STORYMIRROR

Trushna Das

Drama Tragedy Inspirational

3  

Trushna Das

Drama Tragedy Inspirational

ମାଆ ପୁଅର ସମ୍ପର୍କ

ମାଆ ପୁଅର ସମ୍ପର୍କ

4 mins
359

ମମତାଙ୍କ ଦୁଇ ପୁଅ ଶିବା ଆଉ ଦେବା।ସ୍ୱାମୀଙ୍କ ହଠାତ୍ ମୃତ୍ୟୁ ମମତାଙ୍କୁ ଆଘାତ ପହଞ୍ଚାଇ ଥାଏ। ଡାକ୍ତର କହିଲେ ଯେ ମମତାଙ୍କୁ ଯେମିତି ମାନସିକ ସ୍ତରରେ ଚାପ ନ ପଡୁ। ନ ହେଲେ ତାଙ୍କର ଜୀବନ ପ୍ରତି ବିପଦ ଅଛି। ବଡ ପୁଅ ଶିବା ଆଉ ବୋହୂ ବିନି ଙ୍କର ଦୁଇ ଝିଅ ହୋଇ ଥିବାରୁ ସମତା ବିନିକୁ ବେଶୀ ପସନ୍ଦ କରନ୍ତି ନାହିଁ। ସେପଟେ ସାନ ବୋହୂ ଲତାର ଗୋଟିଏ ପୁଅ ଅଛି ବୋଲି ସାନ ବୋହୂକୁ ମମତା ବହୁତ ଭଲ ପାଆନ୍ତି। 


ଟଙ୍କା ଅଭାବ କଣ ଛୋଟ ବେଳୁ ଶିବା ଜାଣି ଥିଲେ। ସେଥିପାଇଁ ସେ ପାଠ ପଢା ଅଧାରୁ ଛାଡି ବାପାଙ୍କ ସହ ମିଶି ବ୍ୟବସାୟ ସମ୍ଭାଳିଲେ ଏବଂ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବାରେ ଲାଗିଲା। ଶିବା ନିଜେ ପାଠ ନ ପଢି ଦେବାଙ୍କୁ ବହୁତ ପାଠ ପଢାଇଛନ୍ତି। ଦେବା ଏମବିଏ ସରିଲା ପରେ ଗାଁକୁ ଆସି ବ୍ୟବସାୟ ସମ୍ଭାଳିଛନ୍ତି। 


ବାପା ଚାଲି ଗଲା ପରେ ବ୍ୟବସାୟରେ ଦେବା ନିଜୟ ଆଧିପତ୍ୟ ଜମାଇଛନ୍ତି। ସମସ୍ତଙ୍କ ସାମ୍ନାରେ ଶିବାଙ୍କୁ ଅପମାନିତ କରିଛନ୍ତି। 


ଯାହା ଟଙ୍କା ଆସିଲା ସେ ସବୁ ଦେବା ନିଜ ପାଖରେ ରଖନ୍ତି। ଆଉ ଅଳ୍ପ କିଛି ମାଆ ମମତାଙ୍କୁ ଦିଅନ୍ତି। ଟଙ୍କା ସାନ ପୁଅ ଦେବା ଦେଉଥିବାରୁ ଦେବା ଆଉ ତାଙ୍କ ସ୍ତ୍ରୀ ଲତା ଭଲ। 


ସେପଟେ ମମତା ବିନିଙ୍କୁ ଘରର ସବୁ କାମ କରାନ୍ତି। ବିନିଙ୍କ ଝିଅମାନଙ୍କୁ ଆଦୌ ଭଲ ପାଆନ୍ତି ନାହିଁ। ଯାହା ସ୍ନେହ ଶ୍ରଦ୍ଧା ଦେବାଙ୍କ ସାନ ପୁଅ ପାଇଁ। ଅନ୍ୟାୟ ହେଉଥିବା ଦେଖି ମଧ୍ୟ ଶିବା କି ବିନି କେବେ ବି ନିଜ ମମତା ଙ୍କ ବିରୁଦ୍ଧରେ କହି ନାହାଁନ୍ତି କାରଣ ସେମାନଙ୍କୁ ଜଣା ଥିଲା ଯେ ମମତାଙ୍କ ଦେହ ଭଲ ନାହିଁ। 


ଲତା ଏବେ ଆଉ ଥରେ ଗର୍ଭବତୀ ହୋଇଛନ୍ତି। ଦିନେ ହଠାତ୍ ଦେବା ମାଆ ମମତାଙ୍କ ସାମ୍ନାରେ କହିଲେ ଯେ ପରିବାର ବଢିବା ସହିତ ଘରର ଖର୍ଚ୍ଚ ବଢୁଛି। ତେଣୁ ଶିବା ଭାଈଙ୍କ ଝିଅମାନଙ୍କ ପାଠ ପଢିବା ବନ୍ଦ କରି ଦେଲେ ଭଲ ହୁଅନ୍ତା। ଟଙ୍କା ବଞ୍ଚି ଯିବ। ଝିଅମାନଙ୍କୁ ପାଠ ପଢାଇ ଲାଭ କଣ? 


ଏ କଥାରେ ମମତା ବି ରାଜି ହୋଇ ଗଲେ। ହେଲେ ଏବେ ଆଉ ଶିବା ଚୁପ ରହି ପାରିଲେ ନାହିଁ। ଯେତେ ହେଲେ ବି ବାପା ନା। ପାଠ ନ ପଢି ସେ ଯେଉଁ ଭୂଲ କରିଛନ୍ତି ଏବେ ସେ ଅନୁଭବ କରିଛନ୍ତି। ତେଣୁ ତାଙ୍କ ଝିଅମାନଙ୍କ ଭବିଷ୍ୟତ ଅନ୍ଧାର ନ କରିବା ପାଇଁ ସେ ମୁହଁ ଖୋଲିଛନ୍ତି। ହେଲେ ଦେବା ଆଉ ମମତା ରାଜି ହୋଇ ନାହାଁନ୍ତି। 


ଏ କଥା ପଞ୍ଚାୟତରେ ପଡିଲା। ଘରର କଥା ପଦାକୁ ଆସିଲା। ପଞ୍ଚାୟତରେ ଦେବା ବ୍ୟବସାୟକୁ ଆଗକୁ ବଢାଇ ଥିବାରୁ ବାପାର ସବୁ ସମ୍ପତ୍ତି ଉପରେ ତାଙ୍କର ଅଧିକାର ଅଛି ବୋଲି ଯୁକ୍ତି ବାଢିଲେ। ଘର ଚଳାଇବାରେ ସାନ ପୁଅ ଟଙ୍କା ଦେଉ ଥିବାରୁ ସାନ ପୁଅ ସପେକ୍ଷରେ ମମତା ରହିଲେ। ଅବଶ୍ୟ କିଛି ସମ୍ପତ୍ତିର ମାଲିକାଣୀ ମମତାଙ୍କୁ ତାଙ୍କ ସ୍ୱାମୀ ଆଗରୁ କରି ସାରି ଥିଲେ। ମମତାଙ୍କ ଯୁକ୍ତି ଶିବାଙ୍କୁ ବାଧିଲା। କିନ୍ତୁ ସେ ଦେଖିଲେ ଯେ ମାଆଙ୍କ ଦେହ ଏ ଯୁକ୍ତି ବେଳେ ଖରାପ ହେବାରେ ଲାଗୁଛି। ଶେଷରେ ଶିବା ମାଆଙ୍କ ସ୍ୱାସ୍ଥ୍ୟ କୁ ଦେଖି ସେ ପଞ୍ଚାୟତ ସାମ୍ନାରେ କହିଲେ ଯେ ତାଙ୍କର ଆଉ ସମ୍ପତ୍ତିରେ ଅଧିକାର ଦରକାର ନାହିଁ। ହେଲେ ସେ ଏ ଗାଁ ଛାଡି ପଳାଇବେ। 


ଶେଷରେ ଶିବା ସ୍ତ୍ରୀ ବିନି ଆଉ ଦୁଇ ଝିଅଙ୍କୁ ନେଇ ଗାଁ ଛାଡି ପଳାଇଲେ ଏବଂ ପାଖ ଗାଁରେ ଭୋଡା ଘର ନେଇ ରହିଲେ। ସାଙ୍ଗଠାରୁ ଋଣ ନେଇ ନିଜର ଗୋଟିଏ ବ୍ୟବସାୟ ଆରମ୍ଭ କଲେ। ଗାଁ ଗାଁ ସାଇକେଲରେ ବୁଲି ସହରରୁ ଜିନିଷ ଆଣି ବିକିଲେ। ବ୍ୟବସାୟ ତାଙ୍କର ଆସ୍ତେ ଆସ୍ତେ ଭଲ ଚାଲିବାରେ ଲାଗିଲାଣି। ସେ ସାଙ୍ଗକୁ ଋଣ ସୁଝି ନିଜର ଗୋଟିଏ ସ୍କୁଟି କିଣିଛନ୍ତି ଏବଂ ଝିଅମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢାଉଛନ୍ତି। 


ଶିବା ଯିବା ପରେ ମମତାଙ୍କ ଅବସ୍ଥା ଖରାପ। ଘରର କାମ ସବୁ ମମତାଙ୍କୁ କରିବା ପାଇଁ ପଡୁ ଥାଏ। ସାନ ବହୁତ ତ ଗର୍ଭବତୀ ଅଛି ବୋଲି ପାଣି ଗିଲାସେ ବି ନିଜେ ନେଇ ପିଏ ନାହିଁ। ମମତା ଏବେ ବୁଝି ପାରୁ ଥିଲେ ଯେ ବଡ ବୋହୂ ବିନି କେତେ ଭଲ ଥିଲେ। ଘରର ସବୁ କାମ ଏକୁଟିଆ ସେ କରୁ ଥିଲେ। ମମତାଙ୍କ ଦେହ ଭଲ ନ ରହିବାରୁ ସେ ଆଉ ଘରର କାମ କରି ପାରିଲେ ନାହିଁ। ଶେଷରେ ଗୋଟିଏ ଚାକରାଣୀ ଆସିଲା କାମ କରିବାକୁ। ଘର ପାଇଁ ବେଶୀ ଟଙ୍କା ଖର୍ଚ୍ଚ ହେଉଛି କହି ଦେବା ଆଉ ମମତାଙ୍କୁ ଟଙ୍କା ଦେଲେ ନାହିଁ ଏମିତି କି ବେଳେ ଔଷଧ ବି ଆଣି କି ଦେଲେ ନାହିଁ। ଦିନେ ହଠାତ୍ ଗୋଟିଏ କଣ କାଗଜରେ ଦେବା ମମତାଙ୍କ ଆଙ୍ଗୁଠି ଟିପ ନେଲେ। 


ଦୁଇ ଦିନ ପରେ ଦେବା ଆଉ ଲତା ମମତାଙ୍କୁ ନାନା କଟୁ କଥା କହି ଘରୁ ବାହାର କରି ଦେଲେ। ଗାଁ ଲୋକଙ୍କ ସାମନାରେ ତାଙ୍କୁ ଅପମାନିତ କରିଥିଲେ।


ଏବେ ମମତା ନିଜ କର୍ମ ପାଇଁ ଲଜ୍ଜିତ ଅନୁଭବ କରୁଥିଲେ। ଦିନେ ନିଜେ ସେ ବଡ ପୁଅ ଶିବା ଆଉ ତାଙ୍କ ସ୍ତ୍ରୀ ବିନିଙ୍କୁ ଟିକିଏ ଟଙ୍କା ପାଇଁ ଏମିତି ଅପମାନ କରି ବାହାର କରି ଦେଇ ଥିଲେ ଆଉ ଆଜି ସେଇ ଟଙ୍କା ପାଇଁ ସାନ ପୁଅ ଦେବା ତାଙ୍କୁ ଘରୁ ବାହାର କରି ଦେଲା। ଏବେ ସେ ଯିବେ କୁଆଡେ? ବଡ ପୁଅ ସହ ତ ସମ୍ପର୍କ ନିଜେ ସେ ଭାଙ୍ଗି ଦେଇଛନ୍ତି। ମନେ ମନେ ଭାବୁଛନ୍ତି ଏବେ ସେ କେଉଁ ମୁହଁ ନେଇ ବଡ ପୁଅ ପାଖକୁ ଯିବେ ? ଭଙ୍ଗା ସମ୍ପର୍କ କି ଯୋଡି ହେବ? ଏମିତି ଭାବୁ ଭାବୁ ମମତାଙ୍କ ମୁଣ୍ଡ ବୁଲାଇବା ରେ ଲାଗିଲା। ଚେତା ଯିବା ଆଗରୁ ସେ ଦେଖିଲେ ଯେ ଗୋଟିଏ ସ୍କୁଟି ଆସି ଅଟକିଛି। 


ଚେତା ଫେରିଲା ବେଳକୁ ଦେଖିଲେ ଯେ ସେ ଡାକ୍ତରଖାନାରେ ଅଛନ୍ତି। ପାଖରେ ବଡ ପୁଅ ଶିବା ଆଉ ବୋହୂ ବିନି। ଦିନେ ରହିଲା ପରେ ଶିବା ତାଙ୍କୁ ଘରକୁ ନେଇ ଆସିଲେ। ମମତା କହିଲେ ମୁଁ ନିଜକୁ ଲଜ୍ଜିତ ମନେ କରୁଛି। ମୁଁ କେବେ ଭାବି ନ ଥିଲି ଆମର ଏ ଭଙ୍ଗା ସମ୍ପର୍କ ଆଉ କେବେ ଯୋଡି ପାରିବ ବୋଲି। 


ଶିବା : ମାଆ ପୁଅର ସମ୍ପର୍କ କଣ କେବ ଭାଙ୍ଗି ପାରିବ। ହଁ ଆଉ କିଛି ସମ୍ପର୍କ ହୋଇ ଥିଲେ ତାହା ଭାଙ୍ଗି ଯାଇ ଥାଆନ୍ତା। ମୋର କେବଳ ତୁମର ଆଶୀର୍ବାଦ ଦରକାର। 


ମମତାଙ୍କ ଆଖି ଛଳଛଳ ହୋଇ ଗଲା। 


ଶିବା ମାଆଙ୍କ ଠାରୁ ସବୁ ଶୁଣିଲେ। ଓକିଲ ସହ ପରାମର୍ଶ ନେଇ ଜାଣିଲେ ଯେ ଦେବା ମାଆଙ୍କୁ ଘରୁ ବାହାର କରିବା ଆଗରୁ ମାଆଙ୍କ ନାମରେ ଥିବା ସବୁ ସମ୍ପତ୍ତି ମିଛ କହି ମାଆଙ୍କ ଆଙ୍ଗୁଠି ଟିପ ନେଇ ନିଜ ନାମରେ କରିବାକୁ ଚାହିଁଛି। ହେଲେ ଭାଗ୍ୟ ଭଲ ଥିବାରୁ ରେଜିଷ୍ଟରର ନ ଥିବାରୁ ଏ ଯାଏଁ ଦେବାଙ୍କ ନାମକୁ ଯାଇ ନାହିଁ। ଶିବା ମମତାଙ୍କୁ ନେଇ ସେଇ ଦଲିଲକୁ ଖାରଜ କରିଛନ୍ତି। ମମତାଙ୍କ ନାମରେ ସବୁ ସମ୍ପତ୍ତି ପୁଣି ତାଙ୍କ ନାମରେ ରହିଛି। 


ମମତା ଯେଉଁ ନାତୁଣୀମାନଙ୍କୁ ଦିନେ ପଚାରୁ ନ ଥିଲେ ସେଇ ନାତୁଣୀମାନେ ତାଙ୍କୁ ଏତେ ଯେ ଗେହ୍ଲ କରୁଛନ୍ତି ଆଉ ବିନି ତାଙ୍କୁ ଟିକିଏ ବି କିଛି କରିବା ପାଇଁ ଦେଉ ନାହାଁନ୍ତି। ମମତାଙ୍କୁ ଲାଗିଲା ଯେମିତି ବିନି ତାଙ୍କର ବୋହୂ ନୁହେଁ ବରଂ ଝିଅ। ଶିବାଙ୍କ ପାଖରେ ଟଙ୍କା କମ ଅଛି କିନ୍ତୁ ତାଙ୍କ ପରିବାରରେ ସମସ୍ତଙ୍କ ହୃଦୟ ବହୁତ ସୁନ୍ଦର। ମମତା ଓ ଶିବାଙ୍କ ସମ୍ପର୍କ ସିନା ଯୋଡି ଯାଇଛି ହେଲେ ସେ ଭାଙ୍ଗି ଯାଇଥିବାର ଦାଗ ଏବେ ବି ମମତାଙ୍କ ମନରେ ଅଛି। ଯେଉଁଠି ପାଇଁ ସେ ଆଜି ମନେ ମନେ ଅନୁତାପ କରୁଛନ୍ତି। ଆଉ ଦେବା ସହ ସମ୍ପର୍କ ପୁରା ବିଚ୍ଛିନ୍ନ ହୋଇ ଯାଇଛି। ମମତା ଶିବାଙ୍କ ପରିବାର ସହ ଖୁସିରେ ରହୁଛନ୍ତି।


Rate this content
Log in

Similar oriya story from Drama