କ୍ଷୁଧା
କ୍ଷୁଧା
ସେଦିନ ଦିଗନ୍ତ ବ୍ୟାପି ନିଘଂଚ ଅରଣ୍ୟର ଶେଷ ପ୍ରାନ୍ତରରେ ବଉଳା ଗାଈକୁ ଦେଖି ଡାକ ପକାଇଲା ବାଘ ରଜା ।
-"ହେ ବଊଳା...ଆଲୋ ଟିକେ ରହ...."
ବାଘର ଗର୍ଜନ ଶୁଣି ଟିକେ ଇତସ୍ତତଃ ହୋଇ ବଉଳା ଗାଈ ଠିଆ ହୋଇଗଲା । ପାଖକୁ ଆସି ବାଘ ରଜା କହିଲା- "କିଲୋ, ତୋର ତ' କମ୍ ସାହସ ନାହିଁ । ମୋ ରାଜ୍ୟରେ ରହି ମୋତେ ନ ଜଣାଇ ଏକଲା ବୁଲୁଛୁ । ରହ, ତୋତେ ଆଜି ମୁଁ ଖାଇବି । ତୋତେ ଦେଖି ମୋ କ୍ଷୁଧା ବଢିଯାଉଛି ।"
ବାଘରଜାର କଥା ଶୁଣି ବଉଳା ବିଚାରୀ କାନ୍ଦୁଣୁମାନ୍ଦୁଣୁ ହୋଇ କହିଲା- "ମହାରାଜ! ଘରେ ମୋର କଅଁଳା ମାଈ ବାଛୁରୀଟେ ଅଛି । ତାକୁ ଟିକେ କ୍ଷୀର ପିଆଇ ଦେଇ ଆପଣଙ୍କ ପାଖକୁ ଫେରି ଆସିବି ।" ବଉଳା କଥା ଶୁଣି ବାଘ ହୋ ହୋ ହୋଇ ହସି ଉଠିଲା ।
-"କିରେ, ତୋର ମନେ ଅଛି ନା ! ତୁ ଗଲା ଦଶ ବର୍ଷ ଭିତରେ ମୋ ସାମ୍ନାରେ ହଜାର ଥର ମୁହାଁମୁହିଁ ହୋଇଛୁ । ସବୁଥର ତୋ କଅଁଳା ବାଛୁରୀକୁ କ୍ଷୀର ପିଆଇ ଫେରି ଆସିବାର ଅଙ୍ଗୀକାର ବି ମୋ ପାଖରେ କରିଛୁ । ଆଉ ଥରେ ମଧ୍ୟ ଲେଉଟି ଆସିଥିଲୁ ବୋଲି ତୋତେ ମୁଁ ନ ମାରି ଛାଡି ଦେଇଥିଲି । ସେଇଦିନ ଠାରୁ ତୁ ସତିଆ ବଉଳା ଗାଈ ନାମରେ ଜନମୁଖରେ ଖ୍ୟାତିଲାଭ କଲୁ ।
- "ହଁ...ହଁ..ମହାରାଜ । ମୋର ସବୁ କଥା ମନେ ଅଛି । ଆପଣଙ୍କ ପାଇଁ ମୁଁ ମୋର ଜୀବନ ସବୁବେଳେ ତ୍ୟାଗ କରିବାକୁ ପ୍ରସ୍ତୁତ ।"
-"ଆରେ ରହ୍...ତୋର ସେହି ଚିକ୍କଣିଆ କଥାରେ ମୋତେ ଆଉ ଭୁଲାଇ ଦେ'ନା । ଆଛା କହିଲୁ,ତୋର ସେହି ଦଶ ବର୍ଷ ପୂର୍ବର କଅଁଳା ମାଈ ବାଛୁରୀଟା ଆଜି ଦେଖିବାକୁ କେମିତି ହୋଇଛି ? ଆଜି ତୁ ଘରକୁ ଗଲେ ତୋର ସେହି ଅଲିଅଳି ଗ୍ଲେହ୍ଲୀ ଛନଛନୀ ବାଛୁରୀକୁ ସାଙ୍ଗରେ ଧରି ମୋ ପାଖକୁ ଆଣିବୁ । ମୁଁ ଟିକେ ସେହି ନବ ଯୌବନାକୁ ଦେଖିବି -ଏତିକି କହୁ କହୁ ବାଘ ରଜାର ଆଖିରେ ଖେଳିଗଲା ଏକ ଅପୂର୍ବ ଉନ୍ମାଦନାର ଚମକ ।
ବାଘରଜାର ଆଖିରେ ଖେଳି ବୁଲୁଥିବା କ୍ଷୁଧାର ମାତ୍ରାକୁ ଠିକ ଭାବରେ ଠହରେଇ ନେଇଥିଲା ବଉଳା । ନିଜର ଅଲିଅଳି ବାଛୁରୀକୁ ବାଘରଜା ପାଖକୁ ଆଣିବାକୁ ପ୍ରତିଶୃତିଟିଏ ଦେଇ ଘରକୁ ଫେରି ଥିଲା ବଉଳା ।
ସେହି ଦିନ ଠାରୁ ବଉଳା ଗାଈ ଜଙ୍ଗଲକୁ ଚରିବାକୁ ଯିବାର କେହି ଦେଖି ନାହାନ୍ତି କି ନିଜ କଅଁଳା ବାଛୁରୀ ମଧ୍ୟ ଘରୁ ପଦାକୁ ଆଉ ବାହାରୁ ନାହିଁ ।