ପ୍ରତିଭାମୟୀ ଡଃ.ପ୍ରତିଭା ରାୟ
ପ୍ରତିଭାମୟୀ ଡଃ.ପ୍ରତିଭା ରାୟ
ଆମ ସମାଜରେ ନାରୀକୁ ବହୁ ପୁରାତନ କାଳରୁ ଅବଳା ଦୁର୍ବଳା ରୂପେ ବର୍ଣ୍ଣନାକରା ଯାଇଛି।କିନ୍ତୁ ସମାଜ ଗଠନରେ ନାରୀର ଭୂମିକା କେତେଯେ ଗୁରୁତ୍ୱପୂର୍ଣ୍ଣ ତାହା ଆମର ନାରୀ କବୀ ମାନଙ୍କ ସମାଜଧର୍ମୀ ଲେଖାରୁ ଖୁବ୍ ଭଲ ଭାବରେ ଜାଣିହୁଏ।ଓଡିଆ ସାହିତ୍ୟ ଜଗତକୁ ଅନେକ ନାରୀ କବୀ ମାନଙ୍କର ଅବଦାନ ରହିଛି,ଯେଉଁ ମାନଙ୍କର ଲେଖା ଓଡିଆ ସାହିତ୍ଯର ଦସ୍ତାବିଜ।ସେହି ମାନଙ୍କ ମଧ୍ଯରୁ ସର୍ବଜନବିଦିତ ପ୍ରଖ୍ୟାତ ଲେଖିକା,ଜ୍ଞାନପୀଠ ପୁରସ୍କୃତା,ପଦ୍ମ ବିଭୁଷିତା ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା,ଅସାଧାରଣ ପ୍ରତିଭାର ଅଧିକାରିଣୀ ପ୍ରତିଭାମୟୀ ଡଃ ପ୍ରତିଭା ରାୟ ଅନନ୍ଯ ସାରସ୍ବତ ସାଧିକା, ଓଡିଆ ସାହିତ୍ଯ ଜଗତର ବିସ୍ମୟ କହିଲେ ଅତ୍ୟୁକ୍ତିହେବନାହିଁ।
ତାଙ୍କ ଜ୍ଞାନ ଗାରିମାର ସିନ୍ଧୁରୁ ବିନ୍ଦୁଏ ମାତ୍ର ବଖାଣିବାର କ୍ଷମତା ମୋର ନାହିଁ ତଥାପି ତାଙ୍କ ବିଷୟରେ ଦୁଇପଦ ଲେଖିବା ପାଇଁ ପ୍ରୟାସ କରୁଛି।୧୯୪୩ମସିହା ଜାନୁଆରୀ ୨୧ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ଗ୍ରାମରେ ଡଃ ପ୍ରତିଭା ରାୟ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଥିଲେ ଶିକ୍ଷକ ପର୍ଶୁରାମ ଦାସ।ମାତ୍ର ୯ ବର୍ଷବୟସରୁ ତାଙ୍କର ସାହିତ୍ଯ ସର୍ଜନା ପ୍ରତି ଅହେତୁକ ଆକର୍ଷଣ ଆଜି ତାଙ୍କୁ ସାରସ୍ବତ ଜଗତର ସର୍ବୋଚ୍ଚ ଶିଖରରେ ପହଞ୍ଚାଇ ପାରିଛି।
ବିଦ୍ୟାଳୟରେ ଶିକ୍ଷକତା ଓ ପରେ ଅଧ୍ଯାପକ ଭାବରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ପଦରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରି ଓଡିଶା ଲୋକସେବା ଆୟୋଗର ସଦସ୍ଯଭାବେ ଯୋଗଦାନ କରିଥିଲେ।
ଡଃ ପ୍ରତିଭା ରାୟ ଥିଲେ ଅସାଧାରଣ ଶବ୍ଦଶିଳ୍ପୀ ତାଙ୍କର ନିଜସ୍ବ ଲେଖକୀୟ ଶୈଳୀ,ସ୍ବତନ୍ତ୍ର ଚେତନାରେ ମହନୀୟ ଆବେଗର ମହିମାନ୍ଵିତ ଚିନ୍ତାଧାରା, ସମାଜକୁ ବଦଳେଇବାର ଅବିରତ ପ୍ରଚେଷ୍ଟା ତାଙ୍କୁ ଏକା ଧାରରେ ଜଣେ କବୀ,ଗାଳ୍ପିକା, ଔପନ୍ୟାସିକା, ପର୍ଯ୍ୟଟକ ଅନୁବାଦିକା,ଶିଶୁଗଳ୍ପ ଲେଖିକା ସଂଗଠିକା ତଥା ବାଗ୍ମୀ ଅଧ୍ୟାପିକା ଓ ସୁସାହିତ୍ୟିକା ହେବାର ମାନ୍ୟତା ଦେଇଛି।ଖାଲି ଦେଶନୁହେଁ ବିଦେଶ ରେ ବି ତାଙ୍କ ର ଅମୂଲ୍ଯ ସୃଷ୍ଟିକୁ ନେଇ ପ୍ରସିଦ୍ଧି ଲାଭ କରିଛନ୍ତି।ଡଃ ପ୍ରତିଭା ରାୟ ଓଡିଆ ସାହିତ୍ଯ ଆକାଶରେ ଜ୍ଯୋସ୍ନାୟିତ ଚନ୍ଦ୍ରମା ଭଳି ତାଙ୍କ ଜ୍ଞାନର ଉଜ୍ଜ୍ବଳ ଆଭାକୁ ପ୍ରକଟିତକରି ବିଶ୍ବ ଦରବାରକୁ ଆଲୋକିତ କରିଛନ୍ତି।ତାଙ୍କର ଅପୂର୍ବ ମହନୀୟ କୃତି ସମୁହ ଓଡିଶାର ମାଟି,ପାଣି,ପବନକୁ କେତେ ଯେ ସୁରଭିତ କରିଛି ତାହା ତାଙ୍କର ବିମୁଗ୍ଧ ପାଠକ ପାଠିକା ମାନେହିଁ କହିପାରିବେ।ସାହିତ୍ଯ ମାନବ ପ୍ରାଣରେ ଦିବ୍ଯ ଚେତନା ଉଦ୍ରେକ କରେ,ମଣିଷ ଭିତରେ ଥିବା ଅନ୍ତସ୍ବରକୁ ପୂର୍ଣ୍ଣତାରେ ପରିପ୍ରକାଶ କରେ।ସାହିତ୍ଯ କୁ ଋଦ୍ଧିମନ୍ତ କରିବାରେ କବୀ ବା ଲେଖକ ଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଡଃ ପ୍ରତିଭା ରାୟ ତାଙ୍କ ଲେଖାରେ ଭାଷାର କମନୀୟତା, ଭାବରସ୍ବଚ୍ଛତା, ସାସ୍କୃତିକ ଚେତନାର ମନ୍ତ୍ର ଓ ମୌଳିକ କଳ୍ପନାର ପ୍ରୟୋଗ, ଦୁଃଖ ଦୈନ ବିଜଡିତ ବ୍ଯଥା ବେଦନାର ଅବ୍ଯକ୍ତ ଭାବନାକୁ ନେଇ ଯେଉଁ କାଳଜୟୀ ରଚନା ସବୁ କରିଛନ୍ତି ତାହା ତାଙ୍କର ଅଗଣିତ ପାଠକଙ୍କ ହୃଦୟକୁ ସହଜରେ ଆବିଭୂତ କରିପାରେ।ମାନବୀୟଗୁଣାବଳୀ ର ବାସ୍ତବତାକୁ ନେଇ ତାଙ୍କର ଅନେକ ଉପନ୍ୟାସ ପ୍ରକାଶ ପାଇଛି।ସେ ସମକାଳୀନ ଓଡିଆ କଥା ସାହିତ୍ୟର ସର୍ବାଧିକ ଜନାଦୃତ ଲେଖିକା,ଯିଏକି ଆରମ୍ଭ ରୁ ଶେଷ ଯାଏ ବାନ୍ଧି ରଖି ପାରନ୍ତି ପାଠକଙ୍କୁ।ତାଙ୍କ ପ୍ରଚଣ୍ଡ ପ୍ରତିଭା,ସ୍ଵତଃସ୍ପୃର୍ତ୍ତି ପ୍ରଜ୍ଞା, ଗଭୀର ଅର୍ନ୍ତଦୃଷ୍ଟି ଓଡିଆ ସାହିତ୍ଯ କଳେବରକୁ ସୁକ୍ଷ୍ମ କାରୁକାର୍ଯ୍ଯ ଖଚିତ କରିଛି।ଯାଦୁକରୀ ଶବ୍ଦବିନ୍ଯାସ,ଭାବ ପ୍ରକାଶର ଆକର୍ଷଣ,ରୁଚିଶୀଳ ଆବେଗ, ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ର ବାଖ୍ଯା ତାଙ୍କ କଥାଶିଳ୍ପର ଅନନ୍ଯତା। ବହୁ ପ୍ରତିଷ୍ଠା ପ୍ରଶଂସା,ଓ ସମ୍ମାନ ର ଅଧିକାରିଣୀ,ଯଶ୍ବସିନୀ ଡଃ ପ୍ରତିଭା ରାୟଙ୍କର ଅନବଦ୍ଯ ସୃଷ୍ଟି ସମ୍ଭାର ସବୁ ଭୂମିରୁ ଭୂମାଯାଏ ବିସ୍ତାରିତ। ଅପୂର୍ବ ଶବ୍ଦବିନ୍ଯାସ ରେ ମୂର୍ତ୍ତିମନ୍ତ ତାଙ୍କର ସୃଜନାତ୍ମକ ଚରିତ୍ରସବୁ ଆନ୍ତରିକତାର ଆବେଗମୟ ଅଭିଳାଷ। ସମ୍ଭାବନାର ସୌରଭରେ ସୁରଭିତ ହୋଇଥିଲା ତାଙ୍କର ପ୍ରଥମ ଗଳ୍ପ"ଚାବି"୧୯୬୧ ମସିହାରେ। ୧୯୭୪ ରେ ବର୍ଷା ବସନ୍ତ ବୈଶାଖ ପାଠକୀୟ ସୀକୃତି ଲାଭ କରିଥିଲା।କେତେକ ବୈପ୍ଳବିକ ଲେଖା ବି' ରହିଛି ତାଙ୍କର, ପ୍ରଥମ ଓଡ଼ିଆ ମହିଳା ଭାବରେ ଜ୍ଞାନପୀଠର ଗୌରବ ମିଳିଥିଲା ଡଃ ପ୍ରତିଭା ରାୟଙ୍କୁ। ତାଙ୍କ ର ୨୦ଟି ଉପନ୍ୟାସ ୨୪ଟି କ୍ଷୁଦ୍ରଗଳ୍ପ ସଙ୍କଳନ ୧୦ଟି ଭ୍ରମଣ କାହାଣୀ,୨ଟି କବିତା ସଂକଳନ,ଅନେକ ପ୍ରବନ୍ଧ ଓ ଆତ୍ମ ଜୀବନୀ "ପଦ୍ମ ପତ୍ରରେ ଜୀବନ" ଭଳି ଏକରୁ ଆରେକ ବଳି ସୃଷ୍ଟି ରହିଛି ତାଙ୍କର।
ଉପନ୍ୟାସ ଗୁଡିକ ହେଲା----
"ବର୍ଷା ବସନ୍ତ ବୈଶାଖ,ନିଷିଦ୍ଧ ପୃଥିବୀ,ପରିଚୟ,ଅପରିଚିତା, ମହାମୋହ,ପୁଣ୍ଯତୋୟା,ଅରଣ୍ଯ,ଆଶାବରୀ,ମେଘମେଦୁର ଅୟମାରମ୍ଭ, ନୀଳତୃଷ୍ଣା, ସମୁଦ୍ରର ସ୍ବର,ଶିଳାପଦ୍ମ, ଯାଜ୍ଞସେନୀ, ଦେହାତୀତ,ଉତ୍ତରମାର୍ଗ, ଆଦିଭୂମି,ମଗ୍ନମାଟି,ଶେଷ ଈଶ୍ବର, ମହାରାଣୀର ପୁତ୍ର।
ଗଳ୍ପ ଗୁଡିକ ଯଥା---ସାମାନ୍ଯ କଥନ,ଗଙ୍ଗ ଶିଉଳୀ, ଅସମାପ୍ତ, ଐକତାନ,ବାବୁ ବାଥରୁମରେ ଅଛନ୍ତି, ଅନାବନା, ଇତ୍ୟାଦି। କବିତା--ବୋଉର ହାତ ବାକ୍ସ,ଘାସ ଆକାଶ, ଚନ୍ଦ୍ରଭାଗା ଓଚନ୍ଦ୍ରାବଳୀ, ଅବ୍ଯକ୍ତ, ଇତିବୃତ୍ତି, ଶ୍ରେଷ୍ଠଗଳ୍ପ, ଷଷ୍ଠସତୀ, ଝୋଟିପକା କାନ୍ଥ ଓ ଆହୁରି ଅନେକ।
ଭ୍ରମଣ କାହାଣୀ-- ମୈତ୍ରୀ ପାଦପର ଶାଖା ପ୍ରଶାଖା,ଦୂରଦ୍ଵିବିଧା, ଅପରାଧିରସ୍ବେଦ, ଆଦି ମୂଲ୍ଯବାନ କୃତି ସବୁକୁ ଭେଟି ଦେଇ ଓଡିଆ ସାହିତ୍ୟର ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି।
ତାଙ୍କ ଭାଷାରେ ସାହିତ୍ଯ,ସମାଜ, ସଂସ୍କୃତି ଯେତେ ବଳିଷ୍ଠ ହେବ ସେ ଦେଶ ସେତେ ଉନ୍ନତ। ଏକ ସୁସ୍ଥ ସମାଜ ଗଠନ ପାଇଁ ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ଦିଆଯିବା ଉଚିତ। ଯାହା ତାଙ୍କର "ଯାଜ୍ଞସେନୀ" ଉପନ୍ୟାସ ର ବିଶେଷତ୍ବ।
୧୯୮୫ମସିହାରେ "ଯାଜ୍ଞସେନୀ" ପ୍ରକାଶ ପାଇଥିଲା ଓ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେବା ସହ ବିପୁଳ ମାତ୍ରାରେ ଜନାଦୃତି ଲାଭ କରିଥିଲା।ପାଠକମାନଙ୍କ ଚାହିଦାକୁ ଦେଖି"ଯାଜ୍ଞସେନୀ"ର ଶତାଧିକ ସଂସ୍କରଣ ଛପାଗଲା ଓ ପରବର୍ତ୍ତୀ ସମୟରେ ସାତଟି ଭାଷାରେ ଅନୁଦିତ ହେଲା। "ଯାଜ୍ଞସେନୀ" ଉପନ୍ୟାସ ପାଇଁ ସେ ୧୯୯୦ ମସିହାରେ ଶାରଳା ପୁରସ୍କାର,୧୯୯୧ରେମୂର୍ତ୍ତୀଦେବୀ ପୁରସ୍କାର ପାଇଥିଲେ ପରେ ପଦ୍ମଶ୍ରୀ ପଦ୍ମଭୂଷଣ, ଜ୍ଞାନପୀଠ, କେନ୍ଦ୍ରସାହିତ୍ଯଏକାଡେମୀ,ଓଡିଶା ସାହିତ୍ଯ ଏକାଡେମୀ ପୁରସ୍କାର ପରି ଅସଂଖ୍ଯ ସମ୍ମାନ ଓ ସୀକୃତିର ଅଧିକାରିଣୀ ହୋଇଥିଲେ ତଃ. ପ୍ରତିଭା ରାୟ।ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ "ଯାଜ୍ଞସେନୀ" ସର୍ବ ଭାରତୀୟ ସ୍ତରରେ ପାଠକଙ୍କର ବିପୁଳ ସୀକୃତି ଲାଭ କରିଥିଲା ।।ଭାରତର ମହାମାନ୍ଯ ରାଷ୍ଟ୍ରପତି କେ ଆର୍ ନାରାୟଣନ୍ "ଯାଜ୍ଞସେନୀ" ପାଇଁ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ କରିଥିଲେ,୧୯୯୩ ମସିହା ଜାନୁଆରୀ ୩ ତାରିଖ ରେ ଦିଲ୍ଲୀର ଫିକି ସଭାଗୃହରେ ଏକ ଭବ୍ଯ ସମାରୋହରେ ।ସାହିତ୍ଯ ପ୍ରତି ସମର୍ପଣ ମନୋଭାବ ବାସ୍ତବତାରେ କଳ୍ପନାର ସୁକ୍ଷ୍ମ ଚରିତ୍ର ଗୁଡିକୁ ନେଇ ତାଙ୍କ ଲେଖନୀର ଚମତ୍କାରିତା ତାଙ୍କୁ ପ୍ରତ୍ଯେକ ପାଠକଙ୍କ ନିକଟରେ ମର୍ଯ୍ୟାଦାବନ୍ତ କରିଛି।
"ଯାଜ୍ଞସେନୀ" ମହା ଭାରତର ପୌରାଣିକ ଚରିତ୍ର ଗୁଡିକୁ ନେଇ ରଚିତ ହୋଇଥିଲେ ବି ସମ କାଳୀନ ସମାଜର ଜଣେ ନାରୀର ବିଡମ୍ବିତ,ବୈଚିତ୍ରମୟ ଜୀବନର ମନସ୍ତାତ୍ତ୍ୱିକ ଅଭିବ୍ୟକ୍ତିକୁ ରୂପାୟନ କରିଛନ୍ତି ଲେଖିକା ଡଃ ପ୍ରତିଭା ରାୟ।
ଯାଜ୍ଞସେନୀ ଉପନ୍ୟାସ ନାରୀତ୍ବର ଏକ ଆହ୍ବାନ, କର୍ମ, ଜ୍ଞାନ,ଭକ୍ତି,ଶକ୍ତିର ମୂର୍ତ୍ତିମନ୍ତ ପ୍ରତୀକ। ଦୌପଦୀଙ୍କ ବ୍ଯଥା ବେଦନାର ଅବ୍ଯକ୍ତ ସଂଘର୍ଷ ଓ ଶକ୍ତିକୁ ଛତ୍ରେ ଛତ୍ରେ ଫୁଟାଇଛନ୍ତି ତାଙ୍କ ଲେଖନୀର ଯାଦୁକରୀ ସ୍ପର୍ଶରେ।କିଛି ଯାଗାରେ ମୌଳିକ କଳ୍ପନାର ପ୍ରୟୋଗ କରିତାଙ୍କ ପ୍ରତିଭାର ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଛନ୍ତି। ଉପନ୍ୟାସ ଟି ଅତ୍ଯନ୍ତ ଭାବଗର୍ଭକ,ଉପାଦେୟ ଓ ସମାଜ ପାଇଁ ପ୍ରେରଣା ଦାୟକ ହୋଇଛି।
"ଯାଜ୍ଞସେନୀ"କୁ ପ୍ରାୟ ସମସ୍ତ ସାହିତ୍ଯ ପ୍ରେମୀ ପଢିଥିବେନିଶ୍ଚିତ ମୋରବି'ଅତି ପ୍ରିୟ"ଯାଜ୍ଞସେନୀ" ଉପନ୍ୟାସ ମୁଁ ଦୁଇଥର ପଢିବାର ସୁଯୋଗ ପାଇଛି,ଓତାର ସାରମର୍ମକୁ ନେଇ ଛୋଟ କବିତାଟିଏ ଲେଖିଛି।
ଯାହାର ଶୀର୍ଷକ --"ଇତିରୁ ଆରମ୍ଭ" ।
ତାର ପ୍ରଥମ ପଦଟି .......
ଇତିରୁ ଆରମ୍ଭ କରୁଛି ମୁଁପତ୍ର
ପ୍ରିୟ ସଖା ତୁମ ପାଇଁ
ଯେତେ ବି ଲେଖିଲେ ବାକି ରୁହେ କିଛି
ଶେଷ କେବେ ହୁଏ ନାହିଁ।।
କୋଣାର୍କ ଉପରେ ଆଧାରିତ "ଶିଳାପଦ୍ମ" ତାଙ୍କ ସଫଳ ସୃଷ୍ଟିର ଆଉ ଏକ କୀର୍ତ୍ତିସ୍ତମ୍ଭ। ୧୯୯୯ ମସିହାରେ ଘଟିଥିବା ଓଡିଶାର ପ୍ରଳୟଙ୍କରୀ ମହାବାତ୍ଯାକୁ ନେଇ ଡଃ ପ୍ରତିଭା ରାୟ"ମଗ୍ନମାଟି" ରେ ଯେଉଁଭଳି ବର୍ଣ୍ଣନା କରିଛନ୍ତି ତାହା ପାଠକମାନଙ୍କ ହୃଦୟକୁ ଆନ୍ଦୋଳିତ କରିବହିଁ କରିବ।"ବୋଉର ହାତ ବାକ୍ସ" କବିତାଟି କବୀ ଡଃ ପ୍ରତିଭା ରାୟଙ୍କର ବାସ୍ତବତାର ଅନନ୍ଯ ଅଭିଲେଖ। ତେଲ ଲୁଣର ସଂସାରରେ ଜଣେ ପତିବ୍ରତା ନାରୀର ଉଦାସ ଦୀର୍ଘଶ୍ବାସରେ ସାଇତା ହୋଇ ରହିଥିବା ଅମୂଲ୍ଯ ପ୍ରେମପତ୍ରର ଅବତାରଣା ସତରେ କେତେ ଆକର୍ଷିତ କରେ ମନ, ପ୍ରାଣ, ହୃଦୟକୁ ,ଜୀବନ୍ତ ଭଳି ଲାଗେ ଆତ୍ମୀୟତାର ନିରବିତ ଶବ୍ଦ ବିନ୍ଯାସ ସବୁ।ଡଃ ପ୍ରତିଭା ରାୟ ଜ୍ଞାନପୀଠ ପୁରସ୍କାର ରେ ସମ୍ମାନିତ ହେବାରେ ଚତୁର୍ଥ ଓଡ଼ିଆ ଓ ଭାରତର ସପ୍ତମ ମହିଳା ଲେଖିକା।ବିଭିନ୍ନ ଜାତୀୟ ସାହିତ୍ୟିକ ଶିକ୍ଷାଗତ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ମଧ୍ଯରେ ବହୁ ଭ୍ରମଣ କରିଛି ଡଃ ପ୍ରତିଭା ରାୟ।ଅଷ୍ଟ୍ରେଲିଆ ରେ ଚାଲିଥିବା ଇଣ୍ଡିଆ ଫେୟର "ଇଣ୍ଡିଆ ଟୁ ଡେ ୯୪"ଜଣେ ଭାରତୀୟ ଲେଖିକା ଭାବେ ପ୍ରତିନିଧିତ୍ବ କରିଥିଲେ।ଅନେକ ବିଶ୍ବ ବିଦ୍ୟାଳୟରେ ଭାରତୀୟ ସାହିତ୍ଯ ଓ ଭାଷା ଉପରେ ପଠନ ଓ ଆଲୋଚନା କରିଛନ୍ତି। ଡଃ ରାୟ ଅଧ୍ୟାପନା ସହ ସାହିତ୍ଯ ଜଗତରେ ନିମଗ୍ନ ରହି ମଧ୍ଯ ସ୍ବାମୀ ଓ ତିନି ସନ୍ତାନ କୁ ନେଇ ପାରିବାରିକ ଜୀବନ ଅତିବାହିତ କରିଛନ୍ତି।ତାଙ୍କ ସୃଷ୍ଟିର ପରିସର ଅତି ବ୍ଯାପକ, ସେ ଅସାମାନ୍ଯ ଲୋକପ୍ରିୟ ସ୍ରଷ୍ଟା ଭାବରେ ସୁଖ୍ଯାତି ଅର୍ଜନ କରିଛନ୍ତି।
"ପଦ୍ମ ପତ୍ରରେ ଜୀବନ "ତାଙ୍କ ର ଆତ୍ମ ଜୀବନୀ ପୁସ୍ତକ ଭାବେ ପ୍ରକାଶିତ,ସତରେ ପଦ୍ମ ପତ୍ରରେ ଜଳଭଳି ମଣିଷ ର ଜୀବନ, ଏଇ ଅଛି ଏଇ ନାହିଁର ଭିତରେ ଆତ୍ମସଚେତନର ଅକପଟ ଜୀବନାୟନ ପ୍ରତିଫଳିତ ହୋଇଛି ଅଭିନବ କଥନିକାରେ।ମହାର୍ଘ ଜୀବନର ଘଟଣା ସମୁହ କୁ ନେଇ ପ୍ରତିକୂଳତାକୁ ଅତିକ୍ରମ କରି ଜଣେ ଗ୍ରାମ୍ଯ ବାଳିକାର ପ୍ରଖ୍ୟାତ ଲେଖିକା ହେବାର ଦୁର୍ବାର ସ୍ବପ୍ନ କିପରି ସାକାର ହୋଇଛି ତାହା ସେଥିରେ ବର୍ଣ୍ଣିତ ହୋଇଛି।ଅନେକ ଅଭୁଲା କାହାଣୀର ରୂପଚିତ୍ର ତାଙ୍କ ସଫଳତାର ଜ୍ବଳନ୍ତ ଦୃଷ୍ଟାନ୍ତ,ଆନ୍ତରିକତାର ବିଚିତ୍ର ବର୍ଣ୍ଣ ବିଭା ମଣ୍ତିତ ଅଭିଜ୍ଞତାର ରଙ୍ଗରେ ରଙ୍ଗାୟିତ ସୃଜନାତ୍ମକ ସାହିତ୍ଯ ରେ ଡଃ ପ୍ରତିଭା ରାୟଙ୍କର ଜୀବନାନୁଭୂତି ସ୍ବର ବେଶ୍ ହୃଦୟ ସ୍ପର୍ଶୀ ଓ ମୂଲ୍ୟବୋଧର ସୂକ୍ଷ୍ମ ବିଶ୍ଳେଷଣ ସବୁଠୁ ନିଆରା ଭାବରେ ପାଠକ ମାନଙ୍କ ମଧ୍ଯରେ ସ୍ୱତଃପ୍ରବୃତ୍ତ ଶ୍ରଦ୍ଧା ଜନ୍ମାଏ। ଶତପ୍ରତିଭାରେ ବିମଣ୍ଡିତା, ଜ୍ଞାନପୀଠ ବିଜେତା,ପଦ୍ମ ବିଭୁଷିତା ପ୍ରତିଭାମୟୀ ଡକ୍ଟର ପ୍ରତିଭା ରାୟ ତାଙ୍କର ସାହିତ୍ଯ ଯାତ୍ରାର ଜ୍ଞାନର ଆଲୋକରେ ଅଜ୍ଞାନ ଅନ୍ଧକାର କୁ ଦୂରକରି ବିଶ୍ବ ସାହିତ୍ଯ ଦରବାରର ପ୍ରେମାନୁରାଗୀ ପାଠକ ପାଠିକାଙ୍କ ହୃଦୟରେ ସଦା ଦୀପ୍ତିମନ୍ତ ତାରକା ଭାବରେ ଉଜ୍ଜ୍ବଳରୁ ଉଜ୍ଜ୍ବଳତର ହୋଇ ରହିବା ସହିତ ସାହିତ୍ଯ ଜଗତର ମହାଦ୍ରୁମ ଭଳି ଦଣ୍ଡାୟମାନ ହୋଇ ଆମ ସମାଜର ଯୁବ ତଥା ଆଗାମୀ ପୀଢି ଲେଖକ ଲେଖିକାଙ୍କୁ ସୃଜନ ମନସ୍ଥ କରିବାରେ ପ୍ରେରଣାର ଉତ୍ସ ହୋଇ ରୁହନ୍ତୁ.....।।
ମୋଲେଖନୀରୁ ଦୁଇପଦ ପ୍ରିୟ ଲେଖିକାଙ୍କ ପାଇଁ....
ପ୍ରଥିତଯଶା ସେ ସର୍ବଜନ ପ୍ରିୟ
ସାରସ୍ବତ ର ସାଧିକା
ବୀଣାପାଣି ଙ୍କର ବରପୁତ୍ରୀ ପୁଣି
ଶ୍ରେଷ୍ଠତମ ସାହିତ୍ୟିକା।।
ଅଖ୍ଯାତ ପଲ୍ଲୀରୁ ପ୍ରଖ୍ୟାତ ଲେଖିକା
ବିଖ୍ୟାତ ଗଲେ ସେ ହୋଇ
କଥାସାହିତ୍ୟରେ ପ୍ରତିଷ୍ଠା ଲଭିଲେ
ଯାଜ୍ଞସେନୀ ଲେଖିଦେଇ।।
ସାହିତ୍ଯ ସୌଧର ଶିରୋମଣି ସାଜି
ହେଲେ ପଦ୍ମ ବିଭୁଷିତା
ଅସଂଖ୍ଯ ସମ୍ମାନ ଅଧତ୍କାରିଣୀ ସେ
ଜ୍ଞାନପୀଠ ର ବିଜେତା।।
ଶତ ପ୍ରଣିପାତ ତାଙ୍କରି ଚରଣେ
ଜଣାଉଛି ମଥା ପାତି
ସଦା ଝରୁଥାଉ ଲେଖନୀରୁ ତାଙ୍କ
ଅଭିନବ କାବ୍ଯ କୃତି।।
