BIBHUTI BHUSAN SWAIN

Inspirational

4.8  

BIBHUTI BHUSAN SWAIN

Inspirational

ଅଣୁ ଗଳ୍ପ- ସତ୍କାର

ଅଣୁ ଗଳ୍ପ- ସତ୍କାର

3 mins
474



ବନ୍ଧୁ ରାଜେଶର ଫୋନ ପାଇ ମୁଁ କିଂକର୍ତ୍ତବ୍ୟବିମୂଢ ହୋଇ ଗଲି । "ମାଆ ଙ୍କ ଦେହାନ୍ତ ହୋଇଗଲା । ତୁ ଜଲଦି ଘରକୁ ଆସ । "ସେପଟୁ ଫୋନ କଟିଗଲା । ମାଉସୀଙ୍କ ଦେହାନ୍ତ ଖବର ପାଇ ମୁଁ କଣ କରିବି ଭାବି ପାରୁ ନଥିଲି । ମୋ ପରି ଜଣେ ମାତୃହୀନାକୁ ମାଆର ସ୍ନେହ ଦେଇ ଯିଏ ମଣିଷ କରିଛି ସେଭଳି ଜଣେ ଦେବୀ ପ୍ରତିମାର ମୃତ୍ୟୁ ଖବରକୁ ମୁଁ ସହଜରେ ବିଶ୍ୱାସ କରିପାରୁ ନ ଥିଲି । ଯଦିଓ ମୁଁ ନିଜ ସାମ୍ବାଦିକ ବୃତ୍ତିରେ ଅତ୍ୟଧିକ ବ୍ୟସ୍ତତା ଯୋଗୁଁ ବହୁ ଦିନ ହେଲା ମାଉସୀଙ୍କ ଘରକୁ ଯାଇ ପାରି ନ ଥିଲି ।ପରନ୍ତୁ ରାଜେଶ ଠାରୁ ତାଙ୍କ ଦେହ ଅସୁସ୍ଥ ଥିବା ଖବର ପାଇଥିଲି । ରାଜେଶ ଆମ ଅଂଚଳର ଜଣେ ଉଦୀୟମାନ ନେତା । ଆଗାମୀ ନିର୍ବାଚନରେ ତାକୁ ଏକ ଜନପ୍ରିୟ ରାଜନୈତିକ ପାର୍ଟି ପକ୍ଷରୁ ବିଧାୟକ ଟିକଟ ମିଳିବାର ସମ୍ଭାବନା ଅଛି ବୋଲି ଶୁଣିଥିଲି । ଜଣେ ବିଚକ୍ଷଣ ରାଜନେତା ହେବାର ସମସ୍ତ ସମ୍ଭାବନା ତା' ପାଖରେ ମହଜୁଦ ଅଛି ବୋଲି ସ୍ୱୟଂ ପାର୍ଟିର ହାଇକମାଣ୍ଡ କହୁଥିଲେ ବୋଲି ସେ ବହୁ ବାର ମୋତେ କହୁଥିଲା । ଏଣୁ ପାର୍ଟିରେ ନିଜର ପତିଆର ବୃଦ୍ଧି କରିବା ପାଇଁ ସେ ନିଜର ସମସ୍ତ ଚେଷ୍ଟା ଅବ୍ୟାହତ ରଖିଛି । ସେ ଯାହା ହେଉ, ଅଗତ୍ୟା ମୁଁ ରାଜେଶର ଘର ଆଡକୁ ଗଲି ।   


  ଦେଖିଲି, ପ୍ରାୟ ଦୁଇ ଶହ ଲୋକ ରାଜେଶର ଘର ପାଖରେ ରୁଣ୍ଠ ହୋଇ ଥାନ୍ତି । ଅବଶ୍ୟ ସେମାନଙ୍କି ଭିତରୁ ଅଧିକାଂଶ ପାର୍ଟି ଲୋକ ବୋଲି ମୋର ମନେ ହେଲା । ମାଉସୀଙ୍କୁ କୋକେଇରେ ବାନ୍ଧି ଗାଁ ମୁଣ୍ଡ ମଶାଣିକୁ ନେବା ପାଇଁ ସମସ୍ତ ଆୟୋଜନ ଶେଷ ହୋଇଥାଏ । କେବଳ ରାଜେଶର ଭଉଣୀ ପ୍ରିୟଙ୍କାକୁ ସମସ୍ତେ ଅପେକ୍ଷା କରିଥିଲେ । କିଛି ସମୟ ପରେ ପ୍ରିୟଙ୍କା ନିଜ ସ୍ୱାମୀ ସହ ଘରେ ପହଂଚିଲା । ମାଉସୀଙ୍କ ନିଷ୍କାଣ ଶରୀର ଉପରେ ପ୍ରିୟଙ୍କା କାନ୍ଦି କାନ୍ଦି ଲୋଟିଗଲା । ତା ଦେଖାରେ ସେଠାରେ ଉପସ୍ଥିତ ଆଉ କେତେକ ମହିଳା ମଧ୍ୟ କାନ୍ଦିବାକୁ ଲାଗିଲେ । ପରିବେଶ ଧିରେ ଧିରେ ବିଶାଦଗ୍ରସ୍ତ ହେବାକୁ ଲାଗିଲ । କେହି ଜଣେ ଆତ୍ମୀୟ ବୃଦ୍ଧ ଲୋକ ଗମ୍ଭୀର ସ୍ୱରରେ ଆଦେଶ ଦେଲେ- "ଆଉ ବିଳମ୍ବ ନ କରି ଶବକୁ ମଶାଣୀକୁ ନେଇ ଚାଲ ।" ସମସ୍ତେ ସାଙ୍ଗେ ସାଙ୍ଗେ ଆଦେଶ ପାଳନ କଲେ । ମାଉସୀଙ୍କ ମୁଁ ଅତିପ୍ରିୟ ଥିବାରୁ ମୋତେ ମଧ୍ୟ ତାଙ୍କ କୋକେଇ ବୋହିବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଧିରେ ଧିରେ ଶବାଧାରଟି ଗ୍ରାମ ଅତିକ୍ରମ କରୁଥାଏ । ଆମ ସହ ପ୍ରାୟ ଦେଢ ଶହ ଲୋକ ଚାଲି ଥାଆନ୍ତି । ହଠାତ୍ ମୋ ପାଖରେ ଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି କହି ଉଠିଲେ- "ରାମ ନାମ ସତ୍ୟ ହେଁ....."ମାତ୍ର ଏତେ ବିଶାଳ ପଟୁଆରରେ କେହି ମଧ୍ୟ ଉଁ..ଚୁଁ କହିଲେ ନାହିଁ । ବିଷାଦଗ୍ରସ୍ତ ହୋଇ ପଡିଲେ ବୃଦ୍ଧ । କେହି ଜଣେ ଯୁବକ ବୃଦ୍ଧଙ୍କ ପାଖକୁ ଯାଇ କହିଲେ- "ଦେଖନ୍ତୁ, ଏଠାରେ ରାମ ନାମ ଚଳିବ ନାହିଁ । ଯଦି ଆପଣଙ୍କୁ କିଛି କହିବାର ଅଛି ତେବେ ଜୟ ଜଗନ୍ନାଥ କହୁ ନାହାନ୍ତି । ସେ ପରା ଆମ ଓଡିଆମାନଙ୍କର ଗର୍ବ ଆଉ ଗୌରବ ।" ବୃଦ୍ଧ ଡବ ଡବ ଆଖିରେ ସେଇ ନହନହକା ତନୁପାତଳ ଟୋକାଟିକୁ ଅନେଇ ରହିଲେ । ବୃଦ୍ଧଙ୍କ ଅବୁଝା ପଣକୁ ଦେଖି ସେ ପୁଣି କହିଲା- "ଦେଖନ୍ତୁ, ଆମ ପାର୍ଟିରେ ରାମ ନାମ ଶବ୍ଦର ପ୍ରଚଳନ ହେବ ନାହିଁ ବୋଲି ଉପରୁ ଏକ ଅଲିଖିତ ନିର୍ଦ୍ଦେଶ ଆସିଛି । ଯଦି ଆମେ ରାମ ନାମ ସତ୍ୟ ହେ...କହିବୁ ତେବେ ଆମକୁ ଦଳବିରୋଧୀ ବୋଲି ଗଣାଯିବ । ଆଉ ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏସବୁ ନ କହିବା ପାଇଁ ରାଜେଶ ଭାଇର ନିର୍ଦ୍ଦେଶ ଅଛି ।" ମୁଁ ମାଉସୀଙ୍କ ଶବକୁ କାନ୍ଧେଇ ଚାଲୁଥିବା ବେଳେ ସେଇ ତନୁପାତଳ ଟୋକାଟାର କଥା ମୋ କାନରେ ପଡୁଥାଏ । ମନେ ମନେ ଚିନ୍ତା କରୁଥିଲି- "ନିଜର ସାମାନ୍ୟ ସ୍ୱାର୍ଥ ପାଇଁ ସଂସ୍କାର ରୂପକ ଶବକୁ ରାଜନୈତିକ ଶ୍ମଶାନରେ ସତ୍କାର କରିବାକୁ ଆମେ ତିଳେ ମାତ୍ର ଭ୍ରୂପେକ୍ଷ କରୁ ନାହୁଁ । ବୋଧେ ଉଗ୍ର ଆଧୁନିକତାର ଜୁଇରେ ଆଜି ଆମ ପ୍ରାଚୀନ ପରମ୍ପରାକୁ ସତ୍କାର କରାଯାଉଛି ।"


Rate this content
Log in

Similar oriya story from Inspirational