ମଇଳା କାଗଜ
ମଇଳା କାଗଜ
ରାତି ଅଧରେ କାନ୍ଦ ବୋବାଳି ଶୁଭିଲା । ତଳ ସାହି ମେଘୀ ବିଷ ପିଇ ଦେଇଛି । ମେଘୀ ର ବୟସ ପାଖାପାଖି ତେଇଶି ହେବ । ସଂସାରର ସବୁ ଲୋଭ ତୁଟାଇ ଦେଇ ସବୁଦିନ ପାଇଁ ଚାଲିଗଲା । କିଏ କହିଲା, ଚାଲିଗଲା ଭଲ ହେଲା । ଏ ଗୁଡ଼ାକ ଗାଁରେ ରହିଲେ , ଗାଁକୁ ଦୋଷ ଲାଗିବ । କିଏ କହିଲା ଆହା କୁନି ପିଲାଟା ଆମ ଆଗରେ ଲଙ୍ଗଳା ହୋଇ ବୁଲୁଥିଲା , ଏତେ ଶୀଘ୍ର ଚାଲିଗଲା । ଯାହା ପାଟିକୁ ଯାହା ଆସିଲା , ଵୁହେ କହିଗଲେ । କୁନି କୁନି ପାଦରେ ଭାବନା ସବୁ ଗଢିଉଠୁଥିଲା ତା ପାଇଁ ଏକ ସୁନ୍ଦର ତୃପ୍ତି । କେତେ ସୁନ୍ଦର ଏଇ ପୃଥିବୀ ସକାଳର କଅଁଳିଆ ଖରା , ଥଣ୍ଡା ପବନ , ବଡ଼ ପାହାଡ଼ ଘେରା ସବୁଜିମା । ଝରଣାର କୁଳୁକୁଳୁ ଶବ୍ଦ । ବହୁତ ଲୋଭ ଲାଗୁଥିଲା ଜିଇଁବାକୁ ମେଘୀ ର । ବୟସ ବଢିଲା । ଲାଜ ସରମ ଧିରେ ଧିରେ ଛୁଇଁଲା ତା ମନକୁ । ଶତ୍ରୁ ହୋଇ ଠିଆହେଲା ତା ପାଇଁ ତା ଡଉଲ ଡାଉଲ ଚେହେରା , ଆଉ ତା ଗରିବ ପଣିଆ ।
ମେଘୀ କୁ ଚଉଦ ବରଷ ହୋଇଚି କି ନାଇଁ , ପାଖ ଗାଁ ରୁ ବିବାହ ପ୍ରସ୍ତାବ ଟିଏ ଆସିଲା । ଗରିବ ପଣିଆ ବି ବେଳେବେଳେ ନିଲାମ କରିଦିଏ ଚିନ୍ତା କରିବା ଶକ୍ତିକୁ । ସେଇଆ ହେଲା , ବରକୁ ନ ଦେଖି ବିବାହ ପ୍ରସ୍ତାବରେ ହଁ ଭରିଦେଲେ ମେଘୀ ର ବାପା । ଜୀବନର ପ୍ରଥମ ରାତି । ପ୍ରଥମ ଥର କରି ଦେଖିବ ତା ପୁରୁଷକୁ । ଇସ୍ , କଲା ମଚମଚ ବଳିଷ୍ଠ ପୁରୁଷଟା ତା ବାପା ବୟସରୁ ବଡ଼ ହେବ ।ଦେଶି ମହୁଲି ନିଶାରେ ମଣିଷଟା କିଛି ବୁଝିବା ଆଗରୁ ଝା ମେଘୀ କୁ । ମେଞ୍ଚା ମେଞ୍ଚା ପୁରୁଷ ପଣିଆ ଅଜାଡ଼ି ଦେଲା ତା ଶରୀର ଉପରେ । ଯେମିତି ମାନସିକତା ହିଂସ୍ରଜନ୍ତୁ ର ଦାନ୍ତରେ ନିରୀହ ହରିଣ ଟିଏ ର ଭାଗ୍ୟ ବନ୍ଧା । ମାଆ ଆଉ ବାପା , ଝିଅ ଘରକୁ ଆସିଥିଲେ । ସବୁ ଦୁଃଖ ଶୁଣିସାରି ମା କହିଲା , ଆଲୋ ଏତେ ଧନ ସଂପତ୍ତି । କଷ୍ଟ ନ କଲେ କଣ କୃଷ୍ଣ ମିଳିବ ? ମେଘୀ ଭାବୁଥିଲା , ଛି ଧନ ପାଇଁ କଣ ଏମିତି ବଞ୍ଚି ରହିବି । ଇଏ କି ଜୀବନ ତାର । ଆଖିରୁ ଲୁହ ଗଡ଼ିଆସେ । ହଜିଯାଏ ପଣତ କାନି ରେ । ସେଇ ଗାଁ ର ମୁନା ଟ୍ରକ୍ ଡ୍ରାଇଭର । ନୂଆକରି ଜୀବନକୁ ଏବେ ଏବେ ଦେଖୁଚି । ଆକର୍ଷିତ କରୁଛି ତା ମନ , ସହରର ଚାକ ଚକ୍ୟ ଆଡ଼କୁ । ଏଇ ଜଙ୍ଗଲ ଘେରା ସବୁଜିମା । ପ୍ରକୃତିର ସ୍ୱର ଆଉ ବାନ୍ଧି ରଖି ପାରୁନି ତା ମନକୁ । ସହରର କୋଠା , କୃତିମତା ଭିଜେଇ ଦେଇଛି ତାକୁ ।
ଗାଁ କୁ ଆସିଲା ବେଳେ ସହରୀ କଥା ଗୁଡ଼ାକ ବଖାଣି ବସେ । କାହିଁକି କେଜାଣି ମୁନାର କଥା ଗୁଡ଼ାକ ନିଜର ଲାଗେ ମେଘୀ କୁ । ଧିରେ ଧିରେ ନିକଟତର ହେଲା ମେଘୀ ର । ନିଜର ଭାବି ସବୁ ଦୁଃଖ କହି ପକାଏ ମୁନା ଆଗରେ । ପ୍ରତିଟି ଦିନ ତା ପାଇଁ ଯେମିତି ସାଇତି ରଖିଥାଏ ମେଞ୍ଚା ମେଞ୍ଚା ଦୁଃଖ ଆଉ ଯାତନା । ମେଘୀ ର ଦୁଃଖ ଶୁଣି ନିଜେ ଦୁଃଖୀ ହୋଇଯାଉଥିଲା ମୁନା । ସେ ଯଦି ମେଘୀ କୁ ପାଇଥାନ୍ତା ତାକୁ ରାଣୀ କରି ରଖିଥାଆନ୍ତା । ଭଲ ଖାଆନ୍ତ , ଭଲ ପିଅନ୍ତା , ବଜାର ସହର ବୁଲନ୍ତା । ଏମିତି ଅନେକ ଭାବନା । ଭାବନା ଟା ଶତ ହୋଇଗଲା । ମେଘୀ ର ହାତ ଧରି ଅଧା ରାତି ଟାରେ ଘରୁ ବାହାରିଗଲା । ଆଃ ଜୀବନଟା କେତେ ସୁନ୍ଦର ? ତା ଭିତରେ ଭଲ ପାଇବା ଅଛି । ବଞ୍ଚିବାର ସ୍ଵାଦ ଅଛି । ସବୁ ନୂଆ ନୂଆ ଲାଗୁଥାଏ ମେଘୀକୁ । ନିଜକୁ ପଚାରେ ଭଗବାନ ତା ପାଇଁ ଏତେ ସୁଖ ଲୁଚେଇ ରଖିଥିଲେ କାହିଁକି ? ଆସିବାର ଦିନ ଦଶଟା ଯାଇଚି କି ନାହିଁ । ସେଦିନ ରାତିରେ ମଦ ନିଶାରେ ଚୁର୍ ହୋଇ ଘରକୁ ଫେରିଲା ମୁନା , ଅତୀତଟା ଚେଇଁ ଉଠିଲା କି ? ଚମକି ଉଠିଲା ମୋଘୀ । ନିଇତି ନିଇତି ମଦ ପିଇ ଫେରିଲା ମୁନା । ଗାଳି ଗୁଲଜ , ମାଡ଼ ବଢ଼ି ଚାଲିଲା ମେଘୀ ଉପରେ । ସବୁ ସହିଗଲା ମେଘୀ , କେବଳ ପେଟ ଚାଖଣ୍ଡକ ପାଇଁ ଦୁନିଆର ପାପ ଆଖିରୁ ନିଜକୁ ଲୁଚାଇବା ପାଇଁ ।
ସେ ବୁଝି ସାରିଲାଣି ତା ଭାଗ୍ୟକୁ । ଏୟା ହିଁ ତା ଭାଗ୍ୟରେ ଅଛି । ଟ୍ରକ୍ ମାଲିକ ରାକ୍ଷସ , ବିକଟାଳ ମଣିଷ ଟା ସେଦିନ ଘରକୁ ଆସିଥିଲା । ଭୋଜି ଭାତ ହେଲା , ତୁହାକୁ ତୁହା ମଦ ପରସାଗଲା । ମଝିରେ ମଝିରେ ମେଘୀ କୁ ଡାକି ହାତ ଟାଣି ବସେଇଦିଏ ମାଲିକ ପାଖରେ ମୁନା , କହେ , ଆଲୋ ଲାଜ କଣ କରୁଚୁ ? ଇଏ ଆମ ମାଲିକ । ଆମ ପାଇଁ ଦେବତା । ମାଲିକ ଠୁ ହଜାରେ ଧରି କିଛି ଆଣିବା ବାହାନାରେ ଗଲା ଯେ , ଜାଣିଶୁଣି ଦି ଘଣ୍ଟା ପରେ ଆସିଲା । ଘରଟା ଭିତରେ ମେଘୀ ଆଉ ଟ୍ରକ୍ ମାଲିକ । ବାହାରେ କେବଳ ଅନ୍ଧାର ଆଉ ନିର୍ଜନତା । ଟ୍ରକ୍ ମାଲିକ ପଛପଟୁ ଚାପି ଧରିଲା ମେଘୀ କୁ ଏବଂ ଝାମ୍ପି ଆଣିଲା ଖଟ ଉପରକୁ । ଏତେ ସବୁ ଅଙ୍କାବଙ୍କା ସମୟ ଭିତରେ ବି ମେଘୀ ଜନ୍ମ ଦେଇ ସାରିଥାଏ ପୁଅଟିଏ । ହଠାତ୍ ଖବର ପାଇଲା ମୁନା ଟ୍ରକ୍ ଦୁର୍ଘଟଣା କରିଦେଇଛି । ଡାକ୍ତର ତାକୁ ମୃତ ଘୋଷଣା କଲେ । ଯାହା ରୋଜଗାର କରିଥିଲା , ସବୁ ନିଶା ପାଣିରେ ଉଡ଼େଇ ଦେଇଥିଲା । ଆଗକୁ କିଛି ବାଟ ଦେଖାଯାଉନି ମେଘୀ କୁ । ଟ୍ରକ୍ ମାଲିକ ସାହାଯ୍ୟର ଅର୍ଥ ଯାହା , ବେଶ୍ ବୁଝି ପାରିଥିଲା ମେଘୀ । ଗାଁକୁ ଫେରିଲା , କୋଳରେ ବର୍ଷକର ପୁଅ । ଭାବିଥିଲା ନିଜ ଗୋଡ଼ରେ ନିଜେ ଠିଆ ହେବ । ଦଲାଲଙ୍କ ଆଖି ପଡ଼ିଲା ତା ଉପରେ । ବେପାର କରିଦେଲେ ଭଲ ଦି ପଇସା ମିଳିବ । ସକାଳ ବେଳା ମାଛ ହେଲେ ଉପରବେଳା ମାଉଁସ । ଏମିତି ଲୋଭ ଦେଖାଇ ରାଜି କରାଇଦେଲେ ମେଘୀ ର ବାପା ମାଆ କୁ । ମେଘୀ କିଛି କହିବା ଆଗରୁ ତା ପାଟି ଚୁପ୍ କରି ଦିଆଯାଉଥିଲା । ଦିନ ବାର ଠିକ୍ ହେଲା , ମେଘୀ ପୁଣି ବାହାହେବ ।
ମାଉସୀ ଝିଅ କୁନ୍ତୀ ଅପା ଆସିଥିଲା । ଦଶ ବର୍ଷ ହେବ ବାହାଘର ସରିଲାଣି । କୋଳଶୂନ୍ୟ । ଶାଇଭାଇ ଭଦ୍ର ଲୋକଙ୍କ ଆଗରେ କାଗଜ କରି ପୋଷ୍ୟ ପୁଅ କରିନେଲା ତା ପୁଅକୁ । ସଞ୍ଜ ମାଡ଼ି ଆସିଲାଣି । ଆଜି ରାତିରେ ମେଘୀ ର ବାହାଘର । ପୁଣି ଗୋଟିଏ ନୂଆ ଜୀବନ ତିଆରି କରିବ । ଅଦରକାରୀ ମଇଳା କାଗଜ ଟିଏ ପରି ତା ଜୀବନ । ପବନର ଇଶାରାରେ ରାସ୍ତାର ଏ ପାଖରୁ ସେ ପାଖକୁ ଘୂରେ । କୋଉଠି କଣ୍ଟା ଝଣ୍ଟା ରେ ଲାଖିଜାଇ ଟିକେ ନିଃଶ୍ୱାସ ନେବ ବୋଲି ଭାବିଲା ବେଳକୁ , ପାଣି ଆଉ ପବନ ତାକୁ ଝୁଣି ଝୁଣି ଶେଷ କରିଦିଏ । ଘରସାରା ଆଖି ବୁଲାଇଲା । କୋଉଠି ହେଲେ ତା ପୁଅର ସ୍ମୃତି ଟିଏ ପାଇଲାନି । ସବୁ ନେଇ ଯାଇଚି କୁନ୍ତିି ଅପା । ବହୁତ୍ ଏକଲା ଭିତରେ ମନଟା ବି ଆଶ୍ୱସ୍ତି ଲାଗୁଥିଲା , ମୋ ପୁଅ ଭଲରେ ରହିବ । ଗାଁ ଦଲାଲମାନେ ଫୁଲମାଳ ପୁରୋହିତ ଆଉ ବର ଧରି ହାଜର ହୋଇ ଗଲେଣି ଗାଁ ଦାଣ୍ଡ ମନ୍ଦିରରେ । ମେଘୀ ଆସିଲେ ବାହାଘର କାମ ଆରମ୍ଭ ହେବ ।
ଅଧା ରାତିରେ କାନ୍ଦ ବୋବାଳି ଶୁଭିଲା । ମେଘୀ ବିଷ ପିଇ ଦେଇଛି । କେତେ ଲୋକ କେତେ କଥା କହୁଥିଲେ । ଅଲୋଢ଼ା ଜୀବନଟା ଛୁଇଁ ପାରୁନଥିଲା କାହା ହୃଦୟକୁ । କେହି ବି ବୁଝିବାକୁ ଚେଷ୍ଟା କରୁନଥିଲେ ତା ନିରୀହତାକୁ । ସବୁ ଦୋଷକୁ ଜାବୁଡ଼ି ଧରି ଜୁଇ ଉପରେ ଶାନ୍ତିରେ ଶୋଇ ଯାଇଥିଲା ମେଘୀ ।
