ମା ଓ ଶାଶୁ
ମା ଓ ଶାଶୁ
ସ୍ବାତୀ ଉଚ୍ଚ ଶିକ୍ଷିତା ଓ ଚାକିରି କରିଥିବା ଝିଅ। ଶାଶୁଘର ମଫସଲ ଗାଁରେ। କେମିତି ସେମାନଙ୍କ ସହିତ ଖାପ ଖୁଆଇ ଚଳିବ ଭାରି ଚିନ୍ତା। ଶାଶୁ ଟିକିଏ ପୁରୁଣା କାଳିଆ ଲୋକ। ବସିଲେ ଉଠିଲେ ପ୍ରତି କଥାରେ କିଛି ନା କିଛି କହିବେ। ଏ ସବୁ ଶୁଣି ସେ ମନେ ମନେ ରାଗେ ସିନା କିଛି କହିପାରେନି। ଅବଶ୍ୟ ସେ ଭଲ କଥା ବି କହନ୍ତି। ବେଳେ ବେଳେ ଜୋରେ ଚିଲେଇକି କହି ଦିଅନ୍ତି ଯେ ସ୍ବାତୀକୁ କାନ୍ଦ ଲାଗେ।ଭାବେ କେତେ ବାଜେ ବୁଢୀଟା। ସବୁବେଳେ ଏମିତି ଗରଗର ହେଉଛି।ଇଚ୍ଛା ତ ହୁଏ ଜବାବ ଦେବାକୁ। ହେଲେ ବୋଉ କହିଛି ଶାଶୁଙ୍କୁ ଉତ୍ତର ଦବୁନି।
କିଛି ଦିନ ପରେ ସେ ମା ହେଲା। ମେଡିକାଲରେ ପାଖରେ ଶାଶୁ ରହିଲେ। ଛୁଆର ଓ ତାର ବହୁତ ସେବା କଲେ। ସେ କେବେ ଭାବିନଥିଲା ଯେ ଶାଶୁ ତାର ଏତେ ସେବା କରିବେ ବୋଲି। କିନ୍ତୁ ପାନରୁ ଯେମିତି ଚୁନ ନ ଖସେ। ମୁଣ୍ଡରୁ ଓଢଣା ଯେମିତି ନ ଖସେ। ଚାକିରି କରି ଥିବାରୁ ଛୁଟି ସରିବା ପରେ ଯିବାକୁ ପଡିଲା। ଛୁଆର ଯତ୍ନ ନେବା ପାଇଁ ଶାଶୁ ସାଂଗରେ ଗଲେ। ସେଠି ତ ସେ ନାଇଟ୍ ପିନ୍ଧେ। ତାଙ୍କ ଦେହରେ ଗଲାନି। ଛୁଆ କ୍ଷୀର ଖାଇବାକୁ ଅସୁବିଧା ହେବ। ଲୁଗା ପିନ୍ଧି। ବୋଉ କିଛି ଅସୁବିଧା ହଉନି। ଲୁଗା ପିନ୍ଧି ସବୁ କାମ ସାରି ଅଫିସ ଗଲା ବେଳକୁ ଡେରି ହେଇଯିବ। ପୁରୁଣା କାଳିଆ ଲୋକ ତ। ସାହି ପଡିଶା ଆଗରେ ଗପିବା ଅଭ୍ୟାସ ଅଛି। ଆଜିକାଲି କଣ କିଏ ଆଉ ଶାଶୁକୁ ଖାତିର୍ କରୁଛି। ଦେଖୁନ କଅଁଳା ଛୁଆଟିଏ ଶାଢ଼ୀ ପିନ୍ଧିବାକୁ କେମିତି ଡ୍ରେସ୍ ପିନ୍ଧୁଛି। ରୋଷେଇ ବାଗରେ କରୁନି।ମତେ ତ ଗ୍ୟାସ୍ ଲଗେଇ ଆସୁନି ନ ହେଲେ ମୁଁ କରି ଦିଅନ୍ତି। କଣ କାମ ବା ହାତ ବୁଲେଇଦେଲେ କାମ ସରିବ। ମତେ କାମ ଦେଖାଉଛି। ସ୍ଵାତୀ ସବୁ ଶୁଣେ। ମନେ ମନେ ଭାବେ ଖାଲି ଛୁଆଟା ଅଛି ବୋଲି ନହେଲେ ଏ ବୁଢୀ କି କିଏ ପାଖରେ ରଖନ୍ତା ବା।
ହଠାତ୍ ସ୍ବାତୀକୁ ଜ୍ଵର ହେଲା। ତିନିଚାରି ଦିନ ଲାଗି ରହିଲା। ଗୋଡହାତ ଭାରି ବିନ୍ଧା ହେଲା। ଛୁଟି ନେଇ ଘରେ ରହିଲା। କଷ୍ଟେମଷ୍ଟେ ରୋଷେଇ କରିଦିଏ।ଭାବୁଥାଏ କିଏ ଟିକେ ଗୋଡହାତ ଘଷି ଦିଅନ୍ତା କି। ଦିନେ ଶୋଇଚି। ଗୋଡ଼ରେ କାହାର ହାତ ବାଜି ନିଦ ଭାଙ୍ଗିଗଲା। ଦେଖିଲା ଶାଶୁ ବସି ଗୋଡ ଘଷି ଦେଇଛନ୍ତି। ସେ ଉଠି ବସିଲା। ବୋଉ କଣ କରୁଛ? ମୋ ଗୋଡ ତମେ ଘଷୁଛ। ମୋର ପାପ ହେବ। ପାପ କାଇଁ ହବ। ଏଠି ଆଉ କିଏ ଅଛି କି କରିବ? ମୋ ଦେହ ଖରାପ ହେଲେ ତୁ କରିବୁ ତୋର ହେଲେ ମୁଁ କରିବି। ଏତିକି କହି ସେ ପୁଣି ଗୋଡହାତ ଘଷିଦେଲେ। ତା ଅଜାଣତରେ ଆଖିରୁ ଧାର ଧାର ଲୁହ ଗଡି ଆସିଲା। ମୁଁ ତାଙ୍କୁ କେତେ ଖରାପ ଭାବୁଥିଲି। ହେଲେ ତାଙ୍କ ମନ ଭିତରେ ଏତେ ସ୍ନେହ ଭରି ରହିଛି ମୁଁ ଜାଣି ନଥିଲି। ସତରେ ଶାଶୁମାନେ ବି ମାଆ ହେଇ ପାରନ୍ତି।
