Satyabati Swain

Tragedy

4  

Satyabati Swain

Tragedy

ଲୁଲୁ ଭାଇ ଓ ରାକ୍ଷୀ

ଲୁଲୁ ଭାଇ ଓ ରାକ୍ଷୀ

6 mins
11


କ୍ୟାଲେଣ୍ଡର ପୃଷ୍ଠାକୁ ମା' ନିଠେଇ ନିଠେଇ ଦେଖୁଥିଲା।ଗୋଲ୍ ଗୋଲ୍ ବିଶି ଆଙ୍ଗୁଠି ବୁଲାଉଥିଲା ନିର୍ଦ୍ଧିଷ୍ଟ ଏକ ତାରିଖ ଉପରେ । ସ୍ଥିର ଦୃଷ୍ଟି ସେଇଠି ରହିଲା କିଛି କ୍ଷଣ ।


ଚାରି ବର୍ଷ ହେବ ମା' ପୁରା ଚୁପ୍।ଅହରହ ଶୋଇ ରୁହେ।ଇଚ୍ଛା ହେଲେ ବାରି ଘର ଟିକେ ବୁଲେ। ପଣସ, ନଡିଆ, ପୁଜୁଳି ଓ ସ୍ୱର୍ଣ୍ଣ ଚମ୍ପା ଗଛକୁ ଛୁଇଁ ଛୁଇଁ ଯାଏ । ଫଳ ଗଛ ତିନିଟି ମା'ର ଭାରି ପ୍ରିୟ ।ଏଣୁ ବାପା ହାଇବ୍ରିଡ଼ ଚାରା ଆଣି ଲଗାଇଥିଲେ,କମ୍ ସମୟରେ ଫଳ ଫଳିବ ବୋଲି।ଚମ୍ପା ଫୁଲରେ ଅଜବ ମୋହ ମା' ର। ମୋ ବାପା ମା' ର ମନ ଜାଣି ସବୁ କରୁଥିଲେ।ଗଛ ଗୁଡିକ ଛୁଇଁଲା ବେଳେ ମା' ସୁଉଁ ସ୍ୱଉଁ ହୋଇ ବାରମ୍ବାର ପିନ୍ଧା ଲୁଗା କାନିରେ ଆଖି ପୋଛେ ।


ମୁଁ ତା ନାଲି ଆଖି ଦେଖି ପଚାରେ ମା' କାନ୍ଦୁଥିଲୁ?


ମା' ଶୁଖିଲା ହସ ଟିଏ ହସି ଦେଇ କୁହେ ନା ଲୋ ସୁଜି, ତୋ ବାପାଙ୍କୁ ଅନୁଭବ କରୁଥିଲି ।


ଗଛରେ ମା' ବାପାଙ୍କୁ ଖୋଜେ ! ବହୁତ ଝୁରେ ମା' । ଆମେ ବି ଝୁରୁ।କିନ୍ତୁ ମା' ଝୁରା ପଣ ସମସ୍ତଙ୍କଠାରୁ ନିହାତି ନିରୋଳା।


ସମସ୍ତେ କୁହନ୍ତି ଅବେଳେ ଆକସ୍ମିକ ଭାବେ ବାପାଙ୍କୁ ହରେଇ ମା' ପାଗେଳି ହୋଇ ଯାଇଛି।କିନ୍ତୁ ମୋତେ ଏ ପ୍ରଶ୍ନ ରୁଗୁ ରୁଗୁ କରି କାଟେ ଓ ଖାଏ ଯେ:ନିଶ୍ଚିନ୍ତ ପ୍ରିୟ ମଣିଷଙ୍କୁ ଗଭୀର ଭାବେ ଝୁରିବା ପଣ କି ପାଗଳାମୀ !


ସୁବୁ ଦାଦା ଓ ସୁମୀ ଖୁଡି କୁହନ୍ତି ହେଲେ ହେଲା ଆମ ଭାଉଜ ପାଗଳ,ତୁମର କଣ ଯାଉଛି?ସେ ତ ସବୁ ବୁଝି ପାରୁଛନ୍ତି, ପଚାରିଲେ ଉତ୍ତର ଦେଉଛନ୍ତି। ହଁ କେଉଁ ଥିରେ ଟିକେ ସରାଗ ନାହିଁ,କାମ ଧନ୍ଦା କରୁ ନାହାନ୍ତି ତ; ନ କରନ୍ତୁ। ଆମର ତ ଛୁଆ ପିଲା ନାହିଁ। ସୁଜି ଓ ଲୁଲୁ ଦୁଇ ବକଟ ଛୁଆ ବଡ଼ ଭାଇଙ୍କର।ସେ ଦୁଇ ଛୁଆଙ୍କୁ ସମ୍ଭାଳୁଛୁ।ହେଲା ଏବେ ଭାଉଜ ଆଉ ଗୋଟେ ଛୁଆ।ବିଧାତା ତ ତାଙ୍କୁ ସେମିତି ଦୁଃଖ ଦେଲା। ସରଳ ମଣିଷ ଏତେ ବଡ଼ ଧକ୍କା ସହି ନ ପାରି ଚୁପ୍ ହୋଇ ଯାଇଛନ୍ତି। କାହାର କଣ ସେ ଅନିଷ୍ଠ କରୁଛନ୍ତି ଯେ ପାଗଳ କହୁଛ!ହୁସିଆରୀ ଆଉ ଦିନେ କେହି ପାଗଳ କହିଲ; ତୁମ ଇଜ୍ଜତ ଦି କଡା କରିଦେବି।


ମୋ ସୁବୁ ଦାଦା ଓ ସୁମୀ ଖୁଡି ଦେବତା ପରି ମଣିଷ।


ମା' ଟିକେ ଏପଟ ସେପଟ ବାରି ଘର ହୋଇ ପୁଣି ଆସି ଶୋଇପଡ଼େ।ମନେ ମନେ କାହା ସହ ଗପିଲା ପରି ଲାଗେ।କାହା ସହ ସେ ବାଣ୍ଟେ ତା ଜୀବନ ! ଠିକ୍ ତା ବାଁ କଡ଼ କାନ୍ଥରେ ଟଙ୍ଗା ଯାଇଛି କର୍ପୁର ମାଳଦିଆ ବଡ଼ ଫୋଟୋ ଟେ।ସେ ଫୋଟୋ ପାଖେ ଆଉ ଗୋଟିଏ ମୟୂର ଚୂଳଥିବା ଫୋଟୋଟିଏ ବି ଅଛି।ଗୋଟିଏ ଫୋଟୋ ବାପାଙ୍କର ଯେ ଚାରି ବର୍ଷ ହେବ କମ୍ପାନୀ ନିଆଁରେ ପୋଡି ହୋଇ ମରିଯାଇଛନ୍ତି।ଆଉ ଗୋଟିଏ କଳା କହ୍ନେଇଁ ଙ୍କର। ମା' ଏ ଦୁଇ ଜଣଙ୍କୁ ନିବିଡ଼ ଭାବେ ଭଲ ପାଏ।ଆଗେ ପୂଜୁଥିଲା ବାପାଙ୍କ ପାଦ ଆଉ କୃଷ୍ଣ କହ୍ନେଇଁ ଙ୍କର ମୟୁର ଚୂଳ।


ଏବେ ଏଇ ବିଷମ ସମୟରେ ମା' କଥା ହୁଏ ରାତି ରାତି ସେ ଦୁଇ ଫୋଟୋ ସହ ।କେବେ କେବେ ଠୋ ଠୋ ହୋଇ ହସେ,ପୁଣି କେବେ ପୁଣି ଭୋ ଭୋ ହୋଇ କାନ୍ଦେ।ଯାବତୀୟ ଖୁସି ହେଉ କି ଦୁଃଖ ସେ ଠିକ୍ ମଣିଷ ଙ୍କ ସହ କଥା ହେଲା ପରି ଅଳ୍ପ ଉଚ୍ଚ ସ୍ୱରରେ କଥା ହୁଏ ସେ ଦୁଇଜଣଙ୍କ ସହ।ବେଳେ ବେଳେ ଚଳ ଚଞ୍ଚଳ ହୋଇ ଡକା ପାରେ। ଏଇଟା କର,ସେଇଟା କର କୁହେ।


କିନ୍ତୁ ଏଇ ଦୁଇ ମାସ ହେବ ମାତ୍ରାଧିକ ଚୁପ୍ ହୋଇ ଯାଇଛି ସେ। ସବୁବେଳେ ଆଖିରେ ତାର ଆଷାଢ଼। କେହି କିଛି ନ କହିଲେ ବି ତା ଆତ୍ମା' ବୁଝି ପାରିଛି ଦୁଇ ମାସ ତଳେ ଆମ ଜୀବନରେ ବହିଥିବା ଭୟଙ୍କର ମହାବାତ୍ୟା କଥା। 


ଆଜି କିନ୍ତୁ କ୍ୟାଲେଣ୍ଡରରେ କଣ ଖୋଜୁଛି ମା' !ଦରାଣ୍ଡି ମୁଣ୍ଡ ପାଖରୁ ଚଷମାଟି ଆଣି କ୍ୟାଲେଣ୍ଡରୁ ଗୋଟିଏ ତାରିଖ ଉପରେ ସ୍ଥିର ଆଖି କରି ରହିଲା।ତାପରେ ଘରେ ସମସ୍ତଙ୍କୁ ଅସ୍ତ ବ୍ୟସ୍ତ କରି ପକେଇଲା ମା' ଶେଯରୁ ଉଠି।ସେ ଖୁବ୍ ସହଜ ଲାଗୁ ଥିଲା। ବୋଧେ ଭାଗ୍ୟ ସହ ବୁଝାମଣା କରି ନେଲା ମା। ଆଗ ପରି ଲାଗୁଥିଲା ମା'ର ବ୍ୟବହାର । ଘରେ ଦାଦା,ଖୁଡି ଓ ମୁଁ ଆଶ୍ୱସ୍ତ ଯେ ମା' ଏବେ ବାପାଙ୍କ ହରେଇବା ଦୁଃଖ ସହ ଲଢେଇ କରି ଜିତି ଯାଇଛି।


ବୋଧେ ସମୟ ସବୁ କ୍ଷତ ଶୁଖାଇ ଦିଏ। ଅବଶ୍ୟ କିଛି କ୍ଷତ ଶୀଘ୍ର ଶୁଖେ,କିଛି ଶୁଖିବାକୁ ସମୟ ଲାଗେ।ହେଲେ ମା' ଅଜଣାତେ ଦୁଇ ମାସ ତଳେ ଯେଉଁ ଅତି ମାରାତ୍ମକ କ୍ଷତଟେ ତା ଜୀବନରେ ହୋଇ ସାରିଛି ସେ ବ୍ରେନ କ୍ୟାନ୍ସର ଠାରୁ ବି ଭୟାନକ ! ଆଉ କଣ ସେ ଶୁଖିବ !


ଘର ଭିତରେ ଦାଦା,ଖୁଡି ଓ ମୁଁ ତିନିଟି ଶବ ଯା ଆସ କରୁଥିଲୁ ଯାହା। ମା' କିନ୍ତୁ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଥିଲା କ୍ୟାଲେଣ୍ଡରର ନିର୍ଦ୍ଦିଷ୍ଟ ସେଇ ତାରିଖଟି ପାଖେଇ ଆସିବାରୁ।ମା' ର କାମ ବଢି ଯାଇଥିଲା। ହାତକୁ ତାର ସତେକି ତର ନଥିଲା । ଦିନ ରାତି ଖାଲି ଯୋଗାଡ଼ ଯନ୍ତ୍ର କରୁଥିଲା।ମନଟି ଅସ୍ଥିର ହୋଇ ଅପେକ୍ଷା ରଖୁଥିଲା। ସେ ଡକା ପାରୁଥିଲା ଏ ସୁବୁ ନଡ଼ିଆ ଗଛରୁ ଦିଟା ପାର ବା।ଦେଖ ଅଧା ନଡ଼ିଆ ଦିଟା ସେ ମିଠା ଗଛରୁ ପାରିବ ନିଶ୍ଚେ । ଲୁଲୁ ଖୁବ୍ ଭଲ ପାଏ,ଅଧା ନଡ଼ିଆ ଚୋବେଇବାକୁ।ଦୋକାନରୁ ଗୋଲ ମରିଚ,ଗୁଜୁରାତି ଆଣିବ,ବୁଝିଲ। କାବୁଲି ବୁଟ ଆଣିବାକୁ ଭୁଲିବ ନାହିଁ,ସୁବୁ।ଅରୁଆ ଡାଲମା' ରେ ଲୁଲୁ କାବୁଲି ବୁଟ ବାଛି ବାଛି ଖାଇବାକୁ ଖୁସି ହୁଏ। ଗତିଆ ଢ଼ିହରୁ ବାଛି ବାଛି କଅଁଳ ହଳଦୀ ପତ୍ର ବିଡାଏ ଆଣିବ। ହଳଦୀ ପତ୍ରର ଏଣ୍ଡୁରି ପିଠାରେ ଲୁଲୁର ଭାରି ଶରଧା।ସରୁ କଣି ଦିଟା ବି ଓଳେଇ ରଖିବ। ବିଚିଲି ବିଡାଏ ଧୋଇ ଧାଇ ସଫା କରି ଶୁଖାଅ ସୁବୁ। ଅଥାର ସଜ ପାଇଁ ଏସବୁ ଦରକାର।କେତେ କାମ ଅଛି କରିବାକୁ।ଆଉ ତ ଦିନ ଦିଟା ରହିଲା।


ସୁବୁ ଦାଦା କହିଲେ ହଁ ଭାଉଜ ତୁମେ ଏତେ ବ୍ୟସ୍ତ କାଇଁକି ହେଉଛ, ମୋର ସବୁ ମନେ ଅଛି। ଠିକଣା ସମୟରେ ସବୁ ଯୋଗେଇ ଦେବି । ତୁମେ ଅଯଥା ଚିନ୍ତା କରୁଛ । ଡାକ୍ତର ପରା ମନା କରିଥିଲେ କିଛି କଥାକୁ ନେଇ ଟେନ୍ସନ୍ ହେବ ନାହିଁ ! ଭାଇ ସିନା ନାହାନ୍ତି, ମୁଁ ତ ଅଛି...। ବୁଝିଲ ଭାଉଜ ମୁଁ ବଞ୍ଚିଥିବା ଯାଏ ତୁମକୁ ଚିନ୍ତା କରିବାକୁ କିଏ କହୁଛି? ସୁମୀ କଣ କରିବକି ? ସେ ସବୁ ସମ୍ଭାଳି ନେବ ଭାଉଜ।


ଏତକ କହି ଦାଦା ଗାମୁଛାରେ ମୁହଁ ପୋଛୁଥିଲେ କିଛି ଲୁଚେଇବା ପାଇଁ।


ମା' କିନ୍ତୁ ସୁବୁ ଦାଦା କଥା ଶୁଣୁ ନ ଥିଲା ବୋଧେ। ଚିରା ଚରିତ ଢଙ୍ଗରେ ସେ କହି ଚାଲିଥିଲା ଫୁରୁସତ ନ ଦେଇ।


କୁଣ୍ଠିତ ଖୁସିରେ ଆକୁଳ ମୁହଁ କରି ଦାଦା ଖୁଡିକୁ ଓ ଖୁଡି ଦାଦାଙ୍କୁ ଚାହୁଁଥିଲେ। ମୋତେ ଆଙ୍ଗୁଠି ଠାରରେ ଚୁପ୍ ହେବାକୁ ସଂକେତ ଦେଉଥିଲେ।


କିନ୍ତୁ ମା' ! ମା' ର ସ୍ୱାଭାବିକ କାର୍ଯ୍ୟ ଦେଖି ଆଶ୍ୱସ୍ତ ହେଉଥିଲେ ବି ଭୟ ହେଉଥିଲା ଅଧିକ।


ମା' କହୁଥିଲା ,ଆଲୋ ହେ ସୁମୀ ,ଅରୁଆ ଚାଉଳ ଭଲ କି ପାଛୋଡ଼ିବୁ। ଗୋଟି ଗୋଟି ଧାନ ବାଛି ଦେବୁ ଚାଉଳରୁ । ଟିକେବି କୁଣ୍ଡା ରଖିବୁ ନାଇଁ ଲୋ ସୁମୀ । କୁଣ୍ଡା ବାହାରିଲେ ଲୁଲୁ ପିଠା କି ଭାତ ଖାଏନି।ଦହି ହାଣ୍ଡି ସଜାଡି ଦେ ମୁଁ ଗୋଳେଇ ଦେବି।ଦୁଇଥର ଦହି ମଡେଇ ଛେନା ନ କଲେ ଛେନା ମୋଟା ମୁଣ୍ଡା ହେବ ନାହିଁ। ସଜ ଘିଅ ବି ଲୁଲୁ ଚାଟି ଚାଟି ଖାଏ । ଛେନା ଖଣ୍ଡ ସୁଡୁ ସୁଡୁ କରି ବୁଲି ବୁଲି ଖାଏ ଠିକ୍ ତା ବାପା ପରି।ବାପା ପୁଅଙ୍କ ଏକା ପସନ୍ଦ,କହି ଟିକେ ବାମ୍ଫେଇଲା ଆଖିରେ ହସି ଦେଲା ମା' । ପୁର ନଡିଆ, ଗୁଡ଼, ସଜ ଦହି ଛେନା ରେ ଅଦା ଗୋଲ ମରିଚ ଓ ଗୁଜୁରାତି ପକେଇଲେ ଭାରି ବାସେ।ଲୁଲୁ ପିଠା ହେବା ପୂର୍ବରୁ ଗିନାରେ ନେଇ ଆଗତୁରା ଖାଇ ବସେ ଲୋ ସୁମୀ । ବାହାରକୁ ଗଲା ଦିନୁ ବାପା ପୁଅ ଦିହେଁ ଯେମିତି ହେଲେ ଏଇ ରାକ୍ଷୀ ପୂର୍ଣ୍ଣିମାକୁ ଘରକୁ ଆସିବାକୁ ଭୁଲନ୍ତି ନାହିଁ।ଲୁଲୁ ବାପା ଟା ତ ଠକି ଦେଇ ଚାଲିଗଲେ । ଲୁଲୁ ତ ମୋର ଆସିବ? ବହୁତ ଦିନ ହେଲା ଦେଖିନାହିଁ।ଜଏନ୍ କରିବା ପୂର୍ବରୁ ଆସିଥିଲା । ଆଉ ଦେଖିନି ମୋ ଧନକୁ।ଏବେ ସବୁ ଦିନେ ଆଖି ବୁଜି ଦେଲେ ତା ମୁହଁ ଦେଖା ଯାଉଛି।ଛଟପଟ ଲାଗୁଛି । 


ଆଉ ଦୁଇ ଚାରି ଦିନ ରହିଲା ମୋ ଲୁଲୁ ଆସିବ ସୁମୀ । ତା ମନ ଲାଖି ସବୁ ଜିନିଷ ଯୋଗାଡ଼ କରି ରଖ।ବୁଝିଲ ସୁବୁ ଏଥରକ ଲୁଲୁ ଆସିଲେ ତା ବାହା ଘର କଥା ଟା ପକ୍କା କରିଦେବ।ସେ ପରା ତା ସାଙ୍ଗ ରିମିକୁ ଭଲ ପାଉଛି।ପଢା ନ ସରିଲେ ବାହା ହେବନି ସିନା କହୁଥିଲା; ଏବେ ତ ଚାକିରୀ କଲାନି ପାଖାପାଖି ବର୍ଷେ ହେବ।ଏଥରକ ସବୁ କାମ ତୁଟେଇ ଦେବ,ବୁଝିଲ ।


ଚାଲି ଯାଇଥିବା ମଣିଷ ସତରେ ସବୁ କାମ, ଖାଦ୍ୟ, ପୋଷାକ, ପର୍ବ ପର୍ବାଣୀ ରେ କନ୍ଦେଇ ଦିଅନ୍ତି ନିଃଶବ୍ଦେ।ଚୁପୁଡି ହୋଇଯାଏ ଏପାରି ସଂସାର ତେଲ ଲୁଣ ଛାଇ ଆଲୁଅ ରେ ଧନ୍ଦି ହେଉଥିବା ପ୍ରିୟ ମଣିଷ ମାନେ ସବୁଦିନ ହଜି ଯାଇଥିବା ସେପାରି ମଣିଷକୁ ମନେ ପକାଇ ।


ମୋତେ ବି ତାଗିଦା କରି ମା' କହିଲା ସୁଜି, ଭାଇ ପାଇଁ ଭଲ ରାକ୍ଷୀଟିଏ କର। ତୋତେ ତ ସୁନ୍ଦର ରାକ୍ଷୀ କରି ଆସେ।ଲୁଲୁ ହାତକୁ ସୁନେଲି ରଙ୍ଗ ଭାରି ମାନେ।ସେଥିରେ ନୀଳ ଜମ୍ବୁରା ଦେବୁ।ଭଲ ଚୁମୁକି ବସାଇ ତା ନାଁ ଲେଖିବୁ। ସୁତାକୁ ବିଛା ପରି ଟିକେ ଚୌଡା କରି ବାନ୍ଧିବୁ। ତୋ ହାତ ତିଆରି ରାକ୍ଷୀ ବାନ୍ଧିବା ପାଇଁ କେମିତି ଗୋଡ଼ାଏ ଲୁଲୁ।


ହଁ ମା' !ମୋ ଡାକ୍ତର ଭାଇ ହାତରେ ମୁଁ ରାକ୍ଷୀ ବାନ୍ଧିବି ଟି । ଏମିତି ସେମିତି ରାକ୍ଷୀ ହେଲେ କଣ ହେବ ! ଦେଖିବୁ ମୋ ଭାଇ ଏ ବର୍ଷ କେତେ ସୁନ୍ଦର ରାକ୍ଷୀ ବାନ୍ଧିବ। ମୋତେ କହିଛି ବହୁ ଦାମିକା ଲ୍ୟାପଟପ୍ ଟିଏ ଏ ବର୍ଷ ରାକ୍ଷୀକୁ ଦେବ। ଏତକ କହି ମୁଁ ପୋଖରୀ ଆଡକୁ ପଳେଇ ଚମ୍ପା ଗଛ ମୂଳରେ କଇଁ କଇଁ ହୋଇ କାନ୍ଦି ଉଠିଲି।


ମୋ ପଛେ ପଛେ ଦାଦା ଓ ଖୁଡି ଆସି ମୋତେ ଧରି ଜାଵ ପଡିଗଲେ।ତିନିହେଁ ଲୁହ ଓ କୋହରେ ଗାଧୋଇ ପଡ଼ିଲୁ।ଦାଦା ଅନୁଚ୍ଚ ସ୍ୱରରେ କହିଲେ: ଚୁପ୍ ,ଚୁପ୍ ଏକବାର୍ ଚୁପ୍ ; ଭାଉଜ ଶୁଣିବେ।ଖୁଡି କହିଲେ କେତେ ଆଉ ଚୁପ୍ ରହିବୁ।କେତେ ଆଉ ଛାତିର ଦୁଃଖ ଚାପିବୁ ? କାହିଁକି ବିଧାତା ଆମକୁ ଏମିତି କଷୁଛି? ଦୁଃଖ ମୁଣ୍ଡେଇ ଚାଲିବାର ଗୋଟେ ସୀମା' ଥାଏ ତ...


କହିନୁ କଣ କରିବା ? ଈଶ୍ୱର ଯେତେବେଳେ ଆମ ଉପରେ ଦାଉ ସାଧୁଛନ୍ତି ,ଆମେ କାହା ଆଗେ ଗୁହାରି କରିବା? ଡାକ୍ତର ବାବୁ କହିଛନ୍ତି ଭାଉଜ ଆଉ କୌଣସି ଦୁଃଖ ଖବର ସମ୍ଭାଳି ପାରିବେ ନାହିଁ।ହାର୍ଟ ଫେଲ ନିଶ୍ଚୟ ହୋଇଯିବ ନଚେତ ସମ୍ପୂର୍ଣ୍ଣ ପାଗେଳି।


କିନ୍ତୁ କେତେ ଦିନ ଲୁଚାଇବା ପାରିବା ସମ୍ଭବ ହେବ ?


ଦୁଇ ମାସ ହୋଇଗଲା ପାରିଛେ ଟି । ଆଉ କିଛି ଦିନ ଭୁଲେଇ ଭାଳେଇ ରଖିଦେବା ଭାଉଜଙ୍କୁ।ସେଥିପାଇଁ ତ ଯାହା କ୍ରିୟା କର୍ମ ଆମ ବଡ଼ ବାପା ଘରେ ହେଲା। ସୁମୀ ! ତୁ କଣ ଭାବୁଛୁ ମୁଁ ପଥର। ଭାଇ ହରେଇ ଭାଙ୍ଗି ପଡ଼ିଥିଲେ ବି ପିଲା ଦିଟା ମୁହଁକୁ ଚାହିଁ ସଳଖି ଠିଆ ହେଲି।ହେଲେ ଏବେ ମୋ ଅଣ୍ଟା ବି ମଡ୍ କରି ଭାଙ୍ଗି ଯାଇଛି।


ତିନୋଟି ପ୍ରାଣ କେବଳ ଜାଵ ପଡି କାନ୍ଦୁଥିଲୁ ଅତି ଅସହାୟ ହୋଇ।ସତ ଟି ଏଇଆ ଯେ ଏ ବର୍ଷ ଦିଲ୍ଲୀ ଏମ୍ସ ରେ ପୋଷ୍ଟିଂଗ ହୋଇଥିବା କାଡିଓଲୋଜି ଡାକ୍ତର ଲଲନ୍ ମହାପାତ୍ର ମୋ ଲୁଲୁ ଭାଇ, କରୋନା ଯୋଦ୍ଧାରୁ କରୋନା ସହୀଦ ହୋଇ ଯାଇଛନ୍ତି ଆଜକୁ ଦୁଇମାସ ତଳେ ।


ମା' ଡାକୁଥିଲା ସୁବୁ...

ସୁମୀ...

ହେ ସୁଜି...ଆରେ କୁଆଡେ ଗଲ।


ରାକ୍ଷୀ ପୂର୍ଣ୍ଣିମା' ଦିନ କଣ କହି ମା'କୁ ବୁଝେଇ ହେବ ସେଇ କଥା ଚିନ୍ତା କରୁଥିଲେ ତିନୋଟି ମୁଣ୍ଡ ।



Rate this content
Log in

Similar oriya story from Tragedy