STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାସତୀ ଅନସୂୟା

ମହାସତୀ ଅନସୂୟା

5 mins
269

ପ୍ରଭୁ ଶ୍ରୀରାମ ମାଆ ଜାନକୀ ଓ ଲକ୍ଷ୍ମଣଙ୍କ ସହିତ ଚିତ୍ରକୂଟରେ ନିବାସ କରୁ ଥାନ୍ତି । ଦିନେ ଲକ୍ଷ୍ମଣଙ୍କୁ ପ୍ରଭୁ କହିଲେ ଚାଲ ଏ ଅରଣ୍ୟ ତ୍ୟାଗ କରି ଅନ୍ୟ କୌଣସି ଅରଣ୍ୟକୁ ଚାଲିଯିବା । ତେଣୁ ସେମାନେ ଉପଯୁକ୍ତ ସ୍ଥାନ ସନ୍ଧାନରେ ଅତ୍ରି ମୁନିଙ୍କ ପରାମର୍ଶ ପାଇଁ ଯାଇ ତାଙ୍କ ଆଶ୍ରମରେ ପହଂଚିଲେ । ମହର୍ଷି ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଅତି ଆନନ୍ଦରେ ସ୍ୱାଗତ କଲେ । ପ୍ରଭୁ ଭାଇ ଓ ପତ୍ନୀ ସୀତାଙ୍କ ସହ ମୁନିଙ୍କ ପଦ ବନ୍ଦନା କଲେ । ମହର୍ଷି ସେମାନଙ୍କୁ କଲ୍ୟାଣ କରି ଭୋଜନ ଓ ବିଶ୍ରାମର ବ୍ୟବସ୍ଥା କରିବାପାଇଁ ଶିଷ୍ୟମାନଙ୍କୁ ନିର୍ଦ୍ଦେଶଦେଲେ । ସେମାନେ ମୁନିଙ୍କ ଆଶ୍ରମର ରମଣୀୟ ଶୋଭାକୁ ଅବଲୋକନ କରି ଅତି ଆନନ୍ଦିତ ହେଉଥାନ୍ତି ।


ଏହି ସମୟରେ ପ୍ରଭୁ ମୁନୀଙ୍କୁ ପଚାରିଲେ," ହେ ପରମ ପୂଜ୍ୟ ମହର୍ଷି ! ଏଠାରେ ଅବସନ୍ତରେ ବସନ୍ତ ବିରାଜମାନ କରୁଛି କିପରି? ବୃକ୍ଷରାଜି ନବ ପଲ୍ଲବରେ ମଣ୍ଡିତ ହୋଇ ଅଛନ୍ତି । ପୁଷ୍ପ ବାଟିକାରେ ପ୍ରଷ୍ଫୁଟିତ,ବିବିଧ କୁସୁମ ମନ ପ୍ରାଣକୁ ଆକର୍ଷିତ କରି ନେଉଛି । ଆଶ୍ରମରେ ସିଂହ କୁରଙ୍ଗ ଏକତ୍ର ବାସକରୁଛନ୍ତି । ଏହା କଅଣ ଆପଣଙ୍କ ତପସ୍ୟା ଯୋଗୁଁ ସମ୍ଭବ ହୋଇଛି"? ମହର୍ଷି ହସିହସି କହିଲେ,"ରାଘବ,ତୁମକୁ କଅଣ ବା ଅଜଣାଅଛି? ତଥାପି ଯଦି ପଚାରୁଛ ତେବେ କହୁଛି ଶୁଣ,ଏହା ସମ୍ଭବ ହୋଇଛି କେବଳ ଏଠାରେ ସତୀ ଅନସୂୟାଙ୍କ ଉପସ୍ଥିତି ଯୋଗୁଁ । ଏଠି ଦାନବମାନେ ବହୁ ଉପଦ୍ରବ କରୁଥିଲେ ମଧ୍ୟ, ସେମାନେ ତାଙ୍କରି ପ୍ରଭାବରୁ ଆଶ୍ରମରେ ପ୍ରବେଶ କରିପାରୁ ନାହାଁନ୍ତି । ପୂର୍ବରୁ ଏ ସ୍ଥାନ ଏପରି ହରିତ ଶ୍ୟାମଳ ନ ଥିଲା । ଏହି ସ୍ରୋତସ୍ୱିନୀ ମନ୍ଦାକିନୀକୁ ଯେଉଁ ମହୀୟସୀ ନାରୀ ଏଠାକୁ ଆଣିପାରିଛନ୍ତି ସେ ହେଉଛନ୍ତି ମୋ ପତ୍ନୀ ମହାସତୀ ଅନସୂୟା । ତାଙ୍କ ସତୀତ୍ଵ ଗାଥା ସର୍ବଜନ ବିଦିତ । ତୁମେମାନେ ମଧ୍ୟ ଏ ନାମ ସହ ପରିଚିତ ଥିବ ନିଶ୍ଚୟ ।" 


ଶ୍ରୀରାମ କହିଲେ," ହଁ, ଆମେ ଗୁରୁଦେବଙ୍କ ଠାରୁ ଶୁଣିଛୁ, ମାଆ ଅନସୂୟା ହେଉଛନ୍ତି ସତୀ ମାନଙ୍କ ଭିତରେ ଅଗ୍ରଗଣ୍ୟା । ତାଙ୍କ ନାମ ଆଜି ଆପଣଙ୍କ ମୁଖରୁ ଶୁଣି ମୋର ତନମନ ପବିତ୍ର ହୋଇଗଲା । ତାଙ୍କ ପବିତ୍ର ଚରିତ ଶୁଣିବା ପାଇଁ ମୋର ମନରେ ପ୍ରବଳଉତ୍କଣ୍ଠା ଜାତହେଉଛି । ଆପଣ ଦୟାକରି ତାହା ଆମ୍ଭଙ୍କୁ ଶୁଣାନ୍ତୁ । ଶ୍ରୀରାମଙ୍କ ଆଗ୍ରହ ଦେଖି ଅତ୍ରି ଆରମ୍ଭ କଲେ ସେହି ମହାନ୍ ଗାଥା ।


ଦିନେ, ଦେବୀ ଅନସୂୟାଙ୍କ ସତୀତ୍ଵର ଗାଥା, ଯାଇ ଭୂଲୋକରୁ ସ୍ୱର୍ଗ ଲୋକରେ ପହଞ୍ଚି ଥିଲା । ଦେବର୍ଷି ନାରଦ ବ୍ରହ୍ମଲୋକ, ବୈକୁଣ୍ଠ ଓ କୈଳାଶରେ ବୁଲି ଏ ସତୀଙ୍କ ଗୁଣ ଗାନ କରୁଥିଲେ । ଦେବର୍ଷି କେବେ ସାବିତ୍ରୀଙ୍କ ନିକଟରେ, କେବେ ଲକ୍ଷ୍ମୀଙ୍କ ନିକଟରେ ତ ପୁଣି କେତେବେଳେ ପାର୍ବତୀଙ୍କ ନିକଟରେ ତାଙ୍କ କଥା ଶୁଣାଇ ଚମତ୍କୃତ କରୁଥିଲେ ।   


ଦେବର୍ଷିଙ୍କ ମୁଖରୁ ଅନସୂୟାଙ୍କ ପ୍ରଶଂସା ଶୁଣିଶୁଣି ଦିନେ ତିନି ମହା ଦେବୀ ଈର୍ଷାରେ ଜଳି ଉଠିଲେ । ସେମାନେ ଦିନେ ଏକତ୍ର ହୋଇ ଅନସୂୟାଙ୍କ ପତି ବ୍ରତର ପରାକାଷ୍ଠାକୁ ପ୍ରତିହତ କରିବାପାଇଁ ମସୁଧା କଲେ । ସେମାନେ ନିଜ ନିଜ ପତିଙ୍କୁ ଅନସୂୟାଙ୍କ ସତୀତ୍ଵ ନଷ୍ଟକରିବାର ଦାୟିତ୍ୱ ନେବାକୁ କହିଲେ । ତ୍ରିଦେବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏ ପ୍ରସ୍ତାବ ଶ୍ରବଣ କରି, ଅସନ୍ତୋଷ ପ୍ରକାଶ କରି ଅସ୍ଵୀକାର କଲେ । ଏଥିରେ, ତିନି ଦେବୀଙ୍କ ମୁଖରୁ ହସ ଲିଭି ଗଲା । ଘରେ ବିଭିନ୍ନ ଅଶାନ୍ତି ହୋଇ ଦାମ୍ପତ୍ୟ କଳହ ବୃଦ୍ଧି ପାଇଲା । ଦିନେ ତିନି ଦେବତା ଯାକ ଏକାଠି ବସି ନିଜନିଜ ଘର କଥା ସବୁ ଆଲୋଚନା କରୁଥିଲେ । ତିନି ଜଣଙ୍କ ସମସ୍ୟା ଗୋଟିଏ ଥିଲା । ପୁଣି ତାହା ଗୋଟିଏ ଅନୀତିକାର୍ଯ୍ୟ କରିବା ପାଇଁ ଅଭିପ୍ରେତ । ଦେବୀ ମାନଙ୍କର ଗର୍ବଗଞ୍ଜନ ପାଇଁ ତିନି ଦେବତା ସ୍ଥିର କଲେ । ସେମାନେ ଏହି ପ୍ରସ୍ତାବଟିକୁ ସ୍ୱୀକୃତି ଦେଇ ଦେବୀମାନଙ୍କୁ ତୃପ୍ତ କଲେ ।


ଦିନେ ପ୍ରାତଃକାଳରେ ଆମ୍ଭ ଆଶ୍ରମ କୁଟୀର ଦ୍ୱାର ଦେଶରେ ତିନି ଜଣ ବିପ୍ର ଆସି ପତ୍ନୀ ଅନସୂୟାଙ୍କୁ ଭୋଜନ ଦିଅ ବୋଲି ପ୍ରାର୍ଥନାକଲେ । ସେମାନଙ୍କୁ ଅପେକ୍ଷା କର କହି ଅନସୂୟା ଭିତରକୁ ଯାଉଥାନ୍ତି ଏହି ସମୟରେ ବ୍ରାହ୍ମଣ ମାନେ ଡାକି କହିଲେ, ହଁ ଶୁଣ ! ଆମର ଅନ୍ୟକିଛି ଖାଦ୍ୟ ଆବଶ୍ୟକନାହିଁ । ଆମ କ୍ଷୁଧା ନିବାରଣ ପାଇଁ, ତୁମକୁ ନିର୍ବସ୍ତ୍ରା ହୋଇ ଆମକୁ ସ୍ତନପାନ କରାଇବାକୁ ପଡ଼ିବ । ଅନସୂୟା ଚିନ୍ତାରେ ପଡ଼ିଗଲେ,ବ୍ରାହ୍ମଣମାନଙ୍କୁ ମୁଁ କିପରି ତୃପ୍ତ କରି ପାରିବି ! ଅଳ୍ପସମୟ ଚିନ୍ତାକରି ହସ୍ତରେ ଜଳ ଅଞ୍ଜଳୀ ଧରି ମନ ମଧ୍ୟରେ ସଂକଳ୍ପ କଲେ,ସତରେ ଯଦି ମୋର ପତିଙ୍କ ପାଦରେ ଭକ୍ତି ଥିବ । ଯଦି ମୁଁ ସତୀସାଧ୍ୱୀ ପତିବ୍ରତା ହୋଇଥିବି, ତେବେ ଏ ବିପ୍ର ତିନିଜଣ ତିନୋଟି ବାଳକ ହୋଇ ଯାଆନ୍ତୁ । ଏପରିକହି ସେ ଅଭିମନ୍ତ୍ରିତ ଜଳକୁ ତିନି ବ୍ରାହ୍ମଣରୂପୀ ତ୍ରିଦେବତାଙ୍କ ଉପରେ ସିଞ୍ଚିଦେଲେ । ଆଶ୍ଚର୍ଯ୍ୟ ଏକ ଘଟଣା ଘଟିଲା । ତତକ୍ଷଣାତ୍ ତିନି ବ୍ରାହ୍ମଣ ତିନୋଟି ଶିଶୁରେ ପରିଣତ ହୋଇ ଗଲେ । କ୍ଷେତ୍ର ମୋହନ ରାମାୟଣ ଅନୁସାରେ :-

    ତାହା ଦେଖି ସତୀଙ୍କର ଚିତ୍ତ ହରଷିତ ।

 ପୁତ୍ରଙ୍କୁ କୋଳରେ ଧରି ଗାଇଲେକ ଗୀତ ।। 

ଅତ୍ରିମୁନି କହିଲେ,ବ୍ରାହ୍ମଣ ମାନଙ୍କୁ ଶିଶୁପୁତ୍ର ରୂପେ ପାଇ ଆମ୍ଭେ ପତି ପତ୍ନୀ ଅତ୍ୟନ୍ତ ଆନନ୍ଦିତ ହେଲୁ । ସେମାନେ ଆମ ଆଶ୍ରମରେ ରହିଲେ ।


ଇଆଡ଼େ ବହୁଦିନ ଯାଏ ସେମାନେ ନ ଫେରିବାରୁ ବ୍ରହ୍ମାଣୀ ନାରାୟଣୀ ଏବଂ ରୁଦ୍ରାଣୀ ବଡ଼ ଚିନ୍ତାରେ ପଡ଼ିଗଲେ । ସ୍ୱାମୀମାନେ କୁଆଡେ ଗଲେ ତାଙ୍କର କୌଣସି ଖବର ସେମାନେ ନ ପାଇ ବ୍ୟସ୍ତ ହୋଇ ପଡ଼ି ଥାନ୍ତି । ହଠାତ୍ ଦିନେ ଦେବର୍ଷି ନାରଦ ଆସି ସାବିତ୍ରୀଙ୍କ ପାଖରେ ଉପସ୍ଥିତହେଲେ । ନାରଦ ତ ତ୍ରିପୁରର ସମ୍ବାଦ ରଖି ଥାନ୍ତି, ସେ ଜାଣିଥିବେ ଭାବି ସାବିତ୍ରୀ ତାଙ୍କୁ ବ୍ରହ୍ମାଙ୍କ ଖବର ପଚାରିଲେ । ନାରଦ କିଛି ନଜାଣିଲାପରି କହିଲେ,'ହଁ ! ଦିନେ ମୁଁ ତାଙ୍କୁ, ବୈକୁଣ୍ଠରେ ନାରାୟଣ ଏବଂ ଭଗବାନ୍ ଶଙ୍କରଙ୍କ ସହିତ କୌଣସି ଏକ ସମସ୍ୟାଉପରେ ଆଲୋଚନା କରୁଥିବା ଦେଖି ଥିଲି । ସେମାନେ ମୁଁ ପହଞ୍ଚି ଯିବା ଦେଖି ଚୁପ୍ ହୋଇ ଗଲାରୁ ମୁଁ ତାଙ୍କ କଥାରେ ମୁଣ୍ଡ ନ ପୁରାଇ ଚାଲି ଆସିଲି । ସାବିତ୍ରୀ କହିଲେ, ହଉ ତେବେ ଚାଲ, ମହାଲକ୍ଷ୍ମୀଙ୍କୁ ଟିକେ ଭେଟିବା । ସିଏ ହୁଏ ତ ଜାଣିଥାଇ ପାରନ୍ତି ।

ଦୁହେଁଯାଇ ବୈକୁଣ୍ଠରେ ପହଁଚିଗଲେ । ସାବିତ୍ରୀଙ୍କୁ ଦେଖି ମହାଲକ୍ଷ୍ମୀ କହିଲେ, ବିଷ୍ଣୁ ବହୁ ଦିନ ହେଲା ବୈକୁଣ୍ଠରେ ନାହାଁନ୍ତି । ସେ କଅଣ ବ୍ରହ୍ମ ଲୋକରେ ଅଛନ୍ତି କି ? ନାରଦ ଦୁହିଁଙ୍କୁ ନିରୀକ୍ଷଣ କରି, ମୃଦୁ ମୃଦୁ ହସୁଥାନ୍ତି । ବ୍ରହ୍ମ ଲୋକରେ ବ୍ରହ୍ମା ଓ ବୈକୁଣ୍ଠ ପୁରରେ ବିଷ୍ଣୁ ନାହାଁନ୍ତି ଜାଣିଗଲା ପରେ ସେମାନେ ଚାଲିଲେ କୈଳାଶ ପୁରକୁ ।

କୈଳାଶ ପର୍ବତରେ ପହଞ୍ଚି ସେମାନେ ଦେଖନ୍ତି ତ ମାଆ ହୈମବତୀଙ୍କ ଏକ ଦଶା । କୈଳାସରେ ବହୁ ଦିନ ଧରି ଶିବ ନାହାଁନ୍ତି । ତାଙ୍କୁ ଝୁରି ଝୁରି ପାର୍ବତୀ କଣ୍ଟା ହୋଇ ଗଲେଣି । ନାରଦଙ୍କୁ ଲୁଚାଇ ଲୁଚାଇ ଦେଵୀ ମାନେ କଅଣ ସବୁ ଆଲୋଚନା ହେଲେ । ତାଙ୍କର ଡର, ଏକଥା ନାରଦ ଜାଣିଗଲେ ତ ତିନି ପୁରରେ ନାଗରା ବଜେଇ ଦେବେ ।


ମାଆ ସାବିତ୍ରୀ ନାରଦଙ୍କୁ ଚୁପ୍ କରି ଡାକି କହିଲେ,

ପୁତ୍ର,ତୋ ପିତା ଓ ଅନ୍ୟ ଦୁଇଜଣ କୁଆଡେ ଗଲେ କେମିତି ଜାଣିବା? ନାରଦ କହିଲେ, "ଇଏ କୋଉ ବଡ଼ କଥା ? ଏକଥା ତ ତାଙ୍କ ବାହନ ମାନେ ଜାଣି ଥିବେ,ତାଙ୍କୁ ପଚରା ଯାଉ । ସମସ୍ତଙ୍କ ମୁଣ୍ଡରେ ବୁଦ୍ଧି ପଶିଲା । ସ୍ମରଣ ମାତ୍ରକେ ବୃଷଭ, ଗରୁଡ ଓ ହଂସ ଆସି ଉପସ୍ଥିତ ହେଲେ । ସେମାନେ ଦେବୀମାନଙ୍କୁ ପୃଷ୍ଠରେ ବସାଇ ଆଣି ଆମ୍ଭ ଆଶ୍ରମରେ ପହଞ୍ଚେଇ ଦେଲେ । 

ନାରଦ ମଧ୍ୟ ମନଯାନରେ ଅନ୍ତରୀକ୍ଷମାର୍ଗରେ ଆସି କ୍ଷଣକମଧ୍ୟରେ ପହଞ୍ଚିଗଲେ । ଅନସୂୟାଙ୍କ କକ୍ଷରେ ପ୍ରବେଶକରି ଦେବୀମାନେ ତାଙ୍କୁ ପଚାରିଲେ, ଆମ ସ୍ୱାମୀ ମାନେ ଏଠାକୁ ଆସି ଥିଲେ । ତାଙ୍କୁ କେଉଁଠି ଲୁଚାଇ ରଖିଛ କୁହ । ଅନସୂୟା ଝୁଲିରେ ଝୁଲୁଥିବା ତିନିଟି ଶିଶୁଙ୍କୁ ଦେଖାଇ ଦେଇ କହିଲେ, ଏହି ତୁମ ସ୍ୱାମୀମାନେ ସେଇଠି ଶୋଇଛନ୍ତି,ତୁମେ ଯିଏ ଯାହା ସ୍ୱାମୀଙ୍କୁ ଚିହ୍ନି ନେଇ ଯାଅ । କ୍ରୋଧ ପରବଶ ହୋଇ ଦେବୀମାନେ ଜଣେ ଜଣେ ଶିଶୁଙ୍କୁ ଉଠାଇନେଲେ । କିନ୍ତୁ ସବୁ ଓଲଟ ପାଲଟ ହୋଇଗଲା । ଦେଖାଗଲା ତିନି ଶିଶୁତ ଏକାପରି ଏଣୁ ଭ୍ରମରେ ଲକ୍ଷ୍ମୀ ବ୍ରହ୍ମାଙ୍କୁ, ସାବିତ୍ରୀ ଶିବଙ୍କୁ ତ ପୁଣି ପାର୍ବତୀ ବିଷ୍ଣୁଙ୍କୁ କୋଳରେ ତୋଳି ନେଇଛନ୍ତି, ନାରଦ ହସି ହସି ପଦ୍ମାଳୟାଙ୍କୁ କହିଲେ,ମାତା ! ଆପଣ ମୋ ପିତାଙ୍କୁ ନେଇ ଗଲେ ଯେ । ଏପରି କହି ନାରଦ ତିନି ଦେବୀଙ୍କ ଭ୍ରମ ଦୂର କଲେ । ସବୁ ଦେବୀମାନେ ଲଜ୍ଜିତା ହେଲେ । ତାଙ୍କ ପତିବ୍ରତାର ଅହଙ୍କାର ଭାଙ୍ଗିଗଲା ।  


ଦେବର୍ଷିନାରଦ ଅନସୂୟାଙ୍କୁ ଅନୁରୋଧ ଜଣାଇଲେ ଦେବୀ ମାନଙ୍କୁ ତାଙ୍କ ସ୍ୱାମୀ ମାନଙ୍କୁ ଫେରାଇ ଦିଅ ବୋଲି । ଅନସୂୟା ମୋ ଆଡ଼କୁ ଚାହିଁଲେ, ମୁଁ ତାଙ୍କୁ ସ୍ଵୀକୃତି ଦେବାରୁ, ଅନସୂୟା ପୁଣି ଥରେ ଅଭିମନ୍ତ୍ରିତ ଜଳ ସିଞ୍ଚିଦେଲେ । ଶିଶୁମାନେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଦି ନିଜ ସ୍ୱରୁପରେ ଉଭା ହୋଇଗଲେ । ନିଜ ନିଜ ସ୍ବାମୀଙ୍କୁ ଧରି ତିନିଦେବୀ ନିଜ ଭୁବନକୁ ଫେରିଯିବା ପାଇଁ ବାହାରିଲେ । ତିନି ଦେବତା ଅନସୂୟାଙ୍କୁ ବର ଯାଚିବାରୁ ଅନସୂୟା ତିନିଜଣଙ୍କୁ ପୁତ୍ରରୂପେ ପାଇବା ପାଇଁ ପ୍ରାର୍ଥନାକଲେ । ଠାକୁର ମାନେ ‘ତଥାସ୍ତୁ’ କହି ପ୍ରସ୍ଥାନକଲେ । ତିନିଦେବୀ ଯିବାପୂର୍ବରୁ ଅନସୂୟାଙ୍କୁ କହିଗଲେ,"ଦେବୀ ! ଆପଣଙ୍କ ସତୀତ୍ଵର କାହାଣୀ ଯୁଗଯୁଗ ଧରି ପ୍ରଚାରିତହେଉଥିବ ଏଵଂ ପାତିବ୍ରତ୍ୟ ଧର୍ମ ନିମନ୍ତେ ନାରୀମାନଙ୍କୁ ଅନୁପ୍ରେରିତ କରୁଥିବ । ଆଜି ଠାରୁ ଆପଣଙ୍କ ପରିଚୟ ହେବ,"ମହାସତୀ ଅନସୂୟା" ।

ଅତ୍ରି ମୁନି ସତୀ ଅନସୂୟାଙ୍କ ଏହି ପବିତ୍ର ଆଖ୍ୟାନ ଶେଷକରି କହିଲେ, ଅସୂୟା ଶୂନ୍ୟ ଆଚରଣ ପାଇଁ ତାଙ୍କର ନାମ ଅନସୂୟା ହୋଇଛି । ସେ ତୁମର ମାତୃ ବତ୍ ପୂଜନୀୟା । ପ୍ରଭୁ ଶ୍ରୀରାମ ମାତା ଅନସୂୟାଙ୍କ କାହାଣୀ ଶୁଣି ଅତି ହୃଷ୍ଟଚିତ୍ତରେ ମୁନିଙ୍କ ଆଶ୍ରମରେ ରାତ୍ରୀ ଯାପନ କଲେ ଓ ପରଦିନ ପ୍ରଭାତରୁ ମୁନିଙ୍କ ନିର୍ଦ୍ଦେଶିତ ଦଣ୍ଡକବନ ଅଭିମୁଖେ ଯାତ୍ରାକଲେ ।

                !!! ଜୟ ଶ୍ରୀରାମ !!!

                    


Rate this content
Log in

Similar oriya story from Inspirational