ଲିଭ-ଇନ
ଲିଭ-ଇନ
ଏଇତ' ଆଗକୁ ଫାଲଗୁନ ପୂର୍ଣ୍ଣମୀ ଆସୁଛି, ହେଲେ ଆକାଶରେ ବର୍ଷାର ଛବି ଉଙ୍କି ମାରୁଛି,ଲାଗୁଛି ଯେମିତି ଅମାବାସ୍ଯାର ଅନ୍ଧକାର ସାରା ଆକାଶକୁ ଘୋଡେଇ ରଖିଛି।ବର୍ତ୍ତମାନର ସମସ୍ଯା ଭିତରେ ହଜି ଯାଇଥିଲି ମୁଁ 'ଆଉ ଖୋଜୁଥିଲି ବଞ୍ଚିବାର ମୂଲ୍ୟବୋଧ କୁ।
ଆଜିର ଯୁବସମାଜ ଭିତରେ ଆତ୍ମସଚେତନର ଘୋର ଅଭାବ ଦେଖା ଯାଉଛି,ଆଧୁନିକ ସମାଜର ଚାକଚକ୍ୟ ଭିତରେ ଅତ୍ଯାଧୁନିକ ର ଦ୍ବାହିଦେଇ ଯୁବପିଢିମାନେ ଉତ୍ସୃଙ୍ଖଳ ଓ ପଥଭ୍ରଷ୍ଟ ହେବାକୁ ଲାଗିଲେଣି। ହୃଦୟର ଆବେଗକୁ କ'ଣ ସମସ୍ତଙ୍କ ଆଗରେ ପ୍ରକାଶକରି ହୁଏକି ....ନା, ସେଥିପାଇଁ ମନଲାଖି ମଣିଷଟିଏ ଦରକାର ଯାହା ଆଗରେ ସୁଖ, ଦୁଃଖ ,ଭଲ, ମନ୍ଦ ସବୁ ବ୍ଯକ୍ତ କରିପାରିବ। ସେଥିଲାଗି ତ ମଣିଷ ମନରେ ପ୍ରେମ ଭାବ ଜାଗ୍ରତ ହୁଏ, ଯାହା ସତ୍ଯ,ଶିବ, ସୁନ୍ଦର ସ୍ବରୂପ ତା'ର କଣ ତୁଳନା ଅଛି ପ୍ରେମ ସଦା ପବିତ୍ର, କିନ୍ତୁ ସେଇ ପ୍ରେମ ଆଜି କଳୁଷିତ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀହୋଇ ତାକୁ କୁତ୍ସିତ, କଦର୍ଯ୍ଯ ଓ କଦାକାର କରିଦେଲେଣି ଆଜିର ଯୁବସମାଜ।
ଯେମିତି ଅଜଣା ଫୋନ୍ କଲ-କିଛି ସମୟ କଥା ବାର୍ତ୍ତା ପରେ ବନ୍ଧୁତା ଓ ଦେଖା ସାକ୍ଷାତ ଭିତରେ ସଂପର୍କ ଏତେ ନିବିଡ ହୁଏଯେ ଶେଷକୁ ଲିଭ୍-ଇନ ଯାହାକି ଦ୍ରୁତଗତିରେ ବଢି ଚାଲିଛି।ସାମାଜିକ ସୀକୃତି ବିନା ଲିଭ-ଇନ ସଂପର୍କ ର କରୁଣ ପରିଣତି କେତେ ଯେ ଭୟାବହ ତାହା ସମସ୍ତଙ୍କୁ ବେଶ୍ ଜଣାଥିବ ।
ପ୍ରେମ ପ୍ରତାରଣା ଓ ବିଛେଦକୁ ନେଇ ଏଇ ଲିଭ-ଇନ ସଂପର୍କ ବେଶିଦିନ ତିଷ୍ଠି ପାରେ ନାହିଁ କାହା କାହାରି ପାଖରେ।ଦୀର୍ଘ ଦିନ ଏମିତି ସମ୍ପର୍କ ରେ ରହିବା ପରେ ମନାନ୍ତର ଓ ମତାନ୍ତର ଭିତରେ ଭାଙ୍ଗିଯାଏ ସମ୍ପର୍କ ର ନୀଡଟି....!!
ଏମିତି ଏକ ସମ୍ପର୍କ ତିଆରି ହୋଇଥିଲା ସାହିଲ୍ ଓ ଶ୍ରୀଜା ଙ୍କ ଭିତରେ। ଦୁଇଜଣ ଯାକ ଉଚ୍ଚଶିକ୍ଷିତ ,ପ୍ରତିଷ୍ଟିତ ମଲ୍ଟି ନେସନାଲ କମ୍ପାନୀ ପି.ଆର.।
ଶ୍ରୀଜା ଦେଖିବାକୁ ଖୁବ୍ ସୁନ୍ଦର।ତାର ମନଲୋଭା ସୌନ୍ଦର୍ଯ୍ୟରେ ସାହିଲ୍ ପାଗଳ ହୋଇ ଯାଇଥିଲା ,ବନ୍ଧୁତାର ହାତ ବଢେଇ ଥିଲା ,ଓ ପରେ କିଛିଦିନର ମିଳାମିଶା ପରେ ଭଲ ପାଇ ବସିଥିଲେ ଦୁହେଁ ଦୁହିଁଙ୍କୁ, ବୁଝାମଣା ଭିତରେ ଲିଭ-ଇନ ରେ ରହିଲେ
ଦୁଇଜଣ ପରେ ବିବାହର ପ୍ରତିଶ୍ରୁତି ନେଇ।ଦିନକୁ ଦିନ ସମ୍ପର୍କ ନିବିଡ ହେବାକୁ ଲାଗିଲା। ରଙ୍ଗୀନ୍ ପ୍ରଜାପତି ପରି ଉଡିବୁଲିଲେ ଦୁଇଜଣ, ଜଣେ ଅନ୍ଯ ଜଣଙ୍କ ବିନା ଅସମ୍ପୂର୍ଣ୍ଣ ଥିଲେ,ଖୁବ୍ ଖୁସିରେ କଟିଗଲା ଦୀର୍ଘ ତିନିବର୍ଷ....।।
ହେଲେ ଏ ଦୁନିଆ ଟା ବଡ ବିଚିତ୍ର, ଋତୁ ଚକ୍ରର ଆବର୍ତ୍ତନ ପରି ଜୀବନର ଋତୁ ବି ପରିବର୍ତ୍ତନ ହୋଇଯାଏ। ପୌଷ ମାସର ସୁନ୍ଦର ସକାଳଟି ବୈଶାଖର ଉତ୍ତପ୍ତ ଝାଞିରେ ପୋଡିଜଳି ଯାଏ। ସମୟ ବଡ ବଳବାନ, କାହାକୁ କେତବଳେ ନେଇ କେଉଁ ମୋଡରେ ଛିଡାକରି ଦିଏ ସେ କଥା ଏକା ତାକୁ ହିଁ ଜଣା।ପ୍ରେମର ସୌଦାଗରରୁ ଛଳନାର ସଇତାନ୍ ସାଜେ ସାହିଲ୍। ପ୍ରେମ,ଭଲପାଇବା ମୂଲ୍ଯହୀନ ଲାଗେ,ଆଉ ରୁହେ ନାହିଁ ଆନ୍ତରିକତା ଭରା ଆତ୍ମୀୟତା।ହଜିଯାଏ ପ୍ରେମର ସତ୍ତା,ନଷ୍ଟ ଭ୍ରଷ୍ଟ ହୋଇଯାଏ ପବିତ୍ର ପ୍ରେମର ପ୍ରତିଶ୍ରୁତି,ଡଷ୍ଟ ବିନରେ ଫିଙ୍ଗିଦିଆଯାଏ ଅତୀତର ସ୍ମୁତିକୁ ଘରର ଅଳିଆ ଭଳି।
ପ୍ରକୃତରେ ଶ୍ରୀଜା ମନଦେଇ ଭଲ ପାଉଥିଲା ସାହିଲକୁ ଆଉ ବିବାହ କରିବାକୁ ଚାହୁଁଥିଲା।କିନ୍ତୁ ସାହିଲ୍ ଆଭୋଏଡ
କରି ଚାଲିଥିଲା। ତାର ଆଚରଣ ଉଚ୍ଚାରଣ ଆଉ ଆଗଭଳି ନଥିଲା,ପ୍ରେମିକରୁ ପିଶାଚ ପାଲଟି ଥିଲା ସେ।କାରଣ ତାର ଉଦ୍ଦେଶ୍ଯ ଅଲଗା ଥିଲା,ପାଗଳ ଭ୍ରମର ଏ ଫୁଲରୁ ସେ ଫୁଲକୁ ଉଡିଲା ପରି ସେ ଆଉ ଜଣେ ଝିଅ ସହିତ ବିବାହ କରିବା ପାଇଁ ସ୍ଥିର କରିଥିଲା। ଭୁଲି ଯାଇଥିଲା ସେ ଦେଇଥିବା ପ୍ରତିଶ୍ରୁତିକୁ।ଏତେ ନିଷ୍ଠୁର ଯେ ଗୋଟେ ସରଳ ନିଷ୍କପଟ ହୃଦୟକୁ ନେଇ ପ୍ରେମର ଖେଳ ଖେଳି, ଆଉ ଜଣଙ୍କୁ ସ୍ତ୍ରୀ ର ମାନ୍ଯତା ଦେବା କୁ ନିଷ୍ପତ୍ତି ନେଇଗଲା।ଏମିତି କରିବାଟା ବୋଧେ ଆଜିକାଲିର ଜମାନା .....।।
ଏପଟେ ଅସହାୟ ହୋଇ ପଡୁଥିଲା ଶ୍ରୀଜା ଭାବୁଥିଲା ଏତେ ଦିନ ଧରି ଯାହକୁ ଆଲୋକ ଭାବି ପତଙ୍ଗ ଭଳି ଝାସ ଦେଇଥିଲା ସେ ଆଲୋକ ନଥିଲା, ସାମାନ୍ଯ ଖଦ୍ୟୋତଟିଏ ଥିଲା।ମାନସିକ ଯନ୍ତ୍ରଣାର ଦାବାନଳରେ ଜଳୁଥିଲା ଶ୍ରୀଜା ସାହିଲ୍ ର ଆଚରଣକୁ ଦେଖି। ଅତୀତ ର ସୁନେଲି ସ୍ବପ୍ନ ଯେମିତି ଆଖିକୁ ପର କରିଦେଇଛି ତାକୁ ଏମିତି ଭାବନାର ଖିଅ ଲମ୍ବି ଚାଲିଥିଲା ଶ୍ରୀଜାର ଅବୁଝା ମନରେ।
ପ୍ରେମ ମନ ଆକାଶରେ ଇନ୍ଦ୍ରଧନୁ ସଜେଇ ସାତରଙ୍ଗ ଭରିଦିଏ ସିନା ହେଲେ ଛଳନାର ରଙ୍ଗ ସେମିତି ଅଧାରେ ହିଁ ରହିଯାଏ। ଶ୍ରୀଜା ର ଆଖି ସାମ୍ନାରେ ଭାସି ଉଠୁଥିଲା ସେଇ ଜହ୍ନ ରାତ୍ରିର ସୁନ୍ଦର ଚିତ୍ର, ବିନା ସ୍ପର୍ଶ ରେ ତାକୁ ଯେମିତି ଲାଗୁଥିଲା ସାହିଲ୍ ର ଆତ୍ମୀୟତାର ମୁହୂର୍ତ୍ତର ଅନ୍ତରଙ୍ଗ ତାର ନିବିଡ ଆଶ୍ଳେଶ ହେଲେ ସେ ଜାଗାରେ କେବଳ ସେ ଏକାହିଁ ଥିଲା। ତାର ଅସହାୟତା,ବିବଶତା ହାରିବା ,ଜିତିବାର ଦ୍ବନ୍ଦ ଭିତରେ ଭାବନାର ଭଉଁରୀରେ ଉବୁଟୁବୁ ହେଉଥିଲା ଶ୍ରୀଜା।ସତରେ ମଣିଷ ମନକୁ ବୁଝିବା ଭାରିକଷ୍ଟ କିଏ କଣ ଚାହେଁ ଓ କଣ କରିଥାଏ। ଆଗତ ,ଭବିଷ୍ଯତକୁ ନଭାବି
ସବୁ ଜାଣିବି ଅବୁଝା ହୋଇଯାଏ । ବେଳେବଳେଏମିତି ନିଷ୍ପତ୍ତି ନେଇ ଯାଏ ଯାହାକି ନିଜ ପାଇଁ ଓ ସମାଜ ପାଇଁ ଅମାନବୀୟ, ଘୃଣ୍ଯ କଳୁଷିତ ବୋଲି ବିବେଚନା ହୁଏ।ବିଶ୍ବାସ ର ମହାଦ୍ରୁମ ଟି ମିଥ୍ଯା ପ୍ରତିଶ୍ରୁତିରେ ଉପୁଡି ଯାଏ।ଆଞ୍ଜୁଳା, ଆଞ୍ଜୁଳା କୃତ୍ରିମ ହସ ଫୁଲରେ ଭୁଲି ଯାଏ ନିରିହ ମନଟି,ଅନୁକମ୍ପାର ଅଦିନିଆ ବର୍ଷାରେ ଭିଜିଯାଏ ଶ୍ରୀଜା ସାହିଲ୍ ର ଛଦ୍ମକୁ ବୁଝିନପାରି।ବେଦନାର ଲୁହକୁ ପୋଛି ଦେଇ ଖୁସିରେ ନାଚି ଯାଏ ଶ୍ରୀଜା ମନର ଫୁଲବନ।ଶ୍ରୀଜାର ପ୍ରତିଟି ସ୍ପନ୍ଦନ ଚାହୁଁଥିଲା ସାହିଲ୍ କୁ, କିନୁ ପ୍ରେମର ମାୟା ଜାଲରେ ଏମିତି ଛନ୍ଦି ଦେଇ ଥିଲା ସାହିଲ ତାକୁ ଯେ ଶ୍ରୀଜା କିଛି ବି ଜାଣି ପାରୁ ନଥିଲା।।
ସବୁ ପ୍ରତୀକ୍ଷାର ଅନ୍ତ କରି ଦେଲା ସାହିଲ ଅତି ଅମାନୁଷିକ ଭାବେ ଶ୍ରୀଜାକୁ ହତ୍ୟା କରିବାକୁ ବି ପଛାଇଲା ନାହି ,ଅତର୍କିତ ଆକ୍ରମଣ ର ଶିକାର ହେଲା ଶ୍ରୀଜା ତଣ୍ଟିକୁ ଚିପି ଧରି କିଛି ସମୟ ପରେ ଫିଙ୍ଗିଦେଲା ଶ୍ରୀଜାର ନିସ୍ତେଜ ଶରୀରକୁ।ଶରତର ସଫେଦ ସକାଳରେ ଚାହୁଁ ଚାହୁଁ ଝରିପଡିଲା ସୁନ୍ଦରୀ ଶୁଭ୍ରା ଶେଫାଳିଟି।
ତାପରେ ଆକଣ୍ଠ ମଦ୍ଯପାନକରି ବିଜୟର ହସହସି ଚାଲିଲା ନିଜ ଘରକୁ, ବର ବେଶରେ ସଜେଇ ହୋଇ ସୁନେଲି ଭବିଷ୍ୟତ ଗଢିବା ର ସଂକଳ୍ପ ନେଇ ଚାଲିଲା ବିବାହ ବେଦୀକୁ,ହେଲେ ବିଧିର ବିଧାନ କେ କରିବ ଆନ,ନିତୀରେ ସତ କେବେ ଲୁଚି ରହେନା ସବୁ ଧରା ପଡିଯାଏ ଉପର ବାଲାର ଆଖିରେ। ପୋଲିସ ଆରେଷ୍ଟ କରି ନିଅନ୍ତି ସାହିଲକୁ, କାରାଗାରର କଳା କୋଠରୀରେ ଏବେ କରିଥିବା ପାପର ହିସାବ କରୁଥିବ ବୋଧେ........।।
ଦୁଇଟି ଅମୂଲ୍ଯ ଜୀବନ ନଷ୍ଟ ହୋଇଗଲା କକ୍ଷଚ୍ୟୁତ ଉଲକାଭଳି,ଲିଭ-ଇନ ସଂପର୍କ ଭିତରେ।
--

