ଲଭ୍ ଷ୍ଟୋରୀ - ୦୫
ଲଭ୍ ଷ୍ଟୋରୀ - ୦୫


ଲଭ୍ ଷ୍ଟୋରୀ ୦୫-(ଭଲ ପିଲା)
ମନ ଆଉ ହୃଦୟ ଭିତରେ ଚାଲିଥାଏ ଅନ୍ତର୍ଦ୍ବନ୍ଦ୍ବ । ଆଉ ତାର ପରିଣାମ ବ୍ୟାଖ୍ୟା କରୁଥାଏ ମୁଖର ଲାଲିମା । ସ୍ବର ର ତାଳଟା ବେତାଳିଆ ହୋଇପଡୁଥାଏ ମୁଖସହ । ମହାଯୁଦ୍ଧରେ ବିଜୟର ଶଂଖ ଧ୍ବନି ବଜାଇବାକୁ ବ୍ୟାକୁଳ ହୋଇଉଠୁଥାଏ ମନ ଦର୍ପଣର ସେପାରିରେ ଛିଡାହୋଇଥିବା ପ୍ରେମରୂପି ଖରାପ ପିଲାର ସଂଜ୍ଞାଟା ବର୍ତ୍ତମାନର ଭଲପିଲା ର ଆଖ୍ଯା ଉପରେ । ତେବେ ବହୁତ କଷ୍ଟରେ ସାହସ ସଞ୍ଚୟ କରି ଆଜି ରବି ' କିରନ କୁ ଯାଇ କହିଲା " କିରନ୍ ଆଇ ଲଭ୍ ୟୁ । ମୁଁ ତୁମବିନା ବଞ୍ଚିପାରିବିନି । ତୁମବିନା ମୋତେ ସବୁକିଛି ଯେମିତି ଶ୍ମଶାନପରି ଲାଗୁଛି । ନା ପଢାରେ ମନଲାଗୁଛି ନା ଘରେ ନା ସାଙ୍ଗମାନଙ୍କ ମେଳରେ । କାହିଁକି କେଜାଣି ଏମନ ସବୁବେଳେ ଖାଲି ତୁମକୁ ହିଁ ଖୋଜୁଛି । କିରନ ପ୍ଲିଜ୍ ଏକ୍ସେପଟ୍ ମାଇଁ ଲଭ୍ । ମୁଁ ତୁମପାଇଁ ଏ ଦୁନିଆଁ ସହିତ ବି ଲଢିଯିବି ଆଉ ଦରକାର ପଡିଲେ ଏ ଦୁନିଆଁ ସହ ସମ୍ପର୍କ ତୁଟେଇଦେବି । ପ୍ଳିଜ୍ ପ୍ଲିଜ୍ ପ୍ଲିଜ୍ ମୋ ଭଲ ପାଇବାକୁ ଏଡାଇଦିଅନି "। ରବି ମୁହଁରୁ ହଠାତ୍ ଏଭଳି କଥା ଶୁଣି ହତବାକ୍ ହୋଇଗଲା କିରନ । ଆଶ୍ଚର୍ଯ୍ୟ ହୋଇକହିଲା " ଆର୍ ୟୁ ମେଡ ରବି ! ତୁମ ଘରଲୋକ କଥା କେବେ ଚିନ୍ତାକରିଛ ? ସେମାନେ କଣ ତୁମର ମୋ ପ୍ରତି ଭଲପାଇବାକୁ ହସିହସି ଗ୍ରହଣ କରିପାରିବେ ? ତାପରେ ଆମ ଦୁଇ ପରିବାର ଭିତରେ ବ୍ୟବଧାନଟାବି ବହୁତ ଅଧିକ । ପୁଣି ତୁମେ କେମିତି ଭାବିପାରିଲ ମୁଁ ବି ତୁମକୁ ଭଲପାଇବି ବୋଲି ! ଏକଥାଟା ମୋତେ କହିବା ଆଗରୁ କେବେ ଭାବିଛ ତୁମ ବାପା ମା ଙ୍କ କଥା ଯେଉଁମାନେ କେତେଆଶା ବାନ୍ଧିଛନ୍ତି ତୁମର ସଫଳ ଭବିଷ୍ୟତ ପାଇଁ । ତୁମେ ଏତେ ସ୍ବାର୍ଥପର ହୋଇଯାଅନି ରବି । ମୁଁ ତୁମ ମନରେ ଦୁଃଖ ଦେବାକୁ ଚାହୁଁନି । ମୁଁ ତୁମକୁ ନୁହେଁ ତୁମ ଟ୍ୟାଲେଣ୍ଟକୁ ରେସପେକ୍ଟ ଦିଏ । ବଟ୍ ଟୁଡେ ଆଇ ଏମ୍ ହେଲ୍ପଲେସ୍ । ମୁଁ ତୁମ ଭଲପାଇବାକୁ ଗ୍ରହଣ କରିପାରିବିନି ରବି । ଆଇ ଏମ୍ ସରି ଫର ଦେଟ୍ "। ଏହାକହି କିରନ ଚାଲିଗଲା ତାବାଟରେ । କିରନଠାରୁ ଏଭଳି ଉତ୍ତର ଆଶା କରୁନଥିଲା ରବି । ହେଲେ କିରନ ମୁହଁରୁ ଏଭଳି କଥାଶୁଣି ମନରେ ତାର ଖେଳିଗଲା ବିଷାଦର କଳା ବାଦଲ । ପ୍ରେମର ନନ୍ଦନ କାନନଟା ହଠାତ୍ ଯେପରି ରଂଗହୀନ ହୋଇପଡିଲା ରବିପାଇଁ । ପାଠପଢା ଜୀବନରେ କେବେ ବିଫଳତାର ସମ୍ମୁଖୀନ ହୋଇନଥିବା ରବିସହ ଆଜି ସାକ୍ଷାତ ହୋଇଥିଲା ଗୋଟିଏ ପରାସ୍ତ ପ୍ରେମିକର । ବିଫଳତାର ଗ୍ଳାନିରେ ସମ୍ପୂର୍ଣ୍ଣ ଶରୀର ଜର୍ଜରୀତ ରବିର ।
ନବଯୌବନରେ ପାଦଦେଇ ପ୍ରଥମ ପ୍ରେମକୁ ପ୍ରଥମଥର ପ୍ରକାଶ କରିବା କଣ ସହଜ କଥା ! ଆଉ ସେହି ପ୍ରେମରେ ଅସଫଳତାଟା ଠିକ୍ ଯେପରି ଗୋଟିଏ ଜୀବନ୍ତମୃତ୍ୟୁ । ଯାହା ମାରିଚାଲିଥାଏ ଜୀବନର ଶେଷ ପର୍ଯ୍ୟନ୍ତ । ଏହିଭଳି ଅନେକ ଭଲପାଇବା ନିଃଶବ୍ଦରେ ଜୀବନ ହାରିଦିଅନ୍ତି ଆମର ଏ ସମାଜରେ । କିଛିପ୍ରେମ ନିରାଶାର ଅନ୍ଧଗଳିରେ ବାଟବଣା ହୋଇଯାଆନ୍ତି ତ କିଛି ସଫଳତା ପାଇ ଭବିଷ୍ୟତଟାକୁ ନଷ୍ଟ କରନ୍ତି ଆଉକିଛି ସଫଳହୋଇ ପାଲଟିଯାଆନ୍ତି ଉଦାହରଣ । ହେଲେ କିଛିଥାଆନ୍ତି ଯେଉଁମାନେ ଭାବିନିଅନ୍ତି ପ୍ରେମକୁ ମୃତ୍ୟୁଠାରୁ ଶ୍ରେଷ୍ଠ । କିନ୍ତୁ ଭୁଲିଯାଆନ୍ତି ସାରା ସଂସାରରେ ପୂଜିତ ରାଧାକୃଷ୍ଣ ପ୍ରେମ କଥା । ଯେଉଁଟା ଅସମ୍ପୂର୍ଣ୍ଣ କିନ୍ତୁ ଅସଫଳ ନୁହେଁ । ଯେଉଁଠି ବିରହର ମାନେଟା ମୃତ୍ୟୁ ନୁହେଁ । ତେବେ ପ୍ରେମରେ ଠିକ୍ ଭୂଲ୍ ସଫଳତା ବିଫଳତା ଭଲ ଆଉ ଖରାପ ର ଏହି ମହାତର୍କ ଭିତରେ କିନ୍ତୁ ପ୍ରକୃତ ପରୀକ୍ଷା ଦେଉଥାନ୍ତି ଅଭିଭାବକ ମାନେ । ପ୍ରେମର ବାସ୍ତବିକତାଟା ସବୁବେଳେ ଅବାସ୍ତବ ପିତାମାତା ମାନଙ୍କ ପାଇଁ । ତାଙ୍କର ମନରେ ଥାଏ ଭଲପାଇବାର ଅନ୍ଧକାର ଭବିଷ୍ୟତ ଉପରେ ବିରାଟ ଏକ ପ୍ରଶ୍ନଚିହ୍ନ । ସେଥିପାଇଁ ବୋଧେ ପ୍ରେମର ସଂଜ୍ଞାଟା ସବୁବେଳେ ବିତର୍କିତ ସବୁବେଳେ ନିନ୍ଦିତ । ଏଥିପାଇଁ ବୋଧହୁଏ ପ୍ରେମଟା ପାଲଟିଯାଇଛି ମନଦଣ୍ଡ ଚରିତ୍ରବାନ ଆଉ ଚରିତ୍ରହୀନ ବ୍ୟକ୍ତିତ୍ବର ସଂଜ୍ଞା ନିର୍ଦ୍ଧାରଣ ନିମନ୍ତେ । କିନ୍ତୁ ଏକଥା ବି ସତ ଯେ ପ୍ରେମବିନା ଜୀବନଟା ଠିକ୍ ସ୍ବପ୍ନବିନା ରାତି ପରି । ହେଲେ ରବି ଚେଷ୍ଟା କରିଥିଲା ଦେଖିବାକୁ ଗୋଟିଏ ସ୍ବପ୍ନିଳ ଦୁନିଆଁ । ଆଉ ବିଫଳତାର ପ୍ରହାରରେ ଭାଂଗିଗଲା ତାର ସ୍ବପ୍ନ ।
ମେଡିକାଲ କୋଚିଂ ସେଣ୍ଟରରୁ ଆସି ଚୁପ୍ ଚାପ ନିଜକୁ ତାର ନିଜ ରୁମ୍ ଭିତରେ ବନ୍ଦକରିଦେଲା ରବି । ବୋଧହୁଏ ନିଜକୁ ସେହି ରୁମ୍ ଭିତରେ ଖୁବ୍ ଧିକ୍କାର କରିଥିଲା ସିଏ । କାହିଁକିନା ସେ ଆଜି ପାଲଟିଯାଇଛି ପ୍ରେମ ଯୁଦ୍ଧରେ ଜଣେ ପରାଜିତ ନାୟକ । ଆଉ ଏହି ପରାଜିତ ନାୟକ ଏକାନ୍ତରେ ବୋହାଇ ଦେଉଥିଲା ନିଜ ମନର ସବୁଜାକ ଗ୍ଳାନି ଅଶ୍ରୁର ରୂପରେ । ଅନେକ ସମୟପରେ ମା'ର ଡାକରେ କବାଟ ଖୋଲି ବାହାରକୁ ଆସିଲା ରବି । ତା ମୁହଁ ର ଆଇନାରେ ମା ତାର ପଢିନେଲେ ମନ ଆଉ ହୃଦୟକୁ । ଚୁପଚାପ ରବି ଯାଇ ବସିଗଲା ଡାଇନିଂ ଟେବୁଲ ପାଖରେ । ମା ବି ତାର ଚୁପଚାପ ତାପାଇଁ ଖାଇବା ବାଢିଦେଲେ । ପାଖ ଚେୟାରରେ ବସିଥିବା ବାପା ତାର ପଚାରିଲେ " କଣ କିରେ ! ଏମିତି ମୁହଁଟା ଶୁଖାଇଛୁ ଯେ ? ପଇସାପତ୍ର ଦରକାର କି "? ବିରକ୍ତିଭରା କଣ୍ଠରେ ରବି କହିଲା " ନା'; ଦରକାରହେଲେ ମାଗିବିନି ! କିଛି ହୋଇନି ମୋର "। ତା କଥା ଶୁଣି ବାପା ତାର କହିଲେ " ହୋଇରେ ଏଇଟା କଣ ମୋ ରବି ! ଯିଏ ମାଛି କୁ ମ' ବୋଲି କୁହେନା ସେ କଣ ଆଜି ରାଗିଲା ରାଗିଲା ଜଣାପଡୁଛି । ପୁଅ ମୋର ବଡ ହୋଇଗଲା ନା କଣ " ! ବାପାଙ୍କ ପାଖରୁ ଏଭଳି କଥା ଶୁଣି ଆହୁରି ଚିଡିଗଲା ରବି । ଆଉ ଚିଡିଯାଇ କହିଲା " ଆଉ କଣ ସବୁଦିନ ଛୋଟପିଲା ହୋଇରହିଥାନ୍ତି । ମୋତେ ବିରକ୍ତି କରନା । ମୋ ମନ ଭଲ ନାହିଁ " । ମନ ଭଲ ନାହିଁ ବୋଲି ଶୁଣିଦେଇ ପଛରୁ ମା ତାର ପଚାରିଲେ " ପୁଅ ତୁମର ପ୍ରେମରେ ପଡିନିତ ! ଦେଖ ପଚାର ତାକୁ କେଉଁ ଝିଅପାଲରେ ପଡିନିତ "! ଏହା ଶୁଣି ରବିର ବାପା ଗମ୍ଭୀର ହୋଇକହିଲେ " ବାପାରେ ! ଏବେ ତୋର ପାଠପଢିବା ସମୟ । ଆଗକୁ ଲମ୍ବା ଭବିଷ୍ୟତ ପଡିଛି । ଏବେ କ୍ୟାରିୟର ପ୍ରତି ଧ୍ୟାନଦେ । ଏପ୍ରେମ ଫ୍ରେମ ଭଲପାଇବା ସବୁ ସିନେମାରେ ଭଲଲାଗେ । ପ୍ରକୃତ ଜୀବନରେ କିନ୍ତୁ ପ୍ରେମର ସଂଜ୍ଞାଟା ପୁରା ଅଲଗା । ଟିଭି , ସିନେମା , ସ୍କୁଲ କଲେଜ ର ପ୍ରେମଟା ପ୍ରେମ ନୁହେଁରେ ଗୋଟିଏ ଆକର୍ଷଣ । ତୁ ଗୋଟିଏ ଭଲ ପିଲା । ତେଣୁ ସେ ଭଲପାଇବା ପଛରେ ବୃଥା ସମୟ ନଷ୍ଟ କରିବୁନି । ଭଲ ପିଲାଙ୍କର ସବୁବେଳେ ଗୋଟିଏ ଉତ୍ତମ ଲକ୍ଷ୍ୟ ରହିବା ଜରୁରୀ "।ବାପାଙ୍କର କଥାସବୁ ସେତେବେଳେ ଭାରି ପିତାପିତା ଲାଗୁଥାଏ ରବିକୁ । ପରାଜୟର ଯନ୍ତ୍ରଣାଟା କେତେବେଳେଯେ କ୍ରୋଧରେ ରୁପାନ୍ତରିତ ହୋଇ ରବିର ମୁହଁରୁ ବାହାରିଗଲା " ଭଲ ପିଲା ! ଭଲ ପିଲା ! କଣ ମିଳିବ ସେଥିରୁ । ଆଉ ତୁମେ କଣ ଜାଣ ଭଲପାଇବା କାହାକୁ କହନ୍ତି ? ପ୍ରେମ କଣ ? ତୁମର ନୀତି ଆଦର୍ଶ ଆଉ ଅନୁଶାସନ ଭିତରେ ପ୍ରେମର ଜାଗାଟା କାହିଁ "? ଏତିକି କହିଦେଇ ରବି ଚାଲିଗଲା ତା ବେଡରୁମ୍ କୁ । କିଛିସମୟପରେ ରବିର ମୋବାଇଲକୁ କଲଟିଏ ଆସିଲା । କଲ୍ କରିଥିଲା ରବି ର ଜଣେ ଅନ୍ତରଙ୍ଗ ବନ୍ଧୁ । କହିଲା " ଜାଣିଛୁ ଆରେ ସେ କିରନ ତ ମାନସକୁ ଭଲପାଉଛି । ଆଜି ପରା ଦୁହେଁ ହାତ ଧରାଧରି ହୋଇ ସିନେମା ଦେଖିବାକୁ ଯାଉଥିଲେ । ସେଇଥିପାଇଁ କିରନ ତୋତେ ରିଜେକ୍ଟ କରିଦେଲା । ଧନୀ ଘର ଦେଖି ଝିଅ ପ୍ରେମ କରିଛି । ତୋ ପ୍ରେମକୁ କଣ ପାଇଁ ପଚାରିବ "? ଆଉ ଅଧିକ କିଛି ଶୁଣିବାକୁ ଧୈର୍ଯ୍ୟ ନଥିଲା ରବିର । ଫୋନ ରଖିବାକୁ କହି ଗଡିଗଲା ବେଡ ଉପରେ । ଧୀରେଧୀରେ ପରାଜୟର ଗ୍ଳାନିଟା ବଢିବାକୁ ଲାଗିଲା ରବିର ମନ ମସ୍ତିଷ୍କରେ । ପାଗଳପରି କାନ୍ଦିବାକୁ ଲାଗିଲା ନୀରବରେ ରବି । ପ୍ରେମରେ ଯନ୍ତ୍ରଣା ଜାଣେନାହିଁ ଲିଂଗଭେଦ । ପୁରୁଷର ପାଷାଣ ହୃଦୟଟାବି ତରଳିଯାଇପାରେ ପ୍ରେମବିରହ ର ବେଦନାରେ । ଠିକ୍ ଯେପରି ଆଜି ରବି ଲୋଡୁନାହିଁ ତାର ଭଲ ପିଲାର ପରିଚୟ ।
କିଛି ସମୟର ନୀରବତା ପରେ ହଠାତ୍ ରବି ଚିନ୍ତା କଲା ନିଜକୁ ମୁକ୍ତ କରିଦେବ ଏ ଯନ୍ତ୍ରଣାରୁ । ବାଛି ନେଲା ଜଣେ ପରାଜିତ ପ୍ରେମିକ ର ସେ ଭୟଙ୍କର ଶେଷ ରାସ୍ତାଟା । ସମସ୍ତଙ୍କ ଅଗୋଚରରେ ବାପାଙ୍କ ଆଲମାରୀ ଉପରେ ରଖାଥିବା ରେଟକିଲର ପଏଜନର ଏକ ସିଂହ ଭାଗ ନେଇଯାଉଯାଉ ରବିର ଆଖି ପଡ଼ିଲା ଧୂଳି ଧୂସରିତ ଗୋଟିଏ ନାଲି ରଙ୍ଗର ଫାଇଲ ଉପରେ । ମନଟା ଟିକିଏ ଜିଜ୍ଞାସୁ ହୋଇଉଠିଲା । ଅଜାଣତରେ ହାତଟା ଚାଲିଗଲା ସେହି ଫାଇଲ ପାଖକୁ । ଫାଇଲଟିକୁ ତଳକୁ ଆଣି ଓଲଟାଇଗଲା ପୃଷ୍ଠା ପରେ ପୃଷ୍ଠା । ଆଉ ତାପରେ ହାତରେ ଧରିଥିବା ରେଟକିଲର ପଏଜନ ଶିଶିଟି ଧପ୍ ଶବ୍ଦ କରି ଖସିପଡିଲା ଭୂଇଁ ଉପରେ । ଫାଇଲ ଧରିଥିବା ହାତଟା ହରାଇ ସାରିଥିଲା ତା'ର ସନ୍ତୁଳନ । ମୁଣ୍ଡରେ ହାତ ଦେଇ କାନ୍ଦିବାକୁ ଲାଗିଲା ରବି । ଆଉ କିଛି ଭାବିବାକୁ ଶକ୍ତି ନଥିଲା ତାର । କାହିଁକି ନା ଆଜି ଯାଇ ରବି ଜାଣିବାକୁ ପାଇଲା ସେ ତା ବାପା ମାଆଙ୍କର ଏଡପ୍ଟେଡ ସନ୍ ମାନେ ପୋଷ୍ୟ ପୁତ୍ର । ହେଲେ ଆଜି ପର୍ଯ୍ୟନ୍ତ ସେ ଅନୁଭବ କରିପାରୁନଥିଲା ଯେ ସେ ଗୋଟିଏ ପୋଷ୍ୟ ପୁତ୍ର । ମନ ତାର ମାନିବାକୁ ପ୍ରସ୍ତୁତ ନୁହେଁ ଯେ ବାପା ବୋଲି ଡାକୁଥିବା ଲୋକଟି ତାବାପା ନୁହେଁ ଆଉ ବାପା କହି ମୁଣ୍ଡ ଆଉଁସି ଦେଉଥିବା ନାରୀ ଜଣକ ତା ମାଆ ନୁହେଁ ବୋଲି । ତାହା ହେଲେ କ'ଣ ଏଇଟା ଯାହା ବାନ୍ଧିରଖିଛି ତିନି ଜଣଙ୍କୁ ଗୋଟିଏ ସୁତ୍ରରେ ! କିଛି ଉତ୍ତର ନଥିଲା ଏହାର ରବି ପାଖରେ । କିଛି ସମୟର ନୀରବତା ପରେ କେହି ନଜାଣିଲା ପରି ଫାଇଲଟିକୁ ଯଥା ସ୍ଥାନରେ ରଖି ଦେଇ ରବି ଚାଲିଗଲା ନିଜ ରୁମକୁ । ଏତିକି ବେଳେ ମନ ଦର୍ପଣର ଏପାଖରେ ଥିବା ଭଲ ପିଲାଟି ରବି ପ୍ରତି ଏକ ତାଚ୍ଛଲ୍ଯ ଭରା ହସଟେ ହସିଦେଇ କହିଲା" ତୁମେ କଣ ଜାଣ ଭଲପାଇବା କାହାକୁ କହନ୍ତି ? ଠିକ୍ ଏଇ ପ୍ରଶ୍ନଟା ତୁମେ ପଚାରିଥିଲ ନା ତୁମ ବାପାଙ୍କୁ । ଏବେ ଏ ପ୍ରଶ୍ନ ମୁଁ ତୁମ ଉପରେ ଛାଡ଼ିଦେଲି " । ଏତିକି ବେଳେ ରବି ର ବାପା କବାଟ ସେପାଖରୁ ପଟିକରି ପଚାରିଲେ" ବାପା ରେ! ରାଗ ଶାନ୍ତ ହେଲା" ? ହସହସ ମୁହଁରେ ରୁମ୍ ରୁ ବାହାରି ରବି କହିଲା" ଭଲ ପିଲା କ'ଣ କେବେ ରାଗନ୍ତି " !