Rajalaxmi Mohanty

Inspirational

4.4  

Rajalaxmi Mohanty

Inspirational

ମିନି ଭାଉଜ

ମିନି ଭାଉଜ

13 mins
352



ସମସ୍ତ ଙ୍କ ଆଡକୁ ବଲବଲ କରି ଖାଲି ଚାହୁଁଥାଏ ସୁମୀ। ଥରେ ସୁଧିର ଦାଦା ଆଡକୁ ତ ଥରେ ବଟ ଦାଦା ଆଡକୁ। ସମସ୍ତେ ନୀରବ ପଡିଯାଇଥାନ୍ତି ଯେମିତି। ହାତ କର୍ମ ଚଞ୍ଚଳ ପାଟି ଚୁପ୍। କାହାରି ପାଟିରୁ କିଛି କଥା ବାହାରୁ ନଥାଏ। କେବଳ ଦୀନା ଜେଜେ ମଝିରେ ମଝିରେ କିଛି ନିର୍ଦେଶ ଦେଲା ଭଳିଆ କଥା କହୁଥାନ୍ତି " ବେଗି ବେଗି ହାତ ଫୁର୍ତ୍ତି କର "।ଆଉ ଗୋଟେ ପଟକୁ ଗାଁ ର ଅଧା ସ୍ତ୍ରୀ ଲୋକ ଛିଡା ହେଇଥାନ୍ତି ଲୁଗାକାନିରେ ପାଟିକୁ ଚାପିଧରି। ସୁଁ ସୁଁ କାନ୍ଦଣା ର ସ୍ବର ଟା ଛୁଆ ମାନଙ୍କ ନିରୀହ ମୁହଁକୁ ଦେଖି ଆପେଆପେ ନରମି ଯାଉଥାଏ। ମାମୁଁ ଙ୍କ କୋଳରେ ଶୋଇଛି ବୋଉ ନୀରବ ନିଶ୍ଚଳ ପରମ ଶାନ୍ତିରେ।ଏମିତି ନିଦରେ ସେ କେବେ ବି ଶୁଏନି। ମାମୁଁ ମଝିରେ ମଝିରେ ଆଖିରୁ ଲୁହଟିକେ ଗାମୁଛାରେ ପୋଛିଦେଇ ଥରେ ସୁମୀ କୁ ଚାହୁଁଥାନ୍ତି ତ ଥରେ ବୋଉ କୁ। ଅନ୍ଯ ଭାଇ ଭଉଣୀ ତିନିଜଣ ସୁମୀର ଫ୍ରକ୍ କୁ ଧରି ଗୋଲ ହେଇ ସୁମୀର ଚାରିପଟେ ଛିଡାହେଇଥାନ୍ତି। 


   ସବୁ କାମ ସରିଲା। ଏଥର ସାହି ଭାଇ ମାନେ ମିଶିକି ବୋଉକୁ ଘର ଭିତରୁ ଆଣି ଶୁଆଇ ଦେଲେ କୋକେଇ ଉପରେ। ସମସ୍ତଙ୍କର ମିଳିତ "ରାମ୍ ନାମ ସତ୍ଯ ହେ" ସ୍ବରରେ ବୋଉ ଉଠିଲା ସେମାନଙ୍କ କାନ୍ଧ ଉପରକୁ। ଧିରେ ଧିରେ ଅଗଣାରୁ ଦାଣ୍ଡକୁ ବାହାରିଗଲେ ସେମାନେ। 

ବୋଉ

ଗୋଟେ ବିରାଟ ଚିତ୍କାର ପଛରୁ ଶୁଭି ମିଳେଇଗଲା ପବନରେ। ଭାଇ ଭଉଣୀ ତିନିଜଣ ଯାକ ସୁମୀର ହାତକୁ ଧରି ଟାଣି ଟାଣି ପଚାରୁ ଥାନ୍ତି "ଦେଇ ,ଆମ ବୋଉକୁ ସେମାନେ କୁଆଡେ ନେଇଯାଉଛନ୍ତି "?ଲୁହ ଭିଜା ଆଖିକୁ ତରବର ହେଇ ପୋଛି ପକେଇଲା ସୁମୀ। ବାର ବର୍ଷର ବାଳିକାଟି ପାଲଟିଗଲା ଯେମିତି ବାଇଶି ବର୍ଷର ଅଭିଜ୍ଞତା ସଂପନ୍ନ ମାଆ ଟିଏ। ସାଙ୍ଗେ ସାଙ୍ଗେ କୁଣ୍ଢେଇ ପକେଇଲା ତିନିଜଣଙ୍କୁ ମା ଚଢେଇଟି ତା ଡେଣା ଭିତରେ ଛୁଆ ମାନଙ୍କୁ ରଖିଲା ଭଳି। ଘର ଭିତରକୁ ନେଇଯାଇ ସାନ୍ତ୍ବନା ଦେଲା ସେମାନଙ୍କୁ "ବୋଉ ଯାଇଛି ମାମୁଁ ଘରକୁ ମାମୁଁ ଙ୍କ ସାଙ୍ଗରେ। ମୁଁ ଅଛି ନା ତୁମ କଥା ବୁଝିବାକୁ "।ସବୁଠୁ ସାନ ଭାଇ ଟି ଭୋକ ବିକଳରେ ଖାଇବାକୁ ଯିଦି କରୁଥାଏ। ଛଅ ବର୍ଷର ଛୁଆଟି ସେ ବା କ'ଣ ବୁଝିବ। 


     ଗାଁ ଲୋକ ମାନଙ୍କର ମିଳିତ ଉଦ୍ଯମରେ ଯେମିତି ସେମିତି ରେ ସୁମୀ ବୋଉର ସବୁ କ୍ରିୟା କର୍ମ ସରିଗଲା।ଯେଝା ବାଟରେ ଯିଏ ଚାଲିଗଲେ। ସାହାଯ୍ଯ ସମବେଦନା ବନ୍ଦ ହେଇ ଆସିଲା। ସମସ୍ତଙ୍କ ମନରୁ ଘଟଣା ଟା ମଳିନ ପଡିଆସିଲା। ହେଲେ ସୁମୀର ମନରୁ ନାଁ ଲିଭିଥିଲା ତିନିବର୍ଷ ତଳେ ତା ବାପାଙ୍କ ଦୁର୍ଘଟଣା ଜନିତ ଅକାଳ ମୃତ୍ଯୁ ନାଁ ଏବେ ଲିଭୁଛି ତା ବୋଉ ର ବାପାଙ୍କୁ ଝୁରିଝୁରି ହୃଦଘାତ ଜନିତ ମୃତ୍ଯୁ। ସମସ୍ତେ କହିଲେ ବିଚାରୀ ଚିନ୍ତା ରେ ଚିନ୍ତାରେ ଚାଲିଗଲା। ଏତେ ଚିନ୍ତା ବୋଉ କରୁଥିଲା ଥରେ ଭାବିଲାନି ଏଇ ଚିନ୍ତା ଟା ତା ବଡ ଝିଅ ଉପରେ ଭାରିପଡିଯିବ ବୋଲି। ନିଜକୁ ଟାଣ କଲା ସୁମୀ। ନାଁ ,ସେ ତା ବୋଉ ଭଳି ଏତେ ଦୁର୍ବଳମନା ହେବନି।ଶକ୍ତ ହେବ ସେ। ନିଜକୁ ପଥର କରିଦେଲା। ଦେହ ମନ ସବୁକିଛି। ଏମିତି କି ଲୁହ ବି ପଥର ପାଲଟି ଗଲା କି କ'ଣ ଟୋପେ ହେଲେବି ଆଖିରୁ ଝରିବାର କେହି ଦେଖିଲେନି।ଦେହ ବି ଏମିତି ପଥର ହେଲା ଯେ ଭାତ ଗାଳିଲା ବେଳେ ପେଜ ପଡି ହାତ ପୋଡିଗଲେ ବି ସେଇ ହାତକୁ ଟିକେ ଦେଖି ନେଇ ପୁଣି କାମରେ ଲଗେଇ ଦିଏ। ଅଭାବି ଗରିବ ଗାଁ ଟିରେ ନିଜ ଦୁଃଖ ନିଜକୁ ବଳଉଛି, କିଏ କାହା ଭାଗ ଦୁଃଖ କାହିଁକି ଆଦେରେଇବ।କେବେ କେମିତି କାହାର ବଳକା ଖାଦ୍ଯ ଥିଲେ ମନେପଡେ ସୁମୀ କଥା। "ସୁମୀ ଲୋ, ନେ ତୋ ପାଇଁ ଆଣିଥିଲି"।

କେବେ କାହାର ଜାମା ପଟା ଚିରି ଫାଟି ଗଲେ ମନେପଡେ ସୁମୀ କଥା "ଦେଖିଲୁ, ଏଇଟା ତମ ଭାଇ ଭଉଣୀ ଚାରିଜଣଙ୍କ ଭିତରୁ କାହାକୁ ହେବ "?ସାଙ୍ଗେ ସାଙ୍ଗେ ଚାରିଜଣ ଯାକ ଥର ଥର କରି ପିନ୍ଧି ଦେଇ ମାପି ପକାନ୍ତି। ପୁଅ ଝିଅ କିଛି ଫରକ ନାହିଁ। ଯେଉଁଟା ଯାହାକୁ ହେଲା। ଝିଅମାନେ ଆଧୁନିକତାର ସ୍ପର୍ଶରେ ପୁଅଙ୍କ ଭଳି ପୋଷାକ ପିନ୍ଧନ୍ତି ସିନା, ହେଲେ ସୁମୀ ଓ ତା ଭଉଣୀ ମାନେ ପିନ୍ଧନ୍ତି ସେମାନଙ୍କ ଅଭାବୀ ପଣିଆ ପାଇଁ। ଦେହ ଲୁଚିଲେ ଗଲା। ଜୀବନଟା କେମିତି ହେଲେ ବଞ୍ଚି ରହିବା କଥା।

      ବାପାଙ୍କର ନିଜର ସମ୍ପତ୍ତି କହିଲେ ଘର ଆଉ ବାରିଟାକୁ ଛାଡିଦେଲେ କିଛି ନଥିଲା।ବୋଉ ଗଲା ଛାଡିଯାଇଛି ଦୁଇହଳ ଗାଈ ବାଛୁରୀ ଓ ଚାରିଟା ଛେଳି ଛୁଆ।ତାକୁ ସମ୍ପତ୍ତି ବୋଲି ନଭାବି ଦାୟିତ୍ବ ବୋଲି ଭାବିଥିଲା ସୁମୀ। ବିକ୍ରି କରିଦେବ ବୋଲି ମନସ୍ଥ କରିଥିଲା। କିଣିବାକୁ ଗରାଖ ମଧ୍ଯ ପ୍ରସ୍ତୁତ ଥିଲେ। ଏହି ସମୟରେ ମିନି ଭାଉଜ ତା ମୁଣ୍ଡରେ ଢୁକେଇଲେ କଥାଟି "ଏମାନେ ତୋର ବୋଝ ନୁହଁନ୍ତି ଲୋ, ତୋର ସମ୍ପତ୍ତି। ୟାଙ୍କୁ ବିକ୍ରି କରିଦେଲେ ଚଳିବୁ କେମିତି"?

ମିନି ଭାଉଜ ଭାରି ପରୋପକାରୀ ମଣିଷ ଟିଏ। ସମସ୍ତଙ୍କ ପାଇଁ ହେଇଥିବେ କି ନାହିଁ ଜଣା ନାହିଁ, ସୁମୀ ପାଇଁ ନିଶ୍ଚିତ। ଅନ୍ଯମାନଙ୍କ ଭଳି ଚିରାଫଟା ପୋଷାକ କିମ୍ବା ବାସି ପେଜ ତୋରାଣି ଟିକେ ବି ସାହାଯ୍ଯ କରିବାକୁ ତାଙ୍କର ସ୍ବାଧିନତା ନାହିଁ। ଅର୍ଥବଳ ରେ ଆଠଣା ଟିଏ ସାହାଯ୍ଯ କରିବାକୁ ସେ ଅସମର୍ଥ, ହେଲେ ମନୋବଳ ରେ ଲକ୍ଷେ ଟଙ୍କାର ସାହାଯ୍ଯ ସେ ମିନିକୁ କରନ୍ତି। 


ତାଙ୍କର ପ୍ରଥମ ସାହାଯ୍ଯ ହେଲା ସୁମୀ କୁ ଗାଈ ଛେଳି ବିକ୍ରି ରୁ ନିବୃତ୍ତ ରଖିବା। ଲୋକେ ତ ପିଲା ଲୋକ ଭାବି ଶାଗ ମାଛ ଦାମ୍ ରେ କିଣିବାକୁ ଭାବୁଥିଲେ ପିଲାଟି ଠକିହେବ ଜାଣି ମଧ୍ଯ। ମିନି ଭାଉଜ ହିଁ ସଠିକ ସମୟରେ ଦିଶା ପରିବର୍ତ୍ତନ କରିଦେଲେ ବାଟବଣା ସୁମୀ ର।ବୁଝେଇ ଦେଲେ ସୁମୀ କୁ "ଗାଈ ଛେଳି ଗୁଡା ତୁମର ଏତେ ମାରଣା ନୁହଁନ୍ତି ମ ।ପେଜ ତୋରାଣି ଟୋପେ ନଦେଇ ପାରିଲେ ନାହିଁ ସେମିତି ପଡିଆ କୁ ଛାଡି ଦେ। ଚରି ସାରି ସଞ୍ଜ ରେ ଘରକୁ ଫେରିବେ। ତାଙ୍କର ଅଳ୍ପ ଟିକେ ସେବା କଲେ ତୋ ପେଟ ଅପୂରା ରଖିବେନି ସେମାନେ। ସୁମୀ ବୁଝିଗଲା। ଏତିକି କାମ ସେ ପାରିବ। 

 

       ମିନୀ ଭାଉଜଙ୍କ ର ଦ୍ବିତୀୟ ପରାମର୍ଶ ଥିଲା ସୁମୀ ଯେତେବେଳେ ପାଠପଢା ବନ୍ଦ କରି ଘରେ ରହିଲା। ସେତେବେଳେ ମିନି ଭାଉଜ ବୁଝେଇ ଥିଲେ ସୁମୀ କୁ "ଭାଇ ଭଉଣୀମାନଙ୍କୁ ତ ଖୁଏଇ ପିଏଇ ସ୍କୁଲ ପଠଉଛୁ, ଆଉ ଖାଲି ଘରଟାକୁ ଜଗିକି କ'ଣ ପାଇଁ ବସିଛୁ। ଯେମିତି ହେଉ ମ୍ଯାଟ୍ରିକ ପରୀକ୍ଷା ଟା ଦେଇ ଦେ। ପାଠ କିଛି ପଢିଥିଲେ ଅନାଗତ ଭବିଷ୍ଯତ କୁ ନେଇ କିଛି ପରିକଳ୍ପନା କରିପାରିବୁ। ଠିକ୍ ଭୁଲ ବିଚାର କରିପାରିବୁ। ସଠିକ ପଦକ୍ଷେପ ସଠିକ୍ ସମୟରେ ନେଇ ପାରିବୁ ।ସୁମୀ ମନକୁ କଥା ପାଇଲା। ତା ପାଇଁ ତ ସେମିତି ବିଶେଷ ଖର୍ଚ୍ଚ କିଛି ହେବନି। ଅସୁବିଧା କେଉଁଠି? ତା ପରଦିନ ଠାରୁ ପୁଣି ସ୍କୁଲ ଯିବାକୁ ଆରମ୍ଭ କଲା ସେ।



ବାର ବର୍ଷର ସୁମୀ ଚଉଦ ବର୍ଷର ହେଲାଣି। ଦେହରେ ଯୌବନ ଢେଉ ଖେଳିଲାଣି। ଫୁଲ ବଗିଚାର ଚାରିପଟେ ଭଅଁର ମାନଙ୍କ ଭିଡ ଭଳି ତା ଘର ଚାରିପଟେ ବି ଅନାବଶ୍ଯକ ଭିଡ ଜମୁଛି ଆଜିକାଲି। ସେଦିନ ର ସେଇ ଭିଡକୁ ଲକ୍ଷ୍ଯ କରି ମିନି ଭାଉଜ ଙ୍କର ତୃତୀୟ ପରାମର୍ଶ ଥିଲା- ସୁମୀ,ତୁ ଏବେ ଏମିତି ଗୋଟେ ବୟସରେ ପାଦ ଦେଇଛୁ ଯେ ନାଁ ବଡ ରେ ଯାଉଛୁ ନାଁ ସାନରେ ଯାଉଛୁ। ବଡ ପିଲାଙ୍କ ଭଳି ଠିକ୍ ଭୁଲର ନିର୍ଣ୍ଣୟ କରିପାରିବୁନି କି ଛୋଟ ପିଲାଙ୍କ ଭଳି କ୍ଷମା ପାଇବାର ଯୋଗ୍ଯ ହେବୁନି। ଯାହା କରିବାକୁ ଯିବୁ ଥରେ ନୁହେଁ ବାରମ୍ବାର ଚିନ୍ତା କରି କରିବୁ। କୌଣସି ଲୋଭନୀୟ ବାଟରେ ପାଦ ରଖିବୁନି। କାହା ମିଠା କଥାରେ ଭଳି ଯିବୁନି। ତୁ ଗୋଟେ ଏମିତି କ୍ଷେତ ଯେ ଯାହାର ବାଡ ନାହିଁ।ତୁ ନିଜେ ହିଁ ନିଜକୁ ସୁରକ୍ଷା ଦେବୁ।


ସବୁଥର ତ ସେ ମିନି ଭାଉଜ ଙ୍କର କଥା ଏକା ଥରକେ ବୁଝିପାରେ। ଆଜି ପାରୁନି କାହିଁକି?ମିନି ଭାଉଜ ସତ କଥା କହୁଥିଲେ। ନାଁ ସେ ବଡରେ ଯାଉଛି ନାଁ ଛୋଟରେ। ବଡ ମାନଙ୍କ ଭଳି ବୁଝି ପାରୁନି କଥାଟା କ'ଣ, ସାନ ପିଲା ଭଳି ବି ମିନି ଭାଉଜ ବୁଝେଇ ନାହାଁନ୍ତି ଏଥର। ବାରମ୍ବାର କଥାଟା ମନ ଭିତରେ ଗୋଳେଇ ଘାଣ୍ଟି ହେଉଥାଏ।

   ଚାରି ପାଞ୍ଚ ଦିନରେ କଥାଟି ଆଉ ଅବୁଝା ରହିଲାନି ତା ପାଇଁ। ସେଦିନ ସକାଳେ ଟୁକୁନା ତା ହାତକୁ କିଛି ଜାମୁ କୋଳି ଦେଲାବେଳେ ହାତକୁ ମୁଠେଇ ଧରି କହିଲା "ଖରାବେଳେ ଆସିବୁ ଗଛ ପାଖକୁ। ମୁଁ ଏକା ଏକା କୋଳି ତୋଳିପାରୁନି ।ତଳେ ପଡି ନଷ୍ଟ ହେଇଯାଉଛି। ତୁ ଅଣ୍ଟି ଦେଖେଇଲେ ମୁଁ ତୋ ଅଣ୍ଟିକୁ କୋଳି ପକେଇବି। ସାଙ୍ଗରେ ଆଉ କାହାକୁ ନେବୁନି। ନହେଲେ ତୋ ଭାଗ କମିଯିବ"। ମୁଣ୍ଡ ହଲେଇ ହଁ କଲା ସୁମୀ। ଘରକୁ ଆସି ତରବର ହେଇ କାମ ସାରିଲା। ମନଟା ଭାରି ଖୁସି। ଏକା ଯିବ ଆଉ ବହୁତ ସାରା କୋଳି ଆଣିବ। ହଠାତ କାହିଁକି ମିନି ଭାଉଜଙ୍କ କଥାଟି ମୁଣ୍ଡ ଭିତରକୁ ଧସେଇ ପଶିଲା।ଲୋଭନୀୟ ବାଟରେ ପାଦ ନ ରଖିବାକୁ ମିନି ଭାଉଜ କହିଥିଲେ। ଏଇଟା ତ ଲୋଭର ଆକର୍ଷଣ। ସୁମୀ ବାରମ୍ବାର କଥାଟି ଭାବିବାକୁ ଲାଗିଲା। ଯେତେ ଯେତେ ଆଗକୁ ଭାବୁଥାଏ ସେତେ ସେତେ ଟୁକୁନାର ସାହାଯ୍ଯକାରୀ ଚେହେରା ଟା ତାକୁ ବିକଟ ଦିଶୁ ଥାଏ ।ଏ ଟୁକୁନା ଟା ଏତେ ଭଲ କେଉଁ ଦିନରୁ ହେଲା?ଗଲା ବର୍ଷ ପରା ଏତେ ପିଜୁଳି ଧରିଥିଲା ସାନ ଭାଇ ଟା ଜିଦି କରିବାରୁ ଗୋଟେ ମାଗିଲା ଯେ ସେ ଦେଇନଥିଲା। ଆଜି ଏମିତି ଅଯାତିତ ଦାନ କରିବାକୁ ବାହାରି ପଡୁଛି କେମିତି। ସୁମୀ ବୁଝିଗଲା ଏଥର ମିନି ଭାଉଜ ଙ୍କର କଥାର ମର୍ମ। କେବଳ ସେହିଦିନ ନୁହେଁ,ତା ପର ଠାରୁ କୌଣସି ଦିନ ବି ଘରୁ ଏକା ଗୋଡ କାଢେନି ସୁମୀ କି ତା ଭଉଣୀ ମାନଙ୍କୁ ବି କାଢିବାକୁ ଦିଏନି।ବିଚରା ଟୁକୁନା ଚାରିଘଣ୍ଟା କାଳ ଅପେକ୍ଷା କରି କରି ଫେରିଲା। ଟୁକୁନାର ଅସଲ ଚେହେରା ମାସେ ପରେ ଧରା ପଡିଲା। ତାଙ୍କରି ସାହିର ଆଉ ଗୋଟେ ଛୋଟଝିଅ କୁ ସେହି ସମାନ କଥା କହି ଡାକିଥିଲା ବୋଲି ତା ବାପା ମାଆ ଆସି ବହେ ଛେଚିଲେ ଟୁକୁନା କୁ। ସୁମୀର ତ ବାପା ମାଆ କେହି ନାହାଁନ୍ତି କିଏ ଛେଚି ଥାଆନ୍ତା। ମିନି ଭାଉଜ ସତ କଥା କହୁଥିଲେ ସେଦିନ। ନିଜ ସୁରକ୍ଷା କଥା ନିଜକୁ ହିଁ ଭାବିବାକୁ ପଡିବ।ପାଠ ପଢିଲେ ହିଁ ସବୁ ଜଟିଳ କଥା ବୁଝିହୁଏ। ଅପାଠୁଆ ମୁଣ୍ଡରେ କିଛି ପଶେନି। ସେ ଯେମିତି ହେଲେ ମ୍ଯାଟ୍ରିକ ପରୀକ୍ଷା ଟା ଦେବ। ଖାଲି ନିଜର ସୁରକ୍ଷା କଥା ନୁହେଁ,ତା ଭାଇ ଭଉଣୀଙ୍କ କଥା ବି ତାକୁ ଭାବିବାକୁ ପଡିବ। କିଏ ଜାଣେ, କାଲି ଏହି ପରିସ୍ଥିତି ତା ଭଉଣୀମାନଙ୍କ ଜୀବନରେ ମଧ୍ଯ ଆସିପାରେ। ତା ଚାରିପଟର ର ଟୁକୁନା ମାନଙ୍କ ଠାରୁ ସେମାନଙ୍କୁ ନିରାପଦରେ ରଖିବା ସୁମୀର ଦାୟିତ୍ବ। 


      ସମୟର ସ୍ରୋତ ଆଗକୁ ଆଗକୁ ବୋହି ଚାଲିଛି। ଦୁଇ ଭଉଣୀଙ୍କୁ ଅଠର ବର୍ଷ ହଉ ହଉ ବାହା କରିଦେଇଛି। ବାହା ଆଉ କ'ଣ, ଲୁଗା ଦୁଇଖଣ୍ଡ,ମୁଠାଏ ଲେଖା ଚୁଡି ପିନ୍ଧେଇ ଦେଇ ପଠେଇ ଦେଇଛି ଯାହା ଶେଷ ସମ୍ବଳ ଗାଈ ଦୁଇ ଟି ବିକ୍ରି କରି। ଭାଇ ପାଇଁ ସେ ନିଜେ ଅଛି।ଅଣ୍ଟାରେ ଲୁଗା ଭିଡି ପ୍ରସ୍ତୁତ ସେ।ଖଟିବ,ଖାଇବ, ଭାଇ କୁ କୂଳରେ ଲଗେଇବ। ନିଜ କଥା କେବେ ଭାବେନି। ସେ ଭାବେନି ବୋଲି ଯେ ଭାବନା ସବୁ ମନକୁ ଆସେନି ସେ କଥା ନୁହେଁ, କିନ୍ତୁ ମନ ଭିତରେ ନିଜ ପାଇଁ ଯାଗା ଟିକେ ନ ପାଇ ଫେରିଯାଆନ୍ତି ସବୁ। 


    ସେତିକି ବେଳେ ପୁଣି ଆସେ ମିନି ଭାଉଜଙ୍କ ର ଚତୁର୍ଥ ପରାମର୍ଶ ସୁମୀ ପାଇଁ। "ବୟସ ଆସି ପଚିଶି ହେଲାଣି। ଏଥର ଟିକେ ନିଜ କଥା ଭାବେ। ସମୟ ବଦଳି ଯାଏ ବହୁତ ଶୀଘ୍ର। ସମୟ ସାଙ୍ଗରେ ମଣିଷ ମାନେ ବି ବଦଳି ଯାଆନ୍ତି। ବଦଳି ଯାଏ ସେମାନଙ୍କର ରଙ୍ଗ, ଢଙ୍ଗ ,କଥା, ବାର୍ତ୍ତା, ଚାଲି ,ଚଳନ, ସ୍ନେହ, ମମତା, ଶ୍ରଦ୍ଧା, ଭକ୍ତି ଓ ଭଲପାଇବା ।ସମୟ ବହୁତ ମୂଲ୍ଯବାନ। ତୋ ପାଇଁ ଟିକେ ସମୟ ଦେ"। 

   ଆଃ ମିନି ଭାଉଜଙ୍କ ମୁଣ୍ଡକୁ କେମିତି ଆସେ ଏତେ ମୂଲ୍ଯବାନ ପରାମର୍ଶ। ଅନ୍ଯ ମାନେ ତ କେବଳ ହଁ ର ହଁ ନାଁ ରେ ନାଁ କହିବା ଜାଣନ୍ତି। ପଛରେ ଆଉ କିଏ କେତେ କଥା ଯୋଡନ୍ତି। ମିନି ଭାଉଜ ସେଥିରୁ ବ୍ଯତିକ୍ରମ ମଣିଷ ଟିଏ। ଏତେ ସୁନ୍ଦର କଥା ତାଙ୍କର, ହେଲେ ନିଜ ଘରେ କେହି ତାଙ୍କୁ ନାଁ ତାଙ୍କ ପରାମର୍ଶ କୁ ପସନ୍ଦ କରନ୍ତିନି। କେବଳ କାମ କରିବା ଛଡା ତାଙ୍କର ଭୁମିକା ହିଁ ନାହିଁ ଘରେ ।ସବୁବେଳେ ଚୁପଚାପ। ସୁମୀ ପଚାରେ "କେମିତି ଏମିତି ଚୁପଚାପ ରହୁଛ ଭାଉଜ"? ହସି ଦିଅନ୍ତି ମିନି ଭାଉଜ। ସମୟ, ସୁବିଧା ଓ ସୁଯୋଗ ଅନୁସାରେ ମଣିଷର ପାଟି ଖୋଲେ ଆଉ ବନ୍ଦ ରୁହେ। ମିନି ଭାଉଜଙ୍କ କଥାରେ ଦମ୍ ଅଛି ।କାହା ପାଇଁ ଥାଉ ନଥାଉ ସୁମୀ ପାଇଁ ନିଶ୍ଚୟ ଅଛି ।ସୁମୀ ଉପରେ ବେଶ୍ ପ୍ରଭାବ ପଡେ ତାଙ୍କର କଥା ସବୁ। 


   ସେଦିନ ସାରା ରାତି କେବଳ ଆଉ କେବଳ ନିଜ ପାଇଁ ଭାବିଲା ସୁମୀ। ବାର ବର୍ଷ ବୟସରେ ଯଦି ସେ ନିଜର ତଥା ଅନ୍ଯ ତିନି ଭାଇ ଭଉଣୀଙ୍କ ର ଦାୟିତ୍ବ ନେଇ ପାରିଲା, ଊଣେଇଶ ବର୍ଷ ବୟସ ରେ ତା ସାନ ଭାଇ କ'ଣ ଏକା ନିଜର ଦାୟିତ୍ବ ନେଇ ପାରିବନି?ଏଇ କିଛିଦିନ ହେଲା ପାଖ ଗାଁରୁ ଜଣେ ବାରମ୍ବାର ଲୋକ ପଠଉଛନ୍ତି। ତାଙ୍କର ଗୋଟେ ବୋଲି ପୁଅ। ଭିନ୍ନକ୍ଷମ। ସରକାରୀ ସ୍କୁଲରେ ଶିକ୍ଷକ ଅଛନ୍ତି। ଘରଦ୍ବାର ଜମିବାଡି ପର୍ଯ୍ଯାପ୍ତ ଅଛି। କେବଳ ସେ ସବୁର ଦାୟିତ୍ବ ସୁରୁଖୁରୁ ରେ ନେଇଆଣି ଥୋଇବା ଭଳି କାମିକା ଆଉ ଦାୟିତ୍ବ ସଂପନ୍ନ ବୋହୁ ଟେ ତାଙ୍କର ଦରକାର। ଯିଏକି ଘର ,ପରିବାର ଓ ଭିନ୍ନକ୍ଷମ ସ୍ବାମୀର ଦାୟିତ୍ବ ବାଧ୍ଯ ବାଧକତା ରେ ନୁହେଁ ବରଂ ଆନ୍ତରିକତା ର ସହ କରିପାରିବ। ସେମିତି ଝିଅ କେବଳ ସୁମୀ ହିଁ ହେଇପାରିବ ବୋଲି ସେ ବହୁତ ଜଣଙ୍କ ଠାରୁ ଶୁଣିବା ପରେ ବାରମ୍ବାର ଖବର ପଠଉଛନ୍ତି। ତା ଛଡା ସୁମୀ ଭାଇର ପାଠ ପଢା ରେ ମଧ୍ଯ ଯଥାସମ୍ଭବ ସାହାଯ୍ଯ କରିବେ ବୋଲି କଥା ଦେଇଛନ୍ତି। ହେଲେ ସୁମୀ ଅରାଜି। ଭାଇକୁ ଏକୁଟିଆ ଛାଡି ନିଜେ ବାହାହେଇ ଶାଶୁ ଘର କୁ ଯିବାକୁ ନାରାଜ। ସେ ଚାଲିଗଲେ ତା'ର ପିଲା ଭାଇଟି କିପରି ଚଳିବ ଭାବି ନିଜେ ବାହା ନହେଇ ସାରା ଜୀବନ ଅବିବାହିତ ରହିବ ବୋଲି ନିଷ୍ପତ୍ତି ନେଇଛି। ଆଜି ମିନି ଭାଉଜଙ୍କ ପରାମର୍ଶ ଟି ସୁମୀ ମୁଣ୍ଡ ଭିତରେ ଖେଳିବୁଲୁଥିଲା ଯେମିତି। ଆସନ୍ତା ରବିବାର ଦିନ ସେମାନେ ପୁଣି ଆସିବେ ବୋଲି କହି ଯାଇଛନ୍ତି। ତା ହେଲେ ସୁମୀ ତାଙ୍କୁ କ'ଣ ନିଷ୍ପତ୍ତି ଶୁଣେଇବ ବଡ ଦ୍ବନ୍ଦରେ ପଡିଗଲା। 

  ସୁମୀର ନିଷ୍ପତ୍ତି ରେ ଗାଁରୁ ସାହି ପଡିଶା ଯାଏ ସମସ୍ତେ ଖୁସି ଥିଲେ। ସବୁଠୁ ବେଶି ଖୁସି ଥିଲେ ମିନି ଭାଉଜ। ସାନ ଭାଇ ଓ ଭଉଣୀ ଦୁଇଜଣ ଖୁସି ଥିଲେ ବି ଟିକେ ଚିନ୍ତିନ୍ତ ଥିଲେ। ସୁମୀ ପଳେଇଲେ ତାଙ୍କ ଭାଇଟି ଚଳିବ କେମିତି। ଶାଶୁ ଘରେ ତାଙ୍କର ଓଷା ବ୍ରତ କୁ ଭାର ଦେବ କିଏ ବୋଧେ ଏଇଆ ଭାବୁଥିଲେ। ମନକଥା ବୁଝି ପାରିଲା ପରି ସବୁ ଠିକ୍ କରିଦେବ ବୋଲି ସାନ୍ତ୍ବନା ଦେଇ ଶାଶୁ ଘରକୁ ଚାଲିଗଲା ସୁମୀ। 



ଶାଶୁଘରେ ବହୁତ ଖୁସିରେ ଥିଲା ସୁମୀ। ଶାଶୁ ଶ୍ବଶୁର ସମସ୍ତେ ବହୁତ ଭଲ। ମଝିରେ ମଝିରେ ସାନ ଭାଇ ଟି ଆସି "ଦେଇ, ଚପଲ ଛିଡି ଯାଇଛି" ତ ପୁଣି କେବେ "ଦେଇ ସାଇକେଲ ସଜାଡି ଥାଆନ୍ତି"ବୋଲି କହେ। ଏମିତି ପ୍ରତି ସପ୍ତାହରେ କିଛି ନାଁ କିଛି ଆବଶ୍ୟକ ପଡେ ତା'ର ସୁମୀ ପାଖରେ। ଶାଶୁଘର ଲୋକ ବି ଖୁସିରେ ଖୁସିରେ ପାଞ୍ଚ ଶହ ହଜାର ଧରେଇ ଦିଅନ୍ତି ପ୍ରତିଥର। କିନ୍ତୁ ସବୁଦିନ ସମାନ ଯାଏନି।ସୁମୀ ଏବେ ଲକ୍ଷ୍ଯ କରୁଛି ଆଗ ଭଳି ତା ଭାଇ ଆସିଲେ ଶାଶୁ ଶ୍ବଶୁର ଖୁସି ହେଉନାହାଁନ୍ତି।ଏମିତି ତ ଥରେ ହେଲା ସୁମୀର ଭାଇ ଆସିବାର ଦଶ ମିନିଟ ପରେ ଶାଶୁ ତା ହାତକୁ କିଛି ଟଙ୍କା ବଢେଇ ଦେଇ କହିଲେ ବର୍ଷା ଆସୁଛି ଶୀଘ୍ର ପଳାଅ। ନହେଲେ ବାଟରେ ଓଦା ହେବ। ସେଦିନ ସୁମୀକୁ ବହୁତ କଷ୍ଟ ଲାଗିଲା। ଭାଇଟି କ'ଣ କେବଳ ଟଙ୍କା ପାଇଁ ଏଠିକି ଆସୁଛି ବୋଲି ଶାଶୁମା ଭାବୁଛନ୍ତି କି?ଘଟଣା ଟା ଆହୁରି ବିଗିଡି ଗଲା ଏତେ ପରେ ବି ମାତ୍ର ସପ୍ତାହେ ନ ଯାଉଣୁ ସୁମୀର ଭାଇ ପୁଣି ଆସି ହାଜର ହେଇଗଲା। ଏଥର ଶହେ କି ହଜାର ନୁହେଁ ପାଞ୍ଚ ହଜାର ମାଗୁଥିଲା ବହି କିଣିବ ବୋଲି। ବହି ନାହିଁ ବୋଲି ପାଠପଢାରେ କେମିତି ଅସୁବିଧା ହେଉଛି ବର୍ଣ୍ଣନା କରୁଥିଲା ଭଉଣୀ ଆଗରେ। ସେଦିନ ଆଉ ନିଜକୁ ସମ୍ଭାଳି ପାରିଲେନି ସୁମୀର ଶାଶୁ। କହୁକହୁ କହିଦେଲେ "ନିଜେ ତ ଅର୍ଜିଛି କହିବି କାହାକୁ "।ସୁମୀକୁ କଟା ଘା ରେ ଲୁଣଛିଟା ମାରିଲା ଭଳି କଥାଟା ଚାଇଁକରି ଲାଗିଗଲା। ତା ଭାଇ ବି ତାକୁ ଆଉ ଟିକେ ଉସୁକେଇ କହିଲା " ସେମାନେ ଆମକୁ କଥାଦେଇ ଫାଙ୍କୁ ଛନ୍ତି। ତୁ କେମିତି ଚୁପ୍ ରହୁଛୁ"।ଭାଇର ବଳ ପାଇ ସୁମୀ ବି ଶାଶୁଙ୍କ କଥାକୁ ଫେରେଇ କହିବାକୁ ପଛେଇ ନଥିଲା। ସୁମୀର ସ୍ବାମୀ ପବିତ୍ର ଅତି ସରଳ ସ୍ବଭାବର। ସେ ଭିନ୍ନକ୍ଷମ ହେତୁ ଅନ୍ଯ ମାନଙ୍କ ଉପରେ ନିର୍ଭରଶୀଳ। ପିଲାବେଳୁ ବାପା ମାଆ ଙ୍କ ଉପରେ ଏବେ ବିବାହ ପରେ ସୁମୀ ଉପରେ। କାହାରି ମନରେ କଷ୍ଟ ଦେବା ତାଙ୍କର ସ୍ବଭାବ ନୁହେଁ ।ଚୁପ ରହିବା ଠିକ୍ ହେବ ଭାବି ସେ ଚୁପ ରହିଲେ। ସୁମୀକୁ ସେଇଟା ଆହୁରି ନିରାଶ କରିଲା। ତା ଭାଇର ଦାୟିତ୍ବ ସେ ଏବେବି ନେଇ ପାରିବ କହି ରାଗରେ ଭାଇ ସାଙ୍ଗରେ ଘରୁ ଚାଲିଆସିଲା। କେହି ବି ତାକୁ ଅଟକେଇଲେନି। ମନରେ ଆହୁରି କ୍ଷୋଭ ବଢିଗଲା ସୁମୀର। 


     ସାହି ପଡିଶାରେ ସମସ୍ତେ ଟୁପ୍ ଟାପ୍ ହେଲେ। ମୁହଁରେ ମୁହଁରେ ସମବେଦନା ଜଣାନ୍ତି ସିନା ଭିତରେ ଭିତରେ ନାଟକ ଦେଖିବାଭଳି ଉପଭୋଗ କରନ୍ତି। ଭଉଣୀ ମାନେ ବି ଖବର ପାଇ ଆସିଲେ। "ଆମେ ଯାଣିଛୁ, ସେମାନେ ଦିନେ ଏମିତି କରିବେ ବୋଲି "।ଆହୁରି କେତେ କ'ଣ ଘିଅ ସୁମୀର ମନ ନିଆଁରେ ଢାଳି ଢାଳି ତାକୁ ପ୍ରଜ୍ବଳିତ କରି ଚାଲିଗଲେ। ସୁମୀ ଧାର କରଜ କରି ପାଞ୍ଚ ହଜାର ଟଙ୍କା ଆଣି ଭାଇ ହାତକୁ ଦେଇ ମୁଣ୍ଡକୁ ଟିକେ ଆଉଁସି ଦେଇ କହିଲା "ତୋ ଭଉଣୀ ଅଛି ତୋ ପାଇଁ। ତୁ ବ୍ଯସ୍ତ ହଅନା "।



ସୁମୀ ଘରୁ ଯିବାର ଆଠ ଦିନ ହେଲାଣି ।ବର୍ଷେ ହେଲା ସେ ଘର ସମ୍ଭାଳୁ ଥିଲାବୋଲି ତା ଶାଶୁ ଙ୍କର ଆଉ କାମ ଅଭ୍ଯାସ ନାହିଁ। ସହଜେ ବୟସ ହେଲାଣି। ସକାଳୁ ଉଠିବାକୁ ବହୁତ କଷ୍ଟ ହେଉଛି। ପାଦ ତଳେ ଲାଗୁନି। ସେଥିରେ ପୁଣି ଏତେବଡ ଘର ଓଳା ପୋଛା। ହାତରେ ନିଜ ଲୁଗାଟେ ବି ଧୋଇ ଶୁଖେଇବାକୁ ବଳ ନାହିଁ। ପୁଣି ପବିତ୍ର ଙ୍କର ବି କରିବାକୁ ପଡୁଛି। ସକାଳୁ ରୋଷେଇ କଲେ ପବିତ୍ର ଖାଇସାରି ସ୍କୁଲ କୁ ଯିବେ। ଯେଉଁ ଦେହ ଘଣ୍ଟା ଘଣ୍ଟା ବିଶ୍ରାମ ନେଉଥିଲା ଏବେ ମିନିଟିଏ ବି ବସିବାକୁ ସମୟ ଅଣ୍ଟୁନି। ସବୁଦିନ ରାତିରେ ସୁମୀ ତାଙ୍କର ପାଦ ଘସି ଦେଉଥିଲା ଯେ ନିଦ କୁଆଡୁ ଆସି ଯାଏ ଜଣା ପଡେନି। ଏବେ ଦିନସାରା ର କ୍ଳାନ୍ତ ଶରୀର କୁ ବିଛଣା ଉପରେ ଲୋଟାଇ ଦେଇ ଶାନ୍ତିରେ ଶୋଇବେ ବୋଲି ଭାବିଲା ବେଳକୁ ଶରୀରରେ ଏତେ ବ୍ଯଥା ହୁଏ ଯେ ନିଦ ପାଖକୁ ଆସିବା ଦୁରର କଥା ଧରା ଛୁଆଁ ବି ଦିଏନି। ବହୁତ କଷ୍ଟ ରେ ଏକଡ ସେକଡ ହୋଇ ଆଖି ଟିକେ ଲାଗି ଆସିଲା ବେଳକୁ ମନେ ପଡେ ପବିତ୍ର ଙ୍କ ଖଟରେ  ବେଡ୍ ସିଟ ପଡିନି। ତାଙ୍କ ପାଖରେ ରାତିରେ ପିଇବା ପାଇଁ ପାଣି ରଖାଯାଇନି। ଓଃ....ପୁଣି ଉଠିବାକୁ ପଡିବ। ଆହା ।ସୁମୀ ଥଲା ବେଳେ କେତେ କାମ ଏ ଘରେ କରୁନଥିଲା। କେବେ ବି ମନରେ ତା'ର ଅଭିଯୋଗ ନଥାଏ। ଖୁସି ଖୁସି ରେ ସବୁ କରିଯାଏ। ହାତ ବୁଲେଇ ଦେଲେ କାମ ଶେଷ ତା'ର। ନାଁ...ଆଉ ହେବନି। କିଛି ଗୋଟେ କରିବାକୁ ହେବ। 


    ଆଠ ଦଶ ଦିନ ପରେ ସୁମୀର ମନ ଟିକେ ସ୍ଥିର ହେଲାପରେ ଘରକୁ ଆସିଲେ ମିନି ଭାଉଜ। ମଜା ଦେଖିବା ପାଇଁ ସମସ୍ତେ ଆଗରୁ ଆସି ଚାଲିଯାଇଥାନ୍ତି। ମିନି ଭାଉଜ ମଜା ଦେଖିବା ଲୋକ ନୁହଁନ୍ତି। ସେଥିପାଇଁ ଆସିଲେ ଡେରିରେ। ସୁମୀ କୁ ପଚାରିଲେ "ଯାହାକଲୁ କେତେଥର ଭାବିଚିନ୍ତି ନିଷ୍ପତ୍ତି ନେଲୁ। କ୍ରୋଧିତ ଅବସ୍ଥାରେ ନିଆଯାଇଥିବା ନିଷ୍ପତ୍ତି ସବୁବେଳେ ଭୁଲ୍ ହେଇଥାଏ।ସେଥିପାଇଁ ମନ ସ୍ଥିର ରଖି ବହୁ ବିଚାର କରି ନିଷ୍ପତ୍ତି ନିଆଯାଏ। ଭାଇର ସମସ୍ଯା ଦୂର କରିବାକୁ ଚାଲିଆସିଲୁ, ଆଉ ଯାହାର ସମସ୍ଯା ଦୂର କରିବାକୁ ଯାଇଥିଲୁ ତାକୁ ସମସ୍ଯାରେ ପକେଇଦେଇ ଚାଲିଆସିଲୁ।ସେମାନେ ତାଙ୍କ ପ୍ରତିଶୃତି ରଖିଲେନି ବୋଲି ତୁ ମନ ଊଣା କରୁଛୁ, ତୁ ଯାହାକୁ କଥା ଦେଇଥିଲୁ ସାରା ଜୀବନ ହାତ ଧରି ସାଥି ହୋଇ ବାଟ ଚାଲିବାକୁ ତାକୁ ଏକା କରିଦେଲୁ। ନିଜର କଷ୍ଟ ଅର୍ଜିତ ଅର୍ଥ ଅପଖର୍ଚ୍ଚ ହେଲେ ସମସ୍ତଙ୍କ ମନ ବିଷାକ୍ତ ହେବ। ସମସ୍ଯା ଟି ଗୋଟେଥର ପାଇଁ ସହଜରେ ସମାଧାନ ହେଇଗଲେ ତା'ର କେହି ସ୍ଥାୟି ସମାଧାନ ପାଇଁ ଚେଷ୍ଟା କରନ୍ତିନି। ତୁ ବି ସେଇଆ କଲୁ। ଆଗରୁ ପଚାଶ ଟଙ୍କା ଦେଲେ ପଚାଶ କଥା ପଚାରୁଥିଲୁ, ଏବେ ହଜାର ହଜାର ଟଙ୍କା ଦେଲେବି ତାକୁ ନେଇ ସେ କ'ଣ କରୁଛି ଜାଣିବାକୁ ଥରେ ପଚାରୁନୁ। ବୁଦ୍ଧିମାନ ଲୋକ ଡଙ୍ଗାର ଦୁଇ ମଙ୍ଗକୁ ସମ୍ଭାଳି ବୋହିଚାଲେ। କେବଳ ଗୋଟିଏ ମଙ୍ଗ କୁ ଦେଖିଲେ ଡଙ୍ଗା ବୁଡିବାରେ ବେଶି ଡେରି ହୁଏନି "।ମିନି ଭାଉଜ ଏତିକି କହି ଚାଲିଗଲେ ସେଠୁ ସବୁଥର ପରି ଗପ କରିବାକୁ ନ ବସି। ଏଥର, ସେ ବହୁତ ସମୟ ସୁମୀ ପାଖରେ ଦେଇଥାନ୍ତେ ବୋଲି ସୁମୀ ଆଶା କରିଥିଲା। ସେମିତି ହେଲାନି। ବୋଧେ ସୁମୀ ସେଥିପାଇଁ ତା ଯୋଗ୍ଯତା ହରେଇ ବସିଛି।ସେମିତି ସୁମୀ କୁ ଲାଗୁଥିଲା। ମିନି ଭାଉଜଙ୍କ ପ୍ରତ୍ୟେକ ଟି ଶବ୍ଦ ବାରମ୍ବାର ସୁମୀର କାନରେ ପ୍ରତିଧ୍ବନିତ ହେଲାଭଳି ଶୁଭୁଥିଲା। ରାତିରେ ଆଉ ଖାଇବାକୁ ଇଛା ହେଲାନି। ସାନ ଭାଇକୁ ଖାଇବାକୁ ବାଢିଦେଇ ସେଇଠି ଜଗି ବସିରହିଲା ।ଭାରି ଅନ୍ଯମନସ୍କ ଲାଗୁଥାଏ ସେ। ପବିତ୍ର ଙ୍କ କଥା ବେଶି ମନେପଡୁଥାଏ। ସୁମୀ ଲକ୍ଷ୍ଯ କଲା ତା ମନ ଠାରୁ ତା ଭାଇର ମନ ବେଶି ଆନମନା। ସାଙ୍ଗ ହେଇ ସବୁଦିନ ମିଶିକି ଖାଉଥିବା ଭାଇ ଭଉଣୀ ଭିତରୁ ଭଉଣୀ ଟି ଯେ କାହିଁକି ଖାଉନି ସେଥିପାଇଁ ଭାଇ ମନରେ କୌଣସି ପ୍ରଶ୍ନ ନାହିଁ।  ତରବର ହେଇ ଖାଇଦେଇ ଉଠିଚାଲିଗଲା। ଭଉଣୀ ମନରେ ଯେ ଭୟ ଭାଇର ତଣ୍ଟିରେ ଲାଗିଯିବ ବୋଲି ଭାଇର ସେଥିରେ ନିଘାନାହିଁ। ଭଉଣୀ ଖାଇଲାକି ନାହିଁ ବି ଜାଣି ପାରିଲାନି। 


  ଶୋଇବାକୁ ଗଲା ସୁମୀ। ଭୋକିଲା ପେଟକୁ ଚିନ୍ତାଗ୍ରସ୍ତ ମନ। ଆଖିକୁ ନିଦ ଆସୁନି ଆଦୌ। ଶାଶୁ,ଶ୍ବଶୁର ଓ ପବିତ୍ର ଙ୍କ କଥା ବହୁତ ମନେ ପଡୁଛି। ସମସ୍ତେ ନିଜ ନିଜ କାମ କରିବାକୁ ଅସମର୍ଥ। ଶାଶୁ ଶ୍ବଶୁର ବୟସ ର ପ୍ରଭାବରେ ଆଉ ପବିତ୍ର ପୋଲିଓ ରୋଗ ର ପ୍ରଭାବରେ। ସୁମୀ ସେମାନଙ୍କର ସାହା ଭରସା ଥିଲା। ସେମାନଙ୍କ ଭରସା ତୁଟେଇ ସେ କ'ଣ ଠିକ୍ କରିଛି। ପୁଣି ମନରେ ପଶି ଆସୁଛି କୁଚିନ୍ତା। ସେମାନେ ଯାହା କଲେ କ'ଣ ଠିକ୍ କଲେ? ଶାଶୁ ଶ୍ବଶୁର ଙ୍କ କଥା ଛାଡ ପବିତ୍ର ତ ଅଟକେଇ ପାରିଥାନ୍ତେ। ପବିତ୍ର ଙ୍କୁ ଦୋଷ ଦେଇ ଲାଭ ନାହିଁ। ସେ ତାଙ୍କ ବାପା ବୋଉଙ୍କ କଥାରୁ ବାହାରି ଯାଇନାହାଁନ୍ତି କେବେ ହେଲେ। ସେଦିନ କେମିତି ଯାଇଥାନ୍ତେ। ଏମିତି କିଛି ଭଲ କିଛି ମନ୍ଦ କଥା ବିଚାରୁ ବିଚାରୁ ମନେ ପଡିଲା ମିନି ଭାଉଜଙ୍କ କଥା। କେବଳ ଗୋଟିଏ ମଙ୍ଗକୁ ସମ୍ଭାଳିଲେ ଡଙ୍ଗାରେ ପାଣି ପଶିବା ଥୟ। ବୁଦ୍ଧିମାନ ଲୋକହିଁ ଦୁଇଟି ମଙ୍ଗକୁ ସମ୍ଭାଳି ଜୀବନ ନୌକା ବୋହିଚାଲେ। ମନକୁ ଟିକେ ହାଲକା କରିବାକୁ ବାହାରକୁ ଆସିଲା ସୁମୀ। କବାଟ ଖୋଲୁ ଖୋଲୁ କାନରେ କିଛି ଝାପ୍ସା ଶବ୍ଦ ବାଜିଲା। ସାନ ଭାଇ ଶୋଇନି କି ଏଯାଏଁ, ପାଟି ଶୁଭୁଛି। ଶୋଇବ ବୋଲି ତରବର ହେଇ ଖାଇଦେଇ ଉଠିଆସିଲା ବୋଲି ଭାବିଥିଲା ସୁମୀ। ପଢୁଥିବ ତାହେଲେ। ଲାଇଟ୍ ତ ଜଳୁନି! ତା ହେଲେ??କାନ ପାରିଲା କବାଟ ପାଖରେ ସୁମୀ। ଓଃ ପ୍ରେମ ଗପରେ ବାବୁ ମସଗୁଲ। ମୋବାଇଲ ଫୋନ ବି କିଣା ସରିଲାଣି ତା'ର ଅଜାଣତରେ।ଫୋନ ରେ କୁହା ହଉଛି "ରିଚାର୍ଜ କରିଦେଇଛି, ଦେଖ"।ଟଙ୍କାସବୁ ଏଇ ପଟେ ଖର୍ଚ୍ଚ ହେଉଛି। ସେଇଠି ବସିପଡିଲା ସୁମୀ ଲଥ୍ କରି। ଆଜି ବି ଅନ୍ଯ ମାନଙ୍କର ଚାଟୁକରା କଥା ଠାରୁ ମିନି ଭାଉଜଙ୍କ କଥାର ଦାମ୍ ବଳିପଡିଲା। ଲକ୍ଷେ ଟଙ୍କିଆ କଥା ତାଙ୍କର ସତରେ। ନିଜ ରକ୍ତର ଭାଇ ଭଉଣୀ ମାନେ ବି ଏମିତିଆ ଦାମୀ ପରାମର୍ଶ ଦେବାକୁ ପଛେଇ ଗଲେ। ହେଲେ ମିନି ଭାଉଜ ।



    ରାତି ପାହିଲା, ସକାଳ ହେଲା।କାଉ କାଆଆ ଡାକିଲା ବେଳକୁ ନିଜ ବ୍ଯାଗ୍ ଟି ହାତରେ ଧରି ସୁମୀ ଦାଣ୍ଡ କବାଟ ଖୋଲୁ ଖୋଲୁ ବାହାରେ ଅଟୋ ରିକ୍ସା ରୁ ଓହ୍ଲାଉ ଥିଲେ ସୁମୀର ଶାଶୁ ଶ୍ବଶୁର। ସୁମୀ ସେମାନଙ୍କ ଗୋଡ ଧରି ଜୁହାର ହେଲା ବେଳକୁ ସେମାନେ ସୁମୀର ହାତ ଧରି ଘରକୁ ଫେରିଯିବାକୁ ଅନୁରୋଧ କରୁଥାନ୍ତି। "ମୁଁ ଘରକୁ ହିଁ ଯିବାକୁ ବାହାରି ଥିଲି "।ଉତ୍ତର ଦେଲା ସୁମୀ। ସୁମୀର ହାତକୁ ଦଶ ହଜାର ଟଙ୍କାର ନୋଟ୍ ବଣ୍ଡଲ ଟି ବଢେଇ ଦେଇ ତା ଶାଶୁ କହିଲେ "ଏକୁ ନେ ଭାଇ କୁ ଦେବୁ। ପାଠ ପଢାରେ ଲାଗିବ"।  

ସୁମୀ ଟଙ୍କା ବଣ୍ଡଲ ଟି ଶାଶୁଙ୍କ ହାତକୁ ବଢେଇ ଦେଇ କହିଲା "ଥାଉ ବୋଉ, ଏତେ ଟଙ୍କା ପାଖରେ ପାଇଲେ ସେ ତା ଜୀବନ ଆଉ ଜିବୀକା ଚିହ୍ନି ବାରେ ଡେରି କରିବ। ସେ ଟଙ୍କା ଆମ ପାଖରେ ଥାଉ। ଯେବେ ସେ ଝୁଣ୍ଟି ପଡିବ ସେତେବେଳେ କାମରେ ଆସିବ।ଏବେ ସେ ଶୋଇଛି। ଶୋଇଥାଉ। ଉଠିଲେ ବଳେ ସବୁ ଜାଣି ପାରିବ। ଆମେ ଏବେ ଯିବା"।ଶାଶୁ ଶ୍ବଶୁର ଙ୍କ ମଝିରେ ହାତରେ ବ୍ଯାଗ ଧରି ଅଟୋ ରିକ୍ସା ଆଡକୁ ଆଗଉଥିଲା ସୁମୀ। ଘର ଅଗଣାରୁ ଚାହିଁଥିଲେ ମିନି ଭାଉଜ। ଓଠରେ ସ୍ମିତ ହସ ଧରି। 


Rate this content
Log in

Similar oriya story from Inspirational