Satyabati Swain

Tragedy

4  

Satyabati Swain

Tragedy

ମୀରା

ମୀରା

3 mins
382



ମୂରଲୀ ଅପେକ୍ଷାରେ ଥିଲି ମୁଁ।


ଜୀଵନର ପ୍ରତିକ୍ଷଣେ ତାକୁ ଅନୁଭବ କରୁଥିଲି। ସେ ମୋର ହୋଇ ମୋ ସହିତ ଛାଇ ପରି ଚାଲୁଥିଲା ଅହରହ | ନିଃସଙ୍ଗ ଜୀଵନର ସାଥି ଥିଲା ସେ ମୋର | ତା ସହ ଚୁପି ଚୁପି କଥା ହେଉଥିଲି | ଦୁଃଖ ସୁଖ ବାଣ୍ଟୁଥିଲି | କଥା ହେଲା ବେଳେ କେବେ କେବେ ହସି ଦେଉଥିଲି କିମ୍ବା କାନ୍ଦି ଦେଉଥିଲି | ଲୋକେ ମୋ ହସ ବା କାନ୍ଦ ଦେଖି କହୁଥିଲେ ମୀରା ପାଗଳ ହୋଇ ଗଲାଣି | ନିଜ ମଣିଷ ସହ କଥା ହୋଇ କାନ୍ଦିଲେ କି ହସିଲେ କଣ ପାଗଳ ହୁଅନ୍ତି କି ? ଚୁପ ରହିଲେ ବି ଅପରାଧ |କରିବି ତ କଣ କରିବି ? ମୋତେ ମୋ ବାଗରେ ମୁଁ ହୋଇ ବଞ୍ଚିବାକୁ. ଏ ସମାଜ ଦେଉ ନାହିଁ କାହିଁକି? ମୋ ସବା ସାନ ଭଉଣୀର ବାହାଘର ପାଇଁ ସମସ୍ତ ବନ୍ଧୁବାନ୍ଧବ ଘରେ ରୁଣ୍ଡ. | ବିଜି ମାଉସୀ କହିଲେ ସମସ୍ତେ ସଜବାଜ ହୋଇ ଥିଲା ବେଳେ ତୋର ଏ କି ବେଶ ମୀରା ? ଯାଅ ଟିକେ ସଜବାଜ ହୋଇ ଆସ। କେତେ ଲୋକ ଆସିବେ ପରା।

  ସାମାନ୍ୟ ହସିଦେଲି | ସଜବାଜ କାହିଁକି ହେବି ? କାହା ପାଇଁ ହେବି ଯେ ?


ତୋ ନିଜ ପାଇଁ ମୀରା ।


ମୁଁ କେବେ ନିଜର ଥିଲି କି ବିଜି ମାଉସୀ ?


ପାଗେଳୀ ଗେହ୍ଲିଟା ।


ମୁଁ ପାଗଳ ନୁହେଁ ବିଜି ମାଉସୀ ।


   ମୁହଁ ମୋଡ଼ି ଦେଇ ରମାନୀ କହିଲା , ସିଏ କାଇଁ ପାଗଳ ହେବ ? ଛୋପରିଟାଏ | ପ୍ରେମ ପାଗଳ ହୋଇ ସେମିତି ଓଥୋରୀ ବୁଢ଼ୀ ହେଉଥାଉ | ୟା ତଳ ଭାଇଟିଏ ଓ ଦୁଇ ଦୁଇଟା ଭଉଣୀ ହାତକୁ ଦି ହାତ ହୋଇ ସାରିଲେଣି | ୟାକୁ ଦେଖ ବାହାହେବା ନାଆଁ ଧରୁ ନାହିଁ| ହଇଲୋ ମୌନ ମୁହିଁ ସେ ମୁରଲୀ ଡ୍ରାଇଭର ଆଉ ଅଛି ଯେ ଆସିବ ନା ତୋତେ ବାହା ହେବ ?  


   ହସି ଦେଇ କହିଲି ପ୍ରେମ ମାନେ କଣ କେବଳ ବାହା ହେବା କି ରମାନୀ ?ଦେହ ନୁହେଁ ଜଣକୁ ସବୁଦିନ ମନେ ରଖି ଚିର କୁଆଁରୀ ରହି ଯିବାର ନାଁ ବି ପ୍ରେମ। ଏଥିରେ କି ଆନନ୍ଦ ଥାଏ ତୁମେ କୁଆଡୁ ବୁଝିବ ?


  ମଲା ଦେଖ ଲୋ ଏ ପାଗେଳୀଟିକୁ ମୋ ସହ ଜୁଆଲ ସୁଆଲ କରୁଛି କେମିତି ? କୁହନ୍ତି ଉପର ମୁହିଁଙ୍କର ମୁହଁ ଭାରି ଜବର ।


    ମୁଁ ପାଗେଳୀ ନୁହଁ କହି ରମାନୀ ଉପରକୁ ଲକ୍ଷ୍ୟ କରି ପକେଇଲି ପଟେ ଚପଲ ।


   ଓହୋ କଣ ଦେଖିବ ରମାନୀ ବାହୁନିମା ଆରମ୍ଭ କରି ଦେଇ ଡାକ ଛାଡିଲା ଆରେ ହେ ଗଦାନା ତୋ ପାଗେଳୀ ଝିଅ ମୋତେ ମାରି ଦେଲାରେ । ହଜାର ବାର କହିଲି ଏ ପାଗେଳୀଟାକୁ ନେଇ ପାଗଳ ଗାରଦରେ ଛାଡିଆ। ମୋ କଥା କେଉଁ ଶୁଣିଲ । ଏବେ ସମ୍ଭାଳ ଉଦଣ୍ଡି ପାଗଳ ଝିଅଟାକୁ ।


   ତାପରେ କେହି ମୋତେ ପଚାରି ନାହିଁ ମୁଁ ରମାନୀକୁ କାହିଁକି ମାଇଲି । ସିଧା କିଛି କୁହା ବୋଲା ନ କରି ମୋ ପରମୁ କକା ମୋତେ ନେଇ ବାରି ଆଡ଼ ଘର ଖଟ ଗୋଡରେ ବାନ୍ଧି ଦେଲେ. ଯେଉଁଠି ଧାନ ବସ୍ତା ରୁହେ । ବିଜି ମାଉସୀ ଆହା ଚୁ ଚୁ କଲେ । ମାଆ ଆସି କହିଲା ଏତେ କାନେ କାନେ ବୁଝେଇଲି. ବାହାଘର କାହାକୁ ମରାଧାରା କରିବୁ ନାହିଁ ।କାହିଁକି ଏମିତି ଦୁର୍ବୁଦ୍ଧି କଲୁ ? ମୋତେ ଟିକେ ଶାନ୍ତିରେ ମରିବାକୁ ଦେବୁ ନାହିଁ ? 


   ମୋତେ କାଇଁ ବୁଝଉଛୁ ? ଯାଉନୁ ସେ ରମାନୀକୁ ବୁଝେଇବୁ । ମୁଁ ବାହା ନ ହେଲି, କାହାକୁ ଭଲ ପାଇଲି ନ ପାଇଲି ତାର କଣ ଅଛି ? ମୋତେ ପାଗେଳି କହିବ ? ମୁଁ ପାଗଳ ନା ତୁମେ ସବୁ ? ବିଜି ମାଉସୀ ଦେଖିଲ ମୁଁ କଣ ପଶୁ ଜନ୍ତୁ ହୋଇଛି।ମୋତେ ଖୁଣ୍ଟରେ ବାନ୍ଧୁଛନ୍ତି ? ମାଆ ଶୁଣୁ ସମସ୍ତେ ମୋତେ ଏପରି ଦହଗଞ୍ଜ କରିବା ଅପେକ୍ଷା ନନାଙ୍କୁ କହି ମୋତେ ପାଗଳ ଗାରେଦରେ ଛାଡି ଦେ ମାଆ । ଅନ୍ତତଃ ସେଠି ମୁଁ ଶାନ୍ତିରେ ରହିବି।

   ମାଆ ତା କାନ୍ଦକୁ ରୋକି କହିଲା, ବିଜି ତୁ ୟା କଥା ଟିକେ ବୁଝୁଥା। ୟା ପାଗଳାମି ବୁଝିବି ନା ବାହାଘର କଥା।

     ମାଉସୀ ମୋତେ କୋଳେଇ ନେଇ କାନ୍ଦି ପକେଇଲେ । ଅତି ଭଲ ମଣିଷଙ୍କୁ ଆମ ସମାଜ ପାଗଳ କୁହେ ଲୋ ମୀରା। ତୁ ବ୍ୟସ୍ତ ହଅନା । ଏଥରକ ମୁଁ ତୋତେ ମୋ ସାଙ୍ଗରେ ନେଇଯିବି । 

   ହଁ ସେଇଆ କର ମାଉସୀ। ଏଠିକାର ମଣିଷଙ୍କର ହୃଦୟ ନାହିଁ। ମୁଁ ଏଠି ରହି ପାରିବିନି। କିନ୍ତୁ ମୁରଲୀ ଆସିଲେ ମୋତେ ନ ପାଇ ମନ ଦୁଃଖ କରିବ !

    

ମୋ ଠିକଣା ତା ପାଖକୁ ପଠେଇ ଦେବା।


ବଢିଆ କହି ସେ ତାଳି ମାରିଲା। 


  ଆହା ବିଚାରୀ ! ଗ୍ରହଣ କରି ପାରୁନାହିଁ ତା ପ୍ରେମିକ ମୂରଲୀ ୟାକୁ ବାହା ହେବାକୁ ଆସୁଥିବା ବେଳେ ଟ୍ରକ ତଳେ ଚାପି ହୋଇ ସେ ପାରିକୁ ଚାଲି ଯାଇଛି ବୋଲି।


    ମୋ ମୂରଲୀ ଆସିଲେ ମୋର ଏମିତି ବାହା ଘର ହେବ ନା ବିଜି ମାଉସୀ ?


    ହଁ ଲୋ ମୋ ସୁନା କହି ବିଜି ମାଉସୀ ମୋତେ ଖୋଲି ଦେଲା ଖୁଣ୍ଟରୁ । କି ବଟିକାଟିଏ ଦେଇ ମୋତେ ଥାପୁଡି ଦେଇ କହିଲେ ଶୋଇ ପଡ ଧନ !!

    ମୋ ଆଖି ବୁଜି ହୋଇ ଆସିବା ପୂର୍ବରୁ କହୁଥିଲି ,ମୁଁ ପା ଗ ଳ ନୁହେଁ ବି ଜି ମା ଉ ସୀ ।




Rate this content
Log in

Similar oriya story from Tragedy