Bidulata Sahoo

Thriller

4  

Bidulata Sahoo

Thriller

ମାଉସୀ

ମାଉସୀ

3 mins
241


1980ମସିହା ଫେବୃଆରି 23 ତାରିଖ |ମୁଁ ସେଦିନ ଆମ ଘରଠାରୁ ଛଅ କିଲୋମିଟର ଦୂରରେ ଥିବା ଏକ ସ୍କୁଲ୍ ରେ ଶିକ୍ଷୟିତ୍ରୀ ଭାବେ ଯୋଗଦେଲି ।ସେତେବେଳେ ଆଜିକାଲ୍ପରି ଯିବାଆସିବାପାଇଁ ଏତେ ସୁବିଧା ନଥାଏ ।ଚାଲିଚାଲି ଯିବାକୁପଡେ ।

ବାପା ତାଙ୍କର ଜଣେ ଦୂରସଂପର୍କୀୟ ବନ୍ଧୁଘରେ ମୋତେ ଛାଡିଦେଇ ଆସିଲେ ।ମୁଁ ରହିଲି,ହେଲେ ସେମାନଙ୍କ ବ୍ୟବହାର ମୋତେ ମୋଟେ ଭଲ ଲାଗିଲା ନାହିଁ । ସେତେବେଳେ ଫୋନ୍ ନଥାଏ ।ମୁଁ ମୋର ସୁବିଧା ଅସୁବିଧା କିଛି ଘରକୁ କହିପାରୁ ନଥାଏ ।


ଦିନେ ମୁଁ ସ୍କୁଲ ଗଲାବେଳେ ବାଟରେ ମୋତେ ଜଣେ ସ୍ତ୍ରୀଲୋକ

ଅପେକ୍ଷାକରିଥିବାର ଦେଖିଲି । ମୁଁ ପାଖକୁ ଯିବାରୁ ସେ ପଚାରିଲେ ଝିଅ ତମେ ଆମ ଗାଆଁ ସ୍କୁଲରେ ଅଛଟି ?ମୁଁ ହଁକଲାରୁ ସେ କହିଲେ ଏତେଦୂରରେ କାହିଁକି ରହୁଛ,ଆମ ଘରେ ରହୁନ ।

ସ୍କୁଲବେଳ ହୋଇଯାଉଥାଏ ।ମୁଁ କହିଲି ହଉ ମୁଁ ଆସିଲାବେଳେ କହିବି । ଛୁଟିପରେ ମୁଁ ତାଙ୍କ ଘରକୁ ଗଲି ।ମାଟିଘର କିନ୍ତୁ ଭାରି ପରିଷ୍କାର । ମୁଁ ରାଜିହେଲି । ଶନିବାର ଦିନ ବାପା ଆସିଲେ, ମୁଁତାଙ୍କୁକହି ସେଠୁ ଚାଲି ଆସିଲି ।

ତାଙ୍କୁ ମାଉସୀ ବୋଲି ଡାକିଲି ।ଗୋଟିଏ ଷ୍ଟୋଭ ନେଇଥାଏ ।ଭାତ ବସେଇଲି । ମାଉସୀ ଗିନାଏ ଡାଲି ଓ ତରକାରି ଆଣି ଦେଲେ ଓ କହିଲେ ଆଜି ଥାଉ କାଲିଠୁ ରାନ୍ଧିବ । ତା ପରଦିନ ବି ସେଇକଥା । ପ୍ରତିଦିନ ଏମିତି ହୁଏ ।ମୁଁ ରୋଷେଇକଲାବେଳକୁ ସେତାଙ୍କଘରୁ ଆଣି ମୋତେ ଖାଇବାକୁ ଦିଅନ୍ତି । ମୁଁ ଆଉ ରୋଷେଇ କଲିନି ।


ତାଙ୍କଘରେ ଗୋଟିଏ ଗାଈଥାଏ ।ସେ କେତେ ଖିରଦିଏ ମୁଁ ଜାଣିନି କିନ୍ତୁ ସେ ମୋତେ ପ୍ରତିଦିନ ଶୋଇବାବେଳକୁ ଗ୍ଲାସେ ଖିର ଦିଅନ୍ତି । ତାଙ୍କର ତିନୋଟିପୁଅ । ବଡକୁ10 ବର୍ଷ,ମଝିଆକୁ 8ବର୍ଷ ଓସାନକୁ ଚାରିବର୍ଷ ।


ମାଉସୀ ସାନପୁଅକୁ ଧରି ମୋ ପାଖରେ ଶୁଅନ୍ତି କାଳେ ମୋତେ ଡର ମାଡିବ ବୋଲି ।ଯେତେ ମନାକଲେ ମୋଟେ ଶୁଣନ୍ତିନି ।

ସେ ଅତିସ୍ନେହୀ ଲୋକ । ମୋତେ ଦିନେ ବି କିଛି କାମ କରେଇ ଦିଅନ୍ତି ନାହିଁ । ଯାହା ଭଲଜିନିଷ ଘରକୁ ଆସିବ ମୋ ପାଇଁ ଆଗ ସାଇତି ରଖିଥିବେ ।


ତାଙ୍କର ଦୁଇଟି ଆମ୍ବ ଗଛ ଥାଏ ।ଗୋଟେପୁରା ମିଠାଆଉଗୋଟେ ଟିକେ ଖଟା । ମୋ ପାଇଁ ସେ ସବୁବେଳେ ମିଠା ଆମ୍ବ ରଖିଥାନ୍ତି । ସ୍କୁଲ୍ ରୁ ଆସିଲେ ମାଉସୀ ମୋ ଝାଳୁଆ ମୁହଁକୁ ତାଙ୍କ ପଣତରେ ପୋଛିଦେଇ ବିଞ୍ଚଣାରେ ବିଞ୍ଚି ଦିଅନ୍ତି ।

ତାପରେ ଗରମଗରମ ଭଜା ସହ ପଖାଳ ବାଢିଦେଇ ପାଖରେ ବସନ୍ତି ଖିଆ ସରିବା ପର୍ଯ୍ୟନ୍ତ ।

ଛଅମାସ ପରେ ମୋର ବଦଳି ହୋଇଗଲା ଘରପାଖକୁ ।ମାଉସୀଙ୍କର କି କାନ୍ଦ । ସେତେବେଳକୁ ସେ ମୋତେ ଝିଅ କରିସାରିଥାଆନ୍ତି । ସେଇଦିନଠୁ ତାଙ୍କର ଆମର ପୁରା ବନ୍ଧୁ ସଂପର୍କ ହୋଇଗଲା ।

ମୋ ବାହାଘରକୁ ସେ ମୋତେ ବହୁତ ଜିନିଷ ଦେଇଥିଲେ ।


ଏବେ ମୁଁ ଅବସର ନେଇ ସାରିଲିଣି । ଚାକିରୀକାଳ ଭିତରେ ଅନେକ ସ୍କୁଲ୍ କୁ ଯାଇଛି । ସେଠାରେ ଭଡାଘର ନେଇ ରହିଛି । ହେଲେ ମାଉସୀଙ୍କ ସହ ମୋର ଯେଉଁ ସଂପର୍କ ସେ ସଂପର୍କ ଆଉ କେଉଁଠି ବି ହୋଇନି । ସତେରେ ଜଣେ ପରଲୋକ ବିନା ସ୍ୱାର୍ଥରେ ଜଣକୁ ଏତେ ଭଲପାଇବା ମୁଁ ମାଉସୀ ଛଡା ଆଉ କାହା ପାଖରେ ବି ଦେଖିନି ।

ଆଜି ସେ ମାଉସୀ ନାହାନ୍ତି । ତାଙ୍କ ଘରସହ ଆଉ ସଂପର୍କ ପ୍ରାୟ ନାହିଁ । ହେଲେ ସେ ମାଉସୀଙ୍କ ଭଲପାଇବା କଥା ମନେପଡିଲେ ମୁଁ ଏବେବି ଆମୋଦିତ ହୁଏ । ତା ପଣତର ବାସ୍ନା ଏବେବି ମୋତେ ବିଭୋର କରେ । ମୁଁ ବି ତାଙ୍କୁ ଭଲ ପାଉଥିଲି ହେଲେ ତାଙ୍କ ଭଲପାଇବା ଓ ମୋ ଭଲପାଇବା ଭିତରେ ସିନ୍ଧୁ ଆଉ ବିନ୍ଦୁର ତାରତମ୍ୟ ଥିଲା ।


ଏବେବି ମୁଁ ତାଙ୍କ କଥା ଭାବିଲେ ମୋ ଆଖିପତା ଓଦା ହୋଇଯାଏ । ଆଜି ଏ ଗପଟି ଲେଖିଲାବେଳେ ଲୁହରେ ଭିଜି ଚଷମା ମୋତେ ବାରମ୍ବାର ପୋଛିବାକୁ ପଡୁଛି ।

ଏବେବି ମୋର ଇଚ୍ଛା ହେଉଛି ଆଉଥରେ ହେଲେ ମୁଁ ମୋ ମାଉସୀ କୋଳରେ ଶୋଇପଡନ୍ତି, ଆଉ ସେ ମୋତେ ଠିକ୍ ସେଦିନପରି ଆଉଁସିପାଉଁସି ଦିଅନ୍ତେ । ତାଙ୍କ ପଣତରେ ମୋତେ ଘୋଡେଇ ଦିଅନ୍ତେ ।

ସେ ମାଉସୀ ମୋତେଯେଉଁସ୍ନେହମମତା ଦେଇଯାଇଛନ୍ତି ତାକୁ ଏ କାଗଜକଲମରେ ଲେଖିବା ସମ୍ଭବ ନୁହେଁ । ତାହା କେବଳ

ଅନୁଭବ ହିଁ କରିହେବ ।


ସତେରେ ମାଉସୀ ତୁମେ ମୋର ନିଜର କେହିନୁହଁ ସତ ହେଲେ ଛ ମାସ ଭିତରେ ତୁମେ ମୋତେ ଯେତିକି ମମତା ଦେଇଛ ମୁଁ ସାରା ଜୀବନପାଇଁ ତୁମ ପାଖରେ ଋଣି ହୋଇଯାଇଛି । ତୁମର ଆତ୍ମା ଯେଉଁଠିଥାଉ ସୁଖରେ ଥାଉ । ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି ପରଜନ୍ମରେ ସେ ମୋତେ ତୁମରି କୋଳରେ ଜନ୍ମ ଦିଅନ୍ତୁ।


Rate this content
Log in

Similar oriya story from Thriller