ଲାଲ୍ ଟୁକୁ ଟୁକୁ ସାଧବ ବୋହୂ
ଲାଲ୍ ଟୁକୁ ଟୁକୁ ସାଧବ ବୋହୂ
ନାଲି ଟୁକୁ ଟୁକୁ ସାଧବ ବୋହୂ
ମେଘ ବରଷାରେ କୁଆଡେ ଯାଉ ।
କଅଁଳ ଦେହଟା ଦିଶେ ନାଲିଆ
ପାଟଶାଢୀ ପିନ୍ଧି ଦିଶୁ ବଢିଆ ।
ଧିରେ ଧିରେ ଚାଲି ସୁନ୍ଦର ବେଶ
ଦଳ ଦଳ ହୁଅ ସବୁଜ ଘାସ ।
ସକାଳୁ ସକାଳୁ ଘାସ ଉପର
ସାଧବ ବୋହୂ ତୁ ଦିଶୁ ସୁନ୍ଦର ।
ପ୍ରକୃତି କୋଳରେ ଜନମ ତୋର
କୋଟି ଲାବନ୍ୟର ତୁ ରୂପାନ୍ତର ।
ଛୋଟ ଜୀବଟିଏ ଶାନ୍ତ ସରଳ
ଗଢିଛି ପ୍ରକୃତି ରୂପ ଅପାର ।
ଥାଉ ଦୁଃଖେ ସୁଖେ ବରଷ ସାରା
ମୌସୁମୀ ମେଘରେ ଭିଜୁ ଅସରା ।
ଏବେ ଲୁଚିଲାଣି ତୋ ବଂଶ ବିଭବ
ଦେଖୁନାହୁଁ ଆଉ ବିଲୁପ୍ତ ଭାବ ।
ହାତରେ ଧରିବି ସରାଗେ ତତେ
ରୁଷିଯାଆ ନାହିଁ ସବୁଜ ପ୍ରାନ୍ତେ ।
କବିର କଳ୍ପନା ଭାବୁକ ଗାଥା
ତୋପାଇଁ ରଚିବ କେତେ କବିତା ।
ସମାଜକୁ ଦେଉ ନୂତନ ଶିକ୍ଷା
ସଂସ୍କାରି ବିବେକି ବୋହୂ ପରିକା
ଫେରିଆ ଲୋ ମୋ'ସାଧବ ବୋହୂ
ସବୁ ଜୀବ ପ୍ରତି ଆଦର ଥାଉ ।