Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ପ୍ରଶାନ୍ତ କୁମାର ବେହେରା

Inspirational

5.0  

ପ୍ରଶାନ୍ତ କୁମାର ବେହେରା

Inspirational

ମଦ୍ୟପାନ ନିଷେଧ .........

ମଦ୍ୟପାନ ନିଷେଧ .........

7 mins
405



ସେଦିନ ସକାଳୁ ସକାଳୁ ସେଠି ପହଞ୍ଚି ଏଇ ବିଜ୍ଞାପନ - " ମଦ୍ୟପାନ ନିଷେଧ " ଦେଖିଦେବା ପରେ ମନ ଭିତରଟା ଖୁସିରେ ପୁରା ଭର୍ ପୁର୍ ହୋଇଗଲା । ଭାବିଲି ଯାହାହେଉ ଆଜି ଆମ ପିଲାମାନଙ୍କର ବଡ ସୌଭାଗ୍ଯ । ସେମାନେ ତାଙ୍କ ପିକ୍ ନିକ୍ ଏଇଠି ଖୁବ୍ ଖୁସିରେ ବନେଇବେ । ମାର୍ଚ୍ଚ ମାସରେ ପିକ୍ ନିକ୍ ଆସିବା କଥା ଯିଏ ବି ଶୁଣିବ ନିଶ୍ଚେ ହସିବ । କଲେଜ ମାନଙ୍କରେ ପିକ୍ ନିକ୍ ସିଜିନ୍ କହିଲେ ଡିସେମ୍ୱର ଓ ଜାନୁଆରୀ ମାସକୁ ହିଁ ବୁଝାଏ । ଆମ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଯଦିଓ ପିକ୍ ନିକ୍ ରେ ଯିବେବୋଲି ନଭେମ୍ବରରୁ ମାତିଲେ କିନ୍ତୁ ତାହା କୌଣସିମତେ ଠେଲିପେଲି ହୋଇ ଯାଇ ସାକାର ହେଲା ମାର୍ଚ୍ଚ ମାସ ଠିକ୍ ପହିଲାଦିନ ।  


ପିଲାମାନେ ଆମର ପିକ୍ ନିକ୍ କଥା ପଡିବାମାତ୍ରେ ପ୍ରଥମେ କହିବେ ଖୁବ୍ ଗୁଡାଏ ଦୂରବାଟ ନଗଲେ ସେ କି ପିକ୍ ନିକ୍ ଯେ ? ତାଙ୍କର ସେଇ ଯୁକ୍ତିକୁ ଆମେ ମାଷ୍ଟର ମାନେ ଏମିତି କହି କାଟୁ - ଆରେ ବୋକାଗୁଡା କିରେ ! ବେଶୀ ବାଟ ଗଲେ କି ଲାଭ ପାଇବ ? ଖାଲି ବସ୍ ବାଲାକୁ ପୁଳେ ପଇସା ଦେବାକଥା ସାର ହେବ । ବରଂ ପାଖା ପାଖି କୋଉ ଭଲ ପ୍ଲେସ୍ ଦେଖି ଗଲେ ଜମାଣିଆ ଭୋଜି କରିବା ସହିତ ଖୁବ୍ ସମୟ ପାଇବ ମନଭରି ସେଇ ପାକୃତିକ ପରିବେଶକୁ ଏନ୍ଜୟ କରିବାକୁ ।


ଯାହାହେଉ ଶେଷକୁ ସ୍ଥିରହେଲା ମାର୍ଚ୍ଚ ପହିଲା ରବିବାରରେ ପିଲାମାନେ ପିକ୍ ନିକ୍ ଯିବେ । ସ୍ଥାନ ମଧ୍ୟ ଆଗୁଆ ସ୍ଥିର କରାଯାଇଥିଲା ଆମେ ଶିକ୍ଷକମାନେ ଦେଇଥିବା ଉପଦେଶକୁ ପାଥେୟ କରି । ସେଇ ମୁତାବକ ପ୍ରଥମେ ପିଲାମାନେ ଆମର ଯାଇ ପହଞ୍ଚିବେ ଓଳାଷୁଣୀରେ । ସେଇଠି ଭୋଜି କରାଯିବ । ଆଉ ପିଲାମାନେ ସେଠି ରୋଷେଇବାସ ଚାଲୁଥିବା ସମୟରେ ସେଠାରୁ ୧୭ କିଲେମିଟର ଦୂରରେ ବୌଧ କିର୍ତ୍ତୀ ଆବିଷ୍କୃତ ହୋଇଥବା ରତ୍ନଗିରୀରେ ବୁଲାବୁଲି କରି ଫେରିବାପରେ ଭୋଜି ଖାଇ ଚଣ୍ଡୀଖୋଲରେ ଥିବା ମହାବିନାୟକ ମନ୍ଦିର ଓ ଛତିଆବଟ ଦେଇ ଜଗତସିଂହପୁର ଫେରିବେ । 


ପ୍ଲାନ୍ ମୁତାବକ ସେଦିନ ସକାଳୁ ସକାଳୁ ପିଲାମାନଙ୍କୁ ଧରି ପ୍ରଥମେ ଓଳାଷୁଣୀରେ ପହଞ୍ଚିଲୁ । ସେଠି ଏଇ ମଦ ବିରୋଧୀ ବିଜ୍ଞାପନ ବିଭିନ୍ନ ଗଛମାନଙ୍କରେ ମରାଯିବା ଦେଖି ବହୁତ ଖୁସିହେବା ସ୍ୱାଭାବିକ କଥା । ମୁଁ ଏତେମାତ୍ରାରେ ଖୁସି ହୋଇଗଲି ଯେ, ସେଇ ବିଜ୍ଞାପନ ପାଖରେ ଠିଆହୋଇ କେଇଟି ଫଟୋ ଉଠାଇପକାଇଲି । ଆମେ ସକାଳୁ ସେଠି ପହଞ୍ଚିବା ସମୟରେ ଆଉ ମାତ୍ର ଗୋଟେ ପିକ୍ ନିକ୍ ପାର୍ଟି ସେଠି ପହଞ୍ଚିଥାଏ । ବିଶେଷ ଭିଡ ହେବନି, ସେଇ ଫାଙ୍କା ଫାଙ୍କା ପରିବେଶରେ ପିଲାମାନେ ମନଖୁସି କରି ତାଙ୍କ ପିକ୍ ନିକ୍ କୁ ଖୁବ୍ ଏନ୍ଜୟ କରିବେ ଏମିତି ଭାବିବା ସ୍ୱଭାବିକ୍ କଥା । ଜଳଖିଆ ପିଲାମାନେ କରିସାରି କିଛି ସମୟ ସେଇଠି ବୁଲାବୁଲି କରିବାପରେ ସମସ୍ତେ ବସ୍ ରେ ବସି ଚାଲିଲୁ ରତ୍ନଗିରୀ ଅଭିମୁଖେ । ସେଠି ରୋଷେଇଆ ଓ ଆମ କଲେଜ କର୍ମଚାରୀ ଶିବ ଓ ୨ୟ ବର୍ଷ ଛାତ୍ର ଅଭିଷେକ ରହିଲେ ରୋଷେଇବାସ କାର୍ଯ୍ୟମ୍ରମକୁ ଆଗେଇନେବା ପାଇଁ ।


ପାଖା ପାଖି ୨ଟା ବେଳକୁ ଆମେ ସମସ୍ତେ ରତ୍ନଗିରୀରୁ ବୁଲାବୁଲି ସାରି ଫେରିଲୁ । ଆମେ ସକାଳେ ଛାଡିଯାଇଥିବା ଓଳାଷୁଣୀ ଆଉ ସେଇ ଓଳାଷୁଣୀ ହୋଇ ନଥିଲା । ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇ ସାରିଥିଲା । ଖରାଦିନ ଆସିଯାଇଥିବାରୁ ମନରେ ଯେଉଁ ଧାରଣା ଥିଲା ଆଉ କୌଣସି ପାର୍ଟି ପିକ୍ ନିକ୍ କୁ ଆସିବେନି, ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଥିଲା । ସେତେବେଳେ ପାଖା ପାଖି ୩୦ ପିକ୍ ନିକ୍ ପାର୍ଟି ରୋଷେଇ କରୁଥିବା ବେଳେ ଆଉ କିଛି ପାର୍ଟି ବିନା ରୋଷେଇରେ ବୁଲି ଆସିଥାନ୍ତି । ସକାଳବେଳା ସମ୍ପୂର୍ଣ୍ଣ ଫାଙ୍କା ପଡିଥିବା ଜାଗାସବୁ ଏବେ ଗୁଡେ ବସ୍ ସହିତ ବିଭିନ୍ନ କିସମର କାର୍ ମାନଙ୍କ ଦ୍ୱାରା ଭର୍ତ୍ତି ହୋଇସାରିଥାଏ । ଯାହାକୁ କୁହନ୍ତି ରାସ୍ତାଘାଟ ପୁରା ଜାମ୍ । ଗାଡିମଟର ଅନୁସାରେ ସେଠି ଜନସମାଗମ ମଧ୍ୟ ସେମିତି ହୋଇଥାଏ । 


ପିଲାମାନଙ୍କୁ ଧରି ବସ୍ ରୁ ଓଲ୍ହାଇବା ପରେ ଆମ ରୋଷେଇ ପାଖରେ ପହଞ୍ଚି ଦେଖିଲୁ ଖାଇବା ପୁରା ରେଡ୍ଡି । ମୋତେ ଦେଖୁଦେଖୁ ରୋଷେଇଆ ନନା ଗୋଟେ ଦନାରେ କିଛି ଚିକେନ୍ ତରକାରି ଦେଇ କହିଲେ , " ସାର୍ ଟିକେ ଚିକେନ୍ ଟେଷ୍ଟ୍ କଲେ , ଲୁଣ ଠିକ୍ ଅଛି କି ନାଇଁ କହିବେ ।"


ଆମ ଶିକ୍ଷକମାନଙ୍କ ବସିବାପାଇଁ ପିଲାମାନେ ନେଇଥିବା କିଛି ଚେୟାର ମଧ୍ୟରୁ ଗୋଟିକରେ ବସିଯାଇ ଖଣ୍ତେ ଚିକେନ୍ ପାଟିକି ନେଇଛି ତ ଗୋଟେ ଦୋ - ଅକ୍ଷରି ଅଭଦ୍ର ଭାଷା ପ୍ରଚଣ୍ତ ଶବ୍ଦକରି ଆସି ମୋ କାନ ଭିତରେ ପଶିଗଲା । ସେଇ ଭାଷାରେ ମୋ ପାଟି ସେମିତି ମେଲାହୋଇ କିଛି ସମୟ ରହିଗଲା ।


ସେଇ ଭାଷାର ଉତ୍ପତିସ୍ଥଳ ଆଡକୁ ମୋ ଆଖି ବୁଲାଇ ଯାହା ଦେଖିଲି ସେଥିରେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଆମ ରୋଷେଇଠାରୁ ମାତ୍ର କେଇହାତ ଦୂରରେ ଗୋଟେ ସିମେଣ୍ଟ ପିଣ୍ତି ଉପରେ ପାଖା ପାଖି ୩୦ ଜଣ ଯୁବକ ପୁରା ଖୋଲାଖୋଲି ଭାବରେ ମଦ୍ୟପାନରେ ବିଜି ରହି ମଝିରେ ମଝିରେ ଏମିତି ଦୋ-ଅକ୍ଷରି ଭାଷାମାନଙ୍କୁ ସେମାନେ ବଜାଉଥିବା ହିନ୍ଦିଗୀତର ତାଳେତାଳେ ଛାଡୁଥାନ୍ତି । ଆଗରୁ ଗୀତ ଭିତରେ ଡିଜେ ରିମିକ୍ସ୍ ପୁରାଇ ମାର୍କେଟ୍ କୁ ଛଡାଯିବା ଶୁଣିଥିଲି, କିନ୍ତୁ ଆଜି ଦେଖିଲି ଗୀତ ସହିତ ଦୋ- ଅକ୍ଷରି ଭାଷାର ରିମିକ୍ସ୍ କେମିତି ହେଉଛି ।


ସେମାନଙ୍କ ସଂଖ୍ଯା ପାଖା ପାଖି ୩୦ ଥିଲା । ସମସ୍ତେ ବାଇକ୍ ରେ ହିଁ ଆସିଥିଲେ , ଅର୍ଥାତ୍ ସେଇ ଏରିଆର ଯୁବକ ସେମାନେ । ଆଖପାଖରେ ସେମାନଙ୍କର ଘର । ବାଇକ୍ ଗୁଡା ସେଇ ପିଣ୍ତି ପାଖରେ ଏଣେତେଣେ ମୁହଁ କରି ରହିଥାନ୍ତି । ସେଥିମଧ୍ୟରୁ ଅଧିକାଂଶ ଥିଲେ ସ୍ପିଡି ବାଇକ୍ ଅର୍ଥାତ୍ ଦାମିକା ବାଇକ୍, ଯାହାର ପଛ ଚକର ବହୁତ ଉପରକୁ ଚାଳକ ବସୁଥିବା ସିଟ୍ ର ପଛପଟ ରହିଥିଲା ।


ସେମାନେ ଉଚ୍ଚସ୍ୱରରେ ଅତ୍ୟନ୍ତ ଉତ୍କଟ ଭାଷାସବୁ ପ୍ରୟୋଗ କରୁଥାନ୍ତି । ସେ ଭାଷା ଗୁଡିକ ସବୁ ମା' ଓ ଭଉଣୀ କେନ୍ଦ୍ରିକ ଥିଲା, ଯାହା ପ୍ରକାଶ କରିବା କୌଣସି ଶିକ୍ଷିତ ପକ୍ଷରେ ଏକବାରେ ଅସମ୍ଭବ । ସେମାନଙ୍କର ପ୍ରତିଟି ଶବ୍ଦ ଯେକୌଣସି ଲୋକର କାନମୁଣ୍ତାକୁ ଝାଇଁଝାଇଁ କରିଦେବା ପାଇଁ ଯଥେଷ୍ଟ ଥିଲା । 


ହଠାତ୍ ସେମାନେ ବିକଟାଳ ରଡ୍ଡି ଛାଡ଼ି ଗୋଡାଗୋଡି ହେବା ଆରମ୍ଭ କଲେ । ଯିଏ ଯାହାକୁ ପାଇଲା ମାଡିବସି ଧରି ଅତ୍ୟନ୍ତ ଅଭଦ୍ର ଭାଷା କହିକହି ତା' ସାର୍ଟ ସହିତ ଗଞ୍ଜି ଚିରିପକାଉଥାଏ । ଶେଷକୁ ଯେଉଁ ଜଣେ ଅଧେ ରହିଯାଇଥିଲେ, ସମସ୍ତେ ମିଳିମିଶି ତାକୁ ଶୂନ୍ଯେ ଶୂନ୍ଯେ ଟେକିଆଣି ସାର୍ଟ ଫାଡୁଥାନ୍ତି । ପ୍ରାୟ ପାଞ୍ଚ ମିନିଟ୍ ଭିତରେ ସମସ୍ତେ କେବଳ ପ୍ୟାଣ୍ଟ ପିନ୍ଧି ସେଠି ତାଙ୍କ ଅସଭ୍ୟ ରୋଳାକୁ ଆହୁରି ତୀବ୍ରତର କରିଚାଲିଲେ । ଝିଅ ବୋହୁମାନେ ଲାଜରେ ଅନ୍ୟଆଡକୁ ମୁହଁ ବୁଲାଇ ସେମାନେ ରୋଳାକରୁଥିବା ସ୍ଥାନଦେଇ ଯିବାକୁ ବାଧ୍ୟ ହେଉଥାନ୍ତି, କାରଣ ସେ ଅଭଦ୍ର ଗୁଡାକ ଠିକ୍ ବାଟ ମୁହଁରେ ସେମିତି ହେଉଥାନ୍ତି । 


ପୁଣି କଣ ହେଲା କେଜାଣି ହଠାତ୍ ବକଟାଳ ରଡ୍ଡି ଛାଡ଼ିବା ସହିତ ଭାଷା ବୋଲାବୋଲି କରି ଜଣକୁ କେଇଜଣ ମାଡିବସି ବାଲି ଖୁଆଇବା ଷ୍ଟାଟ୍ କରିଦେଲେ । ଏଥର ଚାଲିଲା ବାଲିଖୁଆଇବା କାର୍ଯ୍ୟକ୍ରମ । ତଳୁ ବାଲି ଗୋଟାଇ ଯିଏ ଯାହାକୁ ପାଇଲା ମାଡିବସି ଖୁଆଉଥାଏ । ଆଗରୁ ତ ଦେହ ଫୁଙ୍ଗୁଳା ହୋଇସାରିଥିଲା ଆଉ ଏବେ ଏଇ ବାଲି ଖୁଆଇବା ପର୍ବରେ ସମସ୍ତେ ଅଦ୍ଭୁତ ରୂପ ଧାରଣ କରିନେଲେ । ମୋତେ ସେମାନେ ଅଧା ନାଗାବାବା ବେଶ ହେଲାପରି ଲାଗୁଥାନ୍ତି । ଜଣେ ମଦ୍ୟପ ଗୋଟେ ବାଇକ୍ ଉପରେ ଠିଆହୋଇ ଗୋଟେ ଭାଷା ଫୋପାଡି ଗୋଟେ ପୋଜ୍ ଦେଉଥାଏ, ସେଇ ପୋଜରୁ ପୁଣି ଅନ୍ୟ ପୋଜ୍ କଲାବେଳେ ଆଉ ଗୋଟେ ବିଜିକିଟିଆ ଭାଷାକୁ ପବନରେ ଛାଡୁଥାଏ । 


ମୁଁ ଏଭିତରେ ଚୁପଚାପ୍ କେତେଥର ୧୦୦ ନମ୍ୱର ଡାଏଲ୍ କରୁଥାଏ ନିକଟବର୍ତ୍ତୀ ଥାନା ସହ ଯୋଗାଯୋଗ କରିବାପାଇଁ । କିନ୍ତୁ ପ୍ରତିଥର ଗୋଟେ ପ୍ରକାର ଅଦ୍ଭୁତ ଶବ୍ଦ କରି ମୋ ମୋବାଇଲ୍ ଚୁପ୍ ହୋଇଯାଉଥାଏ । ଅନ୍ୟମାନେ ମଧ୍ୟ ସେମିତି କରୁଥିବେ କିନ୍ତୁ କିଛି ଫଳ ପାଇନଥିବେ । କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଥାଏ ସେଇ ମନ୍ଦରିର କାର୍ଯ୍ୟକର୍ତ୍ତାଙ୍କ ଗତିବିଧିକୁ ଲକ୍ଷ୍ୟକରି । ନିଦାବିଷ୍ଣୁ ପରି ସେମାନେ ସେଠି ବୁଲୁଥାନ୍ତି । 


ସେଇଦିନ ସାରା ଓଡିଶାରେ ପୁଲିସ୍ ବାହିନୀ ଓ ଟ୍ରାଫିକ୍ ପୁଲିସ୍ ଯାନବାହାନ ତନଖିକରି ଚାଲାଣ କାଟୁଥିବାବେଳେ ସେଠି ଗୋଟିଏ ଧର୍ମିୟ ଅନୁଷ୍ଠାନ ସାମ୍ନାରେ ଶହଶହ ଲୋକ ଯେଉଁମାନଙ୍କ ଭିତରେ ଝିଅ ବୋହୁମାନେ ମଧ୍ୟଥିଲେ ତାଙ୍କ ଆଖିଆଗରେ କିଛି ଉଦ୍ଭ୍ରାନ୍ତ ଅସମାଜିକ ମଦ୍ୟପ ଯୁବକ ଦୀର୍ଘ ସମୟଧରି ଭାଷା ଅଭାଷା କହିକହି ରୋଳା କରୁଥିଲେ, ସେଥିପ୍ରତି କୌଣସି ପୋଲିସ୍ କିମ୍ୱା ମନ୍ଦରି ପ୍ରଶାସନ ଧ୍ୟାନ ନଦେବା ଅତ୍ୟନ୍ତ କ୍ଷୋଭର ବିଷୟ । 


ଟ୍ରାଫିକ ତନଖି ନାଁ ରେ ରାସ୍ତାଘାଟରେ ପୁଲିସ୍ ଗୋଡାଇ ଗୋଡାଇ ଗାଡି ଚାଳକଙ୍କୁ ଧରି ନଗଦ ଅର୍ଥ ଓ ଇ-ଚାଲାନ୍ କାଟିକାଟି ଏକ କୋଟିରୁ ଅଧିକ ଫାଇନ୍ ଆଦାୟ କରିଥିଲା ବେଳେ ଏଠି ୩୦ ଜଣ ଅଭଦ୍ର ନିଶାଡି ବିନା ହେଲମେଣ୍ଟ୍ ରେ ବାଇକ୍ ରେ ଆସି ୫ ଘଣ୍ଟାରୁ ଅଧିକ ସମୟ ସେଇ ଧର୍ମିୟ ଜନ ସମାଗମ ସ୍ଥାନରେ ଉପଦ୍ରବ ଘଟାଇଲେ ମଧ୍ୟ ପୁଲିସ୍ ନ ଆସିବା ପଛର କାରଣ କଣ ? ଏଇ ଉଦ୍ଭ୍ରାନ୍ତ ଅସମାଜିକ ଯୁବକମାନଙ୍କ ରାଜନୈତିକ ପୃଷ୍ଠଭୁମି ପାଇଁ ମନ୍ଦିର ପ୍ରଶାସନ କଣ ଏମିତି ନିରବତା ଅବଲମ୍ୱନ କଲା ? ଏମାନେ କଣ ଏତେ କ୍ଷମତାଶାଳି ଯେ ଦେଶର ନିୟମ କାନୁନକୁ ଏମିତି ଫୁ କରି ଉଡେଇଦେବେ ? ଏମିତି ବହୁ ପ୍ରଶ୍ନ ମନରେ ମୋର ବାରମ୍ୱାର ଆସୁଥିଲା ।


ଏମିତି ଭିତରେ ୨ୟ ବର୍ଷ ଛାତ୍ରୀ ଶୁଭାଙ୍ଗୀ ଆସି ମୋତେ ପଚାରିଲା, " ସାର୍ ଏଠି ପରା ମଦ୍ୟପାନ ନିଷେଧ ବୋଲି ସବୁଆଡେ ଏଡେ ଏଡେ ଅକ୍ଷରରେ ଲେଖାହୋଇଛି, ଅଥଚ ଏମାନେ ଖୋଲାଖୋଲି ମଦ ପିଇ ଏମିତି ହେଉଛନ୍ତି ।" 


ମୁଁ କହିଲି, " ଏମାନେ ପିଇ ପାରିବେ, ଲୋକାଲ୍ ଟୋକା ହେତୁ ଏମାନଙ୍କୁ ସେଇ ସୁବୁଧା ଉପଲବ୍ଧ । ଦେଖୁନୁ ସବୁ ବାଇକ୍ ରେ ଆସିଛନ୍ତି । " 


ଶୁଭାଙ୍ଗୀକୁ ସିନା ଏକଥା କହିଲି, ହେଲେ ମନେମନେ ଭାବିଲି ଏମିତି ବିଭିନ୍ନ ଯାଗାରେ ଗଛମାନଙ୍କରେ ମଦ୍ୟପାନ ନିଷେଧ ଲେଖା ହୋଇଛି କାହାପାଇଁ ତାହେଲେ ? ସେଇ ଗଛମାନେ କାଳେ କେତେବେଳେ ମଦ ପିଇ ପକେଇବେ ତେଣୁ ତାଙ୍କ ଦେହରେ ଏମିତି ବିଜ୍ଞାପନ କରି ସେଇ ଗଛ ମାନଙ୍କୁ ମଦ ପିଇବାରୁ ବାରଣ କରାଯାଇଛି । ମୁଁ ଏମିତି ଭାବୁଥିବା ବେଳେ କେଇଜଣ ଛାତ୍ରୀ ଆସି ମୋତେ ପଚାରିଲେ, " ସାର୍ ଖାଇସାରିଲୁଣି , ଏବେ କଣ କରିବୁ ? " 


ମୁଁ ବିଗିଡିଯାଇ ବଡପାଟିକରି କହିଲି," ଚୁପଚାପ୍ ଯାଇ ଆମ ବସ୍ ରେ ବସିପଡ । " 


ସେମାନେ ପୁଣି ମୋତେ ପଚାରିଲେ, " ସାର୍ କେମିତି ଯିବୁ, କୋଉପଟେ ଯିବୁ ? " 


ସେମାନଙ୍କର ଏଇକଥା କେତେ ଅସହାୟ କରୁଥିଲା ସେମାନଙ୍କୁ, ଆଉ ମୋତେ ବି ତାହା କେବଳ ଯିଏ ଭୁକ୍ତଭୋଗି ସେଇ ହିଁ ଅନୁଭବ କରିପାରୁଥିବ । ସେମାନେ ମୋତେ ଏମିତି କହିବାକୁ ଚାହୁଁଥିଲେ, " ସାର୍ ସେ ମଦୁଆ ଗୁଡାକ ସେଇ ବାଟରେ ଏମିତି ଭାଷା ଅଭାଷା ହେଉଛନ୍ତି, ସେଇ ବାଟଦେଇ ଆମେ ଯିବୁ କେମିତି ? " 


ମନରେ ବାରମ୍ୱାର ପ୍ରଶ୍ନ ଆସୁଥିଲା ସତରେ କଣ ଆମ ଦେଶ ସ୍ୱାଧୀନ ହୋଇଛି ? ଏଇ କଣ ଆମ ଦେଶର ଆଇନ, କାନୁନ୍ , ବିଧି ବ୍ୟବସ୍ଥା ? ସ୍ପଷ୍ଟ ଦିବାଲୋକରେ ହଜାର ହଜାର ଲୋକଙ୍କ ସାମ୍ନାରେ ମାତ୍ର ୩୦ ଜଣ ଅସମାଜିକ ଯୁବକ ମନଇଛା ଦେଶର ଆଇନ କାନୁନ୍ ସହ ଖେଳୁଛନ୍ତି । ବଡ ଅସହାୟ ହୋଇ କଲେଜ ପଢୁଥିବା ଝିଅମାନେ ତାଙ୍କ ଶିକ୍ଷକକୁ ପଚାରୁଛି ଆମେ କେମିତି ଯିବୁ ? ଶିକ୍ଷକଟା ସେଠି କେବଳ ଅସହାୟ ହେବା ଛଡା କଣ ଆଉ କରିପାରିବ ? 


ତଥାପି ମନରେ ଉଠୁଥିବା ସବୁ ରାଗ, ଦୁଃଖ, ଅସହାୟତାକୁ ଲୁଚାଇ ସେଇ ଝିଅ କେଇ ଜଣଙ୍କୁ କହିଲି, " ଅନ୍ୟପଟକୁ ଅନେଇଁ ଅନେଇଁ କରେଇ କରେଇ ପଳାଇଯାଅ ଆମ ବସ୍ ପାଖକୁ । " 


ପ୍ରଥମେ ଝିଅମାନେ ଯାଇ ବସରେ ବସିବାପରେ ରୋଷେଇପାଇଁ ଆସିଥିବା ଜିନିସପତ୍ରକୁ ଧୁଆଧୋଇ କରି ଛାତ୍ରମାନେ ବସ୍ ପାଖକୁ ନେଲେ । ସବୁକାମ ସରିବାପରେ ବସ୍ ଛାଡିଲା । ସେ ମଦୁଆଗୁଡା ଏମିତି ଯାଗା ଅକ୍ତିଆର୍ କରିଥିଲେ, ସେପଟୁ ଷ୍ଟାଣ୍ତ୍ ଆଡୁ ହେଉ ବା ଏପଟୁ ମନ୍ଦିର ପଟୁ ହେଉ ସେଇମାନଙ୍କ କଡଦେଇ ଯିବାକୁ ହେବ । ବସ୍ ଷ୍ଟଣ୍ତରୁ ବାହାରି ଠିକ୍ ସେଇ ମଦୁଆଙ୍କ ସାମ୍ନାରେ ପହଞ୍ଚିବା ବେଳେ ଆଉଗୋଟେ ଲମ୍ୱା ଟୁରିଷ୍ଟ୍ ବସ୍ ଆମ ବସ୍ ସାମ୍ନରେ ରହିଗଲା କିଛି ସମୟପାଇଁ । ଆଉ ସେଇ ସମୟର ଭର୍ ପୁର୍ ଫାଇଦା ଉଠାଇଲେ ସେଇ ମଦୁଆଗୁଡା । ଭାଷାମାନେ ଭାଷମାନ ଅବସ୍ଥାରେ ଅହରହ ପବନରେ ଖାଲି ଭାଷି ଆସୁଥାନ୍ତି । 


ପାହାଡ ତଳକୁ ବସ୍ ଗଡୁଥିବା ବେଳେ ଜିତୁ ( ମୋ ଛାତ୍ର ବର୍ତ୍ତମାନ ଅଧ୍ୟାପକ ) ପଚାରିଲା, " ଏମାନେ ସାର୍ ନିଶା ଛାଡିବାଯାଏ ଏମିତି ହେବେ ବୋଧେ ।" 


ମୁଁ କହିଲି, " କେଜାଣି ? ଆଉ ଟିକେପରେ ହୁଏତ ସାର୍ଟସବୁକୁ ଚିରିବାପରି, ନିଜର ପ୍ୟାଣ୍ଟ୍ ଗୁଡା ବି ଚିରିପକାଇ ସମ୍ପୂର୍ଣ୍ଣ ନାଗାବାବା ବେଶ ଧାରଣକରି ନିଜ ନିଜ ବାଇକ୍ ଚଳାଇ ସବୁବେଳେ ମାଆ ଭଉଣୀ କେନ୍ଦ୍ରିକ ଭାଷା ବ୍ୟବହାର କରୁଥିବାରୁ ନିଜଘରେ ମାଆ ଭଉଣୀଙ୍କ ପାଖରେ ଯାଇ ପହଞ୍ଚିଯିବେ । "


ସେଠି ପ୍ରତି ମୁହୁର୍ତ୍ତରେ ମୋ ମନ ବିଦ୍ରୋହ କରୁଥିଲା । ମନ କହୁଥିଲା ସେଇଠୁ ଉଠି ମନଇଛା ଗୋଡେଇ ଗୋଡେଇ ସେମାନଙ୍କୁ ପିଟି ପକାଇବାକୁ । କିନ୍ତୁ ସମ୍ପୂର୍ଣ୍ଣ ଅସହାୟ ହୋଇ ଦେଖୁଥିଲି ସେମାନଙ୍କର ଅସମାଜିକ ଦୌରାତ୍ମ୍ଯକୁ ସେଇ ଧର୍ମିୟ ପରିବେଶ ଭିତରେ । ସେଠି ଏକୁଟିଅା ମୁଁ ଅସହାୟ ହୋଇନଥିଲି, ଏକ ହଜାରରୁ ଅଧିକଲୋକ ସେଠି ଅସହାୟ ହୋଇ ଖୁବ୍ ବିକଳ ଭାବରେ ପରସ୍ପରର ମୁହଁ ଦେଖୁଥିଲେ । 


ସେମାନଙ୍କ କଥାସବୁ ଶୁଣି ମୁଁ ଭାବୁଥାଏ , ଦର୍ଶନୀୟ ସ୍ଥାନକୁ ଦର୍ଶକ ଭାବରେ ପୁରୁଷ , ନାରୀ , ପୁତ୍ର , କନ୍ୟା , ଶିକ୍ଷକ , ଛାତ୍ର ଓ ଛାତ୍ରୀ ସମସ୍ତେ ଏମିତି ପିକ୍ ନିକ୍ ରେ ଧାଇଁ ଆସିଥାନ୍ତି ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରି ନିଜର କର୍ମକ୍ଲାନ୍ତ ଜୀବନକୁ ହାଲ୍କା କରିବା ପାଇଁ । କିନ୍ତୁ ଏସବୁ ଜାଗାକୁ ଆସି ଯଦି ଏପରି ଅସଭ୍ଯ ମଦ୍ୟପ ମାନଙ୍କ ହାବୁଡରେ ପଡନ୍ତି , ତେବେ ସେମାନଙ୍କ ମନର ଅବସ୍ଥା କ'ଣ ହେଉଥିବ ତାହା ସହଜେ ଅନୁମେୟ । କେବଳ ସେଥି ପାଇଁ ବୋଧହୁଏ ଓଡିଶାର ଅଧିକାଂଶ ଦର୍ଶନୀୟ ସ୍ଥାନକୁ ଟୁରିଷ୍ଟମାନେ ବୁଲି ଯିବାକୁ ନିରାପଦ ମଣନ୍ତି ନାହିଁ । ଏଥିପ୍ରତି ସ୍ଥାନୀୟ ଲୋକ ଓ ସରକାର ଯଦି ସଚେତନ ହୋଇ ଉଚିତ୍ ପଦକ୍ଷେପ ନିଅନ୍ତେ ,ତେବେ ଏପରି ମଦୁଆ ଅସାମାଜିକ ଯୁବକମାନଙ୍କ ପ୍ରାଦୁର୍ଭାବରୁ ସଂପୂର୍ଣ୍ଣ ରୋକାଯାଇପାରନ୍ତା ।



Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Inspirational