Barsha rani Pradhan

Tragedy Inspirational

4  

Barsha rani Pradhan

Tragedy Inspirational

ସାହା

ସାହା

4 mins
292


       ସହରର ତଳି ଅଞ୍ଚଳ ବସ୍ତି । ଦୁଃଖର ଜମାଟ ଘେରା ଅଞ୍ଚଳ । ଅଭାବ ଅନାଟନର କଳରବ ସବୁବେଳେ ସେଇଠି । ଜୀବନକୁ ଗଢ଼ୁ ଗଢ଼ୁ ହାରିଯାଇଥିବା ମଣିଷ ମାନଙ୍କର କେବଳ ବଞ୍ଚିବା ପାଇଁ ଗୋଟିଏ ସଂଘର୍ଷ । ତଥାପି ସେ ଅନେକ ବାସହରା , ଦିଗହରା ମଣିଷ ମାନଙ୍କ ପାଇଁ ସାହାରା । 


      କୋଡ଼ିଏ ବର୍ଷ ପୂର୍ବରୁ ଗାଁରେ ବାକି କରଜ ହୋଇ , ଭିଟାମାଟି ଖଣ୍ଡକ ବିକ୍ରୀକରି ବଞ୍ଚିବା ଆଶାରେ ପାଦ ଦେଇଥିଲା ଏଇ ବସ୍ତିରେ ରାମୁ । ଛୋଟ ମୋଟ ବେପାର କରି , ଯାହା ଦି ପଇସା ମିଳୁଥିଲା ଘର ସଂସାର ଚଳିଯାଉଥିଲା । ସରକାରୀ ଜାଗାରେ ନିଜ ମୁଣ୍ଡରେ ମାଟି ପଥର ବୋହି ବଖୁରିଏ ଘର ତିଆରି କଲା ବସ୍ତିରେ । ଥକି ଗଲାଣି ରାମୁ । ଜୀବନର ଅଧା ବିତିଗଲାଣି । ସବୁବେଳେ ନିଅଣ୍ଟିଆ । ଗୋଟିଏ ବୋଲି ପୁଅ କାଳିଆ , ତାକୁ ବି ମଣିଷ ଟିଏ କରି ଗଢ଼ିପାରିଲାନି । କୋଉ ଆଳୁ ଗୋଦାମରେ ଆଳୁ ଚୋପା ଛଡ଼େଇଲା ତ , କେବେ କେବେ ହୋଟେଲରେ ପ୍ଲେଟ ମାଜିଲା । ତା ଉପରେ ଆଉ ଆଶାଭରସା ନାହିଁ । ଯାହା ଦି ପଇସା ରୋଜଗାର କଲା ମଦ ପାଣିରେ ଉଡ଼େଇ ଦେଲା । ରାତି ପାହିଲେ କାହା ସାଥୀରେ ନା କାହା ସାଥିରେ ଗଣ୍ଡଗୋଳ । 


      ଦୁଃଖୀ ମଣିଷର ଦୁଃଖ ବଢ଼ିଚାଲେ । ବୋଧହୁଏ ଅଧିକ ଦୁଃଖ ପାଇଁ ଭଗବାନ ଗୋଟିଏ ପରେ ଗୋଟିଏ ସମସ୍ୟା ଲଦି ଦିଅନ୍ତି ତା ଉପରେ । କୋଉଠୁ ଅଜଣା ରୋଗ ଆସିଲା କେଜାଣି । ବଇଦ ଗୁଣିଆ ବି ଚିହ୍ନି ପାରିଲେନି । ହାତ ପା ପାଣି ଝରିଲା ରାମୁ ର । ଉଠି ବସି ପାରିଲାନି । ମାସେ ଯାଇଚି କି ନାଇଁ ସେ ଆର ପାରିକୁ ଚାଲିଗଲା । ସାଇ ପଡ଼ିଶା ଲୋକ ବୁଝାଉଥିଲେ , ପୁଅ ତ ବଡ଼ ହୋଇଗଲାଣି । ତା ମା କୁ ସିଏ ପାଳିନେବ । ଆଶ୍ୱାସନା ମିଳୁଥିଲା କାଳିଆ ମାକୁ । ଆଖିରୁ ଲୁହ ଟୋପାକ ଶୁଖି ଯାଉଥିଲା । ଭରସାରେ କହୁଥିଲା , ମୋ କାଳିଆ ମୁହଁକୁ ଚାହିଁ ବାକି ଜୀବନ ତକ ବିତେଇ ଦେବି । କାମ କରିବାକୁ ଭାରି କଷ୍ଟ କାଳିଆ କୁ । ନିଜ ଠକ ପଣିଆକୁ ଲୁଚାଇବାକୁ ଯାଇ ନିଜ ବାହାଦୁରି ବାଖାଣେ । ସହରରେ ଯେତେ ସବୁ ବଡ଼ ମଣିଷ ଅଛନ୍ତି , ସମସ୍ତେ ଠକ , ସମସ୍ତେ ଚୋର । ବାପା ଛାଡ଼ି ଯାଇଥିବା ଛୋଟ ମୋଟ ବ୍ୟବସାୟ ଉପରେ ତାର ମନ ନାହିଁ । କେବେ କେବେ କଥାରେ କହେ , ସେ ବେପାର ଛି ଛି ଲାଜ ଲାଗିବ । ଏ ବୁଢ଼ୀ ବୟସରେ ମା ଯାହା ଆଣେ ତାକୁ ପଙ୍ଗତ ପକାଏ । କେବେ ମା ଜୋର୍ କରି କହିନି ତାକୁ । ନିଜେ ସକାଳୁ ସକାଳୁ ବାରି କାନ୍ଧିଆ , ପନିପରିବା ଗଣ୍ଡେ ଧରି ସାହି ସାହି ବୁଲି ବିକେ । ଯାହା ଦି ପଇସା ମିଳେ ସେଥିରୁ ସିଂହଭାଗ ନେଇ ବିଡ଼ି ଗଞ୍ଜେଇ ରେ ଉଡ଼େଇ ଦିଏ କାଳିଆ । 


      ପଡ଼ିଶା ଘର ଝିଅ ରେଣୁ କୁ ଫସେଇଦେଲା , ଖାଲି କଥାରେ । ହାତୀ ଦେବୀ ଘୋଡ଼ା କିଣିବି । ଏମିତି ଶୁଖିଲା କଥା ଗୁଡ଼ାକ ତୋଳି ଆଣି ଥୋଇ ଦିଏ କାଳିଆ । ସେଦିନ ସନ୍ଧ୍ୟାରେ କୋଉ ପରିସ୍ଥିତିରେ ଉଦ୍ଧାର କଲେ କେଜାଣି , ରାତାରାତି ସଭା ହୋଇ ବାହାଘର କାମ ଶେଷ ହୋଇଗଲା । ବାହାଘର ପରେ ଅୟସ କରି ଧାର କରଜରେ ବୁଡ଼ି ଗଲା କାଳିଆ , ହେଲେ ସବୁ ପାଇଁ ଦାୟୀ ହେଲା ମା । ବୁଝେଇ କହେ ତା ସ୍ତ୍ରୀ ରେଣୁ କୁ । ସେ କୁଆଡେ଼ ଭାଗ୍ୟବାନ । ତା ଦେଇ ବଡ଼ ବଡ଼ କାମ ହେବ । ହେଲେ ତା ମା ଟା ଅଲକ୍ଷଣୀ , ସେ ଥିବା ଯାଏଁ ତା ଭାଗ୍ୟରେ ଉନ୍ନତି ହେବନି । ପୁଅ ବୋହୂ ଘର ଛାଡ଼ିଲେ । ବସ୍ତିର ଦକ୍ଷିଣ ଦିଗରେ ଘର ଭଡ଼ା କରି ରହିଲେ । ସେଠି ବି କାଳିଆ ର ସେଇ ଅବସ୍ଥା । କାମଧନ୍ଦା କରିବାକୁ ଇଚ୍ଛା ନାହିଁ । ରାତି ପାହିଲେ ସ୍ବାମୀ ସ୍ତ୍ରୀ ପାଟିତୁଣ୍ଡ , ଗଣ୍ଡଗୋଳ , ମାରପିଟ ଯାଏ ବି କଥା ବଢିଯାଏ । ମାର ମନ ସବୁବେଳେ ଛଟପଟ ହେଉଥାଏ ତା ପୁଅ ପାଇଁ । ଅଣ୍ଟା ନଇଁ ଗଲାଣି କାଳିଆ ମାର । ଏଇ ବୟସରେ ନଇଁ ନଇଁ ୟା ଦୁଆର ତା ଦୁଆର ବୁଲି କାନ୍ଧିଆ , ପନିପରିବା ବିକେ । ନିଜ ହାତରେ ଦି ମୁଠା ରାନ୍ଧି ନେଇ ଥୋଇ ଦେଇ ଆସେ କାଳିଆ ଦୁଆରେ । କେବେ କେବେ ଯଦି ଦେହ ଅସୁବିଧାରେ ନ ଯାଇପାରେ କାଳିଆ ଆସେ ତଦାରଖ କରିବାକୁ , ଦାଣ୍ଡ ଦୁଆରେ ବୁହେ ଗାଳିଗୁଲଜ କରେ । 


      ପୂର୍ଣ୍ଣିମା ଚାନ୍ଦର କିରଣ ବିଛୁଡ଼ି ହୋଇ ପଡିଚି । ଚାରିପଟ କାନ୍ଧିଆ ଗଛ ମୂଳରେ ବସିଚି କାଳିଆ ମା । ଏଇ ଗଛ ଟିକୁ କାଳିଆ ବାପା ଲଗେଇଥିଲେ କହିଥିଲେ , ୟାକୁ ଗଛ ବୋଲି କହିବୁନି , ୟେ ତୋ ପୁଅ ପରି ଦିନେ ସାହା ହେବ । କଥା ଶୁଣି ଫେ କିନା ହସିଥିଲା କାଳିଆ ମା । କାହିଁକି ମୋର କଣ ପୁଅ ନାହିଁକି ? ତିରିଶି ବର୍ଷ କଥା ଆଜି ପରି ଲାଗୁଚି । ଦି ଦିନ ହେବ ପାଦ ଦିଟା ଫୁଳିଚି କାଳିଆ ମା ର । ଦେହରେ ତାତି ରହୁଚି । ଯା ଆସ କରି ପାରୁନି । କାଲି କାଳିଆ ଆସିଥିଲା । କାହିଁକି ଖାଇବାକୁ ଦେଇନୁ କହି ଗାଳି ଗୁଲଜ କଲା , ଦେହ କଥା ଶୁଣି ମିଚ୍ଛେଇ ଠକ ବୁଢ଼ୀ କହି ଦି ଗୋଇଠା ଦେଇଥିଲା । ଆଜି ବି ମା ଚାଲି ପାରୁନି । ଆଜି ପୁଣି କାଳିଆ ଆସିବ । ଦାଣ୍ଡ ଦୁଆର ଖୋଲା ପଡିଚି । କାଳିଆ ଆସିଲା । ପାଟିରୁ ମଦ ର ଗନ୍ଧ । ଆଜି ସବୁ ରାଗ ଶୁଖେଇ ଦେବ । ତଣ୍ଟି ଚିପିଦେବ । ଖୋଜିଲା , ବାରିପଟ କାନ୍ଧିଆ ଗଛ ମୂଳରେ ମା ବସିଚି । ତଣ୍ଟି ଧରିବା ଆଗରୁ ଚୁପ୍ ହୋଇଗଲା କାଳିଆ । ଦରଜା ଆଉଜାଇ ପଳାଇ ଆସିଲା । ପଛରୁ କିଏ କହୁଥିଲା , କାଳିଆ ରେ ତୁ ଦିନେ ବାପା ହେବୁ । ଆଉ ତୋ ପିଲା ଛୁଆଙ୍କର ସାହା ହେବୁ । 


Rate this content
Log in

Similar oriya story from Tragedy