Madhu Mita

Inspirational

4.5  

Madhu Mita

Inspirational

ମାଇଚିଆ ବିପ୍ଳବୀ

ମାଇଚିଆ ବିପ୍ଳବୀ

4 mins
528



"ମାଆ..ଆଜି ବାପା ତାଙ୍କର ଜଣେ ବନ୍ଧୁଙ୍କୁ ଫୋନରେ କହୁଥିଲେ..ମୋ ପୁଅ ପୁରା ମାଇଚିଆ ହୋଇ ଗଲାଣି..!!ମୋ ସାଙ୍ଗମାନେ ମଧ୍ୟ ମୋତେ କେତେ ଥର ଏମିତି କହିଲେଣି…!! ସତ କହିଲୁ ମାଆ..ମୁଁ କଣ ସତରେ ମାଇଚିଆ ହୋଇଗଲିଣି..!!??


ଅପାର ଟ୍ରେନିଂ ପାଇଁ ସାନଫ୍ରାନ୍ସିସ୍କୋ ଯିବାକୁ ପଡିଲା ତୋତେ ତା ସହିତ । ଆଉ ତମ ଦୁଇଜଣଙ୍କ ସହିତ ନ ଯାଇ ଏଇଠି ଗୋଟିଏ ବର୍ଷ ପାଇଁ ବାପାଙ୍କ ସହିତ ରହିଗଲି ଯେ କଣ ମୁଁ ମାଇଚିଆ ହୋଇଗଲି??


ହଁ..ତୁ ନ ଥିଲୁ ନା..ତେଣୁ ମୁଁ ପରୀକ୍ଷାକୁ ଯିବା ଆଗରୁ ତୁ ଦେଲା ପରି ଦହି ଗୁଡ ନିଜେ ନିଜେ ଖାଇକି ଘରୁ ବାହାରିଲି । ସେଇଟା କଲି ବୋଲି କଣ ମାଇଚିଆ ହୋଇଗଲି କି..!!??


ବାର୍ଷିକ ପରୀକ୍ଷା ସରିବା ପରେ ସବୁ ସାଙ୍ଗମାନେ ଫିଲ୍ମ୍ ଦେଖିବାକୁ ହଲକୁ ଗଲା ବେଳେ ମୁଁ ଘର ସମ୍ଭାଳିକି ରହିଲି । ୟୁ ଟ୍ୟୁବ୍ ଦେଖି ନୂଆ ନୂଆ ରୋଷେଇ କରିଲି । ଜାଣିଛୁ ମାଆ..କେତେଥର ହାତରେ ତେଲ ଫୋଟକା ହୋଇଛି..!!ସେଥିପାଇଁ କଣ ମୁଁ ମାଇଚିଆ ହୋଇଗଲି କି ମାଆ..!!??


ତୁ ଯିବା ମାସକ ପରେ ମୁଁ ମଧ୍ୟ ତୋ ପାଖକୁ ବୁଲିବା ପାଇଁ ଆସିଯାଇଥାନ୍ତି । ଏମିତିରେ ସାନ ଫ୍ରାନ୍ସିସ୍କୋ ସବୁବର୍ଷ ଆମେ ଛୁଟି କାଟିବାକୁ ମାମୁଁ ଘରକୁ ଯାଉ । ହେଲେ କରୋନା ଯୋଗୁଁ ଲକ୍ ଡାଉନ୍ ହୋଇଗଲା । ଆଉ ତେଣୁ ମୁଁ କୁଆଡେ ଯାଇ ପାରିଲିନି । ତୁ ପାଖରେ ଥିଲେ ହୁଏତ ସବୁକଥା ଅଲଗା ହୋଇଥାନ୍ତା । ହେଲେ ତୁ ନ ଥିଲୁ ବୋଲି ମୁଁ ତୋ ପରି ହେବାକୁ ଚେଷ୍ଟା କଲି..ଓଃ...ସେଥିପାଇଁ ବୋଧେ ମୁଁ ମାଇଚିଆ ହୋଇଗଲି..!!??


ଲକ୍ ଡାଉନ୍ ଯୋଗୁଁ ଘରେ କାମ କରିବାକୁ କେହି ଆସିଲେନି । ବାସନମଜା,କପଡ଼ାଧୁଆ ଆଉ ଘରଝାଡୁ ପରି ସବୁ କାମ ସହିତ ରୋଷେଇ କରି କରି ମୁଁ ସାଙ୍ଗମାନଙ୍କ ସହିତ ଭିଡିଓ ଚାଟ କରିବାକୁ ସମୟ ପାଇଲିନି ବୋଲି ମାଇଚିଆ ହେଲି କି ମାଆ..!!??


ତୁ ସକାଳୁ ଉଠି ଯେମିତି ଚଉରା ପୂଜା କରୁ,ସଂଜଦୀପ ଦେଉ..ସେମିତି ତ ଦେଲି । ତୁ କଲେ ତ କିଛି ହୁଏନି..ଆଉ ମୁଁ କଲି ଯେ..!!କଣ ମାଇଚିଆ ହେଇଗଲି..!!??


ବାପା ଘର କାମ କିଛି ଜାଣନ୍ତିନି ବୋଲି ତୁ ମନ ଦୁଃଖ କରୁ ନା..??ଆଉ ଯଦି ତୁ ଦେଲା ପରି ଝୋଟିଚିତା ପକେଇ ମାଣବସାରେ ଲକ୍ଷ୍ମୀ ଖଟୁଲି ଥୋଇ ପୂଜା କରିଦେଲି ..ଶଙ୍ଖ ବଜେଇ ଧୂପ ଆଳତି କଲି..ଆଉ ତୁ ଲଗେଇଲା ପରି କଦଳୀ ପତ୍ରରେ ଭୋଗ ବାଢ଼ିଲି..ମୁଁ ମାଇଚିଆ ହେଇଗଲି କି..!!??


ତୁ ଦୀପାବଳୀ ଦିନ ଯେମିତି ରଙ୍ଗୋଲି ପକାଉ ଆଉ ଦୀପ ଜାଳି ବଡ଼ବଡ଼ିଆ ଡାକୁ ମୁଁ ତ ସେମିତି କଲି.. ଆଉ ସେଇଥିପାଇଁ ସାଙ୍ଗମାନଙ୍କ ପରି ରାତି ଅଧ ଯାଏଁ ବାଣ ଫୁଟେଇଲିନି ବୋଲି ମାଇଚିଆ ହେଇଗଲି କି..!!??


କାର୍ତ୍ତିକ ମାସରେ ରାଈ ଦାମୋଦର ପୂଜା କଲି..ପଞ୍ଚୁକରେ ବୃନ୍ଦାବତୀଙ୍କ ପାଖରେ ବଗ ବଗୁଲି ଚିତ୍ର ପକେଇଲି ..ସେଥିପାଇଁ ଖରା ଶେଯରେ ପଡ଼ିବା ଯାଏଁ କମ୍ବଳ ଘୋଡେଇ ଶୋଇ ପାରିନି ବୋଲି ମାଇଚିଆ ହେଲି କି..!!??


ରୋଷେଇ କରୁ କରୁ କେତେ ଥର ହାତ ନିଆଁ ପାଖରେ ଗରମ୍ ହେଇଛି.. ପରିବା କାଟିବା ବେଳେ ଆଙ୍ଗୁଠି କଟି ରକ୍ତ ବାହାରିଛି ଜାଣିଛୁ ନା..!!??କାମ କରି ଶୋଇଲା ପରେ ସକାଳୁ ଉଠିବା କାଳେ ଡେରି ହେବ ଭାବି ତୁ ଲଗେଇଲା ପରି ମୁଁ ଆଲାର୍ମ୍ ଲଗେଇ ଶୋଇଛି..ଆଉ ଏସବୁ ଭିତରେ ମୁଁ ସାଙ୍ଗମାନଙ୍କ ପରି ଗାଡ଼ି ଧରି ବାହାରେ ବୁଲି ପାରିନି କି ସେମାନଙ୍କ ସହ ଖଟି କରି ପାରିନି ବୋଲି ମାଇଚିଆ ହେଇଗଲି କି ମାଆ..!!??


ମୋ ପରି ପୁଅମାନେ ନିଜ ଝିଅସାଙ୍ଗକୁ ସମୟ ଦେଇ ଘରକୁ ଡେରିରେ ଆସିବା ବେଳେ ମୁଁ ଅଟା ଚକଟିବା, ପରିବା କାଟିବା ପରି କାମ କରି ସନ୍ଧ୍ୟାରେ ଘରେ ରହିଲି ଆଉ ବାପା ଆସିଲା ପରେ ଗରମ୍ ଗରମ୍ ଜଳଖିଆ ପରଷି ଦେଲି ବୋଲି ମାଇଚିଆ ହେଲି କି ମାଆ..!!??


ତୋ ପରି ବାପାଙ୍କ ଯତ୍ନ ନେଇ ତାଙ୍କ ଗୋଡ଼ ଘଷିଦେଇଛି..ସକାଳୁ ସେ ଉଠିବା ଆଗରୁ ଉଠି ତାଙ୍କ ପାଇଁ ଅଦା ପକେଇ ଚା କରିଛି..ଘର କାମବାଲୀ ଆସିଲେ ତୁ ତାକୁ ଦେଲା ପରି ଖାଇବାକୁ ଦେଇଛି..ଅଗଣାର ଗଛପତ୍ରଙ୍କ ଯତ୍ନ ନେଇଛି..!!ଏସବୁ କରି ମୁଁ ମୋ ଇଚ୍ଛା ମୁତାବକ ଜିନିଷ ବରାଦ କରିବା ଭୁଲି ଯାଇଛି ବୋଲି ଆଜି ବାପା ମୋତେ ମାଇଚିଆ କହିଲେ କି ମାଆ..!!??


ତୁ କହ ମାଆ..ଯଦି ମୁଁ ତୋ ପରି ଘର କାମ ଶିଖି ଆଜି କ୍ଷୀରି,ପିଠା ମଧ୍ୟ କରି ପାରୁଛି ..କେତେ ନୂଆ ଡିସ ବନେଇ ପାରୁଛି..ଆଉ ଖାସ ସେଇଥିପାଇଁ ମୁଭି,ସ୍ପୋର୍ଟସ କି ମ୍ୟୁଜିକ ଜାଗାରେ ଖାଲି ଫୁଡ୍ ଫୁଡ୍ ଚ୍ୟାନେଲ ଦେଖୁଛି ..ତେଣୁ ମାଇଚିଆ ହେଇଗଲି କି..!!??


ଅନଲାଇନ୍ କ୍ଲାସ ଆରମ୍ଭ ହେବା ପରେ ଲିଜର ସମୟରେ ବେଡସିଟ ବଦଳେଇବା, ଅଳନ୍ଧୁ ସଫା କରିବା କାମ କରିବା ଯୋଗୁଁ ରାତିରେ ପାଠ ପଢୁଛି । ଅନ୍ୟ ସାଙ୍ଗ ଇନଷ୍ଟାଗ୍ରାମରେ ବଡି ବିଲ୍ଡିଂ ଶେଲ୍ଫି ଦେଲା ବେଳେ ମୁଁ ମୋ ହାତ ତିଆରି ଡିଶ ସହିତ ଶେଲ୍ଫି ନେଉଛି ବୋଲି ବାପା ଏମିତି କହିଲେ କି ମାଆ..!!କହ ମା ..କହ ..ମୁଁ କଣ ସତରେ ଗୋଟିଏ ମାଇଚିଆ ହେଇ ଯାଇଛି..!!??


ତୁ ତ କହୁଥିଲୁ..ପୁଅ ଝିଅ ସମାନ ବୋଲି । ଆଉ ତୋ ଅନୁପସ୍ଥିତିରେ ଯଦି ମୁଁ ଏସବୁ କରି ନ ଥାଆନ୍ତି ଆଉ କିଏ କରନ୍ତା..!!??ବାପା ତ କିଛି ବି ଜାଣି ନାହାନ୍ତି କି ଶିଖୁ ନାହାନ୍ତି..!!ମୋ ହାତଗୋଡ଼ ବିନ୍ଧିଲା ପରେ ବି ଏମିତି କରିବା କଣ ମୋର ଭୁଲ ହେଲା କି ମାଆ..ଯେଉଁଥିପାଇଁ ବାପା ମୋତେ ମାଇଚିଆ କହିଲେ..ଘର କାମ କଲେ ପୁଅମାନେ ମାଇଚିଆ ହୋଇ ଯାଆନ୍ତି କି..!!??


ମାଆ ଆଖିରୁ ଲୁହ ଦି ଟୋପା ବାହାରିଗଲା..ଆଉ ସେ କହିଲା.."ଧନରେ..!!ଝିଅଟିଏ ତା ଜୀବନସାରା କେବଳ ପୁଅମାନଙ୍କ ସହ ସମକକ୍ଷ ହୋଇ କାମ କରିବାକୁ ଚେଷ୍ଟା କରୁଥାଏ । କିନ୍ତୁ ଆଜି ତୁ ଗୋଟିଏ ଝିଅ ପରି ସବୁ କାମ ଶିଖିଯାଇ ମୋ ଛାତି କୁଣ୍ଢେମୋଟ କରି ଦେଇଛୁ । ହାତରେ ଏତେ ଆଘାତ ପାଇ.. ସାଙ୍ଗସାଥୀମାନଙ୍କ ଟାହିଟାପରାକୁ ଖାତିର ନ କରି..ନିଜ ଯୁବସୁଲଭ ଚପଳତାରେ କବଳିତ ନ ହୋଇ ପୁରାତନ ଗତାନୁଗତିକ ଚିନ୍ତାଧାରା ବଦଳେଇ ଆଧୁନିକ ସମାଜରେ ସମାନତାର ଏକ ନୂଆ ଅଧ୍ୟାୟ ତୁ ଲେଖି ପାରିଛୁ । ସମସ୍ତେ ନାରୀ ପୁରୁଷ ସମାନ ବୋଲି କହି ପାରନ୍ତି..କିନ୍ତୁ ତୁ ଆଜି ସେକଥା ପ୍ରମାଣ କରି ଦେଖେଇଛୁ । ତୋ ଛୋଟ ଛୋଟ ହାତରେ କେତେ ବଡ ଦାୟିତ୍ଵ ନେଇଛୁ ଧନ..!!ମୁଁ ତୋ ପରି ଜଣେ ପ୍ରକୃତ ସାମାଜିକ ବିପ୍ଳବୀକୁ ଜନ୍ମ ଦେଇଥିବାରୁ ସତରେ ବହୁତ୍ ଖୁସି.. ତୋ ପାଇଁ ମୁଁ ବହୁତ୍ ଗର୍ବ କରୁଛି..!!


ମା' କଥା ଶୁଣି ପୁଅ ପୁଣି ପଚାରିଦେଲା.."ମାଆ..!! କିନ୍ତୁ...ବାପା ତ ମୋତେ ମାଇଚିଆ ବୋଲି କହୁଛନ୍ତି । 

ତା ହେଲେ କଣ ମୁଁ ଜଣେ ମାଇଚିଆ ବିପ୍ଳବୀ..!!??"





Rate this content
Log in

Similar oriya story from Inspirational