Jayashree Maharana

Tragedy

3  

Jayashree Maharana

Tragedy

କୁନିର ଶେଷ ହସ

କୁନିର ଶେଷ ହସ

3 mins
240


   ସତର ଅଠର ବର୍ଷର ଝିଅଟି ସିନା ବୁଦ୍ଧି ବୁଦ୍ଧିରେ ଚାଳିଶି ବର୍ଷର ଅଭିଜ୍ଞ ଲୋକଠାରୁ ଟପିଯିବ ।ଆଉ ନାଁ ଟି ବି ସେମିତି କୁନି ।ପରକୁ ଆପଣାର କରିବାର କଳା ତାକୁ ଖୁବ ଜଣାଥିଲା ।ସେଥିପାଇଁ ବୋଧ ହୁଏ ତାକୁ ସମସ୍ତେ ନିଜର ମନେ କରୁଥିଲେ ।ପରିବାର କହିଲେ ବାପା ବୋଉ ଆଉ ଦୁଇ ଭଉଣୀ ଆଉ ଗୋଟିଏ ଭାଇ ।ରୋଗୀଣା ବାପାଙ୍କର ଚିକିତ୍ସା ଆଉ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ମୁଣ୍ଡାଇ କେମିତି କେଜାଣି ସେ ସବୁବେଳେ ହସିପାରୁଥିଲା !ପଚାରିଲେ କୁହେ ହସ ପରା ସବୁ ରୋଗର ମଲମ ।ଭଗବାନ ଯାହା ଦେଇଛନ୍ତି ତାହାକୁ ନେଇ ଏତେ ଅବଶୋଷ କାହିଁକି କରିବି ।ସେଥିପାଇଁ ଏ 'ସର୍ବୋଦୟ 'କଲୋନୀର ପ୍ରତିଟି ଘରେ ସେ ବେଶ ପରିଚିତ ।


  ଯେତେବେଳେ ପ୍ରଥମ କରି ମୁଁ ଏ କଲୋନୀକୁ ସ୍ୱାମୀଙ୍କ ସହ ଆସିଲି ମୋର ପ୍ରଥମ ଚିନ୍ତା ଥିଲା ଘର କାମ ପାଇଁ ।ସ୍ୱାମୀ ସ୍ତ୍ରୀ ଦୁହେଁ ଚାକିରିଆ ହେଲେ କେତେ ଯେ ଅସୁବିଧା ସେକଥା ଅନୁଭବୀ ହିଁ ଜାଣେ ।ତେଣୁ ପଡିଶା ଘର ମିଶ୍ର ଭାଉଜ ଏବଂ ପ୍ରଧାନ ମାଉସୀଙ୍କୁ ଯେତେବେଳେ କାମବାଲୀ କଥା ବୁଝିବାକୁ କହିଲି ସେତେବେଳେ ସେମାନେ ହସିଦେଇ କହିଥିଲେ କାଲିଠାରୁ ତୁମ କାମ ହେଇଯିବ ,ବ୍ୟସ୍ତ ହୁଅନା ।ମୁଁ ତ ଆଶ୍ଚର୍ଯ୍ୟ ହୋଇଗଲି ।କିଛି ପଚାରିବା ଆଗରୁ ମିଶ୍ର ଭାଉଜ କହିଲେ ଏ ସର୍ବୋଦୟ କଲୋନୀ ର ଏକମାତ୍ର ସାହାରା କୁନି ।କୁନି ସେ କିଏ ?ପ୍ରଶ୍ନ ଓତଃପ୍ରୋତ ପାଟିରୁ ବାହାରିଗଲା ।ପ୍ରଧାନ ମାଉସୀ ବୁଝାଇଦେଲେ ସେ ଛୋଟ ଝିଅଟିଏ ।ଘର କାମ କରିବାକୁ ଆସେ ।ପରଦିନ କଲିଂ ବେଲ ଶୁଣି ଦୁଆର ଖୋଲୁ ଖୋଲୁ ନଜର ଆସିଲା ଝିଅଟି ।କି ସୁନ୍ଦର ସେ! ବହୁତ ଗୋରୀ ନ ହେଲେ ବି ଶ୍ୟାମଳ ବି ନୁହେଁ ।ହସି ହସି ପ୍ରଣାମ କରି କୁନି ବୋଲି ପରିଚୟ ଦେଲା ।ବାସ ସେଦିନଠାରୁ ଘର କାମରେ କେବେ ଖିଲାପ ହେଇନି ।ଅଳ୍ପ ଦିନ ମଧ୍ୟରେ ସେ ଅତି ଆପଣାର ହୋଇସାରିଥିଲା ।


  କଲୋନୀ ସାରା ଲୋକ ତାକୁ କେବେ କାମବାଲୀ ବୋଲି ଭାବୁନଥିଲେ ।ଯିଏ ଯାହା ଟଙ୍କା ଦେଉଥିଲେ ଖୁସିରେ ନେଉଥିଲା ।ପାଖ ବସ୍ତିରେ ଘର ।ସମସ୍ତେ ଖୁସିରେ ବଳକା ଖାଦ୍ୟ ,କପଡା ଦେଉଥିଲେ ।ହସିକରି ନେଇଯାଉଥିଲା ।ଦୀର୍ଘ ପାଞ୍ଚ ବର୍ଷ ହେବ ସେ ଏ କଲୋନୀ ସାରା କାମ କରିଆସୁଅଛି ।କାହାରି କେବେ କିଛି ଅଭିଯୋଗ ନାହିଁ ।ବରାଦ ଆଗରୁ ମନ ବୁଝିଲା ପରି କାମ କରିଯାଏ ।ତଥାପି କେବେ ଥକ୍କା ପଣ ତା ମୁହଁ ରେ ଦେଖିନି ।ସକାଳ ସଞ୍ଜ ବ୍ୟତୀତ ଅନ୍ୟ ସମୟରେ କଣ କରୁ ବୋଲି ପ୍ରଶ୍ନ କରିଥିଲି ଆଉ ଏତେ କମ ବୟସରୁ କାମ କରୁଚୁ କାହିଁକି ଥରେ ପଚାରିଥିଲି ।ହସିଦେଇ କହିଲା ଦେଇ ଖରାବେଳେ ମୁଁ ପାଠ ପଢେ ଜଣେ ଶିକ୍ଷୟିତ୍ରୀ ହେବା ମୋର ଲକ୍ଷ୍ୟ ।ସପ୍ତମ ଶ୍ରେଣୀରୁ ପଢ଼ା ଛାଡି ଦେଇଥିଲି ।ଏଇ କଲୋନୀର ସାମନ୍ତ ଆଜ୍ଞା ମୋର ପାଠପଢ଼ାର ବ୍ୟବସ୍ଥା କରିଦେଇଥିଲେ ।କାମ ସହ ପାଠ ପଢା ଆରମ୍ଭ କରିଛି ।ବାପା ଦିନମଜୁରିଆ ଥିଲେ ।ପାଞ୍ଚ ବର୍ଷ ହେବ କି ଅଜଣା ରୋଗ ହେଲା କେଜାଣି ଶେଯରେ ପଡିରହିଛନ୍ତି ।ଘରର ବଡ଼ ଝିଅ ହୋଇ ଘର ଦାୟିତ୍ୱ ନେବିନାହିଁ କେମିତି କହିଲେ ।ମାଆ ବୁଝାବୁଝି କରି ଏଇଠି କାମ କରୁଛି ।ମାଆ ବି କାମ କରେ ।ଭାଇଭଉଣୀ କୁ ପଢାଇ ମଣିଷ କରିବ ବୋଲି ଏତେ ପରିଶ୍ରମ କରୁଛି ।ସମସ୍ତଙ୍କ ସ୍ନେହଶ୍ରଦ୍ଧାରେ ଏମିତି ସୁଖରେ କଟିଯାଉଛି ଦିନ । ମୋର ଖୁସିର ସୀମା ରହିଲା ନାହିଁ ।ବସ୍ତିର ଝିଅ ଟି ହୋଇ ଏତେ ଉତ୍ସାହ ଏତେ ଉନ୍ନତ ଚିନ୍ତାଧାରା ଦେଖି ମନେ ମନେ ଭାବୁଥିଲି ଦେଶର ଭବିଷ୍ୟତ ଉଜ୍ଜ୍ୱଳ ନିଶ୍ଚୟ ।କିନ୍ତୁ ତୁ ତ ପିଲାଙ୍କୁ ପଢ଼ାଇ ପାରନ୍ତୁ ।କହିଲା, ଦେଇ ତୁମେ କୁହ ,ଯେଉଁମାନେ ମୋତେ ନୂଆ ଦିଗ ଦେଇ ସ୍ନେହଶ୍ରଦ୍ଧା ଦେଇ 

ମୋ ଜୀବନରେ ଖୁସି ଭରିଛନ୍ତି ମୁଁ ସେମାନଙ୍କୁ ପର ଭାବେନାହିଁ ।ନିଜର ଭାବି କାମ କରୁଛି ସେମାନେ ତ ମୋତେ ନିଜର ଭାବନ୍ତି ନା ।ହଁ ଦେଇ ଏଇ ବର୍ଷ ମୋର ଦଶମ ଶ୍ରେଣୀ ସରିଗଲେ ମୁଁ କାମ ବାଦ ଟ୍ୟୁସନ କରିବି ଆଉ ପଢ଼ିବି ।କୁନିର ବିଶାଳ ଚିନ୍ତାଧାରା ଆଗରେ ମୁଁ ନତମସ୍ତକ ହୋଇଯାଇଥିଲି ।ତା ପ୍ରତି ସ୍ନେହଶ୍ରଦ୍ଧା ଏଣିକି ବଢିଯାଇଥିଲା ।


  ସେଦିନ ଦଶମ ଶ୍ରେଣୀର ଗୋଟିଏ ଟେଷ୍ଟପେପର ଆଉ ୨ହଳ ଡ୍ରେସ ସହ ସାନ ଭାଇଭଉଣୀଙ୍କ ପାଇଁ କିଛି ଖାତାପତ୍ର ଦେବାରୁ ଖୁସିରେ ଗ୍ରହଣ କରିନେଲା ।ତା ଓଠରେ ଖେଳିଯାଇଥିଲା ହସ ।

ସେଇ ବୋଧେ ଥିଲା କୁନି ର ଶେଷ ହସ ।



ପରଦିନ କାମକୁ ଆସିବା ବାଟରେ କେଉଁ ଅପହରଣକାରୀ ଦ୍ୱାରା ଅପହୃତ ହୋଇସାରିଥିଲା କୁନି ।କଲୋନୀ ସାରା ଖେଳିଯାଇଥିଲା ବିଷାଦର ଛାଇ ।ପୋଲିସର ଛାନଭିନ ଭିତରେ ଶେଷରେ ମିଳିଥିଲା କୁନିର ଶରୀରଟି ।ଶରୀର ସାରା କ୍ଷତ ।ପୋଷାକ ସାରା ରକ୍ତର ଛିଟା ।କ୍ଷଣିଏ ପାଇଁ ଭୟରେ ଶିହରି ଉଠିଥିଲା ଶରୀର ।ଅଜାଣତରେ ବୋହିଯାଇଥିଲା ଲୁହଧାର ଆଖିର ବନ୍ଧ ଡେଇଁ ।ବୁଝିବାକୁ ବାକି ନଥିଲା କେଉଁ ଏକ ରାକ୍ଷସର କାମନା ଅଗ୍ନିରେ ଜଳି ସରିଥିଲା କୁନି ।ପଡିରହିଥିଲା ନିସ୍ତେଜ ଶରୀର ।ନାଁ ଥିଲା ସେ କଥା କୁହା ଆଖିର ମାଦକତା ନା ଥିଲା ଓଠରେ ହସ ।


  ଦୀର୍ଘ ପନ୍ଦର ବର୍ଷ ପରେ ମଧ୍ୟ ମନେପଡେ କୁନିର ସେଇ ହସ ହସ ମୁହଁ ।ସେଦିନର ସେଇ ହସ ଧାରେ ସ୍ମୃତି ହୋଇରହିଯାଇଛି ମୋର ଆଖି ଆଗରେ ।କୁନି କୁ ଭୁଲିପାରିନାହିଁ ମୁଁ ଆଉ ମୋର ବିଶ୍ୱାସ ସର୍ବୋଦୟ କଲୋନୀରେ ସେସମୟର ସମସ୍ତ ନିବାସୀମାନେ ମଧ୍ୟ ଭୁଲିନଥିବେ କୁନି କୁ ଆଉ ତାହାର ସେ ହସକୁ ।ଆଜି ବି ଅନେକ ଦୁଃଖ ଲାଗେ ସମାଜରେ ଝିଅଟିଏ ର ଅବସ୍ଥା ଭାବିବା ବେଳକୁ ।ଯେଉଁ ନାରୀ ସଂସାରର ପାଳନ ପାଇଁ ନିଜକୁ କଷ୍ଟ ଦେଇ ସୃଷ୍ଟି କରେ ନୂତନ ଜୀବନକୁ ସେଇ ନାରୀ ପୁଣି ପୁରୁଷର କାମୁକ ନଜରରେ ପାଲଟି ଯାଏ ବସ୍ତୁ ।ଅଦରକାରୀ ହୋଇଯାଏ ତାହାର ଜୀବନ ।ହରାଇବାକୁ ପଡେ ଶେଷ ନିଃଶ୍ୱାସ ରାକ୍ଷସର ଆକ୍ରମଣରେ ।କିଛି କ୍ଷଣ ଈଶ୍ୱରଙ୍କ ନିକଟରେ ଅଭିଯୋଗକାରିଣୀ ପାଲଟିଯାଏ ମୁଁ ।ଆଉ ସେ ସମୟରେ ମୋର ଚାରିପାଖରେ କୁନିର ଶେଷ ହସ ଗୁଞ୍ଜରିତ ହୋଇଉଠେ ।ମୁଁ ଚାଲିଯାଏ ଅତୀତକୁ କିଛି ସମୟ ପାଇଁ ।ପ୍ରକୃତିସ୍ଥ ହୋଇ ପୁଣି ଆଗେଇଚାଲେ ମୋର କାମରେ ।କିନ୍ତୁ ପ୍ରଶ୍ନ ସେମିତି ରହିଯାଏ ଅସମାହିତ ହୋଇ ।   


Rate this content
Log in

Similar oriya story from Tragedy