ମାଟି ଦୀପ -ଭାଗ-୧
ମାଟି ଦୀପ -ଭାଗ-୧
କେବଳ ଦୀପ ତଳ ଅନ୍ଧାର ନୁହେଁ।
ଦୀପ ତିଆରି କରୁଥିବା କାରିଗରଟିର ଭବିଷ୍ୟତ ମଧ୍ୟ ଅନ୍ଧକାର ପ୍ରାୟ।
ହାତରେ ପିଟଣା,ପଥର ପିଣ୍ଡ ଗୋଟେ।ଗେଣ୍ଡାରେ ହାଣ୍ଡିକୁ ମଝିରେ ମଝିରେ କୋରୁଥାଏ।ପାଣି କନା ଛପାଇ ପୁଣି ପିଟିବା ଆରମ୍ଭ କରେ।ଗାଉ ଥାଏ ନାନା ବାୟା ଗୀତ।ନିତିଦିନିଆ କାମ ତାର ଏଇଟା। ଘରଣୀ ତାର ବଣ ,କୁଦରୁ ଝାଟି କାଟି ମୁଣ୍ଡରେ ମୁଣ୍ଡେଇ ବୋହି ଆଣେ।ଗୋଛା ଗୁଡିକୁ ଗଛର ଡେରି ଶୁଖାଇ ଦିଏ।ସ୍ଵାମୀଙ୍କୁ କାମରେ ସାହାଯ୍ୟ କରେ।ସ୍ୱାମୀ -ସ୍ତ୍ରୀର ଭାଗିଦାରୀ ।ଏହା ହିଁ ତ ସଂସାର।
ସେ ସମୟ ଆସି ପହଞ୍ଚେ।ଯାହାକୁ ପ୍ରତିବର୍ଷ ସେ ଚାତକ ପରି ଅନେଇ ରହିଥାଏ।
ମାଟିକୁ ଘାଣ୍ଟି ଚକଟି ,ମାଟି ସାଙ୍ଗରେ ମାଟି ହୋଇ ସେ ଗଢିଚାଲେ ଅଗଣିତ ଦୀପ। ଜଣା ନଥାଏ କଣ ହେବ ସେଗୁଡିକର ଭବିଷ୍ୟତ।ହେଲେ ସେ ସବୁ କୁ ବେଖାତିର କରି ସେ ଉହା ଭିତରେ ସବୁତକ ଦୀପ ପକାଏ।ଗୋଛା ଗୋଚ୍ଛା ଝାଟିକୁ ଆହୁତି ଦେଇ ଯଜ୍ଞ ସମ୍ପନ୍ନ କରେ। ବାସ୍ ତାପରେ ଶିବ ପରି ଭସ୍ମ ଵିଭୂତି ବୋଳି ହୋଇ ଦୀପ ଗୁଡିକୁ ସଫାକରିଥାଏ।କେତେବେଳେ ସେଗୁଡିକୁ ରଙ୍ଗରେ ରଙ୍ଗେଇ ଦିଏ ତ କେତେବେଳେ ଆପେ ଆପେ ରକ୍ତିମ ସୂର୍ଯ୍ୟଙ୍କ ରଙ୍ଗ ଆପେ ଆପେ ଉତ୍ତୁରି ଆସେ।
ପୋଡ଼ ଯଦି ଭଲ ହୋଇଥାଏ ।ଖୁସିରେ ଆତ୍ମହରା ହୋଇପଡେ କାରିଗର।ଆଣ୍ଠୁ ଲୁଚୁ ନଥିବା ଦେହରେ ରୁମ ଗୁଡ଼ା ଶିହିରି ଉଠେ।ହୃଦୟରେ ଲଗାଇ ବୋଝ ପରେ ବୋଝ ନୁଆନିଆଁ ଚାଳ ଘରେ ସାଇତି ରଖେ।ଆଶା ...ନିଶ୍ଚୟ ସଫଳ ହେବ।ମୂଲ ମିଳିଯିବ।ଆଉ ଦୁଇ ପଇସା ଖର୍ଚ୍ଚ ମଧ୍ୟ ବାହାରିବ।ମଝିରେ ମଝିରେ ପୁରୁଣା ଲୁଗା ଘୋଡାଇ ରଖିଥିବା ସେ ଦୀପ ଗୁଡିକୁ ଦେଖି ମୁଚୁକୁନ୍ଦିଆ ହସ ହସେ।ଡିବିରି ଆଲୁଅରେ ତା ଦେହର ଛାଇ ସହ ଦୀପ ଗୁଡିକ ବି ବିଶାଳ ହେବାକୁ ଲାଗେ।
ମନରେ ଥିବା ମେଞ୍ଚାଏ ସପନ ପୁରା ହେବ।ତା ପିଲା ଛୁଆକୁ ନୂଆ କପଡା ପିନ୍ଧାଇବ।କ୍ଷୀରି ପୁରି ରାନ୍ଧି ସାହି ପଡିଶାରେ ବାଣ୍ଟିବ।
ଦୀପାବଳୀ ପାଞ୍ଚ ଦିନ ଆଗରୁ ସବୁ ଦୀପଗୁଡିକୁ ଝୁଡ଼ିରେ ଭରେ।
ସିମେଣ୍ଟ ବସ୍ତାର ପାଲରେ ପସରା ମେଲାଇଦିଏ।ଚକା ଆସନ ପକାଇ ବସିପଡେ।ଗରାଖ ଈଶ୍ୱରଙ୍କୁ କେବଳ ଅପେକ୍ଷା।
*****
ଆରେ ଏ କଣ ....
ବଡ଼ ଅଦ୍ଭୁତ ଓ ଅଭାବନୀୟ ଏ ଦୃଶ୍ୟ।ଆଶା ଅସୁମାରୀ ତାର ପାଣି ଫଟକା ପରି ମିଳେଇ ଗଲାପରି ଲାଗିଲା।
ସେ କେବେ ବି ଭାବିନଥିଲା ଏମିତି ଅକସ୍ମାତ ଘଟିବ ବୋଲି।
ଦିନେ ଗଲା ଦୁଇ ଦିନ ଗଲା ।
କାଲି ରାତି ପାହିଲେ ଦୀପାବଳି ।
ଅଥଚ ........!
କ୍ରମଶଃ......