Soumya Shubhadarshinee

Tragedy

4.0  

Soumya Shubhadarshinee

Tragedy

ମିଛେଇ

ମିଛେଇ

7 mins
634



 କିଛି ଅବ୍ୟକ୍ତ ଛାତି ତଳେ ରୁନ୍ଧି ହେଇ ଯନ୍ତ୍ରଣା ଦିଏ ତମାମ ଜୀବନ । ଶତ ଚେଷ୍ଟା ପରେ ବି ମୁକ୍ତି ନଥାଏ ସେଇ ଯନ୍ତ୍ରଣାରୁ ।


************


 ରିୟା ଟିକେ ନିରିଖେଇ ଦେଖିଲା । ହଁ , ସେ' ସେଇମିତି ଅଛି , ଝୁମ୍ପୁରା ଚୂଳ ଭଳି ତା' ସବୁଜ ରୂପ । ଆଉ ଦେହ ସାରା ପେନ୍ଥା ପେନ୍ଥା ଫୁଲ । ବାସ୍ନା ସେମିତି ସମ୍ମୋହକ ।


 ମନେ ପଡ଼ିଲା ଅତୁ ଭାଇ ଯେବେ ଆଣିଥିଲା ତାକୁ ସହରରୁ , ଜେଜୀ ବିଗିଡି ଥିଲା । '' ଏଇଟା ବାସ୍ନା ଦିଏ ସିନା କିନ୍ତୁ ଜନ୍ତୁଜୁନ୍ତା ଆସନ୍ତି ଲୋ ୟା ମୂଳକୁ ରାତିରେ । ''ଅତୁ ଭାଇ କିନ୍ତୁ ହସିକି କହିଥିଲା ,'' ତୋତେ ମାରିବି ବୋଲି ତ ଲଗଉଛି ଏଇ ଗଛ ।''

  

 ସ୍ୱର୍ଣ୍ଣ ଚମ୍ପା , ଜେଜେ ଉଚ୍ଚାରଣ କରିଥିଲେ । କେତେ ସୁନ୍ଦର ଶୁଭିଥିଲା ଆଃ !


 ଗଛ ଟା ଯେମିତି ଅତୁ ଭାଇର ପ୍ରାଣ । ସେମିତି ବଢ଼ିଲା ହୁ ହୁ ହେଇ । ଦିନ କେଇଟାରେ ଝଙ୍କାଳିଆ ହେଇଗଲା । ଆଉ ବର୍ଷ ଗୋଟାଏରେ ଫୁଲ ଫୁଟି ମହକିଲା । 

କେତେ ବାସ୍ନା ଓଃ !


 ସୋମବାର ସକାଳୁ ଯାଉଥିଲା ରିୟା ଅତୁ ଭାଇ ଘରକୁ । ଫୁଲ କିଛି ଆଣିବା ପାଇଁ , ହଁ ନେଇକି ଯିବ ଶିବ ମନ୍ଦିର । ପୂଜା କରୁଥିଲା ରିଆ ଆଈ କଥା ମାନି , '' ବୁଝିଲୁ ଭୋଳା ଶଙ୍କର ପୂଜିବୁ ଯେବେ ମନ ଲାଖି ଜୋଇଁ ଟେ ପାଇବୁ ଲୋ ସୁନ୍ଦରୀ ।''

 

  ଆଈ କୁଆଡେ ପୂଜୁ ଥିଲା ବୋଲି ଅଜାଙ୍କ ଭଳି ଜୀବନ ସାଥି ପାଇଲା । ଅଜା କେଡେ ଭଲ ଇସ୍ । ଆଈ ପାଇଁ ଆଜିବି ମଲ୍ଲୀ ଗଜରା ଆଣିବାର ଦେଖିଛି ରିୟା । କୁହନ୍ତି କୁଆଡେ ଆଈ ଭାରି ଭଲପାଏ । ସତରେ ଆଈ ସେଇ ଫୁଲମାଳ କୁ ଭାରି ସରଗରେ ଲଗାଏ ଖୋସା ଦିହରେ ।


  ଆଈ କୁ ଯେବେବି ଦେଖେ ରିୟା ଅଜାଙ୍କ ସାଥିରେ ହିଁ ଦେଖେ । ଆଈ ଅଜାଙ୍କୁ ଛାଡି ଏକୁଟିଆ ଯାଏନି କୁଆଡେ । ରିୟା ଚିଡ଼େଇକି କୁହେ ତୋର ଆଉ ଅଜାଙ୍କର ତ ଫେଭିକଲ ଯୋଡି । ଆଈ ଲାଜେଇ ଯାଏ ଆଉ ତା ପାକୁଆ ପାଟିରେ କଅଁଳ ହସ ଖେଳେଇ ଦିଏ । 


 ସେଇ ଆଈ କଥାରେ ସୋମବାର ମନ୍ଦିର ଯାଉଥିଲା ରିୟା । ଜାଣନ୍ତି ସଭିଏଁ ଝିଅ ମାନେ ଶିବ ଙ୍କୁ କାହିଁକି ପୂଜନ୍ତି । ଅତୁ ଭାଇ ବି ହୁଏତ ଜାଣେ । ସେ କିଛି କୁହେନି ସିନା କିନ୍ତୁ ବେଶ ଶ୍ରଦ୍ଧା ସହକାରେ ଚମ୍ପା ଫୁଲ ମେଞ୍ଚେ ତୋଳି ଦିଏ । ଆହୁରି ତ୍ରିଶାଖା ବେଲ ପତ୍ର ବି ତୋଳି ରଖିଥାଏ । ରିୟା ସେସବୁ ଧରି ମନ୍ଦିର ବାହାରିଲା ବେଳକୁ ଅତୁ ଭାଇ କୁହେ , '' ପାଦୁକ ଟିକେ ଦେଇଯିବୁ ତ ମୋତେ ?'' ରିୟା ସମ୍ମତିରେ ମୁଣ୍ଡ ହଲେଇ ଚାଲିଯାଏ ।


 କେଜାଣି କେତେ ସୋମବାର ଏମିତି ବିତିଥିବ ଜଣା ନାହିଁ । କିନ୍ତୁ ଅତୁ ଭାଇ ହିଁ ଚମ୍ପା ତୋଳିକି ଦେଇଥିଲେ ମନେ ଅଛି । ସେଇ ବାସ୍ନା ଭିତରେ ଗୋଟେ ସୂକ୍ଷ୍ମ ଆବେଗ ବି ସାଇତା ନେଇଥିଲା ରିୟା ନିଜ ଭିତରେ । ହେଲେ ସବୁ ଆବେଗ କି ମୁହଁ ଖୋଲି କହିହୁଏ ??.…....


********************

  ସେଇ ଚମ୍ପା ଗଛ ମୂଳରେ ସକାଳୁ ମେଞ୍ଚେ ଫୁଲ ଝଡି ପଡିଥାଏ । ମାଳୀ ଘର ଝିଅଟା ଗୋଟେଇ ନିଏ ସେଇ ଫୁଲ । ଗଛରୁ ତୋଳିକି ନେବାକୁ ମନ କରେନି । ଜେଜୀ ଅନେକ ଥର କୁହେ , '' ଆଲୋ ସେବତୀ ତୁ ଫୁଲ ତୋଳିକି ନେଉନୁ । ଆଲୋ ମନ୍ଦିର ପାଇଁ ହାର ଗୁନ୍ଥିକି ବିକନ୍ତୁ । ଭଲ ପଇସା ରୋଜଗାର ହୁଅନ୍ତା । ମୋତେ କିଛି ଦିଅନ୍ତୁ ପାନ ଖର୍ଚ୍ଚ ।"


 ସେବତୀ କିନ୍ତୁ ହସି ଦିଏ ଖାଲି ଆଉ ଗୋଟେଇକି ନିଏ ଫୁଲ । ରିୟା ବି ଦେଖିଛି ସେବତୀକୁ । ନୁଖୁରା ଦେହ , ପାତେଲି ଚେହେରା , ବାଙ୍ଗେରୀ ରୂପ ଥିବା ସାଧାରଣ ଝିଅଟି । କିନ୍ତୁ ଭାରି ନିରୀହ ଆଖି ଯୋଡିକ ତା'ର । କେମିତି ଗୋଟେ ଆକର୍ଷଣ ସେଇ ଆଖିରେ । ଫୁଲ ନେଇ ରୋଜ ମାଳ ଟେ ଗୁନ୍ଥିକି ରଖେ ସେବତୀ ଠିକ ସେଇ ଚମ୍ପା ଗଛ ମୂଳରେ । କେଜାଣି କାହିଁକି ??


 ଗଛ ସହ ଅତୁ ଭାଇ ଯେମିତି ସମ୍ପର୍କରେ , ରିୟା ବି ଠିକ ସେମିତି । ଅତୁ ଭାଇ ରୋଜ ସେଇ ଗଛ ମୂଳ ଚଉତରା ତଳେ ଦେଖାଯାଏ ସନ୍ଧ୍ୟାରେ ଆଉ ରିୟା ଆସି ସେଇଠି ଗପ ଯୋଡ଼େ ଜେଜୀ ସହ । ଜେଜୀ ହଜାରେ ପ୍ରକାର ମଜା କଥା ବଖାଣୁ ଥାଏ ଆଉ ସେ ଦୁହେଁ ଶୁଣୁଥାନ୍ତି ମୁଢି ମିକ୍ସଚର ସହିତ । କେବେକେବେ ମାଉସୀ ଗରମ ପକୁଡି ବି ଯୋଗାଡ଼ି ନିଅନ୍ତି ସନ୍ଧ୍ୟାର ଶିତଳତାକୁ ଆଦରି । 


 ରିୟା ଗପ ଶୁଣେ ଆଉ ସ୍ୱପ୍ନ ବୁଣେ । କିନ୍ତୁ କେବେ ଯତେଇ ପାରେନି । ଝିଅ ମାନେ କ'ଣ ଆଗ କୁହନ୍ତି ?


 ସେଇ ଗଛ ଭଳି ଲାଗେ ତାକୁ ତା' ଜୀବନ। ଏତେ ଆବେଗ କିନ୍ତୁ ଦେଖେଇ ହୁଏନା କାହାକୁ । ଏତେ ବାସ୍ନା କିନ୍ତୁ ନିଜ ଇଚ୍ଛାରେ ଭରି ହୁଏନା କାହାରି ପାତ୍ର।


 ଅତୁ ଭାଇ ବେଶ ଗପେ , ସାଥିରେ ନେଇକି ସ୍କୁଲ ଯାଏ , ନୋଟ୍ସ ଲେଖିଦିଏ , ସନ୍ଧ୍ୟାରେ ଟ୍ୟୁସନ ରୁ ଫେରିଲା ବେଳେ ଘର ଯାଏଁ ଛାଡିକି ଆସେ । ସବୁ କରେ କିନ୍ତୁ କେବେ କିଛି ଜତାଏ ନାହିଁ । ରିୟା କହିବ କହିବ ଭାବେ କିନ୍ତୁ ସାହସ କୁଳାଏ ନାହିଁ ।


******************


 ସେଦିନ କିନ୍ତୁ ସ୍ପଷ୍ଟ ମନେଅଛି ରିୟାର , ମନେ ରହିବ ନାହିଁ କେମିତି । ଛାତିରେ ଛୁରୀ ଚଳେଇ ବାର ଯନ୍ତ୍ରଣା କେହି କି ଭୁଲି ପାରେ ?  

ମୁହଁସଞ୍ଜ ବେଳକୁ ଆସୁଥିଲା ରିୟା ନିଜ ନୂଆ ସାଇକେଲ ଚଲେଇ । ଅତୁ ଭାଇ ଯାଇନଥିଲା ଟ୍ୟୁସନ୍ ସେଦିନ । ଏକା ଏକା ଟିକେ ତରତର ହେଇକି ଆସୁଥିଲା ରିୟା। ସେଇ ଚମ୍ପା ଗଛ ଆଡ଼କୁ ନଜର ଚାଲିଗଲା ଏମିତି , ଆଉ ଯାହା ଦେଖିଲା ସେ ଆଖିକୁ ଵିଶ୍ଵାସ ଆସିଲା ନାହିଁ । ପୁଣି ଥରେ ଆଖି ମକଚି ଦେଖିଲା ସେ । ନା' ଠିକ ଦେଖୁଛି ସେ । ଅତୁ ଭାଇ ହାତରେ ଗୋଟେ ଚମ୍ପା ମାଳ । ସେଇ ମାଳ ଯାହାକୁ ସେବତୀ ଗୁନ୍ଥି ଦେଇ ରଖିଥିଲା ଚମ୍ପା ଗଛ ମୂଳରେ । ଓଃ ! ଅତୁ ଭାଇ ସେଇ ମାଳଟା ନେଉଛନ୍ତି କାହିଁକି ? ସେବତୀ କ'ଣ ସବୁଦିନ ଅତୁ ଭାଇ ପାଇଁ ମାଳ ଗୁନ୍ଥୁଛି ? ଅତୁ ଭାଇ କ'ଣ ସେବତୀକୁ କହିଛନ୍ତି ?


  ମୁଣ୍ଡ ବାଉଳା ହେଇଗଲା ରିୟାର । କାନ୍ଦ କାନ୍ଦ ହେଇଗଲା ସେ । ନା' କାନ୍ଦିଲା ସେ ଗୋଟାପଣ ଭୋ ଭୋ ହେଇ । ଜାଣିନି କାହିଁକି କିନ୍ତୁ ଭାରି ଯନ୍ତ୍ରଣା ହେଲା । ରୁନ୍ଧି ହେଇଗଲା ପବନ ଯେମିତି ଛାତି ଭିତରେ । ସାରା ରାତି କାନ୍ଦିଲା ରିୟା , ତକିଆ ଭିଜେଇ , ଆଖି ଫୁଲେଇ , ଓଠ ଫଟେଇ ।

  

ବଜରା ମାସେ କାଳ ଆଉ ମନ୍ଦିର ଗଲାନି ସେ । କାହିଁକି ପୂଜିବ ଆଉ ଭୋଳା ଶଙ୍କରଙ୍କୁ । ସେ ସତରେ ଭୋଳା । କିଛି ତ ବୁଝି ପାରୁନାହାନ୍ତି । ଆଉ ଡାକି କି ଲାଭ ? କରନ୍ତି ସେ ନିଜ ମନ ମୁତାବକ । ତା' ମନ କଥା କାହିଁକି ବୁଝିବେ ଭଲା ?


 ଖାଲି ସେତିକି ନୁହେଁ , ସେ ଅତୁ ଭାଇ ଘରକୁ ଯିବା ବି ବନ୍ଦ କରିଦେଲା । ଜମା ସହି ହେଉନଥିଲା । ଭାବିବାକୁ ବଡ଼ କଷ୍ଟ ହେଉଥିଲା ସେଇ ଚମ୍ପା ମାଳ କଥା । ବଡ଼ ରାଗ ଆସୁଥିଲା ଏବେ ଚମ୍ପା ଗଛ ଉପରେ । ଶତ୍ରୁ ଟା ସେ , ନଥାନ୍ତା ଯଦି ତେବେ ଅତୁ ଭାଇ ଜୀବନରେ ସେବତୀ ହୁଏତ ହୁଏତ ...........


  

*******************


 ମାଉସୀ ସେଦିନ କିନ୍ତୁ ବଡ଼ ବ୍ୟସ୍ତ ହେଇ ଫୋନ୍ କରିଥିଲେ , '' ରିୟା ତୁ ଆସ ଆଜି , ତୋତେ ମୋ ରାଣ !''

 ରିୟାକୁ ଯିବାକୁ ପଡ଼ିବ ଏଥର ନିଶ୍ଚିତ । ମାଉସୀ ରାଣ ଖାଇଛନ୍ତି ଯେତେବେଳେ ନଗଲେ ନଚଳେ । ସେ ଗଲା ଆଉ ଗୋଟେ ଧର୍ମ ସଂକଟରେ ପଡିଗଲା । ମାଉସୀ ସିଧା ସିଧା ପଚାରିଦେଲେ , '' ଅତୁ କାହା ସହିତ ସମ୍ପର୍କ ରେ ଅଛି କହ ମୋତେ । ତୋତେ ରାଣ ରହିଲା । ''

 ରିୟା ହଡ଼ବଡ଼ ହେଇଗଲା । ସେ ଜାଣିଛି କି କିଛି ନା' ଜାଣିନି । କେମିତି କହିବ । ସେବତୀ ର ଚମ୍ପା ମାଳ ଆଉ ଅତୁ ଭାଇର ପ୍ରେମ କଥା । କିଛି ପ୍ରମାଣ ଅଛି କି ??....


 ସେଦିନ ରିୟା କ'ଣ କହିବ ସତରେ ବୁଝି ପାରିଲା ନାହିଁ । ସେବତୀ ସଂକ୍ରାନ୍ତିୟ କଥାର ସତ୍ୟାସତ୍ୟ କେତେ ? ସେ ଯେତେବେଳେ ନିଜେ ଜାଣିନି କେମିତି କିଛି କହିବ । କିନ୍ତୁ ଅତୁ ଭାଇ ହାତରେ ସେ ଚମ୍ପା ମାଳ !...

 ସେ କେବଳ ଏତିକି କହିଲା , '' ମାଉସୀ ଚମ୍ପା ଗଛକୁ ହିଁ ଜଣା ଅତୁ ଭାଇ ର କଥା ଆଉ କେହି ଜାଣିନି । ମୁଁ ବି ନୁହେଁ । ହୁଏତ ସେଇ ମାଳି ଘର ଝିଅକୁ ପଚାରିଲେ କିଛି ଉତ୍ତର ମିଳିବ ।''

 ମାଉସୀ ବଲବଲ ହେଇ ଅନେଇଲେ । ଆଉ ରିୟା ଚାଲିଆସିଲା । ସେଇ ଶେଷ ଯିବା ଅତୁ ଭାଇର ପୃଥିବୀକୁ । ତା' ପରେ ରିୟା ମାମୁଁ ଘରକୁ ଚାଲିଗଲା , କଲେଜ ରେ ପଢିବାକୁ ।


 ଅତୁ ଭାଇ , ସେବତୀ , ଚମ୍ପା ଗଛ , ଜେଜୀ ସଭିଏଁ ରହିଗଲେ ଗୋଟେ ଅତୀତର ପୃଷ୍ଠାରେ ନିରବ ଆଉ ନିର୍ଜୀବ ହେଇ । ଭୁଲିବାକୁ ଚେଷ୍ଟା କଲା ବହୁତ ରିୟା କିନ୍ତୁ କାହିଁକି କେଜାଣି ଭୁଲିବା ସହଜ ନଥିଲା । 


****************


 ତା' ଆସିବାର ମାସେ ପରେ ଖବର ମିଳିଲା ସେବତୀ କୁଆଡେ ଚାଲିଗଲା ଗୋଟେ ଦୁର୍ଘଟଣା ରେ । ଆଉ ଏଇ ଘଟଣା ପରେ ଅତୁ ଭାଇ ଚୁପ ହେଇଯାଇଛି ଅସମ୍ଭବ ଭାବରେ । ମାଉସୀ ଏତକ କହିଲେ ରିୟାକୁ ଫୋନ୍ କରି । ବଡ଼ ବ୍ୟସ୍ତ ହେଇ ଡାକିଲେ ମାଉସୀ , '' ତୁ ଟିକେ ବୁଝାନ୍ତୁନି ଅତୁ କୁ ? କିଛି କହୁନି ଲୋ ସେ ଆମକୁ । ତୋ କଥା ଶୁଣେ ସେ !"


ରିୟା ଯିବ କି ଯିବନି ଭାବିଲା ଖୁବ୍ । କିନ୍ତୁ ଅତୁ ଭାଇ ଏବେବି ଛାତି ତଳେ ଗୋଟେ ସାଇତା ଯନ୍ତ୍ରଣା । 


 ଅତୁ ଭାଇଙ୍କୁ ଭେଟିଲା ରିୟା । ଦେଖିକି ଆଶ୍ଚର୍ଯ୍ୟ ହେଇଗଲା । ଇସ୍ ! ଇଏ କ'ଣ ସେଇ ଅତୁ ଭାଇ ? ଦାଢ଼ି ଭର୍ତ୍ତି ମୁହଁରେ କେମିତି ଗୋଟେ ଅସହାୟତା । ଆଖି ଯୋଡ଼ାକ ନିଷ୍ପ୍ରଭ । ଦେହଟା ଏକଦମ ନୀଥର , ନିଷ୍ପ୍ରାଣ । ସେ ଠିକ ଜାଣିଥିଲା ସେବତୀ ପାଇଁ ଏସବୁ । ସେ ଅତୁ ଭାଇକୁ ଏମିତି ଦେଖି ସହି ପାରିଲା ନାହିଁ । ତା' ହାତ ଧରି କାନ୍ଦି ପକେଇଲା । ଅତୁ ଭାଇ କିନ୍ତୁ ହାତ ଛିଞ୍ଚାଡି ଦେଇ କହିଲେ , '' ଯା ମିଛେଇ , ବାହାରି ଯା ଏଠୁ !''

 କାହିଁକି କହିଲେ ଅତୁ ଭାଇ ଏମିତି ? ବୁଝି ପାରିଲା ନାହିଁ ରିୟା । ମିଛ କେବେ କହିଲା ସେ ଆଉ କାହାକୁ ? ଅତୁ ଭାଇକୁ ସେ କେତେ ନେହୁରା ହେଇଥିଲା ସେଦିନ । କ'ଣ କହୁଛ ତୁମେ ମୁଁ ମିଛ କହିଲି କେବେ ? ଭାଇ କାହିଁକି ଏମିତି କହୁଛ ?? 


 ଅତୁ ଭାଇ କିନ୍ତୁ କିଛି କହିଲେ ନାହିଁ କେବଳ ଶୂନ୍ୟ ଦୃଷ୍ଟି ରେ ଦେଖୁଥିଲେ ସେଇ ଚମ୍ପା ଗଛ ଆଡେ । ସେ କାନ୍ଦି କାନ୍ଦି ଯେବେ ଲୋଟିଗଲା ଭୁଇଁରେ ଅତୁ ଭାଇ ତାକୁ ଧରି ନେଲେ ଆଉ କହିଲେ , '' ସେବତୀ କୁ ନେଇ ମିଛ କହିଲୁ କାହିଁକି ? ବୋଉ ମୋତେ ଜେରା କଲା ଆଉ ସେବତୀ ଉପରେ ଆକ୍ଷେପ । ତା' ବାପାକୁ ଡକେଇ ଜେଜୀ ମନଇଚ୍ଛା ଗାଳି ମନ୍ଦ କଲା । ସେମାନେ ନିଚ୍ଚ ଜାତି ଆମ ସେବକ । ସେ ଘର ଝିଅଟା ଏସବୁ ଭାବିବା ବି ପାପ ।


 ମୋତେ କେହି କିଛି ପଚାରିଲେ ନାହିଁ  ରିୟା । ସବୁ ତୋରି କଥାରେ ମାତିଗଲେ । ତୁ କହ କେବେ ଦେଖିଛୁ ମୋତେ ସେବତୀ ସହ ? କିଛି ଶୁଣିଛୁ କେଉଁଠୁ ଆମ କଥା ?


 କାହିଁକି କହିଲୁ ଏମିତି ମିଛ ଟେ ? ସେ ନିଶ୍ଚିତ ଅପବାଦରେ ସନ୍ତୁଳି ହେଇ ଜୀବନ ହାରି ଦେଲା । ତୋ ପାଇଁ ଗୋଟେ ନିରୀହ ଝିଅର ପ୍ରାଣ ଚାଲିଗଲା । 

 ରିୟା ନିଶବ୍ଦ ହେଇ ଶୁଣୁଥିଲା ଅତୁ ଭାଇକୁ । କିନ୍ତୁ ପଚାରିଲା ପାରିଲା ନାହିଁ , 

'' ଅତୁ ଭାଇ ମୁଁ କ'ଣ ସତରେ ମିଛେଇ ?''

 ଇଚ୍ଛା ହେଉଥିଲା ତା'ର ସେଇ ଚମ୍ପା ଗଛ ଟା କଥା କୁହନ୍ତା କି । କହିଦିଅନ୍ତା କିଏ ମିଛ କହୁଛି ଆଉ କିଏ ସତ ।


Rate this content
Log in

Similar oriya story from Tragedy