STORYMIRROR

Rajalaxmi Tripathy

Inspirational

2  

Rajalaxmi Tripathy

Inspirational

ମା'କାନି

ମା'କାନି

1 min
15K


ପାଂଚ ବର୍ଷର ପୁଅ ରମୁ ଛୋଟ ବୁଲା କୁକୁର ଟିକୁ ଆଉଁଷି ଦେଉଥିଲା। ମା'ଡାକିବାରୁ ପାଖକୁ ଆସି ତା'ଲୁଗା କାନିରେ ମଇଳା ହାତ ଦୁଇଟା ପୋଛିଦେଲା। ମା'ବିରକ୍ତ ହୋଇ କାନିଟା ଝାଡିଦେଇ କହିଲା-ଚାଲ,ହାତ ଧୋଇବୁ। ରମୁ କହିଲା-ହାତ କାହିଁକି ଧୋଇବି,ତୋ ଲୁଗା କାନିରେ ତ ହାତ ପୋଛିଦେଲି,ଏବେ ମୋ ହାତ ପୁରା ସଫା ।

ଏବେ ରାମୁ ରାଜମିସ୍ତ୍ରୀ ହେଲାଣି। ସଂଧ୍ୟାରେ କାମରୁ ଫେରିବା ପରେ ରାମୁ କପାଳକୁ ତା ମା' ଲୁଗା କାନିରେ ସଫା କରିଦେଇ କହେ-ଧନରେ,ଜଗି ରଖି କାମ କରୁଥିବୁ। ଆମ ପରି ଖଟିଖିଆ ଲୋକର ଏ ସଂସାରରେ ଭରସା କିଏ? ଅଳ୍ପ ଟିକିଏ ହସିଦେଇ ରମୁ କହେ-ତୋର ଏ କାନିର ଆଶୀର୍ବାଦ ମୋ ମୁଣ୍ଡ ଉପରେ ଅଛି ତ ଦୁନିଆ ରେ ମୋର କିଛି ଭୟ ନାହିଁ। ଏ ଜଗତରେ ମୁଁ ସବୁଠୁ ସୁଖୀ। ଏତିକି କହି ରମୁ ମା'କାନିରେ ମୁହଁ ହାତ ଭଲ କରି ପୋଛି ଖାଇବାପାଇଁ ବସି ପଡେ।

ବିବାହ ପରେ ରମୁ ର ସଂସାର ବଢ଼ିଛି। ଦୁଇ ନାତିଙ୍କୁ ଧରି ରମୁ ମା'ଦାଣ୍ଡପିଣ୍ଡାରେ ବସି ନାନା ବାୟା ଗୀତ ବୋଲେ। ଖରା ଦିନେ ତା'କାନିରେ ପିଲା ଦୁଇଟିଙ୍କ ଦେହରୁ ଝାଳ ପୋଛିଦିଏ। ଶୀତୁଆ ପବନ ଦାଉରୁ ରକ୍ଷାକରିବା ପାଇଁ ଲୁଗା କାନିଟା ଦୁହିଁଙ୍କ ମୁଣ୍ଡ ଉପରେ ଘୋଡ଼ାଇ ଆଣେ।

ରମୁ ମା' ଆଉ ପୂର୍ବ ପରି ଘର କାମକୁ ପାରୁନି। ମଝିରେ ମଝିରେ ପେଟ ଟାଣୁଛି। ଏ ପେଟ ବେମାରି ତାକୁ ଅଚଳ କରିଦେଲାଣି। ସେଦିନ ସଂଧ୍ୟାରେ ରମୁ କାମରୁ ଫେରିବା ପରେ ବାରଣ୍ଡାରେ ତା ସ୍ତ୍ରୀ ସହିତ କଣ କଥା ହେଲା। ହଠାତ୍ ମା'କୁ ଚାହିଁ କହିଲା-ତତେ ଆଉ ମୋ ପାଖରେ ରଖିବା ସମ୍ଭବ ନୁହେଁ। ତୁ ଆଜି ଏଘରୁ ବାହାରିଯା' ।ରମୁ ଓ ତା ସ୍ତ୍ରୀ ମା'ର କାନିକୁ ଧରି ଟାଣିଆଣି ମା'କୁ ଘର ବାହାରେ ଛାଡ଼ିଦେଲେ। ଏବେ ରାସ୍ତା କଡ଼ରେ ଠିଆ ହୋଇ ଲୁଗା କାନିରେ ଲୁହ ପୋଛୁଥିଲା ବୁଢ଼ୀଟି। ଭାବୁଥିଲା,ମା'ପରି ଏ ଲୁଗା କାନିଟି ମଧ୍ୟ ସର୍ବଂସହା।

ରାଜଲକ୍ଷ୍ମୀ ତ୍ରିପାଠୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational