Sambit Srikumar

Tragedy Classics Inspirational

4.5  

Sambit Srikumar

Tragedy Classics Inspirational

ଲୁଟିଖିଆ

ଲୁଟିଖିଆ

3 mins
265


ସହସ୍ରାବ୍ଦୀ ସହର କଟକ ମହାନଗର ନିଗମ ଅନ୍ତର୍ଗତ ବାଦାମବାଡ଼ି ଆନ୍ତଃଜିଲ୍ଲା ବସଷ୍ଟାଣ୍ଡ। ଗୋଟିଏ କୋଣରେ ଦୁଇଟି ଉଠା ଦୋକାନ। ଜଣେ ବିକୁଛି ଖିଲିପାନ, ଆଉ ଜଣେ ଫଳ। ପାନ ଦୋକାନୀର ନାଁ ଡମ୍ବରୁ ତ ଫଳ ଦୋକାନୀର ନାଁ ପବିତ୍ର। ଦୁହେଁ ଗୋଟିଏ ଗାଁର ବାସିନ୍ଦା। ଡମ୍ବରୁ ଠାରୁ ପବିତ୍ର ବୟସରେ ଦୁଇ ତିନି ବର୍ଷ ବଡ଼ ହୋଇଥିଲେ ମଧ୍ୟ ବାଲ୍ଯ ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିନେ ଖରାବେଳେ ଦୋକାନରେ ଗରାଖ ନଥିଲା ବେଳେ ଦୁହିଁଙ୍କ ମଧ୍ୟରେ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଗଲା ଦେଶର ସାମ୍ପ୍ରତିକ ପରିବର୍ତ୍ତିତ ପରିସ୍ଥିତିକୁ ନେଇ।


ଡମ୍ବରୁ କହୁଥିଲା - ଜାଣିଲ ଭାଇ ଏବେ ଆଉ କାହାକୁ ବିଶ୍ୱାସ ନାହିଁ। ଯାହାକୁ ଟିକେ ଭଲ ବୋଲି ଭାବି ବିଶ୍ବାସ କଲ ସେ ବି ସେମିତି ବାହାରିଲା। ଏଇ ଦେଖୁନ କେମିତି ଖବରକାଗଜରେ ବାହାରିଛି ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର କଥା। ନେତା ମନ୍ତ୍ରୀ ଅଫିସର ଇଞ୍ଜିନିୟର ସବୁ ଯିଏ ଯାହା ପାରିଲା ଲୁଟିକରି ଖାଇ ଗଲେ। ଏଥିରେ ପୁଣି ଦେଶ ଆଗେଇବ କେମିତି?... 


ଡମ୍ବରୁ କଥା ନସରୁଣୁ ପବିତ୍ର ବହକାଲିଆ ଗୁଣରେ କହିଲା - ଛାଡ ସେମାନଙ୍କ କଥା। ଯାହା ଥିଲା ଥିଲା ଏଇ ଯୋଉ କରୋନା ମହାମାରୀଟା ହେଲା ଏଥିରେ ପରା ହସ୍ପିଟାଲବାଲା ଆଉ ମେଡିସିନ୍ କମ୍ପାନିବାଲା ପୁରା ମାଲେମାଲ। ମନ ଇଛା ଶୋଷୁଛନ୍ତି ଲୋକଙ୍କୁ। ଲୋକ ମଲା ପରେ ବି ଛ ସାତଦିନ ଅଧିକ ଭେଣ୍ଟିଲେଟର୍.ରେ ରଖି ପଇସା ରୋଜଗାର କରୁଛନ୍ତି। ପଇସା ନଦେଲେ ଶବକୁ ଛାଡୁ ନାହାଁନ୍ତି।


: ହଁ ଭାଇ। ସତ କଥା କହିଲ। ଏଇ ମେଡିସିନ୍ କମ୍ପାନୀବାଲା ବର୍ଷକ ଭିତରେ ଦିଗୁଣା କରିସାରିଲେଣି ଔଷଧ ଦାମ୍। କିହୋ କେତେ ଲୁଟିଲେ ତମ ମନ ଯାଇକରି ଶାନ୍ତି ପାଇବ?


: ପରିବାପତ୍ର ଡାଲି ଚାଉଳ କଥା ଭୁଲିଗଲୁକି?


: ହଁ ପରା। ହୁ ହୁ ହୋଇ ଏମିତି ବଢୁଛି ଯେ କେତେବେଳେ ପେଟରେ ଓଦାକନା ଦେଇ ଶୋଇବାକୁ ପଡ଼ିବ କିଏ କହିବ?


: ଆଉ ପେଟ୍ରୋଲ୍ ଡିଜେଲ୍ କଥା? 


: କହନା ସେକଥା। ଇଏ ତ ସରକାରଙ୍କ ଦ୍ଵାରା ଜନତାର ରକ୍ତ ଶୋଷିବା କଥା। କୁଆଡ଼େ ଗଲା ସେଇ ସବୁ ମନଲୋଭା ଭାଷଣ? ବିଦେଶରୁ କଳାଧନ ଆସିବ ବୋଲି ତ କେତେ ତୁମ୍ବିତୋଫାନ ହେଉଥିଲା... 


: ଷାଠିଏ ମହଣ ଘିଅ ହେବ ନା ବିଦେଶରୁ କଳାଧନ ଆସିବ! ଦରଦାମ୍ କମିବ!


ଦୁହିଁଙ୍କ କଥୋପକଥନ ଭିତରେ ଦୃତଗାମୀ ବସ୍ ଧରି ଗାଁକୁ ଯିବାପାଇଁ ଅପେକ୍ଷାରତ ଜନୈକ ମଧ୍ୟବୟସ୍କ ଯାତ୍ରୀ ଫଳ କିଣିବାକୁ ପବିତ୍ର ଦୋକାନକୁ ଆସି ପଚାରିଲେ, "ବାବୁ! ସେଓ ଦାମ୍ କେତେ?" 


ପବିତ୍ର କହିଲା - ଆଜ୍ଞା କିଲୋ ଶହେ କୋଡ଼ିଏ। ଏକ ନମ୍ବର କ୍ବାଲିଟି... 


: ଶହେ ହେବନି?


: ନାଇଁ ଆଜ୍ଞା। କିଣା ପଡିଯାଉଛି। ଦି ପଇସା ମିଳିବନି ଏତିକିରେ ବିକିଲେ। ଆପଣ ତ ସବୁ ଜାଣୁଛନ୍ତି ଆଉ ପଚାରୁଛନ୍ତି କଣ ଯେ... 


: ଶହେରେ କେଜିଟାଏ ଦେବ ଯଦି ଦିଅ। ନହେଲେ ନାଇଁ।


: ହଉ ଆଜ୍ଞା। ଗରାଖ ଭଗବାନ। ଯେତେବେଳେ ଆପଣ କହୁଛନ୍ତି, ମୁଁ ମନା କରିବାକୁ କିଏ? ଦିଅନ୍ତୁ ଆଜ୍ଞା... 


ଯାତ୍ରୀ ଜଣକ ମନ ଧ୍ୟାନ ଦେଇ ସେଓ ବାଛିବାରେ ଲାଗିପଡିଲେ। ବଡ଼ ବଡ଼ ଲାଲ୍ ଲାଲ୍ ଷ୍ଟିକରମରା ସେଓ ସବୁ ଗୋଟିଏ କଳା ଜରିରେ ଭର୍ତ୍ତି କରିବାରେ ଲାଗିଲେ। ମନେ ମନେ ଖୁସି ହେଉଥାନ୍ତି ଭଲ ଫଳ ମୂଲେଇକି କିଣିଥିବାରୁ, ତାହା ପୁଣି ବାଦାମବାଡ଼ି ଭଳି ଜାଗାରୁ। ପବିତ୍ର ହାତକୁ ଖଡଖଡିଆ ଦୁଇ ହଜାର ଟଙ୍କିଆ ନୋଟ୍ ଖଣ୍ଡେ ବଢାଇ ଦେଲେ।


ପବିତ୍ର କହିଲା - ଚେଞ୍ଜ୍ ନାହିଁ ଆଜ୍ଞା। ସକାଳୁ ବେପାର ନାହିଁ ତ... 


: ହଉ ତେବେ। ସେଓ ଏଇଠି ଥାଉ। ମୁଁ ଖୁଚୁରା ଆଣିକି ଆସୁଛି।


କିଛି ସମୟ ଭିତରେ ଯାତ୍ରୀ ଜଣକ ଫେରିଆସି ଶହେ ଟଙ୍କା ବଢାଇ ଦେଲେ ପବିତ୍ର ହାତକୁ ଓ ସେଓ ଜରିଟା ଧରି ଖୁସି ମନରେ ଉଠିଗଲେ ବସ୍ ଭିତରକୁ। ତାଙ୍କୁ କୃତଜ୍ଞତା ଜଣାଇ ଦୁଇ ହାତ ଉପରକୁ ଟେକିଲା ପବିତ୍ର। ବସ୍ ଛାଡିବା ସମୟ ହୋଇ ଯାଇଥିଲା ସେତେବେଳକୁ। ଅତଏବ ବସ୍ ଛାଡିଲା ବାଦାମବାଡ଼ି। ଗଡି ଚାଲିଲା ଭିଡ଼ ଆଡେଇ ଆଡେଇ ତା'ର ଗନ୍ତବ୍ୟ ପଥରେ। 


ଦୂୂୂର ଯାତ୍ରାପଥ, ରାସ୍ତାରେ ଭୋକ ଲାଗିବାରୁ ଯାତ୍ରୀ ଜଣକ ଖୋଲିଲେ ପଲିଥିନ୍ ଜରି ସେଓ ଖାଇବାକୁ। ନିଜ ଆଖିକୁ ବିଶ୍ବାସ କରି ପାରୁନଥିଲେ ସେ। ନିଜ ହାତରେ ଅତି ଯତ୍ନର ସହ ବାଛିକି ଆଣିଥିବା ସେଓ ଗୁଡିକ ମଣିଷର ଖାଇବା ଯୋଗ୍ୟ ନଥିଲା। କାହାକୁ କଣ କହିବେ କିଛି ବୁଝି ପାରୁନଥିଲେ ସିଏ... l


Rate this content
Log in

Similar oriya story from Tragedy