Sriman Bapu

Tragedy Inspirational


3.9  

Sriman Bapu

Tragedy Inspirational


ମାଧବର ସେ ଶେଷ ସିଗାରେଟ୍

ମାଧବର ସେ ଶେଷ ସିଗାରେଟ୍

7 mins 161 7 mins 161


ଶାନ୍ତିନିକେତନ , କଳାଭବନର ମାମା କ୍ଯାଣ୍ଟିନରେ ରାମୁ ଆଉ ମାଧବ ବୋଲି ଦୁଇଟି ପିଲା କାମ କରୁଥିଲେ । ରାମୁର ବୟସ ସେତେବେଳେ ଚଉଦ ଆଉ ମାଧବର ବାର ପାଖାପାଖି ହେବ । କିନ୍ତୁ  ଯିଏ ଦେଖିବ ମାଧବକୁ ବଡ଼ କହିବ । ମାଧବଟା ସବଳ ଟାଣୁଆ ପିଲାଟାଏ ଥିଲା , ଉଚ୍ଚତା ତା'ର ପାଞ୍ଚ ଫୁଟ୍ ଛଅ ଇଂଚ ହେବ । ରାମୁଟା ଦେଖିବାକୁ ପୂରା ପତଳା ରୋଗୀଣା ଆଉ ଉଚ୍ଚତା ତା'ର ଚାରି ଫୁଟ୍ ଛଅ କି ସାତ ହେବ । ରାମୁ ପ୍ରଥମେ ମାମା କ୍ଯାଣ୍ଟିନ୍ କୁ କାମ କରିବା ପାଇଁ ଆସିଥିଲା ଆଉ ତା'ର ତିନିମାସ ପରେ ମାଧବ । 


ରାମୁର ଦୁର୍ବଳ ଶରୀର ସହ ତା'ର ଚପଳାମି , ମଜାକିଆ କଥା ଆଉ ଦେଖାଣିଆ ଆଜ୍ଞାଧୀନତା ଯୋଗୁଁ କ୍ଯାଣ୍ଟିନର ବୃଦ୍ଧ ମାଲିକ ମାମା ମନରେ ତା' ପ୍ରତି ସହାନୁଭୂତି ଥିଲା । ତା'ର ଛୋଟମୋଟ ଦୁଷ୍ଟାମୀକୁ ଦେଖି ତାଗିଦ୍ ନ କରି ହସରେ ଉଡ଼େଇ ଦେଉଥିଲା । ମାମାର ଶାରୀରିକ ଗଢ଼ଣକୁ ଦେଖି ଅନୁମାନ କରିହୁଏ ବୁଢ଼ା ତା'ର ପିଲାବେଳେ ରାମୁ ଭଳି ଦୁର୍ବଳିଆ ପିଲାଟିଏ ନିଶ୍ଚୟ ଥିଲା ସେଇଥି ପାଇଁ ବୋଧହୁଏ ରାମୁ ପ୍ରତି ତା'ର ଏଭଳି ନରମ ଭାବ ଥିଲା ।


କଳାଭବନର ପ୍ରାଙ୍ଗଣରେ ଥିବା ଗଛମାନଙ୍କ ମୂଳରେ ବସିବା ପାଇଁ ସିମେଣ୍ଟ ତିଆରି ଚଉତରା ଆଉ ବେଞ୍ଚସବୁ ଥାଏ । ସେଇଠି ସବୁବେଳେ ଛାତ୍ର ଛାତ୍ରୀ ଆଉ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବସାଉଠା , ଗପସପ , ଚା ପିଆ , ଜଳଖିଆ ଖିଆ ହୁଏ ତେଣୁ ଖାଇବା ପ୍ଲେଟ୍ , ଚା ଗ୍ଲାସ୍ ଆଉ କପ୍ ପଡ଼ିରହେ । ରାମୁର କାମ ଥିଲା ବୁଲି ବୁଲି ସେ ସବୁ ଉଠେଇ କ୍ଯାଣ୍ଟିନକୁ ଆଣି ଧୋଇ ରଖିବା ଆଉ କେବେ କେବେ ଚା ଆଉ ଜଳଖିଆ ପରସିବା । ମାଧବ ଆସିବା ପରେ ରାମୁ ତା'ର ବରିଷ୍ଠତା ଜାହିର୍ କଲା । ଖୋଜି ଖୋଜି କପ୍ ପ୍ଲେଟ୍ ଆଣି ଧୋଇ ରଖିବା କାମଟି ଆଉ ସେ କରିବାକୁ ପସନ୍ଦ କଲାନି । ସେ କ୍ଯାଣ୍ଟିନରେ ରହି ଚା ଆଉ ଜଳଖିଆ ପରସିବା କାମ କଲା ଏଇ ବାହାନାରେ ଝିଅମାନଙ୍କ ସହ ହସମଜାକ କରିବାର ମଉକା ତାକୁ ମିଳେ । ସେ ବାହାରକୁ ଯେତେ ଛୋଟ ପିଲାଟିଏ ଦେଖା ଯାଉଥିଲା ଭିତରୁ କିନ୍ତୁ ସେତେ ଛୋଟ ନ ଥିଲା ।


କେବେ କପ୍ ପ୍ଲେଟ୍ ର ଅଭାବ ଅଧିକ ପଡ଼ିଲେ ଆଉ ଛାତ୍ରଛାତ୍ରୀଙ୍କ ଭିଡ଼ ଥିଲେ ମାମା ରାମୁକୁ ବି ମାଧବ ସହ କପ୍ ପ୍ଲେଟ୍ ଖୋଜି ଆଣି ଧୋଇ ରଖିବାକୁ ଆଦେଶ ଦିଏ । ମାଧବ ମନଯୋଗ ଦେଇ କାମ କରେ କିନ୍ତୁ ରାମୁ ଅଇଁଠା କପ୍ ପ୍ଲେଟ୍ ଆଣିବା ବାହାନାରେ ଯାଇ ଝିଅଙ୍କ ପାଖରେ ନସରପସର ହୁଏ ଦିଦି ଦିଦି କହି ଇଆଡୁ ସିଆଡୁ ଗପେ । ଝିଅମାନେ ଛୁଆଟିର ଚପଳାମି ଦେଖି ଖୁସି ହୁଅନ୍ତି । ଯେତେବେଳେ ଦେଖିବ ମାଧବ କପ୍ ପ୍ଲେଟ୍ ରୁଣ୍ଡେଇ ଆଣୁଛି , ସେ ତୁରନ୍ତ ଯାଇ ତା' ହାତରୁ ବାହାନା କରି କପ୍ ପ୍ଲେଟ୍ ସବୁ ନେଇ କ୍ଯାଣ୍ଟିନ୍ ରେ ମାମାକୁ ଦେଖେଇ ଦେଖେଇ ରଖିବ । ମାମା ମାଧବ କୁଆଡ଼େ ଗଲା ପଚାରିଲେ କହିବ , ସେଇଟା କାମ ନ କରି ବସି ବିଡ଼ି ଫୁଙ୍କୁଛି କିମ୍ବା ବୁଲୁଛି । ମାମା ରାମୁର କୂଟନୀତି ବୁଝି ନ ପାରି ମାଧବକୁ ଖାଲି ହାତରେ ଫେରିବା ଦେଖି ଖୁବ୍ ଗାଳିଦିଏ । ବିଚରା କାହାକୁ ନିଜର ଦୁଃଖ କହି ନପାରି କାନ୍ଦି କାନ୍ଦି କେଉଁ କୋଣରେ ବସି ବିଡ଼ି ଫୁଙ୍କେ । 


କିଛି ଦିନ ମଧ୍ୟରେ ସେ ରାମୁର ଚାଲ୍ ସବୁ ଭଲ ଭାବେ ବୁଝିଗଲା ତେଣୁ ଆଉ ତାକୁ ସାଉଁଟି ଥିବା କପ୍ ପ୍ଲେଟ୍ ତାକୁ ବଢ଼ାଏ ନାହିଁ । ରାମୁ ଛଡ଼ାଏ ତେଣୁ ଗୋଟିଏ ଯୋଡ଼େ କପ୍ ପ୍ଲେଟ୍ ହାତରୁ ଖସି ଭାଙ୍ଗିଯାଏ ।  ଏହି ଅକ୍ଷମଣୀୟ ଭୁଲ୍ ପାଇଁ ଦଣ୍ଡ କେବଳ ମାଧବକୁ ହିଁ ମିଳେ , ଅସହ୍ଯ ଗାଳି ସହ କେବେ କେବେ ଗାଲରେ ଶକ୍ତ ଚାପୁଡ଼ାଟିଏ ତ କେବେ ପିଠିରେ ଅସହ୍ୟ ବିଧ୍ଧା ଦୁଇ ଚାରିଟା। 

ଏହି କାରଣରୁ ଯୋଗୁଁ ରାମୁ ଆଉ ମାଧବର ଶତ୍ରୁତା ଦିନକୁ ଦିନ ବଢ଼ି ବଢ଼ି ଚାଲେ । ମାଲିକ ସାମ୍ନାରେ ସେ କେବେ ବି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରେନା ଯେତେ ଚେଷ୍ଟା କଲେ ବି କିଛି ଲାଭ ହୁଏନି   କାରଣ ମାମା ଥାଏ ରାମୁର ହାତ ମୁଠାରେ । କେହି କେହି ଛାତ୍ରଛାତ୍ରୀ  ମାଧବ ଉପରେ ଦୟା ପାଇ ମାମାକୁ ସତ କ'ଣ ଦେଖେଇବାକୁ ଚେଷ୍ଟା କଲେ ବି ମାମା ବିଲକୁଲ୍ ଶୁଣେନି କି ବିଶ୍ୱାସ କରେନି କାରଣ ସେ ଦୃଢ଼ ନିଶ୍ଚିତ ଯେ ରାମୁଟା ସୁନାପିଲା ଆଉ ମାଧବଟା ପକ୍କା ବଦମାସ୍ ! ରାମୁ ଆଉ ମାଧବ ଯେତେ ମାଡ଼ପିଟ୍ ଲାଗିଲେ ବି ଖରାବେଳେ ଯେବେ କଳାଭବନ ଶୂନଶାନ୍ ଥାଏ ସାଙ୍ଗ ହୋଇ କେଉଁ ଏକ ଗଛ ମୂଳେ ବସି ବିଡ଼ି ଫୁଙ୍କନ୍ତି ।


ମାନବ ଆଉ କୁମାର ନାମକ ଦୁଇ ଜଣ ଛାତ୍ର ଜଣେ ଦିଲ୍ଲୀରୁ ଆଉ ଜଣେ ବିଜୟନଗରମରୁ ସେହି ସମୟରେ ପେଣ୍ଟିଂରେ ଏମ୍. ଏ କରୁଥିଲେ । ତାଙ୍କ ଷ୍ଟୁଡିଓଟି କ୍ଯାଣ୍ଟିନ୍ ସାମ୍ନାରେ ପୂର୍ବ ଦିଗକୁ ମୁହଁକରି ଥାଏ ଆଉ କଳା ଇତିହାସର ଛୋଟ କୋଠାଟି ବାମ ଦିଗକୁ । ଷ୍ଟୁଡିଓ ସାମ୍ନାରେ ଝଙ୍କାଳିଆ ଅଶୋକ ଗଛଟିଏ ଥିବା ଯୋଗୁଁ ସକାଳେ ଗଛର ଛାଇ ଆଉ ଦ୍ୱିପ୍ରହରରେ ଷ୍ଟୁଡିଓ ପଛରେ ଥିବା ବଡ଼ କାମିନୀ ଗଛର ସେପଟେ ସୂର୍ଯ୍ୟ ରହିଯିବାରୁ ସବୁବେଳେ ଯାଗାଟିରେ ଛାଇ ରୁହେ । ପୁଣି ସେ ସ୍ଥାନରେ ବେଶି ଚଳପ୍ରଚଳ ନ ଥାଏ ଖରାବେଳେ ତ କୁଆ କୋଇଲିଟିଏ ବି ଦେଖିବାକୁ ମିଳନ୍ତି ନାହିଁ । ମାଧବ ସେଇଠି ସବୁଦିନ ଦ୍ୱିପ୍ରହରରେ କେବେ କେମିତି ରାମୁ ସହ କିନ୍ତୁ ପ୍ରାୟତଃ ଏକା ବସି ନିର୍ଭୟରେ ବିଡ଼ି ପିଏ । 


ମାନବକୁ ନିର୍ଜନତା ଭଲ ଲାଗେ ତେଣୁ ଦ୍ୱିପ୍ରହରରେ ଷ୍ଟୁଡିଓକୁ ଯାଏ ପେଣ୍ଟିଂ କରିବାକୁ ଆଉ ସେଇଠି ମାଧବକୁ ପ୍ରାୟତଃ ଦେଖେ , ବସି ବିଡ଼ି ପିଇବାର । ଯେମିତି ମାଧବ ମାନବକୁ ଦେଖେ ସାଙ୍ଗେ ସାଙ୍ଗେ ବିଡ଼ି ଫିଙ୍ଗିଦେଇ ଉଠି ପଳେଇ ଯିବାକୁ ବାହାରେ । ମାନବ ବାହାରୁ ଦେଖିବାକୁ ଭାରି ଗମ୍ଭୀର ଆଉ ରାଗି ପ୍ରକୃତିର ସେଇଥି ପାଇଁ ପିଲାଟି ଡ଼ରେ । ସେ ଆଗରୁ ରାମୁ ଆଉ ମାଧବ ଭିତରେ ଚାଲିଥିବା ଛକାପଞ୍ଝା ଦେଖିଛି ଆଉ ଜାଣେ ମଧ୍ୟ କି ମାଧବଟି ଭଲ ପିଲା । ତେଣୁ କେତେ ଥର ସେ ମାମାକୁ ତା'ର ନିର୍ଦ୍ଦୋଷତା ବିଷୟରେ କହିଛି ହେଲେ ମାମା ଶୁଣି ନ ଶୁଣିଲା ଭଳି ହୁଏ । ସେ ଯାହା ବି ହେଉ ମାଧବ ପ୍ରତି ମାନବର ସହାନୁଭୂତି ଥିଲା । 


ପ୍ରାୟତଃ ସବୁଦିନ ମାଧବ ସହ ଦେଖାସାକ୍ଷାତ ହୁଏ ଆଉ ମାନବ ଭଲମନ୍ଦ ପଚାରେ ହେଲେ ଭାଷା ସବୁଠୁ ବଡ଼ ବାଧକ ସାଜେ । ମାଧବ ବଙ୍ଗଳା କୁହେ ଯାହା ମାନବକୁ ବୁଝିବାକୁ କଷ୍ଟ ହୁଏ ଆଉ ସେ ହିନ୍ଦୀରେ ଯାହା କୁହେ ମାଧବ ସେତେ ବୁଝିପାରେନି । ପ୍ରାୟତଃ କେମନ୍ ଆଛ ? ତୁମି ଖେଏଛ ? ଏମିତି ଖଣ୍ଡି ଖଣ୍ଡି ବଙ୍ଗାଳୀରେ ତାକୁ ପଚାରେ । ମଝିରେ ମଝିରେ ମାଧବ , ମାନବ ଆଉ କୁମାର ଥିଲାବେଳେ ଆସି ତାଙ୍କ ପାଖରେ ଷ୍ଟୁଡିଓରେ ବସେ , ପେଣ୍ଟିଂ ଦେଖେ ଆଉ ତା' ଭାଷାରେ ତାକୁ ଯାହା ଲାଗେ କହେ । କୁମାର ଦୟା ପାଇ ମଝିରେ ମଝିରେ ମାଧବକୁ କିଛି କିଛି ପଇସା ଦିଏ ଆଉ ସେ ସେହି ପଇସାରୁ କିଛି ଖର୍ଚ୍ଚ କରେ ବିଡ଼ି ଆଉ ଦିଆସିଲି କିଣାରେ । 


ମାନବ ଆଉ କୁମାର ବି ସିଗାରେଟ୍ ପିଅନ୍ତି ମାଧବ ଦେଖେ । ତା' ଆଖିରେ ଲୋଭ ଦେଖି କୁମାର କେବେ କେବେ ସିଗାରେଟ୍ ଖଣ୍ଡେ ତାକୁ ଧରାଇ ଦିଏ । ମାନବକୁ କୁମାରର ଏପରି ବ୍ଯବହାର ଭଲ ଲାଗେନି କାରଣ ସେ ମାଧବକୁ ବୁଝାଏ କି ତୁ ଛୋଟ ପିଲା ଆଉ ତୋ ସ୍ୱାସ୍ଥ୍ୟ ପାଇଁ ବିଡ଼ି ସିଗାରେଟ୍ ବହୁତ ହାନିକାରକ ! ସେ ଜାଣିବାକୁ ପାଇଲା ମାଧବର ଏ ବିଡ଼ି ପିଆ ଅଭ୍ୟାସ ଆଜି କାଲିର ନୁହେଁ କେତେ ବର୍ଷ ହେଲାଣି ସେ ପିଇ ଆସୁଛି । 


ମାନବ ଜାଣିବାକୁ ପାଇଲା କି ମାଧବ ଏକ ଅତ୍ୟନ୍ତ ଗରିବ ଘରର ପିଲା ବାପା ତା'ର ରିକ୍ସା ଚଳାଏ , ଯାହା କମାଏ ସବୁ ମଦ ଆଉ ବିଡ଼ିରେ ଖର୍ଚ୍ଚ କରେ । ମାଧବ ତଳେ ଆହୁରି ଛୋଟ ଛୋଟ ତିନି ଭାଇଭଉଣୀ । 

ଶିଶୁ ଶ୍ରମିକ ଆଇନ ସେବେ ଏତେ କଡ଼ାକଡ଼ି ଭାବେ ପାଳନ ହେଉ ନଥିଲା । ତେଣୁ ପୂରା ବିଶ୍ଵବିଦ୍ୟାଳୟର କ୍ଯାଣ୍ଟିନ୍ ମାନଙ୍କରେ ସବୁଠି କିଛି ନା କିଛି ଶିଶୁ ଶ୍ରମିକ କାମ କରୁଥାଆନ୍ତି । ବିଶ୍ୱ ପ୍ରସିଦ୍ଧ ବିଶ୍ଵଭାରତୀ ଭଳି ଶିକ୍ଷାର ମନ୍ଦିର ଭିତରେ ଏମିତି କେତେ ପିଲା ଶିକ୍ଷାରୁ ବଞ୍ଚିତ ହୋଇ କେବଳ ଦୁଇଓଳି ଦୁଇମୁଠା ଖାଇବା ପାଇଁ ସଂଗ୍ରାମ କରୁଥିଲେ ।


ସେ ଯାହାହେଉ ଧିରେଧିରେ ମାଧବର ମାନବ ଆଉ କୁମାର ସହ ଘନିଷ୍ଠତା ବଢ଼େ । କେବେ ସେ ନିଜ କଥା , ଘର କଥା , ମାମାର ମାଡ଼ଗାଳି ଆଉ ରାମୁର ବେଇମାନି କଥା କହି କାନ୍ଦି ପକାଏ । ମାନବ ଆଉ କୁମାର ତା' ଭାଷା ସିନା ବୁଝି ପାରନ୍ତି ନାହିଁ ହେଲେ ଭାବକୁ ବୁଝିବା ପାଇଁ ଭାଷା ପ୍ରତିବନ୍ଧକ ହୁଏନି ବରଂ ବେଳେ ବେଳେ ଅଧିକ ଲାଭଦାୟକ ହୁଏ । ଆମ ଭାଷା ବୁଝିପାରୁ ନଥିବା ଲୋକଟି ଆଗରେ ହୃଦୟ ଖୋଲି ସବୁକଥା କହିବାଟା ଅଧିକ ସହଜ । 


ମାନବ ଆଉ କୁମାର ନିଜ ଜୀବନର ଦୁଃଖକଷ୍ଟ ମାଧବ ସହିତ ବାଣ୍ଟନ୍ତି ନାହିଁ , ଛୁଆଟା ଆଗରେ କ'ଣ କହିବେ ? ହେଲେ ମାଧବ ଛୁଆଟେ ହେଲେ ବି ତା'ର ସରଳ ଦୃଷ୍ଟିରେ ଗୁଡ଼ାଏ କଥା ଜାଣିପାରେ । ଯେମିତି କି ମାନବ ଆଉ କୁମାରର ଛୋଟମୋଟ ପ୍ରେମ କାହାଣୀ , ନୂଆ ଚିତ୍ରଟିଏ ଆଙ୍କିବାର କଷ୍ଟ , ରୂପ ଅନ୍ୱେଷଣର ବେଦନା ଆଉ ପରୀକ୍ଷାର ଚାପ । ସେ ଉଭୟଙ୍କୁ ଦେଖି ଦେଖି ବହୁ ସଠିକ୍ ଅନୁମାନ କରିନିଏ ତେଣୁ କେବେ ବି ଗୁରୁତ୍ୱପୂର୍ଣ୍ଣ ସମୟରେ ଆସି ତାଙ୍କ ଏକାନ୍ତତାରେ ହସ୍ତକ୍ଷେପ କରେନି ।


ଆଗରୁ କହିଥିଲି , କୁମାରର କେବେ କେବେ ମାଧବକୁ ସିଗାରେଟ୍ ଆଉ ପଇସା ଦେବାଟା ମାନବକୁ ଭଲ ଲାଗେନି । ଥରେ ଏହି କଥାକୁ ନେଇ ଦୁଇ ଜଣଙ୍କ ଭିତରେ ଭୀଷଣ ଯୁକ୍ତିତର୍କ ଲାଗିଗଲା । ମାନବ କହିଲା , କୁମାର ! ତୁ ପିଲାଟିକୁ ପଇସା ଦେଇ ପୁଣି ସିଗାରେଟ୍ ଦେଇ ଖରାପ୍ କରୁଛୁ । କୁମାର ବିରକ୍ତ ହୋଇ କହିଲା , ମୋତେ ନୈତିକତାର ପାଠ ତୁ ପଢ଼ାନି । ଆରେ ସେ ତ ବିଡ଼ି ପିଉଛି , ସିଗାରେଟ୍ ପିଇଲେ ଅସୁବିଧା କ'ଣ ? ଆଉ ତୁ ଯେଉଁ ତାକୁ ବିଡ଼ି ସିଗାରେଟ୍ ନ ପିଇବାର ଶିକ୍ଷା ଦେଉଛୁ ତାହା ତୁଚ୍ଛ ଶଠତା କାରଣ ତୁ ନିଜେ ତ ସିଗାରେଟ୍ ପିଉଛୁ । କୁମାରର ଏ ପଦିଏ କଥା ମାନବକୁ ଶକ୍ତ ଚାପୁଡ଼ାଟିଏ ପରି ଲାଗିଥିଲା । ସେ ଆଉ କିଛି ନ କହି ନୀରବ ରହିଥିଲା କାରଣ କଥାଟି ତିକ୍ତ ହେଲେ ବି ନିରାଟ ସତ୍ୟ ଥିଲା ।


ଦିନେ ମାନବ ଭଲ ପାଉଥିବା ଝିଅଟିକୁ ନିଜ ମନ କଥା କହି ପ୍ରତ୍ୟାଖ୍ୟାତ ହେଲା । ବ୍ଯର୍ଥତାରେ ଜର୍ଜରିତ ହୋଇ ନିଧୂମ୍ ବର୍ଷାକୁ ଖାତିର ନ କରି ତିନ୍ତିବୁଡି  ନିଜ ଷ୍ଟୁଡିଓକୁ ପଳେଇ ଆସିଥିଲା କିଛି ସମୟ ଏକା ରହିବାକୁ । କେହି କୁଆଡ଼େ ନଥାନ୍ତି ସେ କବାଟ ଖୋଲି ନିଜର ବାଉଁଶ କାଠିରେ ତିଆରି ଚୌକିରେ  ଓଜନିଆ ଲାଗୁଥିବା ଆଉ ଥରୁଥିବା ନିଜର ଦେହକୁ  ଥୋଇ ସିଗାରେଟ୍ ଖଣ୍ଡେ  ଆତୁର ହୋଇ ଖୋଜୁଥିଲା । ଠିକ୍ ଏହି ସମୟରେ ମାଧବ କେଉଁଠି ଥିଲା କେଜାଣି ? ତିନ୍ତିବୁଡ଼ି ଆସି ପହଞ୍ଚିଗଲା ! ମାଧବର ଉପସ୍ଥିତି ମାନବର ଜ୍ୱଳନ୍ତ ହୃଦୟକୁ ଟିକିଏ ଆରାମ ଦେଲା , ଯାହା ହେଉ ମାଧବ ଠାରୁ ବିଡ଼ି ଖଣ୍ଡେ ମିଳିଯିବ ନିଶ୍ଚୟ !


ମାନବ କହିଲା , ମାଧବ ଆ ବସ୍ ! ଦେଲୁ ଜଲଦି ବିଡ଼ି ଖଣ୍ଡେ । ମାଧବ ମାନବର ମାନସିକ ଅବସ୍ଥାକୁ ଦେଖି ବଡ଼ ସଙ୍କୋଚ ଆଉ ଦୋଷୀ ଦୋଷୀ ବୋଧ କରୁଥିଲା , ଯେମିତି ଭୁଲ୍ ସମୟରେ ସେ ଆସିଯାଇଛି । ଡ଼ରି ଡ଼ରି କହିଲା , ମାନବଦା ! ବିଡ଼ି ହବେନା ମୋର କାଛେ । ଓଃ ସିଟ୍ ! ଠିକ୍ ହେ ତୁ ଯା ବାହାର ବେଠ୍ । ମାଧବ ନଯାଇ ଡ଼ରି ଡ଼ରି ନିଜ ସାର୍ଟଟିକୁ ଟେକି , ଅଣ୍ଟାରୁ ଦବି ଯାଇଥିବା ମାନବର ମନ ପସନ୍ଦ ବ୍ରାଣ୍ଡ୍ wills gold flake ର ପ୍ୟାକେଟଟିଏ ଖୋଲିଲା , ସେଥିରେ ଚାପି ହୋଇଥିଲା ଦୁଇଟି ସିଗାରେଟ୍ । ପ୍ୟାକେଟ ବଡ଼ାଇ ଦେଇ କହିଲା ମାନବଦା ! ଆପନାର ଜନେ ଆନିଛିଲୋ । ମାନବ ଆଉ କୋହ ସମ୍ଭାଳି ପାରିଲାନି , ତା' ଆଖିରୁ ଧାର ଧାର ହୋଇ ଲୁହ ଛୁଟି ଆସିଲା । ସେ କ'ଣ କହିବ ବୁଝି ନପାରି ମାଧବକୁ ମୋ ଭାଇ କହି କୁଣ୍ଢେଇ ଧରିଲା କିଛି ସମୟ ।


ମାନବ ସିଗାରେଟ୍ ଖଣ୍ଡେ ମୁହଁରେ ଲଗେଇଲା , ମାଧବ ବଡ଼ ଅନୁକମ୍ପାର ସହ ଦିଆସିଲି ମାରି ଜଳେଇ ଦେଲା ଆଉ ମାନବ ମାଧବର । ସିଗାରେଟ୍ ଖଣ୍ଡକ ଯେମିତି ତା'ର ସବୁ ଦୁଃଖ ହରିନେଲା । ଏହା ସିଗାରେଟ୍ ର କମାଲ୍ ନଥିଲା ତା ଥିଲା ମାଧବର ନିଃସର୍ତ୍ତ ଆଉ ଶୁଦ୍ଧ ଭଲପାଇବା ଯୋଗୁଁ । ସିଗାରେଟର କିଛି ଢୋକ ବାକିଥାଏ ମାନବ କହିଲା , ଦେଖ୍ ମାଧବ ! ଆଜିଠୁ ସିଗାରେଟ୍ ବିଡ଼ି ବିଲକୁଲ୍ ବନ୍ଦ ! ମୁଁ ଆଜିଠୁ ଆଉ କେବେ ପିଇବି ନାହିଁ , ତୁ ବି ତୋ ମାନବଦା ପାଇଁ ଏତିକି କରିପାରିବୁନି ? ମାଧବ ସିଗାରେଟ୍ ଫିଙ୍ଗିଦେଇ କାର୍ଯ୍ୟରେ କରି ଦେଖେଇ ଦେଲା ।


ସେ ସମୟ ମାନବର ଶେଷ ବର୍ଷ ଥିଲା । ଆଉ ଯେଉଁ ଦୁଇମାସ ସେଠି ସେ ରହିଲା ନା କେବେ ତାକୁ କିଏ ସିଗାରେଟ୍ ପିଇବାର ଦେଖିଥିଲା ନା ମାଧବକୁ । ମାନବ ଶାନ୍ତିନିକେତନ ଛାଡ଼ିବା ପୂର୍ବରୁ ମାଧବକୁ ଯେତେ ଚେଷ୍ଟା କଲେ ବି ଭେଟି ପାରିଲା ନାହିଁ । ସେ କିଛି ଦିନ ପୂର୍ବରୁ କ୍ଯାଣ୍ଟିନରୁ ଛୁଟି ନେଇ ଘରକୁ ଯାଇ ଆଉ ଫେରି ନଥିଲା ।  ବର୍ଷେ ପରେ ମାନବ ଯେବେ  ସାର୍ଟିଫିକେଟ୍ ପାଇଁ ଯାଇଥିଲା ସେବେ ଶିଶୁଶ୍ରମିକ ଉଚ୍ଛେଦ ଆଇନ୍ କଡ଼ାକଡ଼ି ଭାବେ ଲାଗୁ ହେଇଯାଇଥିଲା ତେଣୁ ତାକୁ ଆଉ ଭେଟିବାର ପ୍ରଶ୍ନ ନଥିଲା । 


ମାଧବ ସେବେଠୁ ସମ୍ପୂର୍ଣ୍ଣ ଭାବେ ବିଡ଼ି ସିଗାରେଟ୍ ପିଇବା ଛାଡି ଦେଇଛି କି ନାହିଁ ଜଣା ନାହିଁ  ହେଲେ ମାନବ ସେବେଠୁ ଆଉ କେବେ ସିଗାରେଟକୁ ହାତ ଲଗାଇନି । କେବେ ଯଦି କେଉଁଠି ଲୋକଙ୍କୁ ସିଗାରେଟ୍ ପିଇବାର ଦେଖେ ତା'ର ମାଧବର ସେଦିନ ସେହି ସିଗାରେଟ୍ ଖଣ୍ଡକ କଥା ମନେପଡ଼େ । ଭାବେ , ଏ ସିଗାରେଟ୍ ବିଡ଼ି ପିଉଥିବା ଲୋକଙ୍କୁ ଆଜି ଯାଏଁ ବୋଧହୁଏ ମାଧବ ମିଳି ନାହିଁ । 


Rate this content
Log in

More oriya story from Sriman Bapu

Similar oriya story from Tragedy