ମହେଶ ଦାଶରୁ ବୀରବଲ
ମହେଶ ଦାଶରୁ ବୀରବଲ
ଶ୍ରୀମତୀ ସୁଜାତା ସିହ୍ନା
ବାଦଶାହ ଆକବରଙ୍କ ଦରବାରରେ କଳାକାର,ବିଦ୍ଵାନ, ପଣ୍ଡିତ ତଥା ଗୁଣିଜ୍ଞାନୀଙ୍କର ବହୁତ ଆଦର ହେଉଥିଲା l ଯେ କୌଣସି ବ୍ୟକ୍ତି ଦରବାରରେ ଆସି ନିଜ କଳା କୌଶଳ ପ୍ରଦର୍ଶନ କରୁଥିଲା l ବାଦଶାହ ଖୁସି ହୋଇଯାଇ ତାଙ୍କୁ ବହୁତ ପୁରସ୍କାର ଦେଉଥିଲେ l ଏହି ପୁରସ୍କାର ଧନରେ ସେମାନେ ପରିବାରର ଭରଣ ପୋଷଣ କରୁଥିଲେ l ପରୋକ୍ଷରେ ରାଜ ଦରବାରରେ ବହୁ ବିଦ୍ଵାନ ଜ୍ଞାନୀ ଓ ଗୁଣି ଲୋକଙ୍କର ଭିଡ଼ ଯମୁଥିଲା l
ଦିନେ ତାଙ୍କ ଦରବାରରେ ଜଣେ କଳାକାର ଆସି ପହଞ୍ଚିଲା l ସେ ଅନ୍ୟ ପଶୁପକ୍ଷୀ ତଥା ମଣିଷମାନଙ୍କର ନକଲ କରିବାରେ ନିପୁଣ ଥିଲା l ସେ ନିଜର ବିଭିନ୍ନ କଳାକାରୀ ଦେଖାଇବାକୁ ଆରମ୍ଭ କଲା l ପରଦା ଉହାଡରେ ବସିଥିବା ରାଣୀମାନେ ତାର କଳା କୌଶଳକୁ ଦେଖି ଆନନ୍ଦିତ ହେଉଥିଲେ l ଶେଷରେ ସେ ବଳଦର ଅଭିନୟ କଲା l ଯାହା କି ଏତେ ମଜାଦାର ଥିଲା ତାକୁ ଦେଖି ସମସ୍ତ ଦରକାରୀ ହସି ହସି ଗଡିଗଲେ l
ସେଠାରେ ଠିଆ ହୋଇଥିବା ଏକ ବାଳକ ଏହି ତାମସା ଦେଖୁଥିଲା l ସେ ଖୁସିହୋଇ ଏକ ପଥର ଉଠାଇ ବଳଦ ଅଭିନୟ କରୁଥିବାଲୋକର ପିଠିକୁ ମାରିଲା l ସେହି କଳାକାରର ଦେହ ଠିକ୍ ଅସଲି ବଳଦ ଭଳି କଷ୍ଟରେ ଥରିବାକୁ ଲାଗିଲା l ବାଳକଟୀ ଖୁସି ହୋଇ ଯାଇ କହିଲା- ‘ ବାଃ ! କି ବଢିଆ ଅଭିନୟ l ‘ କହି ସେ ନିଜ ପାଖରେ ଥିବା ପୁରୁଣା ତଥା ମଇଳା ଟୋପିଟିକୁ କାଢ଼ି ସେହି କଳାକାରକୁ ଦେଇ କହିଲା ଏ ନିଆ ତୁମର ପୁରସ୍କାର l
ଦରବାରରେ ଉପସ୍ଥିତ ସମସ୍ତ ଲୋକ ବାଳକର ଏପରି ପୁରୁଣା ଟୋପିକୁ ପୁରସ୍କାର ଦେଉଥିବା ଦେଖି ହସିବାକୁ ଲାଗିଲେ l କିନ୍ତୁ ବାଳକଟୀ ମନରେ କିଛି ସଙ୍କୋଚ ନ ଆଣି ସମସ୍ତଙ୍କ ସମ୍ମୁଖକୁ ଆସି କହିଲା- ପ୍ରକୃତ କଳାର ବାସ୍ତବିକ ମୂଲ୍ୟ ଓ ପ୍ରଶଂସା ଦାମୀ ପୁରସ୍କାର ଦେଇଦେଲେ ହୁଏନି; ତାହାର ପ୍ରକୃତ ଆକଳନ କରିବାକୁ ହୋଇଥାଏ l ଆପଣମାନଙ୍କ ମଧ୍ୟରୁ କେହି ହେଲେ ବି ଏହି କଳାକାରକୁ ପରୀକ୍ଷା କରିନାହାନ୍ତି l କିନ୍ତୁ ମୁଁ ଏହାର ପରୀକ୍ଷା ନେଇ ସାରିଛି l ସେ ଏ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି l
କଳାକାରଟି ମଧ୍ୟ ନିଜର ସହମତି ଜଣାଇ କହିଲା- ହଁ ହଜୁର ! ଏ ପିଲାଟି ସତ କହୁଛି l ଏ କଳାର ପ୍ରକୃତ ନିରିକ୍ଷକ ଅଟେ l
ଆକବର ପିଲାଟି ଉପରେ ବହୁତ ପ୍ରଭାବିତ ହୋଇ କହିଲେ- ହେ ବାଳକ l ତୁମର ନାମ କ’ଣ ? ପିଲାଟି ଉତ୍ତର ଦେଲା- ମୋ ନାମ ମହେଶ ଦାସ l ବାଦ୍ସା କହିଲେ l କ’ଣ ତୁମେ ମୋ ଦରବାରରେ ରହି କାମ କରିବ ? ସେ ପିଲାଟି ସଙ୍ଗେ ସଙ୍ଗେ ନିଜର ସମ୍ମତି ଜଣାଇ ଥିଲା l
ପରେ ଏହି ପିଲାଟି ବଡ଼ ହୋଇ ବାଦ୍ସା ଆକବରଙ୍କ ଅତି ପ୍ରିୟ ମନ୍ତ୍ରୀ ବୀରବଲ ନାମରେ ପ୍ରସିଦ୍ଧ ହେଲା l ଯିଏ ନିଜର ବୁଦ୍ଧିମାନ ଓ ଚତୁରତା ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲା l କଥାରେ ଅଛି ତୁଲସୀ ଦୁଇ ପତ୍ରରୁ ବାସେ l ଏହା ହିଁ ବିରାବଲଙ୍କ ବାଲ୍ୟ ଜୀବନରୁ ପ୍ରମାଣିତ ହୋଇଥିଲା l