STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

ମା' ଓ ଶାଶୁ

ମା' ଓ ଶାଶୁ

5 mins
232


ଶ୍ରଦ୍ଧେୟ        ସ୍ଥାନ...ମରଣଭୂଇଁ

ମୋର ପୁଅ,         ତାରିଖ...ଅନିର୍ଦ୍ଦିଷ୍ଟ


ପୁଅରେ !

  ତୋତେ ତୋ ମାଆର ଅସରନ୍ତି ମମତା, ଅଶେଷ ସ୍ନେହ, ଅଗାଧ ଶ୍ରଦ୍ଧା । ତୋ ପିଲାମାନଙ୍କୁ ଓ ବୋହୁ ମା'କୁ ମୋର ଅନ୍ତରଭରା ଶୁଭେଚ୍ଛା ସହିତ ଭଲ ପାଇବା । ଠାକୁରେ ତୋର ସବୁ ମଙ୍ଗଳ କରନ୍ତୁ । ତାଙ୍କର ଅପାର ମହିମାରେ ଘଣ୍ଟ ଘୋଡାଇ ରଖନ୍ତୁ । ତୋ ସପରିବାର କଲ୍ୟାଣ ହେଉ । ମୁଁ ତୋର ମାଆ, ଅନୁରୋଧ କରି ପାରୁନି କି ଆଦେଶ ବି ଦେଇ ପାରୁନି । କେବଳ ଟିକିଏ ଭରସା ରଖି ଦି' ଧାଡି଼ ଲେଖୁଛି, ପଢିବା ସମୟ ବାହାର କରି ପଢିବୁ,ତରତର ହେବୁନି । ହଁ, ତୋ ମୂଲ୍ୟବାନ ସମୟ ନଷ୍ଟ ନ କରି ଅବସର ବା ବଳକା ସମୟରେ ଶେଷ ଯାଏଁ ପଢିବୁ, ଆଉ ପଢି ସାରି ଛିଡି଼ ଫିଙ୍ଗି ଦେବୁ । ଜାଣିଛି ମୁଁ ତୋ କଥା, ତଥାପି ଜଣାଉଛି କେବଳ ଏଇଥି ପାଇଁ ତୋ ମାଆ ବୋଲି । ଜୀବନରେ ତ ଅନେକ କଥା ତୋତେ କହିଛି । ସହରରେ ପଢୁଥିଲା ବେଳେ ଅନେକ ଚିଠି ବି ଲେଖିଛି ତୋ ପାଖକୁ । କାହିଁକି କେ ଜାଣି ଏଇଟା ବୋଧହୁଏ ତୋ ପାଖକୁ ମୋ ଶେଷ ଚିଠି ବୋଲି ମୋ ମନ କହୁଛି । ପୁଅଟିଏ ଜନ୍ମ କରି ମୁଁ ସେଦିନ ମାଆ ହେବାର ସାର୍ଥକତା ପାଇଥିଲି । ତୋତେ ମୋର ମାତୃତ୍ୱ ଦେଇ ପାରୁ ପର୍ଯ୍ୟନ୍ତ ମଣିଷଟି ଗଢିବା ପାଇଁ ଶତ ଚେଷ୍ଟା କରିଛି । ତୋ ଅଳି ଅର୍ଦ୍ଦଳି ଅଝଟପଣ ସବୁ ସହିଛି । ତୋ ପାଇଁ ବାର ବ୍ରତ ଉପାସନାରେ କେବେ ଊଣା କରି ନାହିଁ, ଠାକୁରଙ୍କୁ ତୋର ଶୁଭ ହିଁ ମନାସିଛି । ତୋ ମୁହଁର ହସ ଦେଖି ନିଜକୁ ନିଜେ ଏକ ସଫଳ ନାରୀ ମମତାମୟୀ ମାଆ ଭାବି ନୀରବରେ ପ୍ରଶଂସା କରିଛି । ତୋ ବାପାଙ୍କର ଆଶା ଆକାଂକ୍ଷା ସବୁ ପୂରଣ ପାଇଁ ତୋର ସେବା ଯତ୍ନରେ କେବେ ଅବହେଳା କରି ନାହିଁ ।   ଏ ଯାଏଁ ମୁଁ ମୋର ହିଁ ପ୍ରଶଂସା ସୁନାମ ଗାଇ ହେଉଛି । ଏବେ ତୋ କଥା କେଇ ପଦ ଲେଖୁଛି । ରାଗିବୁନି ଧନ । ଛାତିର କୋହ ଆଖିର ଲୁହକୁ ଆଉ ସମ୍ଭାଳି ପାରୁନି । ତଥାପି ଜୋର୍ କରି ଅଟକାଇ ଏ ଚିଠି ଲେଖୁଛି । ଆଖି ଲୁହରେ ଭିଜି ଗଲେ ଏ ଚିଠି କାଳେ ତୁ ପଢି ପାରିବୁନି । ଆଜି ମୁଁ ତୋ ଭଡା଼ଘର ଛାଡି ଚାଲି ଆସିଛି । କାହିଁକି ତୁ ଜାଣୁ । ମୋ ଇଚ୍ଛାରେ ନୁହେଁ, ତୋ କଥାରେ ଆସିଛି । ଏକ ପ୍ରକାର ବୋହୁ ମା'ର ତାଗିଦ୍ ଓ ବାଧ୍ୟ ବାଧ୍ୟକତାରେ । ଉପାୟ ଆଉ କଣ ଥିଲା, ବୁଢି ମଣିଷଟା, ତା ପାଇଁ ଘର ଆବଶ୍ୟକତା କ'ଣ ଯେ, ମୁଣ୍ଡ ଗୁଞ୍ଜିବାକୁ ଗଛ ତଳ ଯଥେଷ୍ଟ । ମୁଁ ତୋ ଭଡା ଘରୁ ଆସିବାକୁ ବାଧ୍ୟ ହେଲି, ତୁ ଯେତେ ବେଳେ ମୋର ଲୁଗାପଟା ସହ ହାତରେ କେଇଟା ଟଙ୍କା ଧରାଇ ଦେଇ ଅଟୋରେ ବସାଇ ଦେଲୁ ନ ଆସି ଆଉ କ'ଣ କରିଥାନ୍ତି । ତୁ ଗାଁକୁ ଯିବାକୁ କହିଥିଲୁ ମୁଁ ଗାଁକୁ ଆସିନିରେ, ତୋର ସୁବିଧା ପାଇଁ ମଶାଣିକୁ ଆସିଛି । ମଲେ ତୋତେ ଆଉ କଷ୍ଟ କରି ମୋ ଶବ ପାଇଁ କାନ୍ଧ ଦେବାକୁ ପଡିବନି କି ଲୋକବାକ ଡାକିବାକୁ ପଡିବନି । ତୋ ମାଆ ପରା ମୁଁ ତୋତେ କଷ୍ଟ ଦେଇ କେମିତି ପାରିଥାନ୍ତି ଯେ... ତୋ ପିଲାମାନେ ନାଚୁଥିଲେ ଫୋନରୁ କଥା ଶୁଣି ଆଈ ଆସିବେ କହି, ବୋହୁ ମା' ଯେତେବେଳେ ଗପୁ ଥିଲେ ତୋ ଶାଶୁ ସାଙ୍ଗରେ । ମୁଁ ବି ଖୁସି ଥିଲି ସମୁଦୁଣୀ ଆସିବେ, ଦେଖା ହେବ । ହେଲେ ପ୍ରମାଦ ଗଣିଲି ଯେତେବେଳେ ଜାଣିଲି ମୋତେ ଗାଁ'କୁ ଯିବାକୁ ହେବ ଏକା । ହଁ, ମୁଁ ଏକା ତୋ ବାପା ଚାଲିଗଲେ ଆର ପାରିକି ପାଞ୍ଚ ବରଷ ହେଲା । ମୁଁ ତୋର ବୋଝ ହୋଇ ପଡିଥିଲି । ତୋତେ ଭାରି କଷ୍ଟ ଦେଉଥିଲି । ଏବେ ଲାଘବ ହେବ ସେ କଷ୍ଟ ସବୁ । ମାଆ ବଦଳରେ ଶାଶୁ ମା' ତୋ ଆସିବେ । ମୋ ରୁମରେ ପରା ରହିବେ । ମୁଁ ବୁଢୀ ବେମାରୀ ଲୋକଟା, ଗୋଟିଏ କୋଠରୀରେ ତୋ ଶାଶୁ ରହିଲେ ମୋ ରୋଗ ତାଙ୍କୁ ଡେଇଁବ । ବୋହୁ କହୁଥିଲା ତୋତେ ମୋତେ ଶୁଣେଇ ଶୁଣେଇ, ତୁ ତ ପିଇ ଯାଉଥିଲୁ ସବୁ...,ଆରେ ମୋ କ୍ଷୀର ପିଇ ତୁ ଏତେ ବଡ଼ ହେଲୁ ମୋ ରାନ୍ଧଣା ଖାଇ ପାଠ ପଢିଲୁ ତୋ ବାପା ଏତେ ଦିନ ବଞ୍ଚିଲେ । କାହିଁ କାହାକୁ ତ ମୋର ଡେଇଁଲାନି । ହଁ ଏବେ ତ ପଞ୍ଚଷଠି ବର୍ଷର ବୁଢୀ, ରୋଗଟା ଡେଇଁ ପଳାଇବ, ମୁଁ ଆଉ ଅଟକାଇ ରଖିବାକୁ ବଳ ପାଉ ନାହିଁ, ତାଛଡା ମୋ ଦେହରେ ଆଉ କଣ ଅଛି

ଯେ ରୋଗ ମୋତେ ଲୋଭ କରିବ, ତୋ ଶାଶୁ ତ ଏବେ ବି ସେମିତି ଫିଟ୍ ଫାଟ୍ । ମୋ' କାହିଁ କେତେ ସାନ । ଦୁନିଆଁ ଦେଖିବାକୁ ତାଙ୍କର ଗୋଟେ ଯୁଗ ଅଛି ପରା । ସେଇଥି ପାଇଁ ତୀର୍ଥ କରିବା ପାଇଁ ତୋ ଭଡାଘରର ମଠକୁ ଆସିବେ । ଝିଅ ଜୋଇଁ ପାଖରେ ରହିବେ, କୁଣିଆଁ ହୋଇ ନୁହେଁ ମ, ପୁରା ଘରର ଜଣେ ସଦସ୍ୟା ହୋଇ । ଘର ତ କେତେ ନିଅଣ୍ଟିଆ ମୋ'ଠୁ ତୁ ବେଶି ଜାଣିଛୁ । ରହିବାକୁ ସୁବିଧା କହି ମାସକୁ ଦଶ ହଜାର ଟଙ୍କାରେ ନେଇଛୁ । କହୁଥିଲୁ କିଏ ଗଲେ ଆସିଲେ ରହିବାକୁ ସୁବିଧା ପାଇବ, ଚଳିବାରେ କିଛି ଅସୁବିଧା ହେବନି । ଏବେ ତ ସବୁ ଭୁଲି ଗଲୁଣି । ତୋ ଶାଶୁ ପ୍ରତି ଧ୍ୟାନ ଦେବୁ । ତାଙ୍କର ଯେମିତି ଚଳିବାରେ ଅସୁବିଧା ନ ହୁଏ । ଶାଶୁ ମା' ପରା । ଝିଅ ଦେଇ ପୁଅ ପାଇଛନ୍ତି । ହଁ ରେ ମୁଁ ସେଇ ଦିନୁ ଜାଣିଛି, ଯେବେ ବୋହୁ ଘରକୁ ଆସିଲା । ବୁଝିଗଲି ପୁଅ ମା' ର ବାଡୁଅ ଥିବା ଯାଏ, ଆଉ ବାହାଘର ପରେ ବୋହୁର ।ଆଉ ତୁ ମାଆ ବଦଳରେ ମାଆ ପାଇଲୁ । ମୋର ଆଉ କି ଦରକାର ଯେ, ମୁଁ ଅଲାଜୁକି ତୁଠ ପଥର ପାରି କାହିଁକି ଯେ ପଡି ରହିଥିଲି ଏତେ ଜାଣି । ସତରେ ପୁଅ ମାଆ ନା ସବୁ ସହି ପାରେ, ସେ ସର୍ବଂସହା । ଦେଖୁନୁ ମୁଁ କେମିତି ସବୁ ସହି ଯାଉଛି । ଆଖିରୁ ଦି ଟୋପା ଲୁହ ବି ଝରାଉନି । ଛାତିକୁ ପଥର ପରି ଟାଣ କରି ମଶାଣିରେ ମରଣକୁ ଡାକୁଛି । ଭଲା ମରଣଟା ବୋଲକରା ଲୋକଟା ପରି ଆସନ୍ତା କି, ନା ନାରେ ଏବେ ନୁହେଁ,ଆସିବ ତ ଆସୁ, ତୋ ପାଖକୁ ମୋର ଏ ଚିଠିଟା ଲେଖା ସରୁ । ଆରେ ମୁଁ ମାଆ, ତୋର ସାହା ଥିଲି ଥିବି ମଲେ ବି ମୋ ଆଶୀର୍ବାଦ ତୋ ପାଖରେ ସବୁଦିନ ଥିବ । ଦୁଃଖ ମୋ ମରିବାକୁ ତିଳେ ନାହିଁ । ଦୁଃଖ କେବଳ ଏତିକି ତୁ ମାଆ ଆଉ ଶାଶୁ ଭିତରର ଫରକ୍ କ'ଣ ମୋ ଜଣେଇ ଦେଲୁ । ତୁ ଜାଣି ପାରିଲୁନି । ମୋ କଥାରେ ତୋ ବାପାର ଉପଦେଶରେ ବା ତୋର ସେ ମୋଟା ମୋଟା ପଢା ବହିର ପାଠରେ... । ବଡ଼ ଚାକିରୀ କରିଛୁ,ଭଲ ରୋଜଗାର କରୁଛୁ । ଟଙ୍କାର ତ ଅଭାବ ନାହିଁ । କହୁଥିଲୁ ପରା କୋଠା ତୋଳିବୁ ତୋଳ । ଆଉ ଭଡାଘରେ ରହି କଷ୍ଟ ପାଇବୁ କାହିଁକି ? ହଁ, ଗୋଟେ କଥା ମନେ ରଖିବୁ ଯଦି କେବେ କୋଠା ତୋଳୁ ସେ କୋଠାରେ ମୋର କି ତୋ ବାପାର ଫୋଟ ଝୁଲେଇବୁନି । ଏଇଟା ମୋ ରାଣ ତୋତେ । ପାରିବୁ ତ ତୋ ଶାଶୁ ଶଶୁରଙ୍କ ଆଛା ସେ ବଡ଼ ବଡ଼ ଫୋଟ ଟାଙ୍ଗି ଦେବୁ ସଦର ଦରଜା କାନ୍ଥରେ, ଗଲେ ଆସିଲେ ଯେମିତି ସହଜରେ ଦେଖି ପାରିବେ ସମସ୍ତେ । ଆଉ ବେଶି ଲେଖୁନି, କେବଳ ଗୋଟିଏ କଥା ମୁଁ କାହାକୁ ଜଣେଇ ପାରିଲିନି, ଆଶା ଭରସା ବିଶ୍ଵାସ ରଖୁଛି...ତୁ ନିଶ୍ଚୟ ଜଣାଇ ଦେବୁ, ସେଇ ମାଆମାନଙ୍କୁ ଯେଉଁମାନେ ପୁଅ ପୁଅ ହୋଇ ମୋ ପରି ପାଗଳୀ ହେଉଛନ୍ତି । ମରିବା ଆଗରୁ ତୋତେ ମୋର ଶେଷ ଆଶୀର୍ବାଦ କରୁଛି । ଭଲରେ ରହିବୁ । ମୋ କଥା ଏତିକି... ଅନ୍ତତଃ ଥରୁଟିଏ ବୁଝିବୁ, ମା' ଶାଶୁ ଦୁହେଁ ସମାନ । ଜଣକ ପାଇଁ ଅନ୍ୟ ଜଣକୁ ଏମିତି ଆଉ ଯେମିତି ତୋ'ଠୁ ଦେଖି ଶୁଣି ଆଉ କେହି କେବେ ନ କରନ୍ତୁ ଆଉ ତୋ ପରି ପୁଅଟିଏ ମୋ ପରି ମାଆର ଗର୍ଭରେ ଜନ୍ମ ନ ହେଉ... ହେ ଠାକୁରେ ମୋ ଭୁଲ୍ ଧରିବନି । କ୍ଷମା ଦେବ ମୋ ପୁଅକୁ...ବୋହୁକୁ...   ଆଉ ଏ ଚିଠି ପଢି ସାରିବା ବେଳକୁ ମୋତେ ନେଇ ଯାଇଥିବ ତୁମ ପାଖକୁ... ମୋ ପ୍ରାର୍ଥନା ଶୁଣ ପ୍ରଭୁ ! ସଂସାରଟା ସଜାଡି ଦେଇଥିବ କେବେ ଯଦି ମୁଁ ଆଉ ଥରେ ଜନ୍ମ ନିଏ ତା ଆଗରୁ.... ।ଇତି ।

     ତୋର ମାଆ  

  ( ମାଆ ନାମିତ ଏକ ବୋଝ)



Rate this content
Log in

Similar oriya story from Tragedy