ଲ୍ୟାମ୍ପପୋଷ୍ଟ
ଲ୍ୟାମ୍ପପୋଷ୍ଟ
ଆକାଶକୁ ଛୁଇଁବାକୁ ଡେଣା ଝାଡି ଉଡିଯାଉଥାନ୍ତି ଦଳେ ପକ୍ଷୀ, ପାଣିର କୁନି କୁନି ଲହରୀମାନଙ୍କୁ ପବନ ପେଲୁଥାଏ ଥିରେ କି,"ଯ ଉଡିଯ " କହି । ମୁଠେ ଫୁଲ ହସୁଥାନ୍ତି କିଶୋରୀ ମାନଙ୍କ ପରି, ତ ଗହଳେ ପତ୍ର ନେଳି ଆକାଶ ସହ ମିଶୁଉଥାନ୍ତି ନିଜ ଦେହର ସବୁଜିମାକୁ ନିଜ ନିଜ ଭିତରେ ଘଷି ହେଇ ହେଇ । ଆଉ ଏ ଟିକି ଟିକି ଘାସଫୁଲ! ହା ହା । ତୂଳୀ ଧରି ସରଗପରୀ ମାନେ ମାଖିଥାନ୍ତି ଭୋରୁ ଏ ଉଜ୍ୱଳତା ତାଙ୍କଠି ।
ମୁଁ ସବୁଦିନେ ଏଇଠି ବସେ, ଏଇ ଗାରପକା ବେଞ୍ଚଟିର ଏଇ ସମାନ କୋଣକୁ... ଏଇପଟୁ ଦିଶନ୍ତି ଏଇ ସମସ୍ତେ ବୋଲି । ଏମାନେ ଭାରି ଭଲ ପାଆନ୍ତି ମତେ, ଏମିତି ହିଁ ଲାଗେ ।
ମୁଁ ବସୁଥିବା ବେଞ୍ଚଟିର ପଛକୁ ଲାଗି ଆଉଗୋଟେ ସମାନ ବେଞ୍ଚ, ଠିକ୍ ତିନିଟା ବେଳିଆ ବିପରୀତ ଛାଇଟେ ପରି ।
ମୁଁ ଏଠି କାଇଁ ବସେ ତାର ଉତ୍ତର କହିବିନି । କିଛି ତ ନିଜର ହେଇ ଥାଉ ।
ଏଇ ଉଦ୍ୟାନ ଏକ ପକ୍ଷୀଘର । ଏଠି ସବୁ ରଙ୍ଗର ପକ୍ଷୀ ଚହଳ ଲଗାନ୍ତି ଘଣ୍ଟେ କି ଦିଘଣ୍ଟା,ବେଳ ଅବେଳରେ ।
ଅବେଳ ଗୋଟେ କଣ ଯେ, ଯୋଉ ସମୟଟା ସୁହେଇଲା ଯୋଉ କଥାଟିକୁ ନେଇ ସେଇଟି ତ' ବେଳ 'ହି ।
ତଥାପି କଲେଜ ଫେରନ୍ତା, ଅଫିସ୍ ସରନ୍ତା ବେଳେ ପକ୍ଷୀ ଗହଳ ଟିକେ ଗହଳି ଧରେ ।
ହେଇ ! ସେପଟୁ ଉଠିଆସିଲେଣି ତ ଘୋଟପାଟ କରି ପୁଞ୍ଜାଏ ମେଘ, ସାଥି ହୋଇ । ବରଷିଯାବେ କି ଆଉ ଏଇଠି ହାତରେ ହାତ ଧରା ଧରି ହେଇ ! ମୁଁ କିନ୍ତୁ ଏଇଠି ବସିଥିବି ।
ଆଜି କାଇଁ ଜମିନି ଗହଳି ଏ ଯାଏ । ଖାଁ ଖାଁ ଉଦ୍ୟାନ ଟିରେ ଚହଳ ଲଗେଇଛନ୍ତି କିଛି ବିହଙ୍ଗମ ସୁଉଚ୍ଚ ଡାଳ ସବୁରେ । ମଝିରେ ମଝିରେ ଶୁଭୁଛି କଳରବ । ପେଟୁ ନିଶୁଆ ଦରୱାନଟି ପଦଚାରଣ କରୁଛି ଶେଷ ଗ୍ରୀଲ୍ ଯାଏ ତା ହାତରେ ଘୁରୁଥିବା ରୁଲ୍ ବାଡି, ଆଉ ବାଡି ଅଗରେ ପେନ୍ଥେ ଚାବି ..... ଝଣର୍ ଝଣର୍ । ଓଠରେ ତାର ଟିଣ ସୁସୁରିଟି ଅଭ୍ୟାସ ମୁତାବକ ସୁଁ ସୁଁ ଶବ୍ଦ କାଢୁଥାଏ ରହିରହିକା । ସତର୍କ କରଉଥିବା ଶବ୍ଦ ।
ବରକୋଳିଆ ଟୋପା ମାଟି ଛୁଇଁଲା । ମାଟିରୁ ସେଇ ଅନୁପାତରେ ଅନୁପମ ବାସ୍ନା ଛୁଟିଲା । ବିରହିଣୀ ଆକାଶର ଲୁହ ଅପେକ୍ଷାମାଣ ମାଟିର ମିଳନର ମହକ ମିଠା ମିଠା ପୁଲକ ଭରୁଥିଲା କି ଉଦ୍ୟାନ ଗେଟଟିକୁ ଜୋର୍ ପେଲି ସଶବ୍ଦେ ପେଲିଆସିଲେ ଦିହଳ ପାଦ । ପଣତରେ ଆଢୁଆଳ କଲାପରି ପାପୁଲି ଆଢୁଆଳରେ ବର୍ଷାକୁ ବିରତ ହେବା ଅନୁରୋଧ ନେଇ ମଥା ଉପରେ ପାପୁଲି ରଖିଥାଏ ଝିଅଟି । ପାଖରେ ପୁଅଟିଏ । ବିବଶ... ବର୍ଷାକୁ ରୋକିବା ତା ଅକ୍ତିଆର ବାହାରେ ବୋଲି ।
ମୁଁ ନିଶ୍ଚଳ ଭିଜୁଥାଏ । ମୋର ଭିଜା ଦେହରୁ ପାଦ ଯାଏ ଧାର ଧାର ପାଣି ଯାଇ ମାଟି ଛୁଉଁ ଛୁଉଁ ମାଟି ତାକୁ ଆଦରି ନେଉଥାଏ ।
ସବୁଆଡ ନୀରବ । ଟୁପ୍ ଟାପ୍ ଛଡା ଆଉ କିଛି ନାହିଁ । ଉଦ୍ୟାନର ଏକ ମାତ୍ର ତାଜା ପରି ବାହାରିଥିବା ଯାଗାଟିରେ ଗୁଞ୍ଜି ହେଇ ଠିଆ ହେଇଥାନ୍ତି ତିନି ଜଣ । ସେ ଦିହେଁ ଓ ଉଦ୍ୟାନ ଚୌକିଦାର । ସେ ଦିହେଁ ଟିକେ ଆଗକୁ ଆଉ ଜଗୁଆଳୀଟି ଅଳ୍ପ ପଛକୁ, ସମ୍ଭ୍ରମତା ଜଗି ।
ଝିଅଟି କହୁଥାଏ
_ ତମେ ପରା କୁଆଡେ କଥାକାର ? ଗପ କଣ ? କେମିତି ଲେଖିହୁଏ ? କାହାକୁ କୁହ ତମେ ଗପ ?
ମେଘୁଆ ଆକାଶକୁ ସାକ୍ଷୀ କରି ପୁଅଟି ଉତ୍ତର ରଖୁଥାଏ,
_ ମୁଁ ଗପକୁ ନୁହେଁ, ଗପ ମତେ ଲେଖେ । ମୁଁ ଜୀଏଁ ତାକୁ ତା ଭିତରେ ।
_ ଆଚ୍ଛା, କେବେ ପ୍ରେମ ଗପ ଲେଖିଛ?
_ ପ୍ରେମ ଗପ ? ମୋର ହଜମ ହୁଏନି । ତ ଲେଖିପାରେନି । ମୋ ଗପରେ ଜୀବନର କଥା ଥାଏ ।
_ ଆଚ୍ଛା ଜୀବନ ଆଉ ପ୍ରେମ କଣ ଏତେ ଭିନ୍ନ ।
_ ନା ଜୀବନରେ ପ୍ରେମ ଥାଏ, ପ୍ରେମରେ ଜୀବନ ଭରିବାକୁ ହୁଏ । ଏତିକି ତଫାତ୍ ।
_ ବାପରେ ଏତେ ସବୁ ଭାରିଭାରି କଥା ମୋ ମଗଜରେ ଢୁକେନା ।
ହସୁଥିଲା ଝିଅ କି ଝରା ଝରଣାରେ ଭସା କେତକୀ ପରି, ଚିକ୍ ଚିକ୍ ପାଣି ଛୁଆଁ ଖରା ପରି ।
ପୁଅଟି ଚୁପ୍ ଥିଲା ।
ପୁଣି ଝିଅଟି ପଚାରିଲା,
_ ଆଚ୍ଛା ତୁମେ କେବେ ସତସତିକା ପ୍ରେମ କରିଛ?
ଓଲଟି ପୁଅଟି ପଚାରିଲା
_ ଆଚ୍ଛା ପ୍ରେମ କହିଲେ ତୁମେ କଣ ବୁଝ?
ଝିଅଟି ଏଥର ଚୁପ୍ ଥିଲା । ବର୍ଷା ତା ପଲକ ତଳକୁ ଘର ବଦଳେଇସାରିଥିଲା ଥମ୍ ଥମ୍ ପାଦ ନେଇ ।
ସିଏ ଖାଲି କହିଲା,
_ ଆମେ ପାରିବା ତ ?
ପୁଅଟି ହାତ ବଢେଇ ତା ଲୁହ ପୋଛିନେଇ ହସିଦେଲା ଗୋଟେ ଭରସାର ହସ ।
ମେଘ ମାନେ ଏବେ ଗପୁଥିଲେ ଟୁପ୍ ଟାପ୍ ଚୁପ୍ ଚାପ୍ ଆଉଜି ଆଉଜି ।
ମୁଁ ଭାବୁଥିଲି,
ଏଇ ଉପାଦାନ ତିନିହେଁ ଯଦି କେବେ କ୍ରମଚୟ ଓ ସଞ୍ଚୟ ଥାକରେ ପଡନ୍ତି ତେବେ ବୋଧହୁଏ କେତେ ଦଫା ଘୁରିବାକୁ ହେବ ତୁମେ, ମୁଁ ଓ ସମୟକୁ ସରଳରେଖାରେ ଠିଆହେବାକୁ... ଠିକ୍ ମୋ ପରି... ଏକ ସଳଖ ଲ୍ଯାମ୍ପ ପୋଷ୍ଟ ପରି ମୁଣ୍ଡ ଟେକି । ନୁହେଁ !
କାଚ କାନ୍ଥ ସେପାଖରେ ଉଡିଗଲେ ଦଳେ ପକ୍ଷୀ । ମେଘ ଥମୁଥିଲା ତା ଅଭିମାନ ନେଇ । ମୁଁ ଜଳିଉଠିଲି ।
ଝିଅଟିର ଥିଲା କାଠ ପାଦଟେ ଆଉ ପୁଅଟିର ଗୋଟେ ହାତ ବି କାଠର ।
ହଁ ସନ୍ଧ୍ୟା ହେଲା ।
