କୁନି ପୁଅ ପାଇଁ
କୁନି ପୁଅ ପାଇଁ
ଆଇଡିଆ ବାକ୍ସଥିମ୍ : କୁନି ପୁଅ ପାଇଁ।
ବିବେକ ବାବୁଙ୍କର ପାଖାପାଖି ଷାଠିଏ ବର୍ଷ ହେବ। ଧନ ସମ୍ପତ୍ତିର ଅଭାବ ନାହିଁ। ତାଙ୍କ ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ ଗୀତା, ପୁଅ ରହନ ଓ ବୋହୂ ରିମା । ଅପର୍ଯ୍ୟାପ୍ତ ଧନ ସ୍ବତ୍ତେ ବିବେକ ବାବୁଙ୍କ ପରିବାରରେ ଅଭାବ ରହିଛି। ସେ ଅଭାବ ଆଉ କିଛି ନୁହେଁ ସେ ହେଉଛି ବଂଶର କୁଳନନ୍ଦନ। ପୁଅ ବୋହୂ ବିବାହର ୪ ବର୍ଷ ହୋଇ ଗଲାଣି ହେଲେ ଏ ଯାଏଁ ସନ୍ତାନର କୁଆଁ କୁଆଁ ଶବ୍ଦ ଶୁଭୁ ନାହିଁ। କେତେ ଦାନ ଧର୍ମ କଲେଣି ହେଲେ ଠାକୁର ଶୁଣୁ ନାହାନ୍ତି। ଦୁଇ ଦୁଇ ଥର ଗର୍ଭ ନଷ୍ଟ ଆପେ ଆପେ ହୋଇ ଯାଇଛି ରିମାଙ୍କର । ଘରେ ଗୋଟିଏ କୁନି ପୁଅ ପାଇଁ ଆଖି ଝଲସି ଗଲାଣି।
ଆଉ ଥରେ ରିମା ଗର୍ଭ ଧାରଣ କରିଛନ୍ତି।ଗୀତା ଓ ବିବେକ ଏବେ ପୂଜାର୍ଚ୍ଚନା ଆଉ ଦାନ ଧର୍ମରେ ଲାଗି ପଡ଼ିଛନ୍ତି। ସବୁବେଳେ ଗୋଟିଏ ପ୍ରାର୍ଥନା ଯେ ତାଙ୍କ କର୍ମଫଳ ପାଇଁ ଆଉ ତାଙ୍କ ବଂଶର ଦୀପ ନ ଲିଭୁ।
ଇତି ମଧ୍ୟରେ ରିମାଙ୍କର ନଅ ମାସର ଗର୍ଭ ହୋଇ ଗଲାଣି। ଗର୍ଭାଶୟ ଛୋଟ ଥିବାରୁ ପିଲା ଠିକରେ ବଢି ନ ପାରି ନଷ୍ଟ ହୋଇଯାଏ।ଏଥର ତେଣୁ ରିମା ପୁରା ସାବଧାନରେ ରହୁଛନ୍ତି। ପ୍ରସବ ସମୟ ଆସିଗଲାଣି..... ଅନେକ ଯନ୍ତ୍ରଣା ପାଇଲେ। ହେଲେ ଏ ଥର ବି ସମାନ ଫଳ । ପୁତ୍ର ସନ୍ତାନଟିଏ ଜନ୍ମ ହୋଇ ଆଖି ବନ୍ଦ କଲା।
ବିବେକ ବାବୁଙ୍କର ଘରେ ଦୁଃଖର ସାଗର।ନିଜର କୃତ କର୍ମ ପାଇଁ ଆଜି ଲଜ୍ଜିତ ଓ ଦୁଃଖି। ପଶ୍ଚତାପ ଛଡ଼ା ଆଉ କିଛି କରିବା ଉପାୟ ନାହିଁ। ରାତିରେ ସ୍ତ୍ରୀ ଗୀତାଙ୍କୁ କହୁଥାଆନ୍ତି ଆମେ ଏଲି ସହ ଯାହା କରିଛୁ କିଛି ଭଲ କରି ନାହୁଁ।ଆଜି ତାର କର୍ମଫଳ ପାଉଛୁ।
ରହନ ରିମା ପାଇଁ ପାଣି ନେଇ ଯାଉ ଥିଲେ।ଏଲିର ନାମ ଶୁଣି ଚମକି ଗଲେ। ବାପା ମାଆ ଏଲି ସହ ଏମିତି କଣ କଲେ ? କାହିଁକି ସେମାନେ ପଶ୍ଚତାପ କରୁଛନ୍ତି? ସେ ଛଳନାମୟୀ ସ୍ତ୍ରୀ ଲୋକ ପାଇଁ ଏମିତି କଣ ପାଇଁ କହୁଛନ୍ତି ? ରାତି ହେଲାଣି ଆସନ୍ତା କାଲି ପଚାରିବି ଏ ବିଷୟରେ ଭାବି ରହନ ରିମାଙ୍କ ପାଖକୁ ଗଲେ।
ରିମା ଭିତରୁ ଭାଙ୍ଗି ଯାଇଥିଲେ । ତିନି ଥର ମାଆ ହେବା ସଭାଗ୍ୟରୁ ବଞ୍ଚିତ ହେଲେ।ଆଖିରୁ ଲୁହ ବହି ଯାଉ ଥାଏ। ରହନ ଆସି ରିମାକୁ କୁଣ୍ଢେଇ ଜାବୁଡ଼ି ଧରିଲେ। ରିତା କଣ ପାଇଁ ମୋତେ ଏତେ ବଡ଼ ଶାସ୍ତି ଦେଉଛନ୍ତି ଭଗବାନ। ମୁଁ ମୋ ସନ୍ତାନ ଟିଏ ପାଇଁ ତ୍ରାହି ଯାଉଛି।
ରହନ ବ୍ୟସ୍ତ ହୁଅ ନାହିଁ। ଆମେ ବଡ଼ ଡାକ୍ତର ପାଖକୁ ଯିବା।ଭଲ ଭାବରେ ଚିକିତ୍ସା କରାଇବା। ଦରକାର ପଡିଲେ ମୁମ୍ବାଇ ଦିଲ୍ଲୀ ଯାଇ ଡାକ୍ତର ଦେଖାଇବା।
ଏମିତି ରହନ ରିମାଙ୍କୁ ବୁଝାଉ ଥାଆନ୍ତି।ରିମା ରହନଙ୍କ ହାତରେ ମୁଣ୍ଡ ଦେଇ ଶୋଇ ପଡି ଥାଆନ୍ତି।ତାପରେ ରହନ ଅତୀତର ଭାବନା ରାଇଜରେ ବୁଡି ଗଲେ। ରିମା ଓ ରହନ ଏକା ସାଙ୍ଗରେ ପାଠ ପଢୁ ଥିଲେ।ରିମା ବିବେକ ବାବୁଙ୍କର ସାଙ୍ଗ ନିଖିଳଙ୍କର ଝିଅ। ଛୋଟ ବେଳେ ଉଭୟଙ୍କର ବିବାହ ଠିକ ହୋଇ ଯାଇ ଥିଲା। ହେଲେ ଏ ବିଷୟରେ ରହନ କି ରିମାଙ୍କୁ ଜଣା ନ ଥାଏ।
ରହନ ହାଇସ୍କୁଲ ପରେ ପାଠ ପଢିବା ପାଇଁ କଟକ ଗଲେ। ସେଠାରେ ତାଙ୍କର ଏଲି ସହ ଦେଖା ହେଲା। ଏଲି ଗୋଟିଏ ଖ୍ରୀଷ୍ଟିଆନ ଝିଅ। ବାପା ମାଆ ଛୋଟ ବେଳୁ ନ ଥିଲେ। ଜେଜେମା ହିଁ ତାଙ୍କର ସବୁ ଥିଲେ। ସେ ରହନ ଠାରୁ ଗୋଟିଏ ଶ୍ରେଣୀ ତଳେ ପଢୁ ଥିଲେ। ଏଲି ଯେତେବେଳେ ପ୍ରଥମେ କଲେଜ ଗଲେ ସେତେବେଳେ ସିନିଅର କିଛି ତାଙ୍କୁ ରେଗିଙ୍ଗ କରୁ ଥିଲେ।ରହନ ସେତେବେଳେ ତାଙ୍କୁ ସେଠାରୁ ବଞ୍ଚାଇ ଥିଲେ।
ରହନ ଏଲିଙ୍କୁ ଦେଖି ଗୋଟିଏ ଅଦ୍ଭୁତ ପ୍ରକାର ଅନୁଭବ କଲେ। କଲେଜ ଲାଇବ୍ରେରୀ ରେ ଏଲି ପଢୁ ଥିବା ସମୟରେ ସେ ଏଲି ଙ୍କୁ ଦେଖି ମନେ ମନେ ଭାବୁ ଥାଆନ୍ତି ଝିଅଟି କେତେ ଧିର ଓ ଶାନ୍ତ।
ଏଲି ଅଭାବରେ ଚଳି ଆସିଛନ୍ତି। ତେଣୁ କେବେ ହେଲେ ଫାଲତୁ ଖର୍ଚ୍ଚ କରନ୍ତି ନାହିଁ।ପ୍ରତି ଶୁକ୍ରବାର ଦିନ ଚର୍ଚ୍ଚ ଯାଉଥିଲେ। ବହୁତ ସଂସ୍କାରୀ ଝିଅ ଭଳି ଲାଗୁ ଥିଲେ।
କଲେଜ କ୍ୟାମ୍ପରେ ଥରେ ରହନ, ଏଲି ଓ ବାକି ଛାତ୍ର ଛାତ୍ରୀମାନେ ଗୋଟିଏ ଜଙ୍ଗଲ କୁ ଯାଇଥିଲେ। ଜଙ୍ଗଲ ମଧ୍ୟରେ ଏଲି ଓ ରହନ ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ଗଲେ। ବର୍ଷା ଝଡ ତୋଫାନ ଆସିଲା। ଦୁହେଁ ରାସ୍ତା ଖୋଜୁ ଖୋଜୁ ହଠାତ ରହନ ଙ୍କ ଗୋଡ଼ରେ ଗୋଟିଏ ସାପ ଆସି ଦଂଶନ କଲା।
ଏଲି କିଛି ନ ପାଇ ନିଜ ଓଢ଼ଣୀ ଛିଡାଇ ରହନଙ୍କ ଗୋଡ଼ରେ ବାନ୍ଧି ଦେଲେ ଏବଂ ନିଜେ ପାଟି ମଧ୍ୟରେ ବିଷ ଟାଣି ଟାଣି କାଢି ଦେଲେ।
ରହନଙ୍କ ଚେତା ଆସିଲା ବେଳକୁ ସେ ଦେଖିଲେ ଯେ ସେମାନଙ୍କୁ ଜଙ୍ଗଲର ଆଦିବାସୀମାନେ ନେଇ ଯାଇଛନ୍ତି। ଆଦିବାସୀ ମାନେ କହିଲେ ରହନ ଓ ଏଲିଙ୍କୁ ଛାଡ଼ିବେ ଯଦି ସେମାନେ ପରସ୍ପରକୁ ବିବାହ କରିବେ। ନ ହେଲେ ସେ ଦୁହିଁଙ୍କୁ ମାରି ଦେବେ।
ପରିସ୍ଥିତିରେ ପଡି ଏଲି ଓ ରହନଙ୍କର ବିବାହ ହେଲା। ତାପରେ ଆଦିବାସୀମାନେ ସେ ଦୁହିଁଙ୍କୁ ନେଇ କ୍ୟାମ୍ପସରେ ଛାଡି ଦେଲେ। ଏ ଦୁହିଁଙ୍କର ବିବାହ ବିଷୟରେ କେହି ଜାଣିନଥିଲେ।
ତାପରେ କଲେଜକୁ ସମସ୍ତେ ଫେରି ଆସିଲେ। ହେଲେ ଇତି ମଧ୍ୟରେ ସେ ଦୁହେଁ ପରସ୍ପରକୁ ଭଲ ପାଇବାରେ ଲାଗିଲେ। ଆଉ ଏ ବିବାହକୁ ମନେ ମନେ ଗ୍ରହଣ କରିସାରିଥିଲେ।
ଇତି ମଧ୍ୟରେ କଲେଜକୁ ନୂଆ ଅଧ୍ୟାପକ ଆସିଲେ। ତାଙ୍କ ନାମ ଜୋନ ।ସେ ବି ଖ୍ରୀଷ୍ଟିଆନ।ସେ ଏଲି ଙ୍କୁ ଅନ୍ୟ ନଜରରେ ଦେଖୁ ଥିଲେ।ଏ କଥା ରହନଙ୍କୁ ଭଲ ଲାଗୁ ନ ଥିଲା।ଧିରେ ଧିରେ ଏଲି ଓ ରହନଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୋଇ ଗଲା। ଆଉ ସେମାନେ ତାଙ୍କର ସ୍ବାମୀ ସ୍ତ୍ରୀ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଚାହିଁଲେ। ଏଲି ଡିଗ୍ରୀ ପରେ କମ୍ପ୍ୟୁଟର ପିଜିଡିସିଏ ପଢିଲେ ଆଉ ରହନ ଏମବିଏ ପଢିଲେ।
ଏବେ ଆଉ ରହନ ଆଉ ଏଲି ଏକାଠି ଏଲିଙ୍କ ଘରେ ରହିଲେ।ଏଲି ବି ଜେଜେମାଙ୍କ ବିୟୋଗ ପରେ ଏକା ହୋଇଯାଇଥିଲେ।
ସେପଟେ ବିବେକ ବାବୁ ରିମା ଓ ରହନଙ୍କ ବିବାହ ଠିକ କରି ଦେଲେ। ଏ କଥା ଶୁଣି ରହନ ଗାଁ କୁ ଗଲେ ପ୍ରତିବାଦ କରିବା ପାଇଁ। ଘର ଲୋକଙ୍କୁ ସେ ଏଲି ଓ ତାଙ୍କ ସମ୍ପର୍କ ବିଷୟରେ କହି ଦେଲେ। ବିବେକ ବାବୁ କିନ୍ତୁ ଖ୍ରୀଷ୍ଟିଆନ ଝିଅକୁ ଘରର ବୋହୂ ରୂପେ ଗ୍ରହଣ କରିବାକୁ ଚାହୁଁ ନ ଥିଲେ। ତଥାପି ରହନଙ୍କୁ କିଛି ସମୟ ମାଗିଲେ।ରହନ ଗାଁ ରୁ ଯେତେବେଳେ ଫେରିଲେ ସେ ଘରେ ଜୋନ୍ ଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ।ତାପରେ ଏଲି କହିଲେ ଯେ ଜୋନ ତାଙ୍କୁ ତାଙ୍କ କୋଚିଂ ସେଣ୍ଟରରେ ଚାକିରୀ କରିବା ପାଇଁ କହୁଛନ୍ତି। ହେଲେ ରହନ ସିଧା ମନା କରି ଦେଲେ। କିଛି ଦିନ ମଧ୍ୟରେ ରହନ ଦେଖିଲେ ଯେ ଜୋନ ଓ ଏଲି ପରସ୍ପରକୁ ବାରମ୍ବାର ଦେଖା କରୁଛନ୍ତି।ଏ କଥା ରହନଙ୍କ ମନରେ ଏଲିଙ୍କ ପ୍ରତି ସନ୍ଦେହ ଆଣିଲା।
ହଠାତ ଦିନେ ବିବେକ ବାବୁଙ୍କ ଦେହ ଭଲ ନାହିଁ ଶୁଣି ରହନ ଘରକୁ ଆସିଲେ। ତାପରେ ସେ ଭୋର ଭୋର ବାହାରି ସହରକୁ ଗଲେ। ଘରକୁ ଯାଇ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ଗଲେ।ଜୋନ ରାତିରେ ତାଙ୍କ ଘରେ ଥିଲେ।ଆଉ ତାଙ୍କ ପୋଷାକ ପିନ୍ଧି ବସିଛନ୍ତି। ରାତିରେ ଏଲି ଓ ଜୋନ ଭିତରେ କ'ଣ ହୋଇଛି କାହାକୁ ବା ଜଣା ? ରହନ ଆଉ ସହି ପାରିଲେ ନାହିଁ ଆଉ ଏଲିଙ୍କୁ ଅନେକ କଟୁ ତିକ୍ତ କଥା କହି ସେଠାରୁ ଚାଲି ଆସିଲେ।ଆଉ ତାପରେ ଦିନେ ସେ ଶୁଣିବାକୁ ପାଇଲେ ଯେ ଏଲି ମାଆ ହେବାକୁ ଯାଉଛନ୍ତି।ଜୋନ ବି ଆସି ମାନିଲେ ଯେ ସେ ଛୁଆ ତାଙ୍କର। ହେଲେ ଏଲି ଆଉ ଘୁରି ଆସିଲେ ନାହିଁ କି ଥରେ ବି ଆଉ ରହନଙ୍କ ସହ ଦେଖା କଲେ ନାହିଁ। ରହନ ମଧ୍ୟ ରାଗି ଯାଇ ରିମାଙ୍କୁ ବିବାହ କଲେ।
ଏମିତି ଭାବୁ ଭାବୁ ସକାଳ ପାଇଗଲା ରହନଙ୍କର।
ସକାଳ ହେବାରୁ ରହନ ଯାଇ ବାପା ମାଆଙ୍କୁ ରାଣ ନିୟମ ଦେଇ ପଚାରିଲେ ଏଲି ସହ କଣ କରି ଥିଲେ ସେମାନେ। ଶେଷରେ ବିବେକ ବାବୁ ସବୁ ସତ କଥା କହିଲେ ଯେ ସେଦିନ ନିଖିଳ ଯୋଜନା କରି ଜୋନ୍ କୁ ଏଲିଙ୍କ ପାଖକୁ ଚାକିରୀ ପାଇଁ ପଠାଇଲେ।ତାପରେ ଯୋଜନା ମୁତାବକ ରହନଙ୍କୁ ଗାଁ କୁ ତାଙ୍କ ଦେହ ଖରାପ କହି ଗାଁ କୁ ଡାକିଲେ।ଆଉ ଜୋନ ବର୍ଷା ରାତିରେ ଗାଡ଼ି ଖରାପ କହି ଓଦା ହୋଇ ଏଲି ଙ୍କ ଘରକୁ ଯାଇ ଥିଲେ ଆଉ ରାତି ଆଶ୍ରୟ ନେଲେ। ହେଲେ ରହନ ଏତେ ବଡ଼ ଦୋଷ ଆରୋପ କରିବାରୁ ଏଲି ରାଗି ଅଟକାଇଲେ ନାହିଁ।ତାପରେ ଏଲି ଯେତେବେଳେ ଜାଣିଲେ ସେ ରହନଙ୍କ ଛୁଆର ମାଆ ହେବା ପାଇଁ ଯାଉଛନ୍ତି ସେ ରହନଙ୍କ ଫୋନକୁ କଲ୍ କରିଥିଲେ ହେଲେ ବିବେକ ବାବୁ ମିଛରେ କହିଲେ ଯେ ରହନ ରିମାକୁ ବିବାହ କରି ସାରିଛନ୍ତି।ଏଲିଙ୍କ ଗୋଟିଏ ପୁତ୍ର ସନ୍ତାନ ହେଲା। ନିଜ କୁନି ପୁଅର ଅଧିକାର ପାଇଁ ସେ ଛୁଆକୁ ନେଇ ଘରକୁ ଆସିଥିଲେ ହେଲେ ରହନ ସେତେବେଳେ ଘରେ ନଥିଲେ।ବିବେକ ବାବୁ ଓ ନିଖିଳ ବହୁତ କଟୁ କଥା କହି ତାକୁ ଘରୁ ବାହାର କରି ଦେଲେ।ତାପରେ ଶୁଣିବା ପାଇଁ ପାଇଲେ ଗୋଟିଏ ଟ୍ରକ ଦୁର୍ଘଟଣାରେ ଏଲି ଓ ତାଙ୍କ ଛୁଆ ଚାଲିଗଲେ।ଆଉ ଆଜି ଏହି ପାପର ଫଳ ତାଙ୍କ ପରିବାର ପାଉଛି।ରହନ ଭୋ ଭୋ ହୋଇ କାନ୍ଦୁଥାନ୍ତି ଆଉ ଏଲିଙ୍କୁ ମନେ ମନେ କ୍ଷମା ମାଗୁ ଥାଆନ୍ତି ଆଉ ନିଜକୁ ଧିକ୍କାର କରୁଥାଆନ୍ତି।
ଏ କଥା ରିମା ଶୁଣୁଛନ୍ତି ବୋଲି କେହି ଜାଣି ନ ଥିଲେ।ରିମା ଫୋନକରି ତାଙ୍କ ବାପା ନିଖିଳଙ୍କୁ ଘରକୁ ଡ଼ାକି ଶଶୁର ଓ ବାପାଙ୍କୁ ଧିକ୍କାର କରି କହିଲେ ତୁମ ଦୁଇ ଜଣଙ୍କର ଏ କୁକର୍ମ ପାଇଁ ମୁଁ ଆଜି ନିଃସନ୍ତାନ ହୋଇ ରହିଲି। ନିଖିଳ ଶେଷରେ କହିଲେ ଏଲି ସେଦିନ ଦୁର୍ଘଟଣାରେ ମରିଗଲା ହେଲେ ତା ଛୁଆ ରାସ୍ତାର ଡସ୍ତପିନ ପାଖରେ ପଡ଼ିଥିଲା।ତା ବେକରେ ଏଲି ଓ ରହନର ଫୋଟୋ ବଲା ଲକେଟ୍ ଥିଲା। ମୁଁ ରହନର ଫୋଟୋ କାଢି ଦେଲି।ତାକୁ ପାଖରେ ଥିବା ଅନାଥ ଆଶ୍ରମ ନେଇଯାଇଛି।ଏବେ ବି ସେ ଛୁଆ ଅନାଥ ଆଶ୍ରମରେ ଅଛି।ତାର ନାମ ନିହାର ।
ଏ କଥା ଶୁଣି ରହନଙ୍କ ପୁରା ପରିବାର ତାଙ୍କର କୁନି ପୁଅଟେ ପାଇଁ ଅନାଥ ଆଶ୍ରମ ଗଲେ ଏବଂ ଡିଏନଏ ଟେଷ୍ଟ କରାଇ ରହନ ନିଜ ଛୁଆ ବୋଲି ପ୍ରମାଣିତ କରି ନିହାରକୁ ଘରକୁ ନେଇ ଆସିଲେ। ସମସ୍ତେ ଏଲିଙ୍କ ଆତ୍ମାକୁ ମନେ ମନେ କ୍ଷମା ମାଗିଲେ।କୁନି ପୁଅ ନିହାର ପାଇଁ ଆଜି ଘର ହସ ଖୁସିରେ ଭରି ଗଲା। ସେ ପରିବାରକୁ ଈଶ୍ୱରଙ୍କ ଆଶୀର୍ବାଦ ମଧ୍ୟ ମିଳି ଗଲା। ନିହାର ଆସିବାର ଦେଢ଼ ବର୍ଷ ମଧ୍ୟରେ ରିମା ଗୋଟିଏ ଶିଶୁ କନ୍ୟାର ମାଆ ହେଲେ ଆଉ ତାର ନାମ ନିହାରିକା ଦେଲେ।ଏବେ ରହନ ନିଜ ପରିବାର ସହ ଖୁସିରେ ଥିଲେ ସତ ହେଲେ ଏଲିଙ୍କ ପ୍ରତି କରି ଥିବା ବ୍ୟବହାର ପାଇଁ ମନେ ମନେ ଅନୁତାପ କରୁ ଥାଆନ୍ତି ଆଉ ଏଲିଙ୍କୁ ଝୁରି ହେଉ ଥାଆନ୍ତି।
