puspanjali das

Tragedy

4  

puspanjali das

Tragedy

ଲକ୍ ଡାଉନ୍ -୨

ଲକ୍ ଡାଉନ୍ -୨

4 mins
202


(ଘରୋଇ ହିଂସା)

   

     ସକାଳର ଜଳଖିଆ ପର୍ବ ଶେଷ ହୋଇଯିବା ପରେ ମୁକ୍ତି ଡାଇନିଂ ଟେବୁଲ ଟି ସଫା କରୁ କରୁ ସାମାନ୍ୟ ଅନ୍ୟମନସ୍କ ହୋଇ ଯାଇଥିଲା।ଦେହଟା ଟିକେ ଖରାପ ଲାଗୁଥିବାରୁ,ଚା'ଟା ଡେରି ରେ ପିଇବ ବୋଲି ରୋଷଇ ଘରେ ରଖିଦେଇଥିଲା,ଚା'ଟି ଥଣ୍ଡା ହୋଇଯିବ ଭାବି ଉଠିଯାଉଥିଲା ଆଣିବାକୁ।ଏତିକି ବେଳେ କଲିଂ ବେଲ୍ ଟି ଜୋରରେ ବାଜି ଉଠିଥିଲା।ଏତେ ବ୍ୟସ୍ତ ହୋଇ କିଏ ଏମିତି ବେଲ୍ ବଜାଉଛି ଭାବି ମୁକ୍ତି ଚାଲିଯାଇଥିଲା କବାଟ ଖୋଲି ବାକୁ।କବାଟଟି ଖୋଲୁ ଖୋଲୁ ତାଙ୍କ ଘରେ କାମ କରୁଥିବା ମଙ୍ଗଳା ପସି ଆସିଥିଲା କାନ୍ଦ କାନ୍ଦ ହୋଇ।ଆରେ,ଏବେ ପରା 'ଲକ୍ ଡାଉନ୍' ହୋଇଛି, ତତେ ମୁଁ ମନା କରିଥିଲି ଏକୋଇଶ ଦିନ ପରେ ଆସିବୁ କହିପକାଇଲା ମୁକ୍ତି,ହେଲେ ମଙ୍ଗଳା କିଛି ନ ଶୁଣିଲା ଭଳି ତଳେ ଲଥ୍ କରି ବସିପଡି କାନ୍ଦି ଚାଲିଲା!

       ମଙ୍ଗଳାର କାନ୍ଦ ଶୁଣି ଅନ୍ୟ ରୁମ୍ ରୁ ଶାଶୁ ସୁକାନ୍ତି ଉଠି ଆସିଥିଲେ ଆଉ ମଙ୍ଗଳାର ଅଳ୍ପ ଦୂରରେ ଚେୟାର ଖଣ୍ଡେ ଟାଣି ଆଣି ବସିପଡିଥିଲେ ଓ ପଚାରିଲେ-ଆଲୋ,କ'ଣ ହେଲା?ପୋଲିସ ଵାଲା ଠୁ ଦି ପାହାର ଖାଇଲୁ କି?କାହିଁକି ଆସୁଥିଲୁ କହିଲୁ?ତତେ ତ ଫୋନ କରିକି ମନାକରିଥିଲା ବୋହୁ ଆମର,ତୋ ଦରମା ମଧ୍ୟ ଜମା କାଟିବନି ବୋଲି କହିଥିଲା,ପୁଣି କାହିଁକି ଘରୁ ବାହାରୁ ଥିଲୁ?ଏଥର ମଙ୍ଗଳା ଧକେଇ ଧକେଇ ମୁହଁ ଖୋଲିଥିଲା–ନାଇଁ ମା,ପୋଲିସ ବାବୁଙ୍କ ମାଡ଼ ଖାଇଥିଲେ ଏମିତି କାନ୍ଦୁ ନ ଥାନ୍ତି।ସେ ମଦୁଆ ର ଜୁଲୁମ ଆଉ ସହି ପାରୁନି!ପୋଲିସ ର ମାଡ଼ ଖାଇବି ପଛେ,ଆଉ ଘରେ ଦିନ ରାତି ରହିବିନି।ସୁକାନ୍ତି ଙ୍କ ପାଟିରୁ ସଙ୍ଗେ ସଙ୍ଗେ ବାହାରି ଆସିଥିଲା-ଆଲୋ କୋଉ ମଦୁଆ କଥା କହୁଛୁ?କାନ୍ଦ ବନ୍ଦ କରି ତାଙ୍କୁ କିଛି ଆଉ କହିବାକୁ ନ ଦେଇ,ମଙ୍ଗଳା କହିପକାଇଲା–ଆଉ କିଏ ମା,ମୋରି ମରଦ,କୁଆଡେ କାମକୁ ତ ଯାଉନି,କେମିତି କେଜାଣି କୋଉଠୁ ଯାଇ ହାଣ୍ଡିଆ ପିଇ ଦେଇ ଆସୁଛି।ସବୁ ପଇସା ପତର ଯାହା ମୁଁ ନୁଚେଇକି ରଖିଥିନି,ସବୁ ନେଇ ପଳଉଛି।ଘରେ ଛୁଆ କ'ଣ ଖାଇବେ ଚିନ୍ତା ନାହିଁ।ଛୁଆ ଦି ଟା ବଡ ହେଲେଣି,ଶାଶୁ ବୁଢ଼ୀ ହେଲେ କ'ଣ ହବ ସେଇ ଘରେ ଅଛନ୍ତି । ଆଉ ସେ ମଦୁଆ ମତେ ଦିନ ରାତି ଗାଳି ମାଡ ଦେଇ ଯେତେ ହଇରାଣ କରୁଛି।ହାଣ୍ଡିଆ ନିଶାରେ ଲାଜ ସରମ କିଛି ନାଇଁ ମା ମୁଁ ତା'କଥା ନ ମାନିଲା ରୁ ମୋ ଦେହରେ ତା'ର ଯେତେ ବଳ, ସବୁ ବିଧା ଗୋଇଠା ରେ ସାରିଦେଉଛି।ହେଇ ଦେଖୁନ, କେମିତି ମୋ ମୁହଁରେ ଆବୁ ଭଳିଆ ଫୁଲେଇ ଦେଇଛି!ମେତେ ତେମେ ମନା କରନି ମା,ମୁଁ ପଛେ ପୋଲିସ ଵାଲା ଠୁ କେଇ ପାହାର ଖାଇବି,ହେଲେ କେଇ ଘଣ୍ଟା ତ ତୁମ ଘରେ କାମ କରିବା ବାହାନାରେ ସେ ମଦୁଆ କବଳରୁ ରକ୍ଷା ପାଇ ଯିମି!!

         ମୁକ୍ତି ସାମାନ୍ୟ ଦୂରରେ ଠିଆ ହୋଇ ମଙ୍ଗଳାର କଥା ସବୁ ଶୁଣୁଥିଲା,ତର୍ ତର୍ ହୋଇ ନିଜ ବାହୁରେ ହୋଇଥିବା ସଦ୍ୟ ଆଂଚୁଡା ଦାଗ ଟିକୁ ଲୁଗା କାନିରେ ଘୋଡାଇ ରୋଷେଇ ଘରୁ ଚା'କପ୍ ଟି ଆଣିବାକୁ ଚାଲିଯାଇଥିଲା,ଅବଶ୍ୟ ଜାଣିଥିଲା ଚା'ଟି ତା'ର ସେତେବେଳକୁ ପୁରା ଥଣ୍ଡା ହୋଇ ଯାଇଥିବ!ସୁକାନ୍ତି ଏଥର ଜୋରରେ ରାଗିପକାଇ କହିଲେ–ତୋ ମରଦ ତୋ ଉପରେ ହାତ ଉଠାଉଛି?ତୁ ତାକୁ ଛାଡି ଦେଉଛୁ?ତୋ ଶାଶୁ ସେଇଠି ଅଛିଟି?ତାକୁ କହୁନୁ?ମଙ୍ଗଳା ସଙ୍ଗେ ସଙ୍ଗେ କହିପକାଇଲା–ମଦୁଆ କ'ଣ ତା'କଥା ମାନିବ? ଟିକିଏ ବି ଖାତର ନାହିଁ! ସିଏ ପା ଦେଖିଚି,ବାପ ସେମିତି ମା'କୁ ମାଡ଼ ଦେଉଥିଲେ । ମୋ ଆଖି ବି ଦେଖିଚି ମା!କେତେ ମାଡ଼ ଗାଳି ଖାଇ ମୋ ଶାଶୁ ପଡି ରହୁଥିଲେ ହେଲେ ମଲା ବେଳକୁ କିନ୍ତୁ ଢେର ସେବା କରିଥିଲେ ତାଙ୍କେ ଙ୍କର।ଏବେ ଟିକେ ସେଥିରୁ ମୁକୁଳି ଛନ୍ତି।ହେଲେ,ଏ ମଦୁଆ ଟା କ'ଣ ଟିକେ ଶାନ୍ତିରେ ରଖେଇ ଦେଉଛି।ମୋ ସାଙ୍ଗରେ ସେମିତି କଟର କଟର ଲଗାଉଛି!କିଛି କହିଲେ ଘରୁ ବାହାର କରିଦେବ ବେଲି ଧମକାଉଛି!ତେମେ ଆଜ୍ଞା ଭଳି ଆ କ'ଣ ପାଠ ସାଠ ପଢ଼ିଛି ଯେ ବୁଝେଇଲେ ବୁଝିଯିବ!


          ଏତକ କହି ଉଠୁ ଉଠୁ ସୁକାନ୍ତି ତାକୁ ବସିବାକୁ କହି ତାକୁ ବୁଝାଇବାକୁ ଲାଗିଲେ–ଆଲୋ,ସେ ଯୁଗ କ'ଣ ଆଉ ଅଛି?ତୁ କାହାକୁ ନ କହିଲେ କିଏ ଜାଣିବ?କଥା ରେ ପା ଅଛି–'ମୁଖ ଫିଟିଲେ,ଦୁଃଖ ଯାଏ'।ତା'ଛଡା ଅନ୍ୟାୟ କରିବା ଅପେକ୍ଷା ଅନ୍ୟାୟ ସହିବା ବେଶୀ ପାପ!ତୁ ଏତେ କାହିଁକି ସହିବୁ?ହାତ ଗୋଡ ଚାଲୁଛି,ଖଟୁଛୁ,ଖାଉଛୁ,କାହିଁକି ତା'ର ଏତେ ମାଡ଼ ଗାଳି ସହିବୁ?ଆଜିକାଲି କେତେ ନିୟମ କାନୁନ ହେଲାଣି,ସବୁ ଜାଣେ।ମଙ୍ଗଳା ବସିପଡି ବଲ ବଲ କରି ତାଙ୍କ ମୁହଁକୁ କେବଳ ଅନାଇ କହିପକାଇଲା–ମା,ମୁଁ ମୁରୁଖ ନୋକ,ଏତେକଥା ଜାଣିନି, ତମ କଥା କିଛି ମୋ ମୁଣ୍ଡରେ ପସୁନି।ମେତେ ଖାଲି କାମ କରିବାକୁ ଟିକେ ତମ ଘରେ ଦିଅ,ମୁଁ ଗୋଟାଏ ଓଳି ହଉ ପଛେ, ପୋଲିସ ଵାଲାଙ୍କୁ ନୁଚିକି ଆସିକି କେଇ ଘଣ୍ଟା ତମ ଘରେ ସବୁ କାମ କରିଦେଇ ଯିମି।ଆର ଓଳି ଟା ପଛେ ଯାହା ମାଡ଼ ଗାଳି ଖାଏ ସହିଯିମି।ତେମେ ସିନା ଆଜି ଏ ବନ୍ଦ ବାନ୍ଦ ଯୋଗୁଁ ରହିଯାଇଛ ବୋଲି ମୋ କଥା ଶୁଣିଲ ଆଉ ଜାଣିଲ! ନ ହେଲେ ତମ ବୋହୁ,ଆମ ମା,ସବୁ ଜାଣନ୍ତି ପରା!କେଇଥର ତାଙ୍କୁ ମୋ ହାତ ଗୋଡ ଖଣ୍ଡିଆ ଖାବରା ଦେଖେଇଛି ପା!

      ମଙ୍ଗଳାର କଥାଗୁଡିକ କାହିଁକି କେଜାଣି ସେଦିନ ମୁକ୍ତିର ମନ ଭିତର ଟାକୁ କୋରି ପକାଉଥିଲା!ସତରେ କ'ଣ ପାଠପଢ଼ା ଲୋକଙ୍କୁ ବୁଝେଇ ହୁଏ??ଶାଶୁଙ୍କର କଥା ଗୁଡିକ ର ମର୍ମ ସେ ବେଶ ବୁଝିପାରୁଥିଲା! ସେସବୁ ଯେ ତା'ରି ପାଇଁ ଉଦ୍ଦିଷ୍ଟ ଥିଲା ଏକଥା ମଧ୍ୟ ଜାଣିପାରୁଥିଲା!'ଲକ୍ ଡାଉନ୍' ଯୋଗୁଁ ଶାଶୁ ତାଙ୍କର ଏତେଦିନ ସେମାନଙ୍କ ପାଖରେ ବାଧ୍ୟ ହୋଇ ଅଟକି ଯାଇଥିଲେ! ନ ହେଲେ ତ ବାହାଘରର ଅଳ୍ପ ଦିନ ପରେ ମୁକ୍ତି ତାଙ୍କ ପୁଅ ସାଙ୍ଗରେ ଆସି ଏତେ ଦୂରରେ ରହିଛି ଯେ ତାର ଭଲ ମନ୍ଦ ଯାହା ଟିକିଏ ଫୋନରେ କେବଳ କଥା ବାର୍ତା କରି ଜାଣୁଥିଲେ!କୁଣିଆ ଭଳିଆ ଦୁଇ ଚାରି ଦିନ ଘରକୁ ଦୁହେଁ ଯାଆନ୍ତି ଦୁଇ ଚାରି ମାସରେ ଥରେ। ଯଦିଓ ପୁଅ ର ରାଗଟା ସହିତ ପରିଚିତ ସିଏ ଥିଲେ ,ହେଲେ ଏଇ କେତେଦିନ ଭିତରେ ,ମୁକ୍ତିର ସତ ଚେଷ୍ଟା ସତ୍ତ୍ୱେ ଅନେକ ଦୁର୍ଗୁଣର ଆଭାସ ମଧ୍ୟ ପାଇ ଯାଇଥିଲେ।ସେସବୁକୁ ଏତେ ସହଜରେ ଗ୍ରହଣ କରିପାରିନଥିଲେ।ମୁକ୍ତିର ଶାନ୍ତ ଓ ସହିଷ୍ଣୁ ଗୁଣ ଟା ଯେ ତା'ପାଇଁ କାଳ ହୋଇଯିବ ଏକଥାଟା ମଧ୍ୟ ମର୍ମେ ମର୍ମେ ଅନୁଭବ କରି ପାରୁଥିଲେ ସୁକାନ୍ତି। ମୁକ୍ତି କୁ ବୁଝାଇବାକୁ ଯେମିତି ବାଟ ଖୋଜୁଥିଲେ,ଆଉ ମଙ୍ଗଳା ଯେ ବାଟ ଟା ତାଙ୍କ ପାଇଁ ସହଜ କରିଦେଲା ବୋଲି ଭାବି ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ।ଶାଶୁଙ୍କର ଏପରି କଥା ବାର୍ତା ରେ ,ମୁକ୍ତି ର ଭାବନା ଭିତରେ ଆଶାର କିରଣ ଟିଏ ଯେମିତି ଦେଖା ଦେଇଥିଲା!ଭାବୁଥିଲା -ହୁଏତ ଏଇ 'ଲକ୍ ଡାଉନ୍ ' ସମୟ ଟାରେ ତା'ର ଜୀବନରେ ଉଠୁଥିବା ଝଡ଼ର ମୁକାବିଲା କରିବାକୁ ତାକୁ ବଳ ଓ ସାହସ ମିଳି ଯାଇପାରିବ!!

       

          

     


Rate this content
Log in

Similar oriya story from Tragedy