କୁଳାଙ୍ଗାର
କୁଳାଙ୍ଗାର
ଘର ଭିତରକୁ ପଶି ଆସି ଦେଖିଲି ତା' ପାଇଁ ଭାତ ବଢ଼ା ସରିଛି, ଆଉ ବାବୁ ଆମର ଖାଇବାର ଉପକ୍ରମ କରୁଛନ୍ତି । ମମତାମୟୀ ମା' ମାନେ ମୋ ସ୍ତ୍ରୀ ତା' ପାଖରେ ବସି ବିଞ୍ଚଣା ହଲଉଛନ୍ତି । ମୋ ମୁଣ୍ଡକୁ ଯେମିତି ପିତ୍ତ ଚଢ଼ିଗଲା । ଗର୍ଜି ଉଠିଲି ସ୍ତ୍ରୀ ଉପରେ -"ତାକୁ ଘରେ ପୁରାଇବାକୁ ତମକୁ ମନା କରିଥିଲି ନା ? ତାର ଖାଇବା ପିଇବା ସବୁ ବନ୍ଦ କରିବାକୁ କହିଥିଲି ନା ? କାହାଠୁ ଅନୁମତି ନେଇ ଭାତ ବାଢ଼ିଦେଲ ?"
-"ମଲା, କାହାଠୁ ଅନୁମତି କାହିଁକି ନେବି ? ପିଲାଟା କଣ ଓପାସ ରହିଥାନ୍ତା ? ତୁ ଖାଇଲୁ ଧନ, ତାଙ୍କ କଥାକୁ ଜମା କାନ ଦେନା ।" ସ୍ତ୍ରୀ ପୁଣି ବିଞ୍ଚଣା ହଲେଇବାକୁ ଲାଗିଲେ ।
-" ହଁ ଖୁଆ, ଭଲ କରି ଖୁଆ, ଛ' ତିଅଣ , ନ' ଭଜା କରି ଖୁଆ । ତମ ହାତରୁ ଯାଉଛି ଯେ ତମେ ଜାଣିବ ? ବାପା ହୋଟେଲ ତ ପଡିଛି , ଆଉ ଚିନ୍ତା କଣ ?"
-"କାଇଁ ସବୁବେଳେ ଗାରୁ ଗାରୁ ହଉଛ କହିଲ ? ପିଲାଟାକୁ କଣ ମୁଁ ବାପଘରୁ ନେଇ ଆସିଥିଲି ? ଯୋଉଥିପାଇଁ ସେ ତମ ଉପରେ ବୋଝ ହେଇ ଯାଇଛି ?"
-"ନାଇଁ ବୋଝ କାହିଁକି ହବ ? ସବୁ ତମରି ନାଟ । ତମରି ମୁହଁ ପାଇ ସେ ଫୁଲା ଫାଙ୍କିଆ ହେଇ ବୁଲୁଛି,ତାରି ବୟସର ପିଲାଙ୍କୁ ଦେଖ, ରୋଜଗାର କରି ଘର ଚଳେଇଲେଣି । ସେ ବିଶ୍ୱାଳ ବାବୁ, ଯିଏ ମୋ ସହକର୍ମୀ ଥିଲେ,ଆଉ ମୁଁ ରିଟାୟାର୍ଡ଼ ହେବାର ଦୁଇ ମାସ ପୂର୍ବରୁ ରିଟାୟାର୍ଡ଼ କରିଥିଲେ, ତାଙ୍କ ପୁଅ ୟାରି ସାଙ୍ଗରେ ପଢୁଥିଲା । ମାଟ୍ରିକ କଷ୍ଟେ ମଷ୍ଟେ ପାସ କରି ସଂସ୍କୃତ ଟୋଲରେ ନାଁ ଲେଖାଇ +୨ ପାସ କଲା । ତା ପରେ କୋଉ ଗୋଟେ ଅନାମଧ୍ୟେୟ କଲେଜରେ +୩ ପାସ କଲା । ହେଲେ ଦେଖିବ ଯାଅ, ସେ ଏବେ ଚାକିରୀ କରି ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଦିଲ୍ଲୀରେ ଅଛି । ହେଲେ ଏଇଟା ??? ପାଠ ପଢା ପାଇଁ ଅଜସ୍ର ପଇସା ଖର୍ଚ୍ଚ କରିଛି । ଆଶା ଥିଲା, ମୋ ବୁଢା ବୟସରେ ଏ ମୋର ସାହାରା ହେବ । ଏ ସାହାରା କଣ ହେବ, ଓଲଟି ମୋ ପାଇଁ ବୋଝ ପାଲଟିଛି... ବୋଝ । କୁଳାଙ୍ଗାର କୋଉଠିକାର, ସବୁ ମୋରି କପାଳ, ବଂଶ ନାଶ ବେଳେ ଏମିତି ଘୋଡା ମୁହାଁ ପୁଅ ଜନ୍ମ ହୁଅନ୍ତି ।"
ମନର କ୍ରୋଧକୁ ପ୍ରଶମିତ କରି ମୋ ଶୋଇବା ଘର ଆଡେ ଚାଲିଲି । ତା ପର ଦିନ ସକାଳୁ ସ୍ତ୍ରୀଙ୍କ ଡାକରେ ମୋ ନିଦ ଭାଙ୍ଗିଗଲା ।ମୁଁ ଆଖି ଖୋଲି ଚାହିଁଲି । ସ୍ତ୍ରୀ ଟିକେ ବିବ୍ରତ ଥିବା ପରି ଜଣା ପଡୁଥିଲେ । କଣ ହେଇଛି ପଚାରିବାରୁ, ସ୍ତ୍ରୀ କହିଲେ-
"ଚାରିଆଡେ ଖୋଜି ସାରିଲିଣି । ତା' ସାଙ୍ଗ ମାନଙ୍କୁ ବି ପଚାରି ସାରିଲିଣି, ହେଲେ ତାକୁ କୋଉଠି ପାଉନି ।"
-"ତମେ କାହା କଥା କହୁଛ ?"
-"ଆମ ଅଜୁ କୁଆଡେ ଚାଲି ଯାଇଛି । ତା' ଟେବୁଲ ଉପରୁ ଏ କାଗଜ ଖଣ୍ଡେ ଥୁଆ ହେଇଥିଲା । ଦେଖିଲ କ'ଣ ଏଇଟା ।"
ସ୍ତ୍ରୀଙ୍କ ହାତରୁ କାଗଜ ଖଣ୍ଡିକ ନେଇ ପଢିବାରେ ଲାଗିଲି । ସେଇଟା ଅଜୁ ଲେଖିଥିଲା । ସେ ଘର ଛାଡି ଚାଲି ଯାଇଛି । ଲେଖିଥିଲା, ଯେଉଁଦିନ ରୋଜଗାର କ୍ଷମ ହେବ, ସେଇଦିନ ସେ ଘରକୁ ଫେରିବ । ଚିଠିଟି ସ୍ତ୍ରୀଙ୍କୁ ପଢି ଶୁଣାଇ ଦେଲି । ସ୍ତ୍ରୀ ଖୁବ କନ୍ଦାକଟା କଲେ । ମତେ ଦୋଷ ଦେଇ କହିଲେ ଯଦି କାଲି ମୁଁ ତା' ଉପରେ ବିଗିଡି ନଥାନ୍ତି, ତେବେ ସେ କେବେ ଏ ଘର ଛାଡି ଯାଇ ନଥାନ୍ତା । ମୁଁ ସ୍ତ୍ରୀଙ୍କୁ ସାନ୍ତ୍ୱନା ଦେଲି । କହିଲି ଅଜୁ ଆମର ଛୋଟ ପିଲା ନୁହେଁ । ସେ ଯାଇଛି, ଆଉ ନିଶ୍ଚୟ ଆମ ପାଖକୁ ଫେରି ଆସିବ ।
ଦୁଇ ମାସ ପରେ ଅଜୁର ଚିଠି ଆସିଲା । ସେ ହାଇଦ୍ରାବାଦରେ ଅଛି । ଗୋଟିଏ ପ୍ରାଇଭେଟ କମ୍ପାନୀରେ କାମ କରୁଛି । ସେ ଗଲା ଦିନଠୁ ସ୍ତ୍ରୀଙ୍କ ମନ ଭଲ ରହୁନଥିଲା । କେତେ ଥର ତାକୁ ଖୋଜିବା ପାଇଁ ଚେଷ୍ଟା କରିଥିଲି, ହେଲେ କିଛି ବି ଲାଭ ହେଇନଥିଲା । ଆଜି ତାର ଚିଠି ପାଇବା ପରେ ସ୍ତ୍ରୀଙ୍କ ପିଣ୍ଡରେ ପ୍ରାଣ ଭରିଗଲା ଆଉ ମୋ ମନରେ କିଛିଟା ଖୁସି ।
ସେଦିନ ସନ୍ଧ୍ୟାରେ ବିଶ୍ୱାଳ ବାବୁଙ୍କ ସହ ଭେଟ ହେଇଗଲା । ତାଙ୍କ ମୁହଁ ବିଷର୍ଣ୍ଣ ଦିଶୁଥିଲା । କଣ ହେଇଛି ବୋଲି ପଚାରିବାରୁ ସେ କହିଲେ-"ସ୍ତ୍ରୀ ଙ୍କ ଦେହ ଭଲ ରହୁନି, ସେଥିପାଇଁ ମନ ଖରାପ ।"
-"ଡାକ୍ତର ଦେଖାଉନାହାନ୍ତି ।"
-"ଅନେକ ଡାକ୍ତର ଦେଖେଇଲିଣି, ହେଲେ ସବୁ ବେକାର ।"
-"ଆପଣଙ୍କ ପୁଅ ପରା ଦିଲ୍ଲୀରେ ଅଛି ? ତାକୁ କହୁନାହାନ୍ତି ମା'କୁ ଦିଲ୍ଲୀ ନେଇ ସେଠାରେ ଭଲ ଡାକ୍ତର ଦେଖାଇବ ?"
ପୁଅ କଥା ଶୁଣି ବିଶ୍ୱାଳ ବାବୁଙ୍କ ମୁହଁଟା ଆହୁରି ବିବର୍ଣ୍ଣ ଦେଖାଗଲା ।
-" ହୁଁ ..ପୁଅ..ମାଆର ଦେହ ଖରାପ ବୋଲି ଗତ ସପ୍ତାହରେ ଟେଲିଫୋନ କରିଥିଲି, ହେଲେ ସେ ଆସି ପାରିବନି ବୋଲି କହିଲା କାହିଁକି ନା ସେ ଆଉ ତା: ସ୍ତ୍ରୀ ଫରେନ ଟୁରରେ ବାହାରିଛନ୍ତି । ବୁଝିଲେ ମଣ୍ଡଳ ବାବୁ ଆଜିକାଲି ପୁଅ ଜନ୍ମ କରିବାଟା ପାପ । ସାରା ଜୀବନ ନିଜ ଅର୍ଜିତ ଧନକୁ ତାଙ୍କ ପିଛା ଖର୍ଚ୍ଚ କରି ଚାଲିବ, ଆଉ ଅସୁଲ କଲା ବେଳ ଆସିଲେ ସେ ତମକୁ ପିଠି ଦେଖାଇ ଚାଲିଯିବେ । ମୁଁ ତା ପାଇଁ କଣ ନ କରିଛି ? ମାଟ୍ରିକ ପାସ କରିପାରିନଥାନ୍ତା, ବୋର୍ଡ଼ରେ ଧରାଧରି କରି ପଇସା ଖର୍ଚ୍ଚ କରିବାରୁ ସେ ପାସ କଲା । ମୋର ଜଣେ ସାଙ୍ଗକୁ ୫ ଲକ୍ଷ୍ୟ ଟଙ୍କା ଲାଂଚ ଦେଇ ତାର ଚାକିରୀ କରେଇଲି , ହେଲେ ସେଇ ପୁଅ ନିଜ ରୋଗୀଣା ମାଆର ସେବା କରିବା ତ ଦୂରର କଥା, ଟିକେ ଦେଖିବାକୁ ଆସିଲାନି ।"
ବିଶ୍ୱାଳ ବାବୁଙ୍କୁ ଧୈର୍ଯ୍ୟ ଧରିବାକୁ ଉପଦେଶ ଦେଇ ସେଠୁ ଚାଲି ଆସିଲି । ମୋର ମନେ ପଡିଲା ଦିନେ ଅଜୁକୁ ଏଇ ବିଶ୍ୱାଳ ବାବୁଙ୍କ ପୁଅ ସହ ତୁଳନା କରୁଥିଲି । କାହିଁକିନା ସେ ଚାକିରୀ କରିଥିଲା । ହେଲେ ତା' ଚାକିରୀ ପାଇବା ପଛରେ ତା' ବାପାଙ୍କର ୫ ଲକ୍ଷ ଟଙ୍କା ଯେ ଶ୍ରାଦ୍ଧ ହେଇଛି ଏକଥା ମତେ ମାଲୂମ ନଥିଲା । ମନେ ମନେ ଖୁବ ଲଜ୍ଜିତ ହେଲି ।
ଏଇ ଘଟଣାର କିଛି ଦିନ ପରେ ମୋ ପେଟରେ ଯନ୍ତ୍ରଣା ଅନୁଭବ କଲି । ମୋ ସ୍ତ୍ରୀ ପାଖ ପଡୋଶୀଙ୍କି ଡକା ହକା କରି ମତେ ମେଡିକାଲ ନେଇଗଲେ । ସେଠାରେ ଚେକ ଅପ କରାଇବାରୁ ଜଣା ପଡିଲା ମୋର ଦୁଇଟି କିଡ଼ନୀ ନଷ୍ଟ ହେଇଯାଇଛି । ତୁରନ୍ତ ଅପରେସନ ନହେଲେ ମୋର ବଂଚିବା ମୁସ୍କିଲ । ମୋ ସ୍ତ୍ରୀ ମୁଣ୍ଡରେ ବଜ୍ର ପଡିଲା । ଅପରେସନ ପାଇଁ ଟଙ୍କା ତ ଯାହା ଖର୍ଚ୍ଚ ହବ ସେ ଅଲଗା କଥା, ହେଲେ ସବୁଠାରୁ ବଡ଼ କଥା ହେଲା ମୋ ପାଇଁ ଆବଶ୍ୟକ କିଡ଼ନୀ କେଉଁଠୁ ଆସିବ ? ମୋ ସ୍ତ୍ରୀ ତା କିଡ଼ନୀ ଦେବାକୁ ରାଜି ଥିଲା,ହେଲେ ତା ବ୍ଲଡ଼ ଗ୍ରୁପ ମୋ ଗ୍ରୁପ ସହ ମ୍ୟାଚ କଲାନି । ଅନ୍ୟୋପାୟ ନପାଇ ମୋ ସ୍ତ୍ରୀ ଅଜୁକୁ ଟେଲିଗ୍ରାମ କଲା ।
ଦୁଇଦିନ ପରେ ଅଜୁ ଆମ ପାଖରେ ପହଞ୍ଚିଥିଲା । ଅଜୁକୁ ଦେଖି ମୋ ସ୍ତ୍ରୀ ଭୋ ଭୋ ହେଇ କାନ୍ଦି ପକାଇଲା । ଅଜୁ କହିଲା-" ବୋଉ ତୁ ଚିନ୍ତା କରନା, ବାପାଙ୍କର କିଛି ହେବନି । ବାପାଙ୍କ ଚିକିତ୍ସା ପାଇଁ ଯାହା ଦରକାର ମୁଁ ଯୋଗାଡ଼ କରିବି ।"
ତାପରେ ସେ ଡାକ୍ତରଙ୍କ ସହ କଣ କଥାବାର୍ତ୍ତା ହେଇ ମୋ ଅପରେସନ ଯୋଗାଡ଼ରେ ଲାଗିଗଲା ।
ସଫଳ ଅପରେସନ ପରେ ଯେତେବେଳେ ମୋ ଚେତା ଆସିଲା, ମୁଁ ଦେଖିଲି ମୋ ପାଖରେ ମୋ ସ୍ତ୍ରୀ ବସିଛି ଆଉ ତା'ଠୁ କିଛି ଦୂରରେ ଏକ ଚେୟାର ଉପରେ ବସିଥିଲା ଅଜୁ । ମୋ ଚେତା ଆସିବା ଦେଖି ଅଜୁ ଓଠରେ ହସ ଫୁଟି ଉଠିଲା । ମୁଁ ବିଶ୍ୱାସ କରିପାରୁନଥିଲି ଯେ ମୁଁ ବଂଚିଛି ବୋଲି । ମୁଁ ଚିନ୍ତା କଲି ଅଜୁ କିଡ଼ନୀ କୋଉଠୁ ଯୋଗାଡ଼ କଲା ? ଇସାରାରେ ଅଜୁକୁ ପାଖକୁ ଡାକିଲି । ସେ ଆସି ମୋ ପାଖରେ ଠିଆ ହେଲା । ସନ୍ଦେହରେ ମୁଁ ତା ପେଟ ପାଖରେ ହାତ ମାରିଲି । ମତେ ଲାଗିଲା ତା ପେଟରେ ବ୍ୟାଣ୍ଡେଜ ଅଛି ।
ଅଜୁ କହିବାକୁ ଲାଗିଲା-" ବାପା, ତମେ ମତେ ଏ ଦୁନିଆକୁ ଆଣିଛ, ଛୋଟରୁ ବଡ଼ କରିଛ, ଏଇ ଦୁନିଆରେ ବଂଚିବା ଶିଖାଇଛ । ତମର ଜୀବନ ବଂଚେଇବା ପାଇଁ ମୁଁ କଣ ଏତିକି କରିପାରିବିନି ?"
ମୁଁ ତୁଳନା କରୁଥିଲି ମୋ ଅଜୁ ସହ ବିଶ୍ୱାଳ ବାବୁଙ୍କ ପୁଅକୁ । ସେଦିନ ମୁଁ ଭୁଲରେ ଅଜୁକୁ କୁଳାଙ୍ଗାର କହିଦେଇଥିଲି । ମୋ ଅଜୁ କିନ୍ତୁ କୁଳାଙ୍ଗାର ନୁହେଁ, କୁଳରତ୍ନ । ମୁଁ ଚାହିଁ ରହିଥିଲି ଅଜୁକୁ, ଆଖିରୁ ମୋର ଦୁଇ ଧାର ଲୁହ ବହି ଯାଉଥିଲା ।