁଡା ହୋଇଥାଏ ପଟ୍ଟି ଆଉ ହାତରେ ସାଲାଇନ୍ ଲାଗିଥାଏ । ଆମ ଆସିବାର ଶବ୍ଦ ଶୁଣି କରିମ୍ ଚାଚା ଆଖି ଖୋଲିଲେ । ସମସ୍ତଙ୍କ ମୁହଁକୁ ସେ ବଲବଲ କରି ଅନାଉଥାନ୍ତି । ମାତ୍ର ତାଙ୍କ ଆଖି ଯେମିତି ଆଉ କାହାକୁ ଖୋଜୁଥାଏ । ହଠାତ୍ ଚାଚାଙ୍କ ଦୃଷ୍ଟି ଶୁଭ୍ରାଂଶୁ ଭାଇଙ୍କ ଉପରେ ପଡିଲା । ତାଙ୍କୁ ଦେଖି କରିମ୍ ଚାଚାର ଆଖିରୁ ଝରି ଆସୁଥାଏ ଦୁଇ ଧାର ଅଶ୍ରୁ । ସେ ହାତ ଠାରି ଶୁଭ୍ରାଂଶୁ ଭାଇଙ୍କୁ ପାଖକୁ ଡାକିଲେ । ଅନେକ ସମୟ ଧରି ଗୁମ୍ ସୁମ୍ ଥିବା ଶୁଭ୍ରାଂଶୁ ଭାଇ ଚାଚାଙ୍କ ଇଙ୍ଗିତ ପାଇ ତାଙ୍କ ବେଡ୍ ପାଖକୁ ଆସିଲେ । ଚାଚା ଶୁଭ୍ରାଂଶୁ ଭାଇଙ୍କ ହାତ ଦୁଇଟାକୁ ଧରି ଅସ୍ପଷ୍ଟ ସ୍ୱରରେ ଫିସ୍ ଫିସ୍ ହୋଇ କହିଲେ- "ମୋତେ ଆଜି ତୁ ବଂଚାଇ ଦେଲୁ ଶୁଭ୍ରାଂଶୁ । ତୋ ଯୋଗୁଁ ମୁଁ ନୂଆ ଜୀବନ ପାଇଛି । ଆଜିଠାରୁ ତୁ ମୋର ଆଲ୍ଲା । ତୋ ଦେହରେ ଆଜି ମୁଁ ଆଲ୍ଲାଙ୍କୁ ଦେଖିପାରୁଛି ।" ଅନେକ ସମୟ ଧରି ଚୁପଚାପ୍ ଥିବା ଶୁଭ୍ରାଂଶୁ ଭାଇ ଚାଚାଙ୍କର କଥା ଶୁଣି ହଠାତ୍ ଭୋ ଭୋ ହୋଇ କାନ୍ଦି ଉଠିଲେ । ସେ ଚାଚାଙ୍କର ହାତକୁ ଜାବୁଡି ଧରି କହିଉଠିଲେ- "ସେମିତି କୁହନ୍ତୁ ନାହିଁ ଚାଚା ....ମୁଁ ତୁମଠାରୁ ପ୍ରତିଶୋଧ ନେବାକୁ ପ୍ରତିଜ୍ଞାବଦ୍ଧ ଥିଲି । ହେଲେ ସେହି ଈଶ୍ୱରଙ୍କ ଇଚ୍ଛା କଣ ଥିଲା ମୁଁ ଜାଣେ ନାହିଁ । ମାତ୍ର ଗତକାଲିର ଘଟଣା ପରେ ମୋର ହୃଦବୋଧ ହେଲା- ଯଦି ଆମମାନଙ୍କ ମଧ୍ୟରେ ମାନବିକତା ଉଜ୍ଜିବୀତ ରହେ,ତେବେ ରାମ,କରିମ୍ ର କୌଣସି ଫରକ ରହିବ ନାହିଁ । ଆମମାନଙ୍କର ଗୋଟିଏ ଧର୍ମ ହେବା ଦରକାର କରିମ୍ ଚାଚା । ସେ ଇଟା ହେଲା ମାନବ ଧର୍ମ । ଯେଉଁ ଧର୍ମ ଆମମାନଙ୍କ ମଧ୍ୟରେ ହିଂସା,ଦ୍ୱେଷ ଆଉ ରକ୍ତପାତ ସୃଷ୍ଟି କରୁଛି,ସେଭଳି ଧର୍ମର ଆବଶ୍ୟକତା କଣ?"-ପ୍ରଗଳ୍ଭଙ୍କ ପରି କହି ଚାଲିଥିଲେ ଶୁଭ୍ରାଂଶୁ ଭାଇ । ଆମ ସମସ୍ତଙ୍କ ଆଖିରେ ଥିଲା ଲୁହ । ଏହି କାହାଣୀର ମଧୁର ପରିସମାପ୍ତି ସେତେବେଳେ ଘଟିଥିଲା,ଯେତେବେଳେ ଅଭୟ ବାବୁ ସମସ୍ତଙ୍କ ସମ୍ମୁଖରେ ଘୋଷଣା କଲେ ଯେ- ଆମ ଗାଁ ଶିବ ମନ୍ଦିର ପାଖରେ ଥିବା ଦୁଇ ଏକର ଜାଗାକୁ ମସଜିଦ୍ ଗଢିବା ପାଇଁ ସେ ଦାନ କରିଦେଲେ ଏବଂ କରିମ୍ ଚାଚା ସୁସ୍ଥ ହୋଇ ଘରକୁ ଫେରିଲା ପରେ ମସଜିଦ୍ ର ନିର୍ମାଣ କାର୍ଯ୍ୟ ସେ ନିଜେ ଆରମ୍ଭ କରିବେ । ଆମ ଗାଁରେ ମସଜିଦ୍ ଟିଏ କରିବାକୁ ବହୁ ଦିନରୁ ଚେଷ୍ଟା କରି ଅସଫଳ ହୋଇଥିବା କରିମ୍ ଚାଚା ଅଭୟ ବାବୁଙ୍କ କଥା ଶୁଣି ଆଲ୍ଲାଙ୍କୁ ଧନ୍ୟବାଦ ଦେଉଥିବା ବେଳେ ନିକଟସ୍ଥ କେଉଁ ଏକ ଦୋକାନର ଏଫ୍.ଏମ୍ ରେଡିଓରୁ ଭାସି ଆସୁଥିଲା- "ଈଶ୍ୱର ଆଲ୍ଲା ତେରୋ ନାମ୍....." ।



Rate this content
Log in

Similar oriya story from Inspirational