sushama Parija

Inspirational

3  

sushama Parija

Inspirational

ମାମୁଁ ଘର ଦୋଳ ମେଳନ

ମାମୁଁ ଘର ଦୋଳ ମେଳନ

3 mins
200


 

କେଜାଣି କାହିଁକି ବୋଉ ମୋର ତେୟାଅଶୀ ବର୍ଷରେ ବି ତା’ ବାପଘର ଯିବାର ମୋହକୁ ଛାଡି ପାରିନାହିଁ । ଅଣ୍ଟା ନଇଁ ଗଲାଣି, କାନକୁ ଠିକ୍ ଭାବେ ଶୁଣା ଯାଉନି, ଦି ଖୋଜ ବାଟ ଚାଲିଚାଲି ଯିବାର ଯୁ' ନାହିଁ ତଥାପି ଦୋଳ ଯାତ୍ରା ଆସିଲେ ସେ ମାମୁଁଘରକୁ ଯିବାକୁ ଜିଦ୍ କରିବ। କେହି ନ ନେଲେ ରୁଷିବ। ଖାଇବାକୁ ଇଚ୍ଛା ନାହିଁ କହି ଖାଇବନି। ତା'ର ଶେଷ ଅସ୍ତ୍ରଟି ହେଲି ମୁଁ। କାରଣ ସେ ଜାଣେ ମୁଁ କହିଲେ ଭାଇମାନେ କେହି ମନା କରିବେ ନାହିଁ। ସବୁଠାରୁ ବଡ ହୋଇଥିବାରୁ ଘରେ ସମସ୍ତେ ମତେ ମାନନ୍ତି । ସେଇ କଥା ହେଲା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ମୁଁ ମୋର ସାନ ଭାଇକୁ କହି ତାକୁ ମାମୁଁଘରକୁ ନେଇ ଗଲି ଦୋଳ ମେଲଣ ଦେଖିବାକୁ । ସାଙ୍ଗରେ ଗଲେ ମୋ ମଝିଆଁ ଭଉଣୀ ଓ ମୋ ସାନ ଭାଇର ଝିଅ । 

ମୋ ମାମୁଁଘର ଜଟଣୀ କୁଦିଆରୀ ଗାଆଁରେ । ସେଠାର ଦଶଦୋଳ ମେଲଣ ଖୁବ୍ ପ୍ରସିଦ୍ଧ । ଶହେଏକଚାଳିଶ ଦୋଳ ବେଦୀରେ ସୁସଜ୍ଜିତ ଦୋଳବିମାନରେ ଠାକୁରମାନେ ବସିଥିବେ ମୁଖ୍ୟ ଦେବତା ସୋମନାଥ ଦେବ ଆଉ ପତିତପାବନଦେବଙ୍କୁ ବେଢ଼ି । ଖୋଳ କରତାଳ ଝାଞ୍ଜ ମୃଦଙ୍ଗରେ ଫାଟି ପଡ଼ୁଥିବ କାନ। ରଙ୍ଗବେରଙ୍ଗର ଅବିରରେ ପୋତି ହୋଇ ଯାଇଥିବ ଦୋଳ ଠାକୁରଙ୍କ ମୁହଁଟି ମାନ । ଘୋ ଘୋ କଂପୁଥିବ ମେଳଣ ପଡିଆ। ଜାତି ଜାତି ମିଠାଇ ମାନ ସଜାଇ ହୋଇ ରହିଥିବେ ଦୋକାନ ମାନଙ୍କରେ। ଡାଲା କୁଲା ବାଉଁଶିଆ ଆଉ ଅନେକ ବାଉଁଶ ତିଆରି ଜିନିଷ ଧରି ବିଭିନ୍ନ ଗ୍ରାମରୁ ଆସିଥିବା ବେପାରୀ ଭିଡ ଜମେଇଥିବେ। ହଜାର ହଜାର ସଂଖ୍ୟାରେ ଲୋକ ହାତରେ ଅବିର ପୁଡିଆ ଧରି ଘୁରି ବୁଲୁଥିବେ ବିମାନକୁ ବିମାନ । ଖୁବ୍ ଭଲଲାଗେ ମାମୁଁଘର ଦୋଳମେଳଣ । ଆଜି କିନ୍ତୁ ସେ ସବୁ ବଦଳି ଯାଇଛି ଯୁଗକୁ ନେଇ। ଢୋଲ ମହୁରୀ ବଦଳରେ ବାଜୁଛି ଡି.ଜେ । ପାଲା ଦାଶକାଠିଆ ବଦଳରେ ହେଉଛି ଅପେରା । ଗୁଡିଆ ଦୋକାନଙ୍କ ସ୍ଥାନରେ ବସିଛି ଚାଟ୍, ଗୁପ୍ଚୁଚୁପ୍ ଆଉ ଫାଷ୍ଟ ଫୁଡର ଦୋକାନ । 

ଆମ ପିଲାବେଳେ କୁଦିଆରୀରେ ମେଳଣ ହେଉନଥଲା। ମେଲଣ ହେଉଥିଲା ପାଖ ଗାଁ ହରିରାଜପୁର ରେ। ଦୋଳପୂର୍ଣ୍ଣମୀ ଦିନଠାରୁ ବୋଉ ଆମ ଭାଇଭଉଣୀ ମାନଙ୍କୁ ଧରି ଆସୁ ଥିଲା ମାମୁଁଘରକୁ । ମୋ ମାଉସୀ ମଧ୍ୟ ତାର ପିଲାମାନଙ୍କୁ ଧରି ଆସୁଥିଲା ସେତେବେଳେ । ଅଜା ଆଈ ସମସ୍ତେ ଖୁସି ହୋଇଯାଆନ୍ତି ଆମକୁ ଦେଖି । ଭଳିକିଭଳି ପିଠାପଣା ଭଳିକିଭଳି ଭଜା ତରକାରୀରେ ମହକିଯାଏ ଘର। ସକାଳେ ଅଜା ଆମ ପିଲାମାନଙ୍କୁ ଧାଡି କରି ନେଇକି ଯାଉଥିଲେ ଗାଆଁ ମୁଣ୍ଡରେ ଥିବା ଧନି ଗୁଡିଆ ଦୋକାନକୁ। ସେଠି ଆମେ ଗରମ ଗରମ ପକଡି,ବରା,ଉପମା ସହିତ ପାଣିଆ ବୁଟ ଆଳୁ ତରକାରୀ, ତା ସାଙ୍ଗକୁ ଜିଲାପି, ଖାଇବା ପରେ ଫେରୁଥିଲୁ । ଦିନଯାକ ଧୁମ୍ ଖଳୁଥିଲୁ ସାଙ୍ଗ ହୋଇ । ଖାଇପିଇ ଶୋଇ ପଡୁଥିଲୁ ଆଈ ପାଖରେ, ଅମାର ଘର ମାଟି ଚଟାଣରେ ହେଁସ ପାରିଦେଇ । ସଂଜଦେଳେ ଭାଗବତ ସରିବା ପରେ ଆସୁଥିଲା ସୁଆଙ୍ଗ ଶଗଡ । ଭଳିକିଭଳି ବେଶ ହୋଇ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଶଗଡ ଉପରେ ବସି ଲୋକମାନେ ଆସୁଥିଲେ ଦାମ, କୃଷ୍ଣ, ନନ୍ଦ ଯଶୋଦା, ବକାସୁର, ପୂତନା ରାକ୍ଷସୀ ହୋଇ। ପଛକୁ ପଛ ଆସୁଥିଲେ ନାଗା ନାଚ, ବୁଢା ବୁଢୀ ନାଚ, କାଳିକା ନାଚ, ବାଘ ନାଚ ଇତ୍ୟାଦି ଅନେକ ନାଚ ସବୁ । ତାଳମୂଳୀ ବାଜାର ଶବ୍ଦରେ ଲୋମ ଟାଙ୍କୁରି ଉଠୁଥିଲା। ସେମାନେ ସବୁ ସାହି ବୁଲି ଗଲା ପରେ ଶଗଡିରେ ବସି ଆମେସବୁ ଯାଉଥିଲୁ ମେଲଣ ଦେଖିବାକୁ ହରିରାଜପୁର । ସାରାରାତି ସେଠାରେ ରହି ମେଲଣ ଦେଖୁଥିଲୁ। ସେଠାର ଆତସବାଜି ଏକବାର ନିଆରା । ମାଇଲ୍ ମାଇଲ୍ ଧରି ଗଛବାଣ ପୋତା ହୋଇଥିବ। ଫୁଟୁଥିବ ଗୋଟିକ ପରେ ଗୋଟିଏ । ହାବେଳି ବାଣ ଯାଉଥିବ ଦଳଦଳ ହୋଇ ସାରା ଆକାଶକୁ ଝଲସାଇ। ଘଡିବାଣରୁ ଫୁଲପରି ବିଛାଇ ହୋଇ ଯାଉଥିବ ନିଆଁ ଝୁଲ ମାନ। ଆଃ କି ମନୋମୁଗ୍ଧକର ସେ ଦୃଶ୍ୟମାନ । ଆଜିବି ଆଖିରେ ନାଚି ଯାଏ ଜଳଜଳ ହୋଇ। ମେଲଣ ପଡିଆରେ ବସି ବସି ଆମେ ଖଜା,ଶାକର, କୋରା ଖଇ ଖାଉଥିବୁ ଆଉ ଯାତ୍ରା ଦେଖୁଥିବୁ ସକାଳ ଯାଏ। ସକାଳେ ପୁଣି ଫେରିବୁ ଶଗଡିରେ ବସି । ପଛରେ ଲଦା ହୋଇ ଥିବ ବର୍ଷକ ପାଇଁ କିଣା ହୋଇଥିବା ଝାଡୁ, କୁଲା,ଡାଲା,ଭୋଗେଇ,ଟୋକେଇ, ଲିଆ ଛଡା,ମାଛ ପାଛିଆ ଇତ୍ୟାଦି ଇତ୍ୟାଦି ଘରକରଣା ଜିନିଷ । ଆଜି ଆଉ ସେ ସବୁକୁ ଦେଖିବା ସପନ । ଯୁଗ ବଦଳୁଛି । ତା ସହିତ ବିଲୁପ୍ତ ହୋଇଯାଇଛି ଅତୀତର ସେହି ମନଲୋଭା ଘଟଣା ସବୁ। ସ୍ମୃତି ହୋଇ ରହିଯାଇଛି ଆମ ପିଲା ଦିନ ।



Rate this content
Log in

Similar oriya story from Inspirational