STORYMIRROR

BIBHUTI BHUSAN SWAIN

Others

4  

BIBHUTI BHUSAN SWAIN

Others

କ୍ଷୁଧା

କ୍ଷୁଧା

2 mins
529


ଅଚଳାଚଳ ସମ୍ପତ୍ତି, ନଭଶ୍ଚୁମ୍ଭୀ ବହୁତଳ ପ୍ରସାଦ ଆଉ ପ୍ରାୟ ପନ୍ଦର ଏକର ପରିମିତି ଜାଗା ଉପରେ ସଦୃଶ୍ୟ ମଠର ଅଧିକାରୀ ହୋଇ ତଥା ନିଜକୁ ଭଗବାନଙ୍କ ଅବତାର ଭାବରେ ଗ୍ରହଣ କରିବାକୁ ତାଙ୍କ ଅଗଣିତ ଭକ୍ତମାନଙ୍କୁ ପ୍ରବଚନ ମାଧ୍ୟମରେ ଉପଦେଶ ଦେଉଥିବା ବାବାଙ୍କର କ୍ଷୁଧା ଅହେତୁକ ଭାବରେ ଦିନକୁ ଦିନ ବୃଦ୍ଧି ପାଉଥିଲା । ସେହି କ୍ଷୁଧାକୁ ପ୍ରଶମିତ କରିବାକୁ ଯାଇ ଭକ୍ତମାନେ ଅଯାତିତ ଭାବରେ ବାବାଙ୍କ ଚରଣାବିନ୍ଦରେ ଢାଳି ଦେଉଥିଲେ ଅଜସ୍ର ଧନ ସମ୍ପତ୍ତି । ବାବାଙ୍କର ଯଶ,ଖ୍ୟାତି ଦିନକୁ ଦିନ ଯେତିକି ବୃଦ୍ଧି ପାଉଥିଲା, ସେହି ମାତ୍ରାରେ ବୃଦ୍ଧି ପାଉଥିଲା ଭକ୍ତଙ୍କ ସଂଖ୍ୟା । ଭକ୍ତମାନଙ୍କର ସରଳ ବିଶ୍ୱାସର ସୁଯୋଗ ନେଇ ବାବା କେତେବେଳେ ସିମେଣ୍ଟ ଗାଈରୁ ଦୁଗ୍ଧ ବାହାର କରି ଭକ୍ତମାନଙ୍କୁ ପରିବେଷଣ କରିଥିଲେ ତ' ଆଉ କେତେବେଳେ ନିଜ ଚରଣରୁ ମହୁ ବାହାର କରି ଶ୍ରଦ୍ଧାଳୁମାନଙ୍କୁ ବିତରଣ କରୁଥିଲେ । ନିଜର ବୁଭୁକ୍ଷୁ କ୍ଷୁଧାକୁ ପ୍ରଶମିତ କରିବାକୁ ଯାଇ ବାବା ନିଜର ସରଳ ବିଶ୍ୱାସୀ ନାରୀ ଭକ୍ତମାନଙ୍କୁ ଗୋପୀ ବେଶରେ ସଜାଇ ନିଜେ କାହ୍ନୁର ରୂପ ଧାରଣ କରି ରାସଲୀଳା ସଂପନ୍ନ କରୁଥିଲେ । ହେଲେ ବିଧିର ବିଧାନ ଥିଲା ବଡ ବିଚିତ୍ର ! ସମୟ ଚକରେ ବାବାଙ୍କର ଅୟସ ଜୀବନ ଉପରେ ଘୋଟି ଆସିଲା ଶନିଙ୍କର କୋପ ଦୃଷ୍ଟି । ବାବାଙ୍କର ରଙ୍ଗୀନ ଜୀବନ ଉପରେ ଲାଗିଗଲା ରୋକ । ତାଙ୍କର ସମସ୍ତ ସମ୍ପତ୍ତି ହେଲା ବ୍ୟାଜାପ୍ତି । ଭକ୍ତମାନଙ୍କ ସରଳ ବିଶ୍ୱାସରେ ବିଷ ଦେଇଥିବାରୁ ବାବା ହେଲେ ରୁଦ୍ଧ କାରାଗାରରେ ବନ୍ଦୀ ।

କୋର୍ଟ କଚେରୀରେ ବାବାଙ୍କର ବିଚାର ଚାଲିଥିବା ବେଳେ ଜାମିନ ପାଇବା ପାଇଁ ବାବା କରିଥିଲେ କୋର୍ଟରେ ଆବେଦନ । ବହୁ ବିଚାର ବିମର୍ଷ ପରେ ବହୁ ନିୟମକୁ ପାଳନ କରିବା ସର୍ତ୍ତରେ ବାବାଙ୍କୁ ମାନନୀୟ ଅଦାଲତ ପ୍ରଦାନ କରିଥିଲେ ଜାମିନ । ଜାମିନରେ ଖଲାସ ହେବା ପରେ ବାବାଙ୍କ ଶରୀରରେ ମୃତବତ ଥିବା କ୍ଷୁଧା ପୁଣି ଜାଗି ଉଠିଲା । ସେ ନିଜର କ୍ଷୁଧାକୁ ଦମନ କରିବା ପାଇଁ ଅଦାଲତକୁ କଲେ ପ୍ରାର୍ଥନା- ମୁଁ ଜୀବନରେ ଭକ୍ତମାନଙ୍କୁ କେବଳ ପ୍ରବଚନ ଦେଇ ମୋର ପରିବାର ପ୍ରତିପୋଷଣ କରିଥାଏ । ବର୍ତ୍ତମାନ ସ୍ଥିତିରେ ମୋ' ପାଖରେ ଫୁଟି କଉଡିଟିଏ ନ ଥିବାରୁ ପେଟର କ୍ଷୁଧା ନିବାରଣ ପାଇଁ ମୋତେ ପ୍ରବଚନ ଦେବାକୁ ଅନୁମତି ମିଳୁ ମାନ୍ୟବର ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍