ଲୌହଦାନବର ରକ୍ତଭୋଜି
ଲୌହଦାନବର ରକ୍ତଭୋଜି


"ବାପା, ଦେଖିଲ! କୁନା କେମିତି ବଦମାସ ହେଉଛି, ଜମା ମୋ ହାତ ଧରି ଚାଲୁନି".... ପାଞ୍ଚ ବର୍ଷ ବୟସର କୁନିର ଅଭିଯୋଗ.
"ଦେଇ! ବେଲୁନ ଭିତଲେ ବାଲି ପତିଚି, ଦେଖୁନୁ ଝଲଝଲ ହଉଚି"... ଗୋଟେ ହାତେ ବେଲୁନ ହଲାଇ ହଲାଇ ଅନ୍ୟ ହାତ ମୁଠାରେ ପେଁକାଳୀ ଟେ ଧରି କୁନା କହିଲା. ଶିଶୁ ବୟସର ଛାପ ତା ପାଟିଲଗା କଅଁଳ କଥାରୁ ଜଣାପଡୁଥାଏ. ସେପଟେ କୁନି ଗୋଟେ ହାତରେ ଭଜା ବାଦାମ ପୁଡିଆ ଧରିଥାଏ ଅନ୍ୟ ହାତରେ କୁନାର ହାତ ଧରି ବାଟ ଚଲାଇ ନେଉଥାଏ.
ପଛେ ଚାଲୁଥାଏ ଦୁଇଜଣଙ୍କ ବାପା ବିଶୁଆ, ହେଲେ କଣ କରିବ ପୋଲିଅ ଗୋଡ଼ରେ ଆଶା ବାଡ଼ି ସାହାଭରସା, ପିଲାଙ୍କୁ ମେଳା ଦେଖେଇବାକୁ ଆଣିଥିଲା. ବଡ଼ଝିଅ କୁନି ସିନା ବୁଝୁଛି ହେଲେ କୁନାଟା ଅଝଟ କଲା, ସେପଟେ କୁନିବୋଉର ପାଇଟି କାମ, ନଗଲେ ମାଲିକଘର ଗାଳି କରିବେ. ତେଣୁ ବାଧ୍ୟ ହୋଇ ବିଶୁଆ ନେଇ ଆସିଲା ମେଳାକୁ.
ଭାରି ଅଭାବୀ ସଂସାର, ତା ପରେ ହଠାତ ୟେ ରୋଗ, ଆଗରୁ ଯାହା ମୂଲ ଲାଗିଚଳୁଥିଲା ହେଲେ ରୋଗ ହେଲାଠୁଁ ଠିକରେ ଚାଲିବା ସମ୍ଭବହେଉନାହିଁ ତେଣୁ ଘରେବସି ହେଁସମସିଣା, ଖଜୁରୀସପ, ଆସନ ଆଦି ତିଆରି କରି ଯାହା ରୋଜଗାର. ସେଇଦିନଠୁଁ କୁନିବୋଉ ବି ବଡଘରେ ପାଇଟି କାମ କରୁଛି. ଯାହାହେଉ ଭାବଅଭାବର ସଂସାରରେ ତେଲଲୁଣ ଦେଇ ଚଳିବାକଥା ଆଉ.
ଏମାନେ ବି ଛୋଟପିଲା, ପଡ଼ିଶାଘରେ ପିଲାମାନେ ମେଳା ବୁଲିବା ଶୁଣି ତାଙ୍କ ମନବି ଡାକୁଥିଲା. ତେଣୁ କଷ୍ଟହେଉ ପଛେ ବିଶୁଆ ନେଇଆସିଲା ମେଳା ବୁଲେଇବାକୁ. ଏବେ ଫେରୁଛନ୍ତି.
ସୂର୍ଯ୍ୟ ପଶ୍ଚିମ ଆକାଶେ ରକ୍ତିମ ହୋଇଗଲେଣି. ତେଣୁ କାଳେ ରାତି ହୋଇଯିବା ଭୟରେ ବିକଳ୍ପ ଏକ ପଥଦେଇ ବାପଛୁଆ ଚାଲିଛନ୍ତି. ଏଇଟା ହେଲା ଛୋଟ ରାସ୍ତା, ମୁଖ୍ୟସଡ଼କ ଠୁଁ ଅଲଗା ରେଳଧାରଣା କଡେ କଡେ.
p>
"କୁନାଟା ଛୋଟପିଲାଟା ବୁଝୁନି, ବଦମାସୀ କରୁଛି, ତାକୁ ଟିକେ ସମ୍ଭାଳେ ମାଆ କୁନି. ଏ କୁନା ରହ ଘରକୁ ଗଲେ ତୋ' ବୋଉ କୁ କହିବି... ସେ ଠିକ ପିଟିବ.. ଆମ ଦୁହିଁଙ୍କ କଥା ଶୁଣୁନାହୁଁ ନା!!" ରେଳଧାରଣା କଡେକଡେ ସେମାନଙ୍କ ପଛେ ଚାଲୁଚାଲୁ ବିଶୁଆ ତାଗିଦ କରି କହୁଥାଏ.
ହଠାତ କୁନା ହାତରୁ ବେଲୁନ ଉଡି ପଡିଗଲା. ପବନରେ ଉଡିଉଡି ରେଳଧାରଣା ଉପରେ. କୁନା ହାତ ଛାଡି ଦୌଡ଼ିଯିବାକୁ ଉଦ୍ୟତ ହୁଅନ୍ତେ, ବିଶୁଆ କୁନିକୁ କହିଲା,"ଆରେ ଧ ତା' ହାତ ମୁଁ ଯାଉଚି ଆଣିବାକୁ".
ବିଶୁଆ ଆଶାବାଡି ଧରି ଛୋଟେଇ ଛୋଟେଇ ରେଳଧାରଣା ଉପରେ ପଡ଼ିଥିବା ବେଲୁନ ପାଖକୁ ଗଲା. ତଳକୁ ନଇଁ ବେଲୁନ ଉଠେଇଲା ଏତକ ଦେଖି କୁନାମନ ଭାରି ଖୁସି. ହେଲେ କଣ ଗଡବଡ ହେଲା ଯେ ଭାରସାମ୍ୟ ହରେଇ ବିଶୁଆ ତଳେ ପଡିଗଲା. ରେଳଧାରଣା ଫାଙ୍କରେ ତା' ବାଡ଼ି ଫସିଯାଇଥାଏ.
ଏହି ସମୟରେ ସଁ ସଁ କରି ଦ୍ରୁତ ବେଗରେ ମାଡିଆସିଲା ଗୋଟେ ରେଳ, ଆଉ ମୁକୁଳିବାର ଜୁ ନଥାଏ. ଆଖି ପିଛୁଳାରେ ମାଡ଼ିଗଲା ଆଗକୁ. ଏମିତି ଘୋର ଗର୍ଜନ ଭିତରେ ଶୁଣାଗଲାନାହିଁ ବିଶୁଆର ଚିତ୍କାର. ସେପଟେ କିଛି ନବୁଝିପାରି ଦୁଇ କୋମଳ ଶିଶୁ ଖାଲି କାନ୍ଦୁଥାନ୍ତି, କୁନି କୁନା ଆଖିରେ ହାତ ଦେଇଦେଇଥାଏ. ନିଜେ କାନ୍ଦିକାନ୍ଦି ରେଳଡବା ଗୁଡାକୁ ଯିବାର ଦେଖୁଥାଏ.
ଶେଷରେ ଗୋଟିକ ପରେ ଗୋଟିଏ ଡବା ଚାଲିଗଲା. ଆଉ ବିଶୁଆ ଛିନ୍ନ ବିଦୀର୍ଣ୍ଣ ହୋଇ ପଡି ରହିଥାଏ ଧାରଣା ଉପରେ. ଚାରିଆଡେ ଛିଟିକି ପଡିଥାଏ ଲାଲଲାଲ ରକ୍ତଛିଟା.
ବଞ୍ଚିଲା ମଣିଷର ସତେଜ ମାଂସ ଆଉ ଲାଲ ଟହଟହ ଆଇଁଷ ରକ୍ତର ଭୋଜି କରି ଦ୍ରୁତ ଗତିରେ ଆଗେଇ ଚାଲିଗଲା ଏହି ଲୌହଦାନବଟି. କିଛି ବୁଝିବା ଆଗରୁ ଦୁଇ କଅଁଳଶିଶୁଙ୍କ ମଥାରୁ ହଟିଗଲା ବାପାର ହାତ.