"ପରିବର୍ତ୍ତନ
"ପରିବର୍ତ୍ତନ
ପୁଷ ମାସର ସଞ୍ଜୁଆ ଆକାଶରେ ନୀଡ଼ ଫେରନ୍ତା ଧାଡିଏ ପକ୍ଷୀ ଉଡ଼ି ଯାଉଥିଲେ ଡେଣାଝାଡ଼ି। ସିରି ସିରି ହୋଇ ବହି ଯାଉଥିଲା କୋହଲା ପବନ। ଦୂର ପାହାଡ଼ ଉହାଡରୁ ଅନ୍ଧାର କୁ ଠେଲି ଉଠି ଆସୁଥିଲା ଫାଳିକିଆ ଜହ୍ନ ଖଣ୍ଡେ। ରାସ୍ତା ସବୁରେ ଜଳି ଉଠିଲା ଷ୍ଟ୍ରିଟ୍ ଲାଇଟ୍। ସୁଭଦ୍ରା ଦେବୀ ସଂଧ୍ୟା ଦେବା ପୂର୍ବରୁ ସୁଇଚ୍ ଅନ୍ କରି ଘରକୁ ଆଲୋକିତ କରିଦେଲେ।
ଠିକ୍ ସେତିକି ବେଳେ ଶ୍ରୀମୟୀ ପାହାଚ ଉପରେ ପାଦ ଦେଉ ଦେଉ, ଦେଖ ଲୋ ମୋ ମା' ଆସିଲାଣି ବୋଲି କହି ପକାଇଲେ ସୁଭଦ୍ରା ଦେବୀ। କେମିତି ଆସିଲୁ ରେ ମା ,ସୋମୁ ପରା ଯାଇଥିଲା ତୋତେ ଆଣିବାକୁ, କୁଆଡେ ଗଲା କି' ସେ! ସୁଧୁରିବନି ଆଉ ,ଆଜି ତା'ର ଦିନେକୁ ମୋର ଦିନେ!ଏମିତି କଥାଶୁଣି ଟିକେ ହସିଦେଇ ସୁଭଦ୍ରା ଦେବୀଙ୍କ ପାଦ ଛୁଇଁ ପ୍ରଣାମ କଲେ ଆସନ୍ନ ପ୍ରସବା ବୋହୂ ଶ୍ରୀମୟୀ।
ଥାଉମା' ଅସଜିଆ ଦେହରେ ନଇଁଁ ବାଟା ଭଲ ନୁହେଁ।କେମିତି ଭଲରେ ଭଲରେ ମା ଜାଗୁଳାଇ ତୋତେ ଉଦ୍ଧାର କରନ୍ତୁ।
ତୁ ଯା ମା' ଥକା ଲାଗିବଣି ,ଲୁଗା ବଦଳାଇ ଘରେ ଟିକେ ବିଶ୍ରାମ କରିବୁ।କାଲିଠୁ ପରା ସେ କାମବାଲୀ ଆସିନାହିଁ, କ'ଣ ହୋଇଛି ତା'ର କେଜାଣି। ସବୁତକ କାମ ପଡ଼ିଛି ମୁଁ ଯାଉଛି ଦେଖିବି।ଏତକ କହିଦେଇ ସୁଭଦ୍ରା ଦେବୀ ଚାଲିଗଲେ!
ଶୋଇବା ଘରର ଖଟ ଉପରେ କ୍ଲାନ୍ତ ଶରୀରକୁ ଲୋଟାଇ ଦେଉ ଦେଉ ଶ୍ରୀମୟୀ ଙ୍କ ଆଖିରେ ପଡିଲା ସ୍ଵାମୀ ସ୍ଯୋମ୍ଯଙ୍କ ର ଫଟୋ ଫ୍ରେମଟିରେ।ଚେନାଏ ମୃଦୁ ହସରେ ଖୁବ ସୁନ୍ଦର ଦିଶୁଥିଲେ ସ୍ବାମୀ ସ୍ଯୋମ୍ଯ!
ଶ୍ରୀମୟୀ ମନେମନେ କହିଲେ କ'ଣ ଦୁଷ୍ଟ ବୋଉ ଯାହା କହୁଛନ୍ତି ଠିକ୍ ନା.....?
ମୋତେ ଆଣିବାକୁ ଯାଇ ଆଉ କୋଉଠି ଲାଖି ଗଲଯେ, ନୂଆ ନୂଆ ତ ଭାରି ପ୍ରେମ ଉଛୁଳି ଥିଲା ,ଏବେ ବାବୁଙ୍କର କ'ଣ ହୋଇଛି କି ଦୀର୍ଘ ଚାରିମାସ ହେଲାଣି ନା ଫୋନ କଲ୍ ନା ମେସେଜ।ସମୟ ନାହିଁ ର ବାହାନା କରିବନି ଜମା ,ସତକୁହ ମୋ ଉପରେ ରାଗିଛ କି,....? ନା ବାପା ହେବା ପାଇଁ ଇଛା ନଥିଲା। ସତେତ ଏଣିକି ଦାୟୀତ୍ବ ଟା ବଢିଯିବ ତୁମର! ମୁଁ କହୁନି'ମ ଏସବୁ ତୁମ କଥା। ମିଠା ମିଠା କଥା କହି ମୋତେ ତୋ ଫସେଇ ଦେଲ,ଆଉ କାହାକୁ ଲାଇନ୍ ମାରୁନତ....? ହଁ ହଁ ସେ ଡାଇଲଗ୍ ଟା କ'ଣ ଥିଲା ତୁମେମୋର ପ୍ରଥମ ତୁମେ ମୋର ଶେଷ। ଭାବମୂର୍ତ୍ତି ଟା ଭାରୀ ନିର୍ମଳ ଦେଖେଇ ହେଉଥିଲ ଏବେ କିନ୍ତୁ ତୁମେ ସେମିତି ନାହଁ। ଜାଣିଛ ପୁରୁଷ ମାନଙ୍କ ସମ୍ପର୍କରେ ମୁଁ କିଛି ତଥ୍ୟ ସଂଗ୍ରହ କରିଛି,ମୋ ସାଙ୍ଗ ସୁପ୍ରଭା କହୁଥିଲା ଏ ଦୁନିଆରେ ଏମିତି ପୁରୁଷ ନାହଁ ଯିଏ ପ୍ରେମ ପାରାବାରରେ ଡୁବ ନମାରିଛି! କହିବ କି ପତିଦେବ ,ଏ କଥା କ'ଣ ସତ.....?
ନିଜ ଭାବନା ରେ ବେଗମାନ୍ ସ୍ରୋତରେ ଭାସି ଯାଉ ଯାଉ ଶ୍ରୀମୟୀ ଚମକି ପଡ଼ିଲା, କହିଲା ଓଃ ମୁଁ କ'ଣ ସବୁ କହି ଚାଲିଛି ଯେ,ସ୍ଯୋମ୍ଯଙ୍କ ଭଳି ସ୍ବାମୀ କେତେଜଣଙ୍କ ଭାଗ୍ୟରେ ମିଳେ।
ଅନ୍ୟ ମନସ୍କ ଭାବେ ବିଛଣାରୁ ଉଠି ଯାଉ ଯାଉ ଦେଖିଲା ସୋମୁ ଙ୍କ ର ଡାଇରୀ ଟି ଥୁଆ ହୋଇଛି ପାଖ ଟେବୁଲ୍ ଉପରେ।ଖୁବ୍ ଶ୍ରଦ୍ଧା ସହକାରେ ଡାଇରୀ କୁ ଆଣି ପୃଷ୍ଠା ଓଲଟାଇ ପଢିବାକୁ ଲାଗିଲା।
ଗୋଟେ ପୃଷ୍ଠା ରେ ଏକ ବିଶେଷ ସଙ୍କେତ କୁ ଦେଖି ଆଖିଟା ଅଟକି ଗଲା ସେଇଠି।୨୦୨୩ ଜୁନ ଚଉଦ!
ବସୁଧା ରଜବତୀ, ମୋ ଜୀବନଟା ପାଲଟି ଯାଇଛି ଗୋଟେ ଲମ୍ବା ଜହ୍ନ ରାତି।ଆକାଶ ର ଆଖି ସାଥେ ଆଖି ମିଶାଇ ମୁଁ ଚୋରି କରିଛି ଚେନାଏ ଜ୍ୟୋସ୍ନା, ଫଳବତୀ ହୋଇଛି ମୋର ବହୁ ଦିନର ଆକାଙ୍କ୍ଷା, ରହସ୍ୟମୟୀ ନାରୀର ଅନ୍ଧାରୀ କାମନା।
'ସୋନାଲି ' ମାଇଁ ସୁଇଟ୍ ହାର୍ଟ!ଅନେକ ଅନେକ ପୁଞ୍ଜିଭୂତ ବେଦନାର ବଡ଼ଦାଣ୍ଡରୁ ଯେମିତି ଖସିପଡ଼ିଲା ଶ୍ରୀମୟୀ,
ଆଣ୍ଠୁ ଗଣ୍ଠିରେ ଜଖମ ଲାଗିବା ସହିତ ହୃଦୟ ଟା ବି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।ଥରିଲା ଥରିଲା ହାତରେ ସେ ଓଲଟାଇ ଚାଲିଥିଲା ତା ଚରିତ୍ର ହୀନ ସ୍ବାମୀ ର ଗୁପ୍ତ ପଞ୍ଜିକାକୁ। ଜୁଲାଇ ୨୨ତାରିଖ, ସୋନାଲି କୁ ଖୁବ୍ ପାଖରୁ ଦେଖି ବହୁତ ଖୁସି ଲାଗିଲା ........!
ନଭେମ୍ବର ୧୮ ତାରିଖ,ଆଜି ସୋନାଲି ସହିତ ଶ୍ରୀମୟୀ ବସି ଗପୁଥିଲା,ସେ ତା ବାହାଘର ପରେ ପ୍ରଥମ ଥର ଆସିଛି,ଭାରି ସୁନ୍ଦରୀ ଦିଶୁଛି, ମୋତେ ଦେଖି ଚୁପ୍ ଚାପ୍ ଚାଲିଗଲା।ଶ୍ରୀ କୁ କହିଲି ତାକୁ ଟିକେ ଅଟକେଇବାକୁ, ହେଲେ ସେ ମୋ କଥା ରଖିଲାନି।ତେବେ ସେ କ'ଣ ସନ୍ଦେହ କରୁଛିକି ମୋତେ........!
ମାତ୍ର ମୁଁ ତାଠାରୁ ପାଇଲି କ'ଣ।
ଚୋରା ପ୍ରୀତିର ଚମକ ଏ ବିବାହ ବନ୍ଧନରେ କାହିଁ.....?
ଶ୍ରୀ ମୋ ପାଇଁ ଗୋଟେ ଆବଦ୍ଧ ଜଳାଶୟ ହେଲେ ସୋନାଲି ଛଳ ଛଳ ନିନାଦିନୀ ମଧୁ ଝରଣା।
ଶ୍ରୀମୟୀ ର ଆଉ ଧୈର୍ଯ୍ଯ ନଥିଲା ଆଗକୁ ପଢିବାକୁ,ହେଲେ ଦୁଇଦିନ ତଳର ଶେଷ ଲେଖାଟିକୁ ପଢିଦେଲା ଏକା ନିଶ୍ବାସକେ, ସୋନାଲି ର ସାନ ଭଉଣୀ ରୂପାଲି ବୋଉ ପାଖରେ ଶୋଇଛି, ଅଳ୍ପ ବୟସ ରୂପାଲିର ପୋଟଳଚିରା ଚେହେରା ବେଶ୍ ଡଉଲ ଡାଉଲ ଲାଗୁଛି।ନୀଳ ରଙ୍ଗର ମାକ୍ସି ତା ଦେହକୁ ଖୁବ୍ ମାନୁଛି। ଶ୍ରୀ ଲମ୍ବା ଛୁଟି ନେଇଘରକୁ ଆସୁଛି ,ତା ଆଗରୁ କାମ ସବୁ...........!!
ସୋନାଲି ପ୍ରତି ଥିବା ଅବଦମିତ ଇଚ୍ଛାଟି ଚରିତାର୍ଥ ହୋଇ ପାରିନଥିଲା ସୋମ୍ଯର, କାରଣ ସୋନାଲି ର ବାହାଘର ଶୀଘ୍ର କରି ଦେଇଥିଲା ତା ମାଆ।
ସୋମ୍ଯ ପ୍ରତି ଘୃଣା ରେ ତା ସମଗ୍ର ଶରୀର ଟା ଥରି ଉଠିଲା। ହଠାତ୍ ଶୁଣିବା କୁ ପାଇଲା କେହି ଜଣେ ସ୍ତ୍ରୀଲୋକ ଶାଶୁ ଙ୍କ ସହିତ ଯୁକ୍ତି ତର୍କ କରୁଛି ବାରଣ୍ଡାରେ।
ରୁପାଲି ଟା ମୋର ବାଳୁତ ଝିଅ, ତାକୁ କେମିତି ମନ ବଳିଲା,......। ତୁମ ଘରେ ପାଇଟି କରୁଛୁ ବୋଲି କ'ଣ ଦେହ ସୁଖ ଦେବୁ, ଛୁଆଟାର ଅବସ୍ଥା କଣ ନ କରିଛି, ତୁମ ବଡ଼ ଲୋକିକୁ ଧିକ୍, ମୋତେ ଟଙ୍କା ଲୋଭ ଦେଖଉଛି,ବାହା ସାହା ହେବା ମରଦର ପୁଣି ଏତେ ହୀନ ବୁଦ୍ଧି !" ଛିଃ ଲଜ୍ଜ୍ୟା ନାହଁ ତୁମ ବଂଶ କୁ ଯାହା"!
ଶ୍ରୀମୟୀ ମୁଣ୍ଡ ଘୁରି ଯାଉଥିଲା ଲାଗିଲା ତା ପାଦ ତଳେ ଥିବା ସମସ୍ତ ମାଟି ଖସି ଯାଉଛି କାହିଁ କେଉଁ ଅତଳ ଗଭୀର କୁ।
ଜନ୍ମରୁ ଦେଖିଥିବା ଆକାଶ ଟା ଲାଗୁଥିଲା ନିହାତି ଅଜଣା ଅଶୁଣା। ସତରେ ଏ ସଂସାର ଟା କ'ଣ ଏଇୟା ନା..........! ଏସବୁ କ'ଣ ସତ...…..? ସବୁ ଅଘଟଣ ଗୁଡାକ ଘଟଣା ହୋଇ ଘଟିଯାଉଛି, ଯେମିତି ତା ସାଇତା ସଜଡ଼ା ସ୍ବପ୍ନ ସବୁ ଆଖି ପିଛୁଳାକେ ଭାଙ୍ଗି ଖଣ୍ଡ ଖଣ୍ଡ ଖଣ୍ଡ ହୋଇଗଲା। ତା ହୃଦୟ ସିଂହାସନରେ ବସିଥିବା ସେଇ ସୁଶୀଳ,ଶାଳୀନ, ଜ୍ଞାନୀ, ମାନୀ ମନେ ହେଉଥିବା ସୋମ୍ୟରଞ୍ଜନ ସାମନ୍ତରାୟ ନାରୀ ମାଂସ ଲୋଭି ନର ରାକ୍ଷସ, ଏ କଥା ତାକୁ ଆଉ ଅଛପା ରହିଲା ନାହିଁ।ରୂପାଲି ର ମାଆ ଫେରି ଗଲାଣି, ଶାଶୁ ସୁଭଦ୍ରା ଦେବୀ କେଉଁଠି ଦିଶୁ ନାହାନ୍ତି,କ'ଣ ବା ଆଉ ସେ କରିବେ, ଚୋର ମା କାନ୍ଦେନି ଯେବେ କାନ୍ଦେ କବାଟ କିଳି କାନ୍ଦେ।ଏଠି ତିଷ୍ଟିବା ଅନ୍ତତ ପକ୍ଷେ ଆଉ ସମ୍ଭବ ନୁହେଁ,।ଏହା ଭାବି ଘରୁ ବାହାରିଲା ବେଳକୁ ବାଟ ଓଗାଳିଲେ ସୁଭଦ୍ରା ଦେବୀ। ଏ ଅବେଳଟାରେ କୁଆଡେ଼ ବାହାରିଛୁ ରେ ମା....?ଶ୍ରୀମୟୀ କିଛି ନକହି ଖାଲି ଛିଡ଼ା ହୋଇ ରହିଲା। ସମୁଦି ସମୁଦୁଣି ତ ଗାଁ ରେ ନାହାନ୍ତି, ପୁଅ ପାଖରେ କାହିଁ କେତେ ଦୂରରେ ଅଛନ୍ତି। ଅଫିସ ବି ଏବେ ଛୁଟି ଅଛି , କେଉଁଠି କୁ ଯିବୁ ରେ ମା'!
ଏତେ ବଡ ଦୁନିଆ ପଡ଼ିଛି କେଉଁଠି ବି ହେଲେ ମୁଣ୍ଡ ଗୁଞ୍ଜିବାକୁ ଟିକେ ଯାଗା ମଳି ଯିବ ବୋଉ, କ୍ଷମା କରିବେ ମୁଁ ଆପଣଙ୍କ କଥା ରଖି ପାରୁନି, ମୋତେ ଯାହା ଅଭିଶାପ ଦେବେ ଯଦି ଦିଅନ୍ତୁ,ବାଟରେ ଯେତେବି କଣ୍ଟା ପଡିଥାଉ ମୁଁ ଯିବି,ମୋତେ ବାଟ ଛାଡ଼ନ୍ତୁ ! ମା'ରେ ତୁ ପରା ଏ ଘରର ଲକ୍ଷ୍ମୀ,ଘରେ ଯଦି ଲକ୍ଷ୍ମୀ ନ ରୁହେ ଘର ଆଉ ଘର ହୋଇ ରୁହେ ନି,....! ମୁଁ ମା ହୋଇ କେମିତି ଚାହିଁବି ତୋ ପାଦରେ କଣ୍ଟା ଫୁଟିବା ପାଇଁ,ତୁ କ'ଣ ମୋତେ ଏ ଯାଏ ଚିହ୍ନି ପାରିଲୁ ନି ରେ ମା' ତୁ କ'ଣ ଏତିକି ରେ ହାରି ଯିବୁ,ନାରୀ ପରା ନାରାୟଣୀ।
ଆପଣଙ୍କ ଗୋଡ଼ ଧରୁଛି ବୋଉ , ମୋତେ ଆଉ ଅଟକାନ୍ତୁନି, ମୁଁ ପାଗଳୀ ହୋଇଯିବି।
ଶ୍ରୀ ମା'ରେ ତୁ ଟିକେ ସମ୍ଭାଳି ଯା,ତୋମନର ଅବସ୍ଥା ମୁଁ ବୁଝି ପାରୁଛି। କିନ୍ତୁ କ'ଣ କରିବି ଏ ଅପାଠୋଇ ଶାଶୁର ମୁଁହ କୁ ଟିକେ ଚାହଁ ମା, ତୋତେ ତୋ ଶାଶୁର ରାଣ !!
ଶ୍ରୀମୟୀ ଚାହିଁଲା ଶାଶୁଙ୍କ ର ମୁହଁକୁ ବଡ଼ କରୁଣ ସେ ଦୃଷ୍ଟି,.....! ହଁ ରେ ମା' ମୋତେ ଯେତବଳେ ଦଶ ବର୍ଷ ବୟସ, ସେହି ସମୟରେ ବୋହୁହୋଇ ଆସିଥିଲି ଏ ଘରକୁ। ଆଦ୍ୟ ଯୌବନ ରୁ ଏ ଯାବତ୍ କେତେ ଯେ ଯାତନା ନ ସହିଛି ,ତାର ନମୁନା ଏସବୁତକ ମା' ସୁଭଦ୍ରା ଦେବୀ ଶାଢ଼ୀକୁ ପିଠିରୁ ଖସେଇ ଦେଲେ ନିଃସଙ୍କୋଚରେ ! ଶ୍ରୀମୟୀ ଆଖି ବନ୍ଦ କରିଦେଲେ ଦୁଃଖ ଆଉ ଲଜ୍ଜ୍ୟାରେ। ଗୋରା ତକତକ ଶାଶୁ ଙ୍କ ଦେହରେ ଅସଂଖ୍ୟ ଆଘାତର ଦାଗ!! ସୁଭଦ୍ରା ଦେବୀ ପୁଣି ପାଟି ଖୋଲିଲେ ,ଏ ସବୁ ତୋ ଶଶୁରଙ୍କ କୀର୍ତ୍ତି !!ଏ ସଂସାର ରୁ ସିଏ ଚାଲିଗଲେ ସିନା ହେଲେ କରିଥିବା ପାପକୁ ମୁଁଣ୍ଡେଇ ନେଇ ପାରିଲେ ନାହଁ!
ଜମିଦାର ସନାତନ ସାମନ୍ତରାୟ, ବଂଶ ପରମ୍ପରା ଆଭିଜାତ୍ୟର ଅହଂକାର ରେ ଅନ୍ଧ ହୋଇ ଖମାର,ଖଳାଘର ଆଉ ମଝି କୋଠାରେ କେତେ ଯେ ଅନୁଢା ଯୁବତୀଙ୍କ ଜୀବନ ସହିତ ଖେଳିଛନ୍ତି ତା'ର ହିସାବ ନାହିଁ । ସେମାନଙ୍କ ଆକୁଳ ନିବେଦନ ଗୁମୁରି ଉଠି ପୁଣି ଶୂନ୍ୟ ରେ ମିଳାଇ ଯାଇଛି,।ସେ ଏକା ନୁହନ୍ତି ତାଙ୍କ ବାପା,ତାଙ୍କ ବାପାଙ୍କ ବାପା ସମସ୍ତେ ଗୋଟିଏ ଲାଉର ମଞ୍ଜି,ହେଲେ ଏ ପରିବାରର କୂଳବଧୁ ମାନେ ଓଢ଼ଣା ତଳେ ମୁହଁ ଲୁଚେଇ ଲୁହ ଢାଳନ୍ତି ସତ ପାଟି ଖୋଲି ପାରନ୍ତିନି।
କେବଳ ସେଇ ଦୁଃସାହସ କରିଥିଲି ମୁଁ "ଏସବୁ ସେଇ ପ୍ରତିବାଦର ପ୍ରତିଦାନ"! ଆଜି ସିନା ଜମିଦାରୀ ନାହିଁ ଅଛି କିନ୍ତୁ ଜମିଦାରର ନିଶା। ସେଇ ନିଶା ରକ୍ତରୁ ରକ୍ତକୁ ସଞ୍ଚରୀ ଆସିଛି ପଙ୍କିଳ ପାପର ଜୀବାଣୁ ସବୁ। ଭାବିଥିଲି ସେ ପଙ୍କରୁ ଦିନେ ନା ଦିନେ ପଦ୍ମ ଫୁଟିବ ବୋଲି, ନା.......ତା ସମ୍ଭବ ହେଲାନି।କହୁ କହୁ ଅବାରିତ ଅଶ୍ରୁ ଧାରା ନିର୍ଗତ ହେବାକୁ ଲାଗିଲା ତାଙ୍କ ଦୁଇ ନୟନରୁ। ଦୀର୍ଘ ଦିନର ଅକୁହା କାହାଣୀ ସବୁ ବନ୍ଧବାଡ ମାନିବାକୁ ନାରାଜ ଆଜିର ଏ ମୂହୁର୍ତ୍ତରେ। ଶ୍ରୀମୟୀ ଅନୁନୟ ବିନମ୍ର ଭାବରେ କହିଲା ମୁଁ ଶ୍ୱାସରୁଦ୍ଧ ହୋଇ ମରିଯିବି ବୋଉ ଆଉ ମୁଁ ପାରୁନି!!
ଶ୍ରୀ ମାରେ ଏ କ'ଣ କହୁଛୁ ତୁ, ଆହତ କଣ୍ଠରେ କହିଲେ ସୁଭଦ୍ରା ଦେବୀ।ଆପଣ କୁହନ୍ତୁ ବୋଉ ମୋର କନ୍ୟା ସନ୍ତାନ ଟେ ହେବ ନା .........!
ଏ ପାପାଚାରୀ ପୁରୁଷ ମାନଙ୍କୁ ମୋର ଆଉ ବିଶ୍ବାସ ହେଉନି। ହଁ ରେ ମା ମୁଁ ଚାହୁଁଛି ପରିବର୍ତ୍ତନ, ବାଟ ଭୁଲି ଅବାଟରେ ଯାଉଥିବା ମଣିଷ ମାନଙ୍କୁ ଆଉଥରେ ବାଟ ଦେଖାଇବୁ ତୁ,ତୁ ହେବୁ ଏ ପରିବର୍ତ୍ତନ ମାର୍ଗ ର ସୁତ୍ରଧର। ଯାହାକୁ କେବଳ ତୁ ହିଁ କରି ପାରିବୁ, ଏତିକିରେ ହାରିଗଲେ ଚଳିବନି ରେ ମା' ଏଇ ସମୟରେ ଯେ ତୋ ମନରେ ଆଘାତ ଦେଇଛି ,ତାରି ଛାତି ଉପରେ ପାଦ ଥାପି ତୁ ଆଗକୁ ମାଡିଯା।
ତୋ ସହିତ ମୁଁ ଅଛି,ଏ କୂଳରୁ କଳଙ୍କ ର କାଳିମା କୁ ପୋଛି ଦେରେ ମା'ତୋତେ ତୋ ଶାଶୁର ରାଣ! ହିମାଳୟ ର ଧବଳ ତୁଷାର ଖଣ୍ଡ ହୋଇ ତୁ ଲିଭାଇ ପାରିବୁ ଏ ବଂଶ ର ଜ୍ଵଳନ୍ତ ଆଗ୍ନେୟଗିରିକୁ। ହଁ ମା ଆମର ଏ ସବୁଜ ବିଷାଦର ବିଷ ବଳୟ ଭିତରେ ଆଗକୁ ଆସୁଥିବା ନବାଗତ ଅତିଥି ଟି ହେବ ଅମୃତର ପୂର୍ଣ୍ଣ କୁମ୍ଭ,ଯାହା ହେବ ଆଗାମୀ ଭବିଷ୍ୟତ ବଂଶଧରଙ୍କ ପାଇଁ ଭରସାର ସ୍ବାକ୍ଷର।।
