ଲେଖିକା.....
ଲେଖିକା.....
ଏ....ସୁଲୋଚନା ! ଦପ୍ତର ଯିବା ସମୟ ହୋଇଗଲାଣି, ଟିକେ ଜଳଖିଆ ଦିଅ, ମୋ ବ୍ୟାଗ ସଜାଡିଦିଅ କହୁଥିଲେ ସ୍ୱାମୀ ବ୍ରଜବାବୁ। ଆରମ୍ଭ କଲେ ସୁଲୋଚନା, ଯାଃ ଏଇଟା ପରା ପୁରୁଷ ପ୍ରଧାନ ଦେଶ, ନାରୀ କେତେ ଶିକ୍ଷିତା ହେଉ ତାର ସ୍ଥାନ ଚୁଲିମୁଣ୍ଡରେ। ଆଜି ଗୋଟିଏ ବିଭାଗରେ ପଛେଇଯାଇଛି, କାଲି ପୁରା ରସାତଳକୁ ଚାଲିଯିବି ଲେଖା ନଦେଲେ, ତମର ଜଳଖିଆଟା ନିହାତି ଦରକାର। ରାସ୍ତାରେ ବାହାରେ ଖାଇନେଲେ ହେବନି କି ? ତାଛଡା କୋଡିଏ ଟଙ୍କାର ଜଳଖିଆ ଖାଇଦେଲେ କାମ ଶେଷ। ଅଫିସରେ ତ ସହକର୍ମୀଙ୍କୁ ତାଠାରୁ ଅଧିକ ଚାହା ପିଇବାକୁ ଦେଉଛ। ମୁଁ ଏତେ ଲେଖୁଛି, ଦିନେ ବି ମୋ ପ୍ରତିଭା ଦେଖି ଉସ୍ଛାହିତ କରୁନାହଁ କିମ୍ୱା ଲେଖାରେ ସାହାଯ୍ଯ କରୁନାହଁ।
ଜାଣିଛ ଆଜି ଗୋଟିଏ ବିଷୟ ଦେଇଛି ହ୍ରଦଘରର କଥା, କଣ ଲେଖିବି ମୁଣ୍ଡକୁ ଜୁଟୁନାହିଁ ଏପଟେ ତମେ ବ୍ୟସ୍ତ କରୁଛ। ହସିଦେଇ ବ୍ରଜ କହିଲେ ଇଂରାଜୀ, ସାହିତ୍ୟ ସବୁ ବହି ଖୋଲିକି ବସିଛ ଅଥଚ ଲେଖା ପାଉନାହଁ କି ? ବିରକ୍ତ ହୋଇ ସୁଲୋଚନା କହିଲେ ନା ମ ଅଦ୍ଭୁତ ବିଷୟଟେ ଦେଇଛି। ଛୋଟବେଳେ କଳାକାର ପରିକ୍ଷିତ ସାହାଣୀଙ୍କ ଜାମ୍ମୁର କଣ ଗୋଟିଏ ହ୍ରଦ କାହାଣୀ ଦୁରଦର୍ଶନରେ ପ୍ରସାରିତ ହେଉଥିଲା। ଘରସାରା ବସି ଦେଖୁଥିଲେ ହେଲେ ମୁଁ ବିରକ୍ତିକର ଭାବ ଦେଖାଇ ଦେଖୁ ନଥିଲି। ଆଜି ଭୋଗୁଛି।
ସେପଟେ ଝିଅ ଜସ୍ମିନ ଓ ପୁଅ ବବଲୁ କହିଲେ ମାମା ଆମର ବିଦ୍ୟାଳୟ ଯିବା ସମୟ ହୋଇଯାଉଛି ।ସୁଲୋଚନା କହିଲେ, ଏଇ ସରକାରୀ ଚାକିରୀରେ ତ ଛୁଟିର ପ୍ରବଳ ପ୍ରବାହ। ପଡିଶାଘର ମୁନୁବାବୁ କେବେ ଦପ୍ତର ଯାଆନ୍ତିନି। ଆଜି ଛୁଟିନେଇ ଟିକେ ଘରକାମ କରିଦିଅ। ମୋତେ କେମିତି ହେଲେ ଏହି ବିଷୟରେ ଦୁଇପଦ ଲେଖିବାର ଅଛି। ପୁଣି ସ୍ମିତ ହସି ବ୍ରଜବାବୁ କହିଉଠିଲେ, ଚାରିଧାଡି ଲେଖିଦେଲେ କିଏ ପଢିଦେବ ନା ତମେ ଲେଖିକା ପଦବାଚ୍ୟ ହୋଇଯିବ। ଲେଖା ପରା ସାଧନା, ଏମିତି ପୁସ୍ତକର ଅନୁକରଣ ( ହନୁକରଣ ) ନୁହଁ।
ରାଗିଉଠିଲେ ସୁଲୋଚନା, ଶୁଣ ସବୁ କହିବ ଲେଖାକୁ ପରିହାସ କରିବ ନାହିଁ। ମୋ ଲେଖାକୁ ପାଠକ ଅନେଇ ରହିଥାଆନ୍ତି ଲେଖୁଲେଖୁ ପ୍ରଶଂସାର ସୁଅ ଛୁଟେ। ହସିହସି ନିର୍ବିକାର ବ୍ରଜବାବୁ କହିଲେ ପ୍ରଶଂସା ଲେଖାକୁ ନା ତୁମକୁ? ସୁଲୋଚନା କହିଲେ ବାହାଘରର ପନ୍ଦର ବର୍ଷ ପରେ ତମେ ସନ୍ଦେହ କରିବା ଆରମ୍ଭ କରିସାରିଲଣି। ହଁ ଏ ପୁରୁଷ ଜାତିଟା ସେମିତି।
ବ୍ରଜବାବୁ ଲକ୍ଷକଲେ କଥାକଟାକଟିରେ କିଛି ଲାଭ ନାହିଁ, ବାଧ୍ୟହୋଇ ଛୁଟିନେଇ ଘରକାମରେ ଲାଗିପଡିଲେ। ରୋଷେଇବାସ ସରିଲା, ପିଲାଙ୍କୁ ବିଦ୍ୟାଳୟରେ ଛାଡି ଆସିଲେ। ସ୍ତ୍ରୀଙ୍କ ପାଖରେ ବସିଗଲେ। ପଚାରିଲେ ତମ ଲେଖା ସରିଲା ? ମୁଣ୍ଡ ହଲାଇ ମନାକଲେ ସୁଲୋଚନା।
ବ୍ରଜବାବୁ ପଚାରିଲେ ଗୋଟିଏ ଦିନ ଲେଖା ନଦେଲେ କଣ ଚଳିବ ନାହିଁ। ଦେଖ, ଏଇ ଲେଖାଲେଖି ପରଠୁ ତମେ ସବୁଥିରେ ଅବହେଳା କରୁଛ, କଥାକଥାରେ ବିରକ୍ତ ହେଉଛ। ମୁଁ ତୁମକୁ ବା ତୁମ ଲେଖାକୁ ବିରୋଧ କରୁନାହିଁ।
ସୁଲୋଚନା କହିଲେ ଦେଖ ମୋ ଗଳ୍ପକୁ ପ୍ରଶଂସା କରି ପାଠକ ଅପେକ୍ଷା କରୁଛନ୍ତି। ପ୍ରକାଶକ ମୋ ଗଳ୍ପକୁ ତାଙ୍କରି ପୁସ୍ତକରେ ସ୍ଥାନ ଦେବାପାଇଁ ଆଗ୍ରହୀ। ଶହଶହ ପ୍ରଶଂସକଙ୍କ ସହ ମୁଁ ଫୋନରେ ବି ବାର୍ତ୍ତାଳାପ କରେ। ତାଛଡା କିଛି ତ ଆମସହରର ଲୋକ ବି ଅଛନ୍ତି।
ଟିକେ ସାହାଯ୍ଯ କଲେ ଏଇ ବିଷୟରେ କିଛିଟା ଲେଖିଦିଅନ୍ତି। ଏଇ ଦେଖୁନ ଅଦ୍ଭୁତ, ଉଦ୍ଭଟ ସମାଲୋଚନାର ଗଳ୍ପ ଲେଖିଦେଉଛି ସେ ସିଦ୍ଧାର୍ଥ ଟା। ବିଷୟ ଉପରେ ନଲେଖି କିଛି ନା କିଛି ଲେଖି ଛାଡିଦେଉଛି। ବେକାର ଲୋକଟା। ବ୍ରଜବାବୁ କହିଲେ ହଉ, ବ୍ୟସ୍ତ ହୁଅନି, ମୋର ବିଦେଶ ଭ୍ରମଣ ସମୟରେ ସନମର୍କୋସ ହ୍ରଦର ଅନୁଭୂତି ବର୍ଣ୍ଣନା କରିଦେବି, ତମେ କିଛିଟା ଲେଖିଦିଅ।
ହଠାତ କଲିଂବେଲ ବାଜି ଉଠିଲା। ସୁଲୋଚନା କହିଲେ ମୁଁ ଦେଖୁଛି କିଏ ଡାକୁଛି, ତମେ ଟିକେ ଲେଖିଦିଅ। ହଁ ଭରିଲେ ବ୍ରଜ। ବାହାରେ ସୁଲୋଚନା ଦେଖିଲେ ଜଣେ ଅଜଣା ପ୍ରୌଢ। ସୁଲୋଚନା ପଚାରିଲେ ଆଜ୍ଞା, କାହାକୁ ଖୋଜୁଛନ୍ତି? ପ୍ରୌଢ କହିଲେ ଆପଣ ବୋଧେ ସୁଲୋଚନା। ହଁ ଭରିଲେ ସୁଲୋଚନା। ପ୍ରୋଢ ଆରମ୍ଭ କଲେ ମୁଁ ଆପଣଙ୍କ ବଡ ପ୍ରଶଂସକ, ଏଇ ସହରର। ମୋ ସ୍ତ୍ରୀଙ୍କ ଦେହାନ୍ତ ହୋଇସାରିଛି। ଅନର୍ଗଳ କଥାବାର୍ତ୍ତରୁ ପ୍ରୌଢର ଇଙ୍ଗିତ ବୁଝିପାରୁଥିଲେ ସୁଲୋଚନା।ପ୍ରୌଢଜଣକୁ ଭଲକରି ଦୁଇପଦ ଶୁଣାଇ ପୋଲିସରେ ଦେବାକୁ ଧମକ ଦେଇ ଭଗ୍ନ ମନୋରଥରେ ଗ୍ରୁହକୁ ପ୍ରବେଶ କଲାବେଳେ ନିଜକୁ ଅନୁଶୀଳନ କରୁଥିଲେ ସେ।
ବ୍ରଜବାବୁ କହିଲେ ଏଇ ନିଅ ଲେଖାସରିଲା। ସେପଟେ ଜିଲ୍ଲାପାଳ ଆସି ପହଞ୍ଚିଛନ୍ତି, ମୋତେ ଦପ୍ତର ଯିବାକୁ ହେବ। ଲେଖାଟିକୁ ଚିରି ଫୋପାଡିଦେଇ ଆଲିଙ୍ଗନ କରୁଥିଲେ ସୁଲୋଚନା। କହିଲେ ବ୍ରଜ ଆଜିଠାରୁ ସୋସିଆଲ ମିଡିଆର ପ୍ରଚାର ବନ୍ଦ। ମୋ ସଂସାର ମୋର ଗଳ୍ପଗୁଚ୍ଛ। ତମେ ମୋର ସୋସିଆଲ ମିଡିଆ। ଆଜିଠାରୁ ଯାହା ବି ମୋ ଲେଖନୀରୁ ଯାହା ବି ନିସ୍ରୁତ ହେବ ତାହା ହେବ ସ୍ୱରଚନା। ସମ୍ପର୍କ ରହିବ କେବଳ ଲେଖକ ପାଠକର।
ହସିହସି ଧନ୍ୟବାଦ ଦେଉଥିଲେ ବ୍ରଜ :: *ଧନ୍ୟ ହ୍ରଦର କଥା* ।
( *ଲେଖାଟି ସମ୍ପୁର୍ଣ୍ଣ କାଳ୍ପନିକ। କାହାକୁ ଆକ୍ଷେପ ବା ଆଘାତ ଦେବାର ଉଦ୍ଦେଶ୍ଯ ନୁହଁ। କିନ୍ତୁ ସମସ୍ତଙ୍କୁ ସତର୍କ ତଥା ସାହିତ୍ୟକୁ ସମ୍ମାନ ଦେବା ଆବଶ୍ୟକ* )
