ମା ଓ ମମତା
ମା ଓ ମମତା
ମା' ଏକ କ୍ଷୁଦ୍ର ଶଦ୍ଦ ହେଲେ ମଧ୍ୟ ତା'ର ମହିମା ଅପାର, ଅବର୍ଣ୍ଣନୀୟ, ଅତୁଳନୀୟ। ପୃଥିବୀରେ ସବୁଠାରୁ ତା'ର ସ୍ଥାନ ସ୍ଵତନ୍ତ୍ର ଆଉ ଉର୍ଦ୍ଧ୍ବରେ। ମା'ର ତ୍ୟାଗ, ନିଷ୍ଠା, ଆଦର୍ଶ,ମହାନତା ନିକଟରେ ସମସ୍ତେ ଋଣି।
ନାରୀ ଯେତେବେଳେ ମାତୃତ୍ଵ ଲାଭ କରେ ସେତେବେଳେ ତା'ର ଜୀବନର ସାର୍ଥକତା ପୂର୍ଣ୍ଣ ହୋଇଥାଏ ଏବଂ ବହୁ ନିନ୍ଦା ଅପନିନ୍ଦାରୁ ବଞ୍ଚିତ ହୁଏ। ଗୋଟିଏ ମା ତା'ର ସନ୍ତାନର ସର୍ବଦା ସୁଖ, ଉନ୍ନତି ଚାହିଁଥାଏ। ଭବିଷ୍ୟତରେ ସେ କିପରି ଜଣେ ଉତ୍ତମ ନାଗରିକ ହୋଇପାରିବ ଏବଂ ସମାଜରେ ଜଣେ ଆଦର୍ଶଵାନ ଓ ସ୍ୱାବଲମ୍ବୀ ହୋଇପାରିବ ସେଥିପାଇଁ ସର୍ବଦା ଚେଷ୍ଟା କରିଥାଏ।ମାଆ ଡାକରେ ସତେ ଯେମିତି ସ୍ୱର୍ଗର ସୁଖ ମିଳିଥାଏ ଓ ମାତୃତ୍ଵ କୋଳ ପୂର୍ଣ୍ଣ ହୋଇଥାଏ।ସେ ତାର ସନ୍ତାନ ପ୍ରତି ବାତ୍ସଲ୍ୟ ମମତାର ନିର୍ଝରଣୀଟିଏ ସାଜି ନିଜକୁ ଉତ୍ସର୍ଗୀକୃତ କରି ଲାଳନପାଳନ କରିଥାଏ।
ଠିକ୍ ସେହିପରି ମମତା ବିବାହର ବହୁ ଅତିକ୍ରମ କରିଯାଇଥିଲେ ମଧ୍ୟ ତା'ର କୋଳ ଶୂନ୍ୟ ଥିଲା। ଭଗବାନ ତାକୁ ପ୍ରଚୁର ଧନ ସଂପଦ ପ୍ରାଚୁର୍ଯ୍ୟ ସବୁ କିଛି ଅଜାଡ଼ି ଦେଇଛନ୍ତି କିନ୍ତୁ ତା'ର କୋଳରେ ସନ୍ତାନଟିଏ ଦେଇନାହାନ୍ତି। ସେଥିପାଇଁ ତା'ର ମନ ସବୁବେଳେ ବ୍ୟସ୍ତ ବିବ୍ରତ ଓ ଦୁଃଖରେ ଅତିବାହିତ ହେଉଥିଲା।ଅନ୍ୟର ଛୁଆକୁ ଦେଖିଲେ ତା ମନରେ ଅନେକ ଉତ୍କଣ୍ଠା ଭରିଯାଉଥିଲା ଓ ସେହି ଛୁଆକୁ କୋଳେଇ ଆଣି ଗୀତ ଗାଇ ସ୍ନେହ ଆଦର କରୁଥିଲା।ସେ ସର୍ବଦା ଈଶ୍ୱରଙ୍କୁ ପ୍ରାର୍ଥନା କରି କରି ଶେଷରେ ତା କୋଳରେ ଏକ ପୁତ୍ର ସନ୍ତାନ ଜନ୍ମଲାଭ କଲା।ଭୋଳା ବାବାଙ୍କ କୃପାରୁ ଜନ୍ମ ହୋଇଥିବା ହେତୁ ପୁଅର ନାଁ ରଖିଥାଏ ଭୋଳା। ଭୋଳା ଅତି ଅଲିଅଳରେ ଯତ୍ନର ସହ ବଢ଼ିବାକୁ ଲାଗିଲା।ତା ଦେହରେ ଦାଗ ଟିକିଏ ଲାଗିଗଲେ ମା ଦେହରେ କଣ୍ଟା ଫୁଟିଲା ଭଳି ଲାଗୁଥିଲା। ତାର ମା' ଡାକରେ ମମତାର ହୃଦୟ ସତେ ଯେପରି ଆନନ୍ଦର ଲହରୀ ଖେଳିଯାଉଥିଲା ଓ ତା ମାତୃତ୍ଵ କୋଳ ପୂରି ଉଠୁଥିଲା।
ଏହିପରି କିଛି ଦିନ ଅତିକ୍ରାନ୍ତେ ଭୋଳା ବଡ଼ ହୋଇ ଗୋଟିଏ ବଡ଼ ଅଫିସର ହେଲା ।ବୟସ ବଢିବା ସହ ମମତା ମଧ୍ୟ ଧିରେ ଧିରେ ଅସୁସ୍ଥ ଓ ରୁଗୁଣ ହୋଇଯିବା ହେତୁ ପୁଅର ଵିଵାହ କରାଇଦେଲା। ସେତେବେଳକୁ ମମତା ଅନ୍ଧୁଣୀ ହୋଇଯାଇଥାଏ।କିନ୍ତୁ ବୋହୁ ଏହି ଅସହାୟ ଓ ରୋଗିଣା ଶାଶୁକୁ ଦେଖି ଘୃଣା କରୁଥିଲା ଓ ସେବା କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲା।ସେ ସବୁବେଳେ ମମତା ବିରୋଧରେ ଭୋଳା ସମ୍ମୁଖରେ ଏଣେତେଣେ ଅଭିଯୋଗ କରେ।
ଦିନେ ମମତା ପ୍ରବଳ ଜ୍ବରରେ କମ୍ପୁଥାଏ । ତେଣୁ ସେ ପୁଅକୁ ଡାକ୍ତରଖାନା ନେଇଯିବା ପାଇଁ କହିବା ସତ୍ୱେ ମଧ୍ୟ ପୁଅ ଶୁଣିଲା ନାହିଁ। ନିଜ ସ୍ତ୍ରୀ କଥାରେ ପଡ଼ି ମାଆକୁ ଡାକ୍ତରଖାନା ନେଇଯିବା ପରିବର୍ତ୍ତେ ଏକ ବସ୍ତାରେ ଭର୍ତ୍ତି କରି ତାର ମୁହଁକୁ ବାନ୍ଧି ଦୁଇଜଣଯାକ ଘର ଠାରୁ ବହୁତ ଦୂରରେ ରାସ୍ତା କଡ଼ରେ ଥିବା ଏକ ଅଳିଆଗଦାରେ ଫୋପାଡ଼ି ଦେଇ ଆସିଲେ । ରଖେ ହରି ତ ମାରେ କିଏ! ତେଣୁ ସେଠାରେ ବସ୍ତା ଭିତରେ ଥାଇ ଛଟପଟ ହେଉଥିଵା ସମୟରେ ହଠାତ୍ ଜଣେ ଯୁବକ ଆସି ତାଙ୍କୁ ଉଦ୍ଧାର କରିଥିଲେ। ସେହି ଯୁବକ ଜଣକ ଵସ୍ତା ଖୋଲି ଦେଖି ଜାଣି ପାରିଥିଲେ ଓ ଚିହ୍ନି ପାରିଥିଲେ, ଯିଏକି ଏକ ଦୁର୍ଘଟଣାରେ ଆଖି ହରେଇଥିବା ନିଜ ପୁତ୍ରକୁ ଚକ୍ଷୁ ଦାନ କରିଥିଲେ।ସେ ନିଜ ପୁତ୍ରର ଖୁସି ପାଇଁ ଏବଂ ଦୁନିଆ ଆଲୋକ ଦେଖାଇଵା ପାଇଁ ନିଜକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଥିଲେ। ସେହି ମାଆଙ୍କ ଠାରୁ ସବୁକଥା ଶୁଣି ଭୋଳା ନିକଟକୁ ଯାଇ ମାଆର ଅନ୍ଧୁଣୀ ହେବା କଥା ଏବଂ ତ୍ୟାଗ ବିଷୟରେ ଜଣାଇ ଧିକ୍କାର କରିଥିଲେ।
ମାଆ ଯିଏକି ଦୁଃଖରେ ସାଥି ହୋଇ ସମସ୍ୟା ଦୂର କରିଥାଏ, ପ୍ରତି ପାଦରେ କଣ୍ଟା ଫୁଟିଵାକୁ ଦେଇ ନ ଥାଏ।ନିଜେ ଛୁଆର ସମସ୍ତ ଅଳି ଅର୍ଦ୍ଦଳି ସହି ଅନ୍ଧାର ପଥରେ ଆଲୋକର କିରଣ ଵୁଣି ଦେଇଥାଏ ।ଶରୀର ଅସୁସ୍ଥ ହେଲେ ଦିନ ରାତ୍ରି ଚିନ୍ତା କରି ଅନିଦ୍ରା ରହି ସେବା କରୁଥାଏ।ନିଜେ ନଖାଇ ଉପାସ ରହି ଛୁଆକୁ ଖାଇବାକୁ ଦେଇଥାଏ। ସାଙ୍ଗସାଥୀ ସଙ୍ଗରେ ଖେଳି ଧୂଳିମଳି ଲାଗିଥିଲେ ନିଜ ପଣତ କାନିରେ ଝାଡି ଦେଇଥାଏ।କେତେ ମାନସିକ ,ବ୍ରତ, ଉପବାସ ରଖି ନିଜ ସନ୍ତାନର ମଙ୍ଗଳ କାମନା କରିଥାଏ। ଏସବୁ କଥା ଶୁଣି ଭୋଳା ନିଜର ଭୁଲ ଵୁଝିପାରି ନିଜ ମାଆକୁ କ୍ଷମା ମାଗି ପୁଣି ଆପଣେଇ ନେଲା।
