STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ମାଉସୀ

ମାଉସୀ

2 mins
524

ପଛରେ ଆସି ମଧ୍ୟ,ଲମ୍ବା ଧାଡ଼ିର ସବା ଆଗରେ ସେ ଠିଆ ହୋଇସାରିଥିଲେ, ଆଉ ମୁଁ ଥିଲି ଧାଡି ମଝିରେ ସମ୍ଭବତଃ, ଆଉ ଆଗରେ ଠିଆ ହୋଇ ବି ମାଉସୀ ବିରକ୍ତି ପ୍ରକାଶ କରୁଥିଲେ, ବିଳମ୍ବ ଜନିତ କାରଣରୁ, ଆଉ ବ୍ୟତିବ୍ୟସ୍ତ କରି ପଚାରୁଥିଲେ ଆକୁ ତାକୁ ଯେ କେତେବେଳେ ଟୀକା ଦିଆଯିବ, ସମସ୍ତେ କହୁଥିଲେ, ବ୍ୟସ୍ତ କାହିଁକି ଆଗରେ ଅଛ, ଆଗ ପାଳି ପଡିବ, ତଥାପି ସେ ବୁଲି ବୁଲି ପଛକୁ ଚାଁହୁଥିଲେ, ଆଉ ତାଙ୍କ ନଜର ମୋ ଉପରେ ପଡିବା ଆଗରୁ ମୁଁ ତଳକୁ ମୁହଁ ପୋତି ଦେଉଥିଲି, ଏମିତି ପ୍ରାୟ ପାଞ୍ଚ ସାତ ଥର ହେଇଥିବ ବୋଧେ, ଦିଦି ମାନେ ଆସି ଯାଇଥିଲେ, ଆଉ ଆଧାରକାର୍ଡ ସହ ମାଉସୀ ଆଗେଇଗଲେ l

   ହେଲେ ଏ କଣ ଅପ୍ରସ୍ତୁତ ହୋଇ ମାଉସୀ ଫେରିଆସିଲେ, ଆଉ ଲୋକ ମାନେ କହୁଥିଲେ, ତୁମେ ଟୀକା ନେଇସାରି ପୁଣି ଆସିଛ ନେବାକୁ? ତ ମାଉସୀ ଉତ୍ତର ରଖୁଥିଲେ, କେଜାଣି ମୁଁ କେମିତି ଜାଣିବି, ଆଜିତ ଓଟିଭି ରେ କହୁଥିଲା, ଓମିକ୍ରନ ପରେ ପୁଣି ନୂଆ ଭ୍ୟାରିୟାଣ୍ଟ ଆସୁଛି, ତ କିଏ କହୁଥିଲା, ବୁଝିଲ ମାଉସୀ, ତୁମ ଜୀବନକୁ ତୁମେ ସାରୁ ପତ୍ର ରେ ବାନ୍ଧି ରଖିଛ, ଆମେ ମୂଳରୁ ଓମିକ୍ରନ ଟୀକା ନେଇନୁ, ତୁମେ ତା ପର ଭ୍ୟାରିଏଣ୍ଟ ପାଇଁ ଟୀକା ନେବାକୁ ଆସିଛ, ଯା ହେଉ, ଏମିତି କେତେ କଣ ମନ୍ତବ୍ୟ ଭିତରେ ମାଉସୀ ଫେରିଯାଉ ଯାଉ କଣେଇକି ମତେ ଚାହିଁବା ପୁର୍ବରୁ ମୁଁ ପୂର୍ବ ପରି ଅନ୍ୟ ଆଡ଼େ ବା ତଳକୁ ମୁହଁ ପୋତି ସାରିଥିଲି l

   ମାଉସୀଙ୍କୁ ମୁଁ ଜାଣେ, ତାଙ୍କର ତିନି ତିନିଟା ନାତୁଣୀ ଆମ ସ୍କୁଲରେ ପଢ଼ୁଥିବା ବେଳେ, ଆଧାରକାର୍ଡ, ଜାତିଗତ ପ୍ରମାଣପତ୍ର ତଥା ବ୍ୟାଙ୍କ ପାସବୂକ ଖୋଲିବା ନେଇ ପଚାରିବାକୁ ଅନେକ ଥର ଆସି ସ୍କୁଲରେ ମୋ ସହ ଦେଖା ହୋଇ କାମ ବିଷୟରେ ବୁଝିବା ସହ ଦୁଃଖ ସୁଖ କିଛି ହୋଇଛନ୍ତି, ଆଉ ସେଥର ପିଲାମାନଙ୍କୁ ଇଞ୍ଜେକ୍ସନ ଦିଆଯାଉଥାଏ ତ କାଳେ ସାନ ନାତୁଣୀ ର କିଛି ଅସୁବିଧା ହେବ ଭାବି ମାଉସୀ ଆସିଥାନ୍ତି ସ୍କୁଲ, ଆଉ ବଖାଣୁଥାନ୍ତି, ତାଙ୍କ ପିଲାଦିନେ କେମିତି ସ୍କୁଲରେ ଟୀକା ନେବା ଦିନ ସେ ବେଞ୍ଚ ତଳେ ଲୁଚି ଯାଉଥିଲେ, ସେସବୁ କଥା ମନେ ପକାଇ ସେ ଆଜି ନାତୁଣୀ ର ଇଞ୍ଜେକ୍ସନ ନେବାରେ ଯେମିତି ନାତୁଣୀ ଖସିନଯାଏ, ତାହାର ତଦାରଖ କରୁଥାନ୍ତି, ଆଉ ଆଜି ନିଜ ପ୍ରତି ମାତ୍ରାଧିକ ସଜାଗ ଓ ସଚେତନତା ତାଙ୍କୁ ନିଶ୍ଚୟ ତାଙ୍କ ପିଲାଦିନ ମନେ ପକାଇଦେଉଥିବ, ମୁଁ ବି ଭାବୁଥିଲି ମୋ ପିଲାଦିନ ଟୀକା ନେବା ବେଳ କଥା, ଆଉ ଦିଦି ମୋ ନାମ ଡାକୁଥିଲେ ତ ମୁଁ ପ୍ରକୃସ୍ଥିତ ହୋଇଯାଉଥିଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract