Suchismita Satpathy

Tragedy Inspirational

4.0  

Suchismita Satpathy

Tragedy Inspirational

ମାଣିକ (ଏକ ପରିତ୍ୟକ୍ତା ର କାହାଣୀ)

ମାଣିକ (ଏକ ପରିତ୍ୟକ୍ତା ର କାହାଣୀ)

23 mins
303


ଜେଲର ଚାରି କାନ୍ଥ ଆଜି ସାଜିଛି ମାଣିକର ସବୁକିଛି । ଆଜିକୁ ଦଶ ବର୍ଷ ହେଲା ଖରା, ବର୍ଷା, ଶୀତ, ବସନ୍ତ ସବୁ ତାର ଜେଲର ସେହି ସୁଉଚ୍ଚ ପ୍ରାଚୀର ମଧ୍ୟରେ ଆବଦ୍ଧ ହୋଇ ରହି ଯାଇଛି ।  

ଫଗୁଣର ହୋଲି ଖେଳ, ଗାଆଁ ଦାଣ୍ଡରେ ସାଙ୍ଗ ସାଥି ମେଳ, ଦୀପାବଳୀରେ ଘର ଘର ବୁଲି ସେଇ ତାଳଫୋଟକା ସଂଗ୍ରହ, ନଇ ପୋଖରୀରେ ଗାଧୋଇବା ସମୟର ମାଛ ଧରା, ଆସନ୍ନ ବର୍ଷାକୁ ଦେଖି ଗାଈ ଗୋରୁଙ୍କୁ ଅଡେଇ ଆଣିବା, ସାଙ୍ଗମାନଙ୍କ ସହ ମିଶି ଘରଘରକା ଖେଳିବା ଇତ୍ୟାଦି ତା ପାଇଁ ଆଉ ନିଜର ହୋଇ ରହି ନାହିଁ । 


  କାଳକୋଠରୀକୁ ହିଁ ସେ ତାର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ଭାବରେ ବାଛି ନେଇଛି ନିଜ ଇଚ୍ଛାରେ । ନିଜର କର୍ତ୍ତବ୍ୟ ଓ କର୍ମ ବାବଦରେ ଆଦୌ ଧାରଣା ନଥିବା ଏଇ ମାଣିକ ପିଲାଟି ଦିନରୁ ବାପା ମାଆ ଛେଉଣ୍ଡ । 


ଜମିଦାର ରାଜନାଥ ବାବୁ ଦିନେ ସହରରୁ ନିଜର କାମ ସାରି ଗାଆଁ ଅଭିମୁଖେ ପ୍ରସ୍ଥାନ କରୁଥିବା ସମୟରେ ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ କୁଆଁ କୁଆଁ ରାବ ଛାଡୁଥିବା ଏଇ ମାଣିକକୁ ପାଇଥିଲେ । ତାର ସେଇ କୁଆଁ ରାବ ଶୁଣି ସ୍ଥିର ହୋଇ ରହିପାରିନଥିଲା ତାଙ୍କ ପାଦ ଦୁଇଟି । ଗାଡିକୁ ଅଟକାଇ ଧାଇଁ ଆସିଥିଲେ ସେହି ଗୋରା ତକ୍ ତକ୍ କୋମଳମତି ଶିଶୁ କନ୍ୟାଟି ପାଖକୁ । ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଫୁଲ ପରି ଲାଲ ଓଠ ଓ ହଳଦୀ ରଙ୍ଗ ପରି ଗୋରା ଶରୀରଟି ଯେମିତି ସଂସାର ଛାଡିବା ପାଇଁ ଉଦ୍ୟତ ପ୍ରାୟ । 


  ରାଜନାଥ ବାବୁ ତାକୁ ଦେଖି ନିଜର ବୁଦ୍ଧି ହରାଇ ବସିଥିଲେ ସେଦିନ । ଚତୁର୍ଦ୍ଦିଗକୁ ଚକ୍ଷୁ ପ୍ରଖ୍ୟାଳନ କରି ଖୋଜିବାକୁ ଚେଷ୍ଟା କଲେ ସେହି ଜନ୍ମିତ ଶିଶୁଟିର ନିୟନ୍ତାମାନଙ୍କୁ ମାତ୍ର କେବଳ ଚଢେଇମାନଙ୍କର କିଚିରି ମିଚିରି ଶବ୍ଦ ବ୍ୟତୀତ ଆଉ କିଛି ନଥିଲା । ଶେଷରେ ଅତି ସ୍ନେହ ଓ ଆଦରରେ କୋଳେଇ ନେଇଥିଲେ ସେହି ପରିତ୍ୟକ୍ତ କନ୍ୟାଶିଶୁଟିକୁ ।  


ରାଜନାଥ ବାବୁଙ୍କର ଗୋଟିଏ ପୁଅ ଥିଲା । ତାଙ୍କ ଧର୍ମପତ୍ନୀ ଦୁଇବର୍ଷ ତଳେ ଇହଧାମ ତ୍ୟାଗ କରି ସାରିଥିଲେ । ତେଣୁ ଚାକର ଚାକରାଣୀଙ୍କ ଦ୍ୱାରା ଲାଳିତ ପାଳିତ ହେଉଥାଏ ରଘୁନାଥ । ସେହି କନ୍ୟାଟି ଭଗବାନଙ୍କ ଆଶୀର୍ବାଦ ଭାବି ନିଜ ଘରକୁ ନେଇଆସିଥିଲେ ରାଜନାଥ ବାବୁ । ସେହିଦିନଠାରୁ ମାଣିକ ଜମିଦାର ବାବୁଙ୍କ ପୋଷ୍ୟକନ୍ୟା ଭାବରେ ସାରା ଗାଆଁରେ ଚର୍ଚ୍ଚିତ ।  


ଅତି ସୁନ୍ଦର ଓ ଡଉଲ ଡାଉଲ ପଦ୍ମ ଫୁଲ ପରି ମୁହଁଟିକୁ ଦେଖିଲେ ସମସ୍ତେ ପ୍ରାୟ ସବୁକିଛି ଭୁଲି ତା ସହ ଖେଳରେ ମାତି ଯାଉଥିଲେ । କେଜାଣି କି ଆକର୍ଷଣ ଥିଲା ତା ପାଖରେ । ତେଣୁ ତାର ନାଁ ଦେଇଥିଲେ ମାଣିକ । 


  ସେ ଘରକୁ ଆସିବା ଦିନଠାରୁ ଜମିଦାରଙ୍କ ଧନ ସମ୍ପତ୍ତି, ମାନସମ୍ମାନ ଓ ପ୍ରତିପତ୍ତି ବୃଦ୍ଧି ପାଇବାରେ ଲାଗିଥାଏ । ମାଣିକ ଯେତେ ବଢି ଚାଲିଥାଏ ଜମିଦାରଙ୍କ ସମ୍ପତ୍ତି ବାଡି ସେତେ ବଢ଼ି ଚାଲିଥାଏ ଏବଂ ଗାଆଁର ଐଶ୍ୱର୍ଯ୍ୟ ମଧ୍ୟ । ଘର ଠାରୁ ଗାଆଁ ପର୍ଯ୍ୟନ୍ତ ସବୁଠି ମାଣିକର ଚର୍ଚ୍ଚା ।  


କୌଣସି ଶୁଭ କାର୍ଯ୍ୟ ମାଣିକ ବିନା ସମ୍ଭବ ହୋଇ ନ ଥାଏ । ଜମିଦାର ବାବୁ ସକାଳୁ ତାକୁ ନ ଦେଖିଲେ ନିଜର କୌଣସି କାର୍ଯ୍ୟ କରୁନଥିଲେ । ଜମିଦାର ଭବନ ଭିତରେ ମାଣିକର ରୁଣୁଝୁଣୁ ପାଉଁଜି ଶବ୍ଦଟି ଆଜିର ଆଧୁନିକ ଯୁଗର ଉଇଣ୍ଡଚାଇମର ଶବ୍ଦ ପରି ଅହରହ ବାଜୁଥାଏ । ତିଳେ ନିମିଷେ ନ ଶୁଣାଗଲେ ସବୁ କାମ ଛାଡ଼ି ସମସ୍ତେ ମାଣିକକୁ ଖୋଜିବାରେ ଲାଗିପଡନ୍ତି । ସେ ମଧ୍ୟ ସମସ୍ତଙ୍କୁ ଏମିତି ଖୋଜେଇବାରେ ଭାରି ମଜ୍ଜା ପାଏ । ଭବନର ସମସ୍ତେ ମଧ୍ୟ ବହୁତ ଖୁସି ସେଥିରେ । 


ମାଣିକର ସମୟ ଏହିପରି ଭାବରେ ଗଡିଚାଲେ ଜମିଦାର ଭବନରେ । ଏପଟେ ଜମିଦାର ବାବୁଙ୍କ ପୁଅ ରଘୁନାଥ ବହୁତ ଖୁସି ଥିଲା ମାଣିକକୁ ଦେଖି । ମାଆ ଆଖି ବୁଜିବା ଦିନଠୁ ସେ ଯେମିତି ଏକୁଟିଆ ହୋଇଯାଇଥିଲା । ମାଣିକ ସହ ଖେଳ କୁଦ କରିବାକୁ ସେ ଭାରି ଖୁସି ହୁଏ । ମାତ୍ର ଭବନର ଉଦ୍ୟାନ ଛାଡି ସେ କେବେ ବାହାରକୁ ଯାଏ ନାହିଁ । ମାଣିକ କିନ୍ତୁ ଗାଆଁ ଲୋକଙ୍କ ସହ ମିଶି ବୁଲିବାକୁ ଭାରି ଭଲ ପାଏ । ଗାଆଁର ଛୁଆମାନଙ୍କ ସହ ମିଶି ଭିନ୍ନ ଭିନ୍ନ ପ୍ରକାରର ଖେଳ ଖେଳିବାକୁ ସେ ଭାରି ଭଲପାଏ । ଯେତେବେଳେ ମାଣିକ ଗାଆଁ ଦାଣ୍ଡରେ ଖେଳୁଥାଏ, ଗାଆଁର କିଛି ନା କିଛି ଲୋକ ଜଗି ରହିଥାନ୍ତି ତାକୁ । କାଳେ କେଉଁଠି ପଡିଯିବକି ବୋଲି ।  


ସମସ୍ତ ଗ୍ରାମବାସୀ ମାଣିକକୁ ତାଙ୍କ ଗାଆଁର ଲକ୍ଷ୍ମୀ ଠାକୁରାଣୀ ବୋଲି ଧରି ନେଇ ଥାନ୍ତି । ମାତ୍ର ଜମିଦାରଙ୍କ ପୁଅ ଏକଥା ଆଦୌ ପସନ୍ଦ କରେ ନାହିଁ । ସେ ସର୍ବଦା ମାଣିକକୁ ମନା କରେ ଭବନ ବାହାରକୁ ଯିବା ପାଇଁ । କିନ୍ତୁ ମାଣିକ ପସନ୍ଦ ଗାଆଁ ଓ ତାର ବାସିନ୍ଦା । ଜମିଦାର ରାଜନାଥ ବାବୁ ସେସବୁରେ ବିଶେଷ ମୁଣ୍ଡ ଖେଳନ୍ତି ନାହିଁ । ତାଙ୍କର କିନ୍ତୁ ଗୋଟିଏ ତାଗିଦ୍ ଥାଏ, ମାଣିକର ଯେମିତି କିଛି ଅସୁବିଧା ନହୁଏ । ସେ ଖୁସି ତ ତାଙ୍କ ପୃଥିବୀ ଖୁସି ।  


ଦିନ ପରେ ଦିନ ଗଡି ଚାଲିଲା, ମାଣିକ ପାଠ ପଢା ସହିତ ଅନ୍ୟାନ୍ୟ ସବୁଥିରେ ପାରଙ୍ଗମ ଓ ପରିପୃଷ୍ଟ ହୋଇଚାଲିଥାଏ । ଯେତେ ବଢି ଚାଲିଥାଏ ତାର ରୂପ ଓ ଗୁଣ ପଦ୍ମ ଫୁଲର ପାଖୁଡା ପରି ବିକଶି ଚାଲିଥାଏ । ବୟସ ବଢିବା ସହିତ ମାଣିକ ଏକଥା ମଧ୍ୟ ଜାଣିଥାଏ ଯେ, ସେ ଜମିଦାରଙ୍କ ନିଜ ଝିଅ ନୁହେଁ ବୋଲି ମାତ୍ର ତାଙ୍କର ଏତେ ସ୍ନେହ ଓ ଭଲ ପାଇବା ସେସବୁକୁ ଦୂରେଇ ଦେବାପାଇଁ ଯଥେଷ୍ଟ ହୋଇଯାଏ ।  


ରାଜନାଥ ବାବୁଙ୍କ ଏତେ ପ୍ରତିପତ୍ତି ବୃଦ୍ଧି ଦେଖି ପାଖ ଆଖର ଜମିଦାର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାନ୍ତି ଏବଂ କେଉଁଠି ନା କେଉଁଠି ଈର୍ଷା ଭାବ ସେମାନଙ୍କ ମନରେ ମଧ୍ୟ ଯାଗ୍ରତ ହୋଇ ଯାଇଥାଏ । କିନ୍ତୁ ସେମାନେ ଯେତେ ଚେଷ୍ଟା କଲେ ବି କିଛି କରିପାରୁନଥାନ୍ତି । 


ସମୟ ଗଡି ଚାଲିଲା, ରଘୁନାଥ ଅଧିକ ପାଠ ପଢିବା ନିମନ୍ତେ ସହରକୁ ଗମନ କଲା । ରାଜନାଥ ବାବୁ ମାଣିକକୁ ମଧ୍ୟ ପଠାଇବାର ବ୍ୟବସ୍ଥା କଲେ ମାତ୍ର ତାର ଏକା ଯିଦ୍ ସେ ଭବନ ଛାଡି ଓ ରାଜନାଥବାବୁଙ୍କୁ ଛାଡି କେଉଁଠିକୁ ବି ଯିବ ନାହିଁ । ତେଣୁ ବାଧ୍ୟ ହୋଇ ରଘୁନାଥ ଏକା ଯାତ୍ରା ଆରମ୍ଭ କଲା । ମାଣିକ ଏଠାରେ ରହି ଗାଆଁର କୁନି କୁନି କୁନି ପିଲାମାନଙ୍କୁ ଧରି ଏକ କ୍ଷୁଦ୍ର ଚାଟଶାଳୀ ଖୋଲିଲା । ଯେଉଁମାନେ ଦୂର ସ୍କୁଲକୁ ଯିବାକୁ ଅସମର୍ଥ ସେମାନେ ସମସ୍ତେ ଏହି ଚାଟଶାଳୀରେ ଆସି ପାଠ ପଢନ୍ତି । ଏବଂ ପରୀକ୍ଷା ନିମନ୍ତେ ସେହି ସ୍କୁଲକୁ ଯାନ୍ତି ।  


ସେତେବେଳେ ମଧ୍ୟ ତାଙ୍କ ଯିବା ଆସିବା ମାଣିକ ବୁଝିଥାଏ । 

ଧିରେ ଧିରେ ଏବେ ସେ ଜମିଦାର ବାବୁଙ୍କ କାର୍ଯ୍ୟରେ ହାତ ଦେବାକୁ ଆରମ୍ଭ କରିଥାଏ । ବୟସ ହେବାରୁ ବେଶୀ ଧାଁ ଦୌଡ କରିପାରୁ ନଥାନ୍ତି ସେ । ତେଣୁ ଦୂର ସ୍ଥାନକୁ ଗଲେ ଏବେ ମାଣିକ ସାଙ୍ଗରେ ଯାଏ । 


ହଠାତ ଦିନେ ପାଖ ଗାଆଁର ଜମିଦାର ସୋମନାଥ ବାବୁ, ରାଜନାଥ ବାବୁଙ୍କୁ ଦେଖାକରିବା ପାଇଁ ଆସିଲେ । ମନସା ଥିଲା ତାଙ୍କ ପୁଅ ପାଇଁ ମାଣିକ ହାତ ମାଗି ବାହା କରେଇ ନେଇଗଲେ ସବୁ ଧନ ସମ୍ପତ୍ତି ତାଙ୍କର ବଢିବାରେ ଲାଗିବ । ଏହି ଚିନ୍ତା ଧାରା ନେଇ କଥାବାର୍ତ୍ତା ଆରମ୍ଭ କଲେ । ମାତ୍ର ରାଜନାଥ ବାବୁ ସିଧା ସିଧା ମନା କରିଦେଲେ ଏହା କହି ଯେ, ମାଣିକ ଏ ଘରର ସବୁକିଛି । ସେ ଏ ଘର ଛାଡି କେଉଁଠି କି ଯିବ ନାହିଁ କି ଏ ଘର ତାକୁ ଛାଡ଼ି ରହିବ ନାହିଁ । ଏପରିକି କହିଲେ ରଘୁନାଥର ଓ ମାଣିକର ସମ୍ପର୍କ ପିଲା ଦିନରୁ ଯୋଡି ହୋଇ ଯାଇଛି ତେଣୁ ଏସବୁର ପ୍ରଶ୍ନ ଉଠୁନାହିଁ । ଏହାଶୁଣି ସୋମନାଥ ବାବୁ ମନ ଦୁଃଖରେ ବାହାରି ଗଲେ । 


ପ୍ରକୃତରେ ମଣିଷ ଯାହା ଚାହିଁ ଥାନ୍ତା ଯଦି ତାହା ହୋଇପାରନ୍ତା ତାହାହେଲେ ତ ମଣିଷ ଆଜି ଚନ୍ଦ୍ରରେ ଯାଇ ବାସ କରିଥାନ୍ତା । ବହୁ ସମୟରେ ମଣିଷ ଚାହେଁ କିଛି ଏବଂ ହୁଏ ଅନ୍ୟ କିଛି ।  


ଠିକ ତାହା ହିଁ ହେଲା । ଅଫୁଟନ୍ତା ପଦ୍ମ ଫୁଲ ପରି ମାଣିକକୁ ରାସ୍ତା କଡରୁ ଆଣିବା ଦିନ ଠାରୁ ତାକୁ ନିଜର ବୋହୁ କରିବାକୁ ମନସ୍ଥ କରିଥିଲେ ରାଜନାଥ ବାବୁ । ମାତ୍ର ବିଧିର ବିଧାନ ବିଚିତ୍ର । ହଠାତ ଦିନେ ରଘୁନାଥ ଫୋନ କରି କହିଲା, ସେ ତାଙ୍କ ପ୍ରଫେସରଙ୍କ ଝିଅ ସହ ପ୍ରେମ ବିବାହ କରିସାରିଛି ଏବଂ କିଛି ସମୟ ପାଇଁ ସେମାନେ ବିଦେଶ ଭ୍ରମଣରେ ଯାଉଛନ୍ତି, ଏବେ ଫେରିବେ ନାହିଁ । ଏହା ଶୁଣି ଜମିଦାର ବାବୁଙ୍କ ମନ ଦୁଃଖରେ ଭାଙ୍ଗି ପଡିଲା । ସନ୍ତାନ ଯେ ପରିଣତ ବୟସରେ ଦୁଃଖର କାରଣ ହୋଇଥାଏ ତାହା ସେ ଅନୁଭବ କରିବାକୁ ଲାଗିଲେ । ମାଣିକର ଭବିଷ୍ୟତକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ରାଜନାଥ ବାବୁଙ୍କ ମନରେ ଗଭୀର ଆଘାତ ପ୍ରାୟ ଥିଲା ।  


ମାତ୍ର ମାଣିକର ସେସବୁରେ ଖାତିର ନ ଥାଏ । ନିତି ଦିନ ପରି ସବୁ କାମ ସାରି ତା ଚାଟଶାଳୀ ଅଭିମୁଖେ ବାହାରିପଡିଲା । କିଛି ଦିନ ଧରି ରାଜନାଥ ବାବୁ ମନ ଦୁଃଖରେ ରହୁଥିବା ଦେଖି ମାଣିକ ଦିନେ ପଚାରିଲାରୁ ତାଙ୍କ କଥା ଶୁଣି ଫେଁ କରି ହସିଦେଲା ।  


ମନ କଷ୍ଟ କରି କହିଲା, ତେବେ ଆପଣ କଣ ମତେ ଘରୁ ବାହାର କରିଦେବେ । ତେବେ କଣ ମୁଁ ଏଥିପାଇଁ ଏ ଘରକୁ ନିଜ ଘର ବୋଲି ଭାବିଥିଲି । ଆପଣଙ୍କର ପୁଅ ଯେ କେବଳ ଆପଣଙ୍କ କଥା ବୁଝିପାରିବ, ମୁଁ କଣ ଆପଣଙ୍କ ପୁଅ ହୋଇ ଏଠାରେ ରହିପାରିବି ନାହିଁ । ଆପଣ ମୋର ରକ୍ତ ସମ୍ପର୍କ ନ ହୋଇ ମତେ ଏତେ ସ୍ନେହ ଓ ଭଲ ପାଇବା ଦେଇ ପାରିଲେ, ମାତ୍ର ମୁଁ କଣ ସାରା ଜୀବନ ଏଠି ରହି ଆପଣଙ୍କ ସେବା ଓ ଗ୍ରାମ ବାସୀଙ୍କ ସେବା କରି ପାରିବି ନାହିଁ । ଗୋଟେ ଝିଅ ହିସାବରେ ମୋର କଣ ସେତିକି ଅଧିକାର ନାହିଁ ।  


ଏହା ଶୁଣି ରାଜନାଥ ବାବୁଙ୍କ ମନରୁ ସବୁ ସଂଶୟ ହରି ଗଲା । ମନକୁ ଦୃଢ କରି କହିଲେ ଆଜିଠାରୁ ମୋର ଯେତେ ଅଚଳାଚଳ ସମ୍ପତ୍ତି, ସବୁର ଦାୟିତ୍ୱ ମାଣିକ ବହନ କରିବ । ଏହା କହି ଓକିଲକୁ ଡାକି କାଗଜପତ୍ର ସବୁ ମାଣିକ ନାଁରେ କରିଦେଲେ । ମାତ୍ର ଏ ବାବଦରେ ମାଣିକ ସମ୍ପୂର୍ଣ୍ଣ ଅନଭିଜ୍ଞ ।  


ତାର ଖୁସି ଥାଏ କେବଳ ଗାଆଁ ଲୋକଙ୍କ ଭଲ ମନ୍ଦ ବୁଝିବା ଓ ପିଲାଙ୍କୁ ପାଠ ପଢାଇବା । ଇତି ମଧ୍ୟରେ ଜମିଦାର ବାବୁଙ୍କ ଶରୀର ଅସୁସ୍ଥ ହେବାକୁ ଲାଗିଲା । ସେ ଚାହିଁଲେ ମାଣିକକୁ ଭଲ ପାତ୍ରଟିଏ ଖୋଜି ବିବାହ କରାଇଦେବା ପାଇଁ । ମାତ୍ର ମାଣିକର ଏକା ଯିଦ ସେ ସାରାଜୀବନ ତାଙ୍କ ସେବାରେ ଓ ଗାଆଁ ଲୋକଙ୍କ ସେବାରେ ବିତେଇ ଦେବ । ତେଣୁ ନିରୁପାୟ ହୋଇ ବାକଶୂନ୍ୟ ଭାବେ ଗୋଟିଏ ଚଉକିରେ ବସିରହିଥାନ୍ତି ।  


ଯେତେବେଳେ ମାଣିକ ତାଙ୍କ ଆଖି ସାମ୍ନାରେ ଯାଉଥାଏ ତାଙ୍କ ମନ ଭିତରେ କ୍ରୋଧ ଭରି ଯାଉଥାଏ ତାଙ୍କ ଜନ୍ମିତ ପୁଅ ପ୍ରତି । ଯେଉଁ ସମୟରେ ତାର ଆବଶ୍ୟକତା ସେ ନଥିଲା ତାଙ୍କ ପାଖରେ । ନିଜକୁ ବେଳେବେଳେ ବିବଶ ଅନୁଭବ କରୁଥାନ୍ତି ରାଜନାଥ ବାବୁ । ମାତ୍ର ମାଣିକ ମୁହଁ ସଦା ସର୍ବଦା ଚଳଚଞ୍ଚଳ । ସତେ ଯେମିତି ସଂସାରର ସବୁ ଦୁଃଖ ସୁଖର ଉର୍ଦ୍ଧ୍ୱରେ ସେ । ବେଳେବେଳେ ତାକୁ ଦେଖି ସାହସ ସଞ୍ଚାଳନ କରନ୍ତି ରାଜନାଥ ବାବୁ । 


ରାଜନାଥ ବାବୁଙ୍କ ଶରୀର ଅଧିକ ଅସୁସ୍ଥ ହେବାରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ଆସି ପହଞ୍ଚିଲେ ଜମିଦାର ଭବନରେ । ପାଶ୍ଚାତ୍ୟ ସଭ୍ୟତାରେ ବଢିଥିବା ରୋମି ଗାଆଁ ପରିବେଶ ଓ ଲୋକମାନଙ୍କ ସହ ଖାପ ଖୁଆଇ ଚଳିବା ପାଇଁ ପ୍ରସ୍ତୁତ ନ ଥାଏ । ଏମିତିକି ସେ ରଘୁନାଥକୁ କହିଥାଏ ଗାଆଁର ସବୁ ସମ୍ପତ୍ତିର ଆକଳନ କରି ବିକି ଦେଇ ପଳେଇବା ପାଇଁ । ନିଜକୁ ପାଶ୍ଚାତ୍ୟ ଢାଞ୍ଚାରେ ଢଳେଇଥିବା ରଘୁନାଥ ମଧ୍ୟ ତାହା ହିଁ କରିବାର ଯୋଜନାରେ ଥାଏ ।  


ଇତି ମଧ୍ୟରେ ରାଜନାଥ ବାବୁ ବାକ୍ ଶକ୍ତି ହରାଇ ବସିଥାନ୍ତି । କେବଳ ମାଣିକହିଁ ତାଙ୍କ ଅକୁହା କଥା ବୁଝି ପାରୁଥାଏ । ରଘୁନାଥ ଯେତେ ଚେଷ୍ଟା କଲେବି ଜମିଦାର ବାବୁଙ୍କ ସମ୍ପତ୍ତିର ନଥିପତ୍ର ଖୋଜି ପାଇବାରେ ଅସମର୍ଥ ଥିଲା । ବହୁ ଖୋଜାଖୋଜି କଲାପରେ ଶେଷରେ ସେ ଜାଣିବାକୁ ପାଇଲା ଯେ ଜମିଦାର ବାବୁ ତାଙ୍କର ସବୁ ସମ୍ପତ୍ତିର ମାଲିକାଣୀ ମାଣିକ ନାଁରେ କରିଛନ୍ତି । ଏବଂ ମାଣିକ ଅନ୍ତେ ତାର ଉତ୍ତରାଧିକାରୀ ହେବ ରଘୁନାଥ ଓ ମାଣିକର ସନ୍ତାନ । ଏହା ଶୁଣି ମୁଣ୍ଡରେ ହାତ ଦେଲା ରଘୁନାଥ । 


ସବୁ କଥା ଜାଣିଲା ପରେ ରଘୁନାଥ ଓକିଲ ଡକାଇ ପରାମର୍ଶ କଲା । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା । ଯେହେତୁ ସବୁ ସମ୍ପତ୍ତିର ମାଲିକାଣୀ ମାଣିକ ତେଣୁ ରଘୁନାଥ କିଛି କରି ପାରିବ ନାହିଁ । ସେ ମଧ୍ୟ ସାହସ କରି ଜମିଦାର ବାବୁଙ୍କ ପାଖରେ କିଛି ପଚାରି ପାରୁ ନଥାଏ ।  


ଜମିଦାର ବାବୁ ମଧ୍ୟ ରଘୁନାଥ ସହ କୌଣସି ବାବଦରେ ଆଲୋଚନା କରିବା ପାଇଁ ଇଚ୍ଛା ପ୍ରକାଶ କରୁନଥିଲେ । ଶେଷରେ ରୋମି ନିଜର ଏକ ଖଳ ପ୍ରକୃତି ଆରମ୍ଭ କଲା । ମାଣିକର କଥାବାର୍ତ୍ତା ଓ ଚାଲିଚଳନ, ଲୋକଙ୍କ ମୁହଁରୁ ତାର ପ୍ରଶଂସା ରୋମିର ସହ୍ୟ ହେଉନଥାଏ । 


ଯୁଗ ଯୁଗରୁ ଏ ପ୍ରଥା ରହି ଆସିଛି, ସମ୍ପତ୍ତି ଲୋଭରେ କେତେ ରାମାୟଣ ଓ ମହାଭାରତ ଘଟି ଯାଇଛି । ତେଣୁ କଳି ଯୁଗରେ ଏଥିରୁ ମଣିଷ ବର୍ତ୍ତିବ ବା କେମିତି । କଥାରେ ଅଛି " ମଳୁ ଖୋଜୁଥିଲା ଯାହା, ଦଇବ ବତେଇଲା ତାହା" । ଶେଷରେ ଏକ ଦୁଷ୍ଟ ପ୍ରବୃତ୍ତିର ଓକିଲ କଥାରେ ପଡି ଏକ କ୍ରୂର ନିଷ୍ପତ୍ତି ନେବା ନିମନ୍ତେ ରଘୁନାଥକୁ ପ୍ରବର୍ତ୍ତାଇଲା ରୋମି । ତାହା ଥିଲା ଏପରି ।  

" ଦୀର୍ଘ ଦୁଇ ବର୍ଷ ଧରି ବିବାହ କରିଥିଲେ ମଧ୍ୟ ନିଜର ରୂପ, ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ ନ କରିବାପାଇଁ ସନ୍ତାନ ଜନ୍ମର ବିରୋଧୀ ଥିଲା ରୋମି । ତେଣୁ ରଘୁନାଥକୁ ମାଣିକ ସହ ବିବାହ କରିବାକୁ ବାଧ୍ୟ କଲା । ତା ଦ୍ୱାରା ଯେଉଁ ସନ୍ତାନ ପ୍ରାପ୍ତି ହେବ, ସେ ହେବ ଏ ସମ୍ପତ୍ତିର ମାଲିକ । ତାକୁ ଧରି ଆମେ ବିଦେଶ ଗମନ କରିବା । ସେତେବେଳକୁ ଜମିଦାର ବାବୁଙ୍କ ଅବସ୍ଥା ଯାହା ସେ ଇହଧାମ ତ୍ୟାଗ କରି ସାରିଥିବେ । ଆଉ ମାଣିକ, ସେ ତ ରାସ୍ତା କଡରୁ ଆସିଥିଲା ତେଣୁ ରାସ୍ତାରେ ବୁଲିବା ତା ପାଇଁ କିଛି ଅସୁବିଧାର କାରଣ ହେବ ନାହିଁ " ଏହା ଥିଲା ରୋମିର ପ୍ରପଞ୍ଚ । ଯେଉଁ ଥିରେ କି ମନ ଭରି ଯାଇଥିଲା ରଘୁନାଥର ।  


କିଛି ଦିନ ପରେ ଚିନ୍ତା କରିଥିବା କଥାକୁ ଅମଳ କରିବା ନିମନ୍ତେ ଜମିଦାର ବାବୁଙ୍କ ପାଖରେ ଯାଇ ପହଞ୍ଚିଲେ ରଘୁନାଥ ବାବୁ । ତାଙ୍କ କ୍ଷୀଣ ଶରୀର ଓ ବାପ ହୃଦୟର ଅଯାଚିତ ଲାଭ ଉଠାଇବାରେ ସକ୍ଷମ ହେଲେ ରଘୁନାଥ ଏହା କହି ଯେ, ବାପାଙ୍କ ଇଚ୍ଛା ପୂରଣ କରି ନ ପାରିଥିବାରୁ ସେ ବହୁ ଦୁଃଖିତ । ଏବଂ ରୋମିକୁ ଛାଡ ପତ୍ର ଦେଇ ସେ ମାଣିକକୁ ବିବାହ କରି ତା ପାପର ପ୍ରାୟଶ୍ଚିତ କରିବ । କିନ୍ତୁ ତାର ପ୍ରକୃତ ପ୍ରଛଦପଟର ଉଦ୍ଦେଶ୍ୟ କାହାକୁ ଜଣା ନଥିଲା । ମାତ୍ର ମାଣିକ ଜମିଦାର ବାବୁଙ୍କ ମନ କଥା ବୁଝି ପାରୁଥିଲେ ମଧ୍ୟ ସେ ଏଥିରେ ରାଜି ହେଲା ।  


କେଉଁଠି ନା କେଉଁଠି ମାଣିକ ମନରେ ରଘୁନାଥ ପ୍ରତି ଏକ ସୂକ୍ଷ୍ମ କୋଣ ସ୍ଥାପିତ ହୋଇଥିଲା । ମନେ ମନେ ସେ ରଘୁନାଥକୁ ନିଜର ଜୀବନ ସାଥି ଭାବରେ ଗ୍ରହଣ କରି ନେଇଥିଲା । ତେଣୁ ସେ ସହଜରେ ରାଜି ହୋଇଗଲା । ଏକଥା ବି ଚିନ୍ତା କଲା ଯେ ଏତଦ୍ୱାରା ଜମିଦାର ବାବୁଙ୍କ ଇଚ୍ଛା ମଧ୍ୟ ପୂରଣ ହୋଇଯିବ । ବାସ ସବୁ ଠିକ ହୋଇଗଲା । ବିବାହ ତାରିଖ ଓ ତିଥି ନିଧାର୍ଯ୍ୟ କରାଗଲା ।  

ବହୁ ଆଡମ୍ବର ଓ ଧୁମଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଜମିଦାର ବାବୁ ସବୁ ମନସା ଜାଣିଥିଲେ ମଧ୍ୟ ମାଣିକ ପାଇଁ ଖୁସିଥିଲେ । କିଛି ବର୍ଷ ତଳେ ନିଜର ହାତ ପାପୁଲିରେ ଉଠାଇ ଆଣିଥିବା କୋମଳ ଶିଶୁ ଯେ ଆଜି ତାଙ୍କ ଘରର କୂଳବଧୂ । ସେ ସହଜରେ ଏହାକୁ ବିଶ୍ୱାସ କରି ପାରୁନଥିଲେ ।  


ସମଗ୍ର ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇ ପଡିଥିଲେ । ନାଲି ରଙ୍ଗରେ ସଜେଇ ହୋଇ ମାଣିକ ପ୍ରକୃତରେ ଲକ୍ଷ୍ମୀ ଠାକୁରାଣୀ ସଦୃଶ ଦୃଶ୍ୟମାନ ହେଉଥାଏ । ଯେତେ ଲୋକ ଆସିଥାନ୍ତି ସମସ୍ତେ ମାଣିକକୁ ରୂପ ଦେଖି ବିମୋହିତ ହୋଇ ପଡିଥାନ୍ତି । ସତେ ଯେମିତି ସ୍ୱର୍ଗରୁ ମାଆ ଲକ୍ଷ୍ମୀ ମର୍ତ୍ତ୍ୟରେ ଅବତରଣ କରିଛନ୍ତି । ବାଜା ବାଣ ରୋଷଣୀରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା । ଜମିଦାର ଭବନ ଏକ ନୂତନ ବୋହୁ ପରି ସଜେଇ ହୋଇ ରହିଥିଲା ମାଆ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ।  


    ଭବ୍ୟ ସ୍ଵାଗତ ଓ ସମ୍ବର୍ଧନା ମଧ୍ୟରେ ମାଣିକର ସ୍ୱାଗତ କରିଥିଲେ ସମସ୍ତେ । ସତେ ଯେମିତି ସ୍ୱର୍ଗପୁର, ସେମିତି ଦୃର୍ଶ୍ୟମାନ ହେଉଥାଏ ଜମିଦାର ଭବନ । ରାଜନାଥ ବାବୁଙ୍କ ଗୋଡ ତଳେ ଲାଗୁ ନ ଥାଏ । ସବୁ କାର୍ଯ୍ୟ ଯଥା ସମୟରେ ଶେଷ ହେଲା ।  


କେଉଁଠି ନା କେଉଁଠି ମାଣିକ ମଧ୍ୟ ଖୁସି ଥାଏ । ନିଜ ପାଇଁ ଏବଂ ରାଜନାଥ ବାବୁଙ୍କ ପାଇଁ ବି ।  


ଦିନ ପରେ ଦିନ ଓ ମାସ ପରେ ମାସ ଗଡି ଚାଲିଲା । ଶେଷରେ ମାଣିକ ଗର୍ଭବତୀ ହେଲା । ଏହି ଖବର ପାଇ ରାଜନାଥ ବାବୁଙ୍କ ଖୁସି କହିଲେ ନସରେ । ଗାଆଁ ଯାକ ହୁରି ପଡିଲା । ମାଣିକ ଗର୍ଭବତୀ । ପିଲା ଠାରୁ ବୟସ୍କ ସମସ୍ତେ ତା କାର୍ଯ୍ୟରେ ଲାଗିପଡିଲେ । ସେହିଦିନ ଠାରୁ ମାଣିକ ଭବନ ଛାଡି କେଉଁଆଡେ ଯା ଆସ କରେ ନାହିଁ । ମାତ୍ର ତାର ପିଲାମାନଙ୍କୁ ପାଠ ପଢାଇବା ପାଇଁ ଆଗ୍ରହ ଓ ବ୍ୟସ୍ତତା ଦେଖି ଭବନର ଉଦ୍ୟାନ ମଧ୍ୟରେ ଚାଟଶାଳୀର ବ୍ୟବସ୍ତା କରାଇଲେ ଜମିଦାର ବାବୁ । ସମସ୍ତ ପିଲା ସେଠାକୁ ହିଁ ଆସିଲେ । ଏହା ଦେଖି ରଘୁନାଥ ଆଦୌ ଖୁସି ନ ଥାଏ । ତାର କେବଳ ଗୋଟିଏ ପ୍ରାଥମିକତା ଥାଏ ମାଣିକ ନାଁରେ ଥିବା ସମ୍ପତ୍ତି, ଯାହାକି ତାର ମାତ୍ର ତାହା ହୋଇ ନଥିଲା ।  


ମଣିଷ ନିମିତ୍ତ ମାତ୍ର । ଏକଥା ମାନିବାକୁ ହେବ ଯେ ଯାହା ବି ଘଟେ ସବୁ ସେହି ପରମ ଦୟାଳୁ ପରମେଶ୍ୱରଙ୍କ କୃପାରୁ ହିଁ ଘଟେ । କାହା ପାଇଁ ତାହା ଭଲ ହେଲେ, କାହା ପାଇଁ ଖରାପ । ମଣିଷ ଜୀବନ ମୁଦ୍ରାର ଦୁଇ ପାର୍ଶ୍ଵ ପରି । ସମ ପରିମାଣରେ ସୁଖ ଓ ଦୁଃଖଉଭୟ ଭୋଗିବାକୁ ପଡିଥାଏ ସମସ୍ତ ପ୍ରାଣୀ ଜଗତକୁ । ତାହା ସହ ନିଜ କୃତ କର୍ମର ଫଳ ମଧ୍ୟ ଭୋଗିବାକୁ ପଡେ । ତାହାହିଁ ଘଟିବାକୁ ଯାଉଥାଏ ।  


ମାଣିକ ଖୁସି ଦେଖି ଜମିଦାର ବାବୁ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ତେଣୁ ଏବେ ସେ ବ୍ୟବସାୟର ସବୁ କାର୍ଯ୍ୟ ନିଜେ ହିଁ ତଦାରଖ କରିବାକୁ ଲାଗିଲେ । ରଘୁନାଥକୁ ସେଥିରେ ହସ୍ତକ୍ଷେପ କରିବାକୁ ନିଷେଦ୍ଧ କରିଥିଲେ । ମନେ ମନେ ରାଗରେ ଜର୍ଜରିତ ହେଉଥାଏ ସେ । ମାତ୍ର ଥାଏ ନିରୂପାୟ ।  


ଦିନେ ତାର ପ୍ରଥମ ପତ୍ନୀ ଆସି ପହଞ୍ଚିଲା ବିଦେଶରୁ । ତାକୁ ଦେଖି ଜମିଦାର ବାବୁ ଆଦୌ ଖୁସି ନଥିଲେ । ମାତ୍ର ମାଣିକ ସହୃଦୟେ ରୋଗୀର ସ୍ୱାଗତ କଲା । ମାଣିକ ଭବ୍ୟ ସୁନ୍ଦର ରୂପ ଦେଖି ରୋମା ଛାତିରେ ଛନକା ପଶିଗଲା ପରି ଲାଗିଲା । ଏବଂ ଏକ ଅଦେଖା ଓ ଆସନ୍ନ ଭୟର ଆଭାସ ହେଲା ରୋମିକୁ । ନିଜ ପ୍ରପଞ୍ଚରେ ବ୍ୟାଘାତର ଆଭାସ ପାଇଲା । ତେଣୁ ସେ ରଘୁନାଥକୁ ପ୍ରବର୍ତ୍ତିତାଇଲା ଜମିଦାର ବାବୁଙ୍କ ସହ କଥା ହେବାକୁ । ସବୁ ବୁଝାସୁଝା କରି ଶେଷରେ ଜମିଦାରଙ୍କ ପାଖକୁ । 


 ଯାଇ ପହଞ୍ଚିଲା ଏକ ଭିନ୍ନ ଉଦ୍ଦେଶ୍ୟ ନେଇ । ଯୋଜନା ଥିଲା ଭିନ୍ନ ମାତ୍ର ଆଲୋଚନା ଥିଲା ଭିନ୍ନ । 


ଆଲୋଚନା ଏହା କି, ମାଣିକ କାହିଁକି ଛୋଟ ଚାଟଶାଳୀ କରି ପିଲାମାନଙ୍କୁ ପାଠ ପଢାଉଛି, ଆମେ ତ ଚାହିଁଲେ ଗୋଟେ ବିଦ୍ୟାଳୟ ଖୋଲି ପାରିବା । ତାର ବଡ ସରକାରୀ କର୍ମଚାରୀଙ୍କ ସହ ବସା ଉଠା ଅଛି ତେଣୁ ସରକାରୀ ପ୍ରୋତ୍ସାହନ ସହ ଅନୁମତି ମିଳିଯିବ । ତାଙ୍କ ଗାଆଁରେ ବିଦ୍ୟାଳୟ ଗୋଟେ ଖୋଲି ହେଇଯିବ । ମାଣିକର ପାଠପଢା ସମସ୍ତେ ଜାଣନ୍ତି, କୌଣସି ଅସୁବିଧା ହେବ ନାହିଁ । ରଘୁନାଥର ଏ ପ୍ରକାରର ବିଚାର ଶୁଣି ଜମିଦାର ବାବୁ ମନେ ମନେ ଖୁସି ହେଲେ । ଯାହା ହେଉ ପୁଅ ତାଙ୍କର ଗାଆଁ ଲୋକଙ୍କ ଭଲ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି । ସହମତି ପ୍ରଦାନ କଲେ ରାଜନାଥ ବାବୁ ।  


ତତକ୍ଷଣାତ୍ ରଘୁନାଥ କହିଉଠିଲା ସବୁ ଠିକ ଏଥିପାଇଁ କିନ୍ତୁ ତା ନାଁରେ ସରକାରୀ ଭାବରେ ଜମି କାଗଜପତ୍ରର ଆବଶ୍ୟକତା ରହିଛି କାରଣ ମାଣିକ ଉଚ୍ଚ ଶିକ୍ଷିତ ନୁହେଁ । ଏକଥା ଶୁଣି ଜମିଦାର ବାବୁ ଚମକି ପଡିବା ସହ କ୍ରୋଧିତ ହୋଇ ଉଠିଲେ ଓ ହଠାତ ରାଗିଯାଇ କହିଉଠିଲେ ତାହା ହୋଇ ପାରିବ ନାହିଁ । ବରଂ ବିଦ୍ୟାଳୟର ଆବଶ୍ୟକତା ନାହିଁ । ଏହା ଶୁଣି ରଘୁନାଥ କ୍ରୋଧରେ ଭରିଗଲେ ମଧ୍ୟ କିଛି ଉତ୍ତର ନଦେଇ ଫେରି ଆସିଲା ।  


ଏପଟେ ରୋମି ଏକ ପ୍ରକାର ବିରକ୍ତି ଭାବ ପ୍ରକାଶ କରିବା ସହ ରଘୁନାଥକୁ ଛାଡି ପଳାଇବାର ଧମକ ବି ଦେବାକୁ ଆରମ୍ଭ କଲା । ଏପ୍ରକାରର କଥୋପକଥନ ଜମିଦାର ରାଜନାଥ ବାବୁଙ୍କ କର୍ନ ଗୋଚର ହେଲା । ସେ ଏହାକୁ ସଜ୍ୟ କରି ନପାରି ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଥାନାର ଧମକ ମଧ୍ୟ ଦେଲେ । ଇତି ମଧ୍ୟରେ ରୋମି ରାଜନାଥ ବାବୁଙ୍କ ଉପରକୁ ଏକ ପ୍ରହାର କରିବାକୁ ଉଦ୍ୟତ ହୁଅନ୍ତେ ରଘୁନାଥ ପଛ ଆଡୁ ରୋମିକୁ ଟାଣି ଆଣିବାକୁ ପ୍ରୟାସ କଲା ।  


ମାତ୍ର ବିଧିର ବିଧାନ ବିଚିତ୍ର । ମନୁଷ୍ୟ ଚିନ୍ତା ନ କରିଥିବା ଦୃଶ୍ୟ ଯେ ତାକୁ ସାରା ଜୀବନ ଭୋଗିବାକୁ ପଡିବ ତାହା ଜଣା ନଥାଏ । ତାହା ହିଁ ହେଲା । ରୋମି ନିଜର ଭାରସାମ୍ୟ ହରାଇ ପାଖରେ ଥିବା ଏକ ଶକ୍ତ ପଦାର୍ଥ ତାର ମସ୍ତକରେ ଆଘାତ ହେଲା । ଯଦ୍ୱାରା କ୍ଷଣିକ ମଧ୍ୟରେ ତାର ପ୍ରାଣ ବାୟୁ ଉଡିଗଲା । 


କିଛି ବୁଝିବା ଆଗରୁ ସବୁ କିଛି ସମାପ୍ତ ହୋଇଯାଇଥିଲା । ରାଜନାଥ ବାବୁ ହଠାତ କିଛି ବୁଝି ନ ପାରି ମୂର୍ଛା ହୋଇ ପଡିଗଲେ । ରଘୁନାଥ ଏସବୁ କିଛି ବୁଝିପାରିଲା ନାହିଁ । ଏପଟେ ରୋମିର ମୃତ ଶରୀର, ସେପଟେ ଜମିଦାର ବାବୁଙ୍କ ଏପରି ଅବସ୍ଥା,କଣ କରିବ କିଛି ବୁଝି ପାରୁନଥିଲା । 


ସେହି ସମୟରେ ମାଣିକ ଆସି ପହଞ୍ଚିଲା । ସେ ସ୍ଥାନର ଅବସ୍ଥା ଦେଖି ସେ ବି କିଛି ବୁଝି ପାରିଲା ନାହିଁ । ଜମିଦାର ବାବୁଙ୍କୁ ଉଠାଇ ବସାଇଲା ଓ ପାଣି ଆଣି ଦେଲା । କିଛି ସମୟ ପରେ ରାଜନାଥ ବାବୁଙ୍କ ହୋସ ଆସିଲା । ମାଣିକକୁ ସାମ୍ନାରେ ଦେଖି କାନ୍ଦି ବାକୁ ଲାଗିଲେ । କଣ ହେଲା ବୋଲି ପଚାରିବାରେ ରଘୁନାଥ ସବୁ କଥା ବିସ୍ତାର ଭାବେ ବର୍ଣ୍ଣନା କରି କହିଲା । ସବୁ କଥା ଶୁଣି ମାଣିକ କାହାକୁ କଣ କହିବ କିଛି ବୁଝି ପାରିଲା ନାହିଁ । ଶେଷରେ ନିଜ ତରଫରୁ ପୋଲିସକୁ ଫୋନ କରି ଡାକିଲା । ଏବଂ ସବୁ ଅନର୍ଥର ଦାୟିତ୍ୱ ନିଜ ମୁଣ୍ଡରେ ବହନ କଲା । ରାଜନାଥ ବାବୁ କିଛି କହିବା ଆଗରୁ ସବୁ ଦୋଷ ନିଜ ଉପରକୁ ନେଇ ପୋଲିସ ଦ୍ୱାରା ହାଜତକୁ ଗଲା । ମାଣିକ ଘରୁ ବାହାରି ଗଲା ବେଳେ ରାଜନାଥ ବାବୁଙ୍କର ମୁଖ ଚାହିଁ ବା ପରିସ୍ଥିତିରେ ନଥିଲା ।  


ରଘୁନାଥ ରୋମିର ମୃତ୍ୟୁ ପାଇଁ ନିଜକୁ ମନେ ମନେ ଦାୟୀ କରିବା ସହ ଆତ୍ମ ଗ୍ଲାନିରେ ମୃତବତ୍ ପ୍ରାୟ ହୋଇଯାଇଥିଲା । ସେ ଯେତିକି ରୋମିର ମୃତ୍ୟୁ ପାଇଁ ବିବ୍ରତ ନଥିଲା ସେତିକି ବିବ୍ରତ ଥିଲା ମାଣିକ ନେଇଥିବା ନିଷ୍ପତ୍ତି ପାଇଁ । ମାଣିକର ଏପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଥିଲା ରଘୁନାଥର ଆତ୍ମାକୁ ।  


ପୋଲିସର ସମସ୍ତ ପ୍ରକାର କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ରୋମିର ପାର୍ଥିବ ଶରୀରକୁ ଧରା ପୃଷ୍ଠରୁ ବିଦାୟ ଦେବା ନିମନ୍ତେ ଅଗ୍ରସର ହେଲା । ଯେତେ ଯେତେ ରୋମିର ଶରୀର ପଞ୍ଚ ମହାଭୂତରେ ଲୀନ ହେଉଥାଏ, ସେତେ ସେତେ ମାଣିକର ତ୍ୟାଗ ଓ ତାର ଜମିଦାର ଭବନ ପ୍ରତି ଆତ୍ମୀୟତାର ଉଦାହରଣ ରଘୁନାଥର ଚକ୍ଷୁ ସାମ୍ନାରେ ଏକ ଚଳଚ୍ଚିତ୍ର ପରି ଦୃଶ୍ୟମାନ ହେଉଥାଏ । ଯାହା କି ରଘୁନାଥକୁ ଭିତରୁ ଭିତରୁ କୋରି ଚାଲିଥାଏ ।  


ନିଜର ଜୀବିତ ଅବସ୍ଥା ପ୍ରତି ଏକ ଘୃଣ୍ୟ ଭାବ ଜାତ ହେଉଥାଏ । ମନେ ମନେ ନିଜକୁ ଧିକ୍କାର କରୁଥାଏ ସେ । ବର୍ତ୍ତମାନର ପରିସ୍ଥିତିରେ ସେ ନିଜେ ଯେତେବେଳେ ପିତୃତ୍ୱର ପରିଚୟ ପାଇବାକୁ ଯାଉଛି, ସେତେବେଳେ ନିଜର ଅଜନ୍ମା ଶିଶୁକୁ ସେ ଠେଲି ଦେଇଛି କାଳ କୋଠରୀ ଭିତରକୁ । ପିତା କଣ ଜାଣିବା ପୂର୍ବରୁ ପିତାର ଏକ ନଗ୍ନ ଚିତ୍ର ସେ ଆଙ୍କିସାରିଛି ତାର ଆସନ୍ନ ପ୍ରସବା ନିମନ୍ତେ । ମାଣିକ ଯେ କି ପିଲାଟି ଦିନରୁ ତା ପ୍ରତି ସମର୍ପିତ ଏବଂ ତାର ନୀଚ୍ଚ ମନୋଭାବ ଓ ଘୃଣ୍ୟ ଚିନ୍ତାଧାରା ପାଇଁ ଆଜି କାଳ କୋଠରୀ ଭିତରେ ।  


ନିଜର ଜନ୍ମିତ ପିତା, ଯାହାକୁ କି ସ୍ୱର୍ଗ ଠାରୁ ବି ଉଚ୍ଚ ସ୍ଥାନ ସମାଜ ଦେଇଛି ସେ ଆଜି ତାର କର୍ମ ପାଇଁ ଲଜ୍ଜିତ ଓ ଶାରିରୀକ ଓମାନସିକ ଉଭୟ ସ୍ତରରେ କ୍ଷୁର୍ଣ୍ଣ । ନିଜର ଜନ୍ମ ମାଟି, ଗାଆଁ , ପାଣିପବନ ଯେଉଁଠି ସେ ନିଜର ସମସ୍ତ ଅଳି ଅଝଟ ପୂରଣ କରିଛି ସମସ୍ତେ ଆଜି ତା ପାଇଁ ନତ ମସ୍ତକ । କୁହନ୍ତି ମଣିଷ ନିଜ ଜନ୍ମିତ ମାତାର କେବେ ରୂଣ ସୁଝିପାରେ ନାହିଁ । ମାତ୍ର ଏଠି ତ ସେ ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଋଣୀ । 


କଣ କରିବ ସେ । ଜୀବନର ପଦେ ପଦେ ଆଗକୁ ବଢିବାର ରାସ୍ତା ଦେଖାଉଥିବା ପିତାଙ୍କୁ ତ ଆଜି ସେ ତାର କୃତକର୍ମ ପାଇଁ ଶଯ୍ୟାଶାୟୀ କରିଛି ।  


ନିଜର କ୍ଷଣିକ ସୁଖ ଓ ଐଶ୍ୱର୍ଯ୍ୟ, ଭୋଗ ବିଳାଶ ପୂର୍ଣ୍ଣ ଜୀବନ ପାଇଁ ଯାହା ସହ ସେ ବୈବାହିକ ବନ୍ଧନରେ ଆବଦ୍ଧ ହୋଇଥିଲା ସେ ଯେ ଧନ ସମ୍ପତ୍ତି ପାଇଁ ତାକୁ ବ୍ୟବହାର କରୁଥିଲା ତାହା ଚିନ୍ତା କରିବା ବେଳକୁ ଆଉ ଆଜି କିଛି ନାହିଁ ।  


ନେଡି ଗୁଡ କହୁଣୀକୁ ବହିଗଲା ପରି ତାର ଜୀବନ ଆଜି ଛାରଖାର ହୋଇଯାଇଛି । ଆଉ ମାଣିକ, ଯିଏ କି ଏକ ପରିତ୍ୟକ୍ତ ସ୍ଥାନରୁ କୋଳାଗ୍ରତ ସେ ଆଜି ପାଲଟିଛି ଭାଗ୍ୟ ବିଧାତା ।  


ଏତିକି ଭାବି ଚିତ୍କାର କରିବାକୁ ଲାଗିଲା ରଘୁନାଥ ।  


"ହେ ପ୍ରଭୁ, ମୋ କୃତକର୍ମର ଫଳ ସ୍ୱରୂପ କଣ ଏହା । ମତେ କାହିଁକି ଏହାର ପରିଣାମ ଭୋଗ ହେଲା ନାହିଁ । ମୁଁ କଣ ଏତେ ଅସ୍ପୃଶ୍ୟ ଯେ କର୍ମ ଫଳ ବି ମୋ ଭାଗ୍ୟରେ ନାହିଁ । 


ମାତ୍ର ଆଜି ସେ ଚିତ୍କାର ଶୁଣିବାକୁ କେହି ନାହିଁ । ନା ଅଛି ଜନ୍ମଦାତ୍ରୀ, ନା ଅଛି ଧର୍ମପତ୍ନୀ,ନା ଅଛନ୍ତି ଗ୍ରାମବାସୀ ନା ବନ୍ଧୁବାନ୍ଧବ । 


    ଆର୍ତ୍ତ ଚିତ୍କାରରେ କଣ୍ଠ ରୋଧ୍ୟ ହୋଇଗଲା ରଘୁନାଥର । ଭବନକୁ ପ୍ରତ୍ୟାବର୍ତ୍ତନ କଲା । ସମସ୍ତ ଭବନ ଯେମିତି ଏକ ନିରାଶ୍ରୟ ଓ ଏକାକୀ ମନେ ହେଉଥିଲା । ସମସ୍ତ କର୍ମଚାରୀ ଅଛନ୍ତି ମାତ୍ର କାହାରି ମୁହଁରୁ କଥା ଶୁଣା ଯାଉନାହିଁ । ନିରଶ ଓ ବିବର୍ଣ୍ଣ ଚତୁର୍ଦ୍ଦିଗ ।  


ମାଣିକ ଥିଲା ଭବନର ଆତ୍ମା । ସେ ଚାଲିଗଲା ପରେ ଶ୍ରୀହୀନ ଦିଶୁଛି ପୁରା ଜମିଦାର ଭବନ । ପ୍ରାଚୀନ ଜଡ ଶରୀର ପରି ଦଣ୍ଡାୟମାନ । ଭବନ ଭିତରେ ଯେମିତି ରଘୁନାଥକୁ ଶ୍ୱାସରୋଧକର ପ୍ରତୀତ ହେଉଥିଲା । ମନେ ମନେ ସ୍ଥିର କଲା ମାଣିକକୁ ଜେଲ୍ର ସେହି କାଳ କୋଠରୀ ଭିତରୁ ଯେମିତି ହେଲେ ବି ବାହାର କରିବ । ଏବଂ ତା କୃତ କର୍ମର ପ୍ରାୟଶ୍ଚିତ୍ତ କରିବ । ରାଜନାଥ ବାବୁଙ୍କ ପାଖକୁ ଯାଇ ପ୍ରତିଶୃତି ଦେଲା ।  


ମାତ୍ର ସେ ଥିଲେ ପ୍ରତିକ୍ରିୟା ହୀନ । ତାଙ୍କର ସେହି ଚକ୍ଷୁ ଦୁଇଟି ଯେମିତି ଏକଲୟରେ ଅପେକ୍ଷା କରି ରହିଥାଏ ମାଣିକର ସେହି ପଦ୍ମଫୁଲିଆ ମୁହଁଟିକୁ । କର୍ଣ୍ଣ ଅପେକ୍ଷା କରି ରହିଥାଏ ତାର ପାଉଁଜିର ସେହି ରୁଣୁଝୁଣୁ ଶବ୍ଦକୁ । ବାପାଙ୍କର ଏହି ଅବସ୍ଥା ଦେଖି ଭାବ ବିହ୍ୱଳ ହୋଇଉଠିଲା ରଘୁନାଥ ଓ ବାହାରି ପଡିଲା ଥାନା ଅଭିମୁଖେ ।  


ପହଞ୍ଚି ଗଲା ଥାନା ମାତ୍ର ପାଦ ଗଲାନାହିଁ ମାଣିକ ପାଖକୁ । ବହୁ କଷ୍ଟରେ ଯାଇ ପହଞ୍ଚିଲା । ମାଣିକକୁ ଦେଖିଲା ପରେ ରଘୁନାଥର ଆତ୍ମା ତାକୁ ଆହୁରି ଖିନଭିନ କରି ଖାଇଗଲା ପରି ଲାଗିଲା ।  


" କି ନିରବତା, ନିଶ୍ଚଳତା, ଶାନ୍ତ ମୁଖମଣ୍ଡଳ, ଯେମିତି ଦାଉ ଦାଉ ହୋଇ ଜଳୁଛି । ସତେ ଯେମିତି ସମସ୍ତ ଭାରରୁ ସେ ମୁକ୍ତ । ମୁଖ ମଣ୍ଡଳରେ କୌଣସି କଷ୍ଟ ଓ ଦୁଃଖର କାଣିଚାଏ ମଧ୍ୟ ଅନୁଭୂତ ହେଉନାହିଁ ।  

ଡାକିଲା, ମାଣିକ, ଏ ମାଣିକ, 

ହଠାତ ବୁଲି ଚାହିଁଲା ମାଣିକ । ସେହି ଚଞ୍ଚଳତାର ସହିତ ଆସି ପହଞ୍ଚିଲା ରଘୁନାଥ ପାଖରେ । ପ୍ରଥମ ଶବ୍ଦ ଜମିଦାର ବାବୁ କେମିତି ଅଛନ୍ତି । ମୋର ପ୍ରିୟ ଗ୍ରାମବାସୀମାନେ କେମିତି ଅଛନ୍ତି । ଚାଟଶାଳୀ ବନ୍ଦ ହୋଇଗଲା । ମୋ ପିଲାମାନେ ପାଠ କେମିତି ପଢିବେ । ଇତ୍ୟାଦି ଇତ୍ୟାଦି ।  


ତାର ଚକ୍ଷୁ ଯୁଗଳ ଦୁଇଟି ଯେମିତି ଏକ କୁନି ଶିଶୁର ଚକ୍ଷୁର ଚଞ୍ଚକତା ସଦୃଶ ମନେ ହେଉଥିଲା । ନିରୂପାୟ ହୋଇ ରଘୁନାଥ କହିଲା, ସମସ୍ତେ ଭଲ ଅଛନ୍ତି ମାତ୍ର ତୋର ବାଟ ଚାହିଁ ବସିଛନ୍ତି । ତୋ ବିନା ସମସ୍ତେ ଜୀବିତ ମାତ୍ର ପ୍ରାଣହୀନ ତେଣୁ ମୋର ଏକ କ୍ଷୁଦ୍ର ନିବେଦନ ରକ୍ଷା କରି ନିଜକୁ ଦୋଷମୁକ୍ତ କର । ମୁଁ ହିଁ ଏସବୁର ଦୋଷୀ । ମୋ କର୍ମ ଫଳ ମତେ ଭୋଗିବାକୁ ଦେ । ତୁ ନ ଫେରିଲା ପର୍ଯ୍ୟନ୍ତ କିଛି ଠିକ ହେବ ନାହିଁ । ପ୍ରାଣବିନା ଶରୀର ଜଡ ପ୍ରାୟ । ସେମିତି ତୋ ବିନା ଭବନ ଓ ଗ୍ରାମ । ସମସ୍ତେ ମୃତବତ୍ ଓ ମୂକ ପାଲଟିଯାଇଛନ୍ତି ।  

ମୋ କୃତକର୍ମର ଫଳ ମତେ ଭୋଗିବାକୁ ଦେ ଏବଂ ତୋ ଭବନ ଓ ଗ୍ରାମବାସୀଙ୍କୁ ତୁ ସମ୍ଭାଳେ । 


ମୋ ପାପକର୍ମର ବୋଝ ମତେ ଧିରେ ଧିରେ କରାଗ୍ରତ କରୁଛି । ମୁଁ ଆତ୍ମଗ୍ଲାନିରେ ଆଉ ବଞ୍ଚିପାରିବି ନାହିଁ । ତୋର ଏହି ନିଷ୍ପତ୍ତି ମତେ ସାରାଜୀବନ ଋଣୀ କରିରଖିବ । ମୁଁ ବଞ୍ଚିକି ମଧ୍ୟ ବଞ୍ଚି ପାରିବି ନାହିଁ । ମୁଁ ଓ ଏ ସାରା ଗ୍ରାମ ଓ ଭବନ ତୋ ପାଖରେ ଋଣୀ । ତୋ ବିନା ସବୁ ଅଧୁରା । 


  ତୁ ଫେରିଆ ମାଣିକ, ତୁ ଫେରିଆ । ତଳେ ବସିପଡି ବହୁ କାକୁତିମିନତି ହେଲା ରଘୁନାଥ, ମାତ୍ର ମାଣିକ ସ୍ଥିର ଓ ଶାନ୍ତ ଭାବରେ କହିଲା, ନା ଜମିଦାର ବାବୁ, ଭବନ ଓ ଗ୍ରାମ ସମସ୍ତଙ୍କ ଦାୟିତ୍ୱ ତୁମ ଉପରେ ନ୍ୟସ୍ତ । ଗ୍ରାମବାସୀଙ୍କ ସୁଖ ଦୁଃଖ ଭଲ ମନ୍ଦ ବୁଝିବା ତୁମର କର୍ତ୍ତବ୍ୟ । ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରୁଛି । ତୁମକୁ ତୁମର କର୍ମ କରିବାକୁ ପଛଘୁଞ୍ଚା ଦିଅ ନାହିଁ । ଯେମିତି ସବୁ ଚାଲିଥିଲା ସେମିତି ସବୁ ଠିକରେ ନେବା ଦାୟିତ୍ୱ ତୁମର । ତୁମେ ତୁମର କର୍ତ୍ତବ୍ୟ ସମ୍ପାଦନ କଲେ ମୁଁ ଭାବିବି ଯେ ମୋର ଋଣ ସୁଝିଗଲା ।  

ଏବେ ଏଠାରୁ ଯାଅ । ନିଜ କର୍ମ ଭୂମିକୁ । ବିନା କର୍ମରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରି ବିଧାତାକୁ ନିନ୍ଦିତ କରନାହିଁ । ପ୍ରାୟଶ୍ଚିତ୍ତ କରିବାକୁ ଚାହୁଁଛ ଯଦି କର୍ମ କର । ଆଉ ଏକ କଥା ସେଦିନର ଘଟଣା ଯେମିତି ଆଜିପରଠୁ କାହାରି ମୁହଁରୁ ନ ବାହାରେ । ଏହା କହି ମୁଁହ ବୁଲାଇଦେଲା ମାଣିକ । 

ରଘୁନାଥ ଏକ ଅବୋଧ ଶିଶୁ ପରି ବାହାରିଆସିଲା । ତାକୁ ଲାଗିଲା ,ସ୍ୱୟଂ ଭଗବାନ ଯେମିତି କୁରୁକ୍ଷେତ୍ରରେ ଅର୍ଜୁନକୁ କର୍ମର ଓ ଜୀବନର ରହସ୍ୟ ବୁଝାଇଥିଲେ, ମାଣିକ ସେହିପରି ସ୍ୱୟଂ ନାରାୟଣଙ୍କ ସଦୃଶ ତା ଆଗରେ ଦଣ୍ଡାୟମାନ । 


ମାଣିକର ଏପରି ବ୍ୟବହାର ଦେଖି ରଘୁନାଥର ମନେ ପଡିଗଲା ମହାଭାରତ ଯୁଦ୍ଧରେ କୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ ଓମାନବ ଜୀବନର ଦିବ୍ୟଜ୍ଞାନ ବିଷୟ । ସେହି ସମୟରେ ମାଣିକ ତାକୁ ସ୍ୱୟଂ ନାରାୟଣଙ୍କ ଅବତାର ମନେ ହେଉଥିଲା । ତାର ମନେପଡ଼ିଲା କେମିତି ସମସ୍ତେ ମାଣିକକୁ ମାଆ ଲକ୍ଷ୍ମୀ ଠାକୁରାଣୀଙ୍କ ଅବତାର ବୋଲି କହୁଥିଲେ । ସେ ତାଙ୍କ ଘରକୁ ଆସିବା ଦିନଠାରୁ କିପରି ତାଙ୍କ ଭବନର, ଗ୍ରାମର ଓ ତାଙ୍କ ସମ୍ପତ୍ତି ଓ ପ୍ରତିପତ୍ତି ବୃଦ୍ଧି ପାଇବାରେ ଲାଗିଥିଲା ।  


ପ୍ରକୃତରେ ମାଣିକ ହିଁ ସ୍ୱୟଂ ଭଗବାନଙ୍କ ଅବତାର । ଏହା ଭାବି ରଘୁନାଥର ମନ ଆନ୍ଦୋଳନ ଆରମ୍ଭ କରି ଦେଲା । ନିଜକୁ ଧିକ୍କାର କରିଲା କି, ତା ପାଇଁ ଭଗବାନଙ୍କୁ କାରାଗାର ଭୋଗ କରିବାକୁ ପଡିଲା । କଣ କରିବ କିଛି ବୁଝି ନ ପାରି ମାଣିକ କହିଥିବା ଅନୁସାରେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନେଲା ତା ସହିତ ଜମିଦାର ବାବୁଙ୍କ ଦେଖାଶୁଣାର ଦାୟିତ୍ୱ ମଧ୍ୟ ଗ୍ରହଣ କଲା । ଏକ ନିଃଶ୍ୱାସରେ ଘରମୁହାଁ ହେଲା ।  


ସମସ୍ତ ପ୍ରକାରର ଚେଷ୍ଟା କରିବା ପାଇଁମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କଲା । ଧିରେ ଧିରେ ସମସ୍ତ ବ୍ୟବସାୟ ବୁଝିବାକୁ ଲାଗିଲା । ମାଣିକର ଅତିପ୍ରିୟ ଚାଟଶାଳୀର ପାଠପଢା କିପରି ଆଗେଇବ ସେ ଦାୟିତ୍ୱ ମଧ୍ୟ ନ୍ୟସ୍ତ କଲା ନିଜ ଉପରେ । ଅସ୍ଥାୟୀ ଚାଟଶାଳୀକୁ ଏକ ପରିପୂର୍ଣ୍ଣ ବିଦ୍ୟାଳୟରେ ପରିଣତ କରିବାର ମାଣିକ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆରମ୍ଭ କଲା ।  


ମାତ୍ର କୌଣସି କ୍ଷେତ୍ରରେ ତାକୁ ସାହାଯ୍ୟ ବା ସହଯୋଗ ମିଳିଲା ନାହିଁ । ବରଂ ଯେଉଁ ମାନେ ବିନା ଦ୍ୱିଧାରେ ନିଜ ତରଫରୁ ସବୁ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ କରୁଥିଲେ ସେମାନେ ନିଜ ତରଫରୁ ପଛଘୁଞ୍ଚା ଦେଲେ । ଧିରେ ଧିରେ ଐଶ୍ୱର୍ଯ୍ୟ ଓ ଧନସମ୍ପତ୍ତି ପରିପୂର୍ଣ୍ଣ ଥିବା ଜମିଦାର ଭବନ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲା । ରଘୁନାଥର କୌଣସି ପଦକ୍ଷେପ ଓ ପ୍ରଚେଷ୍ଟାର କିଛି ପ୍ରଭାବ ପଡୁନଥିଲା । 


ଏ ସମସ୍ତ ବାବଦରେ ମାଣିକ ଜାଣିଥିଲେ ମଧ୍ୟ କିଛି କରିବା ପରିସ୍ଥିତିରେ ନଥିଲା । ସମସ୍ତ ଗ୍ରାମବାସୀ ଏ ସବୁର ଉତ୍ତର ଦାୟୀ ରଘୁନାଥକୁ ହିଁ କରୁଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ମାଣିକ ଚାଲିଗଲାରୁ ଏପରି ଅବସ୍ଥା ହେଲା ।  


ସମଗ୍ର ଗ୍ରାମକୁ ଲକ୍ଷ୍ମୀ ଠାକୁରାଣୀ ଛାଡି ଚାଲିଗଲେ । ପ୍ରତି ମୁହୂର୍ତ୍ତରେ ଏ ସବୁ ପାଇଁ ରଘୁନାଥକୁ ହିଁ ଦାୟୀ କଲେ । ଏସବୁ ଶୁଣି ଶୁଣି ରଘୁନାଥ ଧିରେ ଧିରେ ନିଜର ଭାରସାମ୍ୟ ହରାଇ ବସିଲା ।  


      ଯେଉଁ ଜମିଦାର ଭବନ ଉଦିତ ସୂର୍ଯ୍ୟଙ୍କର ସୁନେଲୀ କିରଣ ସହ ତାଳ ଦେଇ ଉନ୍ନତିର ପାହାଚ ଅତିକ୍ରମ କରିଚାଲିଥିଲା ତାହା ଆଜି ନିଜର ସତ୍ତା ହଜାଇବା ପଥରେ । ଚଢେଇର ଚିଁ ଚିଁ ରାବ ସହ କୋଳାହଳରେ ଭରପୁର ରହୁଥିବା ଭବନ ଆଜି ଜନମାନବ ଶୂନ୍ୟ । 


ଯେମିତି ଶ୍ରୀ ତୁଟି ଯାଇଛି, ସେପରି ଅନୁଭୂତ ହେଉଥିଲା ।  


ରାଜନାଥ ବାବୁ ପୂର୍ବପରି ଆଉ ଚଲାବୁଲା କରିପାରୁନଥିଲେ । ତାଙ୍କ ଚଉକି ଉପରେ ବସି ଏକ ଲୟରେ ଚାହିଁ ରହି ଥାନ୍ତି ଫାଟକକୁ । କେତେବେଳେ ଫେରିବ ମାଣିକ । ତାଙ୍କ ଆତ୍ମା କେବଳ ଯେ ମାଣିକର ନାମ ଜପ କରୁଥିଲା ତାହା କାହାକୁ ଅବୁଝା ନଥିଲା । ଅହରହ ଲୁହ ଘଡାଇ ଚାଲିଥିଲେ ଏବଂ ଚାହିଁ ରହିଥିଲେ ମାଣିକର ଫେରିବାକୁ । ତାର ପାଉଁଜିର ଋଣୁଝୁଣୁ ଶବ୍ଦ ଶୁଣିବାକୁ ଯେମିତି ତାଙ୍କ କର୍ଣ୍ଣ ଦୁଇଟି ଅପେକ୍ଷା କରି ରହିଛି । 


ଜମିଦାର ଭବନରେ ଯାହା ବି ଘଟୁଥିଲା ସେଠାକାର ମାଳୀ ରାଧୁଆ ଯାଇ ସବୁ ଖବର ଦେଇ ଆସୁଥିଲା ମାଣିକକୁ । ସବୁ ଘଟଣା ସମ୍ପର୍କରେ ଅବଗତ ମାଣିକ ନିରୁପାୟ ହୋଇ କେବଳ ଶୁଣେ ମାତ୍ର କିଛି କରିପାରେ ନାହିଁ । ଧିରେ ଧିରେ ତା ଗର୍ଭ ଭିତରେ ଥିବା ଶିଶୁ ବଢିଚାଲିଥାଏ ।  


ଯେଉଁଦିନଠାରୁ ମାଣିକ ଜେଲକୁ ଆସିଛି, ସେଠାକାର ପରିବେଶ ମଧ୍ୟ ବଦଳିଯାଇଛି । ଜେଲର ସମସ୍ତ କର୍ମଚାରୀ ମାଣିକର ଯତ୍ନ ନେବାରେ ଟିକେ ବି ହେଳା କରନ୍ତି ନାହିଁ ।  


ମାତ୍ର ତାର ଆତ୍ମା ଥାଏ ଜମିଦାରଙ୍କ ପାଖରେ,ଯିଏ କି ତାକୁ ଏକ ପରିତ୍ୟକ୍ତକୁ ତାର ପରିଚୟ ପ୍ରଦାନ କରିଥିଲେ ।  


ତାଙ୍କ ଏପରି ଅବସ୍ଥା ସହଜରେ ଗ୍ରହଣ କରି ପାରୁନଥିଲା ସେ । ପ୍ରତି ମୁହୂର୍ତ୍ତରେ ଦୁଇ ଟୋପା ଲୁହ ଗଡି ଆସୁଥିଲା ତାଙ୍କ ପାଇଁ । ଏମିତି ବସି ଭାବୁ ଭାବୁ ହଠାତ ଜେଲ କୋଠରୀର ଲୁହା ଗେଟ ଖୋଲିବାର ଶବ୍ଦ ରେତାର ଧ୍ୟାନ ଭଙ୍ଗ ହେଲା । 


  ପ୍ରକୃତିସ୍ଥ ହେଲା ମାଣିକ । ହଠାତ ତା ଆଗରେ ଆସି ଠିଆ ହେଲେ ଜେଲର ସାହାବ । ତାଙ୍କ ଉପସ୍ଥିତିର କାରଣ ଜାଣିବାରେ ଆଗ୍ରହ ଦେଖି ଜେଲର ସାହାବ କହିଲେ, ଦେଖ ମାଣିକ ସମସ୍ତେ ଜାଣନ୍ତି ତୁମର କିଛି ଦୋଷ ନାହିଁ । ଘଟିଥିବା ଘଟଣା ସହ ତୁମର କିଛି ସମ୍ପର୍କ ନାହିଁ । ମାତ୍ର ତୁମେ ସବୁ ଦୋଷ ନିଜ ଉପରକୁ ନେଇ ଦୋଷୀ ହୋଇଗଲ । 


ତୁମେ ଜେଲ ଦଣ୍ଡାଦେଶ ଭୋଗିବାକୁ ପ୍ରସ୍ତୁତ ହୋଇ ଚାଲିଆସିଲ । ସେପଟେ ଜମିଦାର ବାବୁଙ୍କ ଅବସ୍ଥା ଗୁରୁତର । ରଘୁନାଥ ନିଜରମାନସିକ ଭାରସାମ୍ୟ ହରାଇ ବସିଛି । କଣ ମିଳିଲା ଏଥିରୁ ତୁମକୁ । ଅନ୍ତତଃ ଏ ସମୟରେ ତୁମେ ତାଙ୍କ ପାଖରେ ଉପସ୍ଥିତ ରହିବା ନିହାତି ଜରୁରୀ ।  


ଏକଥା ଶୁଣି ମାଣିକ ଉତ୍ତର ଦେଲା, ଦେଖନ୍ତୁ ସାହେବ, ଯାହା ଘଟୁଛି ତାକୁ ଘଟିବାକୁ ଦିଅନ୍ତୁ । ଯାହା ହେବାର ଥିବ ତାହା ନିଶ୍ଚିତ ଭାବରେ ଘଟିବ । ନା ଆପଣ ନା ମୁଁ ତାକୁ ରୋକି ପାରିବା । ଆମେ ତ ନିମିତ୍ତ ମାତ୍ର । ଏହା ଶୁଣି ଜେଲର କହିଲେ ତୁମର ଏହି କୋମଳ ଓ ଉଦାର ସ୍ୱଭାବ ଓ ତ୍ୟାଗ ପାଇଁ ମୁଁ ତୁମ ନିକଟରେ ନତ ମସ୍ତକ ଏବଂ ତୁମର ଦଣ୍ଡ କୋହଳ ନିମନ୍ତେ ଉପରକୁ ଅପିଲ କରାଯାଇଛି । 


ଏହା ଶୁଣି ମାଣିକର କୌଣସି ଆବେଗତା ଲକ୍ଷ୍ୟ କଲେ ନାହିଁ କେବଳ ଏକ ସ୍ମିତ ହସ ବ୍ୟତୀତ । ଏହା ମଧ୍ୟ ତାଙ୍କ ପାଇଁ ସହଜରେ ଗ୍ରହଣୀୟ ନଥିଲା । ସେ ମଧ୍ୟ ମାଣିକର ମସ୍ତିଷ୍କ ପଢିବାରେ ଅସମର୍ଥ ହେଲେ । ସତେ ଯେମିତି କେଉଁ ଏକ ଦିବ୍ୟତ୍ୱର ଆଭାସ ମିଳୁଥିଲା ମାଣିକ ପାଖରେ ତାଙ୍କୁ । ତାଙ୍କୁ ଗ୍ରାମବାସୀଙ୍କ ମାଣିକକୁ ଲକ୍ଷ୍ମୀ ଠାକୁରାଣୀ ମାନିବା ଯେମିତି କେଉଁଠି ନା କେଉଁଠି ଠିକ ମନେ ହେଲା । ଏମିତି ଭାବି ମାଣିକ ମୁଣ୍ଡରେ ଏକ ସ୍ନେହ ଭରା ହାତ ଦେଇ ବାହାରିଆସିଲେ ସେଠାରୁ । ତାଙ୍କ ଆଖି ମଧ୍ୟ ଛଳ ଛଳ ହୋଇଗଲା ।  


ଏବେ ସେ ବୁଝିପାରିଲେ ପ୍ରକୃତରେ ମାଣିକ, ମାଣିକ ପରି ମୂଲ୍ୟବାନ୍ । ତା ମୂଲ୍ୟ କଳନା କରିବା ସାଧାରଣ ଜନମାନବ ପକ୍ଷେ ଅସମ୍ଭବ । ତାର ତ୍ୟାଗ ଓ ଜମିଦାର ଭବନ ଓ ଗ୍ରାମବାସୀଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବା ଯୁଗ ଯୁଗ ଧରି ସମସ୍ତଙ୍କ ହୃଦୟର ଚିର ସ୍ମରଣୀୟ ହୋଇ ରହିବ । ଏବଂ ଏହା ମଧ୍ୟ ସ୍ପଷ୍ଟ ଅନୁମେୟ ଥିଲା ଯେ ତାର ତ୍ୟାଗ କେବେବି ବୃଥା ଯିବ ନାହିଁ । 


ଇତି ମଧ୍ୟରେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପ୍ରକାର ନୂତନତା ଦେଖା ଦେଉନଥିଲା । ଜମିଦାର ବାବୁ ଶାରୀରିକ ଓମାନସିକ ଉଭୟ ସ୍ତରରେ ଅବନତିର ଦ୍ୱାରସ୍ଥ ହେବାରେ ଲାଗିଥିଲେ । ମାତ୍ର ତାଙ୍କ ନୟନ ଯୁଗଳ ଦୁଇଟି ଖୋଜିବୁଲୁଥାଏ ସେହି ପଦ୍ମମୁହଁଟିକୁ ଏବଂ ଲୋତକର ଧାର ଗଡାଇ ଚାଲିଥାଏ ।  

ରଘୁନାଥ ମଝିରେ ମଝିରେ ପାଗଳଙ୍କ ପରି ପ୍ରଳାପ କରୁଥାଏ । କହିବାକୁ ଗଲେ ଉଭୟ ଜମିଦାର ଭବନ ଓ ଗ୍ରାମ ଜଡବତ୍ ପ୍ରାୟ ଦୃଶ୍ୟମାନ ।  

ଏପଟେ ମାଣିକ ଏକ ନୂତନ ଜୀବନକୁ ଧରା ପୃଷ୍ଠକୁ ଅବତରଣ କରାଇବାର ଅତ୍ୟନ୍ତ ନିକଟବର୍ତ୍ତୀ । 


 

ସେହି ସମୟ ଆସି ଉପନୀତ ହେଲା । ମାଣିକର ଗର୍ଭ ଯନ୍ତ୍ରଣା ବଢିବାରେ ଲାଗିଲା । ତାର ସେହି ଚିତ୍କାରରେ ସମଗ୍ର କାରାଗାର ଥରି ଉଠିଲା । କାରାଗାରର ସମସ୍ତ କଏଦୀ ଓ କର୍ମଚାରୀ ଏକତ୍ରିତ ହୋଇ କେବଳ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥାନ୍ତି । ଜେଲର ସାହାବଙ୍କର ମନେ ପଡିଲା ଭାଗବତରେ ପଢିଥିବା କୃଷ୍ଣ ଜନ୍ମ ଅଧ୍ୟାୟ । ଦେଖିଥିବା ଓ ଶୁଣିଥିବା ପ୍ରସଙ୍ଗ କେମିତି ସତ୍ୟରେ ପରିଣତ ହେବାକୁ ଯାଉଛି । ସ୍ୱୟଂ ଭଗବାନ ଯେମିତି ଆଉ ଏକ ଲୀଳା କରୁଛନ୍ତି ଅନ୍ୟ ଏକ ଅବତାର ଧାରଣ ନିମନ୍ତେ । ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା । ଡାକ୍ତର ଓ ନର୍ସ ଲାଗିପଡିଲେ କୋମଳ ଶିଶୁଟିକୁ ମିଛ ମାୟାର ସଂସାରକୁ ଦାନ କରିବାରେ ।  


ବହୁ ସମୟର ପ୍ରତୀକ୍ଷା ପରେ ସେହି ସମୟ ଉପନୀତ ହେଲା । କୋଠରୀ ଭିତରୁ କୁଆଁ କୁଆଁ ରାବ ସମସ୍ତ ଅପେକ୍ଷା ରତଙ୍କ କର୍ଣ୍ଣ ପବିତ୍ର କଲା । ସମସ୍ତଙ୍କ ମନରେ ଏକ ଖୁସିଭରା ଆଶ୍ୱସ୍ତି ପରିଲକ୍ଷିତ ହେଲା କିଛି ସମୟ ପରେ ଡାକ୍ତର ବାବୁ କୁଆଁ କୁଆଁ ରାବ ଛାଡୁଥିବା ଏକ ଶିଶୁ କନ୍ୟାକୁ ଧରି ଆସି ପହଞ୍ଚିଲେ । ଜେଲର ସାହାବ ଦେଖି ଆଶ୍ଚର୍ଯ୍ୟ ଚକିତ ହେଲେ । ଶିଶୁ କନ୍ୟାଟି ଏକ ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଫୁଲ ପରି ଦେଖାଯାଉଥାଏ । ତାର ସୌନ୍ଦର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସତେ ଯେମିତି ସ୍ୱର୍ଗ ପୂରରୁ କେଉଁ ଏକ ଦେବୀଙ୍କର ସୃଷ୍ଟି । ତା ମୁହଁରୁ ଚକ୍ଷୁ ଅପସାରଣ କରିବା କଷ୍ଟ ସାଧ୍ୟ ହେଉଥିଲା ସମସ୍ତଙ୍କ ପକ୍ଷରେ ।  


ଇତି ମଧ୍ୟରେ ମାଣିକ ନିଜର ଚେତା ଫେରିପାଇଥାଏ । କୋଳରେ ଶିଶୁଟିକୁ ଦେଖି ନିଜର ସବୁ କଷ୍ଟ ଅପସରି ଯାଇଥିଲା ସେ । ମନେ ମନେ ଏକ ନୂତନ ମାଣିକର ପରିଚୟ ପୂର୍ଣ୍ଣ ସୃଷ୍ଟି ଦେଖୁଥାଏ ସେ ଏବଂ ଖୁସିରେ ଆତ୍ମହରା ହୋଇପଡିଲା । କୌଣସି ଅସ୍ତିତ୍ୱ ନଥିବା ଏକ ସାଧାରଣ ପରିତ୍ୟକ୍ତାରୁ ଆଜି ସେ ଯେ ଏକ ପରିଚୟ ପୂର୍ଣ୍ଣ ମାଣିକକୁ ଧରାପୃଷ୍ଠକୁ ଆଣିପାରିଛି ସେହି ଖୁସିରେ ସେ ଆତ୍ମହରା ହୋଇପଡିଲା । ମାତ୍ର ସେ ଖୁସି ବାଣ୍ଟିବା ପାଇଁ ତା ପାଖରେ କେହି ନଥିଲେ । ନିଜ ଭିତରେ ସେ ନିଜେ ଖୁସି ବାଣ୍ଟିବା ଛଡା ଆଉ କିଛି ଉପାୟ ନ ଥିଲା ତା ପାଖରେ । ସେହି ଦୁଃଖ ଓ ଅକୁହା ଯନ୍ତ୍ରଣା ତାକୁମାନସିକ ସ୍ତରରେ ଅସୁସ୍ଥ କରିବାରେ ଲାଗିଥାଏ । 


ଦିନ ପରେ ଦିନ ଗଡି ଚାଲିଲା । ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଫୁଲଟି ଧିରେ ଧିରେ ନିଜର କୋମଳ ପାଦକୁ ଧରା ପୃଷ୍ଠରେ ଥାପିବାରେ ସକ୍ଷମ ହେବାରେ ଲାଗିଲା । ତାର ଖିଲି ଖିଲି ହସ ଓ ପାଉଁଜିର ରୁଣୁଝୁଣୁ ଶବ୍ଦରେ କାରାଗାର ସ୍ୱର୍ଗ ପୂରର ଏକ ଉଦ୍ୟାନ ପରି ଲାଗୁଥାଏ । ଯେମିତି କିଛି ବର୍ଷ ତଳେ ଜମିଦାର ଭବନ ପ୍ରତୀତ ହେଉଥିଲା ।  

      ମୋର ଏହି କ୍ଷୁଦ୍ର ଗଳ୍ପଟିରେ ମାଣିକ ଏକ ଚରିତ୍ର । ମୁଁ ଶୁଣିଥିଲି ଯେଉଁ ମାନେ ଲେଖନ୍ତି ବା ଅଭିନୟ କରନ୍ତି ସେମାନେ ଚରିତ୍ର ସହ ବଞ୍ଚନ୍ତି । ଆଜି ଅନୁଭବ କଲି, ପ୍ରକୃତରେ ତାହା ସତ । ମୋର ଏହି କ୍ଷୁଦ୍ର ଲେଖାଟିର ଅନ୍ତିମ ଚରଣରେ ମୁଁ ଆଜି ଉପନୀତ ।  


ଲେଖିଲା ବେଳେ ଆଖିରୁ ସ୍ୱତଃ ଲୁହ ଦୁଇ ବୁନ୍ଦା ଝରି ପଡିଲା । ଅନ୍ତରଟା କୋହରେ ଭରିଗଲା । ସତେ ଯେମିତି ନିଜ ଜୀବନରୁ ଚରିତ୍ରଟି ଛାଡି ଚାଲି ଯାଉଛି । ତଥାପି ମାଣିକର ଶେଷ ଅଂଶଟି ଆପଣଙ୍କ ନିକଟରେ ସମର୍ପଣ କରୁଛି । ଆଶା କରେ ଭଲ ଲାଗିବ ।  


ସମସ୍ତେ ଖୁସି ଥିଲା ବେଳେ ଏପଟେ ମାଣିକର ଶାରିରୀକ ଅବସ୍ଥା ଗୁରୁତର ହେବାରେ ଲାଗିଥାଏ । ଯେତେ ପ୍ରକାର ଚିକିତ୍ସା କଲେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହେଉ ନଥାଏ । ଶେଷରେ ମାଣିକ ବୁଝିପାରିଥିଲା ଯେ ତାର ଶେଷ ସମୟ ଉପନୀତ ।  


ଏପଟେ ତାର ଉଦାର ଓ ଭଦ୍ର ଚାଲିଚଳନକୁ ଦେଖି ସରକାର ତାର ଦୋଷକୁ କମାଇ ତାକୁ ମୁକ୍ତ କରିବାର ଆଦେଶ ଦେଇଥାନ୍ତି । ଜେଲର ସାହାବ ଉକ୍ତ ପତ୍ରଟି ଧରି ଖୁସିରେ ଗଦ୍ ଗଦ୍ ହୋଇ ମାଣିକ ପାଖକୁ ଚାଲିଆସିଲେ ଜଣାଇବା ପାଇଁ । ମାତ୍ର ସେଠାରେ ପହଞ୍ଚିବା ପରେ ମାଣିକ ଅବସ୍ଥା ଦେଖି ଅଧିର ହୋଇ ପଡିଲେ । 


ମାଣିକ ଜେଲର ସାହାବଙ୍କୁ ପାଖରେ ଦେଖି କିଛି ମାତ୍ରାରେ ଆଶ୍ୱସ୍ତି ଅନୁଭବ କଲା ଓ କହିଲା, ମୋର ଶେଷ ସମୟ ଉପନୀତ ଜେଲର ସାହାବ । ବର୍ତ୍ତମାନ ସମୟ ଆସି ଯାଇଛି ଯାହାର ସମ୍ପତ୍ତି ତାକୁ ଫେରାଇବାର । ଏହା ଶୁଣି ଜେଲରଙ୍କ ଆଖିରେ ଆଉ ଲୁହ ରହିଲା ନାହିଁ । ସେ ଏକ କୋମଳ ଶିଶୁକୁ କୁଣ୍ଢେଇଲାପରି ମାଣିକକୁ କୋଳେଇ ଧରିଲେ । ତାଙ୍କ ପାଟିରୁ ସ୍ୱତଃ ଉଚ୍ଚାରିତ ହେଲା, ତୁ ସେମିତି କହନି ମାଣିକ, ତୁ ଆମ ସମସ୍ତଙ୍କର ପ୍ରାଣ ।  


ତୁ ଆସିଲା ଦିନଠୁ ଏ କାରାଗାର ଆଉ କାରାଗାର ହୋଇ ରହିନାହିଁ, ଏହା ଏକ ଜୀବନ୍ତ ଉଦ୍ୟାନରେ ପରିଣତ ହୋଇଯାଇଛି, ଯେଉଁଠାରେ ତୋର ପରିକଳ୍ପନା ରୁଣୁଝୁଣୁ ଶବ୍ଦ କରି ଗାଇ ବୁଲୁଛି । ତୁ ଚାଲିଗଲେ ଆମେ ସମସ୍ତେ ଅନାଥ ହେଇଯିବୁ ମାଣିକ । ଏହା ଶୁଣି ମାଣିକ ଏକ ମୃଦୁ ହସ ଦେଇ କହିଲା, ଜେଲର ସାହାବ ମୁଁ ଏକ ପରିତ୍ୟକ୍ତ ସ୍ଥାନରୁ ଆସିଥିବା ଜୀବନ୍ତ ଅଭିଶପ୍ତ ପ୍ରାଣ । ଯାହାକୁ ପରିଚୟ ଦେଲେ ଜମିଦାର ବାବୁ । ତାଙ୍କରି ଆଶିର୍ବାଦରୁ ମୁଁ ଆଜି ଏକ ମାଆ ହେବାର ଗୌରବ ଅର୍ଜନ କରିଛି ଏବଂ ତାଙ୍କ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି । ମୋ ଶରୀରରେ ପ୍ରବାହିତ ସମସ୍ତ ରକ୍ତ ତାଙ୍କର ଦାନ । ମୋ ଜୀବନ ତାଙ୍କ ପାଖରେ ଓ ଗ୍ରାମବାସୀଙ୍କ ପାଖରେ ଋଣୀ, ଯେଉଁମାନେ ମୋ ପରି ଏକ ଅନାଥକୁ ପରିଚୟ ଦେଇଛନ୍ତି । ସମସ୍ତେ କହୁଛନ୍ତି ମୁଁ ଆସିଲା ଦିନଠୁ ସେଠି କେହି ଖୁସିରେ ନାହାନ୍ତି । କାହାରି ମୁହଁକୁ ଦାନା ଯାଉନାହିଁ । ଜମିଦାର ବାବୁ ଜୀବିତ ହୋଇ ମଧ୍ୟ ମୃତବତ୍ । ରଘୁନାଥ ନିଜର ସଙ୍ଗ୍ୟା ହରାଇ ବସିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ମୋର ସେମାନଙ୍କ ପ୍ରତି ଯାହା କର୍ତ୍ତବ୍ୟ ସମ୍ପାଦନ କରିବାକୁ ଅଛି ତାହା ମତେ କରିବାକୁ ଦିଅନ୍ତୁ । ଏମିତି ନ ହେଉ ଆଗତ ସମୟ ମତେ ସ୍ୱାର୍ଥପରର ଆଖ୍ୟା ଦେଉ । ତେଣୁ ତାଙ୍କର ସମ୍ପତ୍ତି ତାଙ୍କୁ ଫେରାଇବାର ଉପଯୁକ୍ତ ସମୟ ଆଜି ଉପନୀତ । ତେଣୁ ମତେ ଦୟାକରି କିଛି ସମୟ ପାଇଁ ଜମିଦାର ଭବନ ନେଇ ଚାଲନ୍ତୁ ।  


ଏହା ଶୁଣି ଜେଲର ସାହାବ ଲହୁ ଲୁହ ଏକାକାର ହୋଇ କହି ଉଠିଲେ, ଲୋ ମାଣିକ ତତେ ତ ସରକାର ମୁକ୍ତ କରି ଦେଇଛନ୍ତି, ତୁ ତ ଏବେ ମୁକ୍ତ, କିଛି ସମୟ କଣ ସବୁଦିନ ପାଇଁ ତୁ ଏଥର ତୋ ଘରକୁ ଯାଇ ପାରିବୁ । ମୁଁ ତତେ ନେଇ ଛାଡି ଆସିବି । ସେଠାରେ ସମସ୍ତେ ତୋ ବାଟ ଚାହିଁ ବସିଛନ୍ତି । ତୋର ମୁକ୍ତ ହେବାର କଥା ଶୁଣି ସମସ୍ତ ଗ୍ରାମବାସୀ କାରାଗାର ବାହାରେ ତୋ ପାଇଁ ଅପେକ୍ଷା କରି ରହିଛନ୍ତି । ଚାଲ ଯିବା ।  


ଏହା ଶୁଣି ଏକ ସ୍ମିତ ହସ ଦେଲା ମାଣିକ । ଆଜି ମଧ୍ୟ ଜେଲର ସାହାବ ତା ହସର ତାତ୍ପର୍ଯ୍ୟ ବୁଝି ପାରିଲେ ନାହିଁ । ତାଙ୍କର ମନେ ହେଲା ଯେମିତି ଆହୁରି କିଛି ଘଟିବାକୁ ଯାଉଛି ।  


ତଥାପି ଉଠି ଛିଡା ହେଲେ, ଉକ୍ତ ଅଦୃଶ୍ୟ ଓ ଅଦେଖା ଶଙ୍କାକୁ ସାମ୍ନା କରିବାକୁ । ମାଣିକ ଓ ତାର ଶିଶୁ କନ୍ୟାଟିକୁ ଧରି ବାହାରିଲେ ଯିବା ପାଇଁ ।  

ସେପଟେ କାରାଗାରର ସମସ୍ତ କଏଦୀ ଓ କର୍ମଚାରୀଙ୍କ ଆଖିରେ ଲୁହର ଧାର ଛୁଟି ଚାଲିଥାଏ । କାରାଗାରର ଗଛଲତା, ଗଗନ ପବନ ସବୁ ସ୍ତବ୍ଧ ହୋଇଯାଇଥିଲା ସେଦିନ । ବାହାରକୁ ଯାଇ ଦେଖେ ତ ସମଗ୍ର ଗ୍ରାମବାସୀ ଓ ଜମିଦାର ଭବନର ସମସ୍ତ କର୍ମଚାରୀ ସବୁ ସେଠାରେ ଉପସ୍ଥିତ ମାଣିକକୁ ପାଛୋଟି ନେବାପାଇଁ । ଏହା ଦେଖି ମାଣିକ ଆଖିରୁ ଦୁଇ ଟୋପା ଲୁହ ଖସିଗଲା । ଯାହାକି ପ୍ରଥମ ଥର ପାଇଁ ଜେଲର ସାହାବ ଦେଖିବାକୁ ପାଇଲେ । 


ଗ୍ରାମବାସୀ ମାଣିକର ମୁକ୍ତି ଦେଖି ଯେତିକି ଖୁସି ନଥିଲେ ତାର ଜୀର୍ଣ୍ଣ ଶରୀର ଦେଖି ସେତିକି ଦୁଃଖିତ ହେଲେ ଏବଂ ତା ପାଖକୁ ଆସି କ୍ରନ୍ଦନ ରତ ପାଇଁ ଚେଷ୍ଟିତ ହେଲେ । ଏବଂ କୁନି ମାଣିକକୁ ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ । ଅବିକଳ ମାଣିକ ପରି । ସେହି ହସ, ସେହି ମୁହଁ, ସେହି ରୁଣୁଝୁଣୁ ଶବ୍ଦ । ତାକୁ ଦେଖିବା ପାଇଁ ଏକ ଯୁଦ୍ଧ ଆରମ୍ଭପ୍ରାୟ ଥିଲା । 


 ଏ ସବୁ ସତ୍ତ୍ୱେ ସମସ୍ତଙ୍କ ସହ ଯାଇ ପହଞ୍ଚିଲେ ଜମିଦାର ଭବନ ପାଖରେ । ମାଣିକ ସେତେବେଳକୁ ତାର ସମସ୍ତ ଶକ୍ତି ସଞ୍ଚୟ କରି ରଖିଥାଏ । ଜମିଦାର ଭବନ ସାମ୍ନାରେ ପହଞ୍ଚି ସେଠାରେ ଅଟକି ବାକୁ କହିଲା । ଜମିଦାର ଭବନର କିଛି ସଦସ୍ୟ ରାଜନାଥ ବାବୁଙ୍କର ଚୌକି ଧରି ଆସି ପହଞ୍ଚିଲେ ।  


ଦୁଆରବନ୍ଧରୁ ଆଉ ପାହାଚ ଖସି ଆସିବା ପରିସ୍ଥିତିରେ ନଥିଲେ ସେ । ଏହା ଦେଖି ମାଣିକ ତାଙ୍କ ସମ୍ପତ୍ତିକୁ ତଳକୁ ଛାଡିଲା । କୁନି ମାଣିକଟିର ରୁଣୁଝୁଣୁ ପାଉଁଜି ଶବ୍ଦରେ ରାଜନାଥ ବାବୁଙ୍କ ଶରୀରରେ ଯେମିତି ପ୍ରାଣ ସଞ୍ଚାର ହେଲା । ତାର ପଦ୍ମ ଫୁଲ ପରି ମୁହଁ ଓ ପାଉଁଜିର ଋଣୁଝୁଣୁ ଶବ୍ଦ ଶୁଣି ସେ ଉଠି ଠିଆ ହେବାକୁ ଲାଗିଲେ ଓ ହାତ ପସାରି କୋଳକୁ ଆଲିଙ୍ଗନ ପ୍ରାୟ ହୋଇ ସେହି ଲୋତକ ଭରା ଚକ୍ଷୁରେ ଚାହିଁ ରହି ଥାନ୍ତି କୁନି ମାଣିକକୁ । ତାଙ୍କୁ ଲାଗୁଥାଏ ସେ ଯେମିତି ତାଙ୍କର ସେହି ପଦ୍ମପାଖୁଡା ପରି ମାଣିକକୁ ପାଇଗଲେ । 


ଦୀର୍ଘ ବର୍ଷ ପରେ ତାଙ୍କ ପାଟିରୁ ଶବ୍ଦ ବାହାରିଲା, #ମାଣିକ.....ଏ #ମାଣିକ.........#ଆ......... . । ଏହା ଶୁଣି କୁନି ମାଣିକଟି ଠୁକୁ ଠୁକୁ ଚାଲି ଆଗକୁ ଆଗକୁ ଗତି କରି ଚାଲିଥାଏ । ଏପଟେ ଜେଲର ସାହାବଙ୍କର କାନ୍ଧରେ ମାଣିକ ତାର ଶେଷ ନିଃଶ୍ୱାସ ଛାଡି ଚାଲିଥାଏ । ତାର ଅବସ୍ଥା ଦେଖି ଜେଲର ସାହାବଙ୍କର ଆଖିରୁ ଲୋତକର ଧାର ବହି ଚାଲିଥାଏ ।  


ଏପଟେ ସେ ମାଣିକର ଆଶ୍ୱସ୍ତି ଭରା ସ୍ମିତ ହସ ଦେଖିବାକୁ ପାଉଥିଲେ ତ ସେପଟେ ଜମିଦାର ବାବୁଙ୍କ ଆଖିରେ ତାଙ୍କ ମାଣିକକୁ ପାଇବାର ଆତ୍ମତୃପ୍ତି ଦେଖିବାକୁ ପାଉଥିଲେ ।  


ଇତି ମଧ୍ୟରେ ମାଣିକ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରି ସାରିଥିଲା । ତା ସ୍ମୃତିରେ ଗ୍ରାମର ଚାଟଶାଳୀ ବିଦ୍ୟାଳୟରେ ପରିଣତ ହୋଇ ମାଣିକ ନାମରେ ନାମିତ ହୋଇସାରିଲାଣି । କୁନି ମାଣିକଟି ସେହି ମାଣିକ ନାଁରେ ଜମିଦାର ଭବନକୁ ଆନନ୍ଦିତ କରୁଥାଏ । ସବୁ ପୂର୍ବ ପରି ଫେରିବାରେ ଚେଷ୍ଟିତ ଥାନ୍ତି । 


  ଜେଲର ସାହାବ ମଝିରେ ମଝିରେ ଆସି କୁନି ମାଣିକକୁ ଦେଖି ଯାନ୍ତି । ବିଦ୍ୟାଳୟ ସାମ୍ନାରେ ଥିବା ମାଣିକର ପ୍ରତିବିମ୍ବକୁ ଦେଖି ଆଜିବି କାହିଁକି ତାଙ୍କ ଆଖିରୁ ଦୁଇଧାର ଲୁହ ଝଡିପଡେ । ଏହା ହିଁ ବୋଧେ ମାଣିକର ତ୍ୟାଗ ଓ ନିଷ୍ଠା ପାଇଁ ତାଙ୍କ ଶ୍ରଦ୍ଧାଞ୍ଜଳି ।  

        



Rate this content
Log in

Similar oriya story from Tragedy